ଗଳ୍ପ

ଗୁରୁ ଦିବସ

Jyoti Prakash's Odia Story Guru Dibasa

ଅଶୋକ ରାଉତ ପ୍ରସ୍ତାବ ଦେଲା- ପୁପୁ, ଚାଲ୍ ଏଥର ଜମାଣିଆ ଗୁରୁ ଦିବସ କରିବା । ଆମର ତ ଏ କଲେଜରେ ସମୟ ସରି ଯାଉଛି । ଏଇଟା ଶେଷ ବର୍ଷ । ଆଶୀର୍ବାଦ ନେବା ସଭିଙ୍କଠାରୁ ।

ଗୁରୁ ଦିବସ

କଲେଜ ବେଳେ…

ଆମ ବଟାନି ଡିପାର୍ଟମେଣ୍ଟଟା ଯାଜପୁର କଲେଜରେ ଥିଲା ଗୋଟେ କଣକୁ । ପାଖକୁ କେମେଷ୍ଟ୍ରି । ଉପରେ ଜୁଲୋଜି । ପ୍ରଥମ ବର୍ଷ ଅନର୍ସ ପଢିଲା ବେଳକୁ ଏତେଟା ମାମଲତି ନଥିଲା । ସେତେବେଳେ ସିନିଅରଙ୍କୁ ଭାରି ସମ୍ମାନ । ଭାଇ, ଦିଦି ଡାକ । ଦ୍ୱିତୀୟ ବର୍ଷକୁ ସଭିଏଁ ମିଶିମାଶି ଗଲେ । ତୃତୀୟ ବର୍ଷ ପଢିଲା ବେଳକୁ ଦାୟିତ୍ୱ ଆମ ଉପରେ ପଡ଼ିଲା ।

ଗଣେଷ ପୂଜା, ସରସ୍ୱତୀ ପୂଜା । ସେମିନାର । ପିକ୍ନିକ୍ ।

କଲେଜରେ କ୍ଲାସରେ ଅଧ୍ୟାପକ କି ମ୍ୟାଡାମ୍ମାନଙ୍କୁ ଦେଖିଲେ ମୁଣ୍ଡ ତଳକୁ କରି ଆମେ ଚାଲିଯାଉ । ସେମାନଙ୍କ ବ୍ୟକ୍ତିତ୍ୱ ବି ସେମିତି ଥିଲା । ହାଉଦାଉ । ଏବେ କା କଥା ମୁଁ ଲେଖୁନି ।

ଅଶୋକ ରାଉତ ପ୍ରସ୍ତାବ ଦେଲା- ପୁପୁ, ଚାଲ୍ ଏଥର ଜମାଣିଆ ଗୁରୁ ଦିବସ କରିବା । ଆମର ତ ଏ କଲେଜରେ ସମୟ ସରି ଯାଉଛି । ଏଇଟା ଶେଷ ବର୍ଷ । ଆଶୀର୍ବାଦ ନେବା ସଭିଙ୍କଠାରୁ ।

ସେଇ ଅନୁସାରେ ପ୍ରସ୍ତୁତି ଚାଲିଲା । ଏଚ୍ଓଡି ଥାଆନ୍ତି ସୁଧୀର ସାର୍ । ସାର୍ ଏବେ ଆର ପାରିରେ । ସାରଙ୍କୁ ଯାଇ ପ୍ରସ୍ତାବ ଦେଲୁ । ସାରଙ୍କ ଗମ୍ଭୀର ସ୍ୱର- ଏଇଟା ତମମାନଙ୍କ କାମ । ଆମେ କଣ କରିବୁ ?

ସେତିକି ବି ଢେର ଉତ୍ସାହ ଦେଲା । ସବୁ ସାର୍, ମ୍ୟାଡାମ୍ ଆସିବା ପାଇଁ ସମ୍ମତି ଜଣାଇଲେ । ବଟାନି ମାନେ ଗଛ, ଫୁଲର ଆସର । ସେଇ ଗଛ, ଫୁଲକୁ ନେଇ ସେମିନାର ରୁମ ସଜାଗଲା ।

ସରୋଜ ଠିକ ତା’ ପୂର୍ବରୁ ଆସି ମତେ ଖବର ଦେଲା- ଦେବକୀ ମ୍ୟାଡାମ୍ ବୋଧେ ଆସିବେନି । ମ୍ୟାଡାମ୍ କୁଆଡ଼େ ଯିବେ ବୋଲି କହୁଛନ୍ତି ।

ଦେବକୀ ମ୍ୟାଡାମଙ୍କୁ ଛାଡ଼ି ଗୋଟେ ଉତ୍ସବ ବିଭାଗରେ କରିବା ସ୍ୱପ୍ନ । ମ୍ୟାଡାମ୍ ଜେନେଟିକ୍ସ ଯେତେ ସହଜ ଢଙ୍ଗରେ ପଢାଉ ଥିଲେ, ସେତିକି ମମତା ଡୋରିରେ ସଭିଙ୍କୁ ବାନ୍ଧି ରଖିଥିଲେ ।

ମ୍ୟାଡାମ୍ ରହୁଥିଲେ କିଆନାଳି ଛକ ପାଖେ । ଭଙ୍ଗା ବଜାଜ୍ ସ୍କୁଟରଟେ ଥିଲା ଆମ ଘରେ । ମୁଁ ଯାଇ ପହଁଚିଲା ବେଳକୁ ମ୍ୟାଡାମ୍ ବ୍ୟାଗ୍ ପ୍ୟାକ୍ କରି ସାରିଲେଣି ।

– କଣ ହେଲା ? କୁଆଡ଼େ ମାଡ଼ି ଆସିଲ ଅଚାନକ ?

କାହା ମୁହଁରୁ ଏ ପ୍ରଶ୍ନର ଉତର ବାହାରିଲାନି ।

– କଣ ହେଲା କହୁନ ?

– ମ୍ୟାଡାମ୍ । ଚାଲନ୍ତୁ । ଗୁରୁ ଦିବସକୁ । ମୁଁ କହିଲି ।

– ନାଇଁରେ ଆଜି ରବିବାର । ମୁଁ ଟିକେ ଭୁବନେଶ୍ୱର ଯିବି । ସାରଙ୍କ ଦେହ ଭଲ ନାହିଁ ପରା ।

ପୁଣି ନିରବତା ।

ମୁଁ ମୁହଁ ଖୋଲିଲି- ମ୍ୟାଡାମ୍, ଆମ ଶେଷ ବର୍ଷ । ଆ’ପରେ ଆମେ କୁଆଡ଼େ ଯିବୁ ତା’ର ଠିକଣା ନଥିବ । ଆଉ ଦେଖା ହେବା ବି ମୁସ୍କିଲ୍ ।

ଆପଣ ନ ଗଲେ ଜମା ଭଲ ଲାଗିବନି ।

– ଶେଷ ବର୍ଷ କଣ କିରେ ? ଆ’ ପରେ ପିଜି କରିବ । ରେଭେନ୍ସା କି ଉତ୍କଳରେ । ଦେଖା ହେବନି କାହିଁକି ? ମ୍ୟାଡାମ୍ କହିଲେ ।

– ନାଇଁ । ଆପଣ ଚାଲନ୍ତୁ । ଏତକ କହିଲା ବେଳକୁ ମୋ ଆଖି ପତା ଓଦା ହୋଇ ଆସିଲା । ଆପଣ ତିନି ବର୍ଷ ହେଲା ଝାଳନାଳ ଏକାଠି ହୋଇ ଚାରି, ଚାରି ଘଂଟା କ୍ଲାସ୍ ଏକାଥରେ ନେଇଛନ୍ତି । ମ୍ୟାଡାମ୍ ଚାଲନ୍ତୁ ।

ମ୍ୟାଡାମ୍ ଲକ୍ଷ୍ୟ କଲେ ମୋ ଆଖିର ଉଷ୍ମତାକୁ । କହିଲେ- ପାଗଳଟା କିରେ । ଗୁରୁ-ଶିଷ୍ୟ ସମ୍ପର୍କ କଣ କେବେ ସରିଯାଏ ପାଠପଢା ସରିଲା ପରେ । ସିଏ ପା’ ଗୋଟେ ଭୂତ । ଯା’ ସ୍ପିରିଟ୍ ଜୀବନଯାକ ବଞ୍ଚି ରହିବ ।

– ଯା । ସ୍କୁଟର୍ ଷ୍ଟାର୍ଟ କରେ ।

ସେଇ ଶେଷ ବର୍ଷ ମ୍ୟାଡାମ୍ ଆମ ପିଲାଙ୍କୁ ନେଇ ସିନେମା ଯାଇଛନ୍ତି । ସାଂସ୍କୃତିକ ଉତ୍ସବ ପାଇଁ ଆମ ସାେଙ୍ଗ ନାଚିଛନ୍ତି । କୋରସ୍ ଗାଇଛନ୍ତି । କେବେ ହେଲେ ଜଣାଇ ଦେଇ ନାହାନ୍ତି- ଆମ ସମୟ ଯାଜପୁର କଲେଜରେ ସରି ଯାଉଛି ବୋଲି ।

ମୋ ସାର

କୋଉ ସାରଙ୍କ କଥା ମୁଁ ଲେଖିବି । ଛୋଟ ବେଳେ ଗାଁ ସ୍କୁଲରେ ପଢୁଥିଲି । ଚାଳ ପଛର ଘରେ ଚତୁର୍ଥ, ପଞ୍ଚମ ଶ୍ରେଣୀ ପରସ୍ପରକୁ ପିଠି କରି ବସୁ । ଶିବ ସାର୍ (ଶିବ ନାରାୟଣ ସାହୁ) ସେଇ ବକୁଟେ ମଫସଲି ଗାଁରେ ଗୋଟେ ବାଡ଼ି ଭିତରେ କମଳାଟେ ଭର୍ତି କରି ଆମକୁ ବୁଝେଇ ଦେଇଥିଲେ ପୃଥିବୀ କେମିତି ତା’ ଅକ୍ଷ ଚାରି ପାଖେ ଘୁରେ । ସପ୍ତମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ପାଇଁ ଆମେ ଦୂର ସ୍କୁଲକୁ ଯାଉଥିଲୁ । ଯେତେ ରାତିରେ ଉଠିଲେ, ସାର୍ ସେମିତି ଚାହିଁଥିବେ । ଏକ କରିବା ପାଇଁ ଟର୍ଚ୍ଚ ଦେଖାଇବେ ।

ଦି ବର୍ଷ ତଳ ଦୂର୍ଗା ପୂଜା ଛୁଟିରେ ମୁଁ ଗଲା ବେଳକୁ ସାରଙ୍କ ଦେହ ଖରାପ ହୋଇ ଗଲାଣି । ମତେ ଆଉଁଷି ପକେଇଲେ । କହିଥିଲେ- ଆସୁଥୁବୁ ରେ । କଣ କେତେବେଳେ ହୋଇଯିବ । ଆଉ ଗଲା ବର୍ଷ ସତକୁ ସତ କଣ ହୋଇ ବି ଗଲା । ସାର୍ ନା ଛକକୁ ଆଉ ଆସୁଛନ୍ତି । ନା ଚାହା ପିଉଛନ୍ତି । ଖାଲି ଯାହା ସ୍ମୃତି ।

ହାଇସ୍କୁଲକୁ ମୁଁ ଯାଜପୁର ଆସିଲି । ଓଡ଼ିଆ ଭାଷା ପ୍ରତି ଟିକେ ଦୁର୍ବଳତା ଥାଏ । ପ୍ରମିଳା ମ୍ୟାଡାମ୍ ଘରକୁ ଡାକି ମତେ ଶିଖେଇ ଦେଇଥିଲେ ଓଡ଼ିଆ କେମିତି ଲେଖିବ । ମାନିନୀବାଳା ମହାନ୍ତି ମ୍ୟାଡାମ୍ ମତେ ଏତେ ଭଲ ପାଆନ୍ତି ଯେ, ତାଙ୍କ ଘରକୁ ନେଇ ଯାଆନ୍ତି । ସେଇଠି ଲଣ୍ଠନ ଆଲୁଅରେ ଗୋଟେ ମଫସଲ ଧୋଇଆ ଗାଁ ପାଟପୁରରେ ମତେ ପଢାନ୍ତି । ଖୁଆଇ ଦିଅନ୍ତି ।

କଲେଜରେ ମ୍ୟାଥମେଟିକ୍ସରେ ବଳିଆରସିଂ ମ୍ୟାଡାମ୍ ଥିଲେ । ଅଙ୍କରେ ମୁଁ ଗଧ । ମ୍ୟାଡାମ୍ ମୋ ବାପାଙ୍କ ଛାତ୍ରୀ ଥିଲେ ବାଲେଶ୍ୱରରେ । ପ୍ଲସ ଟୁ’ ପରୀକ୍ଷା ଆଗରୁ ମତେ ନେଇ ସେଇ ହିଁ ଅଙ୍କର ଭୂଗୋଳ ଶିଖାଇ ଥିଲେ ।

ସାମ୍ବାଦିକତା ପଢା

କେମିତି ମୁଁ ସାମ୍ବାଦିକତା ପଢିଲି ସେ ଅଲଗା ଗପ । ସାମ୍ବାଦିକତା ପଢିବା ପାଇଁ ଯେତେବେଳେ ଢେଙ୍କାନାଳ ଗଲି ଦେଖିଲି ନେମପ୍ଲେଟ ମରା ହୋଇଛି ମୃଣାଳ ଚାଟାର୍ଜୀ । ମୃଣାଳ ବୋଲି ଜଣେ ଲେଖକଙ୍କ ଗପ ମୁଁ ନିୟମିତ ପଢେ । ରଙ୍ଗବତୀ, ନବଘନ ଉପାଖ୍ୟାନ ପଢି ହସେ । ତାଙ୍କୁ ମୁଁ ପ୍ରଥମ ଦିନରେ ପଚାରି ଥିଲି- ଆପଣ ସେଇ ମୃଣାଳ ନୁହଁନ୍ତି ତ ଯିଏ ଗପ ଲେଖନ୍ତି ।

ସାର୍ କହିଥିଲେ – ହଁ । ମୁଁ ପରା ବହୁରୂପୀ । ହସିଥିଲେ ବେଦମ୍ ବି ।

ଜୀବନର ଗଲା ୧୫ ବର୍ଷରେ ଯୋଉଠି ଯେମିତି ସାହା ଦରକାର ହୋଇଛି ସାରି ଅଯାଚିତ ସାହାଯ୍ୟ କରିଛନ୍ତି । ତାଙ୍କ ପରି ମଣିଷ ବିରଳ । ନା କାହା ବିରୋଧରେ ପଦୁଟିଏ କହନ୍ତି । ନା ନିଜ ପ୍ରଶଂସା ଧାଡ଼ିଏ ଶୁଣନ୍ତି । ସତତ ନିର୍ଲିପ୍ତ ମଣିଷ ସେ ।

ଶେଷ କଥା-

କିଛି ଦିନ ତଳେ ଦିନାନାଥ ପାଠୀ ସାର୍ ଚାଲିଗଲେ । ମୁଁ ଥରେ ତାଙ୍କ ସାକ୍ଷାତକାର ନେବା ପାଇଁ ଯାଇଥାଏ । ସାର୍ ମତେ ନେଇ ବସେଇଲେ । କହିଲେ – କୁହ । କଣ ପଚାର ।

ସାକ୍ଷାତକାର ଶେଷକୁ କହିଥିଲେ- ଦିଗପହଣ୍ଡି ମୋ ଘର । ମୋ ପରିଚୟ ଦେବ ଦିଗପହଣ୍ଡିର ଡ୍ରଇଁ ମାଷ୍ଟ୍ରେ । ସେତିକି ଯଥେଷ୍ଟ ହେ !

ଖବରକାଗଜରେ ମୁଁ ହେଡ୍ଲାଇନ୍ ଦେଇଥିଲି- ଲୁହ, କୋହ, ହସରେ ମୁଁ ଜୀଏଁ, ଏକା, ଏକା ଏବଂ ଏକା- ଦିଗପହଣ୍ଡିର ଡ୍ରଇଁ ମାଷ୍ଟ୍ର । ଶେଷ ବିଦାୟ ଶ୍ରେଷ୍ଠ ଚିତ୍ରକର ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top