ଗଳ୍ପ

ଘୋଡ଼ା ମଣିଷ

Ghoda Manisha an odia story by Dr Nilamani Lenka

ତୀତରେ ସେଠି ସଁ-ସଁ ହୋଇ ମଧ୍ୟରାତ୍ରିରେ କଞ୍ଚାଡାହାଣୀ ବିଚରଣ କରି ମଇଳା ଆବର୍ଜନା ପାଖରେ ବସେ । ଦିନରେ ସେଠାକୁ ଯିବାକୁ ଲୋକ ତ ଡରନ୍ତି ।

ଘୋଡ଼ା ମଣିଷ

ଧିଙ୍ଗଡ଼ି ଧି . . . ଧିଙ୍ଗଧି ଧି

ଧାଇଁ. . . ଧାଇଁ. .. ଧାଇଁ ଧିଙ୍ଗିଡ଼ିଧି

ହୁର୍ ରେ. . . !

ଏକ ଗୋଡ଼ିଆ ହୋଇ ଘୋଡ଼ା ଭଳି ଡେଇଁ ଡେଇଁ ଆଗକୁ ମାଡ଼ି ଯାଉଥିଲା ସେ । ବେଶ ପୋଷାକ ମଧ୍ୟ ବିଚିତ୍ର ଥିଲା । ନୁଖୁରା ମୁଣ୍ଡର କପାଳ ଉପରେ ଛିଣ୍ଡା ଲୁଗା କାନିର କିଛି ଅଂଶ ଗୁଡ଼ା ଯାଇଥିଲା ବେଳେ କହୁଣି ପାଖରେ ଝୁଲୁଥିଲା ବର୍ଜ୍ୟ ଜରି ଏବଂ ଟୁକୁରା ରଙ୍ଗୀନ କପଡ଼ାର ଝାଲିରି କେତେ ଖଣ୍ଡ ।

ପାର୍ଶ୍ୱରେ ବସି ପରିବେଶକୁ ସରଗରମ କରୁଥିବା ଲୋକଟି ଛୋଟିଆ ଢୋଲ ଦ୍ୱାରା ରହି ରହି ଶବ୍ଦ ସୃଷ୍ଟି କରୁଥିଲା ଡିଢ଼ାଉଁ. . . ଢାଉଁ. . . ଡିଢ଼ାଉଁ. . . ଢ଼ାଉଁ । କିଛି ତାଳ କିମ୍ୱା ଲୟ ତାକୁ ମାଲୁମ ଥିବା ପରି ମନେ ହେଉନଥିଲେ ହେଁ ବାଦ୍ୟ ବଜାଇବାର ଅଙ୍ଗଭଙ୍ଗୀ ଦର୍ଶକଙ୍କୁ ବିମୋହିତ କରୁଥିଲା ନିଶ୍ଚୟ ।

କ୍ରମଶଃ ଲୋକ ସମାଗମ ହେଉଥିବା ଦେଖି ରାସ୍ତାରେ ଯାଉଥିବା ବିଭିନ୍ନ ବର୍ଗର ପଥଚାରୀ କିଛି ସମୟ ପାଇଁ ଅଟକିଯିବାକୁ ବାଧ୍ୟ ହୋଇଯାଉଥିଲେ ସେଠାରେ । ସେଦିନ ବି ରବିବାର । ବଜାର ଉପକଣ୍ଠ ପଡ଼ିଆରେ ସପ୍ତାହରେ ଦୁଇଥର ପରିବା ହାଟ ବସେ । ବୁଧବାର କିମ୍ୱା ରବିବାରର ଏହି ହାଟ ବାରିକୁ ଏମାନେ ନିଶ୍ଚୟ ବାଛି ନେଇଥାନ୍ତି କିଛି ରୋଜଗାର କରିବା ପାଇଁ ।

ଧୂ ଧୂ ଖରା । ସୂର୍ଯ୍ୟଙ୍କର ସିଧାସଳଖ ରଶ୍ମୀରେ ସାରା ପ୍ରକୃତିଟା ହୋଇଯାଇଥିଲା ଅଧୀର । କିଏ କେମିତି ମୁଣ୍ଡରେ ଗାମୁଛା କିମ୍ୱା ପରିବା ନେବାକୁ ଆଣିଥିବା ଖାଲି ବ୍ୟାଗକୁ ମୁଣ୍ଡ ଉପରେ ରଖି ଦେଖଣାହାରୀ ସାଜି ଯାଇଥିଲେ ।

ରଞ୍ଜନବାବୁ କେବେ ବି ମଧ୍ୟାହ୍ନର ସୁଯୋଗକୁ ହାତ ଛଡ଼ା କରିବାକୁ ପସନ୍ଦ କଲେ ନାହିଁ । ସେ ଅନୁଭବ କରିଥିଲେ ଯେ ଖରାଟାଣ ହେଲେ ମଧ୍ୟାହ୍ନରେ ପରିବା ମୂଲ୍ୟ ଟିକେ ଖସିଆସେ । ଯାହା ପାଖରେ ଯାହା ପନିପରିବା ଥାଏ ଶୀଘ୍ର ବିକ୍ରି କରିଦେଇ ମଧ୍ୟାହ୍ନରେ ଘରକୁ ଫେରିଯାଆନ୍ତି । କେବଳ ରଞ୍ଜନବାବୁ ନୁହଁନ୍ତି ବରଂ ଅନେକ ସ୍ଥାନୀୟ ଗ୍ରାହକ ଏବଂ ବ୍ୟବସାୟୀମାନେ ହାଟକୁ ଆସିଥିବା ଚାଷୀମାନଙ୍କଠାରୁ ଭରପୁର ସୁଯୋଗ ଲାଭ କରିଥାନ୍ତି ।

ରଞ୍ଜନ ସିଂ । ବୃତ୍ତିରେ ସାମ୍ୱାଦିକ ହୋଇଥିଲେ ବି ସାହିତ୍ୟରେ ରୁଚି ରଖନ୍ତି । କଳା ଏବଂ ସଂସ୍କୃତିର ସାମୟିକ ପୃଷ୍ଠପୋଷକ ସାଜିଥାନ୍ତି । ସମ୍ୱାଦ ସଂଗ୍ରହ ଉଦ୍ଦେଶ୍ୟରେ ସକାଳୁ ସନ୍ଧ୍ୟା ଯାଏ ପଇଁତରା ମାରୁଥାନ୍ତି ବଜାର ଏବଂ ଆଖପାଖ ଅଞ୍ଚଳରେ ।

ସମବେତ ଦର୍ଶକଙ୍କ ଗହଳି ମଝିରେ ବାଜା ଏବଂ ଧିଙ୍ଗିଡ଼ି. . . ଧି. . . ଧିଙ୍ଗିଡ଼ି. . . ଧି ଶବ୍ଦ ଶୁଣି ଅଟକି ଗଲେ ରଞ୍ଜନବାବୁ । ତାଙ୍କ ଉପସ୍ଥିତି ନିଶ୍ଚୟ ସେଠାରେ ଏକ ଭିନ୍ନ ଦୃଶ୍ୟ ସୃଷ୍ଟି କରିଥିଲା । ଯେଉଁମାନେ ତାଙ୍କୁ ଚିହ୍ନିଥିଲେ ସେମାନେ ତାଙ୍କୁ ଗହଳି ଭିତରକୁ ଯିବାକୁ ରାସ୍ତା ଖୋଲି ଦେଇଥିଲେ ।

ଦର୍ଶକ ଖୁବ୍ ଜୋର୍ ତାଳି ମାଡ଼ କଲେ । ଘୋଡ଼ାଭଳି ଏକ ଗୋଡ଼ିଆ ହୋଇ ଡେଉଁଥିବା ଲୋକଟି ଉତ୍ସାହିତ ହୋଇ କ୍ଷୀପ୍ର ବେଗରେ ଦର୍ଶକଙ୍କ ଭିତର ଶୂନ୍ୟସ୍ଥାନରେ ସୃଷ୍ଟ ଗୋଲାକାର ବୃତ୍ତ ଭିତରେ ବାରମ୍ୱାର ବୁଲିବାରେ ଲାଗିଲା ।

ରଞ୍ଜନ ବାବୁ ଆହୁରି ଜୋର୍ ତାଳି ମାରିଲେ । ଘୋଡ଼ାନାଚ ଦେଖାଇବା ସମୟରେ ଲୋକଟି ଧଇଁସଇଁ ହୋଇ ଯାଇଥିଲା ଯେ ଆଉ ପାହୁଣ୍ଡେ ଆଗକୁ ପାଦ ପକାଇବା ପାଇଁ ଦେହରେ ଶକ୍ତି ନଥିଲା । ବାଜା ବଜାଉଥିବା ଲୋକଟି ଆଖିଠାରରେ ଇସାରା ଦେଲା ବୋଧହୁଏ ବିଶ୍ରାମ ନେବା ପାଇଁ ।

ଟିମ୍‌ରେ ଥିଲେ ସମୁଦାୟ ତିନିଜଣ । ଏଥର ପାଳି ପଡ଼ିଲା ନାବାଳିକାର । ଘୋଡ଼ା ହୋଇ ମନୋରଞ୍ଜନ ନିମିତ୍ତ ଅଭିନୟ କରୁଥିବା ଲୋକଟି ତଥାପି ସ୍ଥିର ଭାବରେ ବସିଲା ନାହିଁ । ଶୂନ୍ୟସ୍ଥାନର ଗୋଟିଏ ପାର୍ଶ୍ୱରେ ବସି ଛୋଟିଆ ଶାବଳରେ ଗାତଟିଏ ଖୋଳିବାରେ ବ୍ୟସ୍ତ ରହିଲା ।

ଏଥର ଦର୍ଶକଙ୍କ ନଜର ହଟିଆସିଲା ଘୋଡ଼ାରୂପୀ ମଣିଷ ପାଖକୁ । କିଛି ସମୟ ପୂର୍ବରୁ ଉତ୍ସାହିତ ତାଳିମରା ଦର୍ଶକଙ୍କ କେନ୍ଦ୍ରବିନ୍ଦୁ ଥିଲା ନାବାଳିକା । କୋଡ଼ିଏ ଫୁଟ୍ ବ୍ୟବଧାନରେ ଗୁଣନ ମୁଦ୍ରାରେ ଠିଆ ହୋଇଥିବା ବାଉଁଶରେ ସମ୍ପର୍କ ଯୋଡ଼ିଥିଲା ମୋଟା ଦଉଡ଼ି ।

ବାଜାର ଢାଉଁ ଢାଉଁ ଶବ୍ଦରେ ନାବାଳିକା ଗୁଣନ ସଦୃଶ ବାଉଁଶ ଉପରେ ଚଢ଼ି ରଶି ଉପରେ ଏ ମୁଣ୍ଡରୁ ସେ ମୁଣ୍ଡକୁ ଚାଲିଲା । ଖୁବ୍ ସତର୍କତାରେ କାନ୍ଧରେ ଲମ୍ୱା ବାଡ଼ିର ବାଲାନ୍ସ ଦ୍ୱାରା ଖୁବ୍ ସହଜରେ ଚାଲି ଯାଉଥିଲା ସେ ।

ଗାତ ଖୋଳୁଥିବା ଲୋକଟି ବେଳେବେଳେ ଅନ୍ୟମନସ୍କ ହୋଇଯାଉଥିଲା । ଟିକେ ଛାଡ଼ି ଟିକେ ନାବାଳିକାକୁ ଚାହିଁବା ଭିତରେ ତାକୁ ସଚେତନ ଏବଂ ଉତ୍ସାହିତ କରିବା ପାଇଁ ଚିଲୋଉ ଥିଲା-

ହୁର୍ରେ. . .
ହୁର୍ରେ. . .
ହୁ. . . ଉ. . .

ଗୀତ ବି ବୋଲୁଥିଲା- “ଆକାଶେ ଉଡ଼ିଲା ପରୀ, ବାବୁ ପାଖେ ମୁଇଁ କରେ ଗୁହାରୀ, ଦିଅ ମୋର ଥାଳି ଭରି ।”

ସମ୍ୱାଦ ପରିବେଷଣ କ୍ଷେତ୍ରରେ କାମ କରୁଥିବାରୁ ରଞ୍ଜନ ବାବୁ ବାଦ୍ୟବଜାଳିଠାରୁ ବୁଝି ସାରିଥିଲେ ସେ ହେଉଛି ଘୋଡ଼ା ମଣିଷର ସଢୁ । ଆଉ ଯେଉଁ ଝିଅଟି ରସି ଉପରେ ଜୀବନକୁ ବାଜି ଲଗାଇ ଚାଲୁଛି ସେ ହେଉଛି ଘୋଡ଼ା ମଣିଷର ଝିଅ ।

କାହିଁକି କେଜାଣି ଘୋଡ଼ାମଣିଷ ବିଭିନ୍ନ ଅଙ୍ଗଭଙ୍ଗୀ କରି ମନୋରଞ୍ଜନ ନିମିତ୍ତ ଅଭିନୟ କରୁଥିଲା ବେଳେ ଦର୍ଶକ ତାଳି ମାରିବା ଭିତରେ କିଏ କେମିତି କାଁ ଭାଁ ଟଙ୍କିକିଆ କିମ୍ୱା ଦୁଇ ଟଙ୍କିଆ କଏନ୍‌ଟିଏ ଫୋପାଡୁଥିଲେ । ତାହା କେବଳ ମଝିରେ ବିଛା ଯାଇଥିବା ମଳିମକଚିଆ ଲୁଙ୍ଗୀ ଉପରେ ରଖା ଯାଇଥିବା ସିଲିଭର ଥାଳିକୁ ।

ଫେରନ୍ତା ବଉଦରେ ବୋଧହୁଏ ମେଘର ସମ୍ଭାବନା ନ ଥିଲା ପରି ମନେ ହେଉଥିଲା । କାରଣ ଟାଣଖରା ପ୍ରଦର୍ଶନ କରୁଥିବା ସୂର୍ଯ୍ୟଙ୍କୁ ବେଳେବେଳେ ଧଳା ଭସା ବଉଦ ଛୁଇଁ ଦେଇ ଚାଲି ଯାଉଥିଲା ।

ସମସ୍ତଙ୍କ ନଜର ଝିଅର ପାଦଆଡ଼େ । ଶସ୍ତା ଦର୍ଶକଙ୍କ ପାଟିର ହୁଇସିଲ ଆଉ ରେ’-ରେ’କାର ଶବ୍ଦରେ ଝିଅର ମୁଣ୍ଡରୁ ପାଦ ସ୍ପର୍ଶ କରୁଥିଲା ଗରମ ଝାଳବୁନ୍ଦାଗୁଡ଼ିଏ । କେହି କେହି ବି ଟାହି ଟାପରା କରୁଥିଲେ ଝିଅକୁ ଚାହିଁ ।

ତଥାପି ଭ୍ରୁକ୍ଷେପ ନଥିଲା ଝିଅଟିର କିମ୍ୱା ଘୋଡ଼ାମଣିଷ ଅଥବା ବାଦ୍ୟ ବଜାଳିର । କାରଣ ସେମାନେ ଖୁବ୍ ଅଭ୍ୟସ୍ତ ହୋଇଯାଇଥିଲେ ଏସବୁ ନାରାବାଜିରେ ।

ରଞ୍ଜନବାବୁ ଲକ୍ଷ୍ୟ କଲେ ଲୋକଗହଳି ଭିତରୁ ଜଣେ ଯୁବ ଦର୍ଶକ ଛୋଟିଆ ଗୋଡ଼ିଟିଏ ଉଠାଇ ଝିଅଟି ଉପରକୁ ଫୋପାଡ଼ିଲେ । ହୁଏତ ତାକୁ ଲକ୍ଷ୍ୟଭ୍ରଷ୍ଟ କରିବା ଉଦ୍ଦେଶ୍ୟରେ ନୁହେଁ ବରଂ ଆସକ୍ତିରେ ।

ଠଣ୍ ଠଣ୍ ହୋଇ ବେଶ୍ କେତେଗୁଡ଼ିଏ କଏନ୍ ଥାଳି ଉପରକୁ ପଡ଼ି ଏଣେ ତେଣେ ତେରଛି ଯାଉଥିଲା । ଖୁସି ହୋଇଗଲା ଘୋଡ଼ାମଣିଷ । ଗାତଖୋଳା ଛାଡ଼ି ବିକ୍ଷିପ୍ତ ଭାବରେ ପଡୁଥିବା କଏନ୍ ସବୁକୁ ବାଦ୍ୟ ବଜାଳି ପାଖରେ ଥିବା ଗୋଟାଏ ତ୍ରିଭୁଜାକାର କପଡ଼ା ବ୍ୟାଗରେ ରଖିଦେଇ ଆସିଲା ।

ଝିଅଟିର ପାଳି ସରିଗଲା ।

ରୋଜଗାରର ଅଧିକ ଆଶା ନେଇ ଘୋଡ଼ା ମଣିଷ ନୂଆ ଅଭିନୟ ପ୍ରଦର୍ଶନ କରିବାକୁ ପ୍ରସ୍ତୁତ ହୋଇଗଲା । ସେ ପୂର୍ବପରି ଏକ ଗୋଡ଼ିଆ ହୋଇ ଘୋଡ଼ା ଭଳି ଡେଇଁଲା ନାହିଁ ।

ନୂତନ କୌଶଳରେ ଯୋଗ କଲାଭଳି କେତେକ ବ୍ୟାୟାମ କଲା । ମାଙ୍କଡ଼ ଚିତ ମାରିଲା । କୁକୁର ଭଳି ଭୋ’-ଭୋ’ ଶବ୍ଦ କରି ସମବେତ ଦର୍ଶକଙ୍କ ନିକଟକୁ ବୁଲିବୁଲି କୁଦା ମାରିଲା । ସଚେତନ ଥିବା ଦର୍ଶକ ଅନ୍ୟମନସ୍କରେ ତଥାପି ଡରିଯାଇ ପାହୁଣ୍ଡେ ଦୁଇପାହୁଣ୍ଡେ ପଛକୁ ଘୁଞ୍ଚିଗଲେ ।

ଠୋ’ ଠୋ’ ହସିଲା ଘୋଡ଼ା ମଣିଷ ।

ରଞ୍ଜନବାବୁ ତା’ ବୁଦ୍ଧିକୁ ତାରିଫ୍ କଲେ । ଏତେ ଲୋକଙ୍କୁ ସହଜରେ ସେ କେମିତି ବୋକା ବନେଇ ଦେଇ ପାରୁଥିଲା । ଅଧିକ ଜନସମାଗମ ଯୋଗୁଁ ସ୍ଥାନ ସଂକୀର୍ଣ୍ଣ ହୋଇ ଯାଇଥିବାରୁ ନୂଆ କୌଶଳ ଦ୍ୱାରା କୁକୁର ଅଭିନୟ କରି ସମସ୍ତଙ୍କୁ ପଛକୁ ଘୁଞ୍ଚାଇ ଦେଇ ପାରିଲା ।

ଯୋଗର ବିଭିନ୍ନ ଅଭିନୟ ପ୍ରଦର୍ଶନ କରିବା ପରେ ମଲ୍ଲଯୋଦ୍ଧା ପରି ବାହୁ ଉପରେ ଚାପୁଡ଼ା ମାରି ନିଜକୁ ଶକ୍ତିଶାଳୀ ବୋଲି ସାବସ୍ତ୍ୟ କରିଦେଲା, ଯଦିଏ ଲୋକଟିର ଚେହେରା ଖୁବ୍ କ୍ଷୀଣ ଥିଲା ।

ବାଦ୍ୟବଜାଳି ଆହୁରି କ୍ଷୀପ୍ର ଭାବରେ ବାଜା ବଜାଇଲା । ଝିଅଟି ମଧ୍ୟ ମଝିରେ ଥିବା ସିଲ୍‌ଭର ଥାଳିଆଟିକୁ ଆଣି ଢୋ’-ଢୋ’ ବାଡ଼େଇଲା ।

ଏଥର ଖେଳ ଜମିଲା ।

ଯୋଗ ଏବଂ ମାଙ୍କଡ଼ ଚିତି ମାରୁଥିବା ଘୋଡ଼ା ମଣିଷ ବୀର ଦର୍ପରେ ଚାରିଆଡ଼କୁ ଚାହିଁଲା । ଧୂ-ଧୂ ଖରାତେଜ ବିଛାଡୁଥିବା ସଳଖ ସୂର୍ଯ୍ୟଙ୍କୁ ଗାତ ପାଖରେ ଚିତ୍ ହୋଇ ଚାହିଁଲା । ଯଦିଓ ସେ ସିଧା ଚାହିଁ ପାରୁନଥିଲା ତଥାପି ଆଖି ମିଞ୍ଜି ମିଞ୍ଜି କରି ଚାହିଁବା ମୁଦ୍ରାରେ ଗୋଡ଼ ଠେସ ଦେଇ ଉପରକୁ ମୁହଁ ଓ ମୁଣ୍ଡକୁ ଗାତ ଭିତରେ ଭରି ଦେଇ ଦୁଇ ହାତରେ ଉଭୟ ପାର୍ଶ୍ୱରେ ଥିବା ଝରା ମାଟିରେ ମୁହଁକୁ ସମ୍ପୂର୍ଣ୍ଣ ଘୋଡ଼େଇ ଦେଲା ।

ଏଥର ତାଳି ମାଡ଼ ସମ୍ଭାଳେ କିଏ ? ସୂର୍ଯ୍ୟଙ୍କର ପ୍ରଚଣ୍ଡ କିରଣର ପ୍ରଭାବରେ ବେହାଲ ହୋଇ ଯାଇଥିଲେ ଦର୍ଶକ । ତଥାପି ଏ ବିରଳ ଦୃଶ୍ୟକୁ ଉପଭୋଗ କରିବାକୁ ସେମାନେ ହାତଛଡ଼ା କରିନଥିଲେ ।

ରଞ୍ଜନବାବୁ ପକେଟ୍‌ରୁ କୋଡ଼ିଏ ଟଙ୍କିଆ ନୋଟ୍ ବାହାର କରି ବିଛାଯାଇଥିବା ଲୁଙ୍ଗୀ ଉପରେ ରଖିଦେଲେ । ଥାଳି ବାଡ଼ାଉଥିବା ଝିଅଟି ସେହି ଥାଳି ମାଧ୍ୟମରେ ଦର୍ଶକଙ୍କ ପାଖେ ପାଖେ ବୁଲି ଆସିଲା ।

ଅନେକ କଏନ୍ ହୋଇଗଲା । ହାଟକୁ ଆସି ଆଖପାଖରେ ବସିଥିବା ଚାଷୀ କେତେଜଣ ନିଜ ପରିବା ଝୁଡ଼ିରୁ କିଛି ଝିଅଟିକୁ ବି ଦେଲେ । ଶୀଘ୍ର ଆଦାୟ ସରିଗଲା । ବାଦ୍ୟବଜାଳି ମଧ୍ୟ ଜଙ୍ଘ ଉପରୁ ବାଜା କାଢ଼ି ତଳେ ରଖିଦେଲା ।

ତିନି ଚାରି ମିନିଟ୍ ଧରି ଗାତ ଭିତରେ ରଖିଥିବା ମୁଣ୍ଡ ଉପରୁ ହାଲୁକା ମାଟିକୁ ଦୁଇ ହାତରେ କାଢ଼ି ଦେଲା ଘୋଡ଼ା ମଣିଷ । ସୁଁ କରି କେତେଟା କ୍ଷୀପ୍ର ନିଃଶ୍ୱାସ ବାହାର କରି ନାକରେ ପଶିଯାଇଥିବା ଧୂଳିକଣାକୁ ବାହାର କଲା ପରେ ଲୋକ ଗହଳି ଭାଙ୍ଗି ଯାଇଥିଲା ।

ସଂଗୃହୀତ ଅର୍ଥ ଏବଂ ପରିବାପତ୍ରକୁ ଦୁଇଟି ଝୁଲାବ୍ୟାଗ୍‌ରେ ପୁରାଇ ବାହାରିଲେ ସେମାନେ । ପୁନର୍ବାର କେଉଁଠି ପ୍ରଦର୍ଶନ ନିମିତ୍ତ ନୁହେଁ ! କାରଣ ସେଦିନର ଆୟ ପୂର୍ବଦିନ ଅପେକ୍ଷା ଯଥେଷ୍ଟ ଥିବାରୁ ସେମାନେ ଖୁବ୍ ଖୁସି ଥିବାପରି ଜଣାପଡ଼ିଲେ ।

ରଞ୍ଜନ ବାବୁ ତାଙ୍କୁ ପଚାରିଲେ- “ତମମାନଙ୍କ ଘର କେଉଁଠି ?”

– ଚାରି ପାଞ୍ଚ ମାଇଲ ଦୂର ଡାଆଣୀଝର ପାଖରେ । ଶଙ୍କି ପଡ଼ି ରଞ୍ଜନବାବୁ । କାରଣ ଡାହାଣୀଝର ବୋଲି ଗାଁ ନାହିଁ । ବୁଦୁବୁଦୁକିଆ ନର୍ଦ୍ଦମା ଝରକୁ ତ ସମସ୍ତଙ୍କର ଡର । ଅତୀତରେ ସେଠି ସଁ-ସଁ ହୋଇ ମଧ୍ୟରାତ୍ରିରେ କଞ୍ଚାଡାହାଣୀ ବିଚରଣ କରି ମଇଳା ଆବର୍ଜନା ପାଖରେ ବସେ । ଦିନରେ ସେଠାକୁ ଯିବାକୁ ଲୋକ ତ ଡରନ୍ତି । ଏମାନେ କେମିତି ସେଠି ରହୁଛନ୍ତି ?

ତିନି ହେଁ ମିଛ କହିଲେ ବୋଧହୁଏ । ତାଙ୍କ ପଛେ ପଛେ ଟିକେ ଦୂରରେ ରହି ସେମାନଙ୍କୁ ଅନୁସରଣ କଲେ ରଞ୍ଜନବାବୁ । ଘୋଡ଼ା ମଣିଷର ସାଇକେଲ୍ ପଛରେ ବସିଲା ଝିଅଟି । ବାଜା ବଜାଉଥିବା ଲୋକଟି ନିଜର ସାଇକେଲ୍ ହ୍ୟାଣ୍ଡଲରେ ଝୁଲା ବ୍ୟାଗ୍‌କୁ ଟାଙ୍ଗି ପଛ କ୍ୟାରିଅରରେ ବାଜାକୁ ବାନ୍ଧିଲା ।

ସମସ୍ତେ ଚାଲିଲେ । ରଞ୍ଜନବାବୁ ବି ତାଙ୍କ ପଛେ କିଛି ବ୍ୟବଧାନରେ ଧୀରେ ଧୀରେ ମଟର ସାଇକେଲ୍‌ରେ ଗଲେ । ପ୍ରାୟ ଦୁଇ କିଲୋମିଟର ଗଲାପରେ ଆଖପାଖ ତିନିଖଣ୍ଡ ଗ୍ରାମର ମଶାଣୀ । ପାଖକୁ ଲାଗି ରହିଛି ପୋଖରୀ । ତିନିହେଁ ଅଟକିଗଲେ । ବାଦ୍ୟବଜାଳୀ ପ୍ରଥମେ ହାତଗୋଡ଼ ଏବଂ ମୁହଁ ଧୋଇ ସାଇକେଲ୍ ପାଖକୁ ଫେରିଆସିଲା । ଝିଅକୁ ସାଇକେଲ ଧରାଇ ଦେଇ ଘୋଡ଼ା ମଣିଷ କୁଦା ମାରିଲା ପାଣି ଭିତରକୁ । ନାକ-ପାଟିରେ ପଶିଯାଇଥିବା ଧୂଳିସବୁକୁ ଭଲ ଭାବରେ ପରିଷ୍କାର କରିବା ପରେ ଲୁଗାପାଲଟି ଉପରକୁ ଉଠି ଆସିଲା ।

ସେତେବେଳକୁ ଡାଆଣିଆ ଖରା ବିମୁଗ୍ଧମଣ୍ଡିତ କରିଦେଲାଣି ପୃଥିବୀ ପୃଷ୍ଠକୁ । ଆହୁରି ଦୁଇ ମାଇଲ୍ ଯିବାକୁ ପଡ଼ିବ । ନିଜର ଗନ୍ତବ୍ୟ ସ୍ଥାନ ଡାଆଣୀଝର ଅଭିମୁଖେ ସେମାନେ ବାହାରିଗଲେ ।

ତଥାପି ସନ୍ଧ୍ୟା ହୋଇନାହିଁ । ଆଜିର ରୋଜଗାର ସୁରୁଖୁରୁରେ ଖୁବ୍ ଶୀଘ୍ର ହୋଇଯାଇଛି । ଦିନେ ଦିନେ ରାତି ଘଡ଼ିଏ ହୋଇଯାଏ ଡାଆଣୀଝରରେ ସେମାନେ ପହଞ୍ଚିବାକୁ । ସବୁବେଳେ ତ ଆଖପାଖ ଗାଁ ଗଣ୍ଡାରେ ରୋଜଗାର ହୁଏନାହିଁ । ହାଟ ବାରିରେ ସେମାନେ ଜନଗହଳିପୂର୍ଣ୍ଣ ସ୍ଥାନକୁ ରୋଜଗାର ନିମିତ୍ତ ବାଛି ନେଉଥିବା ବେଳେ ଅନ୍ୟଦିନମାନଙ୍କରେ ଧାନ ଚାଉଳ ପ୍ରାପ୍ତି ଉଦ୍ଦେଶ୍ୟରେ ଗ୍ରାମାଞ୍ଚଳକୁ ଯାତ୍ରା କରିଥାନ୍ତି ।

ଡାଆଣୀଝର ନିଶ୍ଚୟ ହୋଇଗଲା । ବୁଦୁବୁଦୁକିଆ ଗଛଲତାର ସଂକୀର୍ଣ୍ଣ ରାସ୍ତାରେ ସେମାନେ ଆଗେଇଲେ ଦୂରରୁ ଦିଶୁଥିବା ନୁଆଁଣିଆ ନଡ଼ାଛପର କୁଡ଼ିଆ ଆଡ଼େ ।

ଆଗକୁ ଆଉ ମଟର ସାଇକେଲ ଯିବା ସମ୍ଭବ ନୁହେଁ । ମଟର ସାଇକେଲ୍‌କୁ ଲକ୍ କରି ରଞ୍ଜନବାବୁ ସେହି ସଂକୀର୍ଣ୍ଣ ରାସ୍ତା ଦେଇ ପହଞ୍ଚିଲେ ନଡ଼ାଛପର କୁଡ଼ିଆ ସାମ୍ନା ଭାଗରେ ।

ରଞ୍ଜନ ବାବୁ ପହଞ୍ଚିଲା ବେଳକୁ ଏ ତିନିଜଣଙ୍କ ସହିତ ଆଉ ଦୁଇଜଣ ମହିଳା ଭାଗବଣ୍ଟା ନିମିତ୍ତ ବସିଯାଇଥିଲେ । ସେହି ଛିଣ୍ଡା ଲୁଙ୍ଘିର ପରସ୍ତ ଉପରେ ଓଜଡ଼ାଗଲା ସଂଗୃହୀତ ପନିପରିବା, ଚାଉଳ ଏବଂ ଟଙ୍କା ପଇସା । ଘୋଡ଼ା ମଣିଷର ସ୍ତ୍ରୀ ପୋଲିଓ ଆକ୍ରାନ୍ତ ଥିବା ପରି ଜଣା ପଡୁଥିଲା । ସିଧା ଠିଆ ହୋଇ ପାରୁନଥିଲା ସେ ।

ସମାନ ଭାବରେ ଦୁଇଭାଗ ହୋଇଗଲା ସମସ୍ତ ଦ୍ରବ୍ୟ । ଆନନ୍ଦର ପରିସୀମାରେ ବିଭୋର ଥିଲେ ତଥାପି ସେମାନେ । ଦାରିଦ୍ର୍ୟତା ଟିକେ ବି ତାଙ୍କ ସାହସର ଗତିଶୀଳତାରେ ବାଧା ସୃଷ୍ଟି କରି ନ ଥିଲା ।

ଭୋକର ଭୂଗୋଳ ଆଙ୍କୁଥିବା ସେହି ଡାଆଣୀଝରର ନୁଆଁଣିଆ ଚାଳଘର ସେମାନଙ୍କ ପାଇଁ ଥିଲା ମର୍ତ୍ତ୍ୟର ବୈକୁଣ୍ଠ । ପ୍ରତିବାଦୀ ହୀନ ଇଲାକା ସେମାନଙ୍କୁ ଏ ଯାବତ୍ ଦେଇନାହିଁ ପ୍ରତିହିଂସାର ଦୀକ୍ଷା ।

ସାମ୍ନାରେ ରଞ୍ଜନବାବୁଙ୍କୁ ଦେଖି ସେମାନେ ଡରିଗଲେ ।

ଘୋଡ଼ା ମଣିଷ କହିଲା- “ବାବୁ. . . ! ଆପଣ ଏଠି ?”

ତଳେ ଦୁଇଭାଗ ହୋଇଥିବା ଦ୍ରବ୍ୟ ଏବଂ ଅର୍ଥକୁ ଘୋଡ଼ାଇ ଦେଲେ ସ୍ତ୍ରୀଲୋକ ଦୁଇଜଣ । ସେମାନଙ୍କ ଭୟାତୁର ଆଶଙ୍କାକୁ ଦୂର କରିବା ପାଇଁ ରଞ୍ଜନବାବୁ କହିଲେ- “ଡରିବାର କାରଣ ନାହିଁ । ତମମାନଙ୍କ ଖେଳ ଦେଖି ସାରିବା ପରେ ତମ ଡାଆଣୀଝର ଦେଖିବାର ଇଚ୍ଛା ମୋତେ ଏତେ ବାଟ ନେଇ ଆସିଛି ।”

ସରଳ ମଣିଷମାନେ ଏକାଥରକେ ବୁଝିଗଲେ ।

ଘରୁ ଖଜୁରୀପତ୍ରରେ ନିର୍ମିତ ଏକ ଚଟେଇ ଆଣି ଅତିଥିଙ୍କ ନିମିତ୍ତ ତଳେ ପକାଇ ଦେଲା ରସି ଉପରେ ଚାଲିଥିବା ସେ ଝିଅଟି । ନିର୍ଭୟରେ ଦୁଇଭାଗ ହୋଇଥିବା ଦ୍ରବ୍ୟକୁ ମହିଳା ଦୁଇଜଣ ଲଣ୍ଡଭଣ୍ଡ ହୋଇ ଉଠାଇ ନେଲେ ଘର ଭିତରକୁ ।

ରଞ୍ଜନବାବୁ ପଚାରିଲେ- “ତମର କ’ଣ ନିଜର କିଛି ଜାଗା ନାହିଁ ?”

– ନା ।

– ତେବେ ରାସନ କାର୍ଡ ?

– ନା ।

– ଭୋଟ ପରିଚୟ ପତ୍ର କିମ୍ୱା ଆଧାର କାର୍ଡ ?

– ସେଗୁଡ଼ିକ କ’ଣ ?

ପୁଣି ଆଶ୍ଚର୍ଯ୍ୟ ହେଲେ ରଞ୍ଜନବାବୁ । ଏମାନେ ସରଳ ଲୋକ । ମେହନତି କରି ବଞ୍ଚିବାର କଳା ଏମାନଙ୍କୁ ହିଁ ଜଣା । ସରକାରଙ୍କ ସବୁ ଯୋଜନା ଏମାନଙ୍କ ନିକଟରେ ଅପହଞ୍ଚ । ବି.ପି.ଏଲ୍. ଟଙ୍କିକିଆ ଚାଉଳ ଏପରିକି ହରିଶ୍ଚନ୍ଦ୍ର ଯୋଜନା ଏମାନଙ୍କ ଭାଗ୍ୟରେ ହୁଏତ ଆଉ ଜୁଟି ନ ପାରେ ।

ହଉ ଆସୁଛି କହି ରଞ୍ଜନ ବାବୁ ସଂକୀର୍ଣ୍ଣ ରାସ୍ତା ଦେଇ ମଟର ସାଇକେଲ୍ ପାଖରେ ପହଞ୍ଚିଲେ ।

ମୁହଁ ସଞ୍ଜ ହେଲାଣି । ଡାହାଣୀଝରର ଭୟାତୁର ପରିବେଷ୍ଟନୀରୁ ଅତୀତର କଞ୍ଚା ଡାଆଣୀର ଶବ୍ଦ ସେ ଶୁଣି ପାରୁନାହାନ୍ତି ଏ ଯାଏ । ନୀଡ଼ ଫେରନ୍ତା ଚଢ଼େଇମାନଙ୍କର ଶେଜଧରା ଶବ୍ଦ କେବଳ ମୁଖରିତ କରୁଥିଲା ନର୍ଦ୍ଦମା ପାଣିର ଉଭୟ ପାର୍ଶ୍ୱରେ ଥିବା ଗଛମାନଙ୍କରୁ ।

ମଟର ସାଇକେଲ୍ ଷ୍ଟାର୍ଟ କଲା ପୂର୍ବରୁ ପୁଣିଥରେ ସେ ବୁଲି ଚାହିଁଲେ ଡାଆଣୀଝରର କୁଡ଼ିଆ ଘରକୁ । ଅଫିମରଙ୍ଗୀ ଅନ୍ଧାରରେ ଅସ୍ପଷ୍ଟ ଦିଶୁଛି । ମଲା ମଇଁଷିର ପିଠିରେ ଆକାଶ ସବାର ହେବା ଦୃଶ୍ୟ କେବଳ ହିଁ ଅନୁମାନ କରି ହେଉଥିଲା ସେଠି ।

ଲୋକପ୍ରିୟ ଲେଖା

To Top