ଗଳ୍ପ

ହୀରାଚାବି

Madhumita Mohanty's odia story Heeraachaabi

ନିତି ପାଞ୍ଚବର୍ଷର ହେଇଥିଲାବେଳେ ତୁମର ଯୋଉ ମତିଭ୍ରମ ହେଇଥିଲା । ସେ ବଙ୍ଗାଳୀ ଝିଅଟାକୁ ବାହାହବ ଜିଦ୍ କରୁଥିଲ । ସେ କଥା ବି କହିଲେ, ଅବଶ୍ୟ ନିତି ବୁଝିପାରିନି କିଛି ।

ହୀରାଚାବି

ଦୃଶ୍ୟଟାକୁ ଦେଖୁ ଦେଖୁ ମୁଁ ଥମ୍ କରି ରହିଗଲି ଦୁଆର ଏପଟେ । ଗୋଟାଏ ଥାଳିଆରେ ଥୁଆ ହେଇଛି ଚିପସ୍ରୁ ପୁଳାଏ ମା’, ଝିଅ ଦୁଇଜଣଯାକ ସେଇଥିରୁ ନେଇ ଖାଉଛନ୍ତି । ଆଉ ଟି.ଭି.କୁ ଅନେଇଛନ୍ତି । ବଡ଼ ସୋଫାଟାରେ କରେଇ କି ବସିଛି ସ୍ୱପ୍ନା । ତା’ କୋଳରେ ମୁଣ୍ଡରଖି ଶୋଇଛି ନିତି ମୋର ପନ୍ଦରବର୍ଷର ସ୍କୁଲ୍ ପଢୁଆ ଝିଅ । ଆଖି ଦି’ଟାକୁ ମଳି ଦେଲି- ମୁଁ ଠିକ୍ ଦେଖୁଛି ତ- ପ୍ରାୟ ଦୁଇତିନି ବର୍ଷ ହେଲା । ଏ ଦୃଶ୍ୟ ଭାରି ଦୁର୍ଲଭ ଥିଲା ।

ଭୟଙ୍କର ଭାବେ ଜିଦ୍‌ଖୋର ଆଉ ମୁହଁଖୋର୍ ହେଇଛି ଝିଅଟା । ଯେତେ ବୁଝେଇଲେ ବୁଝେନି । ଯେତେ କହିଲେ ଶୁଣେନି । ସାମାନ୍ୟରୁ ଅତି ସାମାନ୍ୟ କଥାଟେ ପାଇଁ ବି ବର୍ଷି ଦେଇଯାଏ ମା’ ଉପରେ । କେତେ ବି ସହିବେ ସ୍ୱପ୍ନା । କେତେବେଳେ ରାଗରେ କ’ଣ ପଦେ କହିଦେଲେ ଯଦି ସରିଗଲା କଥା । ବାରୁଦଗଦାରେ ନିଆଁକଣାଟେ ପଡ଼ିଗଲା କି ! ଠୋ କିନି ଫାଟିବ ନିତି- କଥା କି ଅକଥା ବକି ଦେଇଯିବ । ଶେଷରେ ମା’ କାନ୍ଦିବ ରୋଷେଇ ଘରେ ଫୁଲେଇ ଝିଅ ମୋର ଲୁହ ଗଡ଼ଉଥିବା ପଢ଼ା ଟେବୁଲ୍ ପାଖରେ । ମୁଁ ଅଫିସ୍ରୁ ଆସୁ ଆସୁ ଘରଟା ଗୋଟେ କଚେରୀ ହେଇଯାଏ । ଗେଟ୍ ଖୋଲୁ ଖୋଲୁ ନିତି ଦୌଡ଼ିଯାଇ ଗପି ଦେଇଯିବ ମା’ ନାଁରେ ବୋଝଟେ ଗପ । ବେଳେବେଳେ ଧୈର୍ଯ୍ୟ ନ ପାଇଲେ ଫୋନ୍ କରି ମୋତେ ଅଫିସ୍କୁ କହିଦବ । ଦେଖ ତ ପାପା ମାମା କେମିତି କ’ଣ ସବୁ କହୁଛି ।

ବୁଝେଇ ପାରେନି କାହାକୁ ଝାଳନାଳ ହେଇଯାଏ ସିନା କେହି ବୁଝନ୍ତିନି ମୋ କଥା ଝିଅଟା ବି. . . । ବେଳେ ବେଳେ ମନ ହୋଇଥିଲେ ମା’ ଠୁ କ୍ଷମା ମାଗିବ । ମା’ ଝିଅ ଦୁହେଁ କୁଣ୍ଢାକୁଣ୍ଢି ହେଇ କାନ୍ଦିବେ- ହେଲେ ଦିନଟେ ପରେ ଯୋଉ କଥାକୁ ସେଇକଥା ।

କି ଟିନ୍ଏଜ୍ ଏଭେ ପିଲାମାନେ ପାର କରୁଛନ୍ତି କେଜାଣି । ସେମାନଙ୍କ ପାଇଁ ଦୁନିଆ ସାବଧାନତା ପରାମର୍ଶ । କେମିତି ସେମାନଙ୍କୁ ବତେଇବ ସେ ନେଇ ଗୁଡ଼ାଏ ବହିପତ୍ର କାଉନ୍ସେଲିଂ ସେଣ୍ଟର୍ । ଆମର ଟିନ୍ଏଜ୍‌ଟା କେବେ ଆସିଥିଲା କେବେ ପୁଣି ପାର ହେଇଗଲା କାହିଁ ଟିକେ ବି ତ ଜଣା ପଡ଼ିଲାନି । ସ୍କୁଲ୍ ଟିକେ ଡେରି ହେଇଗଲେ ଦୁମ୍ ଦୁମ୍ ବର୍ଷା ପିଠିରେ । ଗ୍ରାମାରଟେ ଭୁଲ୍ ହେଲେ ରାତି ଖାଇବା ବନ୍ଦ । ଟୁସନ୍‌ରେ ବି ରକ୍ଷା ନାହିଁ । ଆଲଜେବ୍ରାର ଗୋଟାଏ ବି ଫର୍ମୁଲା ଭୁଲ୍ ହେଲେ ଲହ ଲହ ବେତ ପହଁରିଯିବ ଦେହସାରା ତା’ର ଚିହ୍ନ ଛାଡ଼ି ଛାଡ଼ି । ଆଉ ଏମାନେ । ଏମାନଙ୍କୁ କିଛି କୁହନି । ଯଦି କହୁଛ ଆଦରରେ କୁହ, ସ୍ନେହରେ ବୁଝାଅ । ସେମାନେ ଯାହା କଲେ ବି ତାକୁ ସହିଯାଅ । ମାନେ ତୁମେ ସବୁ ଧୈର୍ଯ୍ୟର ସାଗର ପାଲଟି ଯାଅ । ନ ହେଲେ ଏମାନଙ୍କୁ ବିଶ୍ୱାସ ନାହିଁ । କ’ଣ କ’ଣ କରିଦେବେ ଏମାନେ ।

ଆଗରୁ ମା’ ଝିଅ ଦୁହେଁ ଭାରି ଆପଣାର ଥିଲେ । ଗୋଟିଏ ଥାଳିରେ ଖାଉଥିଲେ, ଗୋଟିଏ ରେଜେଇ ତଳେ ସ୍ୱପ୍ନା ଉପରେ ହାତ ଗୋଡ଼ ଲଦି ଛଟ୍ କରି ଶୋଇପଡୁଥିଲା ନିତି । ଏବେ ମାନେ ତା’ ପାଇଁ ମୋବାଇଲ୍ ଆଉ ଲାପ୍‌ଟପ୍‌ଟେ ଆସିଗଲା ଦିନରୁ କି ପାଠ ସେ ପଢୁଛି କେଜାଣି ଡର ଭୟ ସବୁ ତାକୁ ଛାଡ଼ିଗଲାଣି । ଏକା ଏକା ଶୋଉଛି ତା’ ଷ୍ଟଡ଼ିରୁମ୍‌ର ଦି’ଭାନ୍ ଉପରେ । ଖୁବ୍ ରାତିଯାଏ ଲାଇଟ୍ ଜାଳି ପଢୁଛି । ଗୋଟିଏ ଥାଳି ତ ଛାଡ଼ ଏକା ସାଙ୍ଗରେ ଖାଇବା ପାଇଁ ଟେବୁଲ୍କୁ ଆସିବାକୁ ବି ତାକୁ ବେଳ ନାହିଁ । ମା’କୁ ଆଦେଶ କରା ହେଇଛ । ତା’ ଥାଳି ଯେମିତି ତା’ ଷ୍ଟଡ଼ିରୁମ୍‌ରେ ପହଞ୍ଚିଯାଏ । ବେଳେ ବେଳେ ସ୍ୱପ୍ନା ଏଥିନେଇ ଖୁବ୍ ମନଦୁଃଖ କରେ । କିନ୍ତୁ କ’ଣ ଆଉ କରାଯାଏ । ବୁଝେଇଲେ ବୁଝିବା ଅବସ୍ଥାରେ ଅଛନ୍ତି କି ଏମାନେ ।

ଆଜି କିନ୍ତୁ ଏ ଅଭିନବ ଦୃଶ୍ୟ । କିଛି ନ ଜାଣିଲା ଭଳି ପଶିଗଲି ଭିତରକୁ ଆର ସୋଫାଟାରେ ମୁଁ ବି ବସିପଡ଼ିଲି । ଦେଖିଲି ଦୁହେଁ ସିନା ମିଶି ଯାଇଛନ୍ତି ହେଲେ କାହାରି ମନରେ ସୁଖ ନାହିଁ । ଖୁସିରେ ଉଛୁଳୁ ନାହାନ୍ତି ସେମାନେ । ଯେମିତି ଦୁଃଖର ପରଦାଟେ ଢାଙ୍କି ଦେଇଛି ଦୁଇଜଣ ଯାକଙ୍କୁ । କିଛି ବୁଝିପାରିଲିନି । ଅଫିସ୍ ଫେରନ୍ତା ପ୍ୟାଣ୍ଟସାର୍ଟ ଜୋତା ନ ଖୋଲି ଚା କପ୍‌ଟେ ଧରିବା ମୋର ପୁରୁଣା ଅଭ୍ୟାସ । ସ୍ୱପ୍ନା ଉଠିଗଲେ ଚା’ ଆଣିବାକୁ । ସେ ଯାଉ ଯାଉ ନିତି ଉଠି ଆସିଲା ମୋ ପାଖକୁ ଗେହ୍ଲେଇ ଝିଅର ଆଖିରେ ଅସରନ୍ତି ଲୁହ । କୋହକୁ ଜବରଦସ୍ତ ଚାପି ଚାପି କହିଲା, “ପାପା ଆଜି ଜଣେ ଜ୍ୟୋତିଷ ଆସିଥିଲେ । ବହୁତ ସତ କଥା କହିଲେ । ସିଏ କହିଲେ. . . ସିଏ କହିଲେ” କହୁ କହୁ ଭେଁ କିନି କାନ୍ଦିଲା ନିତି । ମୁଁ ବି ବ୍ୟସ୍ତ ହେଇଗଲି । ଆରେ କ’ଣ କହିଲେ ତ କହ. . . ଲୁହ ପୋଛି ଗେହ୍ଲେଇ ଝିଅ କହିଲା ସିଏ କହିଲେ “ମାମା. . . ଆମ ପାଖରେ ଆଉ ଖୁବ୍ କମ୍ ଦିନ ରହିବ । ଅତିରୁ ଅତି ବେଶୀ ବର୍ଷଟିଏ । ତା’ପରେ ତାକୁ କେହି ଅଟକେଇ ପାରିବେନି । ସେ ନିଶ୍ଚୟ ମରି. . . । ମୋତେ ଜୋର୍‌ରେ କୁଣ୍ଢେଇ ଧରି ଅଥୟ କାନ୍ଦରେ ହଜିଗଲା ଝିଅ । ମୁଁ ବୁଝାଇଲି, ଚୁପ୍, ଜ୍ୟୋତିଷ କ’ଣ ଠାକୁର ? ସବୁ ସତ କହିଦେବେ ?

ନା ସେ ସତ କହିଲେ ସ୍ୱପ୍ନା ଚା ଧରି ପଶୁ ପଶୁ କହିଲେ “ଯାହା ଖାଲି ଆମେ ଜାଣିଛୁ ତୁମେ ଆଉ ମୁଁ ।” ନିତି ଦି ବର୍ଷର ହେଇଥିଲା ବେଳେ ତା’ ଦେହ ଭୟଙ୍କର ଖରାପ ହେଇଥିଲା ତା ଆଶା ଆମେ ଛାଡ଼ି ଦେଇଥିଲୁ ଏ କଥା ତ ଏଠି କେହି ଜାଣିନାହାନ୍ତି । ଘରେ ବି କେହି ନୁହେଁ । ଆମେ କାନାଡ଼ାରେ ଥିଲୁ ସେତେବେଳେ । ସେ କଥା ଇଏ କେମିତି ଜାଣିଲା । ପ୍ଲଟଟେ ପକେଇଛ ବୋଲି ତ କାହାକୁ କହିନ । ସିଏ କିନ୍ତୁ ଜାଣିଛନ୍ତି ସେ କଥା । ନିତି ଟିକେ ଭିତରକୁ ଚାଲିଯାଇଥିବାର ସୁଯୋଗ ନେଇ ମୋ କାନ ପାଖରେ ଫୁସ୍ ଫୁସ୍ କରି କହିଲେ, ନିତି ପାଞ୍ଚବର୍ଷର ହେଇଥିଲାବେଳେ ତୁମର ଯୋଉ ମତିଭ୍ରମ ହେଇଥିଲା । ସେ ବଙ୍ଗାଳୀ ଝିଅଟାକୁ ବାହାହବ ଜିଦ୍ କରୁଥିଲ । ସେ କଥା ବି କହିଲେ, ଅବଶ୍ୟ ନିତି ବୁଝିପାରିନି କିଛି ।

ତା’ପରଠୁ ଘରେ ଗୋଟାଏ ଚୁପ୍‌ଚାପ୍ ଗୁମ୍‌ସୁମ୍ ପରିବେଶ । ମୋତେ ଲାଗେ ଯେମିତି ମା’ ଝିଅ ଦୁହେଁ ଦୁହିଁଙ୍କୁ ଖୁସି କରିବାକୁ ଆପ୍ରାଣ ଚେଷ୍ଟା ଚଳେଇଛନ୍ତି । କଳି, ଝଗଡ଼ା, ମୁହଁଫୁଲା ସବୁ ବନ୍ଦ । ମଝିରେ ମଝିରେ ସ୍ୱପ୍ନା ଉଦାସ ହେଇ ଯାଆନ୍ତି । ମୋତେ ବତେଇ ଦିଅନ୍ତି କୋଉଠି କ’ଣ ରଖିଛନ୍ତି । ନିତି କ’ଣ ଖାଇବାକୁ ଭଲ ପାଏ, କେମିତି ଡ୍ରେସ ତା’ର ପସନ୍ଦ । ମୁଁ ବି ଦୁଃଖୀ ହେଇଯାଏ । ନିତି କେବେ କେବେ ଚୁପ୍‌ଚାପ୍ ବରାଦ କରେ ପାପା, ଆଜି ଏଇ ଆଇସ୍କ୍ରିମ୍‌ଟା ଆଣିବ ତ ମାମା ଦେଖିଲେ ଖୁସି ହେଇଯିବ । ତା’ପାଇଁ ଶାଢ଼ୀଟେ । ସିଫନ୍ ନୁହେଁ, କ୍ରେପ୍‌ର ଆଣିବ । ମହୁଲ ରଙ୍ଗ ତା’ର ଭାରି ପସନ୍ଦ । ସେଇ ରଙ୍ଗର ଆଣିବ ।

ମଝିରେ ଥରେ ଚୁପ୍‌ଚାପ୍ ଦେଖିଥିଲି ନିତି ତା କାନ୍ଥରେ କେତୋଟି ଗାର ଟାଣିଛି । ଗଣି ତ ପାରିଲିନି । ତେବେ ତିନିଶ ପଅଁଷଠି ହେବ ବୋଧହୁଏ । ସବୁଦିନ ସେଥିରୁ ଗୋଟିଏ ଗୋଟିଏ କାଟେ ଏବଂ ବେସାହାର ଭଳି କାନ୍ଦେ । ମୁଁ କିଛି କୁହେନି । ଏ କଥାରେ କ’ଣ କିଛି ସାନ୍ତ୍ୱନା ଦେଇ ହେବ ।

ୟା’ ଭିତରେ ବର୍ଷ ନୁହେଁ ସାତବର୍ଷ କେଉଁ ପଟେ ପବନ ପରି ବୋହିଗଲା । ପଛ ପଛ ଗାରଗୁଡ଼ାକ ନିତି କାଟିବାକୁ ବୋଧେ ଭୁଲିଯାଇଥିଲା । ସ୍ୱପ୍ନା ଏବେ ବି ବେଶ୍ ସୁସ୍ଥ ଥିଲେ ଜ୍ୟୋତିଷର ସବୁ ଭବିଷ୍ୟତ ବାଣୀକୁ ମିଛ ପ୍ରମାଣିତ କରି । ଆମ ଘରେ କିନ୍ତୁ ପାଟିତୁଣ୍ଡ ସେଇ ଜ୍ୟୋତିଷ ଆସିବା ଦିନରୁ ଆଉ ନ ଥିଲା । ଦୁହେଁ ଦୁହିଁଙ୍କୁ ଖୁସି କରିବାଟା ସେମାନଙ୍କର ଅଭ୍ୟାସ ହେଇଯାଇଥିଲା । ମଝିରେ ମୁଁ ବି ବେଶ୍ ଲାଭ ପାଉଥିଲି । ଜେନେରାଲ୍ ଲାଇନ୍‌ରେ ଯାଇ ପି.ଏଚ୍.ଡ଼ି. କରି ଅଧ୍ୟାପକ ହେବା ଜିଦ୍‌ରେ ନିତି ଆମରି ପାଖରେ ରହି ପଢୁଥିଲା । ୟା ଭିତରେ ତା’ର ସେଇ ଭୟଙ୍କର ଟିନ୍ଏଜ୍‌ଟା କେତେବେଳେ ପାର ହେଇଯାଇଥିଲା ।

ମୁଁ କିନ୍ତୁ ବେଳ ଅବେଳରେ ସେ ବରଗଛ ମୂଳଟାକୁ ଅନେଇ ଦେଉଥିଲି । ସେ ଜ୍ୟୋତିଷ ଆଉ ଫେରି ଆସିନି ତ. . . ଯାହାକୁ ପୁରା ହଜାରେ ଟଙ୍କା ଦେଇ ଆମ ଜୀବନର ଗୋପନୀୟ କିଛି ତା’ ପାଖରେ ଉନ୍ମୁକ୍ତ କରି ଆମ ଘରକୁ ପଠେଇଥିଲି । ପୁଣି ଥରେ ଏ ସହର ଛାଡ଼ି ଚାଲିଯିବା ପାଇଁ ବେଶ୍ କିଛି ଟଙ୍କା ତା’ ପକେଟ୍‌ରେ ଭରି ଦେଇଥିଲି । ଜ୍ୟୋତିଷର ଏଠି ଘର ନ ଥିଲା । ଏଣୁ ଭିନ୍ନ ଏକ ଜାଗାରେ ତା’ ଆସର ମେଲିବାରେ ତା’ର କିଛି ସମସ୍ୟା ନଥିଲା । କିନ୍ତୁ ମୋର ଯେ ଏଠି ସ୍ତ୍ରୀ ପିଲା ଚାକିରୀର ପରିପୂର୍ଣ୍ଣ ସଂସାର ଥିଲା । ଯାହାକୁ ସେ ସମ୍ପୂର୍ଣ୍ଣ ସଜାଡ଼ି ଦେଇଥିଲା ।

ଲୋକପ୍ରିୟ ଲେଖା

To Top