ଗଳ୍ପ

ଗୋଧୂଳିର ରଙ୍ଗ

Shakuntala Bindhani's odia story Godhoolira Rangga

ଯେବେବି ସନା ଦାଦା ଆସେ, ମା ମୋତେ ବାହାରକୁ ପଠାଏ , ବର୍ଷା ହେଉ କି ଖରା , ଶୀତ କି କାକର ।

ଗୋଧୂଳିର ରଙ୍ଗ

ଚାଲୁ ଚାଲୁ ଥକି ପଡିଲେ ସୁଷମା । ପାଖ ସିମେଣ୍ଟ୍‌ ବେଞ୍ଚ୍‌ ଉପରେ ବସିପଡି ହାତରେ ଧରିଥିବା ମୋବାଇଲ ଫୋନ୍ କୁ ଦେଖିଲେ । ମାତ୍ର ପନ୍ଦର ମିନିଟ୍‌ ଚାଲିଛନ୍ତି । ଡାକ୍ତରଙ୍କ ପରାମର୍ଶ ଅନୁସାରେ ଅତି କମ୍‌ରେ ତାଙ୍କୁ ଆହୁରି ପନ୍ଦର ମିନିଟ ଚାଲିବାକୁ ହେବ । ତାଙ୍କ ସ୍ୱାସ୍ଥ୍ୟ ରକ୍ଷା ପାଇଁ ଏହା ଏକାନ୍ତ ଜରୁରୀ । ଜରୁରୀ , ଚଲିବାଟା ଜରୁରୀ , ନିହାତି ଜରୁରୀ । ଏକଥା କେବଳ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ନୁହନ୍ତି , ତାଙ୍କ ସ୍ୱାମୀ ସନ୍ତାନ ପରିବାର ସମସ୍ତେ ଶୁଆଶାରୀ ପରି ତାଙ୍କ ସାମ୍ନାରେ ଘୋଷିଛନ୍ତି , ତାଙ୍କୁ ମଧ୍ୟ ଘୋସାଇଛନ୍ତି । କିନ୍ତୁ ବାସ ପନ୍ଦର ମିନିଟ ଚାଲିବା ପରେ ସେ ଯେ ଭୀଷଣ ଭାବରେ ଥକି ଯାଉଛନ୍ତି , ଏ କଥା କେହି ବିଶ୍ୱାସ କରିବାକୁ ଚାହୁଁନାହାନ୍ତି । ଏଇଟା ହିଁ ତାଙ୍କୁ ଖୁବ ଦୁଃଖ ଦିଏ । ସ୍ୱାମୀ ଶରତ କୁହନ୍ତି ସୁଷମା ପ୍ରଥମ ପ୍ରଥମ ଯେ କୌଣସି କାମ କଲେ ଥକା ଲାଗେ ଏ କୋଉ ନୂଆ କଥା ଯେ ।

-ମାମା , ଏଇଟା ତୁମ ମନ ଭିତରେ ବସା ବାନ୍ଧି ରହିଯାଇଛି । ଥକା କାହିଁକି ଲାଗିବ, ଚାଲିଲେ ଫୁର୍ତ୍ତି ଲାଗିବ , ଫ୍ରେସ୍‌ ଲାଗିବ । ପୁଅ ତା ବାପାଙ୍କ ସହ ଯୋଗଦିଏ । ବୋହୁ ମୁରୁକି ହସେ । ଝିଅ କିଛି ନ କହି ଚୁପ ରହେ । କିନ୍ତୁ ଏକୁଟିଆ ବେଳେ କହେ । ମାମା ତତେ ତୋ ନିଜ ପାଇଁ ଚାଲିବାକୁ ହେବ । ଠିକ୍‌ ରହିବାକୁ ହେବ ମୁଁ ଜାଣିଚି ତୁ ଠିକ୍‌ କହୁଚୁ ତୋତେ କଷ୍ଟ ହେଉଛି , ଧଇଁ ସଇଁ ଲାଗୁଚି , ଲାଗୁଥିବା, ତଥାପି ତୋତେ ଚାଲିବାକୁ ହେବ ।

ଚାଲିବାକୁ ହେବ – ଏଇ ଦୁଇଟି କଥା ଶୁଣୁ ଶୁଣୁ ସେ ଆଡେଇ ଯାନ୍ତି । ମନେ ମନେ ବିରକ୍ତ ହେଲେ ମଧ୍ୟ ପ୍ରକାଶ କରିପାରନ୍ତି ନାହିଁ । ସୁନା ପିଲାଟି ପରି ସବୁ କଥା ମାନି ଯାଆନ୍ତି । କେବେ ଆଉ ପ୍ରତିବାଦ କରୁଥିଲେ ଯେ ସୁଷମା । ନିପଟ ମଫସଲ୍‌ ଗାଁ ରୁ ଦଶମ ପାସ କଲାପରେ ସେ ବିଜ୍ଞାନ ପଢିବାକୁ ଚାହୁଁଥିଲେ କଲେଜ୍‌ରେ । ମାତ୍ର ମେସ୍‌ରେ ରହି ପଢିବାକୁ ଜେଜେମା ରାଜି ନ ଥିଲେ । ବାପା ମଧ୍ୟ ଦୂରରେ ରଖି ପଢ଼ାଇବା ସପକ୍ଷରେ ନ ଥିଲେ । ବାସ ସେଇଠାରେ ହିଁ ତାଙ୍କ ପଢ଼ାରେ ଡୋରି ଲାଗିଲା । ମୁହଁ ଲୁଚାଇ ଅନେକ କାନ୍ଦିଥିଲେ । ହେଲେ ପ୍ରତିବାଦ କରିନଥିଲେ । ବହି ଖାତା କଲମ ପେନସିଲ ଜ୍ୟାମିତି ବାକ୍ସ ର ମୋହ ତୁଟାଇ ସେ ହାଣ୍ଡି ଡ଼େକଚି କଡ଼ାଇ ଚଟୁ ଧରିଥିଲେ । ଛୁଞ୍ଚି ସୁତା ଉଲ କଣ୍ଟା ରେ ମନ ଢାଳି ଥିଲେ ।

ମନ ବୋଲି ଶବ୍ଦଟେ ତାଙ୍କର ବାରମ୍ବାର ବଦଳୁ ଥିଲା ଗୁରୁଜନଙ୍କ ଆଦେଶରେ , ନିର୍ଦ୍ଧେଶରେ । ତାଙ୍କର ମନ ପଡ଼ିଆର ଫୁଟବଲ୍‌ ଥିଲା । ଯିଏ ଯେମିତି ଭାବରେ ଖେଳିବାକୁ ଚାହୁଁଥିଲା ଖେଳୁଥିଲା । ମଣିଷ ଅପେକ୍ଷା ସେ ଅଧିକ ପେଣ୍ଡୁ । ଆଜି ଭାବିଲେ ଆଶ୍ଚଯ୍ୟ ହୁଅନ୍ତି ଠିକ୍‌ ଚାବିଦିଆ କଣ୍ଢେଇ ପରି ତାଙ୍କ ଅବସ୍ଥା । ସେ ଯେଉଁ ଶୈଶବରୁ ପ୍ରବାହିତ ହେବ ଆରମ୍ଭ କରିଥିଲେ ତାହା ଆଜି ପଂଯ୍ୟନ୍ତ ଅବ୍ୟହିତ ଅଛି ।

ସିମେଣ୍ଟ୍‌ ବେଞ୍ଚ୍‌ଟି ଉପରେ ଆଉଜି ପଡିଲେ ।

ପାର୍କର ଏ ମଧ୍ୟ ସ୍ଥଳରେ ଛୋଟିଆ କଇଁଫୁଲର ପୋଖରୀ , କୃତିମ ପୋଖରୀ , ଚାରିପଟେ ସିମେଣ୍ଟ୍‌ର ପାହାଚ । ସକାଳର ମୃଦୁ ପବନରେ ମୁଣ୍ଡ ଦୋହଲାଇ ଗୀତ ଗାଉଛନ୍ତି ।

ସତେ ଅବା ଗାଁ ଭାସି ଉଠିଲା ତାଙ୍କ ଆଖି ଆଗରେ । ଗାଁ ପୋଖରୀର ଧଳା ଲାଲ କଇଁ । ଖୁଦୁରି କୁଣି , କୁମାର ପୂର୍ଣ୍ଣିମାରେ କଇଁ ଫୁଲରେ ସଜା ଠାକୁରାଣୀ , ଚଉରା । କେତେ ବର୍ଷ ତଳକୁ ଲେଉଟି ଗଲେ ସୁଷମା । ତାଙ୍କର ଖୁବ ଇଚ୍ଛା ହେଲେ ସେ ନୀଳ କଇଁର ପାଖୁଡା ଛୁଇଁ ଆଉଁସି ଦେବାକୁ । ହାତ ବଢା଼ଉ ବଢା଼ଉ ଫେରାଇ ଆଣିଲେ ।

ଆମ ଗାଁରେ ନ ଏମିତି ନୀଳ କାଇଁ ସବୁ ବହୁତ ଅଛି । ପଛରୁ ଗୋଟିଏ କଅଁଳିଆ ସ୍ୱର ନିଜ ନିରୀହ ଅହଂଙ୍କାରକୁ ଉପସ୍ଥାପନ କରୁଥିଲା ତାଙ୍କ ସମୁଖରେ । ବେକ ବୁଲାଇ ଚାହିଁଲେ ସୁଷମା । ଆଠ ନଅ ବର୍ଷର ଝିଅଟିଏ । ପିନ୍ଧିଚି ନାଲି ନେଳିର ରଙ୍ଗ ଛଡା ଫ୍ରକ । ହାତରେ ରଙ୍ଗୀନ ପ୍ଲାଷ୍ଟିକ ଚୁଡ଼ି , ପାଦରେ ଅଧା ଫଟା ଚପଲ । କିଛି ଉତ୍ତର ନ ଦେଇ ହସି ଦେଲେ ସୁଷମା । ତାଙ୍କ ହସ ଦେଖି ସେ ପୁଣି କଥାର ଖିଅ ଯୋଡିଲା ।

ଜାଣିଛ ନ ମାଆ ଆମ ଗାଁ ରେ ବହୁତ ବଡ ପୋଖରୀ ଅଛି ତା ଦେହରେ ଶହ ଶହ ଫୁଲ ଫୁଟେ । ନାଲି ନେଳି ଧଳା , ତମର ଏ ଟିକି ପୋଖରୀ ଠୁଁ ଢ଼େରେ ବଡ଼ । ଆମେନା ସେ ପୋଖରୀରେ ଗାଧେଇ ଲୁଗା କାଚୁ ପହଁରା ଶିଖୁ , ଫୁଲ ତୋଳୁ ଅଝଟ ହେଉ ଆଉ …. ଟିକେ ଅଟକି ଗଲା

ଆଉ …….

ସୁଷମା ତା ପ୍ରତି ଆଗ୍ରହ ହୋଇ ଉଠିଲେ ଝିଅଟି ଆଖିରେ ଆଗ୍ରହ , ଉଦ୍ଦିପନା ଏବଂ ଉତ୍ସାହ ଆଖି ଦିଓଟି ଚକ୍‌ ଚକ୍‌ ଉଜ୍ୱଳ ନକ୍ଷତ୍ରର ଜ୍ୟୋତି ଅନର୍ଗଳ ଗପି ଚାଲିଥିଲା ଝିଅଟି । ସୁଷମା ସେ ପର୍ଯ୍ୟନ୍ତ ତା ନାଁ ପଚାରି ପାରି ନାହାନ୍ତି । ତାର ନିଷ୍ପାପ ଶୈଶବ ନିରୀହ ବାର୍ତ୍ତାଳାପ ତାର ସ୍ଥିତି ଓ ସରଳତାକୁ ସୂଚାଇ ଦେଉଥିଲା ।

ତାର ଗୋଟେ ଗାଁ ଅଛି , ସେ ସେ ଗାଁ ରେ ଅଛି ଗୋଟେ ବଡ଼ ପୋଖରୀ । ଯେଉଁ ପୋଖରୀରେ ଫୁଟେ ଅଜସ୍ର କଇଁ । ସେଇ ଗାଁ କୁ ନେଇ ସେ ଗର୍ବ କରେ । ନିଜର ବୋଲି ଦାବି କରିପାରେ । ଏଇ ଗୋଟିଏ ଅହଂକାର ତାକୁ ମୁଣ୍ଡ ଟେକି ଛିଡା ହେବାର ଗୌରବ ଦେଇଛି ।

ଏଇ ଟିକକ ଅହଂକାର ତାଙ୍କର ନାହିଁ । ଠିକଣା ବଦଳୁଥିଲା ବାରବାର । ଶୈଶବର ସେଇ ଘର ଗାଁ , ବିବାହ କରୁକରୁ ପର ହେଇ ଯାଇଥିଲା । ଶ୍ୱଶୁର ଘର ମଧ୍ୟ ନିଜର ଦାବି କରିପାରିନଥିଲେ । ଗାଁ ତ ଦୂରର କଥା । ତା ପରଠୁ ସ୍ୱାମୀଙ୍କ ଚାକିରୀରେ ଠିକଣା ବଦଳୁ ଥିଲା ବାରମ୍ବାର । ଜୀବନର ଏଇ ସାୟାହ୍ନରେ ଆସି ପହଞ୍ଚିଛନ୍ତି ଭୁବନେଶ୍ୱରର ଏ ପାରାଭାଡ଼ି ପରି ଦୁଇ ବଖୁରିଆ ଘରେ ।

ଥାକ ଥାକ ହୋଇ ଫ୍ଲାଟ୍‌ର ଘର । ଫୁଲ ଗଛଟେ ପୋତିବାକୁ ଚାଖଣ୍ଡେ ଜଗନାହିଁ । ଅଣ ନିଶ୍ୱାସୀ ହୋଇଯାଆନ୍ତି ସୁଷମା ସେଇ ଚାରି କାନ୍ଥର କୋଠରୀ ଭିତରେ ବନ୍ଦୀ ହୋଇ । ଛୋଟିଆ ବାଲକୁନି ରୁ ଦେଖନ୍ତି ଚାଖଣ୍ଡେ ଆକାଶ, ତହିଁରେ ଜହ୍ନ ତାରା ନକ୍ଷତ୍ର । ନୂଆ ନୂଆ ମୁଣ୍ଡ ଟେକୁଥିବା ନଭଶ୍ଚୁମ୍ଭି ଅଟାଳିକା । ତା ଭିତରେ ଖୁନ୍ଦି ହୋଇ ରହୁଥିବା ମଣିଷ । ସୁଷମାକୁ ପ୍ରଲୁବ୍ଧ କରିପାରିନାହିଁ ଏ ରାଜଧାନୀର ଏ ମାୟାବୀ ଆକର୍ଷଣ । ତଥାପି ସେ ପଡିରହିଛନ୍ତି ଏଇ ରାଜଧାନୀରେ, ଧୂଳି ଧୂଆଁର ସହରରେ ।

:- ଜାଣିଛ ମାଆ , ତମର ଏ ସହରର ଲୋକନମାନେ କିନ୍ତୁ ଗାଁ କୁ ଯାଆନ୍ତି ପାର୍ଟି କି ପିକ୍‌ନିକ୍‌ ମନାଇବାକୁ । ମୁଣ୍ଡିଆ ପାହାଡ଼ ଜଙ୍ଗଲର ସବୁଜିମା କଳକଳ ଝରଣାର ଗୀତ ତାଙ୍କୁ ବହୁତ ଭଲ ଲାଗେ ।

ସୁଷମା ହସିଦେଲେ ତାର ଏ ତମ ସହର ଆମ ଗାଁ , ତମର ଆମର କଥା ଶୁଣି ତାଙ୍କୁ ଭାରି ଭଲ ଲାଗୁଥିଲା । ଛୋଟ ଝିଅଟି ମନରେ ଏ ସବୁ କଥା କେତେ ସହଜରେ ବସା ବାନ୍ଧି ରହି ଯାଇଛି ।

ଆଛା କହିଲୁ ତୋ ନାଁ କଣ ….

ମୋ ନାଁ

ହଁ ତୋ ନାଁ …

ଚନ୍ଦ୍ରମା …କହି ଖିଲି ଖିଲି ହୋଇ ହସି ଉଠିଲା

ତୋ ଗାଁ ନା ମାନେ ତୋ ଘର କେଉଁଠି ।

ଆମ ଗାଁ ସୁଜନ ପୁର । ଉଦାସ ହୋଇ ପଡିଲା ଚନ୍ଦ୍ରମା ।

ଗାଁ କଥା ଶୁଣୁ ଶୁଣୁ ତା ଆଖି ଭାରି ଆସିଲା ସହରକୁ ଆସିଲାପରେ ସେ ଲୁହ ଲୁଚାଇବା ଶିଖି ଯାଇଛି ।

ସୁଷମାକୁ ଖୁବ ଭଲ ଲାଗୁଥିଲା ଚନ୍ଦ୍ରମା ସହ କଥା , ତା କଥା । ପ୍ରାତଃ ଭ୍ରମଣ କଥା ଭୁଲିଯାଇ ଏବେ ସେ ବେଞ୍ଚ୍‌ ଉପରେ ଗୋଡ ଲମ୍ବାଇ ଆରାମରେ ବସି ଝିଅଟା ସହ ମନଖୋଲି ଗପୁଥିଲେ ।

– ବସୁନୁ , ବସ । ପାଖରେ ବସିବାକୁ ଇଙ୍ଗିତ ଦେଲେ ସୁଷମା ।

– ମୁଁ ବସିବି ତମ ସହ ..ତା ଆଖି ବଡ଼ ବଡ଼ ହୋଇଗଲା

– ହଁ ବସ ଏଇଠି

ବସୁ ବସୁ ଛିଡା ହୋଇ ଗଲା ଚନ୍ଦ୍ରମା

– କଣ ହେଲା ? ସୁଷମାଙ୍କ ଆଖିରେ ପ୍ରଶ୍ନବାଚୀ

– ନାଇଁ … ମାଆ ମନା କରିଛି , ବଡ ଲୋକଙ୍କ ସହ ସାଙ୍ଗ ହୋଇ ବସିବାକୁ

ଜୋର କରି ତାକୁ ଟାଣି ବସେଇ ଦେଲେ , ସେ କୁଂଥୁ କୁଂଥୁ ହେଲା ।

– ଆଚ୍ଛା ତୁ କଣ ସ୍କୁଲ ଯାଉନୁ ? ସୁଷମା କଥା ଯୋଡ଼ିଲେ ।

ନାଁ , କୁନି ଝିଅକୁ ଜଗୁଛି , ଏଇନା ମାଆ ତା ପାଖରେ ଅଛିତ ମୁଁ ଖେଳିବାକୁ ଆଇଚି

କରେଣ୍ଟ୍‌ ମାରିଲା ପରି ଉଠି ଠିଆ ହେଲା ଚନ୍ଦ୍ରମା ଡେଇଁ ଡେଇଁ ଚାଲୁଥିଲା ।

ମୋର ଡେରି ହେଲାଣି ମା ଗାଳିଦବ… ।

ସୁଷମା ଏବେ ପ୍ରତିଦିନ ପାର୍କକୁ ଆସନ୍ତି ବିନା କିଛି ପ୍ରତିବାଦରେ । ପ୍ରାତଃ ଭ୍ରମଣ କମ୍‌, ବେଶୀ ସମୟ ଚନ୍ଦ୍ରମା ସହ ଗପିବାରେ ତାଙ୍କର କଟୁଥିଲା । ତାର ସରଳତା , ମିଠା ମିଠା ଗାଁ କଥା ତାଙ୍କୁ ମୁଗ୍ଧ କରୁ ଥିଲା । ବୟସର ବ୍ୟବଧାନ ପରେ ମଧ୍ୟ ସେମାନେ ଦୁହେଁ ପରସ୍ପରର ସାଙ୍ଗ ପାଲଟି ଯାଇଥିଲେ ।

ସୁଷମା ନିଜର ଜରା ବ୍ୟାଧି ଗ୍ରସ୍ତ ଶରୀର , ତଦ୍‌ଜନିତ ତାଙ୍କର ଅସହାୟତା , ଧୀରେ ଧୀରେ ତାଙ୍କ ପ୍ରତି ଅନ୍ୟମାନଙ୍କର ଉପେକ୍ଷାର କଥା କହୁଥିଲେ ବେଳେ ଚନ୍ଦ୍ରମା ଗପୁଥିଲା ତା ନୀଳ କଇଁ ଭର୍ତ୍ତି ପୋଖରୀ , ପାହାଡ଼ , ଝରଣା , ଚଢେଇ ଚିରିଗୁଣୀ କଥା । ଦ୍ୱିପହରରେ କପୋତୀ ର କାଳ ବଖାଣୁ ଥିଲାବେଳେ ସେ ନିଜେ ପୁତ୍ରହରା କପୋତୀ ପାଲଟି ଯାଉଥିଲା । ଦୋଳଯାତ୍ରାର ରାଧା କୃଷ୍ଣ , କୁଆଁର ପୁନେଇଁର ସ୍ନିଗ୍ଧ ରୂପା ଜହ୍ନ , ଜଙ୍ଗଲର ଅଚାନକ ନିଆଁର ପ୍ରକୋପ ଏମିତି ଅନେକ ଗପର ପସରା ମେଲିଦିଏ । କିନ୍ତୁ ତାର ବହିବସ୍ତାନୀ ଗାଁ ସ୍କୁଲ କଥା କହିଲା ବେଳେ ମଝିରେ ମଝିରେ ଅଚାନକ ତୁନି ପଡେ ,ଅନ୍ୟମନସ୍କ ହୋଇଯାଏ ।

କଥା ପ୍ରସଙ୍ଗରେ ଦିନେ ତା ମୁହଁରୁ ବାହାରି ପଡିଥିଲା ତା ପାଠର କଥା , ଖୁବ ଭଲ ପଢୁଥିଲା ଚନ୍ଦ୍ରମା , ସ୍କୁଲ୍‌ର ଦିଦି ଓ ସାର ମାନେ ତାର ପ୍ରଶଂସା କରୁକରୁ ଅନ୍ୟ ପିଲାଙ୍କୁ ଉଦାହରଣ ଦେଉଥିଲେ । ସବୁ ଠିକ୍‌ ଠାକ୍‌ ଚାଲୁଥିଲାବେଳେ ଦଇବ ଅହନ୍ତା ସାଜିଲା । କୌଣସି ରୋଗ ବୈରାଗ ନ ଥାଇ ହଠାତ୍‌ ବିଲ ମଝିରେ ଟଳି ପଡିଲେ ତା ବାପା । ଅନ୍ୟ ମାନଙ୍କ ସାହାଯ୍ୟ ଓ ସହାନୁଭୂତିରେ ଯଥା କଥା ଟଳି ଗଲା ଛଅ ମାସ । ତା ପରେ ଜୀବନ ଜିଣିବା କେତେ ଯେ ମୁସ୍କିଲ୍‌ ସେଇ ଦିନ ହିଁ ଚନ୍ଦ୍ରମା ବେଶ ବୁଝିଯାଇଥିଲା । ଭୋକର ମା ଝିଅ ଖୁବ ଆଉଟୁ ପାଉଟୁ ହେଲା ବେଳେ ସନା ଦାଦା ତାଙ୍କୁ ସହରର ବାଟ ଦେଖାଇଥିଲେ ଲୋଭ ଦେଖାଇ ଥିଲେ ମନୋହାରି ଜୀବନର । ପୁଳା ପୁଳା ଟଙ୍କା ମାଗଣା ଚାଉଳ ବିଜୁଳି ଆଲୁଅ କଳ ପାଣି ଇତ୍ୟାଦି ଇତ୍ୟାଦି । ଏକ ମୁହଁ ହୋଇ ଚନ୍ଦ୍ରମା ତା ମା ସହ ଆସିଥିଲା ସହର । ସନା ଦାଦା ମିଛ କହିନଥିଲା । ପ୍ରାୟ ସବୁ ସତ ହିଁ କହିଥିଲା , କୁନି ପୁଅର ତ ସହରରେ ହିଁ ଜନ୍ମ । ଚାରି ପାଞ୍ଚ ଘରେ ଦୁଇ ଓଳା କାମ କରି ମା ଦୁଇ ହଜାର ପାଉଥିଲା । ଏବେ ତ ଚନ୍ଦ୍ରମା ବି ବେଳେ ଅଧେ କାମରେ ସାହାଯ୍ୟ କରେ । ବସ୍ତିର ବଖୁରେ ଭଡା ଘରେ ବିଜୁଳି ଆଲୁଅ ସବୁ ଥିଲା , ଟିଭି , ପଙ୍ଖା , ରେଡ଼ିଓ , ବାକ୍ସ , ବାସନ , କୁସନ ସବୁ କରିଛି ମା । ପୁଅକୁ ଜଗୁ ଜଗୁ ରେଡ଼ିଓ ଶୁଣେ , ଟିଭି ରେ ସିନେମା ଦେଖେ ଯାତ୍ରା ଦେଖେ । ଚନ୍ଦ୍ରମାର ଦୁଃଖୀ ହେବାର କୌଣସି କାରଣ ହିଁ ନ ଥିଲା । ତଥାପି ଚନ୍ଦ୍ରମା ମୁହଁରେ ସେଇ ଅଭାବଟିକୁ ପଢ଼ିନିଅନ୍ତି ସୁଷମା । ଏତେ ପ୍ରାପ୍ତି ପରେ ମଧ୍ୟ ସେ ଯେ ସୁଖୀ ନୁହେଁ ସେ କଥା ବୁଝିପାରିଛନ୍ତି ତାର ଶୈଶବ ଯେମିତି ଅଚାନକ୍‌ ବୟସ୍କ ହୋଇଯାଇଛି ।

ପାର୍କ ରେ ଲାଗିଥିବା ବଡ଼ ଘଣ୍ଟାଟିକୁ ଅତିକ୍ରାନ୍ତ ସମୟର କଥା ସୂଚେଇ ଦେଉଥିଲା । ସତେତ ଆଠଟା ପାରି ହେଲାଣି । ଅଥଚ ଚନ୍ଦ୍ରମା ହଟୁ ନଥିଲା ବସିବା ଜାଗାରୁ ।

ଆଠଟା ପାରି ହେଲାଣି ଚନ୍ଦ୍ରମା ।

ତୁମେ ଯାଅ ମାଆ , ମୁଁ ପଛରେ ଯିବି ,

କାହିଁକି , ଚାଲ ଯିବା , ଖରା ଟାଣ ହେଲାଣି ….

ନାଇଁ ମା , ତମେ ତମର ଯାଅ , ମୁଁ ପରେ ଯିବି …

ତୋ ମା ପାଟିକରିବ ଯେ..

ନା , ମା ମୋତେ ନିଜେ ମନା କରୁଛି ..

କିନ୍ତୁ କାହିଁକି ..

ସନା ଦାଦା ଆଇଚି ନା , ସେଥି ଯୋଗୁ ।

ହଠାତ୍‌ କିଛି ବୁଝି ପାରିଲେନି ସୁଷମା । ତାକୁ ବୋକାଙ୍କ ପରି ଚାହିଁଲେ ।

ଯେବେବି ସନା ଦାଦା ଆସେ, ମା ମୋତେ ବାହାରକୁ ପଠାଏ , ବର୍ଷା ହେଉ କି ଖରା , ଶୀତ କି କାକର । ଉଦାସ ହୋଇଗଲେ ଚନ୍ଦ୍ରମା । ସୁଷମା ତ ଗୋଟିଏ ବାକ୍ୟରୁ ପୁରା କାହାଣୀ ବୁଝି ଯାଇଥିଲେ । ଆଉ ତାଙ୍କୁ ଲାଗିଲା ଯେ ଚନ୍ଦ୍ରମା ମଧ୍ୟ ସେ କାହାଣୀରୁ କିଛି କିଛି ପରିଛେଦ ବୁଝେ । ଏ କିଭଳି ଜୀବନ, ଯେଉଁ ଜୀବନରେ ସୁନାଝରା ଶୈଶବ ବାସ୍ତବତା ରୁ ଧୁ ଧୁ ଖରାରେ ସିଝେ । ବସନ୍ତ ବୈଶାଖ ରୂପ ନିଅ ଏବଂ ଶ୍ରାବଣ କାହା ଆଖିରେ ବର୍ଷା ହୋଇଝରେ । ଚନ୍ଦ୍ରମା ଜୀବନର ଉଠାଣି ଗଡ଼ାଣି ଭଲ ମନ୍ଦ ଆଲୁଅ ଅନ୍ଧାର ସହ ପରିଚିତ ହେବା ପୂର୍ବରୁ ବାସ୍ତବତା ର ତୀବ୍ର ଉତ୍କଟତା ସହ ପରିଚିତ ହେଉଥିଲେ ମାଆର ଅଭୟ ପଣତ କାନି ତା ପାଇଁ ବେକର ରଶି ପାଲଟୁଥିଲା ।

ଜାଣିଛ ମାଆ , ସନା ଦାଦା ନା ଜମା ଭଲ ଲୋକ ନୁହେଁ, ମା ନ ଥିଲା ବେଳେ ସେ ……

ସୁଷମା କାନରେ ହାତ ଦେଲେ । ଚନ୍ଦ୍ରମା କଣ ସବୁ କହୁଥିଲ । ତାଙ୍କର ଆଉ ଶୁଣିବାର ଧୈର୍ଯ୍ୟ ନ ଥିଲା । ଚନ୍ଦ୍ରମା କୁ ଛାତିରେ ଆଉଜାଇ ଆଣିଲେ । ତା ପିଠି ଥାପୁଡ଼େଇ ଭାବୁଥିଲେ ତାଙ୍କ ପରବର୍ତ୍ତୀ ପଦକ୍ଷେପକୁ । କହିବେ କି ଚନ୍ଦ୍ରମାଙ୍କୁ ଏ ସବୁ ତା ପ୍ରତି ଅତ୍ୟାଚାର । ମାନସିକ ଶାରୀରିକ ଶୋଷଣ । ପର ମୁହୂର୍ତ୍ତରେ ନିଜକୁ ନିବୃତ୍ତ କଲେ । ବଡ଼ ଅଶାନ୍ତି ଓ ଅସନ୍ତୋଷରେ ପାର୍କ ରୁ ଫେରିଲେ ନିଜ କଥା କମ ଏବେ ଚନ୍ଦ୍ରମାର କଥା ବେଶୀ ଭାବୁଥିଲେ ।

ଭାବନା ଭିତରେ ଏତେ ମଗ୍ନ ରହୁଥିଲେ ଯେ ଖାଇବା ପିଇବା ଶୋଇବା ବସିବା ସବୁ ବେ ଠିକଣା ହୋଇ ଯାଇଥିଲା । ତାଙ୍କର ଏ ଅବସ୍ଥା କିଛି ଦିନ ପରେ ପରିବାରର ସମସ୍ତେ ସଦସ୍ୟ/ସଦସ୍ୟ ଙ୍କ ଆଖିରେ ଧରା ପଡିଯାଇଥିଲା ।

ଗୋଟିଏ ଆବେଗ ରେ ସମସ୍ତ ଧାରା ବିବରିଣୀକୁ ସେଦିନ ଡାଇନିଂ ରୁମ ରେ ଉପସ୍ଥାପନ କରି ଦେଲେ । ଏବଂ ଶେଷରେ ନିଜର ଇଚ୍ଛା ମଧ୍ୟ ବିନା ଦ୍ଵିଧାରେ ଜାହିର କଲେ । ସମସ୍ତଙ୍କ ମୁହଁକୁ ନିରେଖି ଦେଖିବାର ସାହସ ଜୁଟାଇବା ପୂର୍ବରୁ ହିଁ ଗୃହସ୍ୱାମୀ ମାନେ ତାଙ୍କ ସ୍ୱାମୀ ସରୋଜ ତୀବ୍ର ପ୍ରତିବାଦ କଲେ ବିନା ବାକ୍ୟ ବିନିମୟରେ ପୁଅ ମଧ୍ୟ ସତ ପ୍ରତିଶତ ସମଥର୍ନ କଲା । ଆଉ ବୋହୁ ….ପ୍ରତିଥର ପରି ଖୁବ ଥଣ୍ଡା କଣ୍ଠ ରେ ଶାଣିତ ଶବ୍ଦ ସବୁ ଉଚ୍ଚାରଣ କରୁଥିଲେ ।

ସୁଷମା ତମେ କଣ ସମାଜ ସେବିକା ନ ଝିଅର ଗାର୍ଡିଆନ ନିଜ ସମସ୍ୟାର ସମାଧାନ ତ ଇଞ୍ଚେ କରିବାକୁ ଅସମର୍ଥ ,ସେଥିରେ ପୁଣି ଯୁଦ୍ଧିଷ୍ଟିର ହେବାକୁ ଇଚ୍ଛା… ଏମଟି ମାଇଣ୍ଡ …ଡେଭିଲସ୍ ୱାର୍କ ସପ୍‌ ।

ବାବା , ମାଆର ମତିଭ୍ରମ ଘଟିଲାଣି ନା କଣ ..ଚିହ୍ନା ନାହିଁ ପରିଚୟ ନାହିଁ । କୋଉ ଅନାଥ ଝିଅ ପାଇଁ ଲଢ଼ିବ ,ଏକା ବେଳେ ଡିସ୍‌ଗଷ୍ଟିଙ୍ଗ । ତମର ପାର୍କ ଯିବା ଦରକାର ନାହିଁ । ଯୁଆଡେ ଗଲ ସମ୍ପର୍କ ଯୋଡ଼ିଲ ଏଇଟା କଣ ତମ ନିପଟ ଗାଁ ହେଇଚି ମାଉସୀ ଖୁଡି ଦେଠେଇ ର ସମ୍ପର୍କ ଯୋଡ଼ିବ ।

ତାଙ୍କ ଠାରୁ ଦୁଇପାଦ ଆଗକୁ ଟପିଯାଇ ବୋହୁ କହିଲା -“ଆଇଡ଼ିଲ ମାଇଣ୍ଡ୍‌ ଇଜ ଡ଼େଲିଭସ୍ ୱାର୍କଶପ୍‌ ……. ।

କାମତ କିଛିନାହିଁ କରିବେ କଣ , ଏମିତି ଅନ୍‌ୱାଣ୍ଟେଡ କିଳାକୁ ଡାକି ଘରକୁ ନିମଂତ୍ରଣ ….. ଡ଼ିସ୍‌ଗଷ୍ଟିଙ୍ଗ ।

ସୁଷମା ଭିତରେ ଭିତରେ ବତୁରି ଗଲେ ମଧ୍ୟ ନିଜକୁ ଧରି ରଖିବାକୁ ଚେଷ୍ଟା କରଥିଲେ । ଏ ପରିବାରରେ ତାଙ୍କର ସ୍ଥାନ ଯେ ସଂକୁଚିତ ହୋଇ ଏବେ ନାହିଁର ର ଦରବାର । ପ୍ରତ୍ୟକ୍ଷରେ ନ କହିଲେ ପରୋକ୍ଷରେ ଇସାରା ମିଳି ସାରିଛି । ସେ ଏବେ ଅନୱାନଣ୍ଟେଡ୍‌ ଏଲିମେଣ୍ଟ୍‌ । ତାଙ୍କ ଥିବା ନ ଥିବାର କୌଣସି ଫରକ ହିଁ ନାହିଁ । ଏ ସବୁ ଜାଣି ବୁଝି ମଧ୍ୟ ଆଉଥରେ ଆଶାୟୀ ଆଖିରେ ସ୍ୱାମୀ ତଥା ପୁଅକୁ ଚାହିଁଲେ । ବିରକ୍ତରେ ମୁହଁ ବୁଲାଇ ଘରୁ ବାହାରି ଗଲେ ଦୁହେଁ । ସୁଷମା ଖୁଣ୍ଟଟା ପରି ଠିଆ ହୋଇଥିଲେ । ଝରୁଥିବା ଲୁହକୁ ପୋଛିବା ପୂର୍ବରୁ ଆଉ ଗୋଟିଏ ହାତ ତାଙ୍କ ଲୁହକୁ ପୋଛିବା ପାଇଁ ଆଗେଇ ଆସିଲା । ସେ ହାତ ଦୁଇ ତାଙ୍କ ଝିଅର । ମା ମୁଁ ତୋ ସହ ଅଛି , ତୋ ପାଖରେ ତୋର ଯାହା ମନରେ ଅଛି କର । ତୋତେ ଯାହା ଭଲ ଲାଗିବ କର…..

ସୁଷମା ଝିଅର ହାତ ଦୁଇଟିକୁ ମୁଠାଇ ଧରିଲେ । ଶାନ୍ତିରେ ନିଶ୍ୱାସ ନେଇ ଭାବୁଥିଲେ ସେ ଅନାବଶ୍ୟକ ନୁହନ୍ତି । ଏବେ ମଧ୍ୟ ତାଙ୍କର ଗୁରୁତ୍ୱ ଅଛି । ଏ ଦୁନିଆରେ କେହି ଜଣେ ବୁଝେ ତାଙ୍କୁ ।

ଲୋକପ୍ରିୟ ଲେଖା

To Top