ଗଳ୍ପ

ଗୋଟିଏ ବାପର ହୃଦୟ

Dr Sharat Chandra Parida's odia story Gotie Baapara Hrudaya

ଶାଗଖିଆକୁ ପେଜଖିଆ ସହି ନ ପାରିବା କଥାଟା ବାବୁ ସବୁଯୁଗରେ ଅଛି । ଆମର ଫର୍ଚ୍ଚା ଚଳଣି ଦେଖି ଗାଁର କିଛି ଲୋକ ସହି ପାରିଲେ ନାଇଁ ।

ଗୋଟିଏ ବାପର ହୃଦୟ

ସେଦିନ ବାମନ ମଉସା ଭାରି ମନରେ କହି ଉଠିଲେ, ପୁଅ ଗୁରିଆଟା ଯାଇ କାହିଁ କୋଉ ସ୍ୱର୍ଗ ପୁରରେ ରହିଲାଣି, ହେଲେ ତା’ ପ୍ରତି ହୋଇଥିବା ଅନ୍ୟାୟକୁ ମୁଁ ଆଦୌ ସହିପାରୁ ନାଇଁ । ସେ ପୁଲିସର ମାଡ଼ ମନେ ପଡ଼ିଲେ ମୋର ରକ୍ତ ଗରମ ହୋଇଯାଏ । ଏକଥା ଶୁଣି ମୁଁ ଚମକି ପଡ଼ିଲି । ବାମନ ମଉସା ତ ଭାରି ସାଦାସିଧା ଲୋକ । ଛନ୍ଦକପଟ ଠାରୁ ବହୁତ ଦୂରରେ । ଯେତେ ଯାହା ହେଲେ ବି ସତ୍ୟ ସପକ୍ଷରେ ସବୁବେଳେ ଯୁକ୍ତି । ତାଙ୍କ ମନରେ ଏମିତି କ’ଣ କ୍ଷୋଭ ରହି ଯାଇଚି ଯେ ସେ କଥା ମନେ ପଡ଼ିଲେ ସେ ରକ୍ତଚାଉଳ ଚୋବାଉଚନ୍ତି ।

ତୁ ଯାହା ଭାବେ ପଛେ ମଧୁ ଏ ପୁଲିସ୍ଗୁଡ଼ାକ ଅସଲ ଚୋର । ମଉସା କହି ଚାଲିଲେ । ମଉସାଙ୍କ ବୟସ ନବେ ଧରିଲାଣି । ଗାଁରେ ଜନ୍ମ । ପାଠ ଖାଲି ପ୍ରାଥମିକ ଶ୍ରେଣୀରେ ସୀମିତ । ଚାଷବାସ କରି ଜୀବନ ବିତାଇଛନ୍ତି । ପାଠ ନ ପଢ଼ିଲେ କ’ଣ ହେଲା ବିବେକ ବିଚାର ବୋଲି ମୂଲ୍ୟବାନ୍ ଜିନିଷ ତାଙ୍କ ପାଖରେ ସବୁବେଳେ ଥାଏ । ସେଦିନ ମୁଁ ଜଗନ୍ନାଥ ମନ୍ଦିର ବୁଲି ଯାଇଥିଲି । ହଠାତ୍ ଦେଖିଲି । ଜଣେ ବୃଦ୍ଧ ହାଟ ହୁଡ଼ିଲା ପରି ଏପଟ ସେପଟ ଚାହୁଁଛନ୍ତି, କିନ୍ତୁ ନିଜ ପାଇଁ କେଉଁ ବାଟ ତାହା ନିର୍ଣ୍ଣୟ କରିପାରୁ ନାହାଁନ୍ତି । ଏହି ସମୟରେ ମୁଁ ତାଙ୍କୁ ପଚାରି ଦେଲି- “ମଉସା କୁଆଡ଼େ ଯିବେ କି ?” ପଚାରି ବୁଝିଲି ସେ ମୋର ଜଣେ ବନ୍ଧୁଙ୍କର ବାପା । ପୁଅ ପାଖକୁ ବୁଲି ଆସିଛନ୍ତି । ତାଙ୍କ ପୁଅ ପରିଚୟ ପାଇ ମୋର ପିତୃତୁଲ୍ୟ ଭାବେ ସମ୍ମାନ ଜଣାଇଲି । ନେଇ ଘରେ ଛାଡ଼ି ଦେଇ ଆସିଲି । ତା’ପରେ ମଝିରେ ମଝିରେ ଭେଟ ହେଲେ ସୁଖଦୁଃଖ ହୁଅନ୍ତି । ବୟୋବୃଦ୍ଧ ଲୋକମାନଙ୍କଠାରୁ ଅନେକ କଥା ଶିଖିବାକୁ ମିଳେ । ତାଙ୍କ କଥାଗୁଡ଼ାକ ଭାରି ଦାମୀ । ସେମାନଙ୍କ ଜୀବନ ଜୀଇଁବା ଭିତରେ ଅନେକ କଷାକଟୁ ମିଠା ଅନୁଭୂତି ଭରି ରହିଛ । ଉତ୍ତର ପୀଢ଼ି ପାଇଁ ସେଗୁଡ଼ିକ ବତିଘର ପରି କାମ କରେ । ଖାଲି ଅବଜ୍ଞାତ ଅବହେଳାର ବନ୍ଧକୁ ଡେଇଁ ସେଇ ଆଲୋକକୁ ଦେଖିପାରିଲେ ହେଲା ।

ବାମନ ମଉସା ଅତି ମେଳାପୀ ବ୍ୟକ୍ତି । ମଣିଷ ରଙ୍କୁଣା । ସେ ଚାହାଁନ୍ତି ତାଙ୍କ ପାଖରେ କେହି ଜଣେ ବସୁ ତାଙ୍କ କଥା ମନ ଦେଇ ଶୁଣୁ । ସେଦିନ ମୋତେ ପାର୍କରେ ଦେଖି ପାଖକୁ ଡାକିଲେ । ତାଙ୍କର ଜୀବନର ଅନୁଭୂତି ପୁଟୁଳି ଖୋଲିବା ଆରମ୍ଭ କରିଦେଲେ । କ’ଣ କହିବି ବାବୁ, ମୁଁ ଜଣେ ବହୁ କୁଟୁମ୍ୱୀ ଲୋକ । ପୁଅ ଝିଅ ମିଶି ସାତୋଟି । ଆମେ ଦୁହେଁ । ଏମିତି ନଜଣ ସଦସ୍ୟ ମୋ ପରିବାରରେ । ଜମି ବୋଲି ମାଣେ । କେବେ ଧୋଇଗଲାଣି ତ କେବେ ମରୁଡ଼ି ହେଲାଣି । ଘର ଛୁଆଁଣି କରବି ବି ବର୍ଷେ ବର୍ଷେ ସମ୍ଭବ ହୁଏ ନାଇଁ । ଖାଲି ଯେଉଁଠି ପାଳ ଖାଇ ଯାଇଥାଏ, ସେଠାରେ ଛଣ କେତେ ବିଡ଼ା ଖୁଞ୍ଚା ମାରି ଦେଇ ଗୋଟାଏ ବର୍ଷକୁ ଟାଣି ଆଉ ଗୋଟିଏ ବର୍ଷ କରି ଦେଉ । ଅଭାବ କେବେ ପାଖ ଛାଡ଼େ ନାଇଁ । ୟା’ ମୁଚୁଳା ତା’ ମୁଣ୍ଡତଳେ ଦେଇ ଯତର କତର ଦିନଗୁଡ଼ିକ ପାରି ହୋଇ ଚାଲିଥାଉ ଢେଉ କାଟି ଡଙ୍ଗା ଆଗକୁ ଗଲାପରି । ଝିଅ ଦୁଇଟି ସେତେ ପାଠୋଇ ନୁହଁନ୍ତି । ଅଳ୍ପ କିଛି ଜମି ବିକି ବଡ଼ ଝିଅକୁ ବାହା ଦେଲି । ସେ ସେତେ ଭଲରେ ନଥିଲେ ବି ସେତେ ମନ୍ଦରେ ନାଇଁ । ଇସ୍କୁଲରେ ପିଲାମାନଙ୍କର ଦରମା ଦେବାକୁ ମଧ୍ୟ ପାଖରେ ଟଙ୍କା ନଥାଏ । କଂସାଥାଳି ନେଇ ପର ଘରେ ବନ୍ଧା ପକାଇବାକୁ ପଡ଼େ ।

ପୁଅମାନେ ମନ ଦେଇ ପାଠ ପଢୁଥାନ୍ତି । ମୋ ଅବସ୍ଥା ଅଙ୍ଗେ ନିଭଉ ଥାନ୍ତି । ସବୁବେଳେ ନିଜ ବୋଝ ନିଜେ ଉଠାଇବା ପାଇଁ ଚେଷ୍ଟାରେ ଲାଗିଥାନ୍ତି । କେଉଁଠି ଟିଉସନ କରି କେଉଁଠି କେଉଁ ସଂସ୍ଥାକୁ ଆର୍ଥିକ ସାହାଯ୍ୟ ପାଇଁ ଆବେଦନ କରି ନିଜର ଖର୍ଚ୍ଚ ଭରଣା କରୁଥାନ୍ତି । ମୋତେ ଜୋର୍ କରି ମାଗନ୍ତି ନାଇଁ, ମୋ ପାଖରେ ସୁବିଧା ହେଲେ ବେଳ ଅବେଳ ଦେଖି କିଛି ଦିଏ । ହଉ ପଛେ ସମୁଦ୍ରକୁ ଶଙ୍ଖେ ତଥାପି ଭାଗବତ ଗୋସାଇଁଙ୍କ ଶୁଭ ଦୃଷ୍ଟିରେ ବଡ଼ ପୁଅ ରବି, ତମ ସାଙ୍ଗ, ବିଶ୍ୱବିଦ୍ୟାଳୟରେ ପ୍ରଥମ ହୋଇ ପାଶ୍ ହେଲା । ସେ ମଧ୍ୟ ସରକାରୀ ବୃତ୍ତି ପାଉଥିଲା । ବଡ଼ ମଝିଆ ଓ ସାନଟା ମଧ୍ୟ ବଡ଼ ଦେଖା ଦେଖି ଘର ପାଖ କଲେଜରୁ ବି.ଏ. ପାଶ୍ କରିଗଲେ । ତମେ ତ ଜାଣ ରବି ଏହି କମ୍ପାନୀରେ ଅଫିସର ଚାକିରିଟି କରିଚି । ବଡ଼ ମଝିଆ ପୁଅ ଓ ବୋହୂ ସରକାରୀ ଚାକିରୀ କରିଛନ୍ତି । ସାନଟି ମଧ୍ୟ ଏବେ କୂଳରେ ଲାଗିବା ଲାଗିବା ହେଉଚି । ପିଲାମାନେ ଚାକିରୀ ବାକିରୀ କଲା ପରେ ସାନ ଝିଅଟିକୁ ମଧ୍ୟ ବିଭା ଦେଲି ।

ପିଲାମାନେ ଦି’ପଇସା ରୋଜଗାର କରି ମୋ ପାଖକୁ ପଠାନ୍ତି । ମୁଁ ତ ପିଲାବେଳୁ ପଇସାପତ୍ର କାରବାର କରେ ନାଇଁ । ପିଲାମାନଙ୍କର ମା’ ତମ ମାଉସୀ ସବୁ ବୁଝାବୁଝି କରେ । କିଏ କେତେ ଦେଲା କିଏ କେତେ ନେଲା, କେଉଁଠି କେଉଁ ଖର୍ଚ୍ଚ ହେବ ଏ ସବୁ ଅଟକଳ ସେ କରେ । ମୋତେ ଖାଲି ସୂଚନା ଦିଅନ୍ତି । ପିଲାଙ୍କ ପଇସା ଏକାଠି କରି ଘର ଛଅ ବଖରା କଲି । ଯେଉଁଠି ଦିନେ ଛଣ ପଣେ ମିଳୁ ନ ଥିଲା ଘର ଛୁଆଁଣି କରିବା ପାଇଁ ସେଠି ଠାକୁରଙ୍କ ଦୟାରୁ କୋଠା ଘରଟି ଛିଡ଼ା ହେଲା । ଆମର ଚଳଣି ମଧ୍ୟ ବଦଳିଲା । ଗୋଟିଏ ନଳ କୂଅ ବସିଲା । ଗାଧୁଆ ଘର ପାଇଖାନା ଘର ଗୋଟିକ ପରେ ଗୋଟିଏ ସବୁ ତିଆରି ହେଲା । ବିଜୁଳିବତି ଜଳିଲା । ଶୋଇବା ଘରେ ପଙ୍ଖା ଘୂରିଲା । ବାବୁ, ପାଠପଢ଼ାର ଏମିତି କରାମତି ଅଛି ବୋଲି ମୁଁ ଆଦୌ ବିଶ୍ୱାସ କରୁ ନଥିଲି । ମୁଁ ନିଜ ଆଖିରେ ଏସବୁ ଦେଖି ବହୁତ ଖୁସି । ମୁଁ ନିଜେ କେବେ ଭାବି ନଥିଲି ମୋ ପିଲାମାନେ ପାଠ ପଢ଼ି ମଣିଷ ହେବେ କି ଆମ ଦୟନୀୟ ଅବସ୍ଥା ଦିନେ ବଦଳିଯିବ । ଜମି ମଧ୍ୟ କିଛି କିଣିଲି । ଆଗ ପରି ମୋତେ ଆଉ ପର ଜମି ଭାଗ ବଘରା କରିବାକୁ ପଡ଼ିଲା ନାଇଁ କିମ୍ୱା ଆଉ ଶଗଡ଼ ଗାଡ଼ି ଚଳାଇବାକୁ ପଡ଼ିଲା ନାଇଁ । ତିନି ତିନୋଟି ମଟର ସାଇକେଲ ମୋ ଦୁଆରେ ଛିଡ଼ା ହେଲା । ହେଲେ ସାନ ମଝିଆ ଗୁରିଆର ପାଠ ଘରେ ଶୂନ । କଷ୍ଟେମଷ୍ଟେ ଦଶମ ଯାକେ ଗଲା । କିନ୍ତୁ ମାଟ୍ରିକ୍ ପାଶ୍ କରିପାରିଲା ନାଇଁ । ପାଠ କଥା କହିଲେ ବାଁ କାଲିଆ ମାରେ । ବରଂ ଲୁଚିଛପି ବିଲବାଡ଼ିକୁ ପଳାଇ ଯାଏ । ସେଠାରେ କାମ କରିବାକୁ ଭଲ ପାଏ । ବଡ଼ ଭାଇ ଦୁହେଁ ସାନ ଭାଇର ମାନସିକତା ଦେଖି ଚିନ୍ତାରେ ପଡ଼ିଗଲେ । ପାଠ ନପଢ଼ି ଆଉ କ’ଣ କରିବ । ଅଶିକ୍ଷିତ ହୋଇ ରହିଲେ ଭବିଷ୍ୟତ ଅନ୍ଧକାର । ହଉ, ପାଠ ନ ପଢ଼ିଲେ ନାଇଁ ଆଇ.ଟି.ଆଇ. କରୁ । ରବି କଟକରୁ ଆଇ.ଟି.ଆଇ. ସ୍କୁଲ୍‌ରୁ ଫର୍ମ ଆଣି ପକାଇଲା । ନାମ ଦେଖାଇବା ପାଇଁ ଡାକରା ଆସିଲା । ମୁଁ କିନ୍ତୁ ଅଡ଼ି ବସିଲି, ତମେମାନେ ସମସ୍ତେ ପାଠ ପଢ଼ି ବାହାରକୁ ଚାଲିଗଲେ ମୋ ପାଖରେ କିଏ ରହିବ ? ମୋତେ ଚାଷବାସରେ ସାହାଯ୍ୟ କରିବ କିଏ ? ଭଲମନ୍ଦରେ ଆମ କଥା ବୁଝିବ କିଏ ? ନାଇଁ ସେ କଟକ ନ ଯାଉ । ଆଇ.ଟି.ଆଇ. ପାଠ ନ ପଢୁ । ମୋ ମନା ଶୁଣି, ପୁଅମାନଙ୍କ ମନ ଭାଙ୍ଗିଗଲା । ଆମ କର୍ତ୍ତବ୍ୟ ଆମେ କଲୁ । ତା’ ଭାଗ୍ୟରେ ଯାହା ଥିବ ତାହା ଘଟିବ । ଶେଷରେ ଗୁରିଆ ମୋ ପାଖରେ ରହିଲା । ଚାଷବାସରେ ସାହାଯ୍ୟ କଲା ।

ଶାଗଖିଆକୁ ପେଜଖିଆ ସହି ନ ପାରିବା କଥାଟା ବାବୁ ସବୁଯୁଗରେ ଅଛି । ଆମର ଫର୍ଚ୍ଚା ଚଳଣି ଦେଖି ଗାଁର କିଛି ଲୋକ ସହି ପାରିଲେ ନାଇଁ । କଥାରେ କହନ୍ତିନି, ତୋର ଦେଖି ମୋର ଡେଇଁଲା ଡାହାଣ ଆଖି । ଭାଇ ଭଗାରି । ଗାଁରେ କେଉଁଠି ଅଘଟଣ ଘଟିଲେ, ଚୋରି ହେଲେ ଗୁରିଆକୁ ସନ୍ଦେହ ଚକ୍ଷୁରେ ଦେଖିବାକୁ ଲାଗନ୍ତି । ମୋର ଭାୟାର କେତେଜଣ ମଧ୍ୟ ଗାଁ ଲୋକଙ୍କ ସହିତ ମିଶି ତିଳକୁ ତାଳ କରନ୍ତି । ହଁ, ଗୁରିଆ ଏଠାକୁ ରାତିରେ ଆସିଥିଲା, ହଁ କାଲି ରାତିରେ ଅମୁକ ସାଙ୍ଗରେ ବୁଲୁଥିଲା ଏମିତି କେତେ ମନ ଗଢ଼ା କଥା କହି ନିଆଁରେ ଘିଅ ଢାଳନ୍ତି । ପ୍ରତି ଗାଁରେ ଜଣେ ଅଧେ ଶକୁନି ଥାନ୍ତି । ମହାଭାରତ ଯୁଦ୍ଧ ନ ଆରମ୍ଭିଲେ ତାଙ୍କୁ ରାତିରେ ନିଦ ହୁଏ ନାଇଁ । ଈର୍ଷା ପରାୟଣ ହୋଇ ଥାନାକୁ ଯାନ୍ତି । ମିଛସତ ଯୋଡ଼ି ଥାନାରେ ଏତଲା ଦିଅନ୍ତି । ଗାଁର କିଛି ଅସହଣିକ ଲୋକ ଥାନା ବାବୁଙ୍କ ପାଖକୁ ଯାଇ ଏଣୁତେଣୁ କରି ଗପନ୍ତି, ଦେଖନ୍ତୁ ସାର୍, ବାମନ ସ୍ୱାଇଁ ଆଉ ମଣିଷ ମାନୁନି । ୟା’ବ କାଲି ସକାଳେ ହାଣ୍ଡି ମାଙ୍କଡ଼ଚୁତି ମାରୁଥିଲା, ଆଜି ତା’ ଟାଣପଣ ଦେଖନ୍ତୁ । ଶେଷରେ ଭାଇଙ୍କର ଚାକିରୀ ପଇସା ନିଅଣ୍ଟ ହେଲା ଯେ ଘରେ ଥିବା ପୁଅଟା ଇସ୍କୁଲ ତିଆରି ପାଇଁ ଆସି ଥିବା କାଠଗୁଡ଼ାକ ଚୋରି କରି ରାତାରାତି କୁଆଡ଼େ ଚାଲାଣ କରି ଦେଲା । ଯେତେ ପଚାରିଲେ ଫାଙ୍କୁଚି । ବୁଢ଼ାଟା ଦୋ’ ଅକ୍ଷରରେ ଆମକୁ ଶୋଧୁଛି । ଆମ ପାଖରେ ଓକିଲାତି କରୁଛି । ଥାନାବାବୁ ତ ପଇସାର ପ୍ୟାରା । ବୁଢ଼ା ପୁଅମାନେ ଚାକିରି ବାକିରି କରୁଛନ୍ତି ଶୁଣି ତା’ ପାଟିରୁ ଖାଲି ଲାଳ ଗଡ଼ିଲା । ମୋରି ଗାଁ ଲୋକେ ମୋତେ ଯେମିତି ଜୁଇ ଗାତକୁ ପେଲି ଦେଲେ । ତେଣେ ଥାନାରେ ଏତଲା ଦେଇ ଏଣେ ଗାଁରେ ଢୋଲି ପିଟିଲେ । ଗୁରିଆ ଇସ୍କୁଲ୍ ଘରୁ କାଠ ଚୋରି କରିଚି ।

ଆମେ ଦିନେ ବାପ ପୁଅ ବିଲରେ ଧାନ ବୁଣାବୁଣିରେ ବ୍ୟସ୍ତ ଥାଉ । ଗୋଟାଏ କୁକୁଡ଼ା ଚୂଳିଆ ଜମାଦାର ଆସି ଆମ ଘରେ ପହଞ୍ଚି ଗଲା । ଗାଁକୁ ପୁଲିସ୍ ଆସିଛି ବୋଲି ଟୋକାଭେଣ୍ଡିଆ ଡରିମରି ଛାନିଆ । କିନ୍ତୁ ଥାନାକୁ ଯାଇ ଏତଲା ଦେଇଥିବା କୁତୁରୁପିଆ ଯାକ ମନେ ମନେ ଖାଲି କୁତୁ କୁତୁ ହେଉଥାନ୍ତି । ଏତେ ସମୟ ପରେ ମଧୁ ପାଟି ଖୋଲିଲେ । ଆଚ୍ଛା ମଉସା, ତମକୁ ଡର ଲାଗୁ ନଥାଏ । ଡର କ’ଣ ମ ବାବୁ ? ମୁଁ ସିନା କୋଉ ଇସ୍କୁଲ କଲେଜ ମାଟି ମାଡ଼ି ନାଇଁ, ମୋତେ କଥାରେ ପାରିବା କଷ୍ଟ । ମୁଁ ନବାବ ପୁଅକୁ ଜବାବ ଦେବା ଲୋକ । ଘରୁ ମୋ ପାଖକୁ ଖବର ଗଲା । ଜମାଦାର ବାବୁ ଡାକୁଛନ୍ତି । ତୁରନ୍ତ ଘରକୁ ଆସ । ଆଉ ଅଳ୍ପ ଚାଷ ବାକି ଥାଏ । ସଙ୍ଗେ ସଙ୍ଗେ ଘରକୁ ଆସିଲି । ଜମାଦାର ବାବୁ କହିଲେ- “ବଡ଼ ବାବୁ ଡକାଇଛନ୍ତି । ମୋ ସାଙ୍ଗରେ ଗୁରିଆକୁ ପଠାଅ ।” ମୁଁ ରୋକଠୋକ୍ କହିଲି- “ବର୍ତ୍ତମାନ ଗୁରିଆ ବିଲରେ କାମ କରୁଚି । ଆଜି ଯାଇ ହେବ ନାଇଁ । ବଡ଼ବାବୁଙ୍କୁ କହି ଦେବ ଗୁରିଆ କାଲି ଯାଇ ପହଞ୍ଚିବ ।” ଲୋକେ ଭାବିଥିଲେ ଜମାଦାର ବାବୁ ଗୁରିଆକୁ ଗାଁ ଲୋକଙ୍କ ସାମ୍ନାରେ ବାନ୍ଧି ନେଇଯିବ । ମୋ କଥାର ହାବେଳି ଦେଖି ସେ ଅଧିକ କିଛି ନ କହି ନିଜ ବାଟରେ ନିଜେ ପଳାଇଗଲା ।

ତା’ପରଦିନ ଖରାବେଳ ସୁଦ୍ଧା କାମ ସାରି ବାପ ପୁଅ ଯାଇ ବଡ଼ ବାବୁଙ୍କ ପାଖରେ ପହଞ୍ଚିଗଲୁ । ବଡ଼ବାବୁ ସେତେବେଳକୁ ରାଗରେ ପାଚି ଗଲେଣି । ଗାଁର କୁତୁରିପିଆ ଯାକ ଯାଇ ନୁଙ୍ଗୁ ନୁଙ୍ଗୁ ହେଉଥାନ୍ତି । ବଡ଼ ବାବୁଙ୍କୁ ଟିଆଇ କାନେ କାନେ କହୁଥାନ୍ତି- ଦେଖନ୍ତୁ ସାର୍, ବାପପୁଅଙ୍କ ବହପକୁ ଦେଖନ୍ତୁ । ଆପଣ କାଲି ଆସିବାକୁ କହିଲେ । ଗତ କାଲି ଆସିଲା ନାଇଁ । ଆଜି ଆସି ଦିନ ତିନିଟା ବାଜିଲାଣି । ହଲି ହଲି ଏବେ ନାଟ ସାହେବ ପରି ଆସୁଛନ୍ତି । ଏ ଦି’ଟାକୁ ଏମିତି ପାନେ ଦିଅନ୍ତୁ ଯେ ଆଉ ଦିନେ ହେଲେ ଆପଣଙ୍କ କଥାକୁ ବେଖାତିର କରିବାକୁ ସାହସ କରିବେ ନାଇଁ । ଏମାନେ ତ ଆଗରୁ ବଡ଼ ବାବୁଙ୍କ ପକେଟ ଗରମ କରି ଦେଇଛନ୍ତି । ସେ ତାଙ୍କ କଥା ନ ଶୁଣି ଆଉ କାହା କଥା ଶୁଣନ୍ତା । ଆମ ଲୋକେ କହନ୍ତିନି, ଯେବେ ପୁରି ଥାଇ ଡୋଲି ମଧୁର ବଚନ ବୋଲି । ବଡ଼ ବାବୁ ତାଙ୍କୁ କଅଁଳ କଥା କହି ଆମ ଉପରକୁ ବାଘ ପରି ଚମକି ପଡ଼ିଲା । ସତେ କି ଜୀଅନ୍ତା ଖାଇ ଯିବ ଆମକୁ । ଆମକୁ ପୁଲିସିଆ ଧମକାଣ ଦେଇ ଧଣ୍ଡଷଣ୍ଡ ଶୋଧିବାକୁ ଲାଗିଲା । ମୁଁ ନିଉନ ହୋଇ କହିଲି- ବାବୁ ଆମକୁ କ’ଣ ପଚାରିବା କଥା ଅଛି ଯଦି ପଚାରନ୍ତୁ, ଏମିତି ଅକଥା କାହିଁକି କହୁଚନ୍ତି । ସେ ଭାବିଲା ମୋ ପୁଅ ଚୋରି କରିଛି କାଠ । ତେଣୁ ପ୍ରକୃତ ଚୋର କିଏ ତାକୁ ନ ଧରି ଗୁରିଆକୁ କୋବୋଲେଇଲା । ରୁଲ ବାଡ଼ିରେ ଦୁଇ ପାହାର ଦେବାକୁ ଉଁଚେଇଲା । ମୁଁ କହିଲି ଖବରଦାର ବାବୁ, ଆପଣ ଯିଏ ଦେଷୀ ତାକୁ ଦଣ୍ଡ ଦିଅନ୍ତୁ । ବିନା ଦୋଷରେ ମୋ ପୁଅକୁ ମାରନ୍ତୁ ନାଇଁ । ଆମେ ବାପ ପୁଅ ଦୁଇ । ସେମାନେ ଗାଁ ବାଲା ମିଶି ଦଶ । ମୋ ପୁଅ ପାଇଁ ମୁଁ ଏକା ଓକିଲାତି କଲା ବେଳକୁ ସେମାନେ ବଡ଼ ବାବୁ ପାଖରେ ଦଶ ଜଣ ଦଶ ପଦ କରି ଫେରାଦ ହେଉଥାନ୍ତି । ଗାଁ ଲୋକେ ଅସଲ ଚୋର କିଏ ଜାଣନ୍ତି । ତାଙ୍କରି ଭିତରୁ ହିଁ ଚୋର ଥାନ୍ତି । ଏ କଥା ଆମେ ଜାଣିଲେ ମଧ୍ୟ କାଉ ଖାଏ ପଣସ ବଗ ମୁଣ୍ଡରେ ଅଠା ବୋଳିବାକୁ ସେମାନେ ଲାଗି ପଡ଼ିଥାନ୍ତି । ମୋ ପରିବାର ଉପରେ ଅକଶ ସାଧିବା ସେମାନଙ୍କର ମତଲବ ।

– ତାପରେ –

ଲୋକପ୍ରିୟ ଲେଖା

To Top