ଗଳ୍ପ

ଯାଦୁଗର

Rajiba Lochana Panda

ମଣିଷ ଭଳି କଥା କହିବା ଭୁଲିଯାଇଥିଲା । ତା’ ଅଣ୍ଟା ନଇଁ ଯାଇଥିଲା । ତା’ ଆଖି ଭିତରକୁ ଚାଲିଯାଇଥିଲା, ଗାଲ ଠାକୁଆ ହୋଇଯାଇଥିଲା

ଯାଦୁଗର

ଜୀବନଟା ଗୋଟେ କାହାଣୀ ଭଳି ଲାଗେ । ମୋ ପିଲାଦିନ କଥା ମନେ ପଡୁଛି । ମୋ ବୟସ ସେତେବେଳେ ଆଠ ବର୍ଷ ହୋଇଥିବ ଠିକ୍ ସେ ମନେପଡୁନି ସନ୍ଧ୍ୟା ନଇଁଗଲେ ମୁଁ ମୋ ବୁଢ଼ୀମା’ଙ୍କୁ ଖୋଜେ । ମୋତେ ସେ କାହାଣୀ ଶୁଣାଇବ । ଖୋଜି ଖୋଜି ମୁଁ ତାକୁ ରୋଷେଇ ଘରେ ପାଏ । ଅଳିରେ କରେ ମୋତେ କାହାଣୀ ଶୁଣା । ହେଲେ ମୋ ମା’ ରୋଷେଇ କରିବାରେ ବ୍ୟସ୍ତ । ରୋଷେଇ ସରିଲେ କାହାଣୀ ଶୁଣାଇବା କହି ତା’ କାମରେ ସେ ବ୍ୟସ୍ତ ହୋଇଯାଏ । ମୁଁ ଅପେକ୍ଷା କରେ ତା’ ରୋଷେଇ ସରିବାକୁ । ରୋଷେଇ ସରୁ ସରୁ ପରିବାରର ସମସ୍ତଙ୍କୁ ଭୋକ ଲାଗିବା ଆରମ୍ଭ ହୋଇଯାଏ । ମୁଁ ଭାବେ ଖାଇ ସାରିବା ପରେ ମା’ ମୋତେ କାହାଣୀ ଶୁଣାଇବେ । ଏତିକିବେଳେ ମୋତେ ନିଦ ଆସିଯାଏ । ନିଦ ଭାଙ୍ଗିଲେ ସକାଳ ହୋଇଯାଏ, ଆଉ ମୋ କାହାଣୀ ଏତିକିରେ ବନ୍ଦ । ଦିନେ ଜିଦ୍ ଧରି ବସିଲି ଖାଇବିନି କି ପିଇବିନି ଖାଲି କାହାଣୀ ଶୁଣିବି । ମୋ ଜିଦ୍ ଆଗରେ ହାର୍ ମାନିଲା ମୋ ମା’ । କହିଲା ଆଜି ରୋଷେଇ ପଛେ ଡେରି ହେବ ହେଲେ ତତେ ଆଜି କାହାଣୀ ଶୁଣାଇବି । ମୋ ମନ ଖୁସିରେ ନାଚି ଉଠିଲା । ମୁଁ ମୋ ମା’ କୋଳରେ ବସିପଡ଼ିଲି । ମା’ କହିଲା, “କାହାଣୀ ଶୁଣ ।”

ଆଜକୁ ପଚିଶ ବର୍ଷ ତଳର କଥା ଗୋଟିଏ ଗାଁରେ ମେଳା ଲାଗିଥିଲା । ମେଳାରେ ଭାରି ଭିଡ଼, କେତେ ଦୋଳି କେତେ ପସରା ତା’ର କିଛି ହିସାବ ନ ଥିଲା । ସେ ଭିତରେ ଗୋଟିଏ ବିଖ୍ୟାତ ଯାଦୁଗର ଆସି ତା’ର ଯାଦୁ ଦେଖାଉ ଥିଲା । ଗାଁର ସମସ୍ତେ ତାକୁ ଦେଖିବାକୁ ଯାଇଥିଲେ । ଯାଦୁଗରର ଯାଦୁ ଦେଖିବା ପାଇଁ ଦିନେ ସେହି ଗାଁର ସ୍ୱାମୀ ସ୍ତ୍ରୀ ଓ ସେମାନଙ୍କ ବାରବର୍ଷର ପୁଅ ମିଶି ଯାଇଥିଲେ । ଯାଦୁଗର ଯାଦୁ ଦେଖାଇବା ଆରମ୍ଭ କଲା । ଆଜି ଗୋଟେ ବିରାଟ ଚମତ୍କାର ଦେଖାଇବ କହି ଜଣକୁ ଷ୍ଟେଜ୍ ଉପରକୁ ଆସିବାକୁ ଅନୁରୋଧ କଲା । କେହି ବି ସାହାସ କରି ଉପରକୁ ଗଲେ ନାହିଁ । ହେଲେ ସେ ସ୍ୱାମୀ ସ୍ତ୍ରୀ ଦୁଇ ଜଣଙ୍କ ମଧ୍ୟରୁ ସ୍ୱାମୀ ସାହାସ କରି ଠିଆ ହେଲା । ଯାଦୁଗର କହିଲା “ସାବାସ୍ ଆପଣ ଷ୍ଟେଜ୍ ଉପରକୁ ଆସନ୍ତୁ ।” ଲୋକଟା ଷ୍ଟେଜ୍ ଉପରକୁ ଉଠିଲା ।

ଯାଦୁଗର କହିଲା “ମୁଁ ମୋ ଜୀବନର ସର୍ବଶ୍ରେଷ୍ଠ ଖେଳ ଦେଖାଇବି । ମଣିଷଟିକୁ ପେଚା କରିଦେବି । ପୁଣି ତାକୁ ମଣିଷ କରିଦେବି ।” ସମସ୍ତଙ୍କ ମନରେ କୌତୂହଳ ଜାତ ହେଲା । ସମସ୍ତେ ଭାବିଲେ ମଣିଷଟା କେବେ ପେଚା ହୋଇପାରିବ ? ଏହା କେମିତି ସମ୍ଭବ ! ଯାଦୁଗର ଗୋଟିଏ ଭାନୁମତି ପେଢ଼ି ଆଣି ମଣିଷଟିକୁ ତା’ ଭିତରେ ପଶିବାକୁ କହିଲା । ଲୋକଟା ସେ ଭିତରେ ପଶିଗଲା । ଏତିକି କହି ମୋ ବୁଢ଼ୀମା’ ଢୁଳୋଉ ଥିଲେ, ମୁଁ ପଚାରିଲି “ମା’ ତା’ପରେ କ’ଣ ହେଲା ?” ମା’ କହିଲା ଶୁଣ ଲୋକଟା ଯେମିତି ପେଢ଼ି ଭିତରେ ପଶିଲା ଯାଦୁଗର ପେଢ଼ି ବନ୍ଦ କରିଦେଲା । ଖୋଲିଲା ବେଳକୁ ସେ ଭିତରୁ ଗୋଟେ ବିରାଟକାୟ ପେଚା ବାହାରିଲା । ସମସ୍ତେ ଆନନ୍ଦରେ ତାଳି ମାରିଲେ । ହେଲେ ସେ ସ୍ତ୍ରୀ ଲୋକଟା ଆଉ ତା’ ପୁଅ ବହୁତ ଡରି ଯାଇଥିଲେ । ପୁଅଟା ଚିତ୍କାର କରି କହୁଥିଲା “ଫେରାଅ ମୋ ବାପାକୁ ଫେରାଅ ।” ତା’ ଚିତ୍କାର ଶୁଣି ଯାଦୁଗର ଅଳ୍ପ ହସି କହିଲା, ବ୍ୟସ୍ତ ହୁଅନି ବାବୁ ମୁଁ ତୋ ବାପାକୁ ପୁଣି ମଣିଷ କରିଦେବି । ଏହା କହି ଯାଦୁଗର ପୁଣି ପେଢ଼ିକୁ ବନ୍ଦ କଲା ଓ କହିଲା “ପେଢ଼ି ଖୋଲିଲେ ପେଚା ପୁଣି ମଣିଷ ହୋଇଯିବ ।” ଏହି ସମୟରେ ହଠାତ୍ ଜୋର୍‌ରେ ପବନ ଆସିଲା, ଚକାଭଉଁରୀ ଖେଳିଲା । ପବନ ସାଙ୍ଗକୁ କଳାହାଣ୍ଡିଆ ମେଘ ଘଡ଼ିଘଡ଼ି ସହ ପ୍ରବଳ ବର୍ଷା ଆରମ୍ଭ ହୋଇଗଲା । ଝଡ଼ ତୋଫାନ୍‌ରେ ଯାଦୁଗରର ଷ୍ଟେଜ୍ ଭାଙ୍ଗିଗଲା । ଲୋକମାନେ ଇତସ୍ତତଃ ଦୌଡ଼ିବାକୁ ଲାଗିଲେ । ଭାନୁମତି ପେଢ଼ି ଷ୍ଟେଜ୍ ଉପରୁ ପଡ଼ି ଦୁଇଭାଗ ହୋଇଗଲା । ଯାଦୁଗରର ଯାଦୁ କାମ କଲା ନାହିଁ । ପେଚା ଆଉ ମଣିଷ ହୋଇପାରିଲା ନାହିଁ । ସ୍ତ୍ରୀ ଲୋକଟା ଆଖିରେ ଆଖିଏ ଲୁହରେ କହୁଥିଲା, “ଯାଦୁଗର ଭାଇ ମୋ ସ୍ୱାମୀକୁ ଫେରାଇ ଦିଅ । ମୋ ସ୍ୱାମୀକୁ ଫେରାଇ ଦିଅ ।” ହେଲେ ଯାଦୁଗର ନିରୁପାୟ ଥିଲା । ଗାଁ ଲୋକ ଏପଟେ ବାଡ଼ି ଧରି ଯାଦୁଗରକୁ ମାରିବାକୁ ଗୋଡ଼େଇଲେ । ଯାଦୁଗର ପ୍ରାଣ ବିକଳରେ ଗାଁ ଛାଡ଼ି ପଳାଇଲା । ଏତିକି କହି ମୋ ମା’ କହିଲା ଆଜି ଏତିକି ଥାଉ । କାଲି ସନ୍ଧ୍ୟାବେଳେ ଆଉ ବାକି କାହାଣୀ ଶୁଣାଇବି । ମୁଁ କିନ୍ତୁ ଜିଦ୍ ଧରିଲି ପୁରା କାହାଣି ଶୁଣିବି । ମୋ ଜିଦ୍ ଆଗରେ ମୋ ବୁଢ଼ୀମା’ ହାର ମାନିଲା କହିଲା ହଉ ଶୁଣ ସ୍ୱାମୀକୁ ପେଚା ହୋଇଯିବାର ଦେଖି ସ୍ତ୍ରୀ ଲୋକଟା କାନ୍ଦିବାକୁ ଲାଗିଲା । ତାକୁ ଦେଖି ତା’ ପୁଅ ବି ଜୋର୍‌ରେ କାନ୍ଦିଲା । ଦେଖୁ ଦେଖୁ ରାତି ବଢ଼ିବାକୁ ଲାଗିଲା । ଯିଏ ଯା’ ଘରକୁ ପଳାଇଲେ । ଶେଷରେ ନିରୁପାୟ ହୋଇ ସ୍ତ୍ରୀ ଲୋକଟା ତା’ ପୁଅକୁ ଧରି ଘରକୁ ଫେରିଲା । ତା’ ପଛେ ପଛେ ପେଚା ତା’ ଘର ପାଖକୁ ଗଲା । ଘର ପଛପଟେ ଥିବା ଗୋଟିଏ ବଡ଼ ଆମ୍ୱଗଛ ଉପରେ ବସିଲା । ପୁଅ ମା’ ମୁହଁକୁ ଚାହିଁ କହୁଥିଲା ବୋଉ ବାପା କେବେ ଆସିବେ ? ମା’ କିଛି କହିପାରୁ ନଥିଲା । ଖାଲି କହୁଥିଲା ବ୍ୟସ୍ତ ହଅନି ଆରବର୍ଷ ମେଳା ହେବ ମେଳାକୁ ସେ ଯାଦୁଗର ଆସିବ ଆଉ ତୋ ବାପାକୁ ମଣିଷ କରିଦେବ । ଦେଖୁ ଦେଖୁ ବର୍ଷ ପରେ ବର୍ଷ ବିତିଗଲା କେତେ ମେଳା ହେଲା ହେଲେ ସେ ଯାଦୁଗର ଦେଖା ନାହିଁ । କାଳେ ଗାଁ ଲୋକେ ତାକୁ ମାରି ଦେବେ । ସେ ଭୟରେ ବୋଧେ ଆସୁନଥିଲା । ଦେଖୁ ଦେଖୁ କୋଡ଼ିଏ ବର୍ଷା ବିତିଗଲା । ଛୋଟ ପିଲାଟା ବଡ଼ ହୋଇଯାଇଥିଲା । ତା’ ମା’ ତା’ ପାଇଁ ଗୋଟିଏ ସୁନ୍ଦର ବୋହୂ ଦେଖି ତାକୁ ବାହା କରି ଦେଇଥିଲା । ପୁଣି ଗାଁରେ ମେଳା ହେଲାବେଳେ କେତେ ପସରା ବସିଲା । ପୁଅ ମା’କୁ କହିଲା, “ମା’ ଚାଲ ମେଳାକୁ ଯିବା ।” ମା’, ପୁଅ, ବୋହୂ ସାଥିରେ ମେଳା ଦେଖିବାକୁ ବାହାରିଲେ । ମେଳା ଦେଖୁ ଦେଖୁ ସ୍ତ୍ରୀ ଲୋକଟାର ସେହି ଯାଦୁଗର ସାଥିରେ ସାକ୍ଷାତ୍ ହୋଇଗଲା । ସ୍ତ୍ରୀ ଲୋକଟା ଚିତ୍କାର କଲା “ପୁଅ ଏହି ସେ ଯାଦୁଗର ତାକୁ ଧର ସେ ତୋ ବାପାକୁ ପୁଣି ମଣିଷ କରିବ ।” ପୁଅ ଯାଦୁଗର ପାଖକୁ ଯାଇ କହିଲା । ଭଲରେ ଭଲରେ ମୋ ବାପାକୁ ମଣିଷ କରିଦେ ନ ହେଲେ କିଛି ଭଲ ହେବନି । ଯାଦୁଗର ଡରିଗଲା କହିଲା ମୋତେ ପେଚା ପାଖକୁ ନେଇ ଚାଲ ମୁଁ ତାକୁ ମଣିଷ କରିଦେବି । କୋଡ଼ିଏ ବର୍ଷର ଅନୁଭୂତିରେ ଯାଦୁଗର ପରିପକ୍ୱ ହୋଇ ଯାଇଥିଲା । ଯାଦୁଗର ସ୍ତ୍ରୀ ଲୋକଟିର ଘରକୁ ଯାଇ ପେଚାକୁ ଡାକିଲା “ଆସ ମୁଁ ତୁମକୁ ମଣିଷ କରିଦେବି ।” ସ୍ତ୍ରୀ ଲୋକଟି ବିନତି କଲା ଆସ ତୁମେ ମଣିଷ ହୋଇଯିବ ମୋ ଖୁସିର ସୀମା ରହିବନି । ସ୍ତ୍ରୀ ଲୋକଟାର କଥା ଶୁଣି ବାଡ଼ି ଆମ୍ୱଗଛରେ ବସିଥିବା ସୁନ୍ଦର ଡଉଲ ଡାଉଲ ପେଚାଟି ଯାଦୁଗର ପାଖକୁ ଆସିଲା । ଯାଦୁଗର ଯାଦୁବଳେ ତାକୁ ପୁଣି ମଣିଷ କରିଦେଲା । ହେଲେ ଆଶ୍ଚର୍ଯ୍ୟ ସେ ତିରିଶ ବର୍ଷତଳର ସୁନ୍ଦର ଯୁବକଟି ଆଜି ଷାଠିଏ ବର୍ଷର ବୁଢ଼ା ହୋଇ ଯାଇଥିଲା । ମଣିଷ ଭଳି କଥା କହିବା ଭୁଲିଯାଇଥିଲା । ତା’ ଅଣ୍ଟା ନଇଁ ଯାଇଥିଲା । ତା’ ଆଖି ଭିତରକୁ ଚାଲିଯାଇଥିଲା, ଗାଲ ଠାକୁଆ ହୋଇଯାଇଥିଲା । ତା’ ଆଖିରୁ ଲେନ୍ଦରା ବାହାରୁଥିଲା । ତାକୁ ଚାଲିବାରେ ବହୁତ କଷ୍ଟ ହେଉଥିଲା । ବହୁତ ଜରାଜୀର୍ଣ୍ଣ ଓ ରୁଗ୍ଣ ଦେଖା ଯାଉଥିଲା । ତାକୁ ଦେଖି ତା’ ସ୍ତ୍ରୀ କାନ୍ଦି ପକାଇଲା । ଭାବିଲା ମୋ ସ୍ୱାମୀ ଏମିତି ବାର୍ଦ୍ଧକ୍ୟରେ ସଢ଼ି ସଢ଼ି ମଣିଷ ହୋଇ ବଞ୍ଚିବା ଅପେକ୍ଷା ସୁନ୍ଦର ଡଉଲ ଡାଉଲ ପେଚା ହୋଇ ଉଡ଼ିଯିବାଟା ଭଲ । ଯାଦୁଗରକୁ ଅନୁରୋଧ କଲା ମୋ ସ୍ୱାମୀକୁ ପେଚା କରିଦିଅ । ଯାଦୁଗର ଆଶ୍ଚର୍ଯ୍ୟ ହୋଇ ଚାହୁଁଥିଲା ଆଉ ଶେଷରେ ତା’ କଥା ରଖି ତାକୁ ପୁଣି ପେଚା କରିଦେଲା । ପେଚା ଫୁର୍‌କିନା ଉଡ଼ି ପୁଣି ଆମ୍ୱଗଛରେ ବସିଲା । ଏତିକି କହି ମୋ ମା’ କହିଲା ଆଜିର କାହାଣୀ ଏତିକିରେ ସରିଲା । କାହାଣୀ ଶୁଣି ମୁଁ ବୁଢ଼ୀମା’ ମୁହଁକୁ ଚାହିଲି । ତା’ ଆଖିରେ ଲୁହ ଥିଲା । ମା’କୁ ପଚାରିଲି ମା’ ତୁ କ’ଣ କାନ୍ଦୁଛୁ ? ମୋ ମା’ କହିଲା ଆରେ ପାଗଳାଟା କିରେ ମୁଁ କାହିଁକି କାନ୍ଦିବି ? ଚୂଲିଧୂଆଁ ବାଜି ପରା ମୋ ଆଖିରୁ ପାଣି ବାହାରୁଛି । ମା’କୁ ପଚାରିଲି ମା’ ପେଚା ଦେଖିବାକୁ କେମିତି ? ମୋ ବୁଢ଼ୀମା’ କିଛି କହିଲାନି । ଆଙ୍ଗୁଠିରେ ଇସାରା କଲା ଆମ ବାଡ଼ିପଟେ ଥିବା ଶହେ ବର୍ଷର ପୁରୁଣା ଆମ୍ୱଗଛକୁ । ମୁଁ ଆମ୍ୱଗଛକୁ ଚାହିଁଲି, ଗଛ ଡାଳରେ ବସିଥିଲା ଗୋଟିଏ ବିରାଟକାୟ ହୃଷ୍ଟପୁଷ୍ଟ ପେଚା । ପେଚାଟା ମୋତେ ଚାହୁଁଥିଲା ଆଉ ତା’ ପରକୁ ଖୁସିରେ ଜୋର୍‌ରେ ଝାଡୁଥିଲା । ହେଲେ ମୋ ମା’ କିନ୍ତୁ ଲୁଚେଇ ଲୁଚେଇ ପଣତ କାନିରେ ତା’ ଆଖିରୁ ଲୁହ ପୋଛୁଥିଲା ।

ଲୋକପ୍ରିୟ ଲେଖା

To Top