ଗଳ୍ପ

ଗୁପ୍‌ଚୁପ୍‌ ବାଲା

Manmath Kumar Dalei's odia story Gupchup Baala

କାଲୁ ବିହାରୀର ସ୍ୱଭାବ ଅତି ଶାନ୍ତ ଏବଂ ସରଳ । କଥାବାର୍ତ୍ତା ମଧ୍ୟ ଅତି ସୁନ୍ଦର । ମୋଟ ଉପରେ କାଲୁ ଅତ୍ୟନ୍ତ ମେଳାପୀ ।

ଗୁପ୍‌ଚୁପ୍‌ ବାଲା

କାଲୁ ବିହାରୀର ଏଇ କିଛିଦିନ ହେଲା ଚିନ୍ତା ଭୀଷଣ ବଢି ଯାଇଛି । କେମିତି ଯେ ନ ବଢନ୍ତା । ଦୀର୍ଘ ଦୁଇ ମାସ ହେଲା ଲକ୍‌ଡାଉନ୍‌, ଘରେ ଯାହା ଟଙ୍କା ପଇସା ଥିଲା ସବୁ ସରିଗଲାଣି । ସରକାରୀ ସାହାଯ୍ୟଠାରୁ ସେ ବହୁତ ଦୂରରେ ।

ଗୁପ୍‌ଚୁପ୍‌ ବିକି ଗୁଜୁରାଣ ମେଣ୍ଟାଏ କାଲୁ । ବେଶ ଖୁସିରେ ଖୁସିରେ କଟୁଥିଲା ତା ଜୀବନ । ପରିବାର କହିଲେ ଦୁଇ ପୁଅ ଏବଂ ସ୍ତ୍ରୀ । ଦୀର୍ଘ ପନ୍ଦର ବର୍ଷ ହେଲା ରାଜ୍ୟ ଛାଡିଲାଣି । କେବେ କେମିତି ଭଲମନ୍ଦରେ ସେ ବିହାର ଯାଏ । ଏହି ଓଡ଼ିଶା ହିଁ ତାର ବର୍ତ୍ତମାନ ଏବଂ ଭବିଷ୍ୟତ । ସେ ଓଡ଼ିଆ ମଧ୍ୟ ବେଶ ଭଲ କହିପାରେ । ଅଚିହ୍ନା ଲୋକ ତାକୁ ବିହାରୀ ବୋଲି ଚିହ୍ନିବା ମୁସ୍କିଲ । ହେଲେ ତାର ଗୁପ୍‌ଚୁପ୍‌ ବେପାର ହିଁ ତାକୁ କାଲୁ ବିହାରୀର ପରିଚୟ ଦିଏ ।

ଦିନରେ କଲେଜ୍‌ ଛକ ଏବଂ ସନ୍ଧ୍ୟାରେ ବଜାର ଛକରେ କାଲୁ ଠେଲା ପକାଏ । କାଲୁ ବିହାରୀର ଗୁପ୍‌ଚୁପ୍‌କୁ ଝିଅମାନେ ବହୁତ ପସନ୍ଦ କରନ୍ତି । ସେଇଥିପାଇଁ ଝିଅମାନଙ୍କର ବେଶ ଭିଡ ଜମେ ତା ଗୁପ୍‌ଚୁପ୍‌ ଠେଲା ଆଗରେ । ପୁଦିନା ରସ, ଧନିଆ ପତ୍ର ଏବଂ ସ୍ୱାଦିଷ୍ଟ ମସଲା ପଡ଼ିଥିବା ତା ଖଟାପାଣିର ସ୍ୱାଦ କୁଆଡେ ଭାରି ନିଆରା । ଦଶ ଟଙ୍କାରେ ଆଠାଟା ଜାଗାରେ ନଅଟା ଦେବା ସଙ୍ଗେ ସଙ୍ଗେ ଗୋଟାଏ ଶୁଖା ଫ୍ରି ଦିଏ ବୋଲି ଗ୍ରାହକମାନେ ତାକୁ ଭାରି ପସନ୍ଦ କରନ୍ତି । ତା ଛଡ଼ା ଗ୍ରାହକ ଯେଉଁ ବିଶେଷ କାରଣଟି ପାଇଁ ତାକୁ ଭଲ ପାଆନ୍ତି ତାହା ହେଲା ତାର ପରିଷ୍କାର ପରିଛନ୍ନତା ।

କାଲୁ ବିହାରୀର ସ୍ୱଭାବ ଅତି ଶାନ୍ତ ଏବଂ ସରଳ । କଥାବାର୍ତ୍ତା ମଧ୍ୟ ଅତି ସୁନ୍ଦର । ମୋଟ ଉପରେ କାଲୁ ଅତ୍ୟନ୍ତ ମେଳାପୀ । ଏଇଥିପାଇଁ ତା ବେପାର ଭଲ ଚାଲେ । ଝିଅମାନେ ତାକୁ ସ୍ନେହରେ କାଲୁଭାଇ ବୋଲି ଡାକନ୍ତି, ସେ ମଧ୍ୟ ଜଣେ ବଡ଼ ଭାଇର ସ୍ନେହ ସମସ୍ତଙ୍କୁ ଯଥା ସମ୍ଭବ ଦେଇ ଆସିଛି । ଖାଲି ଝିଅମାନେ ଯେ ତାର ଗ୍ରାହକ ତା ନୁହେଁ, ପୁଅପିଲାମାନେ ମଧ୍ୟ ତାର ନିୟମିତ ତା ଗୁପ୍‌ଚୁପ୍‌ର ମଜା ନିଅନ୍ତି । ଏହି ସ୍ନେହ ସମ୍ପର୍କ ଭିତରେ ସେ ଭୁଲି ଯାଇଛି ନିଜ ଜନ୍ମ ମାଟି, ସେ ଭୁଲି ଯାଇଛି ଭାଇବନ୍ଧୁ କୁଟୁମ୍ବ ।

କାଲୁ ଅନେକ ଦିନରୁ ନିଷ୍ପତ୍ତି ନେଇସାରିଛି ଏହି ଓଡ଼ିଶା ମାଟିରେ ଶେଷ ନିଃଶ୍ୱାସ ନେବ । ଏହି ଓଡ଼ିଶାର ପାଣିପବନ ହିଁ ତା ଇହ ଆଉ ପରକାଳର ସାଥି । ସେଥିପାଇଁ ତା କଷ୍ଟ ଅର୍ଜିତ ଅର୍ଥ ମାଧ୍ୟମରେ ଘର କରିବାପାଇଁ ଜାଗା ଖଣ୍ଡିଏ କିଣିଛି । ପୁରା ଦୁଇଲକ୍ଷ ଟଙ୍କା । ମୁଣ୍ଡଝାଳ ତୁଣ୍ଡରେ ମାରି ଏବଂ ପେଟ କାଟି ସେ ଏହି ଟଙ୍କା ସଞ୍ଚୟ କରିଥିଲା । କଥାରେ ଅଛି ମାଟି, କନ୍ୟା ଆଉ ଗାଈ ଭାଗ୍ୟରେ ଥିଲେ ମିଳେ । ଏହି ମାଟି ମୁଠାକ ତ ମଣିଷର ପରିଚୟ । ଏହି ମାଟି ପାଇଁ ତ ଯେତେସବୁ ମାନ ଅଭିମାନ , ଗର୍ବ ଅହଂକାର, ଦୁଃଖସୁଖ, ହଣାକଟା, ଯୁଦ୍ଧ, ରକ୍ତପାତ ଇତ୍ୟାଦି ଇତ୍ୟାଦି ।

ଲକ୍‌ଡାଉନ୍‌ର ଠିକ୍‌ ମାସକ ଆଗରୁ ଏହି ଜାଗା ଖଣ୍ଡିକ କିଣିଥିଲା କାଲୁ । ଏହି ମାଟି ଖଣ୍ଡକ ତା ପାଇଁ ସବୁକିଛି, ତା ବର୍ତ୍ତମାନ ଏବଂ ଭବିଷ୍ୟତ । ଏହି ମାଟି ଖଣ୍ଡିକ ପାଇଁ ସେ ଦେଖିଥିଲା ଅନେକ ସ୍ୱପ୍ନ । ଆଜିର ଦିନରେ ଜଣେ ଗୁପ୍‌ଚୁପ୍‌ବାଲା ବାହାର ରାଜ୍ୟକୁ ଆସି ଜାଗା ଖଣ୍ଡିଏ କିଣିବା କିଛି କମ ବଡ କଥା ନୁହେଁ । ସମୟଥିଲା ଦୁଇ ବେଳା ଦୁଇ ମୁଠା ଖାଇବା ପାଇଁ ସେ ଅନେକ କଷ୍ଟ ସହିଛି । ପିଲାବେଳେ ସେ ବାପାଙ୍କୁ ହରେଇଥିଲା ଏବଂ ପନ୍ଦର ବର୍ଷ ବୟସରେ ମାଙ୍କୁ ହରେଇଲା । ବିହାର ଭଳି ଗୋଟିଏ ଅତ୍ୟନ୍ତ ଗରୀବ ରାଜ୍ୟରେ ଜଣେ ଗରୀବର ଦୁଃଖ କଣ ତାହା ଅଙ୍ଗେ ଲିଭେଇଥିବା ଲୋକ ହିଁ ବୁଝିପାରିବ । ଠେଲାରେ ପରିବା ବିକି ବଡ ଭାଇଙ୍କ ପରିବାର ଚଳେ । କାଲୁ ପିଲାବେଳୁ ଭାରୀ ସ୍ୱାଭିମାନୀ । ସେ ଚାହିଁଲାନି ବଡ଼ ଭାଇଙ୍କ ଉପରେ ବୋଝ ହେବା ପାଇଁ, ସେଥିପାଇଁ ସେ ସେହି ପନ୍ଦର ବର୍ଷ ବୟସରେ ରାଜ୍ୟ ଛାଡିଥିଲା । ନିଜ ଗାଁର ଜଣେ ସମ୍ପର୍କୀୟ ଭାଇ ସାଙ୍ଗରେ ସେ ଚାଲିଆସିଲା ଓଡ଼ିଶା । ପ୍ରଥମେ ବର୍ଷେ ଦୁଇ ବର୍ଷ ସେ ସେହି ସମ୍ପର୍କୀୟଙ୍କ ସାଙ୍ଗରେ ରହି ଗୁପଚୁପ ବିକିଲା ଏବଂ ପରେ ନିଜେ ଗୋଟିଏ ଠେଲାରେ ବେପାର ଆରମ୍ଭ କଲା । ତା ପରଠାରୁ ସେ ଆଉ ପଛକୁ ଫେରି ଚାହିଁନାହିଁ ।

ଲକ୍‌ଡାଉନ୍‌ ଦୁଇ ମାସ ଭିତରେ ପାଖରେ ଯାହା କିଛି ସମ୍ବଳ ଥିଲା ସବୁ ସରି ଗଲାଣି । ବାହାର ରାଜ୍ୟର ହୋଇଥିବାରୁ ଓଡିଶା ସରକାରଙ୍କ ତରଫରୁ ମଧ୍ୟ କିଛି ସାହାଯ୍ୟ ମିଳି ପାରୁନାହିଁ । କିଛି ସମାଜସେବୀ ସଂସ୍ଥା ଚୁଡା,ଚାଉଳ , ଡାଲି ଇତ୍ୟାଦି ବାଣ୍ଟୁଛନ୍ତି, ପ୍ରତିବଦଳରେ ନିଜର ପ୍ରଚାରପ୍ରସାର ପାଇଁ ସାହାଯ୍ୟର ପ୍ରମାଣ ସ୍ୱରୂପ ଫଟୋ ଉଠାଇ ନେଉଛନ୍ତି । କାଲୁ ବିହାରୀ ଯିଏ ନିଜ ସ୍ବାଭିମାନ ପାଇଁ ପନ୍ଦର ବର୍ଷ ବୟସରେ ଭିଟାମାଟି ଛାଡିଛି, ସେ ଏଭଳି ସାହଯ୍ୟ ଗ୍ରହଣ କରିବା ପାଇଁ ଚାହିଁଲାନି…. ତା ବିବେକ ମନା କଲା । ତେଣୁ ସେ ନିଜ ପରିବାର ପ୍ରତିପୋଷଣ ପାଇଁ ଅନ୍ୟ କିଛି ବିକଳ୍ପ ଖୋଜୁଥିଲା ।

ସେ ନିଜ ଗୁପ୍‌ଚୁପ୍‌ ତଥା ପରିବାର ପାଇଁ ଅନାଦି ପାତ୍ର ଦୋକାନରୁ ଜିନିଷପତ୍ର କିଣାକିଣି କରେ । ଏଇ ସପ୍ତାହେ ହେଲା ସେ ତା ଠାରୁ ଧାର ସୁତ୍ରରେ ଜିନିଷ ଆଣି ପରିବାର ପ୍ରତିପୋଷଣ କରୁଛି । କିନ୍ତୁ ଏବେ ଅନାଦି ପାତ୍ର ବି ରୋକ୍‌ଠୋକ୍‌ ମନା କରିଦେଲାଣି ଧାର ଦେବା ପାଇଁ । ସେ ବି ତା ହିସାବରେ ଠିକ କହୁଛି । କାରଣ ମୁହଁ ମୁଲୁଜାରେ ବେପାର ବୁଡି ଯାଏ । ଅନାଦି ପାତ୍ର ଅବଶ୍ୟ ଚଳିବା ପାଇଁ ଗୋଟିଏ ପ୍ରସ୍ତାବ ଦେଇଛି…..ଜାଗା ବିକ୍ରି କରିବାର ପ୍ରସ୍ତାବ ।

ଘରେ ଯତକିଂଚିତ ଗହଣା ଥିଲା ଜାଗା କିଣା ବେଳେ ବନ୍ଧକ ପଡି ସାରିଛି । ଭାବିଥିଲା ସୁବିଧା ସୁଯୋଗ ଦେଖି ମୁକଳେଇ ଦେବ । ଏବେ ସେ ବିଷୟରେ ଚିନ୍ତା ବି କରି ହେଉନି । ପତ୍ନୀ ସାବିତ୍ରୀ ମଧ୍ୟ ଜାଗା ବିକ୍ରି କରିବା ପାଇଁ କେତେ ଥର କହିଲାଣି । ଜାଗା ବିକ୍ରି କଥା ଶୁଣିଲେ ତା କାନ ମୁଣ୍ଡା ଝାଉଁ କରେ, ଆଖିରୁ ତତଲା ନିଆଁ ବାହାରିଯାଏ । ଘର ଖଣ୍ଡିଏ ପାଇଁ ସେ କେତେ ଯେ ସ୍ୱପ୍ନ ନ ଦେଖିଛି । ସତରେ କଣ ତାର ସ୍ୱପ୍ନ ଏମିତି ପାଣି ଫୋଟକା ପରି ପାଣିରେ ମିଳେଇ ଯିବ । ସତରେ କଣ ତା ଜୀବନଟା ଏମିତି ଭଡ଼ା ଘରେ ରହି ରହି ଚାଲିଯିବ । ମନ ବିଚଳିତ ହୋଇ ପଡୁଥାଏ । ସାବିତ୍ରୀ ପିଲା ଦୁଇଟିକୁ ଧରି କେତେବେଳୁ ଶୋଇପଡିଲାଣି । ହେଲେ ତା ଆଖିକୁ ନିଦ ନାହିଁ । ଆଜି ମାଆ କଥା ଭାରି ମନେ ପଡୁଛି । ପର ଘରେ କାମ କରି ତାକୁ ଏଡୁଟିଏରୁ ଏଡେଟିଏ କରିଛି । ନିଜେ ଭୋକିଲା ରହି ତାକୁ ଖାଇବାକୁ ଦେଇଛି । ଅଭାବ ଅନାଟନ ଯୋଗୁଁ ଭଲରେ ଗଣ୍ଡେ ଖାଇବା କି ଭଲରେ ଖଣ୍ଡେ ପିନ୍ଧିବା ପାଇଁ ସିନା ସେ ଦେଇପାରି ନ ଥିଲା, ହେଲେ ନିଜ ପ୍ରାଣ ଦେଇ ଭଲପାଇବା ଦେଇଥିଲା । ବଡଘର ବାପାମାଆ ମାନେ ନିଜ ପିଲାଙ୍କୁ ଖୁସି କରିବା ପାଇଁ ବ୍ୟୟ ବହୁଳ ଜନ୍ମଦିନ ପାଳନ କରୁଛନ୍ତି, ଦାମି ଚକୋଲେଟ୍‌ ଏବଂ ଆଇସ୍କ୍ରିମ୍‌ ଖାଇବାକୁ ଦେଉଛନ୍ତି, ଦାମୀ ଖେଳନା ସାଙ୍ଗକୁ ଦାମୀ ଉପହାର ମଧ୍ୟ ଦେଉଛନ୍ତି । ସେ ସବୁ ତା ପାଇଁ ସାତ ସପନ ଥିଲା । ହେଲେ ମାଆ ଯେତେବେଳେ ନିଜ ଛାତିରେ ଜାକି ଧରି ବାପାରେ ଧନରେ କହି ଆଖିରୁ ଝର ଝର ଲୁହ ଗଡେଇ ନିଜର ଭଲ ପାଇବାକୁ ଜାହିର କରୁଥିଲା, ସେ ସବୁ କିଛି ଭୁଲି ଯାଉଥିଲା । ନିଜକୁ ଧନ୍ୟ ମନେ କରୁଥିଲା । ସେହି ଦୁଇ ଧାର ଲୁହରେ ସେ ନିଜ ସ୍ୱପ୍ନ ଖୋଜୁଥିଲା, ନିଜ ପୃଥିବୀ ଦେଖୁଥିଲା । ଦୁଃଖ ସମୟରେ ସେ ନିଜ ମାଆକୁ ଏମିତି ମନେ ପକେଇ ଦୁଃଖ ଲାଘବ କରେ । ମାଆ କହୁଥିଲେ ବଜରଙ୍ଗୱାଲି ଭଗବାନ କୁଆଡେ ବିପଦ ସମୟରେ ଶକ୍ତି ଦିଅନ୍ତି, ମହାବିପତ୍ତିରୁ ଉଦ୍ଧାର କରନ୍ତି । ସେଥିପାଇଁ ସେ ସବୁଦିନ ହନୁମାନ ଚାଳିଶା ପାଠ କରେ । ସମୟ ସୁବିଧା ଦେଖି ପାଖରେ ଥିବା ହନୁମାନ ମନ୍ଦିରରେ ଭୋଗ ଚଢାଏ । ସେ ନିଷ୍ପତ୍ତି କଲା ରାତି ପାହିଲେ ଗାଧୋଇ ପାଧୋଇ ପ୍ରଭୁ ପବନସୂତ ହନୁମାନଙ୍କୁ ଦର୍ଶନ କରିବ । ଏମିତି ଠାକୁରଙ୍କ କଥା ଭାବି ଭାବି କେତେବେଳେ ଆଖିରେ ନିଦ ଆସିଗଲା ସେ ନିଜେବି ଜାଣି ପାରିଲାନି ।

ସକାଳ ପାହିଲା । କାଉ କା କା ରାବିଲା । କାଲୁର ନିଦ ଭାଙ୍ଗିଗଲା । ଓଃ କି ପବିତ୍ର ସକାଳ, ନିର୍ମଳ ଆକାଶ ସାଙ୍ଗକୁ ଲୋହିତ ଛବି…….ଅଥୟ ମନକୁ କିଛିଟା ଆସ୍ୱସ୍ତ ଲାଗିଲା । ସତରେ ଏହି ଭୀଷଣ ମହାମାରୀ ପ୍ରଦୂଷଣ ମୁକ୍ତ ପରିବେଶଟିଏ ସୃଷ୍ଟି କରିବାରେ ବେଶ ସହାୟକ ହୋଇଛି । କାଳ ବିଳମ୍ବ ନ କରି ସେ ଗଧୋଇ ପାଧୋଇ ହନୁମାନ ଭଗବାନଙ୍କ ଦର୍ଶନ ପାଇଁ ବାହାରି ପଡିଲା । ଘରୁ ବାହାରିଲା ବେଳେ ପଡିଶା ଘରର କାଳି ଗାଈଟା ହମ୍ବା ରଡି ଛାଡୁଥାଏ , ପାଖ ଗଛରେ ଚଢେଇ କିଚିରି ମିଚିରି ଗୀତ ଗାଉଥାନ୍ତି ।

ମନ୍ଦିରରେ ପହଞ୍ଚିବା ମାତ୍ରେ ସାଷ୍ଟାଙ୍ଗ ପ୍ରଣାମ କରି ବଜରଙ୍ଗୱାଲିଙ୍କୁ ନିଜ ଗୁହାରୀ ଜଣେଇଲା । ମନ୍ଦିର ବେଢାରେ ବସି ହନୁମାନ ଚାଳିଶା ପାଠକଲା । ଧିରେ ଧିରେ ସେ ଶାନ୍ତି ଅନୁଭବ କଲା । ମନର ବିଶ୍ୱାସ ଏବଂ ଭକ୍ତି ହିଁ ସବୁଠାରୁ ବଡ ସମ୍ପତ୍ତି ଏହା ସେ ଅନୁଭବ କରିବାକୁ ଲାଗିଲା ।

ଏମିତି ଏକ ପବିତ୍ର ମନ କିନ୍ତୁ ଅନିଶ୍ଚିତ ଭବିଷ୍ୟତ ମୁଣ୍ଡରେ ମୁଣ୍ଡେଇ ଘରକୁ ଫେରିଲା । ଆସି ଦେଖିଲା ଘର ଆଗରେ ତିନି ଚାରିଟି ଟେମ୍ପୁ ଗାଡି ଏବଂ କିଛି ପୁଅଝିଅଙ୍କର ଭିଡ । ଆରେ ଏମାନେ ତ ସମସ୍ତେ ତାର ଗ୍ରାହକ, କଲେଜର ଛାତ୍ରଛାତ୍ରୀ ! କଥା କଣ, ଏତେ ଭିଡ କାହିଁକି ? ଯାହା ଦେଖିଲା ଆଖିକୁ ବିଶ୍ୱାସ କରି ପାରିଲାନି । ସେମାନେ ଆଜି ବିପଦରେ ତା ପାଖରେ ଠିଆ ହୋଇଛନ୍ତି ଏକ କ୍ୱିଣ୍ଟାଲିଆ ବସ୍ତାରେ ବସ୍ତେ ଚାଉଳ, ପଚିଶ କେଜି ଡାଲି, ଦୁଇ ପ୍ୟାକେଟ ଆଳୁ, ଗୋଟିଏ ପ୍ୟାକେଟ ପିଆଜ, ଏକ ଟିଣ ତେଲ, ଆହୁରି କେତେ କଣ । ଭଗବାନ ଏମିତି ମଣିଷ ବେଶରେ ଯୁଗେ ଯୁଗେ ଅବତାର ଗ୍ରହଣ କରିଥାନ୍ତି ବୋଲି ସେ ଶୁଣିଥିଲା, ହେଲେ ଆଜି ଆଖିରେ ଦେଖିଲା । ଏଠି ନା ଥିଲା ଫଟୋ ଉଠାଇ ପୁଣ୍ୟ ଅର୍ଜନ କରିବାର ପ୍ରୟାସ, ନା ଥିଲା ଧନ୍ୟବାଦ ଦେଇ କୃତଜ୍ଞତା ଜଣେଇବାର ପ୍ରଚେଷ୍ଟା । ଏଠି କେବଳ ଥିଲା ଢେର୍‌ ସାରା ଭଲ ପାଇବା ଏବଂ ଆନ୍ତରିକତା । ଆନନ୍ଦରେ ତା ଆଖିରୁ ଦୁଇ ଧାର ଲୁହ ଆପେ ଆପେ ବୋହିଗଲା ।

ଲୋକପ୍ରିୟ ଲେଖା

To Top