ଗଳ୍ପ

ହରିଦାସର କାହାଣୀ

Prakash Behera's odia story Haridaasara Kaahaanee

ସଦ୍ୟ ସ୍ୱାମୀହରା ରାଧାଦେବୀ ପୁଅମାନଙ୍କ ଏଭଳି କାର୍ଯ୍ୟକଳାପରେ ଯାହା ବାୟାଣୀଙ୍କ ଭଳି ହେଉଥାନ୍ତି । ଲାଗୁଥିଲା ସେମାନେ ନିଜ ଘରକୁ ଲୁଟ୍‌ପାଟ୍ କରୁଛନ୍ତି, ଚୋରି କରୁଛନ୍ତି ।

ହରିଦାସର କାହାଣୀ

ହରିଦାସ ଚାଲିଯିବା ପରେ ସମସ୍ତେ ଚୁଃ ଚୁଃ ହେଲେ । ଭେଁ ଭାଁ ରଡ଼ି ମଧ୍ୟ ଛାଡ଼ିଲେ । ଏକ ପ୍ରକାର କୃତ୍ରିମ କାନ୍ଦଣାରେ ସମସ୍ତେ ସାମିଲ୍ କରିଥିଲେ ନିଜକୁ । ଦେଖିଲେ ଯେମିତି ଲାଗିବ ସାରା ପରିବେଶ ଶୋକାଭିଭୂତ ହୋଇପଡ଼ିଛି । ଗୋଟିଏ ଜଡ଼ ନିର୍ଜୀବ ଶରୀରକୁ ନେଇ ସମସ୍ତେ ମର୍ମାହତ । ଉପସ୍ଥିତ ସମସ୍ତେ ଏମିତି ବୁକୁଫଟା କାନ୍ଦଣା କାନ୍ଦୁଥିଲେ ଯେ, ଯୋଉଥିରୁ ଆପଣ ଅନୁମାନ କରିନେବେ ହରିଦାସ କେବେ ବି ତା’ ଜୀବନରେ ମରି ନ ଥାନ୍ତି । ସବୁଦିନ ପାଇଁ ବଞ୍ଚିଥାନ୍ତା । ଅନ୍ୟ ସଜୀବଙ୍କ ପରି ସେ ଚଳପ୍ରଚଳ ହେଉଥାନ୍ତା । ଅଥଚ ଠିକ୍ ପଞ୍ଚାବନ ବର୍ଷ ପୂରିବାର ପରଦିନ ହିଁ ହରିଦାସର ମହାପ୍ରୟାଣ ଘଟିଥିଲା ।

ହରିଦାସର କୋକେଇ ସଜଡ଼ା ହେବା ପର୍ଯ୍ୟନ୍ତ ସମସ୍ତେ ଯେ କେବଳ ମ୍ରିୟମାଣ ହୋଇ କାନ୍ଦୁଥିଲେ ତାହା ନୁହେଁ, ବରଂ କାନ୍ଦିବା ମଝିରେ ହରି ଦାସର ସୁଗୁଣଗୁଡ଼ିକ ମନେ ପକାଉଥିଲେ ଓ ସେଇ ଲୟରେ ତା’ର କୀର୍ତ୍ତିରାଜିଗୁଡ଼ିକୁ ବାହୁନୁଥିଲେ । ହରିଦାସର ଶବ ଠାରୁ ଅଳ୍ପ ଦୂରରେ ଅର୍ଥାତ୍ ମିଟର କି ଅଧମିଟର ଛଡ଼ାରେ ବସିଥିବା ଗାଁର ବୟୋଜ୍ୟେଷ୍ଠ ବ୍ୟକ୍ତି ଜଣକ କିଛି ଟିପ୍ପଣୀ ଦେବାକୁ ଯାଇ କହିପକାଇଲେ, ବିଚାରଟା ଅକାଳେ ଚାଲିଗଲା । ମନ୍ଦିରଟା ହେଲେ ତୋଳି ଦେଇ ଯାଇଥାନ୍ତା । ହଉ ଛାଡ଼. . . !

ହରିଦାସ ଗାଁର ଲୋକ ଓ ସର୍ବୋପରି ତା’ର ଜଣେ ସୂର୍ଯ୍ୟବନ୍ଧୁ ହିସାବରେ ତା’ର ଶେଷ ଦର୍ଶନ କରିବାକୁ ଯାଇଥିବା ମୁଁ ମଧ୍ୟ ଏହି ଘଟଣା ପ୍ରବାହରୁ ଆରମ୍ଭରୁ ଥିଲି । ସେହି ବୟୋଜ୍ୟେଷ୍ଠଙ୍କ ବକ୍ତବ୍ୟ ପରେ ମୋର ମନେ ହେଲା ଯେ ହରିଦାସ ମଲାପରେ ସେ ମାନସିକ କରିଥିବା ମନ୍ଦିର ଯେମିତି ଆଉ ତୋଳି ହେବନି ବା ଆଉ କେହି ସେ ଦାୟିତ୍ୱନ ନେବେନି । ମନ୍ଦିର ପାଇଁ ଥିବା ଗଚ୍ଛିତ ଅର୍ଥ ଏବେ ଆତ୍ମସାତ୍ ହେବ, ବାଟମାରଣା ହେବ ଅର୍ଥାତ୍ ସେ ମନ୍ଦିର ଆଉ ତୋଳା ନ ଯାଇ ତଜ୍ଜନିତ ଅର୍ଥ ତା’ର ପୁଅମାନଙ୍କ ମଧ୍ୟରେ ସମପରିମାଣରେ ବାଣ୍ଟି ହୋଇଯିବ । କାରଣ ସେ କାମଟା ହରିଦାସର ଜୀବଦଶା ଭିତରେ ହେଇପାରିନି ।

ଭାବନାର ଖିଅ ନ ଛିଣ୍ଡୁଣୁ ହଠାତ୍ କେହି ଜଣେ ହରିଦାସର ଶବ ଉପରେ ମଥା କୋଡ଼ି ଓ ନିଜ ଛାତିରେ ବାରମ୍ୱାର ହାତ ବାଡ଼େଇ କାନ୍ଦି କାନ୍ଦି କହୁଥିଲା ହରିଭାଇ ହେଲେ ବଞ୍ଚିଥାନ୍ତା, ଆମେ ସବୁ ତା’ ଆଗରୁ ଚାଲିଯାଇଥିଲେ ଭଲ ହୋଇଥାନ୍ତା । ହଠାତ୍ ମୁଁ ଲୁହପୋଛି ଲକ୍ଷ୍ୟ କଲି ପଧାନସାହିର ରମେଶ ଯିଏ କିଏ ହରିଭାଇର ନିକଟତମ ପଡ଼ୋଶୀ, ସେ ଏ ପ୍ରକାର ନାଟକର ଉପକ୍ରମ କରୁଥିଲା ।

କାରଣ ମୁଁ ଜାଣିଥିଲି ରମେଶ ଯୁବକ ଥିଲା, ଅଢ଼େଇ ବର୍ଷ ତଳେ ସେ ବାହା ହେଇଥିଲା ଓ ଏବେ ତା’ର ବର୍ଷକର ପୁଅ ଅଛି । ହରିଭାଇର ଆଖି ଆଗରେ ତା’ର ବିୟୋଗ ହୋଇଥିଲେ କ’ଣ ଭଲ ହୋଇଥାନ୍ତା ବା ନ ହୋଇଥାନ୍ତା ସେଟା ଅଲଗା କଥା, ମୋଟ୍ ଉପରେ ରମେଶ ତା’ ବାପା ମା’ଙ୍କର ଗୋଟିଏ ବୋଲି ପୁଅ ଓ ଜୀବନ କାଟିବାର ସମସ୍ତେ ସ୍ୱଚ୍ଛଳତା ଓ ସ୍ୱାଚ୍ଛନ୍ଦ୍ୟ ଭିତରେ ସେ କେବେ ବି ଏତେ ଶୀଘ୍ର ସ୍ୱାଭାବିକ୍ ଭାବେ ମରି ନଥାନ୍ତା । ଏହା କେବଳ ସେ ପଡ଼ୋଶୀ ପରିବାରକୁ ଶୋକ ସାନ୍ତ୍ୱନା ଦେବା ଉଦ୍ଦେଶ୍ୟରେ କହିଥିଲା ମାତ୍ର ।

ଇତିମଧ୍ୟରେ ରମେଶର ବାପା ରତ୍ନାକର ସେଠି ପହଞ୍ଚି ଯାଇଥିଲେ ଓ ନିଜର ସମସାମୟିକ ତଥା ଅତି ଘନିଷ୍ଠ ପଡ଼ୋଶୀ ଭଳି ଦୁଃଖରେ ଅଧିର ହୋଇ ହରି ହରି ବୋଲି ଗଦ ଗଦ ହେଉଥିଲେ । କାନ୍ଦମିଶା ସ୍ୱରରେ ସେ କ’ଣ କହୁଥିଲେ ତାହା ତାଙ୍କର ବୟସାଧିକ୍ୟ ଓ ଅସ୍ପଷ୍ଟ ଉଚ୍ଚାରଣ ଯୋଗୁଁ କିଛି ବି ସ୍ପଷ୍ଟ ଶୁଭୁ ନଥିଲା । କେବଳ ଏତିକି ଜଣାପଡୁଥିଲା ଯେ ସେ ବି ନିଜ ପୁଅ ରମେଶ ଭଳି ହରିଦାସ ପାଇଁ ସମପରିମାଣରେ ଦୁଃଖୀ, କାତର ମଧ୍ୟ ।

ଏ ସମସ୍ତ ଦୃଶ୍ୟପଟ୍ଟ ମଧ୍ୟରେ ବେଶି ଚମକପ୍ରଦ ଥିଲା ହରିଦାସ ନିଜ ପରିବାରର କଥା । ତା’ର ପୁଅ ବୋହୂମାନେ ସଂସାର ଉଜୁଡ଼ିଗଲା, ଉଚ୍ଛନ୍ନ ହୋଇଗଲା, ଭାସିଗଲା ବୋଲି ମଝିରେ ମଝିରେ କାନ୍ଦ ବୋବାଳି କରିବା ସହ ପରିଚିତ ଆତ୍ମୀୟମାନଙ୍କୁ ଡାକି ଶବସତ୍କାର ପାଇଁ ବ୍ୟସ୍ତ ଥିଲେ । କେହି ଜଣେ ଆସି ହରିଦାସର ସ୍ତ୍ରୀ ହାତରୁ ଚୁଡ଼ି ଭାଙ୍ଗିବା ବେଳକୁ ସେ ସମୟ ସମୟରେ ମୂର୍ଚ୍ଛିତ ହୋଇପଡୁଥାନ୍ତି । ବେଳେ ବେଳେ ନିଜକୁ ଧିକ୍କାରୁ ଥାନ୍ତି ଓ ସେ କାହିଁକି ଆଗତୁରା ମରି ନ ଗଲେ ବୋଲି କାନ୍ଦି କାନ୍ଦି କହୁଥାନ୍ତି । ଅଥଚ ବିଧିର ବିଧାନ ମାନି ହରିଦାସ ଶେଷ ନିଃଶ୍ୱାସ ଛାଡ଼ିଥିଲା ।

ହରିଦାସର ମୃତ୍ୟୁ ଆକସ୍ମିକ ଥିଲେ ବି କ୍ଳେଶକର ନ ଥିଲା । ହୃଦ୍‌ଯନ୍ତ୍ର ହଠାତ୍ ବନ୍ଦ ହୋଇଯିବାରୁ ତା’ର ମୃତ୍ୟୁ ଘଟିଥିଲା । ତା’ର ମୃତ୍ୟୁ ପାଇଁ ସେ ଯନ୍ତ୍ରଣା ଭୋଗି ନଥିଲା ଅଥବା କାହାକୁ ବି ଭୋଗିବାକୁ ଦେଇ ନଥିଲା । ଏକ ପ୍ରକାର ଶାନ୍ତିରେ ସେ ଶେଷ ନିଃଶ୍ୱାସ ଛାଡ଼ିଥିଲା । ତା’ର ମରିବାଟା ତାକୁ ଆଗୁଆ ଜଣାଥିଲା କି କ’ଣ ସେଦିନ ସେ ଘରୁ କୁଆଡ଼େ ବାହାରକୁ ଯାଇ ନଥିଲା । ମରିବାର କିଛି ସମୟ ଆଗରୁ ସ୍ତ୍ରୀ ରାଧାଙ୍କ ସହ କିଛି କଥା ହୋଇଥିଲା ଓ ସବା ସାନ ନାତିକୁ କାନ୍ଧରେ ବସାଇ ଦାଣ୍ଡରେ ବୁଲିଥିଲା ଓ ତାକୁ ଢେର ଗେଲ କରିଥିଲା । ଆଉ ତା’ପରେ ସବୁ ଥିଲା ଆକସ୍ମିକ ଓ ଦୁଃଖାଭିଭୂତ ।

ହୁତ୍‌ହୁତ୍ ହୋଇ ହୁତାଶିଆ ପବନରେ ଜଳି ଉଠିଛି ହରିଦାସର ଜୁଇ । ମଡ଼ା ଭାଇମାନେ ଅପଲକ ଆଖିରେ ଚାହିଁ ରହିଛନ୍ତି ସେ ଜୁଇ ଆଡ଼େ । ମଝିରେ ମଝିରେ ଟକ୍‌ଟାକ୍ ହୋଇ ଫୁଟୁଛି ଜ୍ୱଳନ୍ତ ନିଆଁରେ ହରିଦାସର ମୃତ ହାଡ଼ଗଣ୍ଠିମାନ ଆଉ ଅଟ୍ଟହାସ୍ୟ କରୁଛି ମଶାଣିସ୍ଥ ମଡ଼ାଭାଇମାନଙ୍କର ଛୋଟିଆ ଛୋଟିଆ ଜୀବନକୁ । ମଶାଣିରେ ସିନା ମୃତ୍ୟୁ ନ ଥାଏ, କିନ୍ତୁ ମୃତ୍ୟୁ ପରେ ସମସ୍ତେ ହରିଦାସ ଭଳି ଏମିତି ମଶାଣି ମୁହାଁ ହୋଇଥାନ୍ତି ।

ପଛକୁ ନ ଚାହିଁବାର ବା ନ ଫେରିବାର ବିଧି ମାନିବାପାଙ୍କୁ ମୁଖାଗ୍ନି ଦେଇ ବଡ଼ପୁଅ ସମରେନ୍ଦ୍ର ଏକମୁହାଁ ହୋଇ ଫେରିଆସିଛି ଘରକୁ । କାନ୍ଦୁରୀ ସ୍ତ୍ରୀକୁ ମିଛିମିଛିକା ପ୍ରବୋଧନା ଦେଇଛି । ବଡ଼ବୋହୂ ବି କମ୍ ଟିକକର ନୁହଁ । ଚୁପି ଚୁପି ସେ ତା’ ଗିରସ୍ତ କାନରେ କ’ଣ କହିଲା ଯେ ସମରେନ୍ଦ୍ର ହାତରେ ଖଣତାଟେ ଧରି ନିର୍ଧୁମ୍ ଖୋଳି ଚାଲିଲା ସେ ଜାଗାକୁ ଠିକ୍ ଯୋଉ ଜାଗାରେ ବାପା ଅନ୍ତତଃ ଶେଷ ଦୁଇବର୍ଷ ନିର୍ଦ୍ଦିଷ୍ଟ ଭାବେ ବସୁଥିଲେ । ମଡ଼ା ଭାଇମାନେ ତିକତ ଖାଇବା ପାଇଁ ଆସିବା ବେଳକୁ ସେ ପୁରୁଷେ କି ଦେଢ଼ ପୁରୁଷ ଗାତ ଖୋଳି ସାରିଲାଣି ।

ସମସ୍ତେ ଅବାକ୍ ଆଉ ଆଶ୍ଚର୍ଯ୍ୟ ବି । ସମରେନ୍ଦ୍ର ଏ କ’ଣ କରୁଛି ! କଷି ଆମ୍ୱ ଧରି ଗଛଟି ଭାରାକ୍ରାନ୍ତ ହେଲା ପରି ତା’ ସ୍ତ୍ରୀ କହିବା ପରେ ସେ ବି ପୂରାମାତ୍ରାରେ ସନ୍ଦିହାନ ହୋଇପଡ଼ିଲା । ସତେ ତ ବାପା ହଠାତ୍ ଚାଲିଗଲେ । କେଉଁଠି କ’ଣ ରଖିଛନ୍ତି ସେ କଥା କାହାକୁ ବି କହିପାରିଲେନି- ନା ବୋଉକୁ ନା ସେମାନଙ୍କୁ । ତେଣୁ ସେମାନେ ଘରଟା ସାରା ଲୁଟ୍‌ପାଟ୍ କରୁଥିଲେ କାଳେ କେଉଠି ପାଣ୍ଡୋରା ବାକ୍ସରୁ କିଛି ବା ଗୁପ୍ତଧନ ମିଳିଯିବ ।

ଏପଟେ କିଛି ବର୍ଷ ଆଗରୁ ସିନ୍ଦୁକର ଚାବି ପାଇ ଘରର ସର୍ବେସର୍ବା ମାଲିକାଣୀ ବୋଲାଉଥିବା ବଡ଼ବୋହୂ ସିନ୍ଦୂକ ପ୍ରାୟ ଖାଲି କରିସାରିଲାଣି । ଭାଗବଣ୍ଟା ହେଲେ ସମ୍ପତ୍ତି ଅଧିକ ତା’ କମ୍ ପଡ଼ିବ ସେଥିକୁ ବାଛ ବିଚାର ନାହିଁ । ବଡ଼ଭାଇ ଓ ଭାଉଜଙ୍କର ଏ ପ୍ରକାର ଆଚରଣ ଲକ୍ଷ୍ୟ କରି ସାନଭାଇ ଭାବିନେଲା ଯେ ଜମିବାଡ଼ି ବା ବାଡ଼ିବଗିଚା ବାଣ୍ଟ ହେବା ତ ପଛର କଥା, ସେ ବି ତା’ ସ୍ତ୍ରୀକୁ ଲଗେଇଯାହା ବା ଟୁକୁରା ଟୁକୁରି ଜିନିଷ ନିଜ ଅକ୍ତିଆରକୁ ନେବା ପାଇଁ ବ୍ୟଗ୍ର ଥିଲା । ସଦ୍ୟ ସ୍ୱାମୀହରା ରାଧାଦେବୀ ପୁଅମାନଙ୍କ ଏଭଳି କାର୍ଯ୍ୟକଳାପରେ ଯାହା ବାୟାଣୀଙ୍କ ଭଳି ହେଉଥାନ୍ତି । ଲାଗୁଥିଲା ସେମାନେ ନିଜ ଘରକୁ ଲୁଟ୍‌ପାଟ୍ କରୁଛନ୍ତି, ଚୋରି କରୁଛନ୍ତି । ସମସ୍ତଙ୍କ ଆଖିରେ ଏବେ ସେମାନେ ପାଲଟିଛନ୍ତି ଗୋଟେ ଗୋଟେ ଲୁଟେରା । ଏ କଥା ଆଉ କେହି ଅନୁଭବ ନ କଲେ ବି ନିଜେ ହରିଦାସ ତା’ ଜୁଇରୁ ଥାଇ ଏହା ସ୍ପଷ୍ଟ ଦେଖିପାରୁଥିଲା ।

ବେଶି ନୁହେଁ ହରିଦାସ ମହାପ୍ରୟାଣର ପାଞ୍ଚ ବା ଛଅଦିନ ପରେ ତା’ ବିୟୋଗରେ ଅତିମାତ୍ରାରେ ଅଧିର ହୋଇପଡ଼ିଥିବା ତଥା ଖୁବ୍ ଘନିଷ୍ଠ ପଡ଼ୋଶୀ ବୋଲାଉଥିବା ରତ୍ନାକର ତାଙ୍କ ଦୁଇ ଚକଡ଼ା ଭିତରେ ଗୋଟିଏ ସାଜି ଜାଗାକୁ ପ୍ରାୟ ଅର୍ଦ୍ଧାଧିକ ମାଡ଼ି ବାଡ଼ ପୋତିଲା । ସିଂହାସନ ପାଇଁ ଶାହାଜାହାନ୍‌ଙ୍କ ଚାରିପୁଅଙ୍କ ଭିତରେ କନ୍ଦଳ ଲାଗିବା ପରି ସେ ବି ହରିଦାସର ପୁଅ ଦୁହିଁଙ୍କର ମଧ୍ୟରେ ଥିବା ବିଭେଦର ସୁଯୋଗ ନେବାକୁ ଚେଷ୍ଟା କରୁଥିଲା । ଆଜି ଯଦି ହରିଦାସ ବଞ୍ଚିଥାନ୍ତା, ରତ୍ନାକର କେବେ ବି ଏ ଉଦ୍ୟମ କରିନଥାନ୍ତା । କାରଣ ହରିଦାସ ଥିଲା ସଚ୍ଚୋଟ ଆଉ ନିର୍ଭୀକ । ସାଧାରଣ ଚାଷୀଟିଏ ଭାବରେ ସେ ତା’ ଜୀବନ ସତ୍‌ରେ କାଟିଥିଲା । ଅବଶ୍ୟ ହରିଦାସ ଯେ ଏହି ସାଜି ଜାଗାର ମୀମାଂସା ତୁଟାଇବାକୁ ଚେଷ୍ଟା ନ କରିଛି ତାହା ନୁହେଁ । ପ୍ରକୃତ କଥା ହେଉଛି କେଶ୍‌ଟା କୋର୍ଟ ହାତରେ ଥିଲା ଓ ଆଉ ଗୋଟାଏ ଦୁଇଟା ତାରିଖ ପରେ ତାହା ଫାଇନାଲ୍ ହୋଇଥାନ୍ତା । ତେବେ ରତ୍ନାକରର ବେଆଇନ୍ ଭାବେ ଜାଗା ମାଡ଼ି ବସିବାଟା ହରିଦାସର ଦୁଇପୁଅଙ୍କ ଆଖିରେ ପଡୁ ନଥିଲା କି କଣ ସେମାନେ ନିଜ ନିଜ ହକ୍ ଭାଗ ପାଇବାରେ ଏତେ ବ୍ୟସ୍ତ ଥିଲେ ଯେ ସାଦି ଜାଗା ଭାବି ସାଧାରଣରେ ପ୍ରତିବାଦ କରିବାକୁ ବି ଆସୁ ନଥିଲେ ।

ହରିଦାସ ଓରଫ୍ ହରିହର ଦାସଙ୍କ ମୃତୁ୍ୟର ଚାରିପାଞ୍ଚ ମାସ ପରେ ସ୍ତ୍ରୀ ରାଧାଦେବୀ ଏକଦା ଦୀର୍ଘଦିନ ଧରି ବେମାରରେ ପଡ଼ିଲେ । ପାଳିକରି ଜ୍ୱର ହେବା ସାଙ୍ଗକୁ ମଝିରେ ମଝିରେ ଝାଡ଼ା ହୋଇ ସେ ପ୍ରାୟ କଣ୍ଟା ଦେଖାଗଲେ । ଦୁଇବୋହୂ ଏ ସମୟରେ ଖୁବ୍ ଆଦର ଯତ୍ନରେ ତାଙ୍କର ସେବା ଶୁଶ୍ରୁଷା କଲେ । ଶାଶୁ ବୁଢ଼ୀ ଟିକେ ସାଷ୍ଟମ ହୋଇ ସୁସ୍ଥ ହୋଇଆସିବା ବେଳକୁ ଏକାନ୍ତରେ ଦିନେ ଦୁଇ ବୋହୂ ଶାଶୁଙ୍କ ପାଖରେ ଗୋଟେ ମିନତି ଜଣାଇଲେ । ଖୁବ୍ ହେପାଜତ କରିଥିବା କୈକେୟୀଙ୍କୁ ଦଶରଥଙ୍କ ବରପ୍ରାପ୍ତି ଭଳି ମାତୃତୁଲ୍ୟ, ନିର୍ଲୋଭ ଓ ନିରାସକ୍ତ ରାଧାଦେବୀ ତହୁଁ କୋର୍ଟରେ ତାଙ୍କର ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତିକୁ ପୁଅମାନଙ୍କ ନାଁରେ ସମାନ ସମାନ ଭାଗରେ ଉଇଲ୍ କରିଦେଲେ । ଅଚିରେ ସମ୍ପତ୍ତି ହାସଲ କରିଥିବା ପୁଅମାନେ ଲୋଲୁପ ଆଖି ଏଥର ମହାଦେବ ମନ୍ଦିର ପାଇଁ ଥିବା ଗଚ୍ଛିତ ଅର୍ଥ ଉପରେ ପଡ଼ିଲା । ତାଙ୍କ ବିଚାରରେ ଅଯଥା ଏତେଗୁଡ଼ା ଟଙ୍କା କାହିଁକି ନଷ୍ଟ ହେବ । କୋଉ ଏ କଳିଯୁଗରେ ଭଲ କାମ କଲେ ପୁଣ୍ୟଫଳ ଗୁଡ଼ା ଅଜାଡ଼ି ହୋଇପଡୁଛି ଯେ । ତେଣୁ ସ୍ଥିର ହୋଇଥିଲା ବାପା ରଖିଥିବା ଲକ୍ଷେ ଟଙ୍କା ସିଧାସଳଖ ମନ୍ଦିର ପାଇଁ ଦିଆ ନ ଯାଇ ତହିଁରୁ କିଛି ଟଙ୍କା ଭିତରେ ମହାଦେବଙ୍କ ପାଇଁ ଗୋଟିଏ ବାସୁଆ ବଳଦ କିଣି ଦେବେ ଓ ଗାଁର ସବୁ ଲୋକଙ୍କୁ କୋଉଦିନ ଦେଖି ଗୋଟିଏ ସାତ୍ତ୍ୱିକ ଭୋଜନରେ ଆପ୍ୟାୟିତ କରିବେ ।

ଥରେ ଗୋଟେ ମାମୁଲି କଥାକୁ ନେଇ ଦୁଇ ଭାଇଙ୍କ ଭିତରେ କଥା କଟାକଟି ଓ ପରେ ହାତାହାତି ହୋଇଗଲା । ଆଗରୁ ତ ଦୁହେଁ ଛକାଛକି ହୋଇ ଚଳୁଥିଲେ । ତା’ ପରେ ଦାସ ପରିବାର ମଝିରେ ପାଚେରି ଉଠିବା ଆଗରୁ ଦି’ଟା ଚୁଲିରେ ରୋଷେଇ ହେବାକୁ ଲାଗିଲା । ଏହି ସମୟରେ ବଡ଼ବୋହୂ ହଠାତ୍ କୃତଘ୍ନଙ୍କ ଭଳି ପ୍ରଶ୍ନ କଲା- “ତା’ହେଲେ ବୋଉକୁ କିଏ ନବ ?” ବିନା ବାଦ ବିବାଦରେ ସମ୍ପତ୍ତି ଦି’ଭାଗ ହୋଇ ଛିଡ଼ିଗଲା ପରି ରାଧାଦେବୀ ଶେଷରେ ଫାଳଫାଳ ହୋଇଗଲେ । ଦୁଇଭାଇ ବସି ନିଷ୍ପତ୍ତି ନେଲେ ଯେ ସେମାନେ ବୋଉକୁ ବର୍ଷସାରା ଦୁଇ ଦୁଇ ମାସ ପାଳି କରି ରଖିବେ ।

ଅତଏବ ଜନ୍ମକଲା ବୋଉ ବି ଶେଷରେ ପାଲିଟିଗଲା ଏକ ବିଶ୍ୱସ୍ତ ଚାକରାଣୀ । ଭାଗ୍ୟ ଭଲ ହରିଦାସର ଦ୍ୱିତୀୟ ଗର୍ଭରୁ ଝିଅଟିଏ ଜନ୍ମ ହୋଇ ଖୁବ୍ କମ୍ ଦିନ ଭିତରେ ମରିଯିବା ପରେ ତା’ର ଆଉ ଝିଅ ନଥିଲା । ଅନ୍ୟଥା ସେ ବି ଅଭିଆଡ଼ୀ ରହି ଭାଇମାନଙ୍କ ସେବାରେ ଲାଗିଥାନ୍ତା । ଉଭୟ ବଳ ଓ ବୟସରେ ଦୁର୍ବଳ ହୋଇଯାଇଥିବା ରାଧାଦେବୀ ପୁଅମାନଙ୍କ ଏତାଦୃଶ ଆଚରଣରେ ବିସ୍ମିତ ହେଉଥିଲେ । ହେଲେ କିଛି କରିବାର ନ ଥିଲା । ସେ କେବଳ ଗୋଟିଏ କଥା ଭାବୁଥିଲେ କୋଉଦିନ ଆରପାରିରେ ଥିବା ତାଙ୍କ ସ୍ୱାମୀଙ୍କ ପାଖକୁ ଚାଲିଯିବେ ।

ପୁଅମାନେ ବୋଉକୁ ଭାଗ କରିବାର ଅନେକ ଦିନ ପରେ ଦେଖାଗଲା ଯେ ବୋଉ ହଠାତ୍ ଅବିଜ୍ଞାପିତ ଭାବେ କୁଆଡ଼େ ନିରୁଦ୍ଦିଷ୍ଟ ହୋଇଯାଇଛି । ବୋହୂମାନେ ଏଇ ଘଟଣାକୁ ନେଇ ଭାରି କନ୍ଦାକଟା କଲେ । ପୁଅମାନେ ବି ଖୁବ୍ ବ୍ୟସ୍ତ ହୋଇପଡ଼ିଲେ । ବୋଉକୁ ଖୋଜିବାକୁ ଯାଇ ସବୁ ବନ୍ଧୁବାନ୍ଧବ ଘର ଦରାଣ୍ଡିଲେ ।

ଏମିତି ଅନେକ ଖୋଜାଖୋଜି ପରେ ସେମାନେ ଦିନେ ଗାଁରେ ସଭା ଡାକି ଘୋଷଣା କଲେ ଯେ ସେମାନଙ୍କର ବୋଉ କାହାକୁ କିଛି ନ କହି କୁଆଡ଼େ ପଳାଇଯାଇଛି । ଏ କଥା ଶୁଣି ଗାଁର ଅଧିକାଂଶ ଲୋକ କିଛି ବି ପ୍ରତିକ୍ରିୟା ନ ଦେଖାଇ ସ୍ୱାଭାବିକ୍ ଭାବେ ହୁଁ ହାଁ ମାରିଲେ । ସେମାନଙ୍କ ଦୁଃଖରେ ସମଦୁଃଖୀ ବୋଲି ମିଛି ମିଛିକା ଅଭିନୟ କଲେ ।

ପୁଅମାନଙ୍କ ପାଇଁ ତାଙ୍କ ବୋଉ ସିନା କୁଆଡ଼େ ହଜି ଯାଇଥିଲା । କିନ୍ତୁ ଗୋଟି ଗୋଟି କରି ଗାଁର ସବୁଲୋକ ଗୋଟିଏ କଞ୍ଚା ସତକଥା ଜାଣିଥିଲେ ଯେ, ବୟସାଧିକ୍ୟ, ସ୍ୱାମୀଙ୍କର ଅକାଳ ବିୟୋଗ ତଥା ସର୍ବୋପରି ପୁଅ ବୋହୂମାନଙ୍କର ଧର୍ମଛଡ଼ା ମନୋଭାବ ଯୋଗୁଁ ବୁଢ଼ୀଟି ବାରମ୍ୱାର ରୋଗରେ ପଡୁଥିଲା ଓ ତା’ର ଗୁହମୂତ ପୋଛିବା ସେବାଠୁ ଆରମ୍ଭ କରି ଯାବତୀୟ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଦୁଇ ପୁଅ ସଲାସୁତୁରା କରି ନିଜକୁ ବୁଢ଼ୀର ପୁଅ ବୋଲି ପରିଚୟ ନ ଦେଇ ଗାଁଠାରୁ ଅନେକ ଦୂରରେ ନୂଆକରି ଖୋଲିଥିବା ଗୋଟେ “ଓଲ୍ଡ ଏଜ୍ ହୋମ୍”ରେ ଛାଡ଼ିଦେଇ ଆସିଥିଲେ । ଆଉ ୟା’ପରର ଘଟଣା ସମଗ୍ର ପାଠକଙ୍କ ପାଇଁ ନିହାତି ଗତାନୁଗତିକ ଓ ନିତିଦିନଆ ଥିଲା ।

ଲୋକପ୍ରିୟ ଲେଖା

To Top