ଗଳ୍ପ

ଗୁଲୁଗୁଲା ବନାମ ଚିକେନ ପକୋଡା

Anusuya Jena's odia story Gulugulaa Banaam Chicken Pakoda

ପାଖ ପାନ ଦୋକାନ ରେଡିଓରେ ସରକାରଙ୍କ ପ୍ରାୟୋଜିତ ଜିଙ୍ଗଲ ବାଜୁଥିଲା, ମେରା ଗାଓଁ ବଦଲ ରହା ହୈ, ମେରା ଦେଶ ବଦଲ ରହା ହୈ ।

ଗୁଲୁଗୁଲା ବନାମ ଚିକେନ ପକୋଡା

ରାଜରାସ୍ତା କଡରେ ଗାଁ ଟିଏ । କାହିଁ କେଉଁ ଆବହମାନ କାଳରୁ ଗାଁ ମୁଣ୍ଡରେ ଗୋଟେ ପଟେ ବର ଗଛ ଆଉ ଗୋଟେ ପଟେ ଓସ୍ତ ଗଛ ଶାଖା ମେଲାଇ ବସିଛନ୍ତି ଗାଁ ଭିତରକୁ ସ୍ଵାଗତ କରିବାକୁ । ବରଗଛର ଠିକ ତଳେ ଛୋଟ ପୋଖରି ଟିଏ । ଗାଁ ପିଲାଏ ବର ଓହଳରେ ଓହଳି ପୋଖରୀ ଭିତରକୁ ଲମ୍ଫ ଦିଅନ୍ତି, ପୁଣି ପହଁରି ଆସି ବର ଓହଳରେ ଝୁଲନ୍ତି । ଏଇଟା ଗୋଟିଏ ତାଙ୍କର ନିତିଦିନିଆ କସରତ ଆଉ ମଉଜ । ଓସ୍ତ ଗଛ ତଳେ ଗାଁ ମଶାଣି । ହାତେ ଦୂରରେ ଦଶ ବାରଟି ଛୋଟ ଛୋଟ ସମାଧି ମନ୍ଦିର । ମଶାଣି ସିଧାରେ ଦେଖାଯାଏ ବଡ ଦେଉଳ, ପୁରୋସ୍ତମ କ୍ଷେତ୍ର । ଏ ଗାଁ ରେ କେହି ମଲେ ସ୍ଵର୍ଗଦ୍ଵାର ଯାଆନ୍ତି ନାହିଁ, ଯୁକ୍ତି ହଉଛି , ସ୍ଵର୍ଗଦ୍ଵାରରେ ତ ବଡ ଦେଉଳ ଦେଖାଯାଏନି, ଏଠି ଦେଖାଯାଏ , ତାହେଲେ ଏଇ ଗାଁ ମଶାଣି ରେ ତ ପୋଡା ହେଲେ ସ୍ଵର୍ଗ ପ୍ରାପ୍ତି !

ସେଇ ଗଛ ପାଖରୁ ନାଲି ମୋରମ ରାସ୍ତା ମାଡି ଯାଇଛି ଗାଁ ଭିତରକୁ । ଶହେ ଦୁଇଶ ମିଟର ଆଗକୁ ଗଲେ ପଡେ ଗାଁ ପ୍ରାଥମିକ ସ୍କୁଲ । ସ୍କୁଲ କହିଲେ ଦୁଇ ବଖରା ଆଜବେଷ୍ଟସ ଘର, ଦର ଭଙ୍ଗା କବାଟ, ଝରକାରେ ରେଲିଙ୍ଗ ନାହିଁ । ଘର ଚାରିପଟେ ବାରଣ୍ଡା ବୁଲିଛି । ସ୍କୁଲ କଡରେ ପୋଖରୀ, ସାମନା ଫାଙ୍କା । ତେଣୁ ଗାଁ ଲୋକେ ଖରାବେଳେ ଗାମୁଛା ପକେଇ ସେଇ ବାରଣ୍ଡାରେ ସୁଲୁସୁଲିଆ ପବନ ଖାଇ ଘୁମେଇବାକୁ ଚାଲି ଆସନ୍ତି । ସେଇଠି ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ପିଲା ପାଠ ପଢନ୍ତି । ଦ୍ଵିତୀୟ ଶ୍ରେଣୀ ପିଲାଏ ବଡ ପାଟି ରେ “ମୋ ପାଠ ବହି” ରୁ ବୋଲୁଥାନ୍ତି : “ ଖସାଇ ରାତିର କଳା ପରଦାଟି ହସି ହସି ରବି ଆସଇ ଉଇଁ” । ଏଇ ପାଟି ଭିତରେ ଗୁରୁମା ଘୁମେଇ ପଡିଥିବା ବେଳେ କିଛି ଦୁଷ୍ଟ ପିଲା ସେଇ ଭଙ୍ଗା ଝରକା ଦେଇ ଆରାମରେ ପଛ ବାରଣ୍ଡାକୁ ଚାଲି ଆସି ଖେଳନ୍ତି । ବାରଣ୍ଡାରେ ଶୋଇଥିବା ଲୋକଙ୍କର ତାଙ୍କ ଉପରେ ନଜର ପଡିଲେ ଗୁରୁମାଙ୍କ ଜିମାରେ ନେଇ ଦିଅନ୍ତି ଆଉ ଗୁରୁମା ସେ ପିଲାଙ୍କୁ ଭଲ କରି ଦି’ଟା ଉତ୍ତମ ମଧ୍ୟମ ଦେଇ ନିଜର ଘୁମେଇବା ଗୁଣ ଟିକୁ ଲୁଚେଇବାକୁ ଚେଷ୍ଟା କରନ୍ତି ।

ସ୍କୁଲ ଆଗକୁ କିଛି ବାଟ ଗଲା ପରେ ଗାଁ ଦୁଇ ଭାଗ ହେଇ ଯାଇଛି । ଗୋଟେ ଉପର ମୁଣ୍ଡ ସାହି ମାନଙ୍କୁ ଆଉ ଗୋଟେ ତଳ ମୁଣ୍ଡ ସାହି ସବୁକୁ । ତଳ ମୁଣ୍ଡ ସାହିର ଠିକ ମଝାମଝି କୁଞ୍ଜିଆ ର ଦୋକାନ । ଦୋକାନ କହିଲେ ଗୋଟେ ନୂଆଣିଆ ଚାଳିଆ, ଚାଳିଆ ଆଗରେ ଗୋଟେ କଡରେ କୋଇଲା ଚୁଲି ଭାଟି । ଆର କଡ ରେ ଦୁଇଟା ବେଞ୍ଚ । ଦୋକାନକୁ ଲାଗିଛି ଗଣପତିଙ୍କ ଆସ୍ଥାନ । ଆସ୍ଥାନ ବୋଲି ଗୋଟେ ତିନି ଚାରି ହାତ ଉଞ୍ଚ ପଥରରେ ସିନ୍ଦୁର ଚନ୍ଦନ ବୋଳା ହେଇ ହେଇ ସେଇଟା ଗଣପତି ମୂର୍ତ୍ତି ପାଲଟି ଯାଇଛି ଆଉ ଗାଁ ସ୍ତ୍ରୀ ଲୋକ ମାନେ ସେ ଜାଗାକୁ ଟିକେ ସଫା ସୁତର କରି ସକାଳେ ସଞ୍ଜରେ ସେଠି ସଳିତା, ଧୂପକାଠି ଜାଳି ତାକୁ ଗୋଟେ ଆସ୍ଥାନ କରିଦେଇଛନ୍ତି ।

କୁଞ୍ଜିଆର ସ୍ତ୍ରୀ ରାଧା ଛ ଫୁଟର ନିଦା ମାଇପି । ଘରେ ବିରି ବାଟି, ବଡ ତସଲାରେ ପୁରେଇ ମୁଣ୍ଡ ଉପରେ ଥୋଇ ଗାଁ ଦାଣ୍ଡ ରେ ସକାଳେ ସଞ୍ଜ ରେ ସେ ହଲି ହଲି ଗଲାବେଳେ, ତା ଆସିବା ସମୟ ଜାଣି ଉଞ୍ଚା ଉଞ୍ଚା ବାରଣ୍ଡା ର ମୋଟା ଖୁଣ୍ଟି ପଛରେ ଲୁଚିଥିବା ପିଲା ମାନେ ଚାପା କଣ୍ଠରେ ଡାକ ପକାନ୍ତି: “ ଲୋ ରାଧା, ବେଇଗି ଗାଧା, ଯିବୁ ଖୋରଧା” । ସେ ସ୍ଵର ଆସୁଥିବା ବାରଣ୍ଡା ଆଡକୁ ମିଛ ରାଗ ଦେଖେଇ ରାଧା ମାଡି ଗଲେ, କିଲିକିଲି ହେଇ ପିଲା ମାନେ ଘର ଭିତରକୁ ଦୌଡନ୍ତି, ଆଉ ରାଧା ତା ବାଟରେ ଚାଲିଯାଏ ଦୋକାନ ଆଡକୁ । କୁଞ୍ଜିଆ ବରା ଛାଣେ, ରାଧା ତାକୁ ସାହାଯ୍ୟ କରେ । ଦୋକାନ ତଳେ ଅଖା ଖଣ୍ଡେ ପକାଇ ପୁରୁଣା ଖବର କାଗଜ ସବୁକୁ ସମାନ ସାଇଜ ରେ କାଟି ରଖୁଥାଏ ତା ପୁଅ ବଗୁଲା, ସେଇ କାଗଜରେ ତା ବାପା ଲୋକଙ୍କୁ ଛଣାଛଣି ଜିନିଷ ଦବ ବୋଲି । ଆଗରୁ କୁଞ୍ଜିଆ ଘୁଗୁନି ତିଆରି କରି ରଖିଥାଏ । ସେ ବରା ଛାଣିଲା ଭିତରେ ରାଧା ଗୁଲୁଗୁଲା ତିଆରି କରିବା ପାଇଁ ଅଟା ରେ ଚିନି, ଲୁଣ, କ୍ଷୀର, ପାନ ମଧୁରୀ ଆଦି ପକେଇ ଚକଟେ, ଗୁଳା ଗଢେ । ଏଇ ଭିତରେ ଗାଁ ପିଲାଏ ଷ୍ଟିଲ ଗିନା, ଗିଲାସ ଧରି ଆସି ପହଞ୍ଚି ଯାନ୍ତି ଘୁଗୁନି ନବାକୁ । ଟଙ୍କାରେ ଚାରିଟା ବରା ଆଉ ଗିନାରେ ଆଠଣା କି ଟଙ୍କାଏ ର ଘୁଗୁନି । ଘରର ବାସି ପାଇଟି ସାରିଲା ବେଳକୁ ଖରା ଆସି ପିଲାଙ୍କ ସ୍କୁଲ ବେଳ ହେଇ ଯାଇଥାଏ, ସେଇଥି ପାଇଁ ମା’ ମାନେ ଟଙ୍କାଏ ଦି’ ଟଙ୍କା ଦେଇ ପିଲାଙ୍କୁ ପଠେଇ ଦିଅନ୍ତି ଘୁଗୁନି କି ବରା ଆଣିଲେ ପଖାଳ ଖାଇ ସ୍କୁଲ ଚାଲିଯିବେ ବୋଲି । ଯୋଉ ପିଲା ପଇସା ନ ଆଣି ମୁହଁ ସୁଖେଇ ସବା ପଛରେ ଠିଆ ହେଇଥାଏ, କୁଞ୍ଜିଆ ତାକୁ ନିରାଶ କରେନି । କାଗଜରେ ଦିଟା ବରା ପୁରେଇ କାଗଜ ମୋଡିଦେଇ ତାକୁ ଧରେଇ ଦିଏ । ଏ ସବୁ କାମ ସରିଲେ ଆରମ୍ଭ ହୁଏ ଗୁଲୁଗୁଲା ଛଣା । ଚା’ ସାଙ୍ଗେ ଗୁଲୁଗୁଲାର ଗ୍ରାହକ ଖୁବ ବେଶୀ । ତେଣୁ ଦି’ ବେଳା ଯାକ କୁଞ୍ଜିଆ ଗୁଲୁଗୁଲା ଛାଣିବା ପକ୍କା । ଖରାବେଳକୁ ଛାଡିଦେଲେ ସକାଳେ ସଞ୍ଜରେ କୁଞ୍ଜିଆ ଦୋକାନ ଚଳ ଚଞ୍ଚଳ । ବେଞ୍ଚ ଉପରେ ବସି, ଆଉ ବସିବାକୁ ଜାଗା ନପାଇ ଠିଆ ହେଇ ଅବା ସାଇକେଲକୁ ଆଉଜି ଗାଁ ଲୋକ ଙ୍କର ସେଠି ଖୁବ ଖଟି ଜମେ । ଚା’ ଆଉ ଗୁଲୁଗୁଲା ଖିଆ ଭିତରେ କଥା ଖିଅ ଲମ୍ବି ଯାଏ ଢିଙ୍କିଶାଳ ଠାରୁ ଢେଙ୍କାନାଳ ପର୍ଯ୍ୟନ୍ତ, ରାଜନୀତି ରୁ ଆରମ୍ଭ କରି ଜମିବାଡି ଭାଗ ବଣ୍ଟୁଆରା ପର୍ଯ୍ୟନ୍ତ । ଯଦି କାହାର କିଛି ମନ ଫଟାଫଟି କି ରାଗ ରୋଷ ଥାଏ, ସେଇଟା ବି ସମାଧାନ ହେଇଯାଏ ମଧ୍ୟସ୍ଥି କୁ ଚା’ ଗିଲାସେ ଆଉ ଚାରିଟା ଗୁଲୁଗୁଲା ଦେଇ । କିଏ ପଇସା ଦେଲା କି ନଦେଲା କୁଞ୍ଜିଆ ସେଥିରେ ବ୍ୟସ୍ତ ହେଇଯାଏନି, ତା’ର ଖୁସି ଯେ ତା ଦୋକାନ ଆଗରେ ଗହଳି ହୁଏ, ଗପସପ ଚାଲେ ଆଉ ଲୋକଙ୍କ ସମସ୍ୟା ସମାଧାନ ହୁଏ ।

-କୋଡିଏ ବର୍ଷ ପରେ –

ଆରେ ସମୀର, ଗାଡି ଧୀରେ ଚଲା । ଏଇଠି କୋଉ ଜାଗାରେ ଗାଁ କୁ ଛାଡି ଆଗକୁ ଚାଲିଯିବୁ । ହେଇ ଦେଖ, ସେ ପେଟ୍ରୋଲ ପମ୍ପ । ଗାଡି ଡାହାଣ କୁ ବୁଲା । ଏବେ ବର ଆଉ ଓସ୍ତ ଗଛ ନୁହେଁ, ପେଟ୍ରୋଲ ପମ୍ପ ସ୍ଵାଗତ କରୁଛି ଗାଁ ଭିତରକୁ । ସେମାନେ ଏ ଭିତରେ ନାସନାଲ ହାଇୱେ ନିର୍ମାଣରେ ନିଜ ସତ୍ତା ହରେଇ ଦେଇଛନ୍ତି । ଗାଁ ମଶାଣିକୁ ଚିରି ରାସ୍ତା ଦି’ ଭାଗ ହେଇ ଯାଇଛି । ଟ୍ରାଫିକ କଣ୍ଟ୍ରୋଲ କରିବାକୁ ବିକଳ୍ପ ରାସ୍ତା ଲମ୍ବିଛି ସେଇଠୁ ସହର ଯାଏ । ଗାଁ ର ମୁଖ୍ୟ ରାସ୍ତାରେ ଥିବା ଚାଷ ଜମି ସବୁ ବିକ୍ରି ହେଇ ବାହାର ଲୋକ ଘର କରି ରହିଲେଣି । ଗାଁ ଭିତର ଚିକ୍କଣ ପ୍ରଧାନ ମନ୍ତ୍ରୀ ସଡକ ଯୋଜନା ରେ ରାସ୍ତା, ଆଉ କଚା ରାସ୍ତାରେ ଚିକ୍କଣିଆ ନାଲି ଧୁଳି ଉଡୁନି । ଗାଁ ସ୍କୁଲ ସର୍ବ ଶିକ୍ଷା ଅଭିଯାନ ଅଧୀନରେ ଦୁଇ ମହଲା କୋଠା । ବଡ ଫାଟକ ଲାଗି ତାଲା ଝୁଲିଛି । ଗାଡି ମାଡି ଚାଲିଲା ତଳ ମୁଣ୍ଡ ସାହି ରାସ୍ତା ରେ । କିରେ, ଏଠି ଦୋକାନ କାଇଁ ?? ମନକୁ ମନ ପ୍ରଶ୍ନ କଲି । ଆଜି ଦି’ ଚାରିଟା ଗୁଲୂଗୁଲା ଖାଇବାକୁ ମନ କରି ଆସିଛି ଯେ ମୁଁ । ଗଣପତି ଆସ୍ଥାନ ଏବେ ବିଧାୟକ ପାଣ୍ଠି ବ୍ୟବହାର ହେଇ ବିରାଟ ମନ୍ଦିର, ମାର୍ବଲ ଚାନ୍ଦିନୀ, ସେଠି ତାସ ଖେଳର ଆସର ଜମିଛି । ଗାଡି ରୁ ବାହାରି ଘର ଆଡେ ପାଦ ବଢାଇଲି । ଆଉ ସେ ଓସାରିଆ ପାହାଚ ନାହିଁ କି ଉଞ୍ଚ ବାରଣ୍ଡା ନାହିଁ । ଚାଳ ଘର ସବୁ ଛାତ ଘରରେ ବଦଳି ଗଲାଣି, ସବୁ ଘର ଆଗରେ ଦି’ ଚାରିଟା ଲେଖାଏ ମଟର ସାଇକେଲ ଗର୍ବରେ ଠିଆ ହେଇଛନ୍ତି । ଗାଁ ରେ ରହୁଥିବା ସମ୍ପର୍କୀୟ ଜଣେ ଦାଦା ଙ୍କୁ ପଚାରିଲି, କୁଞ୍ଜିଆ ଦୋକାନ କାଇଁ ?? ହେ !! କୁଞ୍ଜିଆ ଚାରି ପାଞ୍ଚ ବର୍ଷ ହେବ ମଲାଣି । ଆଉ ତା ଦୋକାନ ?? ଆଉ କଣ କିଏ ଗୁଲୂଗୁଲା କି ବରା ଖାଉଛି ?? ତା ପୁଅ ବଗୁଲା ଗାଁ ମୁଣ୍ଡ ଛକ ରେ ଫାଷ୍ଟ ଫୁଡ ଦୋକାନ କରିଛି ଯା ଦେଖିବୁ । ମନଟା ଭାରି ପାଣିଚିଆ ହେଇଗଲା । ସଞ୍ଜ ନଇଁ ଆସୁଥିଲା , ଗାଁ ରୁ ଫେରିଲି । ମୋ ଡ୍ରାଇଭର ସମୀର କହିଲା ଚା’ ପିଇବ । ଗାଁ ମୁଣ୍ଡ ଛକରେ ତିନି ଚାରି ଟା ଦୋକାନ । ଚା, ପାନ ଦୋକାନ ସାଙ୍ଗକୁ ଫାଷ୍ଟ ଫୁଡ ଦୋକାନ । ଗାଡି ଭିତରୁ ବଗୁଲା କୁ ଚିହ୍ନିବା ମୋର ଅସୁବିଧା ହେଲାନି । ପିଲାଦିନେ ଯେମିତି ସେ ବାରବାର ବାଁ ହାତ ପାପୁଲି ନାକରେ ଘଷୁଥିଲା, ଏବେ ବି ସେମିତି କରୁଛି । ଦୋକାନ ଉପରେ ଲେଖାହେଇଛି ଜଗନ୍ନାଥ ଫାଷ୍ଟ ଫୁଡ୍ସ । ଗାଡିରୁ ବାହାରି ତା’ ଦୋକାନ ପାଖକୁ ଗଲି । ଗୋଟେ ବଡ ତସଲା ରେ ନାଲି ନାଲି ରଙ୍ଗର ଚିକେନ ପକୋଡା ଥୁଆ ହେଇଛି । ବଗୁଲା କର୍ନଫ୍ଲୋରରେ ନାଲି ରଙ୍ଗ ମିଶେଇ ଆହୁରି ଚିକେନ ପକୋଡା ଛାଣିବାରେ ବ୍ୟସ୍ତ । କିରେ ବଗୁଲା !! ଭାଇ ନମସ୍କାର । ଏତେ ବର୍ଷ ପରେ ଗାଁ କୁ ଆସିଛ !! ହେଲେ ମୁଁ ତମକୁ ଚିହ୍ନି ପାରିଲି । ତମେ ସେମିତି ଅଛ, ବେଶୀ କିଛି ବଦଳିନ । ଆଚ୍ଛା , ତୁ ଗାଁ ଭିତରେ ଦୋକାନ ଛାଡି ଏଠି କଣ ପାଇଁ ଦୋକାନ କଲୁ ?? ଭାଇ ସତ କଥା ହଉଛି , ଗାଁରେ କଣ ଏ ସବୁ ଚାଲିବ?? ଗାଁ ପଛ ପଟେ ତିନିଟା କୁକୁଡା ଫାର୍ମ ହେଇଗଲାଣି । ହେଇ, ଆଗରେ ଦେଖ ଖୋଲା ଠିପି ମଦ ଦୋକାନ । ସଞ୍ଜ ବେଳେ ଚିକେନ ପକୋଡା ଭଲ ବିକ୍ରି ହଉଛି ଆଉ ଲାଭ ବି ଭଲ ବାହାରୁଛି ।

ମନେ ପଡିଲା କିଛି ଦିନ ତଳେ ବାପା କହୁଥିଲେ ଏବେ ଗାଁ ପାଖାପାଖି ଅଞ୍ଚଳ ରେ ସନ୍ଧ୍ୟାବେଳେ ଚୋରୀ, ରାହାଜାନି ବେଶୀ ବଢିଯାଇଛି ବୋଲି । ପାଖ ପାନ ଦୋକାନ ରେଡିଓରେ ସରକାରଙ୍କ ପ୍ରାୟୋଜିତ ଜିଙ୍ଗଲ ବାଜୁଥିଲା, ମେରା ଗାଓଁ ବଦଲ ରହା ହୈ, ମେରା ଦେଶ ବଦଲ ରହା ହୈ । ଦୀର୍ଘଶ୍ଵାସଟିଏ ନେଇ ଭାବିଲି, ସତରେ ମୋ ଦେଶ, ମୋ ଗାଁ ବଦଳୁଛି !!!!!!!!!

ଲୋକପ୍ରିୟ ଲେଖା

To Top