ଗଳ୍ପ

ହାୟରେ ନେତା !

Dr Sharat Chandra Parida's odia story Haayare Netaa

ମାତ୍ର ଏହି ଖୁସି କ୍ଷଣକୁ କ୍ଷଣ କମି ଯାଉଥିଲା ହୀରାକୁଦ ଡ୍ୟାମ୍‌ର ସୁଇସ୍‌ଗେଟ୍ ବନ୍ଦ କରି ଦେଲେ ମହାନଦୀରେ ପାଣି ପରିମାଣ କମିଗଲା ପରି ।

ହାୟରେ ନେତା !

ଆପଣ କିଛି କହିପାରିବେ ନାଇଁ । ସେ ଯାଇଚି ଗାଡ଼ିରେ ତେଲ ପକାଇବାକୁ । କାମ ସରିଲେ ଆସିବ । ଆପଣ ବ୍ୟସ୍ତ ହେଲେ କ’ଣ ହେବ ? ଆପଣ ବସନ୍ତୁ. . . । ହଠାତ୍ ଏ ଅପ୍ରତ୍ୟାଶିତ ବାକ୍ୟ ବାଣରେ ଗଭୀର ଭାବରେ ମର୍ମାହତ ହୋଇଥିଲେ ସରୋଜବାବୁ । ସରୋଜ ବାବୁ ଜଣେ କ୍ରୀଡ଼ାବିତ୍ । ସମସ୍ତେ ତାଙ୍କୁ ଜାଣନ୍ତି । ଦିନେ ଖେଳୁ ଖେଳୁ ଗୋଟିଏ ଖାଲରେ ଗୋଡ଼ଟି ପଡ଼ିଗଲା । ଭାବିଲେ ପାଦ ମୋଡ଼ାଟା ଆପେ ଭଲ ହୋଇଯିବ ନାଇଁ । ଏ ଛୋଟ ଛୋଟ କଥାରେ କାଇଁକି ମେଡ଼ିକାଲ୍ ଯିବି । କିନ୍ତୁ ପାଦଟା ବେଙ୍ଗ ଫୁଲା ପରି ଧୀରେ ଧୀରେ ଫୁଲିବାକୁ ଲାଗିଲା । ରୁଗ୍‌ରୁଗ୍ ହୋଇ ବିନ୍ଧିଲା । ଆଉ ସମ୍ଭାଳି ପାରିଲେ ନାଇଁ । ତାଙ୍କ ଭିଣୋଇ ବୁଲିବାକୁ ଆସିଥିଲେ । ସେ ମଧ୍ୟ ବିବ୍ରତ ହୋଇ ପଡ଼ିଲେ । ଅଗତ୍ୟା ଶଳା ଭିଣୋଇ ଚାଲିଲେ ମେଡ଼ିକାଲ । ବେଶି ବାଟ ନୁହେଁ । ଭିଣୋଇ ଶ୍ୟାମସୁନ୍ଦର ବାବୁଗାଡ଼ିରେ ବସାଇ ରୋଗୀଙ୍କୁ ନେଲେ ।

ଶ୍ୟାମସୁନ୍ଦର ବାବୁ ତ ନୂଆ ଲୋକ । ଏତେ ସୁନ୍ଦର ମେଡ଼ିକାଲ ଦେଖି ଖୁସୀ ହୋଇ ଯାଇଥିଲେ । ଚାରିଆଡ଼େ କୋଠା ମାଳ ମାଳ । ଅତ୍ୟାଧୁନିକ ଉନ୍ନତ ଯନ୍ତ୍ରପାତିର ମଧ୍ୟ ଅଭାବ ନାଇଁ । ସୁଇପର ଠାରୁ ଆରମ୍ଭ କରି ମୁଖ୍ୟ ଚିକିତ୍ସକ ପର୍ଯ୍ୟନ୍ତ ସବୁ ପଦପଦବୀରେ ନିଯୁକ୍ତି ହୋଇଚି । ସରୋଜ ବାବୁ ମେଡ଼ିକାଲ୍ ଆର୍ଥୋପେଡ଼ିକ ଡାକ୍ତରଙ୍କ ପାଖକୁ ଗଲେ । ହସ୍ତଚାଳନା କରି ସେ କିଛି ଗୁରୁତର ହୋଇଚି ବୋଲି ଅନ୍ଦାଜ କଲେ । କହିଲେ- “ପ୍ରଥମେ ଏକ୍ସରେ କରାଇ ତୁରନ୍ତ ଡ୍ରେସିଂ କରାଅ । ତା’ପରେ ମୋ ପାଖକୁ ଆସିଲେ ଔଷଧପତ୍ର ଲେଖି ଦେବି ।” ଶ୍ୟାମସୁନ୍ଦର ବାବୁ ହୁଇଲ ଚେୟାରରେ ସରୋଜ ବାବୁଙ୍କୁ ବସାଇଲେ । ନିଜେ ଠେଲି ଠେଲି ଏକ୍ସରେ ରୁମ୍‌କୁ ଗଲେ । ସେଠି ଯେଉଁ ବାବୁ ଥିଲେ ଭାରି ଭଲ ଲୋକ । ଧୀର କଥା । ଆସ୍ତେ ଆସ୍ତେ କହନ୍ତି । ତାଙ୍କ କଥା ସତେ ଯେମିତି ଜଖମ ଜାଗାକୁ ଭେଦ କରି ଫଟୋ ଉଠାଇ ଆଣେ । ଅତି ଅଳ୍ପ ସମୟ ମଧ୍ୟରେ ସେ କାର୍ଯ୍ୟଟି ସରିଗଲା । ତା’ପରେ ଆସି ପହଞ୍ଚିଲେ ଡ୍ରେସିଂ ରୁମ୍‌ରେ ।

ୟାଡ଼େ ପାଦର ଯନ୍ତ୍ରଣା ବର୍ଷା ଋତୁର ଘାସ ପରି ବେଳକୁ ବେଳ ବଢ଼ି ଚାଲିଥାଏ । ସରୋଜ ବାବୁ ଭାବୁଥାନ୍ତି ଡ୍ରେସିଂ କାମଟି ସାରି ଦେଲେ ଡାକ୍ତରଙ୍କ ପାଖକୁ ଝଅଟ ପଳାଇ ଯିବେ । କିଛି ଔଷଧ ଖାଇ ଦେଲେ ବିନ୍ଧା ଛିଟିକା ତିଳେ କମିଯାନ୍ତା ପରା । ଡ୍ରେସିଂ ରୁମ୍‌ରେ କେହି ନଥିଲେ । ନା ଥିଲେ କେହି ରୋଗୀ ବା ଡ୍ରେସର । ରୋଗୀ ନାହାଁନ୍ତି ଦେଖି ଖୁସି ହୋଇଗଲେ ଭିତରେ ଭିତରେ । କାରଣ ତାଙ୍କ ପାଳି ପ୍ରଥମ ଓ ତାଙ୍କର କାର୍ଯ୍ୟଟି ତୁରନ୍ତ ହୋଇଯିବ । ମାତ୍ର ଏହି ଖୁସି କ୍ଷଣକୁ କ୍ଷଣ କମି ଯାଉଥିଲା ହୀରାକୁଦ ଡ୍ୟାମ୍‌ର ସୁଇସ୍‌ଗେଟ୍ ବନ୍ଦ କରି ଦେଲେ ମହାନଦୀରେ ପାଣି ପରିମାଣ କମିଗଲା ପରି । ପାଞ୍ଚ ମିନିଟ୍, ତିରିଶ ମିନିଟ୍, ଘଣ୍ଟାଏ ଅପେକ୍ଷା କଲେ ସରୋଜ ବାବୁ । ଇତି ମଧ୍ୟରେ ଅନ୍ୟ ଜଣେ ଅଣଓଡ଼ିଆ ରୋଗୀ ଡ୍ରେସିଂ ପାଇଁ ଆସି ପହଞ୍ଚି ଗଲେଣି । ମାତ୍ର ଡ୍ରେସର ବାବୁଙ୍କ ଖୋଜ ଖବର ନାଇଁ । ୟା’କୁ ପଚାରେ ତାକୁ ପଚାରେ ଡ୍ରେସର ବାବୁ କିଏ ଅଛନ୍ତି, କୁଆଡ଼େ ଯାଇଛନ୍ତି, କେତେବେଳେ ଆସିବେ ?

ସରୋଜ ବାବୁ ତ ସେ ଅଞ୍ଚଳରେ ଦୀର୍ଘ କୋଡ଼ିଏ ବର୍ଷ ହେଲା କାମ କଲେଣି । ମେଡ଼ିକାଲ୍‌ର କର୍ମଚାରୀ, ଡାକ୍ତର, ନର୍ସ ସମସ୍ତଙ୍କୁ ଜାଣନ୍ତି ଚିହ୍ନନ୍ତି । ଏହି ଦୁଃସମୟରେ ଆସି ପହଞ୍ଚି ଗଲେ ମଙ୍ଗରାଜ ବାବୁ । ସେହି ମେଡ଼ିକାଲର ଜଣେ କର୍ମଚାରୀ । ସରୋଜ ବାବୁଙ୍କ ବହୁ ପୂର୍ବର ପରିଚିତ ବ୍ୟକ୍ତି । ଭାରି କୁହାଳିଆ । ଚିକ୍କଣ କଥା କହି ପାଣିରେ ସର ପକାଇ ଦେବା ଲୋକ । ସରୋଜ ବାବୁ ତାଙ୍କୁ ଦେଖି ସାମାନ୍ୟ ଉତ୍ସାହିତ ହୋଇ ପଡ଼ିଥିଲେ । କାଳେ ତାଙ୍କ ଉଦ୍‌ବେଗ ଦୂର କରିବାର କିଛି ଗୋଟାଏ ଆଖି ଦୃଶିଆ କାମ କରାଇ ଦେବେ । କାରଣ ମଙ୍ଗରାଜ ବାବୁ ଖାଲି ଷ୍ଟାଫ୍ ନଥିଲେ ଜଣେ ତଥାକଥିତ ଅନୁଷ୍ଠାନର ଅଣଗେଜେଟେଡ୍ କର୍ମଚାରୀମାନଙ୍କର ନେତା । ତାଙ୍କ ନେତୃତ୍ୱକୁ ସମ୍ମାନ ଦେଇ କଥାବାର୍ତ୍ତା କଲେ ତାଙ୍କ ଛାତି ଗରମ ପାଣିରେ ସୋୟାବିନ୍ ପରି ଫୁଲି ଉଠେ । ଆଖିରେ ଖେଳିଯାଏ ଅନ୍ୟମାନଙ୍କୁ ତଳେଇ କରି ଦେଖିବାର ଠାଣି । ସରୋଜ ବାବୁ ସାଙ୍ଗେ ସାଙ୍ଗେ ଡ୍ରେସିଂ ପାଇଁ କିଏ ଅଛନ୍ତି କେତେବେଳେ ଆସିବେ ବୋଲି ତାଙ୍କୁ ପଚାରି ଦେଲେ । ବୀରବାବୁ ଅଛନ୍ତି, ହେଇ ଆସିବେ ଏମନ୍ତ କହି ସରୋଜବାବୁଙ୍କ ଉତ୍କଣ୍ଠାକୁ ଦୁର୍ବଳ କରିଦେଲେ । ତାଙ୍କ ଜାଣିବାର ଇଚ୍ଛାର ଗଜା ମରୁଡ଼ି ହେଲା ।

ସେତେବେଳେ ମଙ୍ଗରାଜ ବାବୁ ଡ୍ୟୁଟିରେ ଥିଲେ । କାମ ଛାଡ଼ି ଦେଇ ବାରବୁଲାଙ୍କ ପରି ଠା’ ଠା’ ବୁଲୁଥାନ୍ତି । ମାଛି ପଚାସଢ଼ା ଜିନିଷରେ ବସିଲା ପରି କାହାର ଦୋଷ ତ୍ରୁଟି କେଉଁଠି ରହିଲା ଶୁଙ୍ଘି ଶୁଙ୍ଘି ବୁଲୁଥାନ୍ତି । ସରୋଜ ବାବୁଙ୍କୁ ମଙ୍ଗରାଜ ବାବୁ ନିଜ ନେତୃତ୍ୱର ବହୁ ସଫଳତା ଓ ବିଫଳତାର କାହାଣୀ ଶୁଣାଇଛନ୍ତି ଆଗରୁ । ସରୋଜ ବାବୁ ମଧ୍ୟ ଅନେକ କଥା ତାଙ୍କ ବିଷୟରେ ଶୁଣିଛନ୍ତି ଓ ଅଙ୍ଗେ ନିଭେଇଛନ୍ତି । ଅଳ୍ପ ବିଦ୍ୟା ଭୟଙ୍କରୀ ନୀତିରେ ଅନେକ କଥା ନ ଜାଣି ବହୁ ବିଷୟରେ ବଡ଼ ବଡ଼ କଥା କହନ୍ତି ମଙ୍ଗରାଜ ବାବୁ । ନିଜ ଅଖରେ ତେଲ ନ ଦେଇ ପର ଅଖରେ ତେଲ ଦେବା ପାଇଁ ଆଗଭର ହୋଇ ଉଠନ୍ତି । ଅବଶ୍ୟ ନାମ ନେବା ପାଇଁ କ୍ୱଚିତ୍ କାହାର ସେବା କରିଥାନ୍ତି । କିନ୍ତୁ ସେବା କରିବାର ମହାନୀୟତା ତାଙ୍କ ଠାରେ ସବୁବେଳେ ବେହାଜିର । ସବୁବେଳେ ଅନ୍ୟମାନଙ୍କର ଓ ପ୍ରଶାସନର ଜିରାରୁ ଶିରା କାଢ଼ିବାର ଲୋକ ସେ । କିଛି ଲୋକଙ୍କୁ ଅନ୍ୟମାନଙ୍କ ବିରୋଧରେ ଉସୁକାଇବା ତାଙ୍କର ସ୍ୱଭାବ । ଅଜ୍ଞମାନଙ୍କୁ ବତେଇ ମତେଇ ତତେଇ ମେଣ୍ଢା ବନେଇ କିଛି କାଣ୍ଡ ଭିଆଇବା ତାଙ୍କର ଧର୍ମ । କ’ଣ ନା କ’ଣ କହି ବା କରି କିଛି ଗୋଟାଏ ସମସ୍ୟା ଛିଡ଼ା କରାଇବା ତାଙ୍କର ବାହାଦୂରୀ । ନିଜ ସମର୍ଥକମାନଙ୍କର ସ୍ୱାର୍ଥ ସାଧନ ଓ ସମର୍ଥକମାନଙ୍କ ବିରୋଧୀ ଲୋକଙ୍କ ସ୍ୱାର୍ଥହାନି ଘଟାଇବା ପାଇଁ କ୍ଷମତାଧାରୀ ବ୍ୟକ୍ତିମାନଙ୍କ ଅଗଣାରେ ସବୁବେଳେ ନସର ପସର ହେଉଥାନ୍ତି ମଙ୍ଗରାଜ ବାବୁ । କିଛି ଲୋକଙ୍କୁ ଉପରକୁ ଉଠାଇ କିଛି ଲୋକଙ୍କୁ ତଳେ କଚାଡ଼ିବା ନିମନ୍ତେ ଚିନ୍ତା ତାଙ୍କ ରକ୍ତରେ ସବୁବେଳେ ପ୍ରବାହିତ ହେଉଥାଏ । ମଉସା, ମାଉସୀ, ନାନୀ, ନନା କହି ବଡ଼ବଡ଼ିଆଙ୍କ ପାଖରେ ଠେଲି ହୋଇ ପଶନ୍ତି । ଉଠାବସା କରନ୍ତି । ସେହି ସମ୍ୱନ୍ଧଟାକୁ ବେପାର କରି ନିଜର ଅସ୍ତିତ୍ୱକୁ ଟାଣ କରୁଥାନ୍ତି ।

ଥରେ କେତେ ସହକର୍ମୀଙ୍କ ଦରମାରେ ଅସଙ୍ଗତି ଥିଲା । ପରିଚାଳନା ସମିତି ପାଖରେ ତାହା ଦୂର କରିବା ପାଇଁ ଦାବି ଉପସ୍ଥାପନ କରାଗଲା । ମଙ୍ଗରାଜ ବାବୁ ତା’ର ନେତୃତ୍ୱ ନେଉଥିଲେ । ମଙ୍ଗରାଜ ବାବୁ ଆଇନ୍ କାନୁନ୍ ବିଷୟରେ କିଛି ଧାର ଧାରନ୍ତି ନାଇଁ । କିନ୍ତୁ ନିଜ ଜିଦିରେ ଅଟଳ ରହି ନିଜେ ଚାହୁଁଥିବା ମତେ ହାତକାଟି ଲେଖି ଦେଲେ । ଅନ୍ଧରାଜରେ କଣା ରାଜା ନ୍ୟାୟରେ ମଙ୍ଗରାଜ ବାବୁ ଯାହା କହୁଛନ୍ତି ଠିକ୍ କହୁଛନ୍ତି ବୋଲି ନାରା ଦେଲେ ତାଙ୍କ ଅନୁସରଣକାରୀ ଦଳର ଲୋକେ । ମ୍ୟାନେଜମେଣ୍ଟର ଯାଏ କେତେ ଆସେ କେତେ ? ଭଲ କହିଲେ ଯଦି ମନ୍ଦ ଫଳୁଚି ତେବେ ଫଳୁ । ମାଲି ମୋକଦ୍ଦମା କଚେରି ହେଲେ ବିବାଦ ଉପୁଜିଲେ ଚିନ୍ତା ନାଇଁ । କର୍ମଚାରୀମାନଙ୍କ ହାତଲେଖା ପ୍ରମାଣ ତ ରହିଚି । କର୍ତ୍ତୃପକ୍ଷ ବାଧ୍ୟ ହୋଇ ପଦକ୍ଷେପ ନେଲେ । ମାତ୍ର ଓଲଟା ଫଳ ମିଳିଲା । କିଛିଦିନ ପରେ ଯେତେବେଳେ ବେତନ ସଂଶୋଧନ ହେଲା । ସେହି ମୁଷ୍ଟିମେୟ କର୍ମଚାରୀମାନେ ଆର୍ଥିକ କ୍ଷେତ୍ରରେ କ୍ଷତିଗ୍ରସ୍ତ ହେଲେ । ତାଙ୍କର ନେତା ମଙ୍ଗରାଜ ବାବୁଙ୍କ ଅପରିପକ୍ୱତା ଓ ଅପରିଣାମଦର୍ଶିତାକୁ ଦାୟୀ କରି କାନମୁଣ୍ଡା ଆଉଁସି ଆଉଁସି ଚୁପ୍ ରହିଲେ ।

ଥରେ ଜଣେ ରୋଗୀ ଘନଶ୍ୟାମ ବାବୁ ଦାନ୍ତ ଓପାଡ଼ିବାକୁ ଗଲେ । ଦାନ୍ତଟା ବିଚରା ତାଙ୍କୁ ବହୁତ ପୀଡ଼ା ଦେଉଥିଲା । ଦାନ୍ତ ତ ସେମିତି ପ୍ଲାସ୍‌ରେ ଧରି ଉପୁଡ଼ା ଯାଏ ନାଇଁ । ସେଥିପାଇଁ ନାନା ପରୀକ୍ଷା ନିରୀକ୍ଷା ହୁଏ । ଦାନ୍ତ ଡାକ୍ତର କହିଲେ- “ଘନଶ୍ୟାମ ବାବୁ, ତୁମେ ରକ୍ତ ପରୀକ୍ଷା କରି ଆସ । ରକ୍ତ ଜମାଟ ବାନ୍ଧିବାକୁ କେତେ ସମୟ ଲାଗୁଛି (ସିଟିବିଟି) ପରୀକ୍ଷାଗାରରେ ପରଖି ନିଅ ।” ଗଲାବେଳକୁ ମଙ୍ଗରାଜ ବାବୁ ଡ୍ୟୁଟିରେ ଅଛନ୍ତି । ରକ୍ତ ପରୀକ୍ଷା କଲେ । ନିଜ ସ୍ୱାକ୍ଷର କରି ମଙ୍ଗରାଜ ବାବୁ ରିପୋର୍ଟ ଦେଲେ ଯେ ଅଠର ମିନିଟ୍ ସମୟ ଲାଗୁଛି । ଡାକ୍ତର ବାବୁ ତାଙ୍କ ମାଇନର ଅପରେସନ୍ ଆରମ୍ଭ କରିଦେଲେ । ଅଠର ମିନିଟ୍ ଗଲା ପରେ ରକ୍ତଧାର ଛୁଟି ଚାଲିଚି ପାଟି ଭିତରେ କମିବାର ନାଇଁ । ବଡ଼ ଚିନ୍ତା ପ୍ରକଟ କଲେ ଡାକ୍ତର ବାବୁ । ପୁଣି ରୋଗୀ ସହିତ ପରୀକ୍ଷାଗାର ସ୍ୱୟଂ ଆସିଲେ । ଆଉ ଥରେ ପରୀକ୍ଷା କର ବୋଲି କହିବାରୁ ମୁଁ କରିବି ନାଇଁ ବୋଲି ମଙ୍ଗରାଜ ରୋକ୍ ଠୋକ୍ ମନା କରିଦେଲେ । ଦାନ୍ତ ଡାକ୍ତରଙ୍କର କ୍ଷମତା ନାଇଁ, କିଛି କହିବାକୁ ବା କରିବାକୁ । ୟେତ ଆମ ଦେଶର ମାଇଚିଆ ଶାସନ ବ୍ୟବସ୍ଥା । ଘନଶ୍ୟାମ ବାବୁ ବିଚରା ପ୍ରମାଦ ଗଣିଲେଣି । ଡାକ୍ତର ଗଲାପରେ ମଙ୍ଗରାଜ ବାବୁଙ୍କ ହାତଓଠ ଧରିଲେ ଘନଶ୍ୟାମ ବାବୁ । ମୋର କ’ଣ ନାଇଁ କ’ଣ ହୋଇଯିବ । ଟିକେ ଦୟା କର । ମଙ୍ଗରାଜ ବାବୁ ମୁହଁଟାକୁ ଗାରୁ ଗାରୁ ହୋଇ କହିଲେ- “ଦେଖ ହୋ ଡାକ୍ତରଟା କେଡ଼େ ବଦମାସ୍ । ରିପୋର୍ଟରେ ମୋ ସ୍ୱାକ୍ଷର ଅଛି ବୋଲି କ’ଣ ମୁଁ ରକ୍ତ ପରୀକ୍ଷା କରିଚି, ଆଉ କିଏ କରିଥିବ ?” ହଉ, ଆସ । ଦେଖିଲା ବେଳକୁ ରକ୍ତ ଜମାଟ ବାନ୍ଧିବା ପାଇଁ ଅଠେଇଶି ମିନିଟ୍ ଲୋଡ଼ା ବୋଲି ଦ୍ୱିତୀୟ ରିପୋର୍ଟ ଦେଲେ । ଘନଶ୍ୟାମ ବାବୁ ତାଜୁବ୍, ମଙ୍ଗରାଜ ବାବୁଙ୍କ କାର୍ଯ୍ୟକଳାପ ଓ କର୍ତ୍ତବ୍ୟ ନିଷ୍ଠା ଦେଖି ସେ ଆଉ କାହାକୁ କହିଥାନ୍ତେ । ରକ୍ତ, ମଳ, ମୂତ୍ର ପରୀକ୍ଷା କରିବା ବେଳେ ଯଦି ଏମିତି ବେପରୱା ଭାବ ପୋଷଣ କରାଯାଏ ତେବେ ରୋଗୀର କଷଣଟା ମରଣ ରୂପ ନେବା ବିଚିତ୍ର ନୁହେଁ ।

ନେତାମାନଙ୍କର ବାର୍ଷିକ ଉତ୍ସବ ପାଳନ ହୁଏ । ବଡ଼ ଧୁମ୍‌ଧାମ୍‌ରେ ଆୟୋଜନ ଚାଲେ । ଓଡ଼ିଶାରୁ ବଛା ବଛା ଅର୍କେଷ୍ଟ୍ରା ଆସନ୍ତି । ଗାଉଣା ବାଜଣା ହୁଏ । ଭୋଜିଭାତ ହୁଏ । କିନ୍ତୁ ସଭା ପୂର୍ବରୁ କେମିତି ଗୋଟାଏ ଗରମାଗରମ ଭାଷଣ ଦିଆଯିବ ସେଥିପାଇଁ ପ୍ରସ୍ତୁତି ପର୍ବରେ ଲାଗି ପଡ଼ନ୍ତି ନେତାଏ । ସେମାନେ କେମିତି ମ୍ୟାନେଜ୍‌ମେଣ୍ଟକୁ ଚମକାଇ ଦେବାରୁ ଅମୁକ କାର୍ଯ୍ୟଟା ହୋଇ ପାରିଲା । ସେମାନେ କେମିତି ଲହୁଲୁହ ଢାଳି ଥିବାରୁ ଆଜି ଏପରି ସଫଳତା ମିଳିଛି । ଟାର୍ଗେଟ୍ ଠାରୁ ଅଧିକ ଅମଳ ହୋଇଚି । ତାଙ୍କର ଦଳର ଅନୁଗତମାନେ ଭାରତମାତାକୁ କିପରି ଏକ ସୁନାର ଦେଶରେ ପରିଣତ କରି ଦେଇପାରିବେ ସେଥିପାଇଁ ସେମାନେ ସବୁବେଳେ ସଂକଳ୍ପବଦ୍ଧ । ଏସବୁ କଥାଗୁଡ଼ାକ ଘୋଷି ଘୋଷି ଏମିତି ରୋଚକ ଢଙ୍ଗରେ ପରିବେଷଣ କରନ୍ତି ଯେ ଭକୁଆ ଜନତାର କରତାଳିରେ ସଭାସ୍ଥଳ କମ୍ପି ଉଠେ । ଶୁଣୁଥିବା ଲୋକମାନଙ୍କର ଧାରଣା ସୃଷ୍ଟି ହୁଏ ସତେ ଯେମିତି ଦେଶର ପରିବର୍ତ୍ତନ ସେହି ସଭା ସ୍ଥଳରୁ ସେହି ମୁହୂର୍ତ୍ତରୁ ହିଁ ଆରମ୍ଭ ହୋଇଗଲା । ମଙ୍ଗରାଜ ବାବୁ ମଧ୍ୟ ଏ ଭାଷଣ କସରତରେ ସାମିଲ୍ ହୋଇଥାନ୍ତି । ସେ ତିନି ଚାରି ପୃଷ୍ଠାର ଦୀର୍ଘ ଭାଷଣ ଦେଲାବେଳେ କେତେକ ନିଜ ଲୋକ ଦେଖଣାହାରିଙ୍କ ଗହଣରେ ରହି ତାଳି ମାରୁଥାନ୍ତି । ଏସବୁ ଘଟଣା ମଙ୍ଗରାଜ ବାବୁଙ୍କୁ ଦେଖିଲା ବେଳୁ ସରୋଜବାବୁଙ୍କ ମନ ପରଦାରେ ଗୋଟିଏ ପରେ ଗୋଟିଏ ଦୃଶ୍ୟ ହେଉଛନ୍ତି ।

ଏଣେ ସରୋଜ ବାବୁଙ୍କ ବେଦନା ଅସହଣି ହେଉଚି । ପାଖରେ ଶ୍ୟାମସୁନ୍ଦର ବାବୁ ସୁନ୍ଦର ମେଡ଼ିକାଲର ଅସୁନ୍ଦର ବ୍ୟବସ୍ଥା ଦେଖି ମନେ ମନେ ବିଗିଡ଼ି ଗଲେଣି । ମଙ୍ଗରାଜବାବୁ ଆବୁରୁ ଜାବୁରୁ କୁଆଡୁ କ’ଣ ଗପି ଯାଉଥାନ୍ତି । ଖାଲି ହଁ ହାଁ ମାରିବା ବ୍ୟତୀତ ସରୋଜ ବାବୁଙ୍କର ଅନ୍ୟ କିଛି ଚାରା ନଥିଲା । ବିଚଳିତ ହୋଇ ଡ୍ରେସର କେତେବେଳେ ଆସିବେ ବୋଲି ପଚାରିବାରୁ ମଙ୍ଗରାଜ ବାବୁ ତାହା ଉପରେ ଆଦୌ ଗୁରୁତ୍ୱ ଦେଉ ନଥାନ୍ତି । ହଁ, ଆସିବ । ଆସୁଥିବ । ଏଇଠିକି ଯାଇଥିବ । ହଁ, କୁଆଡ଼େ ତେଲ ପକାଇବାକୁ ଯାଇଚି । ବସନ୍ତୁ । କିନ୍ତୁ ତେଲ ପକାଇବାକୁ ଯାଇଥିବା ଲୋକକୁ କେତେ ସମୟ ଲୋଡ଼ା ହୋଇ ପାରେ । ପେଟ୍ରୋଲ ଟାଙ୍କି ମେଡ଼ିକାଲ୍ ଠାରୁ ମାତ୍ର ଏକ କିଲୋମିଟର ଦୂର । ଯିବା ଆସିବା ତେଲ ପକାଇବା ଗାୟ ମୋଟ ପନ୍ଦରରୁ କୋଡ଼ିଏ ମିନିଟ୍ ଲାଗିବା କଥା । ଦେଢ଼ ଘଣ୍ଟା ଟପିଗଲାଣି । ତେଣେ ଡାକ୍ତର ରୋଗୀ ଦେଖି ପଳାଇ ଯିବେ । ତାଙ୍କଠାରୁ ପ୍ରେସ୍‌କ୍ରିପ୍ସନ୍ ଆଣି ଆଜି ଔଷଧ ଖାଇବାର ସମ୍ଭାବନା ମଉଳି ଯାଉଚି । ବ୍ୟସ୍ତତା ବଢ଼ିଯିବା ସ୍ୱଭାବିକ । ପଚାରିବାରୁ ମଙ୍ଗରାଜ ବାବୁଙ୍କ ସେହି ପୁରୁଣା ଉତ୍ତର- ଆସୁଥିବ. . . ଟିକେ କ୍ୱାଟର୍ସ ଆଡ଼େ ଯାଇଥିବ । ବାଟରେ କ୍ୟାଣ୍ଟିନ୍‌ରେ କପେ ଚା’ ପିଉଥିବ । କିନ୍ତୁ ସରୋଜ ବାବୁ ଆଉ ସମ୍ଭାଳି ପାରିଲେ ନାଇଁ । ସେ ସ୍ୱାଧୀନଚେତା ବ୍ୟକ୍ତି ନିୟମ ଭାଙ୍ଗିଲେ କାହାକୁ ଖାତିର କରନ୍ତି ନାଇଁ ।

ଆରମ୍ଭ କଲେ- “କ’ଣ କହୁଛନ୍ତି ମଙ୍ଗରାଜ ବାବୁ । ଏଇଟା ଡ୍ୟୁଟି ଆୱାର । ଜଣେ କର୍ମଚାରୀ ବ୍ୟକ୍ତିଗତ କାମରେ କୁଆଡ଼େ ଯିବେ ବୋଲି କ’ଣ ଘଣ୍ଟା ଘଣ୍ଟା ଧରି ? ରୋଗୀମାନେ ଏମିତି ଛଟପଟ ହେଉଥିବେ ଅକଥନୀୟ ଯନ୍ତ୍ରଣାରେ । ଏ କି ଭଳି ବେଳକାଳ ହେଲା ହେ ! ଏଇଥି ପାଇଁ ଆମେ ଓଡ଼ିଆ ପଛରେ ପଡ଼ିଚୁ । ଅନୁନ୍ନତ ହୋଇ ରହିଚୁ ସାରା ଭାରତ ବର୍ଷରେ । ଚାକିରୀ ଖଣ୍ଡେ ପାଇଁ କେତେ ଆକୁଳତା, ଚାକିରୀ ମିଳିଗଲା ପରେ ତାହା କର୍ମଚାରୀ ଭୁଲିଯା’ନ୍ତି । ନିଜେ ସରକାରଙ୍କର ଜଣେ ଚାକର ଏ କଥା ହେଜନ୍ତି ନାଇଁ ।”

ଏକଥା ଶୁଣି କଥା କଥିତ ନେତା ମଙ୍ଗରାଜ ବାବୁଙ୍କ ଦେହରେ ଯେମିତି ବାଇଡ଼ଙ୍କ ଲାଗି ଗଲା । ତାଙ୍କ ଆଖି ଲାଲ ପଡ଼ିଗଲା । ଓଠ ଥରିବାକୁ ଲାଗିଲା । ସରୋଜ ବାବୁଙ୍କୁ ପାଟିକୁ ଚୁପ୍ କରିବାକୁ ଯାଇ “ଆପଣ ସେମିତି କହିପାରିବେ ନାଇଁ ସରୋଜ ବାବୁ । ସେ ଯାଇଚି, ଆସିବ, ବ୍ୟସ୍ତ କିଆଁ, ତା’ ବୋଲି ସେ କିଛି କରୁନାଇଁ, ଆମ କାମ କରିବାର ଢଙ୍ଗ ଏଇଆ ଏମିତି ଟୀକା ଟି“ନୀ ଆପଣ ଦେଇପାରିବେ ନାଇଁ । ତା’ ମନ ଯେତେବେଳେ ହବ ଆସିବ । ତା’ର କେହି କିଛି କରିପାରିବେ ନାଇଁ. . . ।” ସରୋଜ ବାବୁ ମଙ୍ଗରାଜ ବାବୁଙ୍କ ସେଦିନର ସଭାରେ ଭାଇମାନେ ଆମେ ଯିଏ ଯେଉଁଠି ଅଛୁ, ଆମର କାମକୁ ଯଦି ନିଷ୍ଠାର ସହିତ ସମ୍ପାଦନ କରିପାରିବା, ଦେଶ ଆଗେଇବ ଓ ଆମ୍ଭେମାନେ ସୁଖ ଶାନ୍ତିରେ ରହିବା ଏହି ଭାଷଣକୁ ତୁଳନା କରୁଥିଲେ । ଅବଶ୍ୟ ମେଡ଼ିକାଲ୍ ବନ୍ଦ ହେବା ପୂର୍ବରୁ ଡ୍ରେସର ଆସି ଡ୍ରେସିଂ କରିଥିଲେ ।

ଲୋକପ୍ରିୟ ଲେଖା

To Top