ଗଳ୍ପ

ଗୋଟିଏ କେଶଗୁଚ୍ଛ

Ritika Pattanaik's Odia Story GOTIE KESHAGUCHHA

ତା’ର ନରମ, ହାଲକା, ସ୍ପର୍ଶରେ ମୁଁ ଶିହରିତ ହେଲି । ହୃଦୟରେ ଘୃଣା, ଅଭିଲାଷାର ଭାବ ଜାଗ୍ରତ ହୋଇ ମୋ ହୃଦୟରେ କମ୍ପନ ସୃଷ୍ଟି ହେଲା ।

ଗୋଟିଏ କେଶଗୁଚ୍ଛ

ମୂଳ ରଚନା – ଗୟ ଡ଼ି ମୋପାସାଁ
(ପ୍ରସିଦ୍ଧ ଫରାସୀ ଲେଖକ ଗୟ ଡ଼ି ମୋପାସାଁ ( ଅଗଷ୍ଟ ୫,୧୮୫୦-ଜୁଲାଇ ୬,୧୮୯୩ ) ଆଧୁନିକ କ୍ଷୁଦ୍ର ଗଳ୍ପର ଅନ୍ୟତମ ଜନକ ଭାବେ ପରିଗଣିତ । “ଏ ଟ୍ରେସ୍ ଅଫ ହେୟାର” ତାଙ୍କ ରଚିତ ଏକ କ୍ଷୁଦ୍ର ଗଳ୍ପ)

ଚୂର୍ଣ୍ଣ ଧଉଳା ଛୋଟ କୋଠରୀଟିଏ; କାନ୍ଥ ସାଧା ଓ ସାଜସଜ୍ଜା ରହିତ । ଅତ୍ୟୁଚ୍ଚରେ ଥିବା ଏକ ସରୁ ରେଲିଂଯୁକ୍ତ ଝରକାଟି କେବଳ ଏହି ରହସ୍ୟମୟ ବିଷର୍ଣ୍ଣ, ଅନ୍ଧାରୁଆ କୋଠରୀଟିକୁ ଯାହା ଆଲୋକିତ କରୁଥଲା । ବେତ ଚୌକିରେ ବସିଥିବା ଏକ ଅନ୍ତବାସୀ ଆମ ଆଡ଼କୁ ଚାହିଁଲା; ଏକ ସ୍ଥିର, ରିକ୍ତ ଓ ଉଦାସୀ ଚାହାଣୀ । ଏହି ବ୍ୟକ୍ତି ଜଣକ ଅତ୍ୟନ୍ତ କ୍ଷୀଣକାୟ ଏବଂ ଗାଲ କୋରଡ଼ାଗତ । ଅନୁମାନ କରାଯାଇପାରେ ଯେ ତାଙ୍କ ମସ୍ତକର ପ୍ରାୟ କେଶଗୁଡ଼ିକ ଏହି ଅଳ୍ପ କିଛି ଦିନ ହେବ ବୋଧେ ଧିରେ ଧିରେ ପାଚି ଆସୁଛି । ପିନ୍ଧିଥିବା ପୋଷାକ ବି ତାଙ୍କର ସେହି ଅସ୍ଥିକଙ୍କାଳସାର ହାତ, ଗୋଡ଼, ଛାତି ଓ ଖାଲି ପେଟ ପାଇଁ ବହୁତ ବଡ଼ ଲାଗୁଥିଲା । ମଣିଷଟିର ସଚେତନ ମନର ଅବସ୍ଥା ସତେ ଯେମିତି ନଷ୍ଟ ହୋଇଯାଇଛି, ନିଜର କୌଣସି ଉଦ୍ଭଟ ଭାବନା ଦ୍ୱାରା ବଶୀଭୂତ ହୋଇ । ଠିକ୍ ଯେମିତି ଏକ କୀଟ ଫଳକୁ ଖାଇଯାଏ । ସେହି ଅଦୃଶ୍ୟ, ଅବାସ୍ତବ, ଅତିଭୌତିକ ଖିଆଲ ତା ଦେହର ସମସ୍ତ ରକ୍ତକୁ ଯେମିତି ଶୋଷିନେଉଥିଲା ଓ କ୍ଷୀଣ ଶରୀରଟି ଆହୁରି କ୍ଷୀଣତର ହୋଇ ମୃତ୍ୟୁର ନିକଟତର ହେଉଥିଲା ।

କେତେ ରହସ୍ୟମୟ ଏହି ଲୋକଟି, ଯେ କେବଳ ଏକ ଅଦ୍ଭୁତ ଭାବନା ଦ୍ୱାରା କବଳିତ ହୋଇ ମୃତ୍ୟୁ ଆଡକୁ ଟାଣି ହୋଇ ଯାଉଛି । ଏହି ପାଗଳ ଲୋକଟି ମନରେ ଦୁଃଖ, ଦୟା ଓ ଭୟ ଜାତ କରେ । କ’ଣ ସେ ସବୁ ଭୟଙ୍କର ବିଚିତ୍ର ବିଚାର ଯାହାର ଫଳ ସ୍ୱରୂପ ପ୍ରତି କ୍ଷଣରେ ଭୃକୁଞ୍ଜନ କପାଳର ରେଖା ସବୁକୁ ଆହୁରି ସ୍ପଷ୍ଠ ଓ ଗଭୀର କରି ତୋଳୁଛି?

“ଏମିତି ଗୋଟିଏ ବିଚିତ୍ର କେସ୍ ମୁଁ ଜୀବନରେ କେବେ ଦେଖିନାହିଁ”, ଡାକ୍ତର ମତେ କହିଲେ,

“ସେ ପ୍ରାୟ ଭୟାବହ, ବିଚିତ୍ର ପାଗଳାମୀର ଶିକାର ହୁଏ । ହିତାହିତ ଜ୍ଞାନ ଭୁଲି ସେ ଏଭଳି ଶବ୍ଦସବୁ ବ୍ୟବହାର କରେ ଯାହା ତାହାର କାମାସକ୍ତ ଅବସ୍ଥାକୁ ହିଁ ସୂଚାଏ । ସେ ମୃତ ମହିଳାମାନଙ୍କ ପ୍ରତି ଯୌନ ଆକର୍ଷଣ ରଖୁଥିବା ଏକ ପ୍ରକାରର ପାଗଳ । ସେ ଏକ ଡାଏରୀରେ ନିଜ ରୋଗର ସମସ୍ତ ଅନୁଭୂତି ପ୍ରାଞ୍ଜଳ ଭାବେ ବର୍ଣ୍ଣନା କରିଅଛି । ଏତେ ବାସ୍ତବ ଯେ, ତୁମେ ସବୁ ଅନୁଭବ କରିପାରବି । ତୁମେ ଯଦି ଚାହଁ ଏହାକୁ ପଢିପାର ।”

ମୁଁ ଡାକ୍ତରଙ୍କ ସଙ୍ଗେ ତାଙ୍କ ଅଫିସରେ ପହଞ୍ଚିବାରେ ସେ ମୋତେ ସେହି ପାଗଳ ବ୍ୟକ୍ତିଟିର ଡାଏରୀ ଦେଲେ । ସେଥିରେ ଥିବା ବର୍ଣ୍ଣନା ଏହି ଭଳି ଥିଲା ।

ମୁଁ ଜୀବନର ୩୨ ବର୍ଷ ପର୍ଯ୍ୟନ୍ତ ପ୍ରେମ କ’ଣ ଜାଣିନଥିଲି ତଥାପି ଏକ ଶାନ୍ତ ଓ ସୁଖଃଦ ଜୀବନ ଅତିବାହିତ କରୁଥିଲି । ଜୀବନ ଅତ୍ୟନ୍ତ ସହଜ, ସୁନ୍ଦର ଓ ସରଳ ଥିଲା । ମୁଁ ଧନାଢ୍ୟ ଥିବା ହେତୁ, ସବୁ କିଛି ହାସଲ କରିବାର କ୍ଷମତା ଥିଲା ଓ ମୋ ପହଞ୍ଚରେ ଥିଲା । ତେଣୁ ଜୀବନରେ କୌଣସି ବସ୍ତୁ ପ୍ରତି ମୋର ବିଶେଷ ଆଗ୍ରହ ନଥିଲା । ଜିଇଁବାକୁ ବହୁତ ଭଲ ଲାଗୁଥିଲା । ପ୍ରତିଦିନ ସକାଳେ ମୁଁ ପ୍ରସନ୍ନ ଚିତ୍ତରେ ଶଯ୍ୟା ତ୍ୟାଗ କରୁଥିଲି ଆଉ ସାରା ଦିନ ମୋ ଆଗ୍ରହ ଥିବା କର୍ମମାନ କରି ରାତିରେ ସନ୍ତୋଷ ଚିତ୍ତରେ ନିଦ୍ରା ଯାଉଥିଲି, ପୁଣି ଏକ ଆନନ୍ଦଦାୟୀ, ଆଗାମୀ ଦିନ ଓ ଚିନ୍ତାଶୂନ୍ୟ ଭବିଷ୍ୟ ଆଶାରେ ।

ଏମିତି ତ ମୁଁ ପ୍ରେମର ଖେଳରେ ଅନେକ ଥର ମାତିଛି । କିନ୍ତୁ ମୋ ହୃଦୟକୁ କେବେ ବି କୌଣସି ଆବେଗ ଛୁଇଁ ନାହିଁ କି ପ୍ରକୃତ ପ୍ରେମର ଉତ୍ତେଜନାରେ ଥରି ଥରି କ୍ଷତାକ୍ତ ହୋଇନାହିଁ । ସେମିତି ରହିଲେ ଭଲ । ପ୍ରେମ କରିବା ଏକ ସୁନ୍ଦର ଅନୁଭୂତି କିନ୍ତୁ ଅତ୍ୟନ୍ତ ଭୟଙ୍କର । ଯେଉଁମାନେ ପ୍ରେମ କରିଛନ୍ତି କିମ୍ୱା ପ୍ରେମରେ ପଡ଼ିଛନ୍ତି, ନିଶ୍ଚୟ ଏକ ଅତ୍ୟନ୍ତ ସୁଖଃଦ ଅନୁଭୂତି ପ୍ରାପ୍ତ ହୋଇଛନ୍ତି । କିନ୍ତୁ ଏହା ନିଶ୍ଚୟ ମୁଁ ପାଇଥିବା ଆନନ୍ଦଠାରୁ କମ୍ କାହିଁକି ନା ମୁଁ ପ୍ରେମରେ ପଡ଼ିଲି ଏକ ଅସାଧାରଣ ଘଟଣାକ୍ରମରୁ ।

ମୋର ପୁରୁଣା ଆସବାବ୍ ପତ୍ର, ଜିନିଷ ଇତ୍ୟାଦି କିଣିବାର ସଉକ ଥିଲା ଓ ଏସବୁ କ୍ରୟ କରିବାର ସାମର୍ଥ୍ୟ ମଧ୍ୟ ଥିଲା । ତେଣୁ ମୁଁ ଅନେକ ସମୟରେ ଏସବୁ ଜିନିଷ କିଣିବାରେ ଆଗ୍ରହ ରଖୁଥିଲି । ମୁଁ ପ୍ରାୟତଃ ଏସବୁ ପୁରୁଣା ଦ୍ରବ୍ୟର ପୂର୍ବ ମାଲିକ/ମାଲିକାଣୀମାନଙ୍କ ବିଷୟରେ ଭାବିବାରେ ଲାଗୁଥିଲି । ମୁଁ କଳ୍ପନା କରୁଥିଲି, ସେଇ ଅଜଣା, ଅଚିହ୍ନା ହସ୍ତ ଯେ ଏ ଦ୍ରବ୍ୟ ଗୁଡ଼ିକ ଛୁଇଁଥିବେ, ଆଖି ଯୁଗଳ ଯେ ଏହା ଦେଖି, ପ୍ରଶଂସା କରିଥିବ ଓ ସେଇ ହୃଦୟ ଗୁଡ଼ିକ ଯାହା ଏଗୁଡ଼ିକୁ ମନ ଦେଇ ଭଲ ପାଇଥିବେ । ଆମେ ମଣିଷମାନଙ୍କର ଏକ ସ୍ୱଭାବ ଯେ ଆମେ ଜଡ଼ ଜିନିଷ ସବୁକୁ ବି ବହୁତ ଭଲ ପାଉ ।

ବିଗତ ଶତାବ୍ଦୀରେ ନିର୍ମିତ ପୁରାତନ ଏକ ଛୋଟିଆ ଘଣ୍ଟାକୁ ମୁଁ ଘଣ୍ଟା ଘଣ୍ଟା ଧରି ଦେଖୁଥିଲି । କେତେ ସୁନ୍ଦର ଏଇ ଏନାମେଲ୍ ଓ ସୁନାରେ ଛାଉଁଣୀ କରା ଘଣ୍ଟାଟି । ଏହାର କାରୁକାର୍ଯ୍ୟର ସୂକ୍ଷ୍ମତା, ସୁନ୍ଦରତାରେ ବିମୋହିତ କୌଣସି ମହିଳା ନିଶ୍ଚୟ ଏହାର କ୍ରେତା ହୋଇଥିବେ । ଗତ ଶତାବ୍ଦୀରୁ ଆଜି ପର୍ଯ୍ୟନ୍ତ ଏଇ ଘଣ୍ଟାଟି ସଠିକ୍ ସମୟ ଦର୍ଶାଉଛି । କିଏ ସେ ମହିଳା ଯେ ଏହାକୁ ପ୍ରଥମେ ତାଙ୍କର ବକ୍ଷରେ, ପୋଷାକର ଉଷ୍ମତା ଭିତରେ ଧାରଣ କରିଥିଲେ ଓ ଯାହାଙ୍କର ହୃଦୟର ସ୍ପନ୍ଦନର ଗତି ସହ ମେଳ ଖାଇ ଚାଲିଥିଲା ଘଣ୍ଟାଟିର ଟିକ୍ ଟିକ୍ ଶବ୍ଦ ? ସେ କେଉଁ ହାତ, ଯାହାର ନରମ, ଉଷ୍ମ ଆଙ୍ଗୁଳି ସବୁ ଘଣ୍ଟାଟିକୁ ଓଲଟାଇ ପୋଛି ଦେଇଥିବେ । ନିଜ ପ୍ରିୟତମର ଆସିବା ବାଟକୁ ଚାହିଁ, କେଉଁ ଆଖି ତାହାର ଅଳଙ୍କୃତ ଦେହର କଣ୍ଟା ଗୁଡ଼ିକୁ ଆଶାୟୀ ନୟନରେ ଦେଖି ଚାଲିଥିବ ।

ହାଏ ! ମୁଁ ସେଇ ରୁଚିବନ୍ତ ମହିଳାଙ୍କୁ ଜାଣିଥାନ୍ତି କି, ଯିଏ ଏପରି ସୁନ୍ଦର, ଦୁର୍ଲଭ ବସ୍ତୁର ଚୟନକାରୀ । କିନ୍ତୁ ସେ ଯେ ମୃତ । ବିଗତ ଦିନର ମୃତ ମହିଳାମାନଙ୍କ ପ୍ରତି ମୋ ମନରେ ଏକ ଅହେତୁକ ଆଗ୍ରହ, ଆବେଗ ଓ ପ୍ରେମ ସୃଷ୍ଟି ହେବାକୁ ଲାଗିଲା । ମୁଁ ପ୍ରାୟ ସେମାନଙ୍କୁ ଝୁରିବାକୁ ଲାଗିଲି । ପ୍ରେମ ବିହ୍ୱଳିତା ସେହି ମୃତାମାନଙ୍କ ଜୀବନ ଗାଥା ମୋ ମନକୁ ବିଷାଦଗ୍ରସ୍ତ କରିଦେଲା । ଓଃ ! ସେହି ସୁନ୍ଦରତା, ସେହି ସ୍ମିତ ହାସ୍ୟ, ସେହି ଯୁବାସୁଲଭ ଆଲିଙ୍ଗନ ଆଉ ସେହି ଆଶା, ଉନ୍ମାଦନା, କାହିଁକି ସେ ସବୁ ଚିରସ୍ଥାୟୀ ହେଲା ନାହିଁ ?

ସେହି ସୁନ୍ଦର, ଅସହାୟ ପ୍ରେମାସିକ୍ତ ନାରୀମାନଙ୍କ ବିଷୟରେ ଚିନ୍ତା କରି ମୁଁ ଅନେକ ରାତି ବହୁତ କାନ୍ଦିଛି । ସେହି ମୃତ ପ୍ରଣୟିନୀମାନେ ଯେଉଁମାନଙ୍କର ହସ୍ତ ଆଲିଙ୍ଗନ ମୁଦ୍ରାରେ ପ୍ରସାରିତ ଥିବ । ଚୁମ୍ବନ ଚିରସ୍ଥାୟୀ, ଓଠରୁ ଆଉ ଏକ ଓଠକୁ , ଶତବ୍ଦୀରୁ ଶତାବ୍ଦୀକୁ , ଯୁଗରୁ ଯୁଗକୁ ଏହା ସଂପ୍ରସାରିତ । ମଣିଷ ଏହା ଗ୍ରହଣ କରେ, ଦିଏ ଏବଂ ମରିଯାଏ । ଅତୀତ ମୋତେ ଆକର୍ଷିତ କରେ, ବର୍ତ୍ତମାନ ମୋତେ ଭୟଭୀତ କରେ, କାରଣ ଭବିଷ୍ୟତ ମାନେ ମୃତ୍ୟୁ । ଯାହା ସବୁ ଚାଲିଯାଇଛି ସେଥିପାଇଁ ମୁଁ ଦୁଃଖିତ । ଯେଉଁମାନେ କେବେ ବଞ୍ଚିଥିଲେ ସେମାନଙ୍କ ପାଇଁ ମୁଁ ବିଳାପ କରୁଛି । ମୁଁ ସମୟକୁ ଧରି ରଖିବାକୁ ଚାହେଁ କିନ୍ତୁ ସମୟ ଚାଲିଯାଉଛି ଏବଂ ପ୍ରତି ମୂହୁର୍ତ୍ତରେ ମୋଠାରୁ କିଛି ଛଡ଼ାଇ ନେଉଛି ଏବଂ ମୁଁ ଆଉ କେବେ ବଞ୍ଚିଲା ଭଳି ବଞ୍ଚିପାରିବିନି ।

ବିଦାୟ ହେ ବିଗତ ଦିନର ନାରୀମାନେ, ମୁଁ ତୁମମାନଙ୍କୁ ଭଲପାଏ!

କିନ୍ତୁ ମୁଁ କୌଣସି ସହାନୁଭୂତି ପାଇଲିନି । ଯାହାର ଅପେକ୍ଷାର ଥିଲି, ମୁଁ ଦିନେ ତାକୁ ଖୋଜି ପାଇଲି । ତା’ରି ପାଇଁ ମୁଁ ଅକଳନୀୟ ସୁଖ ପ୍ରାପ୍ତି ହେଲି ।

ଏକ ସୁନ୍ଦର ଖରାଟିଆ ସକାଳେ ମୁଁ ମନ ଖୁସୀରେ ଲକ୍ଷ୍ୟହୀନ ଭାବେ ପ୍ୟାରିସ୍‌ର ରାଜରାସ୍ତା ଉପରେ ଘୁରିବୁଲୁଥିଲି । ଯଦିଓ ମନରେ ଥିଲା ଉତ୍ସାହ ଓ ପାଦରେ କ୍ଷୀବ୍ରତା, ତଥାପି ଏକ ଅଳସୁଆର ଅନାଗ୍ରହ ଭାବ ନେଇ ମୁଁ ପ୍ରତି ଦୋକାନର ଝରକା ଦେଇ ଭିତରେ ଥିବା ଜିନିଷଗୁଡ଼ିକ ଦେଖି ଦେଖି ବାଟ ଚାଲୁଥିଲି । ହଠାତ୍ ପ୍ରାଚୀନ ସାମଗ୍ରୀର ବ୍ୟବସାୟରେ କରୁଥିବା ଏକ ଦୋକାନରେ ସତରଶହ ଖ୍ରୀଷ୍ଟାବ୍ଦର ଏକ ଇଟାଲିଆନ୍ ଫର୍ନିଚର ଦେଖିଲି । ବହୁତ ସୁନ୍ଦର, ବିରଳ ଜିନିଷଟିଏ ଥିଲା । ଏହା ଇଟାଲୀର ଭେନି୍ସ ସହରର କାରିଗର ଭିଟେଲିଙ୍କର ସୃଷ୍ଟି ଥିଲା । ଭିଟେଲି ତାଙ୍କ ସମୟର ପ୍ରସିଦ୍ଧ କାରିଗର ଥିଲେ ।

ମୁଁ ନିଜ ବାଟରେ ଚାଲିଲି ।

କିନ୍ତୁ ସେହି ସୁନ୍ଦର କାରୁକାର୍ଯ୍ୟ ଖଚିତ ଜିନିଷଟି ମୋ ମନକୁ ବାରମ୍ବାର ଆନ୍ଦୋଳିତ କଲା ଏବଂ ମୁଁ ବାଧ୍ୟ ହୋଇ ପଛକୁ ଫେରିଲି । ସେ ଦୋକାନ ପାଖେ ପହଞ୍ଚି ସେ ଜିନିଷଟି ଆଡ଼େ ଆଉ ଥରେ ନଜର ବୁଲେଇଲି । ମୋତେ ଲାଗିଲା ସେ ଜିନିଷ ମୋତେ ନିଜ ଆଡ଼କୁ ଆକର୍ଷିତ ତଥା ପ୍ରଲୋଭିତ କରୁଛି ।

ଏହି ପ୍ରଲୋଭନ କେତେ ଅଦ୍ୱିତୀୟ ସତେ ! ଏହାର ଅୟରାମ୍ଭ ଏକ ଚାହାଣୀରୁ, ଧିରେ ଧିରେ ଜଣେ ଏପରି ବଶୀଭୂତ ହୁଏ ଯେ ବାରମ୍ବାର ସେହି ବସ୍ତୁ ଆଡ଼କୁ ଚାହିଁବାକୁ ବାଧ୍ୟ ହୁଏ । ଜଣଙ୍କୁ ମୋହାଚ୍ଛନ୍ନ କରେ, ବ୍ୟସ୍ତ କରେ, ଠିକ୍ ଯେମିତି ଏକ ନାରୀର ସୁନ୍ଦର ମୁହଁ ନିଜ ଆଡ଼କୁ ଆକର୍ଷିତ କରେ । ତୁମକୁ ସେହି ଜିନିଷଟି ପୂରାପୂରି ବିମୋହିତ କରେ । ଏହି ଜଡ଼ ବସ୍ତୁର ଆକାର, ରଙ୍ଗ ଏବଂ ଆକୃତିର ମାୟା ତୁମକୁ ସଂପୂର୍ଣ୍ଣ ଆଚ୍ଛାଦତି କରେ । ତୁମେ ତା’ର ପ୍ରେମରେ ପଡ଼ି ତାକୁ ପାଇବାର ଅଭିଲାଷାରେ ଛଟପଟ ହୋଇ ତାକୁ କାମନା କରି ବସ । ଏକ କ୍ରମବର୍ଦ୍ଧିଷ୍ଣୁ ଅଭୀପ୍ସା ତୁମକୁ କବଳିତ କରେ, ପ୍ରଥମେ ଧିରେ, ତା’ପରେ ତୀବ୍ର, ଅଦମନୀୟ ।

ତୁମ ଆତୁର ଚାହାଣୀରୁ ଦୋକାନୀ ତୁମର ସେ ଗୋପନ ଇଛାକୁ ଠଉରାଇ ନିଏ ।

ମୁଁ ସେ ଜିନିଷଟିକୁ କିଣି ତୁରନ୍ତ ଘରକୁ ପଠାଇଦେଲି ଓ ତାହକୁ ନିଜ କୋଠରୀରେ ସଜେଇଲି ।

ମୁଁ ସେମାନଙ୍କ ପାଇଁ ଅତ୍ୟନ୍ତ ଦୁଃଖିତ, ଯେଉଁମାନେ ସଂଗ୍ରାହକ ଓ ପ୍ରାଚୀନ ବସ୍ତୁର ମଧୁରାତି ବିଷୟରେ ଅବଗତ ନୁହନ୍ତିଁ । ଜଣେ ସେଇଟିକୁ ଏକ ସ୍ନେହଶୀଳ ନଜରରେ ଚାହିଁ ରହେ ଓ ତାକୁ ଏମିତି ଆଉସିଁ ଦିଏ ଯେପରି ତାହା ଏକ ମଣିଷର ସୁକୋମଳ ଦେହ । ପ୍ରତି କ୍ଷଣରେ ତା ପାଖକୁ ଫେରି ଆସେ, ଜଣେ ଯୁଆଡ଼େ ବି ଯାଏ, ଯାହା ବି କରେ ତା’ମନ କିନ୍ତୁ ସେ ବସ୍ତୁଟିର ଭାବନାରେ ନିମଜ୍ଜିତ ରୁହେ । ତା’ର ସ୍ମୃତି ତୁମକୁ ସବୁଆଡ଼େ ପିଛା କରେ, ରାସ୍ତାରେ, ସାଙ୍ଗସାଥୀ ମେଳେ, ପ୍ରାୟ ସବୁଆଡ଼େ । ରାତିରେ ଫେରି, ନିଜ ହାତରୁ ଗ୍ଳୋବସ୍ ବା ମୁଣ୍ଡରୁ ଟୋପି କାଢିବା ପୂର୍ବରୁ ତୁମେ ଆଗ ତା ପାଖକୁ ଯାଅ ଏବଂ ଏକ ପ୍ରେମିକର ସେହ୍ନଶୀଳ ନୟନରେ ତାକୁ ଦେଖ ।

ସତ କହିବାକୁ ଗଲେ, ମୁଁ ମଧ୍ୟ ପୂରା ଆଠ ଦିନ ଯାଏ ସେ ଫର୍ନିଚରଟିକୁ ପ୍ରାୟତଃ ପୂଜା କଲି । ପ୍ରାୟ ସମୟରେ ତା’ର ଦୁଆର ବା ଡ୍ରୟର ଖୋଲେ, ପ୍ରାପ୍ତିର ଏକ ବିଶେଷ ସୁଖଃଦ ଅନୂଭୁତିରେ ଉଲ୍ଲସିତ ହୋଇ ।

ଏକ ସଂଧ୍ୟାରେ, ଫର୍ନିଚରଟିର କାଠର ଘନତା ଅନୁମାନ କରୁଥିବା ଅବସରରେ, ମୋତେ ଏକ ଗୁପ୍ତ ଡ୍ରୟରଥିବାର ଆଭାସ ମିଲିଲା । ମୋ ହୃଦୟରେ କମ୍ପନ ହେଲା, ଆଉ ମୁଁ ସାରା ରାତି ସେହି ଗୁପ୍ତ ଡ୍ରୟରଟିର ସନ୍ଧାନରେ ରହିଲି ।

ତହିଁପରଦିନ ସକାଳେ ମୋତେ ସଫଳତା ମିଲିଲା । କାଠ ଫର୍ନିଚରଟିରେ ଥିବା ଏକ କ୍ଷୁଦ୍ର ଫାଙ୍କ ଦେଇ ମୁଁ ଏକ ଛୁରି ସାହାଯ୍ୟରେ ଏହି ଗୁପ୍ତ ଡ୍ରୟରଟିକୁ ଖୋଲିପାରିଲି । ଡ୍ରୟରଟି ଖୋଲିଗଲା ଓ ତା’ଭିତରେ ଏକ କଳା ଭେଲଭେଟ୍ କପଡ଼ାରେ ଗୁଡ଼ାହେଇଥିବା ଏକ ମନୋହାରିଣୀ କେଶଗୁଚ୍ଛ ଥିବାର ଲକ୍ଷ୍ୟ କଲି ।

ହଁ, ଏକ ନାରୀର ଘନ ସୁନ୍ଦର କେଶରାଶି, ପ୍ରାୟ ଲାଲମିଶା-କହରିଆ, ମୂଳରୁ କଟାଯାଇଥିବା ଏବଂ ଏକ ସୁବର୍ଣ୍ଣ ମୋଟା ସୁତୁଲିରେ ବନ୍ଧା ହେଇଥିଲା ।

ମୁଁ ଆଶ୍ଚର୍ଯ୍ୟଚକିତ, ହତବାକ୍ ହୋଇ ଥରି ଥରି ଠିଆ ହୋଇରହିଲି । ଏକ ଅତି ସୂକ୍ଷ୍ମ ପୁରାତନ ସୁଗନ୍ଧ ସେଇ ଡ୍ରୟରରୁ ଏବଂ ସେଇ ଅଦ୍ୱିତୀୟ ଅଂଶାଭିଶେଷରୁ ଭାସି ଆସୁଥିଲା ।

ମୁଁ ତାକୁ ଅତି ଆସ୍ତେ, ସଯତ୍ନେ, ସମ୍ନାନର ସହ ଉଠାଇଲି ସେଇ ଗୁପ୍ତ ସ୍ଥାନରୁ । କେଶଗୁଚ୍ଛଟି ଖୋଲି ଚଟାଣ ଛୁଇଁଲା, ଅତି ଘନ କିନ୍ତୁ ହାଲକା, ନରମ ଆଉ ଉଜ୍ଜ୍ୱଳ, ଠିକ୍ ଏକ ଧୂମକେତୁର ଲାଞ୍ଜ ଭଳି ।

ଏକ ଅଜଣା ଆବେଗ ମୋତେ ଭାବାଛନ୍ନ କଲା । ଏ କ’ଣ ? କେବେ, କାହିଁକି ଓ କ’ଣ ପାଇଁ ଏହି ଗୁଚ୍ଛ ଏମିତି ଗୁପ୍ତ ଭାବେ ରଖାଯାଇଥିଲା? କେଉଁ ଦୁରହ କର୍ମ, ବା ଶୋକାତ୍ମକ ବ୍ୟାପାରର ସ୍ୱାକ୍ଷର ବହନ କରେ ଏହି ସ୍ମୃ୍ତି ଚିହ୍ନ ? କିଏ ଏହାକୁ କାଟି ଥିଲା; ଏକ ପ୍ରେମିକ ନିଜ ବିଦାୟ କାଳୀନ ଦିବସରେ, ଏକ ସ୍ୱାମୀ ପ୍ରତିଶୋଧ ନେବା ଉଦ୍ଧେଶ୍ୟରେ ବା ନିଜେ ସେହି କେଶଧାରୀ ?

କୌଣିସି ଏକ ସୁନ୍ଦର ଲଲନାର ମୃତ ଶରୀରକୁ କଫିନ ମଧ୍ୟରେ ଶୁଆଇ ଦିଆଯିବା ପୂର୍ବରୁ କ’ଣ ତା’ର ପ୍ରେମିକ ଏହା କାଟି ଥାଇ ପାରେ କି? କାହିଁକିନା ସବୁ ଜିନିଷ ସମୟ କ୍ରମେ ବିଳୀନ ହୋଇଯିବ କିନ୍ତୁ କେଶ କେବେ ନୁହେଁ । ଶରୀରର ଏକ ମାତ୍ର ଜୀବାଂଶ, ଯାହା ଜଣେ ସଂରକ୍ଷିତ ରଖିପାରିବ, ତାକୁ ତଥାପି ପ୍ରେମ କରିବ, ଆଉଁସି ଦେବ, ଆଉ ନିଜର ଶୋକାତୁର ଅବସ୍ଥାରେ ଚୁମ୍ବନ ଦେବ ।

ଏହା ଅଦ୍ଭୁତ ନୁହେଁ କି, ଏହି କେଶଗୁଚ୍ଛ ଗୁଡ଼ିକ ଏବେ ବି ଅତୁଟ ଅବସ୍ଥାରେ; ସୁନ୍ଦର ସଂରକ୍ଷିତ, ଯେତେବେଳେ ଏହାକୁ ଧାରଣ କରୁଥିବା ଶରୀରର ସମସ୍ତ ଅଣୁ ଧ୍ୱଂସ ପାଇଗଲାଣି?

ସେହି କେଶଗୁଡ଼ିକ ମୋ ଆଙ୍ଗୁଠିରେ ଶୋଭା ପାଇ ମୋତେ ଯେମିତି ଆଉଁସି ଦେଉଥିଲେ; ଏକ ମୃତ ନାରୀର ସ୍ପର୍ଶ । ମୋତେ ଏହା ଏପରି ଅଭିଭୂତ କଲା ଯେ ମୁଁ କାନ୍ଦିବାକୁ ଚାହିଁଲି ।

ଅନେକ ସମୟ ପର୍ଯ୍ୟନ୍ତ ମୁଁ ସେହି କେଶଗୁଡ଼ିକ ନିଜ ହାତରେ ଧରି ରଖିଲି । ମୋତେ ଅସ୍ୱସ୍ତି ଲାଗିଲା, ଯେମତି କି ସେ କେଶଗୁଡ଼ିକ ଏବେ ବି ଜୀବନ୍ତ, ଏବେ ବି ଜୀବାତ୍ମା ବାକି ଅଛି ସେଥିରେ । ମୁଁ ତାକୁ ପୁଣି ସେହି ପୁରୁଣା ଭେଲଭେଟ୍ କପଡ଼ାରେ ଗୁଡ଼ାଇ ଡ୍ରୟରରେ ରଖିଦେଲି, କ୍ୟାବିନେଟଟି ବନ୍ଦ କଲି ଆଉ ନିଜ ଦୋଳାୟମାନ ଚିତ୍ତକୁ ଶାନ୍ତ କରିବା ଉଦ୍ଧେଶ୍ୟରେ ବାହାରକୁ ଚାଲିଗଲି ।

ଦୁଃଖ ଓ ଏକ ପ୍ରକାରର ଅସ୍ଥିରତା ମୋର ମନକୁ ଜଡ଼ାଇ ରଖିଥିଲା । ଏମିତି ଅସ୍ଥିରତା କେବଳ ଜଣେ ପ୍ରେମରେ ପଡ଼ିଥିଲେ ଅନୁଭବ କରେ । ଚାଲୁ ଚାଲୁ ଭାବିଲି ଯେମିତି ମୋର ଏକ ପୂର୍ବ ଜନ୍ମ ଥିଲା, ମୁଁ ଏହି ନାରୀକୁ ଆଗରୁ ଜାଣିଛି ।

ଫ୍ରାକୋଇସ୍ ଭିଲନ, ଜଣେ ୧୫ଶହ ଖ୍ରାଷ୍ଟାବ୍ଦ ଫରାସୀ କବିଙ୍କ କବିତାର କିଛି ପଂକ୍ତି ମୋ ମନକୁ ଆନ୍ଦୋଳିତ କଲା ।

“କୁହ କେଉଁଠି ଓ କେଉଁ ଦେଶରେ ଅଛି ଫ୍ଳୋରା, କିଏ ତାହାର ସଂପର୍କୀୟା ଭଉଣୀ, ସୁନ୍ଦରୀ ରୋମାନ, ଗ୍ରୀକ୍ ନା ଥାଇ ? ପବନରେ ଏକ ପ୍ରତିଧ୍ୱନି ଭାସି ଆସେ- ‘ସରୋବର ଓ ନଦୀ ସେପଟେ । ସେମାନଙ୍କ ସୁନ୍ଦରତା କୌଣସି ପ୍ରଶଂସାର ବହୁ ଉଦ୍ଧ୍ୱର୍ରେ । କିନ୍ତୁ କାହିଁ ଗତ ବର୍ଷ ସେହି ତୁଷାର ବର୍ଷା?”

“ସେ ରାଣୀ ଲିଲି ଫୁଲ ଭଳି ଧଳା, ଗୀତ ଗାଉଥିଲେ ଠିକ୍ ଏକ ପକ୍ଷୀର ସୁମଧୁର ସ୍ୱରରେ । ବର୍ଥା, ବ୍ରଣ୍ଡଫୁଟ, ବିଟ୍ରିସ୍, ଏଲିସ, ଏରମେର୍ନ୍ଗାଡ଼ି, ମୈନ(ଫରାସୀ ପ୍ରଦେଶ)ର ରାଜକୁମାରୀ ଆଉ ମଧ୍ୟ ସାହାସୀ ଜୋଆନ୍, ଲରେଏନ (ଫରୀସୀ ପ୍ରଦେଶ)ର ଅଧିବାସୀ ଯାହାଙ୍କୁ ଇଂରେଜମାନେ ଫରାସୀ ପ୍ରାଚୀନ ବନ୍ଦର ସହର ରୁଏନ୍‌ରେ ପୋଡ଼ି ମାରିଦେଲେ । କାହାନ୍ତି ସେମାନେ, ହେ ସତୀ ରାଣୀ ? ଆଉ କାହିଁ ଗତ ବର୍ଷ ସେ ତୁଷାର ବର୍ଷା ?”

ଘରକୁ ଫେରିବା ମାତ୍ର, ମୋର ସେହି ଏକମାତ୍ର ସମ୍ପତ୍ତିକୁ ଦେଖିବା ପାଇଁ ଏକ ଅଦମନୀୟ ଇଚ୍ଛା ଜାଗ୍ରତ ହେଲା । ତାକୁ ବାହାର କରି ଛୁଇଁବା ମାତ୍ରେ ମୋ ସାରା ଶରୀରରେ ଏକ ଶୀହରଣ ଖେଲାଇ ଗଲା ।

କିଛି ଦିନ ମୁଁ ସ୍ୱାଭାବିକ ରହିଲି, ଯଦିଓ ସେହି କେଶଗୁଚ୍ଛଟିର କଥା ମୋ ମନରେ ସବୁ ବେଳେ ଥାଏ ।

ଘରକୁ ଫେରିଲେ ସେଇଟିକୁ ନିଜ ହାତରେ ଧରିବା ପାଇଁ ପ୍ରବଳ ଇଚ୍ଛା ହୁଏ । ମୁଁ କ୍ୟାବିନେଟର ଦ୍ୱାର ଖୋଲେ, ଠିକ୍ ଯେମିତି ଏକ ପ୍ରେମିକ, ସଂଶୟ ଓ ସଂକୋଚର ଭାବ ନେଇ ପ୍ରେମିକାର ଘରର ଦୁଆର ଖୋଲେ । ମୋର ମନରେ ଏବଂ ହୃଦୟରେ କେବଳ ସେହି ଗୋଟିଏ ମାତ୍ର ବ୍ୟାକୁଳତା; ସେହି ସମ୍ନୋହନୀ, ସ୍ୱର୍ଣ୍ଣାଭ ପ୍ଳାବନ ସମ ନିର୍ଜୀବ କେଶଗୁଚ୍ଛଗୁଡ଼ିକ ମଧ୍ୟକୁ ଡୁ୍‌ବକି ଲଗାଇବାର ଅଦ୍ୟମ ଆକାଂକ୍ଷା ।

ସେଇ ସ୍ୱର୍ଣ୍ଣାଭ ସୁନ୍ଦର କେଶଗୁଛଗୁଡ଼ିକ ଆଉଁସି ସାରିବା ପରେ ତାକୁ ପୁଣି ଯଥା ସ୍ଥାନରେ ରଖି ଡ୍ରୟରଟିର ଦୁଆର ବନ୍ଦ କରିଦିଏ । ପର ମୂହୁର୍ତ୍ତରେ ମୋତେ ଲାଗେ ଯେମିତି କି ସେ ଏକ ଜୀବନ୍ତ ବସ୍ତୁ , ଆଉ ସେ ଡ୍ରୟରଟିରେ ବନ୍ଦୀ । ପୁଣି ଥରେ ତାକୁ ଛୁଇଁବାର ଏକ ଦୃଢ କାମନା ମନରେ ଜାଗ୍ରତ ହୁଏ । ସେଇ ଥଣ୍ଡା, ଖସଡ଼ା, ବିରକ୍ତିକର ସ୍ପର୍ଶ ପାଇବା ପାଇଁ ମୁଁ ପୁଣି ଅଧିର ହୋଇଉଠେ ।

ମୁଁ ଭୁଲିଯାଇଛି କେତେ ଦିନ, କିନ୍ତୁ ପ୍ରାୟ ମାସେ କି ଦୁଇ ମାସ ଏଇଭଳି ଭାବେ ଜୀବନ ବିତାଇଲି । ମୁଁ ପୂରାପୁରୀ ତା’ କବଳରେ, ଆୟତ୍ତରେ ଥିଲି । ମୁଁ କେତେବେଳ ଖୁସି ତ କେବେଳେ ଦୁଃଖି ହୋଇପଡ଼ୁଥିଲି । ଠିକ୍ ଯେମିତି ଜଣେ ପ୍ରେମରେ ପଡ଼ିଲେ ଆଉ ପ୍ରଥମ ପ୍ରତିଶୃତି ପରେ ଅନୁଭବ କରେ ।

ସେ କେଶଗୁଚ୍ଛକୁ ଧରି ମୁଁ ନିଜକୁ ମୋ ରୁମ୍‌ରେ ବନ୍ଦ ରଖୁଥିଲି । ତା’ର ସ୍ପର୍ଶକୁ ନିଜ ଶରୀରରେ ଅନୁଭବ କରିବା ପାଇଁ, ନିଜ ଓଠକୁ ସେଥିରେ ଥାପି ଧରି ଚୁମ୍ବନ ଦେବା ପାଇଁ । ସେହି ସ୍ୱର୍ଣ୍ଣାଭ କେଶକୁ ନିଜ ମୁହଁ ଉପରେ ପକେଇ ଆଖି ଘୋଡ଼େଇ ରଖେ, ଆଉ ଦେଖେ କିପରି ସୁର୍ଯ୍ୟାଲୋକ ସେ କେଶଗୁଚ୍ଛରେ ଝଲମଲ କରୁଛି ।

ମୁଁ ତାକୁ ଅତି ଭଲ ପାଉଛି । ହଁ , ଖୁବ୍ ଭଲ ପାଉଛି । ମୁଁ ତାକୁ ଏତେ ଭଲ ପାଇବାକୁ ଲାଗିଥିଲି ଯେ ତା’ଠୁ ଅଲଗା ରହିବା ମୋ ପକ୍ଷେ ପ୍ରାୟ ଅସମ୍ଭବ ହୋଇପଡ଼ିଲା ।

ଆଉ ମୁଁ ଅପେକ୍ଷା କଲି, ଅପେକ୍ଷା, କାହା ପାଇଁ? ମୁଁ ଜାଣେନା, ….ବୋଧେ ତା’ପାଇଁ ।

ଏକ ରାତିରେ ମୋ ନିଦ ଭାଙ୍ଗିଗଲା, ଆଉ ମୋତେ ଲାଗିଲା ଯେମିତି ମୁଁ ଏକୁଟିଆ ନୁହେଁ ।

କିନ୍ତୁ ମୁଁ ଏକୁଟିଆ ଥିଲି, ଶୋଇପାରିଲିନି, ଆଉ ବାରମ୍ବାର କଡ଼ ଲେଉଟେଇଲି । ସେ ସ୍ୱର୍ଣ୍ଣାଭ କେଶଗୁଚ୍ଛ ଦେଖିବା ପାଇଁ ମୁଁ ଉଠିଲି । ଆଗ ଅପେକ୍ଷା ଏହା ଆହୁରୀ ନରମ, ଆହୁରି ଜୀବନ୍ତ ଲାଗୁଥିଲା । ସତରେ କ’ଣ ମୃତକ ଫେରିଆସନ୍ତି? ସେଇଟିକୁ ଚୁମ୍ବନ କରୁ କରୁ ମୁଁ ପ୍ରାୟ ଚେତା ହରାଇ ବସିଲି । ତାକୁ ମୋ ନିଜ ବିଛଣାକୁ ନେଇଗଲି ଆଉ ନିଜ ଓଠରେ ଚାପି ରଖି ଚୁମ୍ବନ ଦେବାକୁ ଲାଗିଲି ଯେମିତି କି ସେ ମୋର ପ୍ରିୟତମା । ମୃତକ କ’ଣ ଫେରିଆସନ୍ତି ? ହଁ ଫେରିଆସନ୍ତି । ସେ ଫେରିଆସିଲା । ମୁଁ ତାକୁ ଦେଖିଛି । ନିଜ ବାହୁରେ ତାକୁ ଧରିଛି, ଅନୁଭବ କରିଛି । ସେ ଠିକ୍ ସେମିତି , ଯେମିତି ଜୀବାବସ୍ଥାରେ ଥିଲା । ଡେଙ୍ଗା, ଗୋରା, ପୂରିଲା ଶରୀର । ସେ ସବୁ ସଂଧ୍ୟାରେ ଆସେ, ସେଇ ମୃତ ନାରୀ, ସୁନ୍ଦରୀ, ରହସ୍ୟମୟୀ , ଅଜଣା ।

ମୁଁ ଏତେ ଆନନ୍ଦିତ ଥିଲି ଯେ ନିଜ ଖୁସିକୁ ଆଉ ଲୁଚାଇ ରଖିପାରିଲିନି । ଏମିତି ଏକ ସୁନ୍ଦର, ପ୍ରଚଣ୍ଡ ଆବେଗ କୌଣସି ପ୍ରେମିକ କେବେ ଅନୁଭବ କରିନଥିବ । ମୁଁ ତାକୁ ଏତେ ଭଲ ପାଇବାକୁ ଲାଗିଲି ଯେ ତା’ଠୁ ଆଉ ଅଲଗା ରହିପାରିଲିନି । ତାକୁ ସବୁବେଳେ ପାଖରେ ରଖିବାକୁ ପସନ୍ଦ କଲି । ଆଉ ଏଇଥି ପାଇଁ ମୁଁ ଯେଉଁଆଡ଼େ ଗଲି ତାକୁ ସଙ୍ଗରେ ନେଇ ଗଲି । ସହର ସାରା ତାକୁ ସଙ୍ଗରେ ଧରି ବୁଲିଲି ଯେମିତି କି ସେ ମୋ ସ୍ତ୍ରୀ । ଥିଏଟରକୁ ମଧ୍ୟ ତାକୁ ସଙ୍ଗରେ ଧରି ଯାଏ , ନିଜର ବ୍ୟକ୍ତିଗତ ସଂରକ୍ଷିତ ଥିବା ସ୍ଥାନକୁ । କିନ୍ତୁ ସେମାନେ ତାକୁ ଦେଖିନେଲେ, ମୋତେ ଗିରଫ କରି ନେଲେ । ମୋତେ ଏକ ଅପରାଧୀ ଭଳି ବନ୍ଦୀ କଲେ । ଆଉ ତାକୁ ମଧ୍ୟ ନେଇଗଲେ । ଓଃ! କି ଯନ୍ତ୍ରଣା !

ଏଇଟି ଡାଏରୀଟି ଅଟକିଯାଇଛି । ଆଶ୍ଚର୍ଯ୍ୟଚକିତ ନୟନରେ ମୁଁ ମୁଣ୍ଡ ଟେକି ଡାକ୍ତରଙ୍କୁ ଅନେଇଲି । ଠିକ୍ ସେତିକିବେଳେ ଏକ ବିକଟାଳ ଚିତ୍କାର ତଥା ବିରହ ଜର୍ଜରିତ କାନ୍ଦଣାରେ ଡାକ୍ତରଖାନା ପ୍ରକମ୍ପିତ ହେଲା ।

“ଶୁଣ” !, ଡାକ୍ତର କହିଲେ । ଦିନକୁ ପାଞ୍ଚଥର ଏଇ ପାଗଳ ମୁଣ୍ଡରେ ପାଣି ଢାଲିବାକୁ ପଡ଼େ । ସର୍ଜେ ବରଟ୍ରାଣ୍ଡ ଏଭଳି ଜଣେ ବ୍ୟକ୍ତି ଯେ କି ମୃତ ନାରୀର ପ୍ରେମରେ ପଡ଼ିଥିଲେ ।

ଆଶ୍ଚର୍ଯ୍ୟଚକିତ, ରୋମାଞ୍ଚିତ ଏବଂ ଅନୁକମ୍ପା ବଶତଃ ମୁଁ ପଚାରଲି ।

“ଆଉ ସେ କେଶଗୁଚ୍ଛ… ସତରେ କ’ଣ ତାହା ଅଛି?”

ଡାକ୍ତର ଉଠିଲେ; ଏକ ବଟିକା, ଡାକ୍ତରୀ ଯନ୍ତ୍ରପାତି ଆଦିରେ ଭର୍ତ୍ତି କ୍ୟାବିନେଟ ଖୋଲିଲେ ଆଉ ଏକ ଲମ୍ବା କେଶ ମୋ ଆଡ଼କୁ ପିଙ୍ଗିଦେଲେ । ସେଇଟି ମୋ ଆଡ଼କୁ ଏକ ସୁନାର ଚଢେଇ ଭଳି ଉଡ଼ି ଆସିଲା ।

ତା’ର ନରମ, ହାଲକା, ସ୍ପର୍ଶରେ ମୁଁ ଶିହରିତ ହେଲି । ହୃଦୟରେ ଘୃଣା, ଅଭିଲାଷାର ଭାବ ଜାଗ୍ରତ ହୋଇ ମୋ ହୃଦୟରେ କମ୍ପନ ସୃଷ୍ଟି ହେଲା । ଘୃଣା, ଯେମିତି କୌଣସି ଅପରାଧରେ ଭାଗିଦାରୀ ଥିବା ଜିନିଷ ଛୁଇଁଲେ ତଥା ଏକ ଅଭିଲାଷା ଯେମିତି କୌଣସି ପ୍ରଲୋଭନୀୟ ରହସ୍ୟମୟ, ବଦନାମ ଜିନିଷ ପ୍ରତି ମନରେ ଆସେ ।

ସର୍ଜେ ବରଟ୍ରାଣ୍ଡଙ୍କ ସଙ୍ଗେ ଘଟିଯାଇଥିବା ସମସ୍ତ ଘଟଣାକ୍ରମକୁ ନିରୁପାୟ ଡାକ୍ତର ଯେମିତି ସଂକ୍ଷିପ୍ତରେ ଗୋଟିଏ ବାକ୍ୟରେ ବର୍ଣ୍ଣନା କରୁଥିଲେ; “ମଣିଷର ମନ କିଛି ବି କରିବାକୁ ସକ୍ଷମ । “

ଲୋକପ୍ରିୟ ଲେଖା

To Top