ହାଡୁ ପଛକୁ ଫେରିଚାହିଁଲା ।
ନା କେହି ତାକୁ ଦେଖୁନାହାନ୍ତି କେହି ଡାକୁ ନାହାନ୍ତି । କେହି ବି ତାକୁ ଅଟକଉ ନାହାନ୍ତି । ସିଏ ଲୋକମାନଙ୍କ ଗହଳିରୁ ବାହାରିଯିବାକୁ ଛାହିୁଁଚି । ଏମିତି ଚାଲିଯିବାର ଭୟ ତା’ ନିଜ ପାଇଁ ନୁହଁ , ବଂର ତା ତୀର୍ଲାଟା ପାଇଁ ଏମାନଙ୍କ ଖରାପ ନଜର ତା ସ୍ତ୍ରୀ ଅମା ଉପରେ ନ ପଡୁ । ଯେଉଁମାନେ ତାକୁ ଚିଡିଆଖାନାର ଜନ୍ତୁଟିଏ ପରି ଦେଖୁଛନ୍ତି । ତା’ପରେ ବିଚାରୀ ଅମାକୁ ସିଏ ପ୍ରଥମ କରି ସାଙ୍ଗରେ ଧରି ସହର ଡାକ୍ତରଖାନାକୁ ଆସିଥିଲା ।
ହାଡୁ ଭାବିଲା ଅମା କ’ଣ ତା’ ଜୀବନରେ କେବେ ତା’ ମୂଲକ ଛାଡି ବାହାରକୁ ଆସିଛି ଯେ ଏତେବଡ ସଂସାରଟାକୁ ଦେଖିବ । ଯିଏ ତା’ ଖପରଲି ଘରକୁ ନେଇ ଝଡବତାସ ଆଗରେ ଦମ୍ଭ ଦେଖାଏ ସିଏ ଏ ସହରର କୋଠାବାଡି ଦେଖିନାହିଁ । ଯିଏ ନିଜ ସ୍ୱାମୀର ଦିହମେହନ୍ତ ପଇସାରେ ଛୋଟ ସୁଖର ସ୍ୱପ୍ନ ଦେଖେ ସିଏ ବା କଉଠୁ ଦେଖିବ କୋଟି କୋଟି ଲୁଟୁଥିବା ମାଲ୍ୟା କି ମାଲ୍ୟାଣୀଙ୍କୁ ! କେବେ ଯାନିଯାତରାରେ ପଦାକୁ ଗୋଡ କାଢିଲେ ପାହାଡ ଡଙ୍ଗାରର ଶୋଭା ଦେଖିଚି ସିନା ମାର୍ବଲ ଚଟାଣ କି ମୋଜାଇକ୍ ପାହାଚ ଦେଖିନାହିଁ । ତା’ ଛୋଟ ଘର ବାହାରେ ଯେଉଁ ଆଲୁଅ ଦେଖିଚି ତାହା ସୂର୍ଯ୍ୟ, ଚନ୍ଦ୍ରଙ୍କର କିନ୍ତୁ ରଙ୍ଗବେରଙ୍ଗର ବିଜୁଳିବତି ଦେଖିନାହିଁ । ମନକୁ ମନ କହିହେଲା ହାଡୁ –ଭୁଲ୍ କରିଚି , ମସ୍ତବଡ ଭୁଲ ମୁଁ କରିଚି । ଅମାଟା ଯେ ଏସବୁ ଦେଖି ଲାଜରେ ସଢିଯିବଣି । କି ବୁଦ୍ଧିରେ ତାକୁ ଏତେବାଟ ନେଇ ଆସିଲି ! ମାଇପି ଲୋକଟା କେବେ ବି ଚାହିଁ ନଥିଲା ଏ ସହର ବଜାର ବଡ ବଡ ଡାକ୍ତରଖାନାକୁ ଆସିବାକୁ ତା ଅରାଜି ସତ୍ତ୍ୱେ ତାକୁ ଏଠିକି ଆଣି ସତକୁ ସତ ସିଏ ଅପରାଧ କରିଚି ।
ଏବେ ହାଡୁକୁ ଗାଁକୁ ଫେରିବାକୁ ହବ । ଠିକ୍ ଭାବରେ ତାକୁ ଜଣାନାଇଁ ଗାଁ’ଟା ଏଠୁ କେତେ ଦୂର । କାହାକୁ ଏକଥା ପଚାରି ନାହିଁ । ତେବେ ଥରେ ପାହାଡରୁ ବାହାରିଗଲେ ସମୁଦ୍ର ମିଶିବା ଥୟ । ଏଇ ନ୍ୟାୟରେ ସିଏ ଆଗକୁ ଆଗକୁ ଯିବ । ତା’ ବିଶ୍ୱାସ କଉଠି ନା କଉଠି ତା’ ଗାଁ ନିଶ୍ଚୟ ଆସିବ । କେବେ ନା କେବେ ତା’ବାଟ ବି ସରିଯିବ । ଲୋକେ ଏଠି ସିନା ଗଛବୃଚ୍ଛ କାଟି ସହର କରିଛନ୍ତି ବୋଲି ଟାଇଁଟାଇଁଆ ଖରା ଦିହ ମନ ଜଳେଇ ଦଉଚି । ଏଇଠୁ ଟିକେ ଆଗକୁ ଚାଲିଗଲେ ଯେଉଁଠି ଗଛଲତା ଥିବ, ପିଚୁ କି କଂକ୍ରିଟ ରାସ୍ତା ନଥିବ କଣ୍ଟାଝଣ୍ଟା ଥିବ ଗାଡି ମୋଟର ନଥିବ । ଦିନରେ ସୂର୍ଯ୍ୟ, ରାତିହେଲେ ଚାନ୍ଦ ବାଟ କଢେଇ ନଉଥିବ ସେଇ ରାସ୍ତା ଧରି ପକାଇଲେ ତାକୁ ଆଉ ଡର କାହାକୁ ! ସେଇ ରାସ୍ତା କଡେ କଡେ ଠିଆ ହୋଇଥିବା ଗଛଲତାକୁ ତ ସିଏ ପଚାରି ପଚାରି ତା ଗାଁ ବାଟ ଧରି ପକେଇବ । ସିଏ ଜାଣେ ଏ କୋଠା ବାଡି, ପାହାଡ ଡଙ୍ଗର ଏମାନେ ତାର ସାଙ୍ଗ, ସହଚର ମନରେ ଭରସା ଅଛି ସେମାନେ ତାକୁ ଗାଁ ମେଲଘରା ବାଟରେ ମୁହେଁଇ ଦେବେ । କେବେ ମିଛ କହିବେନି କି ଭୁଆଁ ବୁଲେଇବେ ନାହିଁ ।
ହାଡୁ ଚିନ୍ତା କଲା ଏସବୁ ଅବଶ୍ୟ ତା’ କଥା । ଅମା ତ ଏବେ ଏକବାର ଚୁପ୍ । ହ-ଅ ସିଏ ବା କ’ଣ ଜାଣେ , ମାଇପି ଲୋକ ଏଠି କ’ଣ ଅଳସୀ ନା –କାନ୍ଦୁଲ କ୍ଷେତ ଅଛି -ନା ମହୁଲ ଫୁଲର ମହକ । ଯାହାର ପବନ ବାରି ସିଏ କହିଦେଇ ପାରିବ ଏଇଟା ନାକରୁଣ୍ଡି । ଆମ ପଞ୍ଚେଇତ ।
ହାଡୁ ତା’ ପଛେ ପଛେ ଧପାଳି ଥିବା ଝିଅକୁ ଚାହିଁଲା । ଆଜି ସିଏ ବି ମନମରା ଦିଶୁଚି ଉଆଁସୀ ମୁହଁଟା ଆହୁରି ମଳିନ ଦିଶୁଚି । ଅନେକ କାନ୍ଦିଚି ହେଲେ ଏବେ ଲୁହ ଶୁଖିଗଲାଣି । ହାତରେ ସିଏ ବୋହି ଚାଲିଚି ପାଣିଡବା, ପଟେଇ ମଶିଣା ଆହୁରି ତା’ ବୋଉର କେତେକ ଜିନିଷ । ଲୁଣ୍ଡେଇ ପୁଣ୍ଡେଇ ଧରିଚି । ବାପା ହିସାବରେ ସିଏ ଚିହ୍ନେ ତା’ ଝିଅକୁ । ଜାଳଗୋଛା ମୁଣ୍ଡେଇଛି, ଅଳସି କାନ୍ଦୁଲ ବୋହିଚି କଲ୍ୟାଣ ସିଂ ବଜାର ଯାଏ । ଏତକ ତା’ପାଇଁ ବେଶିଭାରି ପଡୁନଥିବ । ତେବେ ଛୁଆଟା କ’ଣ ଖାଇଚି କି ନ ଖାଇଚି ତାକୁ ଜାଣାନାହିଁ । ଅଚିହ୍ନା ଜାଗା, ଅମଡାବାଟକୁ ଦେଖି ପିଲାଟା ଡରିଯାଉଥିବ ନିଶ୍ଚେ । ସିଏ ୟା’ଭିତରେ କେତେଥର କ’ଣ କ’ଣ ସବୁ ପଚାରୁଚି ସିଆଡେ କାନ ନ ଦେଇ ତାକୁ ସଅଳ ସଅଳ ପାଦ ଉଠେଇ ଚାଲିଆ –ଚାଲିଆ- କହିଚି ହାଡୁ ।
ଝିଅଟାକୁ ଚୁପ୍ କରାଇଥିବା ହାଡୁ ନିଜେ କିନ୍ତୁ ଥ’ ହେଇନାହିଁ କଉଠି । କେମିତି ବସିବ ଯେ ! ଏ ଝିଅଟା ସିନା ତା’ ସଂସାରକୁ ଏଇ କେତେଟା ବର୍ଷହେବ ଆସିଚି ହେଲେ ଅମା ତା’ଘରକୁ ଘରଣୀ ହେଇ ଆସିବା ତ ଅନେକ ଦିନର । ତା’ ଦାରିଦ୍ର୍ୟର ଦରଦୀବନ୍ଧୁ ହେଇ, ଅନ୍ଧାରି ମନର ଦିହୁଡି ହେଇ ମିଶିଯାଇଚି ତା ସୁଖରେ ଦୁଃଖରେ, ଆବେଗରେ ଆନନ୍ଦରେ । ତା ସଂସାରର ବୋଝ ବୋହି ଦୀର୍ଘ ପଚିଶବର୍ଷ ଚାଲିବି କେବେ ଥକି ଯାଇନି । କି ଯେ ଆକୁହା ସମ୍ପର୍କ ସିଏ । ମରମ ଦିଆନିଆରେ ଗହନ କଥାକୁ ହୃଦ ଫରୁଆରେ ଗୋପନରେ ସିଏ ସାଇତି ରଖିଚି । ଦୁନିଆରେ କାହାକୁ ବି ସେ ଗୋପନ ଗୁମର କଥା ଯାଏ ଆଖେଇବାକୁ ଦେଇନି । ଛାଇ ପଡିବାକୁ ଦେଇନି ତୃତୀୟ ଲୋକର ।
ହାଡୁ କାନ୍ଧ ବଦଳାଉ ବଦଳାଉ ମନେ ମନେ ଗୁଣୁଗୁଣୁ ହେଲା-ଅମା ଏ ଦୁନିଆ ତତେ ଚିହ୍ନିନି ସିନା ମୁଁ ତ ଚିହ୍ନିଚି । କେବେ ପାଣି ଉପରେ ନାଆ ଆଉ କେବେ ନାଆ ଉପରେ ପାଣି ପରି ତୋ ମୋ ସଂସାର ଗତି । ଏଇ ତ ଆମ ଦାମ୍ପତ୍ୟର ସମ୍ପର୍କ ଭିତରକୁ କେବେ ଯକ୍ଷ୍ମାରୋଗ ଭୂତାଣୁ ଅନୁପ୍ରବେଶକାରୀ ପରି ପଶି ଆସିଲା ଆଉ ତତେ କବଳିତ କଲା ଜଣାପଡିଲା ନାହିଁ । ତୁ ଜର ଭୋଗିଲୁ, ଖୁଁ ଖୁଁ କାଶିଲୁ, ଥୋଲା ଥୋଲା ରକ୍ତ ପଡିଲା ପାଟିରୁ । ତତେ କେତେ ଜଡ଼ିବୁଟି ଖୋଇଲି । ଡଙ୍ଗର ଡଙ୍ଗର ବୁଲି ନୟାନ୍ତ ହେଲି ଦି ଟା ବାସଙ୍ଗ ପତର ପାଇଁ । ତାକୁ ବି ବାଟି ପେଇଲି । ଏତେ ପରେ ବି ତୁ କେବେ ମୋତେ ଡାକ୍ତର ଔଷଧ କଥା କହିନୁ । କେବେ ମୋ ନିପାରିଲା ପଣିଆକୁ ଧିକ୍କାରିନୁ ବରଂ ହସି ହସି କହିଚୁ- ତମ ସ୍ନେହ ସୁହାଗଠୁ ଅଲଗା କରି ମତେ ଏ ରୋଗ ବେମାରୀ କୁଆଡେ ନେଇ ଯାଇ ପାରିବନି ମ । ମୋ ସ୍ୱର୍ଗ ତ ଏଇଠି, ମୋ ସୁଖ ତ ଏଇଠି । ଏମିତି କେତେ ବେମାରିରେ ପଡିକି ମଧ୍ୟ ମୋ ପାଇଁ ଡଙ୍ଗରକୁ ବାହାରିଲା ବେଳେ ପେଜ କଂସା ସଜାଡି ଦଉ । ଡହ ଡହ ମେଲେରିଆ ଜରରେ କମ୍ପୁଥିଲେ ବି ମକା, ବାଜରା ତୋଳିଚୁ, ସାହୁକାର କ୍ଷେତରେ ମଜୁରି ଖଟିଚୁ । ଘରେ ପୁଣି ଝିଅ ଦି ଟଙ୍କା ପାଇଁ ହଳଦୀ ବାଟୁ, ଚୁଲି ଲଗାଉ ଡାଙ୍ଗ ଡୁଙ୍ଗା ଗୋଟାଉ । ଗରିବୀ ଆମ ସମ୍ପର୍କକୁ ମାରି ପାରିନାହିଁ । ହେଲେ କଉଠି ଥିଲା ଏ ଯକ୍ଷ୍ମାରୋଗଟା ଏବେ ତତେ ହରେଇ ଦବାକୁ ବସିଥିଲା । ତୁକି ହାରିବା ଲୋକ । ନା- ତୋ ପୀରତିରେ, ନା- ତୋ ଶକତିରେ ତୁକି ମରିଯିବା ଲୋକ ! ହ-ଅ ମୁଁ ଆଜି ମାନୁଚି ସେ ରୋଗଟା ବଡ ନିଷ୍ଠୁର । ସିଏ ମୋଠୁ ତୋ ଦେହଟାକୁ ଛଡେଇ ନେଇଗଲା । ହେଲେ ସେ ଆଖି ଅଦେଖା ବଇରିଙ୍କ କଥା ଛାଡ । ଆଖି ଦେଖାରେ ତ ଏଠି ବଦମାସଗୁଡାଙ୍କ ସଂଖ୍ୟା କମ୍ ନାହିଁ । ନାଡିଦେଖା ଡାକ୍ତରଙ୍କଠୁ ଧଡିବାଲି ନର୍ସଯାଏ । ହାତଗୁଞ୍ଜା ଦେଇପାରିଲାନି ବୋଲି ଦେଖିଲୁ ତ ଆମ ଗଣ୍ଠିଲି କି ଫୋପାଡିଦେଲା ସେ ଝାଡୁଦାରଟା । ତୁ କି ଜାଣିଚୁ ଏଇଠିକି ଆଣି ତତେ ଡାକ୍ତର ଦେଖେଇବି ବୋଲି ସାହୁକାର ପାଖରେ ଆମ ଚଲ୍ଲା ପାଖ ଜମିତ ବନ୍ଧା ପକେଇ ଦେଇଚି । ଗାଡି ଭଡା ଗଲା ପରେ ସବୁ ପଇସା ଔଷଧ ଦୋକାନୀଠୁ ଜଳଖିଆ କିଣା ଯାଏ ସମସ୍ତଙ୍କୁ ଦେଇଚି । ତା ସତେ ମଧ୍ୟ ଡାକ୍ତର କହିଲା-ଦେଖିବା, ନର୍ସ କହିଲା – ଦେଖିବା, ଝାଡୁଦାର ଟେରେଇ ଟେରେଇ ଚାହିଁ କହିଲା କଣ ନା – ଗାଁରୁ ଆଇଚୁ କି ? ହେଲେ ମୋର ସେ ସବୁରେ କାନ ନ ଥିଲା ଲୋ । ମୋର ତ ଗୋଟିଏ କଥା ମିଳିବାର ଥିଲା- ତୁ । ତୁ ସଲାମତରେ ମତେ ମିଳିଯା । କେତେଥର ଭାଗବାନଙ୍କୁ ଏ କଥା ବି କହିଚି ।
:ବାପା ତୁ କାହା ସାଙ୍ଗରେ କ’ଣ ବଜର ବଜର ହଉଚୁ ମ ! ମୋତେ ଭାରି ଭୋକ । ପେଟ ମୋଡି ଦୁଚି । ମୁଁ ଆଉ ଚାଲିପାରୁନି ।
ପଛ ରୁ ଝିଅଟାର କଥାରେ ସଚେତନ ହେଲା ହାଡୁ । ସତକୁ ସତ ସିଏ କାହାସାଙ୍ଗରେ କଥା ହଉଥିଲା କି ? ହେଲେ କଥା ଲହସରେ କାଇଁ କେତେ ଦୂର ଚାଲିଅସିଲାଣି ଜଣାପଡିଲାନି । ଏବେ ଆଉ ସେ ବଜାର ରାସ୍ତା ନାଇଁ ଲୋକବାକ ନାହାନ୍ତି । କାହିଁ କିଁ ଯେ ସେମାନେ ତାକୁ ଘେରି ଫଟ ଉଠାଉ ଥିଲେ । ବାର କଥା କୁହାକୁହି ହଉଥିଲେ ।
: ବାପା ,ବାପା ମୁଁ ଏଇଠି ବସିଲି ,ଆଉ ଆଗକୁ ଯାଇପାରିବିନି ,ଏଥର ହାଡୁ ଛାତିରେ ଚିଆଁ ଲାଗିଗଲା । ପାଦ ଆଗକୁ ଉଠିଲାନି । ଏ ସହରକୁ ଆସି ସ୍ତ୍ରୀକୁ ହରେଇଚି ଏବେ ପୁଣି କ’ଣ…. । ଭାରି ଅସହାୟ ଲାଗିଲା । ତା’ ପେଟ ଭିତରଟା ମନ୍ଥି ହେଇଗଲା । ଅଗତ୍ୟା କାନ୍ଧରୁ ଅମାକୁ ଓହ୍ଲେଇବାକୁ ପଡୁଚି । ଝିଅ ତାଗିଦ୍ କଲା ପରି କହିଲା । ଆଲୋ ଗୋଟେ ସମତୁଲ ଜାଗା ଦେଖି ଝାଡି ଝୁଡି ଦେ । ତୋ ବୋଉକୁ ଶୁଖାଇଦେବା । ହଁ ଶୋଇବା ଜାଗାରେ ଗୋଟେ ଗୋଡି କି ପଥର ଯେମିତି ନ ରହେ । ବୋଉର କର କାଟିବ । ଭଲରେ ଟିକେ ଶୋଇପାରିବନି । ବାପାର କଥା ଶୁଣି ଝିଅଟା ବଲ ବଲ କରି ଚାହିଁଲା । ବେଶି କିଛି ନ କହି ଯତ୍ନର ସହ ଗୋଟେ ଜାଗାକୁ ପରିଷ୍କାର କରିଦେଲା ।
: ଆଲୋ ମା’ ତୋ ପେଟର ଭୋକ ଏଇବେଳେ ଦାଉ ସାଧୁଚି । କେତେ ଅନଟନରେ ତୁ ବଢିଚୁ । କେତେ ଭୋକଉପାସରେ ରହି ବି ତୁ ହାରିଯାଇନୁ । ଦେଖିଚୁ ତ କେମିତି ସେଠୁ ତୋ ବୋଉକୁ ଆଣିବି ମୋତେ ତର ଅଣ୍ଟିଲାନି । ଦେ-ଦେ ମା, ତା’ ମୁଣ୍ଡ ତଳକୁ କ’ଣ ଗୋଟେ ଦେ ଅର୍ଖିତ ପରି ଗଡିଯାଉଚି ।
ଝିଅ କହିଲା –ସବୁ ସରିଗଲା ବାପା ଆଉ ପୁଣି ଏସବୁ କାଇଁକି ?
ହାଡୁ ନିଜ ଭିତରେ ଦୁହିଁହେଇ ପଡିଲା – ଆଲୋ ମା’ ସାନ୍ଦି ତୁ କ’ଣ ଦେଖିଲୁନି କି ସେଠି ମଲା ଲୋକମାନଙ୍କୁ କେମିତି ଛାଡିଗୋଡ ମୋଡି ମକଚି ଗଣ୍ଠିଲି କରି ଦେଉଥିଲେ । ତୁ କ ‘ଣ ଚାହୁଁଥିଲୁ ତୋ ବୋଉକୁ ସେମାନେ ସେମିତି ବାର ଅବସ୍ଥା କରି ଥାଆନ୍ତେ । ଆଉ ମୁଁ ସେସବୁ ଆଖିରେ ଦେଖି ପାରିଥାନ୍ତି ।
ଡାକ୍ତରଖାନା କଥା ମାନେ ପଡିବାରୁ ସାନ୍ଦିନୀ ଆଖିରୁ ପୁଣି ଅମାନିଆ ଲୁହ ଝରି ପଡିଲା । ବାପା ଆଡୁ ସିଏ ମୁହଁ ବୁଲେଇ ନେଲା ।
ହାଡୁ କଅଁଳ କଣ୍ଠରେ କହିଲା –ମା’ ସେ ଗଣ୍ଠିଲି ଖୋଲି ଦେଖ । ମାଣ୍ଡିଆ ଚୁନା ରଖିଥିଲି । ଝିଅଟାକିଛି ଉତ୍ତର ନ ଦେଇ ଗଣ୍ଠିଲି ଖୋଲିଲା । ଦରାଣ୍ଡି ଦରାଣ୍ଡି କହିଲା ବାପା ଆଉ କିଛି ନାହିଁ ଏଇ ଗୋଟେ ପକିଟି ବିସ୍କୁଟ ଅଛି । ନେ ତୁ ଦି ଟା ଖାଇନେ
ମୁଁ ଦି’ଟା ଖାଇ ଦଉଚି । ପାଣି ଟେିକେ ପିଦେଇ ପୁଣି ଆଗୁକୁ ଚାଲିବା ।
ହାଡୁ ଝିଅର ହାତରୁ ଝାମ୍ପି ନେଇ ଆସିଲା ବିସ୍କୁଟ ପାକେଟା- ନା-ନା-ନା , ଏ ବିସ୍କୁଟ୍ ରେ ହାତ ଲଲେଇବୁନି ତୁ । ତୋ ବୋଉ ଯେତେବେଳେ ଡାକ୍ତରଖାନାରେ ପଡିରହିଥିଲା ତା’ରି ପାଟିରେ ଦବାକୁ ମୁଁ ବାଛି ବାଛି ଏଇ ବିସ୍କୁଟ୍ ଆଣିଥିଳି । ଭଉତୁ ଦାମ ଲୋ । ଭାବିଥିଲି ଏଇଥିରୁ ଦି’ଟା ତୋ ବୋଉ ପାଟିରେ ଦେଲେ ଖୁସି ହେଇଯିବ । ବଜାର ହାଟକୁ ବୁଲେଇ ଆଣି କିଛି ତ ତାକୁ ଦେଇପାରିଲିନି ।
:ବାପା ତୁ ‘ କଣ ପାଗଳ ହେଇଗଲୁଣି ନା-କ’ଣ ? ଝିଅର କାନ୍ଦୁରା ସ୍ୱର । ଏମିତି ଚାହିଁଚି ଯେମିତି ତା’ବାପାକୁ ସିଏ ନୂଆ ଦେଖୁଚି ।
ହାଡୁ କହିଲା -ପଛେ କିଛି ତୁଣ୍ଡର ନଦେଇ ମୁଁ ଏଇଠି ମରିବି । ତୋ ବୋଉ ଯଦି ୟାକୁ ଖାଇପାରିଲାନି ମୁଁ ସେ ବିସ୍କୁଟ୍ ପାଟିରେ ଦେଇପାରିବିନି । ତୁ କାହିଁ ବୁଝିବୁରେ ମା, ମୁଁ ନିଜକୁ ନିଜେ କେତେ ନିନ୍ଦୁଚି । ଯାହାକୁ ଦିନେ ମୁଁ ଟାଣ କଥା ପଦେ କହିନାହିଁ , ତା’ଦେହରେ ଶହେ ଛୁଞ୍ଚି ଫୋଡାଗଲା । ମୁଁ କିଛି କରିପାରିଲିନି । ଯିଏ ନିଜେ ନ ଖାଇ ଓଷାବ୍ରତ କରିଚି କହି ମୋ ପାଇଁ ଜାଉପେଜ ସାଉତୁଥିଲା ତା ପାଇଁ ଭଲ ପାଣି ମୁନ୍ଦେ ଦେଇପାରିଲିନି । ଡାକ୍ତରଖାନର ସେ କାଚବାକ୍ସ ପାଣି ସିଏ ତ ଢୋକେ ପିଇଲାନି । କହିଲା କ’ଣ ଗୋଟେ ବାସୁଚି । ଆମ ଚୁଆ ପାଣି ପରି ନୁହେଁ ।
:ବୋଉ ଠିକ୍ କହୁଥିଲା ବାପା ମୁଁ ତ ସେଠି ଭଲରେ ଢୋକେ ପାଣି ପିଇ ପାରିଲି ନାହିଁ.ଖାଲି ଜୀବନ ବିକଳେ .. .
: ବୁଝିଲୁ ମା’ଆମ ଝରଣା ପାଣି ଆମ ଧିଅକୁ ଯେମିତି ବୁଝିଚି ,ଆମ ଗଛବୃଚ୍ଛ, ପାହାଡ ଆମ ଧିଅକୁ ଯେମିତି ଜଗିଚି, ଏ ଛଟିକୀ ସହର ଆଉ ୟା’ ଚଳଣିରେ ସେସବୁ ନାହିଁରେ ମା । ମଣିଷ ବଞ୍ଚିବାକୁ କ’ଣ ଏତେସବୁ ଲୋଡା ! ଏ ବାବୁ ଲୋକ ବଡ ବଡ କଥା କହି , ବଡ ବଡ ଲୋଭ ଦେଖାଇ ଆମକୁ ଆମ ଜୀବନଠୁ ଅଲଗା କରିଦେଉଛନ୍ତି । କେତେ ଅନଶନ କେତେ କ’ଣ ଯେ ନ ହେଲା , କାଇଁ ଆମ ଝୋଡିଆ ସମ୍ପ୍ରଦାୟକୁ ଆଜି ଯାଏ ଆଦିବାସୀ ମାନ୍ତି ଦିଆଗଲା କି ? ତୋ ବୋଉ ମହୁଲି ଭାଟି ଆଗରେ ମଦକୁ ବିରୋଧ କରି ମାଡ ଖାଇଲା । କାରଖାନାକୁ ବିରୋଧ କରିବାରୁ ବିଡିଓ ବାବୁ ଆମ ଇନ୍ଦରା ଆବାସ , କାଟିଦେଲେ । କିଏ ବୁଝିଲା ଆମ କଥା ? ବାଟରେ ଦେଖି ଆସିଲୁନି କି ବେହେରାଗୁଡା ଅଟାଙ୍ଗ ଗୁଡାରେ ସବୁ ଆମରି ନୋକ, ଆମରି ବିରାଦର କାହିଁ କିଏ ଆହା ପଦେ କହିଲେ ? ଛାଡ଼ ଆମକୁ ଏଥିରୁ କ’ଣ ମିଳିବ । ତୁ ଆଉ ହଟ କରନା ଏଠି ଘଡିଏ ବସିଗଲେଣି । ଅଂଟା ସଳଖି ବାହାରି ପଡ଼ ଆମ ମୂଳକ ତ ଆସି ଗଲାଣି । ଏ ରାତି ଅନ୍ଧାର , ଏ କଣ୍ଟାଝଣ୍ଟା ଆଉ କ’ଣ ଆମ ବାଟ ଓଗାଳି ପାରିବ । କାଲିସକାଳ ସୂରୁଜ ଉଠିଲା ପୂର୍ବରୁ ବୋଉ କାମ ସରେଇବାକୁ ପଡିବ ମୋତେ ନଇଲେ ବାସିମଡା ହୋଉଯିବ ଯେ ! ଜାଣିଥା ମୁଁ ତାକୁ କେଭେ ବାସିହେବାକୁ ଦେବିନି । ସିଏ ପା’ ମତେ କହିଥିଲା ସଧବା ସିନ୍ଦୂର ପିନ୍ଧି, ଅହିଅ ଡେଙ୍ଗୁଲା ଶୁଣି ମୋରି କାନ୍ଧରେ ମାଶାଣି ଯିବ । ତା’କଥା ସତ ଫଳିଲା ଲୋ ମା । ମୁଁ ଯାହା ଅଭାଗାଟା ମରିପାରିଲିନି ଉଠ୍ –ଉଠ୍ – ମା ।
ନିପଟ ପାହାଡ ପଦରରେ କେତଟା ଘରୁ ନେଇ ହାଡୁର ଗାଁ ସକାଳ କୁହୁଡିର କବାଟ ଖୋଲି ଦିନମଣି ଆଖି ଖୋଲିନାହିଁ । ଚାରିଆଡେ ନିଶୂନ ନୀରବତା ଖାଲି ଯାହ ସଲପଗଛ, ଶାଳଗଛରୁ ଟପ୍ ଟପ୍ ଝରିପଡୁଛି କାକରବିନ୍ଦୁ । ନା – ପାହାଡର ନା –ବଣ ଡଙ୍ଗରର ଅଳସ ନା –ଡଙ୍ଗରିଆମାନଙ୍କ ପାହାନ୍ତି ନିଦ କିଛି ବି କିଛି ଭାଙ୍ଗିବାର ସୂଚନା ନାହିଁ । ଚଢେଇ ଚିରୁ ଗୁଣୀବି ଆଖି ଖୋଲି ନାହାନ୍ତି । ସିଏ ଗାଁ ମୁଣ୍ଡ ଝରଣା କୂଳର ଅମାର ଶବକୁ କାନ୍ଧରୁ ଓହ୍ଲେଇଲା । ପଛରେ ଝିଅ । ଲୁଣ୍ଡେଇ କୁଣ୍ଡେଇ ବୋଉର ସବୁ ଜିନିଷ ସାଙ୍ଗରେ ଧରିଚି ।
ହାଡ଼ୁ ଭାବିଲା ସୂର୍ଯ୍ୟ ଉଠିଗଲେ ତ କଥା ସଇଲା । ଅମା ବାସିମଡା ହେଇଯିବ । ତରରରେ ଜୁଇ ସାଜାଡିବାକୁ ଲାଗିଲା ସବୁ କାମ ସରିଲା ବେଳକୁ ମାଈକାକର ସକାଳରେ ବି ସିଏ ଝାଳ ସର ସର । ଝିଅ ହାତକୁ ନିଆଁ ବରିଆଟା ବଢେଇ ଦେଇ ନିଜେ ତା’ ଡୁଙ୍ଗ ଡୁଙ୍ଗଟା ଧରି ବଜେଇବାକୁ ଲାଗିଲା ।
ଅମା… ଆ..ଆ..ଲୋ…ଓ..ଓ.. । ଉଦ୍ଧ୍ୱର୍ମୁଖା ହେଇ କୋହମିଶା ଗଳାରେ ଏମିତି ରଡିଟାଏ ଦେଲା ଡୁଙ୍ଗ ଡୁଙ୍ଗାର ଡିବିଡିବି ସ୍ୱର ସାଙ୍ଗରେ ମିଶୀ ଇଥରକୁ ଝାଇଁ ଝାଇଁ କରିପାକାଲା । ସେ ବେଦନାଭରା କାନ୍ଦ କାନ୍ଦ ସ୍ୱର ଦୂରକୁ ଦୂରକୁ ଶୁଭୁଥିଲା ବଣୁଆ ଶିଆଳର ମଲାରଡି ପରି କରୁଣ । ହାଡୁକୁ ଲାଗିଲା ଏ ଗଛଲତା ପାହାଡ ଝରଣା କ୍ଷେତ ସମସ୍ତେ ଅଛନ୍ତି ଯେମିତି ପୂର୍ବରୁଥିଲା ହେଲେ .. ଲାଲ ଟହଟହ ସୂର୍ଯ୍ୟ ଆଖି ଖୋଲି ଥରେ ଚାହିଁଚି ତ ଇର୍ଷାରେ ଆହୁରି ଲାଲ ଦିଶିଲା । ଜୁଇ ପାଉଁଶ ପାଖରେ ଥୁଆ ହେଇଛି ତା’ଠୁ ଆହୁରି ଲାଲ ତାଜା କେରାଏ କୁରେଇ ଫୁଲ । କିରଣ ବିଛେଇ ଝୋଲା କୂଳର ଚାରିଆଡକୁ ଚାହିଁ ମନେ ମନେ ଖୋଜିହେଲା କିଏ ? କିଏ ସେ ଏଇ ମୂଲକରେ ଏମିତି ପ୍ରେମିକଟିଏ ! ଶୂନ୍ୟକୁ ଯେମିତି ଡାକୁଛି ..ଓ..ଓ ପ୍ରେମୀ ! କିନ୍ତୁ କେହି କୁଆଡେ ଦିଶୁ ନାହାନ୍ତି ଜୁଇ ପାଖରେ କୁରେଇ ଫୁଲ କିନ୍ତୁ ହସୁଛି । ସେଇଠି ଥୁଆ ହେଇଛି ନିଖୁନ ଗୋଟେ ବିସ୍କୁଟ୍ ପାକେଟ । ।