ଗଳ୍ପ

ହଟହଟା

Dr Sharat Chandra Parida's odia story Hatahataa

ସୁନ୍ଦରୀ ଶବ୍ଦରେ କି ମୋହ ଅଛି କେଜାଣି ଏ ନାଆଁଟା ଶୁଣିଲେ ଅରସିକ ମନରେ ବି ରସିକିଆ ଭାବ ଉକୁଟି ଉଠେ । ପ୍ରେମ ଆଣରେ ଫେଣ ଉଠେ ।

ହଟହଟା

ଦଶହରା ଘଡ଼ି । ସବୁରି ମନ ଆନନ୍ଦ ଉଲ୍ଲାସ । ଦେବୀଙ୍କ ପୂଜା ଉପାସନା ହେବ ତାହା ଯେତିକି ଗୁରୁତ୍ୱପୂର୍ଣ୍ଣ ନୁହେଁ, ଦଶହରା ବଜାରର ଚାକଚକ୍ୟଭରା ଆକର୍ଷଣ ପାଖରେ ସମସ୍ତେ ମୋହ ଗ୍ରସ୍ତ । କିଣା ବିକାର ଆଗ୍ରହ, ବୁଲାବୁଲି କରିବାର ବ୍ୟଗ୍ରତା, ବନ୍ଧୁବାନ୍ଧବ ପ୍ରିୟାପ୍ରୀତିକୁ ଭେଟିବାର ଯେଉଁ ଉତ୍କଣ୍ଠା ତାହା ସମସ୍ତଙ୍କ ମନର କେଉଁ ଏକ ନିଭୃତ କୋଣରେ ଜମାଟ ବାନ୍ଧି ରହିଥାଏ, ତାହା ବେଶ୍ ଲକ୍ଷଣୀୟ । ଅର୍ଥ କେମିତି ଆସିବ ଓ ଅର୍ଥ କିପରି ଖର୍ଚ୍ଚ ହେବ ତାହାର ଅଟକଳ ସତେ ଯେମିତି କାହାକୁ ଅଟକାଇ ପାରେ ନାଇଁ । ଦୋକାନୀର ଆୟୋଜନ ସାଙ୍ଗରେ ଗରାକର ପ୍ରସ୍ତୁତି ମଧ୍ୟ ତାଳ ଦେଇ ଚାଲିଥାଏ ।

ଆଜ୍ଞା, ଆପଣମାନେ ଜାଣିଥିବେ ଆଜିକାଲି ଖରିଦ୍‌ଦାର୍ ଯେମିତି ସହଜରେ ଜିନିଷ କିଣି ପାରିବେ ସେଥି ପାଇଁ କୋ-ଅପରେଟିଭ୍ ଷ୍ଟୋର୍ ଠାରୁ କ୍ରେଡ଼ିଟ୍ କାର୍ଡ ପର୍ଯ୍ୟନ୍ତ ସବୁ ପ୍ରକାର ବ୍ୟବସ୍ଥା ହୋଇଗଲାଣି । ଜିନିଷ କିଣିବା ପାଇଁ ଅଣ୍ଟାରେ ଯେ ପଇସା ଥିବା ନିହାତି ଦରକାର ଏମିତି କିଛି ଧରା ବନ୍ଧା ନିୟମ ଆଉ ନାଇଁ ।

ଜ୍ଞାନରଞ୍ଜନ ସେଦିନ ନାଲ୍କୋ କୋଅପରେଟିଭ୍ ଷ୍ଟୋର୍‌କୁ ଯାଇଥିଲା । ସାକ୍ଷାତ୍ ଲକ୍ଷ୍ମୀଙ୍କ ଭଣ୍ଡାର । ନାନା ରକମର ଜିନିଷ ମନ ଛୁଆଁ ଢଙ୍ଗରେ ସଜା ହୋଇ ଚମକ ସୃଷ୍ଟି କରୁଚି । ଏ ତ ପୁଣି ଦଶହରା ବଜାର । କ’ଣ ସବୁ ନ ଆସିଚି । ମୁମ୍ୱାଇ ସହରର ଯେଉଁ ଦରବ ଆଜି ବିଜ୍ଞାପନରେ ଟିଭିର ପରଦାରେ ଦେଖିବାକୁ ମିଳେ ତା’ ପରଦିନ ତାହା ନାଲ୍କୋ ଷ୍ଟୋର୍‌ରେ ଦେଖିବା କିଛି ବିଚିତ୍ର କଥା ନୁହଁ । ନୂଆ ନୂଆ ଚିଜ୍ ନାଲ୍କୋ କର୍ମଚାରୀଙ୍କୁ ଯୋଗାଇ ଦେବାର ଯେଉଁ ସେବା ସେଥିରେ ଷ୍ଟୋର୍ ଆଦୌ ହେଳା କରେ ନାଇଁ । ଗରାକ ସେବା ସେମାନଙ୍କର ବ୍ରତ । ଗରାକର ସନ୍ତୋଷ ସେମାନଙ୍କର ମୂଳଧନ, ସମ୍ପତ୍ତି, ସମ୍ୱଳ । ଗରାକ ସେମାନଙ୍କର ପ୍ରଭୁ କହିଲେ ଅତ୍ୟୁକ୍ତି ହେବ ନାଇଁ । ନିଜେ ଖାଣ୍ଟି ଗୁଆଘିଅ ଖାଇ ଠାକୁରଙ୍କୁ ଡାଲ୍‌ଡା ଘିଅ ଦେଲେ ଠାକୁର ସିନା ପ୍ରତିବାଦ କରନ୍ତିନି ହେଲେ ଗରାକ କିଣା ଦରବରେ ଦୋଷତ୍ରୁଟି ଦେଖିଲେ ରୋକ୍ ଠୋକ୍ କହି ଦିଅନ୍ତି । ଜିନିଷ ଫେରାଇ ଦିଅନ୍ତି । ପଇସା ଫେରସ୍ତ ଦାବି କରନ୍ତି । ନିରୁପାୟ ହେଲେ ଖାଉଟି ଅଦାଲତକୁ ଯାଆନ୍ତି । ଆଜିର କିଣା ବିକା ବଜାରରେ ସବୁ ସଚେତନ ହୋଇ ଗଲେଣି । ଖାଉଟି ସାବଧାନ, ଦୋକାନୀ ବି ସତର୍କ !

ହେଲେ ସେଦିନର ସେ କଥାଟା ଟିକେ ନିଆରା । ପାହାଡ଼ର ଛାତି ଉପରେ ସେକ୍ଟର ଥ୍ରୀ ମାର୍କେଟ୍ କମ୍ପ୍ଲେକ୍ସ । ଗୋଧୂଳି ସନ୍ଧ୍ୟା । ଧୂଳି ନ ଉଡ଼ିଲେ ମଧ୍ୟ ଗାଇ ମଇଁଷିଙ୍କ ଫେରନ୍ତା ଟାପୁ ଶବ୍ଦ ପକ୍କା ରାସ୍ତାରେ ସନ୍ଧ୍ୟାର ଆବାହନୀ ଗାଇଦେଇ ଯାଉଥାଏ । ରାସ୍ତାର ବିଜୁଳିବତି ଚମକିଲେଣି । ଟିକେ ମୁଣ୍ଡ ଉପରକୁ ନ ଚାହିଁଲେ ପାହାଡ଼ର ଚୂଡ଼ା ଛୁଇଁ ନୀଡ଼କୁ ଫେରୁଥିବା ବଗ ଓ ଗେଣ୍ଡାଳିଆ ଦେଖିବାକୁ ମିଳନ୍ତି ନାଇଁ । ଭୋଗର ଲାଳସା ମଣିଷର ଅବଚେତନ ମନକୁ ତା’ର ଅଜାଣତରେ ଗ୍ରାସି ଗଲା ପରି ଗିରିବନାନୀରୁ ଏ ଅନ୍ଧାର ବାହାରି କେତେବେଳେ ଯେ ନିଜକୁ ଚାରିଆଡ଼େ ଖେଳେଇ ଦେଇଥାଏ କେହି ଜାଣି ପାରନ୍ତି ନାଇଁ । ଓମୁଣ୍ଡିଆ କୋଠା ମାଳାର ଗହଳିରେ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ସହଜରେ ବାରି ହୁଏ ନାଇଁ ।

ଜ୍ଞାନରଞ୍ଜନ ଡିଉଟିରୁ ଫେରିଚି । ହାତଗୋଡ଼ ଧୋଇଚି । ଟିକେ ଫ୍ରେସ୍ ହୋଇଚି । ବେଡ୍ ଉପରେ ହାଲିଆ ଦେହଟାକୁ ହୁଗୁଳାଇ ଦେଇ ଟିକେ କ୍ଳାନ୍ତି ମେଣ୍ଟାଉଚି । ହଠାତ୍ ମନକୁ କ’ଣ ଗୋଟେ ଢୁକିଲା । ଭୁସ୍ କିନା ଉଠି ପଡ଼ିଲା । ମନ ଉପରେ ଦିନଟା ଯାକର ପଡ଼ିଥିବା ଧୂଳିକୁ ପୋଛି ଦେବା ପାଇଁ ମାର୍କେଟ୍ ଆଡ଼କୁ ମୁହାଁଇଲା । ସାଙ୍ଗସାଥୀଙ୍କୁ ଭେଟିଲା । ଖିଲିପାନ ଖଣ୍ଡେ ଖାଇଲା । ପୁଚୁକା ପୁଚୁକା ଗାଲରେ ଛେପ ପଚ ପଚ ପକାଇ ଷ୍ଟୋର୍ ଆଡ଼େ ଧପାଳିଲା । ସେ ତ ଷ୍ଟୋର୍ ନୁହେଁ । ବାଇଶ ବର୍ଷର ଯୁବତୀ । ଅଙ୍ଗ ତା’ର ରଙ୍ଗ ଭରା । ଦେହରେ ଦେହେ ଯୌବନ । ନାନା ଆକର୍ଷଣରେ ଭରା । କଲର ଟିଭିରୁ ମୃଦୁ ସଙ୍ଗୀତ ଭାସି ଆସୁଛି । ସିଡ଼ି, ରେଡ଼ିଓ, ଭିଡ଼ିଓଠୁଁ ଆରମ୍ଭ କରି କସ୍ମେଟିକ୍ସ ପର୍ଯ୍ୟନ୍ତ କ’ଣ ତା’ ପସରାରେ ନାଇଁ । ଆଖି ଲାଖି ଯାଉଚି । ମନଜିଣା ଘର କରଣା ଚିଜ୍ ଦେଖିଲେ ନ କିଣିବା ଲୋକର ମନ ମଧ୍ୟ କିଛି କିଣିବାକୁ ଛନ ଛନ ହୁଏ କିମିଆଁ କଲା ପରି । ପଇସା ପାଖରେ ନ ଥିଲେ ଧାର ଉଧାର କରି ଜିନିଷ କିଣା କିଣି କରିବାର ଯେଉଁ ଇଚ୍ଛା ତାକୁ ତୋଷିବା ତ ଆମ ଲୋକମାନଙ୍କର ସହଜ ସ୍ୱଭାବ ।

ସେଦିନ ଯୋଗକୁ ସାମଲ ବାବୁ ଷ୍ଟୋର୍‌ରେ ଥାଆନ୍ତି । ଦେଖିବାକୁ ଯେମିତି ଡେଙ୍ଗା, ସେମିତି ପତଳା । ଥଟ୍ଟା ମିଜାଜ୍‌ର ଲୋକ । ସରୁ କଥା କହି ମନ କିଣିବାରେ ଓସ୍ତାଦ୍ । ଆଦିରସର ପଦ୍ମତୋଳା ବୋଲି ନିରସ ମନକୁ ରସାଳ କରି ନଚେଇବାରେ ଧୁରନ୍ଧର । ହଠାତ୍ ସାମଲବାବୁଙ୍କ ସହିତ ଜ୍ଞାନରଞ୍ଜନର ଭେଟ ହୋଇଗଲା । କ’ଣ ଜ୍ଞାନରଞ୍ଜନ ! ଏମିତି ଖାଲି ଖାଲି ଏକୁଟିଆ ବୁଲୁଚ ଯେ । ଏ ପରା ପୂଜା ବଜାର । ଦେଖ ଥରେ ଆମ ଷ୍ଟୋର୍‌କୁ । ତମେ ତ ହାତକୁ ଦି’ହାତ ନ ହୋଇ ଆଜି ପର୍ଯ୍ୟନ୍ତ ଓଥରା ହୋଇ ବୁଲୁଚ । ଘରକୁ ଘରଣୀ ଥିଲେ ସିନା ଯାଇ ସୁନ୍ଦର ଦିଶେ । ନ ହେଲେ ଘର ଆଉ ବଣ ମଧ୍ୟରେ କ’ଣ ଫରକ୍ !

ସେତେବେଳେ ବଜାରକୁ ନୂଆକରି ପ୍ରେସର୍ କୁକର୍ ଆସିଥାଏ । ସବୁଲୋକ ତା’ର ବ୍ୟବହାର ଉତ୍ତମ ରୂପେ ଜାଣି ନଥାନ୍ତି । ପ୍ରେସରର୍ ବାମ୍ଫଯାକ ଚାପରେ ଠେଲି ହୋଇ ଏକା ବେଳକେ ଭୁସ୍ କିନା ବାହାରକୁ ବାହାରିଲା ବେଳେ ଲୋକ ଚମକି ପଡ଼ନ୍ତି । ଏତେ ଶୀଘ୍ର ରୋଷେଇ ହେବା ଦେଖି ସମସ୍ତେ ଖୁସି । କି ଗାଁ କି ସହର ସବୁଆଡ଼େ ତା’ର ଆଦର । ସବୁଆଡ଼େ ତା’ର ଚାହିଦା ।

ସାମଲ ବାବୁ ପରିହାସ ଛଳରେ କହିଲେ- “ଭାଇ, ତମ ପାଇଁ ଗୋଟିଏ ସୁନ୍ଦରୀ ଆସିଛି । ରୂପ ତା’ର ଗୋଲ୍‌ଗାଲ୍ । ଚେହେରାଟା ଚକାଚକ୍ । କଥା ତା’ର ଫୁସ୍‌ଫୁସ୍ ଯେତେବେଳେ ଦେଖିବ ତମ ପାଖେ ପାଖେ ଥିବ । ତୁମ କଥା ସବୁ ମାନିବ । ତୁମେ ତାହା ସଙ୍ଗେ କଥା ହୋଇପାରିବ । ତୁମେ ଯାହା ବରାଦ କରିବ ସଙ୍ଗେ ସଙ୍ଗେ କରି ଦେବ । ତୁମେ ତା’ ରୋଷେଇ ଖାଇ ଆରାମରେ ଦିନ କାଟି ପାରିବ । ଜ୍ଞାନରଞ୍ଜନ ଟିକେ ସାଦାସିଧା ଲୋକ । ପାଠ ସି’ ଅକ୍ଷର ବିବର୍ଜିତ । ଭାଗ୍ୟ ଟାଣ ଥିବାରୁ ଅଫିସିରେ ଚପରାଶି ଚାକିରି । ବାବୁଭୟାଙ୍କ ବୋଲହାକ କରେ । ସାହିତ୍ୟ କ’ଣ ବୁଝେନା । ରସ କ’ଣ ଜାଣେନା । ହେଲେ ରୋଷେଇବାସ କରି ଦେଉଥିବା ସୁନ୍ଦରୀ କଥା ଶୁଣି ଚୁଲିରେ ଦୁଗ୍ଧ ଉତୁରିଲା ପରି ତା’ ମନଟା ଫୁଲି ଉଠିଲା । ସୁନ୍ଦରୀ ଶବ୍ଦରେ କି ମୋହ ଅଛି କେଜାଣି ଏ ନାଆଁଟା ଶୁଣିଲେ ଅରସିକ ମନରେ ବି ରସିକିଆ ଭାବ ଉକୁଟି ଉଠେ । ପ୍ରେମ ଆଣରେ ଫେଣ ଉଠେ । ଶୋଇ ପଡ଼ିଥିବା ପୁରୁଷପଣିଆ ଧଡ୍‌ପଡ୍ ହୋଇ ଚେଇଁ ଉଠେ । ଚପାଚପା ହସରେ ଦାନ୍ତଗୁଡ଼ିକ ଅଧା ଉଜ୍ଜ୍ୱଳ ଦେଖାଯାନ୍ତି । ମୁଖ ମଣ୍ଡଳରେ କିଛି ଅମୂଲ୍ୟ ନିଧି ପାଇ ଯିବାର ସୂର୍ଯ୍ୟ ଉଁଏ । ମନଟା ଟିକେ କୁରୁଳି ଉଠେ । ଦେହଟା ଶିହରି ଯାଏ । ନ ହେଉ ପଛେ ସତ, ମିଛିମିଛିକା ସ୍ୱପ୍ନରେ ସେ ମସ୍‌ଗୁଲ୍ ହୁଏ । ଏଥିରେ କାହା ପାଇଁ ବାରଣ ନାଇଁ । ମୂର୍ଖ ପଣ୍ଡିତ, ଧନୀ ଗରିବ, ସୁନ୍ଦର, କୁତ୍ସିତ, ରାଜା ପ୍ରଜା ସବୁ ସମାନ ।

ଏମିତି ଭାବ ସାଗରରେ ଉବୁଟୁବୁ ହେଉଥିବା ଜ୍ଞାନରଞ୍ଜନର ଚେତା ଫେରାଇ ସାମଲ ବାବୁ କହିଲେ- “କିହୋ, ଏମିତି ଖାଲି ଭିତରେ ଭିତରେ ଚଷୁ ଭଳି ଜଳିଲେ କ’ଣ ହେବ ? ମୁଁ ଯାହା କଥା କହୁଛି ତାକୁ ଟିକେ ଦେଖ । ତା’ ମୁହଁ ଟିକେ ଖୋଲ । ତା’ ଅନ୍ତରର ଗଭୀରତା କେତେ ଥରେ ମାପ । ତମ ପାଇଁ କେତେ ଉପଯୁକ୍ତ ମନ ଭରି ପରଖ ।”

ସାମଲ ବାବୁଙ୍କ ଏଭଳି ମନଚୋରା ହୃଦଥରା ରସଭରା ଡଗଡ଼ଗ କଥାକୁ ଜ୍ଞାନରଞ୍ଜନ ଖାଲି ପିଇ ଯାଉଥାଏ । ଏହି ସମରେ ସାମଲ ବାବୁ ଗୋଟିଏ କାର୍ଟୁନ୍‌ର ଓଢ଼ଣୀ ଭିତରୁ ଚମକୁ ଥିବା ପ୍ରେସର୍ କୁକର୍‌ଟିକୁ ଆସ୍ତେ ବାହାର କଲେ । କହିଲେ- “ମୁଁ ଯାହା କଥା କହୁଥିଲି ତାହା ଏହି । ତମ ପାଇଁ ପୁରା ଠିକ୍ । ତମେ ତ ଏକୁଟିଆ ଲୋକ । ଘଣ୍ଟା ଘଣ୍ଟା ଧରି ରୋଷେଇ କରିବା ଦରକାର ନାଇଁ । ତମର ଯାହା ରୋଷେଇ କରିବା ଦରବ ସବୁ ୟା’ ଭିତରେ ପୂରାଇ ଓଢ଼ଣୀ ଢାଙ୍କିଦେବ । ତା’ ଭିତରେ ସେ ତାତିବ । ତାତି ବଢ଼ିଗଲେ ତୁମକୁ ଫୁସ୍‌ଫୁସ୍ ହୋଇ ଡାକିବ । ତମେ ତା’ ପାଖକୁ ଯିବ । ଆସ୍ତେ ଓଢ଼ଣୀ ଖୋଲିବ । ଦେଖିବ ସେ ତମ ପାଇଁ ସବୁ ତା’ ଭିତରେ ସିଝାଇ ଦେଇଥିବ ।”ଜ୍ଞାନରଞ୍ଜନ ଚମକିପଡ଼ିଲା- “ଓହୋ ! ଏତେ କଥା । ତମେ ମୋତେ ଆଗରୁ କହୁନ । ଆଚ୍ଛା ଭାଇ, ଏଥିରେ ମାଂସ ରୋଷେଇ ହେବ ତ ?”ଆରେ, ଏମିତି କ’ଣ ପଚାରୁଚ ? ମାଂସ ରାନ୍ଧିବା ପାଇଁ ପରା ଏହାର ସବୁଠୁ ଚାହିଦା । ତମେ ମସଲାମସଲି ସବୁ କଷି ମାଂସକୁ ୟା’ ଭିତରେ ପୁରାଇ ଦଶ ମିନିଟ୍ ବସାଇଦେବ । ତା’ପରେ ଦେଖିବ, ସବୁ ନରମ ଝୋଳ । ଥରେ ପାଟିରେ ବାଜିଗଲେ ଆଉ ଜମା ଛାଡ଼ିବନି । ବାସ୍ନାରେ ଘର ଫାଟି ପଡ଼ିବ ।

ଜ୍ଞାନରଞ୍ଜନର ମନର ମଇନା ଉଡ଼ିବାକୁ ଲାଗିଲା । ଏପରି କରାମତି ଶୁଣି ସେ ବିସ୍ମୟରେ ଓଦା ହୋଇଗଲା । ଖାଲି ବାକି ରହିଲା ସାମଲ ବାବୁ ଯାହା କହିଲେ ନିଜେ ପରଖିବ, ଅଙ୍ଗେ ନିଭେଇବ । ବଡ଼ ଉଦ୍‌ବେଗରେ କିଛି ଶୋଇ କିଛି ସ୍ୱପ୍ନ ଦେଖି ଶନିବାର ରାତିଟା କୌଣସି ପ୍ରକାରେ ବିତେଇ ଦେଲା । ରାତି ପାହି ସକାଳ ହେଲା । ଭୋରୁ ଭୋରୁ ମାଂସବଜାର ମାଥାଲପୁଟ ଧାଇଁଲା । ଖାଁ ସାହେବର ଭାରି ନାଆଁ । ପଚାରି ବୁଝି ତାଜା ବୋଦା ମାଂସ ଆଣିଲା । କଟକରେ ଯାହା ବୋଦା କୋରାପୁଟରେ ତାହା ଖାସି । ହେଲେ ଏ ଖାସି ମାଂସରେ ସେ ବୋଦା-ଗନ୍ଧ ନଥାଏ । ସାମଲ ବାବୁ କହିବା ମତେ ଓଢ଼ଣୀ ଢାଙ୍କିଲା । ସାମଲ ବାବୁ ଯେମିତି ଟେବୁଲ୍ ଉପରେ ଥୋଇଥିଲେ ସେମିତି ବାଟ ଘରେ ପଡ଼ି ଥିବା ଏକ ଟେବୁଲ୍ ଉପରେ ପ୍ରେସର୍ କୁକର୍‌କୁ ଥୋଇଲା ।

ଏକ ନୂଆ ଅନୁଭୂତି ଅର୍ଜନ କରିବା ପୂର୍ବରୁ ମନ କେତେ କ’ଣ ଭାବେ । ଉତ୍କଣ୍ଠାର ଘନ କୁହୁଡ଼ିରେ ବାରମ୍ୱାର ଭିଜିବାକୁ ତାକୁ ଭଲ ଲାଗେ । ଜ୍ଞାନରଞ୍ଜନ ଏ ବିରଳ କୌତୁକର ଉଷ୍ମତାରେ ତରଳିବାକୁ ଲାଗିଲା । ଏକ ବିରାଟ ସଫଳତା ସେ ନିଜେ ଅନୁଭବ କରିବ । ଏକା ଏକା । ଏଥିରେ କେହି ଭାଗୀଦାର ନାଇଁ । ଆଜି ଯନ୍ତ୍ର ସଭ୍ୟତାର ଏକ ପାହାଚ ସେ ଚଢ଼ିବ । ଶିଳ୍ପ ସଭ୍ୟତାର ସ୍ୱାଦ ସେ ଖୋଦ୍ ଚାଖିବ । ଖାଲି ଘଣ୍ଟାକୁ ଚାହୁଁଥାଏ । ପ୍ରେସର୍ କୁକର୍‌ର ମଥାକୁ ଚାହୁଁଥାଏ । ଲକ୍ଷ୍ୟ କରୁଥାଏ କେତେବେଳେ ଦଶ ମିନିଟ୍ ହେବ । ଅନେକ ବ୍ୟତିବ୍ୟସ୍ତତା ଭିତରେ ଦଶ ମିନିଟ୍ କଟିଗଲା । ସେ ଏକ ଲୟରେ ଚାହିଁ ରହିଥାଏ ଓଢ଼ଣୀ ଭିତରୁ ଫୁସରଫାସର ଡାକକୁ । କିନ୍ତୁ ହାୟ ! ସମସ୍ତ ଅପେକ୍ଷା ଖାଲି ନୈରାଶ୍ୟର ମରୁଭୂମିରେ ପରିଣତ ହେଉଚି । କାହିଁ କେହି ତାକୁ ଡାକୁ ନାଇଁ । କଥା କହୁ ନାଇଁ । କ’ଣ ରାଗି ଗଲାକି ? ନା, ନୂଆ ବୋଲି ଲାଜେଇ ଯାଉଚି । ସେ କିଛି ବୁଝି ପାରିଲା ନାଇଁ । ନ ବୁଝିବାର ଯନ୍ତ୍ରଣାରେ ଛଟପଟ ହେଲା । ଯାହାକୁ ଏତେ ଆଦରରେ ଆଗ୍ରହରେ ଘରକୁ ଆଣିଲା ସେ ଯେମିତି ଉଦାସୀନତାର ବରଫ ପାଲଟି ଯାଇଛି । ତା’ଠାରେ ସ୍ପନ୍ଦନ ନାଇଁ । ଚଞ୍ଚଳତା ନାଇଁ । ଉଷ୍ମତା ନାଇଁ । କ’ଣ ହୋଇଛି ତା’ର ?

ଆଶ୍ଚର୍ଯ୍ୟଟା ଧୀରେ ଧୀରେ ଅବସାଦରେ ବଦଳିବାକୁ ଲାଗିଲା । ବିସ୍ମୟ ରୂପ ନେଲା କ୍ରୋଧରେ । ତା’ର ଧୈର୍ଯ୍ୟଚ୍ୟୁତି ଘଟିଲା । ଭୀଷଣ ଭାବରେ ଆହତ ହେଲା । ସେ ଆଉ ରହି ପାରିଲା ନାଇଁ । ପ୍ରେସର୍ କୁକର୍‌ଟାକୁ ଗୋଟେ ପଣେ ଟେକି ଧରି ଷ୍ଟୋର୍‌କୁ ଚାଲିଲା । ସାମଲ ବାବୁ କେମିତି ତାକୁ ମିଛ କହିଚି, ଠକିଚି ତାକୁ ପଚାରିବ । ଯେଉଁ ସାମଲ ବାବୁଙ୍କୁ ସେ ଏତେ ନିଜର ବୋଲି ଭାବେ, ବିଶ୍ୱାସ କରେ, ହୃଦୟର କଥା ଖୋଲି କହେ ସେ କେମିତି ଏତେ ବିଶ୍ୱାସଘାତକତା କରିପାରିଲେ । ତାଙ୍କୁ ଠକ ପାଜି ନ କହି କ’ଣ କୁହାଯିବ ? ଷ୍ଟୋର୍ ଖୋଲିଲା ବେଳକୁ ଜ୍ଞାନରଞ୍ଜନ ହାଜର । ସକାଳୁ ସକାଳୁ ତାକୁ ଷ୍ଟୋର୍‌ରେ ଦେଖି ସାମଲ ବାବୁ ଆବାକ୍ । କ’ଣ କିଛି ଅଘଟଣ ଘଟିଲା କି ? ପ୍ରଶ୍ନିଳ ଦୃଷ୍ଟିରେ ଚାହିଁ ରହିଲେ ସାମଲ ବାବୁ । ଜ୍ଞାନରଞ୍ଜନ ଏତେ ଭାବପ୍ରବଣ ହୋଇ ପଡ଼ିଥାଏ ଯେ ତା’ ପାଟି ଖାଲି ଅତ୍ୟଧିକ ରାଗରେ ଖନି ବାଜି ଯାଉଥାଏ । ପାଟିରୁ କଥା ସ୍ଫୁରୁ ନଥାଏ । ଖାଲି କହୁଥାଏ- “ତମେ ମି. . . ଛୁ. . . ଆ ! ମୋ ସହିତ ତୁମେ କାହିଁକି ହଟ କଲ ? ମୁଁ ତୁମର କ’ଣ କ୍ଷତି କରିଥିଲି ? ତୁମ କଥାର କିଛି ମୂଲ୍ୟ ନାଇଁ ।”ନିଅ, ଦେଖ । ଘଣ୍ଟାଏ କାଳ ଚାତକ ପରି ଚାହିଁ ରହିଚି । ହୁଁ ନାଇଁ କି ଚୁଁ ନାଇଁ । କହିଲ କ’ଣ ନା ଦଶ ମିନିଟ୍ ଭିତରେ ସବୁ ଶେଷ । ନିଅ ତୁମର ପ୍ରେସର୍ କୁକର୍ ମୋର ଦରକାର ନାଇଁ ।

ସାମଲ ବାବୁ ଆବାକାବା । ଜ୍ଞାନରଞ୍ଜନ ରଙ୍ଗଢ଼ଙ୍ଗ ବଡ଼ ତାଜୁବ୍ । କହିଲେ- “ଭାଇ, କିଛି ସମୟ ବସ । ତମ କଥା ବୁଝିବା ।”ଜ୍ଞାନରଞ୍ଜନ ନଥ୍‌କିନା ବସିପଡ଼ିଲା । ମନେ ମନେ ଗୁଣୁଗୁଣୁ ହେଲା । ଆଜି ରବିବାରଟା ଫସର ଫାଟିଲା । କି ଯୋଗରେ ରାତି ପାହିଲା କେଜାଣି ମଣିଷ ବଡ଼ ହଟହଟା ହେଲା । ପାଞ୍ଚମିନିଟ୍ ପରେ ସାମଲ ବାବୁ ତାଙ୍କର ସ୍ୱଭାବ ସୁଲଭ ଢଙ୍ଗରେ ପଚାରିଲେ- “ଜ୍ଞାନ ଭାଇ, ତମେ ମୂଳରୁ କହିଗଲ, ତମେ ଆମ ପ୍ରେସର୍ କୁକର୍‌କୁ କେମିତି ବ୍ୟବହାର ଦେଖାଇଲ ?”ଗୋଟାକ ପରେ ଗୋଟାଏ ସବୁ କଥା ଆମ ଜ୍ଞାନ ଭାଇ ବଖାଣି ଗଲେ । କିନ୍ତୁ ଶେଷରେ ଯେତେବେଳେ ଟେବୁଲ୍ ଉପରେ ଥୋଇ ଚାହିଁ ରହିଲି ବୋଲି କହିଲେ ବୈଦ୍ୟ ରୋଗ ଚିହ୍ନିଲା ପରି ସାମଲ ବାବୁ ଆଉ କି ସମ୍ଭାଳି ହୁଅନ୍ତି । ଫେଁ କିନା ହସି ପକାଇଲେ । କିଟିମିଟିଆ ଅନ୍ଧାର ଭିତରେ ବିଜୁଳି ଚମକି ରେଖାପାତ କଲା ପରି ଜ୍ଞାନରଞ୍ଜନର ଅଜ୍ଞାନ ମଧ୍ୟରେ ବୋଧର ଏକ ଶାଣିତ ସ୍ଫୁରଣ ଘଟିଲା । କେହି ନ ବୁଝାଇଲେ ବି ନିଜର ଭୁଲ୍ ନିଜେ ବୁଝିବାକୁ ତର ପାଇଲା ନାଇଁ. . . ।

ଲୋକପ୍ରିୟ ଲେଖା

To Top