ଗଳ୍ପ

ହିରଣ୍ମୟ ସକାଳ

Pradeep Nayak's odia story Hiranmaya Sakaala

ଖକା, ଆପନଙ୍କ ବହି ପଢ଼ିବା ପାଇଁ ମୁଁ ଉରିଆ ଶିଖୁଚି । ଆହୁରି ଶିଖିବି । ଆମେରିକାରେ ଉରିଆ ଲୋକ ବହୁତ ଅଛନ୍ତି । ଆପନ୍ ଭଲ ବହି ପଠାଇବେ । ମୁଁ ଭଲ ଭାବରେ ଶିଖିଗଲେ ସେଠି ଉରିଆରେ କଥା ହେବି ।

ହିରଣ୍ମୟ ସକାଳ

‘ଡବଲ ହିରଣ’ ଶୋରିଷତେଲ ଡବା ଉପରେ ଏହି ପରି ଭୁଲଭାଲ ଓଡ଼ିଆ ଲେଖା ଦେଖିଲେ ଗୋଟିଏ କଥା ମନକୁ ଆସେ । କେବଳ ସୋରିଷତେଲ ଡବା କାହିଁକି ଦିଲ୍ଲୀ, କୋଲକତା, ମୁମ୍ବାଇ ତିଆରି ଅନେକ ପ୍ରସାଧନ ସାମଗ୍ରୀ ଉପରେ ଏଇପରି ତ୍ରୁଟିଯୁକ୍ତ ଲେଖାମାନ ଦେଖିବାକୁ ମିଳୁଚି । ସତରେ ଏତେ ବଡ଼ ବଡ଼ କମ୍ପାନୀରେ କଣ କେହି ହେଲେ ଓଡ଼ିଆ ଲୋକ ନାହାନ୍ତି !

ପୁଣି ମନକୁ ଆସେ ମୋତେ ଏମିତି କାମଟିଏ ପାଇଁ ସେଇ କମ୍ପାନୀର ଚାକିରିଟିଏ ମିଳିଯାଆନ୍ତା କି । ମୁଁ ପାଠପଢି ବେକାର, ଅନେକ ଇଣ୍ଟରଭିଉ ଦେଇ ଦେଇ ହାତଶ । ମୋ ଚାକିରି ବାବଦରେ ଆଉଟିକେ ଯିଏ ବୁଝାବୁଝି କରିପାରନ୍ତେ ସିଏ ଏବେ ହାଇଦ୍ରାବାହରେ । ମୋ ବଡଭାଇ ଏଚ.ଏମ.ଟି ଘଡି କମ୍ପାନୀରେ ଉତ୍ପାଦନ ଭିଭାଗରେ ବରିଷ୍ଠ ଯନ୍ତ୍ରୀ ।

ଭାଇଙ୍କ ପିଲାପିଲି ହଇଦ୍ରାବାଦରେ । ବଡପୁଅ ଷ୍ଟାଣ୍ଡାର୍ଡ ନଅରେ ଓ ସାନଝିଅ ରୋମୀ ଷ୍ଟାଣ୍ଡାର୍ଡ ଚାରିରେ । ସମସ୍ତେ ସେଇଠି ଜନ୍ମ । ଭାଇ ତାଙ୍କ ଚାକିରି ନେଇ ବ୍ୟସ୍ତ, ମୁଁ ଗାଁ ଚାଷବାଷ ଦାୟିତ୍ୱରେ ଚାଷବାସ କାମକୁ ଅବା କୈାଣସି ବନ୍ଧୁ ବେଭାର କାର୍ଯ୍ୟରେ ଦରକାର ହେଲେ ଭାଇ ପଇସାପତ୍ର ପଠାନ୍ତି । କେବେ କେମିତି ଘରକୁ ବୁୁଲି ଆସିଲେ ନାନାଦି ଜିନିଷପତ୍ର ନେଇଆସନ୍ତି ।

ଚାଷବାସ କାମ ଉତ୍ତାରୁ ମୁଁ ବି ବିର୍ଷେ ଦି’ ବର୍ଷରେ ଯାଇ ଭାଇଙ୍କ ପାଖରୁ ବୁଲିଆସେ । ମନ ହଲାକା ଲାଗେ । ସହରର ଚାକଚକ୍ୟ କୋଠାବାଡି, ବାବୁ ଭାୟା, ରଂଗିନ୍ , ପ୍ରଜାପତି ପରି ରାସ୍ତାଘାଟରେ ବୁଲୁଥିବା ଝିଅମାନଙ୍କୁ ଦେଖିଲେ ମନକୁ ଆସେ ବୟସ ଯେମିତି ଏଇମାନଙ୍କ ଦେହ ଆତିଥ୍ୟରେ ଭୋଳ ହେଇ ଅଟକି ଯାଉଚି ।

ସହରର ସମସ୍ତଙ୍କ ଭିତରେ ମୋ ବଡଭାଇଙ୍କୁ ମୁଁ ବି ବାରିପାରେନା । କେଉଁ ବିଶେଷ ପରିଚୟ ନ ଥିବା ଗାଁର ପାଠୁଆ ଭାଇ ମୋର ଏଠି ଅନ୍ୟମାନଙ୍କ ସହିତ ମିଶି ଯାଇଛନ୍ତି । ପିଲାପିଲିଙ୍କି ମଧ୍ୟ ସେ କାଏଦା କଟକଣାରେ ଗଢ଼ିଛନ୍ତି । ବଡ଼ବଡ଼ିଆ ପିଲା, ମାପି ଚୁପି କଥାବାର୍ତ୍ତା, ଗମ୍ଭୀର ଗମ୍ଭୀର ଭାବ, ନିର୍ଲିପ୍ତ ମିଳାମିଶା, ବଡ଼ଲୋକୀ ଠାଣି, ରୂଚି ।

ପିଲାମାନଙ୍କ ପାଇଁ ଏଇସବୁ ସାଂଧ୍ୟ ଆଇନ୍‌ ମୁଁ ଭାଇଙ୍କ ଘରେ ପହଞ୍ଚିଗଲେ ଆପେ ଆପେ ଢିଲା ହୋଇଯାଏ । ବଡ଼ପୁଅ ରିଷି, ଝିଅ ରୋମୀ ମୋ ପହଞ୍ଚିବାରେ ସବୁଠୁ ଖୁସି ହୋଇପଡ଼ନ୍ତି । ନହେଉ ପଛେ ପଛେ କକା କକା ଡାକ, ଅଙ୍କଲ ଅଙ୍କଲ କହି ଲୋଟଣି ଖାଆନ୍ତି ମୋଚାରିକଡ଼ରେ । ମନ ଚାହିଁଥିବା ଜିନିଷ ପାଇବା, ଖାଇବା ପାଇଁ ମୋ ପାଖରେ ଅଳି, ଅଭିମାନ କରନ୍ତି ।

ପ୍ରକୃତରେ ବଡଭାଇଙ୍କ କଟକଣା ଭିତରେ ଫିଲ୍ମ ହଲ୍ ଯିବା , ବଜାରରେ ବୁଲା ବୁଲି କରି ଚାହିଁଲା ପରି ଜିନିଷ କିଣିବା ,ଏମିତି ଖେଳାଖେଳି ପାଇଁ ସେମାନଙ୍କ ପାଇଁ ସେପରି ସୁଯୋଗ ନଥାଏ । ମୁଁ ପହଞ୍ଚିଗଲେ ଏସବୁର ଭରଣା ହୋଇଯାଏ । ମୋ ଉପସ୍ଥିତିରେ ଭାଇ କି ଭାଉଜ ପିଲାମାନଙ୍କୁ କିଛି କହିପାରନ୍ତି ନାହିଁ ।

ଭାଇ ଅଫିସ୍ ସମୟକୁ ବାଦ୍ ଦେଲେ ବିଭିନ୍ନ କାମରେ ବ୍ୟସ୍ତ ମଣିଷଟିଏ ପରି ଲାଗନ୍ତି । ହେଲେ ସବୁବେଳେ ଗମ୍ଭୀର । ଚାଲିରେ , ବୋଲିରେ । ଏପରିକି ମୋ ସହିତ କଥାହେଲା ବେଳେ ମଧ୍ୟ ।

ଏଇ ଦି’ ବର୍ଷ ତଳର କଥା ମୁଁ ବାଙ୍ଗାଲୋର ଯାଇଥାଏ । ରାତି ଦଶଟା ଭାଇ ଅଫିସରୁ ଫୋନ୍ କଲେ –ମୋର ଯିବାଟିକେ ଡେରି ହେବ । ତମେ ସବୁ ଖାଇଦେଇଥିବ । ମୁଁ ରିଷି , ରୋମୀ ଓ ଭାଉଜ ସମସ୍ତେ ଖାଇସାରି ଡାଇନିଂ ସ୍ପେସ୍‌ରେ ଲାଗିଥିବା ଟିଭି ଦେଖୁଥିଲୁ । ଭାଇ ଆସିଲେ । ଧୁଆଧୋଇ ହେଲେ । ଖାଇବାକୁ ବସିଥାନ୍ତି । ମୁଁ ଭାବୁଥିଲି ସେଇ ସମୟରେ ଗାଁକୁ ଫେରିଯିବା କଥା କହିବି ।

ଭାଇଙ୍କ ପାଇଁ ଟେବୁଲ ଉପରେ ବାଢ଼ିଦେଇ ଭାଉଜ ବସିଥାନ୍ତି । ରିଷି ଏତିକି ବେଳେ ଟିଭିର ଚାନେଲ ବାରମ୍ବର ବଦଳାଥାଏ କ’ଣ ଗୋଟେ ଦେଖି ବୋଲି । କେଉଁ ଗୋଟେ ଚାନେଲ ହଠାତ୍ ଲାଗିଲା ଯେ ଉପରେ ଦେଖାଦେଲା ‘ଡିମିରିଫୁଲ’ ।

ମୁଁ ଆଶ୍ଚର୍ଯ୍ୟ ହୋଇ ରହିଛି । ଇଏ କ’ଣ ଆଉ ଅଖିଳମୋହନ ପଟ୍ଟନାୟକଙ୍କ…..! ଭାବୁଛି ଏଇକଥା ସତକୁ ସତ ବାହାରିପଡିଲା ଷ୍ଟୋରୀ ଅଖିଳମୋହନ ପଟ୍ଟନାୟକ ଇଂରାଜୀ ତିଆରି ସିରିଏଲ୍ ।

ରିଷି ଚାନେଲ ବଦଳାଇବାକୁ ଯାଉଛି ମୁଁ ବାରଣ କରି ତାକୁ ଅଟକାଇଲି । ମୋ ଉସ୍ତୁକତା ଚାଉଁକିନା ସ୍ୱରରେ ବାହାରିଗଲା ମୋ ପାଟିରୁ । ରିଷି ବନ୍ଦ ହେଲା । ଭାଇ ମଧ୍ୟ ଖାଇବାଠୁଁ ମୁହଁଟେକି ଚାହିଁଲେ ଟିଭି ଆଡକୁ । ମୋତେ ପଚାରିଲେ -ନରେଶ କ’ଣ କି ସେଇଟା ?

ଭାଇ ଗୋଟିଏ ବଢ଼ିଆ ସିରିଏଲ୍ । ମୁଁ ଖୁବ୍ ଉତ୍ସାହରେ କହିଲି । ଅନ୍ୟ ସମୟ ହୋଇଥିଲେ ରିଷି ଦୁଷ୍ଟାମି କରି ଚାନେଲ ବଦଳେଇ ଦେଇଥାନ୍ତି । ଭାଇଙ୍କ ଉପସ୍ଥିତିରେ କିଛି କହିନପାରି ଚୁପ୍ ହେଇ ବସିରହିଲା ।

ଟିଭି ପରଦାରୁ ଇଂରାଜୀ ଡିମିରିଫୁଲ ପଢି ଭାଇ ମୋତେ ପଚାରିଲେଇଏ ‘ଦିମିରିଫୁଲ’ କଣ ଗୋଟେ କିରେ ?

: ଦିମିରି ଫୁଲ ନୁହେଁ ମ ଭାଇ, ସେଇଟା ଡିମିରିଫୁଲ । ଅଖିଳମୋହନଙ୍କ ଗୋଟିଏ ପ୍ରସିଦ୍ଧ କାହାଣୀ । ଦେଖନ୍ତୁନା ଭାରି ବଢ଼ିଆ ଲାଗିବ ।

: ଅଖିଳମୋହନ କିଏ ?

ଋିଷି ଚଟାପଟ ଉତ୍ତର ଦେଲା – ଡ୍ୟାଡ୍ ଉରିଆ ରାଇଟର ପରହାପ୍ସ । ଭାଇ ମୋ କଥାକୁ ଆଖି ଆଖିରେ ନାପସନ୍ଦ କଲାପରି ଜଣାପଡିଲା ।

ଯଦିଓ ସେ ସିରିଏଲଟି ସମସ୍ତେ ଦେଖିଲେ ମଝିରେ ମଝିରେ ବିଜ୍ଞାପନ ବିରତିରେ ଭାଉଜ ପଚାରୁଥାନ୍ତି ‘ଇୟେ ଅଖିଲମୋହନ ପଟ୍ଟନାୟକ କ’ଣ ଇଂରାଜୀ ଲେଖନ୍ତି ?

: ନାଇମ, ତାଙ୍କ ଓଡ଼ିଆ କାହାଣୀକୁ ଇଂରାଜୀବାଲା ସିରିଏଲ୍ କରିଛନ୍ତି । ମୁଁ କହିଲି ।

ସିରିଏଲଟି ଶେଷ ହେଲାବେଳକୁ ମୁଁ ଯେମିତି ସମସ୍ତଙ୍କଠାରୁ ବିଜ୍ଞ ମଣିଷ । ପ୍ରଶଂସାରେ ମୋତେ ପୋତି ଦିଆଗଲା । ରିଷି କହିଲା -ଅଙ୍କଲ୍ ହାଓ ଫାଂଡାଷ୍ଟିକ ଷ୍ଟୋରୀ ! ଥ୍ୟାଙ୍କ ୟୁ ଫର ଇଓର ଚଏସ୍ । ଭାଉଜଙ୍କ ମୁହଁରେ ମଧ୍ୟ ମୋ ପସନ୍ଦ ପ୍ରତି ସମ୍ମାନବୋଧ ଉଛୁଳୁମୁଛୁଳୁ । ଭାଇ ଏତେ ମାତ୍ରାରେ ବିଭୋର ହୋଇପଡିଥିଲେ ଯେ ,ସତେ ଯେମିତି ଡିସ୍କଭରି ଚାନେଲ ଦେଖୁ ଦେଖୁ ନୂଆ ଗୋଟିଏ ବିଚିତ୍ର ଜୀବ ଦେଖିଛନ୍ତି ।

: ଅଖିଳ ମୋହନଙ୍କ ଘର କଣ ଆମ ଓଡ଼ିଶାରେ ?

ମୁଁ କହିଲି –ହଁ, ଆମ ଖୋର୍ଦ୍ଧା ଜିଲ୍ଲାରେ ପରା ।

ମୁଁ ଆଶ୍ଚର୍ଯ୍ୟ ହେଉଛି ଏମିତିଷ୍ଟୋରୀ ପୁଣି ଓଡ଼ିଶାରେ କେହି ଲେଖିପାରେ ! ଆଚ୍ଛା ତାଙ୍କର ଆଉ କିଛି ଲେଖା ଥିବ ତ ?

ଭାଇଙ୍କୁ ସେ ସମୟରେ ଅଖିଳ ମୋହନଙ୍କ କୃତୀ ବିଷୟରେ କ’ଣ ଆଉ ଅଧିକ ଦେଖାଇ ପାରିଥାନ୍ତି । ମୁଁ ଜାଣେ ଭାଇ ପଢ଼ିଲାବେଳେ ମଧ୍ୟ ସାହିତ୍ୟ ରସିକ ନଥିଲେ । ପାଠପଢାସାରି ଏଠି ଚାକିରି କଳାପରେ କି ଯେ ସାହିତ୍ୟ ପଢ଼ିଥିବେ । ନିଜେ ତ ଯାହା, ପିଲାମାନଙ୍କୁ ଓଡ଼ିଆ ବି ଶିଖେଇ ପାରିନାହାନ୍ତି । ପିଲାମାନେ ଇଂରାଜୀ ମାଧ୍ୟମ ସ୍କୁଲରେ ପଢ଼ନ୍ତି । ଘରେ ବାହାରେ ଇଂରାଜୀ କଥା ଭାଇ କେବେ କେମିତି ଅପାଠୁଆ ଲୋକଙ୍କ ସହ କଥା ହେଲାବେଳେ ହିନ୍ଦି କହନ୍ତି ।

ଜଣେ ଅଫିସର ହିସାବରେ ଘରଠୁ ବାହାର ଯାଏ, ଝରକା ପରଦାଠାରୁ ଝାଡଫାନୁସ୍, ଟେବୁଲ ଟିପୟ, ପିନ୍ଧା କପଡାରୁ ଖାଇବା , କଥାହେବାରେ ଗୋଟାଏ ତଥାକଥିତ ରୁଚିର ଛିଟା । ଭାଇଙ୍କର ଏଇସବୁ ରୁଚି ଭିତରେ କାହିଁ କେଉଁଠି ବହିଥାକଟିଏ ଦେଖିବାକୁ ମିଳେନା ।

ମୁଁ ଜାଣିବାକୁ ଚେଷ୍ଟା କରୁଥିଲି ଭାଇଙ୍କର ଓଡ଼ିଶା ପ୍ରତି ଏ ପ୍ରକାର ଅବବୋଧର ହେତୁ । କଣ ଯେ ଏମିତି ଦିଗ ଓଡ଼ିଶା ପ୍ରତି ତାଙ୍କ ମନେଭାବକୁ ବିଷାକ୍ତ କରିପାରେ ।

ମୁଁ ପଚାରିଲି : ଭାଇ ଓଡ଼ିଶାର ଲେଖକ କେହି ଏପରି କାହାଣୀ ଲେଖି ନପାରେ ଏକଥା ଆପଣଙ୍କ ମନକୁ କାହିଁକି ଆସିଲା ?

ଭାଇ କହିଲେ – ହୁଁ କ’ଣ ଅଛି ଓଡ଼ିଶାରେ ? କିଏ ଅଛନ୍ତି ଓଡ଼ିଶାରେ ? କିଛି ହିଁ କିଛି ନାହିଁ । କିଛି ହବାର ମଧ୍ୟ ନାଇଁ । ସେଠି ନେତାଠୂଁ ଜନତା , ଅଫିସର ସବୁ ସମାନ । କେବଳ ହାତପାତିବା, ଟାଉଟରି କରିବା । ତୁ କ’ଣ ଭାବୁଛୁ ସେଇଠି କେହି ଗୋଟେ କଣ ହୋଇଯିବେ ?

ଭାଇଙ୍କ କଥାରୁ ମୁଁ କୂଳକିନାରି କିଛି ପାଇନଥିଲି । କେବଳ ଅବୋଧ ଛାତ୍ର ପରି ଚାହିଁ ରହିଥିଲି ତାଙ୍କ ମୁହଁକୁ । କଣ ଯେ ନେତା .. ଜନତା.. ହାତପାତିବା !

ଭାଇ ପୁଣି କହିଲେ – ଆରେ ଏମିତି ବୋକାଙ୍କ ପରି କ’ଣ ଚାହିଁଛୁ ? ଇତିହାସରୁ ପଢିଥିବୁ, ଏବେ ନିଜେ ବି ଦେଖିଥିବୁ କେମିତି ଚାଲିଛି ଓଡ଼ିଶାର କ୍ଷମତାର ଭାଗବଣ୍ଟୁରା ।

ପ୍ରଶାସନିକ ଅଧିକାରୀ କହ, ନେତା କହ ଯିଏ ଲୁଚି ଖାଉଚି ତ ଖାଉଚି । ପାଟି ଫିଟାଇବାକୁ କେହି ନାହିଁ । ଯୋଜନା ପରେ ଯୋଜନା କାମରେ ନାଆଁ ନାହିଁ । ଭାଷଣବାଜିରେ ଦେଶ ଚାଲିଛି ଦେଶ । ଆଗରୁ ଯୋଗ୍ୟ ଲୋକନଥିଲେ ନା- ଏବେ ନାହାନ୍ତି ! କେବେ ସେମାନଙ୍କ ହାତରୁ ଯାଉଛି କ୍ଷମତା ? ଏଇତ ଟ୍ୟାଲେଣ୍ଟ୍‌ମାନଙ୍କ ପାଇଁ ସେଠି ଜାଗା ନାହିଁ । ମୋଧାମାନଙ୍କ ପାଇଁ ପଢ଼ିବାର ସୁଯୋଗ ନାହିଁ । ଭୋଟ୍‌ବ୍ୟାଙ୍କ ତିଆରି ପାଇଁ କେବଳ ରାଜନୀତି ଚାଲିଛି ସେପଟେ ମେଧା ଚାଲାଣ ହେଉଛନ୍ତି ବାହାରକୁ । ସେଠିତ ଆଉ କିଛିଦିନ ପରେ ମେଧାଙ୍କ ମରୁଡ଼ି ପଡ଼ିବ ।

ଏତେ କଥା ଭାଇ ଏମିତି ଢ଼ଙ୍ଗରେ କହିଲେ ଯେ ଶୁଣିବା ବ୍ୟତୀତ ପଦଟିଏ ପ୍ରତିବାଦ କରିପାରିଲିନି । ତାଙ୍କ କଥାଗୁଡ଼ା କେତେ ଠିକ୍ କେତେ ଭୁଲ୍ ନ ଭାବି ଖାଲି ବୁଝୁଥିଲି କାମରେ ଯାହା ଥାଉନା କାହିଁକି ଏଇ ପ୍ରକାର କଥାଗୁଡ଼ାକ କହି ସାଧାରଣ ମଣିଷଟିଏ ଛାତିରେ ନିଆଁ ଗେଞ୍ଜି ଦେବା ଭାରି ସହଜ । ଗୋଟିଏ ଗୋଷ୍ଠୀକୁ ଉତ୍ତେଜିତ କରାଇ ଦେବାରେ କେଡ଼େ ସରଳ ଚାତୁରୀ ଅଛିଏଇସବୁ କଥାରେ !

ମୁହୂର୍ତ୍ତକ ପାଇଁ ମୋର ଅନୁଭବ ହେଲା । ମୁଁ ଯେମିତି ଭାଇଙ୍କ ଘର ନୁହେଁ କେଉଁ ଗୋଟେ ବିଚ୍ଛିନ୍ନତାବାଦୀର ଘରେ ଅଛି । ମୋ ହାତ ପାଦକୁ ବାନ୍ଧି ଦିଆଯାଇଛି । ମୋ ପାଟିକୁ ବନ୍ଦ କରି ମୋ ମନରେ ଜାତିଦ୍ରୋହର ବିଷ ଭରି ଦିଆଯାଇଛି ।

ଭାଇ ପ୍ରତି ମୋ ଧାରଣା କେମିତି ଲାଗିଲ । ସେଥର ଗାଁ କୁ ଆସି ସଂଗ୍ରହକଲି ଓଡ଼ିଆ ସାହିତ୍ୟର କିଛି ଉପାଦେୟ ପୁସ୍ତକ । ଅଖିଳମୋହନଙ୍କର ମଧ୍ୟ କେତେଖଣ୍ଡ ବହି । ଜାଣିଥିଲି ଭାଇଙ୍କ ପାଖରେ ଏଇସବୁ ବହି ପୃଷ୍ଠା ଲେଉଟାଇବା ପାଇଁ ସମୟ ନଥିବ । ତାହାର କାରଣ ମଧ୍ୟ ଜାଣିଥିଲି । ଅଫିସରୁ ଆସିଲେ ଘରେ ସିଏ ଯେତେ ସବୁ ଆଲୋଚନା କରନ୍ତି ସେଥିରେ ବୁଝାପଡ଼େ ଗୋଟେ ବରିଷ୍ଠ ଅଫିସର ହିସାବରେ କିପରି ଅନ୍ୟମାନଙ୍କ ଠାରୁ ପ୍ରତିଯୋଗିତା କରି ଆଗକୁ ଯିବାପାଇଁ ବ୍ୟାକୁଳ । ସିଏ ସମସ୍ତଙ୍କ ଆଗରେ, ଟିଭିରେ, ଫ୍ରିଜ୍‌ରେ, ଅନ୍ୟଠୁ ଅତ୍ୟାଧୁନିକ ଆସେଟ୍ସ କିଣିବାରେ । ବାହାଦୁରୀ ମାରନ୍ତି କିପରି ସେ ସାଙ୍ଗ ପାଞ୍ଚଜଣଙ୍କୁ ପଛରେ ପକାଇ ପ୍ରମୋସନ ପାଇଥଲେ ସେୟାର ମାର୍କେଟରେ ତାଙ୍କ ପଇସା ହୁ ହୁ ହେଇ ବଢ଼ୁଥିବା ବେଳେ ଅନ୍ୟମାନଙ୍କର କିପରି ମୂଳଜମା ଖାଲ୍ ଇତ୍ୟାଦି ।

ମୋର ମନରେ ଏଇସବୁ କାରଣରୁ ସହରୀ ଲୋକମାନଙ୍କ ପ୍ରତି ଥିବା ଅହେତୁକ ମୋହଭଙ୍ଗ ହୋଇ ସାରିଥିଲା । ଦୀର୍ଘ ତିନିବର୍ଷ ମୁଁ ଆଉ ଭାଇଙ୍କ ପାଖକୁ ଯାଇନଥାଏ । ଭାଇ ବାରମ୍ବାର ଟେଲିଫୋନ୍ କରୁଥାଆନ୍ତି । ରିଷି-ରୋମୀ ମଧ୍ୟ ଚିଠି ଲେଖୁଥାନ୍ତି । ଘରେ ବାପା ମଧ୍ୟ କେତେଥର କହିଥିବେ ଯିବାପାଇଁ । ମୁଁ ଅନ୍ୟକାମର ବାହାନା କରି ଏଡ଼ାଇ ଯାଏ । କିନ୍ତୁ ଯେଉଁଦିନ ଶୁଣିଲି ରିଷି କ’ଣ ଗୋଟେ ପାଠପଢ଼ିବାକୁ ଆମେରିକା ଯିବ, ଫେରିବ ପାଞ୍ଚବର୍ଷ ପରେ, ନିଜକୁ ଅଟକାଇ ପାରିଲିନି ।

ବାଙ୍ଗାଲୋରରେ ପହଞ୍ଚି ଦେଖେତ ରିଷିରଆମେରିକା ଯିବାର ପ୍ରସ୍ତୁତି ଚାଲିଛି । ଇଣ୍ଟରନେଟ୍‌ରେ ଆଡ଼ମିସନ୍ ସରିଚି । ଫ୍ଲାଇଟ ଟିକଟ ହେଇଚି । ଆବଶ୍ୟକ ଜିନିଷର ପ୍ୟାକିଂ ଚାଲିଛି । ମୋତେ ଦେଖି ସମସ୍ତେ ଖୁସି ହେଇଗଲେ । ମୁଁ କିନ୍ତୁ ରିଷିର ଆମେରିକା ଯିବା କଥା ଭାବି ସେତେ ଖୁସି ହୋଇପାରିଲିନି ନାହିଁ ।

ଭାଇଙ୍କ ଘରେ ପହଞ୍ଚିଲା ବେଳକୁ ରିଷି ଘରେ ନଥିଲା । ଭାଉଜଙ୍କଠାରୁ ବୁଝିଲି ସେ ଯାଇଛି ତା’ ସାଙ୍ଗମାନଙ୍କ ଘରକୁ ଦେଖାକରି ଆସିବ । କଥା ସରିଛି କି ନାହିଁ ରିଷି ପହଞ୍ଚିଗଲା ।
ଏମିତି ଗୋଟେ ଆଶ୍ଚର୍ଯ୍ୟଜନକ ଘଟଣା ଘଟିବ ବୋଲି ମୁଁ କଳ୍ପନାରେ ସୁଦ୍ଧା ଭାବିନଥିଲି । ରିଷି ମୋ ପାଦଛୁଇଁ ତ ନମସ୍କାର ହେଲା ଆହୁରି ଅଧିକ ମୋତେ ସମ୍ବୋଧନ କରି ଖଣ୍ଡି ଖଣ୍ଡି ଓଡ଼ିଆରେ କହିଲା- ଖକା, ଖକା, ମୁଁ ଆପନକୁ ଦେଖି ଭାରି ଖୁସି ହଉଛି । ମୁଁ ଆମେରିକା ଛାଲିଯିବି । ଆପନ୍ ଆସି ନଥିଲେ ମୋତେ ଦୁଃଖ ହେଇଥା’ନ୍ତା । ଆପନ୍ ଆସିଛନ୍ତି ଆଜି ରାତିରେ ଖୁବ୍ ମଜା ହେବ । ଜାନିଛନ୍ତି ରୋମୀ ବି ଉରିଆ କହିପାରୁଚି । ମୋ ଆଖିରେ ଲୁହକୁ ମୁଁ ଅଟକାଇ ପାରିଲିନି । କୋହରେ ମୋ ଛାତି ରୁଦ୍ଧି ହୋଇଗଲା । କେତେ ମସୟ ରିଷିକୁ ଛାତିରେ ଚାପି ଧରିଲି ।

ଋିଷି ନିଜକୁ ମୁକ୍ତ କରି ଭାରି ଉତ୍ସୁକ ହୋଇ କହିଲା- ଖକା, ଆପନଙ୍କ ବହି ପଢ଼ିବା ପାଇଁ ମୁଁ ଉରିଆ ଶିଖୁଚି । ଆହୁରି ଶିଖିବି । ଆମେରିକାରେ ଉରିଆ ଲୋକ ବହୁତ ଅଛନ୍ତି । ଆପନ୍ ଭଲ ବହି ପଠାଇବେ । ମୁଁ ଭଲ ଭାବରେ ଶିଖିଗଲେ ସେଠି ଉରିଆରେ କଥା ହେବି ।

ଋିଷିର କଥା କହିବାଶୈଳୀ, ଉଚ୍ଚାରଣ ଯାହାବି ହେଉନା କାହିଁକି ମୁଁ ତା’ ଓଡ଼ିଆ କହିବାର ଆଗ୍ରହ ଦେଖି ମୁଗ୍ଧ ହେଉଥିଲି ।

ପରଦିନ ଏୟାରପୋର୍ଟରେ ରିଷିକୁ ବିଦାୟ ଦେବାବେଳେ ତା’ ହସ ହସ ମୁହଁରେ ମୁଁ ଦେଖିପାରୁଥିଲି ସମ୍ଭାବନାର ଗୋଟିଏ ନିର୍ମଳ ସକାଳ । ମୁଁ ପ୍ରତିଶ୍ରୁତି ଦେଇଥିଲି ନିଶ୍ଚୟ ତା’ପାଇଁ ଭଲ ବହି ପଠାଇବି ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top