ଗଳ୍ପ

ଜହ୍ନରାତି

କବିତା ତଳେ ତମର ନାଁ ଲେଖା ହୋଇଥିଲା । ମୁଁ କହିଲି, ଏଇଟା ଦେବଭାଇ ଲେଖିଛନ୍ତି, କବିତାଟିଏ ।

ଜହ୍ନରାତି

ଦେବଦତ୍ତ ଆଶ୍ଚର୍ଯ୍ୟ ହେଉଥିଲେ, ବିଶ୍ୱାସ କରି ପାରୁ ନ ଥିଲେ । ଏମିତି କେମିତି ସମ୍ଭବ । ସେ ନଦୀକୂଳରେ ଅନେକ ସମୟ କଟାଇଛନ୍ତି, ନିଜ ଆଖିରେ ଦେଖିଛନ୍ତି । ଅଥଚ ସମସ୍ତେ କହୁଛନ୍ତି, ସେଠି କୋଠାଫୋଟା କିଛି ନାହିଁ । ବ୍ଲକ୍ ଅଫିସ୍, ତା’ ଆଗରେ ପଞ୍ଚାୟତ ଇଣ୍ଡଷ୍ଟ୍ରୀ, ତା’ପରେ ନଦୀ ପର୍ଯ୍ୟନ୍ତ କିଛି ଘର ନାହିଁ । କେବଳ ଚାଷ ବିଲ । ଦେବଦତ୍ତ ପଚାରିଲେ, ପ୍ରମୋଦ ଚୌଧୁରୀ ନାମରେ ଜଣେ ଜୁନିୟର ଇଞ୍ଜିନିୟରଙ୍କ ଘର ସେଇଟା ? ଅନ୍ୟମାନେ କହୁଥିଲେ, ଆଜ୍ଞା, ପ୍ରମୋଦ ଚୌଧୁରୀ ନାମରେ ଜୁନିୟର ଇଞ୍ଜିନିୟର ନାହାନ୍ତି, କିମ୍ୱା ପାଟଣାଗଡ଼ରେ ପ୍ରମୋଦ ଚୌଧୁରୀ ବୋଲି କେହି ଇଞ୍ଜିନିୟର ଅଛନ୍ତି ବୋଲି ଆମେ ଜାଣିନୁ ।

ରାତିରେ ବିଜୁଳି ଚାଲିଗଲା । କେତେବେଳେ ବିଜୁଳି ଚାଲିଯାଇଥିଲା, ସେ ଜାଣି ନ ଥିଲେ । ଗରମ ହେତୁ ତାଙ୍କର ନିଦ ଭାଙ୍ଗିଗଲା । ସେ ଉଠି, ପବନ ଟିକେ ଆସିବାକୁ ମଶାରୀ ଟେକିଦେଲେ ଏବଂ ଶୋଇବାକୁ ଚେଷ୍ଟା କଲେ । ମଶା ଘେରିଗଲେ କାନ ପାଖରେ ଗୁଣୁ ଗୁୁଣୁ ହେଲେ, ମୁହଁ ହାତରେ କାମୁଡ଼ିଲେ । ଦେବଦତ୍ତ ଉଠିଲେ, କବାଟ ଖୋଲିଲେ । ଧୀର ପବନ ବୋହୁଥିଲା, ବେଶ୍ ଆରାମ ଲାଗିଲା । ଆକଶରେ ତୋଫା ଜହ୍ନ, ରେଭେନ୍ୟୁ ବଙ୍ଗଳା ସାମ୍ନାରେ କୃଷ୍ଣଚୁଡ଼ା ଗଛ, ଗଛ ତଳେ ଛାପି ଛାପି ଆଲୁଅ ଅନ୍ଧାର । ଶାନ୍ତ, ଶୀତଳ, ନିର୍ଜନ ପରିବେଶ । ଜହ୍ନକୁ ଦେଖି ତାଙ୍କର ମନେପଡ଼ିଲା ସେଦିନ ପୂର୍ଣ୍ଣିମା । ଜହ୍ନଆଲୁଅ, ଥଣ୍ଡା ପବନ, ନିର୍ଜନ ପରିବେଶ ତାଙ୍କ ଦେହରେ ଶିହରଣ ଖେଳେଇ ଦେଲା । ତାଙ୍କୁ ଲାଗୁଥିଲା, ଅନେକ ବାଟ ପରେ, କୈଶୋର କିମ୍ୱା ଆଦ୍ୟ ଯୌବନ ପରଠୁ ସେ ଜହ୍ନ ଦେଖି ନାହାନ୍ତି, ଜହ୍ନ ଆଲୁଅରେ ଭିଜି ନାହାନ୍ତି; ଅନେକ ବର୍ଷ ପରେ ସେ ପ୍ରଥମଥର ପାଇଁ ଜହ୍ନ ଦେଖୁଛନ୍ତିି । ସେ ଜାଣନ୍ତି; ଅଳ୍ପ ଦୂରରେ, ବ୍ଲକ୍ ଅଫିସ୍‌ଠାରୁ କିଛି ଦୂରରେ ନଦୀ ଅଛି । ନଦୀର ନାମ ମାୟାବତୀ । ବିଜୁଳି ଆସୁ ନ ଥିଲା । ସେ ଚାଲିଚାଲି ନଦୀ ନିକଟରେ ପହଞ୍ଚି ଗଲେ । ପିଲାଦିନେ ଖରାବେଳେ ମା’ର ବାରଣ ସତ୍ତ୍ୱେ, ମା’ ଶୋଇ ପଡ଼ିଥିଲେ, ଯେମିତି ସେ ଚାଲି ଯାଉଥିଲେ ନଈକୂଳର ଆମ୍ୱତୋଟାକୁ ଏକ ସ୍ୱତନ୍ତ୍ର ଆକର୍ଷଣରେ, ସେମିତି ।

ଦେବଦତ୍ତ ସେତୁର ବାଡ଼ାରେ ହାତଭରା ଦେଇ ଛିଡ଼ା ହୋଇ ଚାହିଁ ରହିଥିଲେ ନଦୀର ଜଳଧାରାକୁ । ଜହ୍ନ ଆଲୁଅରେ ନଈପାଣି ଚିକ୍‌ଚିକ୍ କରୁଥିଲା, ନଈ ଅତଡ଼ାରେ କାଶତଣ୍ଡୀ ଫୁଲ ଝଟକୁଥିଲା । ସର୍ପିଳ ଗତିରେ ନଈ ମାଡ଼ିଯାଇଥିଲା ଆଗକୁ ଆଗକୁ । ସେତୁର କିଛି ଦୂରରେ ନଈ ଅତଡ଼ାରେ ଗୋଟିଏ ତାଳଗଛ, ପ୍ରହରୀ ପରି ଛିଡ଼ା ହୋଇଥିଲା । ସେତୁର ଶେଷକୁ ରାସ୍ତାକଡ଼ରେ ଆମ୍ୱ, ନିମ, ଜାମୁଗଛର ଧାଡ଼ି । ତାଙ୍କ ମନ ପରଦାକୁ ଭାସି ଆସୁଥିଲା ବହୁଦିନ ତଳେ ଛାଡ଼ି ଆସିଥିବା ଗୋଟିଏ ଗାଁର ଛବି । ଖୁବ୍ ପରିଚିତ, ଅତି ଆପଣାର ନଈପଠା, କାଶତଣ୍ଡୀ, ଜହ୍ନରାତି, ଆମ୍ୱତୋଟା ।

ଦେବ ଭାଇ ……

ଏକ ଅନ୍ତରଙ୍ଗ ସମ୍ଭୋଧନରେ ଚମକି ପଡ଼ିଲେ ଦେବଦତ୍ତ । ପଛକୁ ଚାହିଁ ଦେଖିଲେ ଜଣେ ଭଦ୍ର ମହିଳା । ଏତେ ରାତିରେ ଏକାକୀ ଜଣେ ଭଦ୍ର ମହିଳାଙ୍କୁ ନିର୍ଜନ ମାୟାବତୀ ନଦୀ ସେତୁ ଉପରେ ଦେଖି ସେ ବିସ୍ମିତ ହେଲେ ।

କ’ଣ ଚିହ୍ନି ପାରୁ ନାହଁ ? କାହିଁକି ବା ଚିହ୍ନିବ ? ତମେ ତ ଜଣେ ବଡ଼ ଅଫିସର, ଆମଭଳି ଇତର ଲୋକଙ୍କୁ ମନେ ରଖିବା କ’ଣ ସମ୍ଭବ ? ଅଭିମାନ ମିଶା ସ୍ୱରରେ କହୁଥିଲେ ଭଦ୍ର ମହିଳା ।

ତିନି ଚାରି ଫୁଟରେ ଛିଡ଼ା ହୋଇଥିଲେ । ସୁନ୍ଦର, ସମ୍ଭ୍ରାନ୍ତ ଚେହେରା, ଉଚ୍ଚକୂଳର ବୋହୂପରି ଦିଶୁଥିଲେ । ସାଦା ଶାଢ଼ୀଟିଏ ପିନ୍ଧିଥିଲେ, ତୋଫା ଜହ୍ନ ଆଲୁଅରେ ତାଙ୍କ ଚେହେରାରେ ଏକ ରକ୍ଷଣଶୀଳ ଗାମ୍ଭୀର୍ଯ୍ୟ ବାରି ହୋଇ ପଡୁଥିଲା । ଚକିତ ଅବସ୍ଥାରେ ସେ ଚାହିଁ ରହିଥିଲେ ଭଦ୍ର ମହିଳାଙ୍କୁ । ଭଦ୍ର ମହିଳାଙ୍କୁ କ’ଣ ଗୋଟେ କହିବା ଆବଶ୍ୟକ ମନେ କରି ସେ ପଚାରିଲେ, ତମେ ଏଠି କେତେବେଳେ ?

ଆମ ଘର ତ ଏଇଠି … ଆଙ୍ଗୁଳି ବଢ଼େଇ ଭଦ୍ରମହିଳା ଦେଖେଇ ଦେଲେ ରାସ୍ତା କଡ଼ରୁୁ ପ୍ରାୟ ଶହେ ମିଟର ଦୂରରେ ନଦୀକୂଳରେ ଅବସ୍ଥିତ ଏକ ଦୁଇ ମହଲା ବିଶିଷ୍ଟ ଘରକୁ । ଘର ସାମ୍ନାରେ ବଗିଚା, ବଗିଚା ଲମ୍ୱିଯାଇଛି ନଈ ଅତଡ଼ା ପର୍ଯ୍ୟନ୍ତ । ଏମିତିକା ଗୋଟିଏ ଘର କରିବାର ସ୍ୱପ୍ନ ଦେଖୁଥିଲେ ଦେବଦତ୍ତ । ସେତେବେଳେ ଅବଶ୍ୟ ଘର କରିବାର ବୟସ ତାଙ୍କର ହୋଇ ନ ଥିଲା । ନରଣପୁରରେ ତାଙ୍କ ବାପା ଚାକିରୀ କରୁଥିଲେ । ନରଣପୁର ହାଇସ୍କୁଲରେ ସେ ପଢୁଥିଲେ । ଚନ୍ଦ୍ରାନଦୀ କୂଳରେ ସେହି ଗାଁ । ନଦୀକୂଳରେ ସେ ବୁଲୁଥିଲେ, ଖେଳୁଥିଲେ । କଳ୍ପନା କରୁଥିଲେ, ନଈକୂଳରେ ଥିବା ଗୋଟିଏ ଘର, ଘର ସାମ୍ନାରେ ବଗିଚା, ବଗିଚା ଲମ୍ୱି ଯାଇଥିବ ନଈ ଅତଡ଼ାକୁ । ନଈ ପଠାରେ ଥିବ ଅରଖ, ବେଗୁନିଆ, ନଈ ଅତଡ଼ାରେ ବେଣା, କାଶତଣ୍ଡୀ ଏବଂ ତାଙ୍କ ବଗିଚାରୁ ସେହି ବେଣା, କାଶତଣ୍ଡୀ ଦେଇ ନଈ ଭିତରକୁ ଖସି ପଡ଼ିଥିବା ଅଙ୍କା ବଙ୍କା ଗୋଟିଏ ରାସ୍ତା । ସେହି ଘରେ ରହୁଥିବେ ସେ ଓ କବିତା ।

ଏବେ ସେ ଚିହ୍ନିପାରିଲେ ସେ ଭଦ୍ର ମହିଳାଙ୍କୁ , କବିତାଙ୍କୁ । ଅନେକ ବର୍ଷ ହୋଇଗଲାଣି । ତିରିଶ ବର୍ଷ । କବିତା ତାଙ୍କ ତଳ ଶ୍ରେଣୀରେ ପଢୁଥିଲେ, ଦୁହେଁ ବିଶ୍ୱନାଥ ସାର୍‌ଙ୍କ ପାଖରେ ଟିଉସନ୍ ପଢିବାକୁ ଯାଉଥିଲେ । ପୂର୍ବପରି ରହିଥିଲା ତାଙ୍କ କଥା କହିବା ଭାବଭଙ୍ଗୀ , ରଙ୍ଗଢଙ୍ଗ । ସ୍ପଷ୍ଟ ସ୍ୱର, ଡଗଡଗ କଥା । କବିତା କହି ଚାଲିଥିଲେ, ବିଜୁଳି ଚାଲିଯାଇଛି । ଘର ଭିତରେ ଗରମ, ମୁଁ ବାଲ୍କୋନିରେ ବସିଥିଲି । ନିଦ ହେଉ ନ ଥିଲା । ରାସ୍ତାରେ ତମେ ଆସିବାର ଦେଖି ମୁଁ ଓହ୍ଲାଇ ଆସିଲି ।

ତଥାପି ଚକିତ ଅବସ୍ଥାରୁ ଦେବଦତ୍ତ ମୁକ୍ତି ପାଇ ପାରୁ ନ ଥିଲେ । ଏତେ ବର୍ଷ ବ୍ୟବଧାନରେ, ପୁଣି ଏତେ ରାତିରେ କିପରି କବିତା ତାଙ୍କୁ ଚିହ୍ନିପାରିଲା, ଏକାଏକା ଚାଲିଆସି ତାଙ୍କୁ ସାମ୍ନା କରିପାରିଲା । କେମିତି ନିଶ୍ଚିତ ହୋଇପାରିଲା ଯେ ସେ ଦେବଦତ୍ତ । ଦେବଦତ୍ତ ନିରେଖି ଚାହୁଁଥିଲେ କବିତାଙ୍କୁ । ହଁ, କବିତା, ଅନ୍ୟ କେହି ନୁହଁ । ବଡ଼ବଡ଼ ଆଖି, ଗହଳ କେଶ, ଲମ୍ୱା ମୋଟାବେଣୀ, ଗୋଲ୍ ମୁହଁ । ସେତେବେଳେ ସେ ପତଳା ଥିଲା । ଏବେ ଚେହେରା ଲାଗିଯାଇଛି, ଡଉଲଡାଉଲ ହୋଇଯାଇଛି, କଟିରେ ମେଦ, ପୂରିଲା ପୂରିଲା ଗାଲ, କିନ୍ତୁ ମୁହଁରେ କିଶୋରୀର ହସ । ପଚାରିଲେ, ଏତେ ବର୍ଷ ବ୍ୟବଧାନରେ ତମେ କେମିତି ମୋତେ ଜାଣିପାରିଲ ?

କବିତା କହିଲେ ,ମୁଁ ଜାଣିଛି ତମେ ଗ୍ରସ୍ତରେ ଆସିଛ । ଆଜି ତମର ଖାପ୍ରାଖୋଲ ବ୍ଲକ୍ ଇନ୍ସପେକ୍ସନ୍ ଥିଲା, ଆସନ୍ତା କାଲି ପାଟଣାଗଡ଼ ବ୍ଲକ୍ ଇନ୍ସପେକ୍ସନ୍ ଅଛି । ତମେ ରେଭେନ୍ୟୁ ବଙ୍ଗଳାରେ ରହୁଛ ।

ତମେ ଏତେସବୁ କଥା କେମିତି ଜାଣିଲ ?

କ’ଣ ଜାଣିବାକୁ ମନା ? ମୋ ସ୍ୱାମୀ ପରା ଅଛନ୍ତି ଜୁନିୟର ଇଞ୍ଜିନିୟର ,ବ୍ଲକ୍‌ରେ ….

– ତାଙ୍କ ନାମ କ’ଣ ?

– ପ୍ରମୋଦ ଚୌଧୁରୀ ।

ଏବଂ ସେ କହି ଚାଲିଲେ, ଏତେ ରାତିରେ ଯେତେବେଳେ ବିଜୁଳି ଚାଲିଗଲା, ବହୁ ସମୟ ପରେ ବି ଆସିଲାନି, ମୋର ନିଦ ଭାଙ୍ଗିଗଲା, ଆଉ ନିଦ ହେଲାନି । ମୋତେ କାହିଁକି ଲାଗିଲା, ତମେ ବଙ୍ଗଳାରେ ଗରମରେ ଶୋଇ ପାରୁ ନ ଥିବ, ବୁଲିଆସିବ । ତା ଛଡ଼ା, ନଦୀ କୂଳ ପ୍ରତି ତମର ଆକର୍ଷଣ ଅନ୍ୟ କେହି ନ ଜାଣିଲେ ବି ମୋତେ ଜଣା, ଅନ୍ତତଃ ଯିଏ ତମର “ନଈପଠା ଓ କାଶତଣ୍ଡୀ” କବିତାଟି ପଢିଥିବ । ପୁରୁଣା ଶୁଖିଯାଇଥିବା ଘାଆକୁ ଉଖାରି ଦେଲେ ପୀଡ଼ା ହେଲାପରି ଦେବଦତ୍ତ ଯନ୍ତ୍ରଣା ଅନୁଭବ କଲେ । କିନ୍ତୁ ଖିଲିଖିଲି ହସୁଥିଲେ କବିତା, ଯେମିତି ପିଲାଦିନେ ଦିନେ ନଈକୂଳରେ ଗୋଡ଼ଖସି ସେ ପଡ଼ିଯାଇଥିଲେ, କବିତା ଖିଲିଖିଲି ହସିଥିଲା ।

ଦେବଦତ୍ତ ପଢୁଥିଲେ ଦଶମ ଶ୍ରେଣୀରେ, କବିତା ପଢୁଥିଲା ନବମରେ । ସାମ୍ନା ସାମ୍ନି ଦେଖା ହୋଇଗଲେ କବିତା ତଳକୁ ମୁହଁ କରି ଦେଉଥିଲା । ବିଶ୍ୱନାଥ ସାର୍‌ଙ୍କ ଘରକୁ ଦୁହେଁ ଟିଉସନ୍ ପଢିବାକୁ ଯାଉଥିଲେ । ବିଶ୍ୱନାଥ ସାର୍ ରହୁଥିଲେ ସ୍କୁଲ ପାଖରେ, ଦୁହିଁଙ୍କୁ ସାଙ୍ଗ ହୋଇ ଯିବାକୁ ପଡୁଥିଲା, ସାଙ୍ଗ ହୋଇ ଫେରୁଥିଲେ । କବିତାଙ୍କ ଘର ପାଖାପାଖି ଦେବଦତ୍ତଙ୍କ ବାପା ଘରଭଡ଼ା ନେଇ ରହୁଥିଲେ । ଖରାଦିନେ ସକାଳେ ସ୍କୁଲ, ଉପରବେଳାକୁ ଟିଉସନ୍ । ଦେବଦତ୍ତ କବିତା ଲେଖୁଥିଲେ ଏବଂ ତାଙ୍କ କବିତାଖାତା କାହାକୁ ଦେଖାଉ ନ ଥିଲେ । ଗୋଟିଏ କବିତା ସେହି ଖାତାରୁ ଉତାରି, ଦିନେ ଉପରବେଳା ଟିଉସନ୍ ପଢିସାରି ଫେରିଲା ବେଳକୁ କବିତାକୁ ଦେଇଥଲେ । କବିତାର ଶୀର୍ଷକ ଥିଲା “ନଈପଠା ଓ କାଶତଣ୍ଡୀ” ।

ସେଦିନ ରାତିରେ କବିତାର ବାପା ତାଙ୍କ ଘରେ ପହଞ୍ଚିଥିଲେ । ପାଟି କରିଥିଲେ । ଦେବଦତ୍ତଙ୍କ ବାପାଙ୍କୁ ଡାକି କହିଥିଲେ, ତମ ପୁଅ ମୋ ଝିଅ ନାଁରେ ଗୀତ ଲେଖି ତାକୁ ଦଉଛି । ମୁଁ ଭାବୁଥିଲି ପିଲାଟା ଭଲ, କିନ୍ତୁ ଛତରା ଟୋକାଟିଏ, ତାକୁ ଆକଟ କର, ନହେଲେ ଭଲ ହେବନି । ଦେବଦତ୍ତର ବାପା ତାକୁ ଦୁଇ ଥାପଡ଼ ସାମ୍ନାରେ କଷି ଦେଇଥିଲେ । ପରଦିନ ସ୍କୁଲରେ ହାଲ୍ଲା ହୋଇଯାଇଥିଲା, ଦେବ କବିତା ନାଁରେ ଗୀତ ଲେଖି ଚିଠି ଦେଇଥିଲା । କବିତାର ଭାଉଜ ଦେଖି ତା’ବାପାଙ୍କୁ କହିଦେଲେ, ଦେବ ଘରେ ମାଡ଼ ଖାଇଲା । ଦେବଦତ୍ତଙ୍କୁ ସ୍କୁଲ ଯିବାକୁ ଲାଜ ଲାଗିଥିଲା, କିଛିଦିନ ସ୍କୁଲ ଯାଇ ନ ଥିଲା, ବିଶ୍ୱନାଥ ସାର୍‌ଙ୍କ ପାଖରେ ଟିଉସନ୍ ପଢ଼ା ବି ବନ୍ଦ ହୋଇଯାଇଥିଲା ।

ସେହି ବର୍ଷ ତାଙ୍କ ବାପାଙ୍କର ବଦଳି ହୋଇଯାଇଥିଲା, ସେ ଅନ୍ୟ ଏକ ସ୍କୁଲରୁ ମେଟ୍ରିକ୍ ପରୀକ୍ଷା ଦେଇଥିଲେ । ପରେ କଲେଜରେ ପଢ଼ିଲେ, ଚାକିରୀ କଲେ, ନରଣପୁର, ତନ୍ଦ୍ରାନଦୀ କବିତା ସବୁ ପଛରେ ରହିଯାଇଥିଲେ । ସେହି ଘଟଣା ମନେ ପଡ଼ିଗଲେ ତାଙ୍କୁ ଲାଜ ଲାଗେ । ସେ ଅପମାନ ବୋଧ କରନ୍ତି । କବିତା ପଚାରିଲେ, ତମେ ହଠାତ୍ କାହିଁକି କବିତା ଲେଖା ବନ୍ଦ କରିଦେଲ ? କେତେ ସୁନ୍ଦର କବିତା ଲେଖୁଥିଲ, ମୋତେ ତମର କବିତା ସବୁ ପଢିବାକୁ ଭାରି ଭଲ ଲାଗୁଥିଲା ।

ଦେବଦତ୍ତ କହି ପକେଇଲେ, କବିତା ବହୁତ ସୁକୁମାରୀ, ସମସ୍ତଙ୍କ ପାଖରେ ସବୁବେଳେ ରହିପାରେନି, ଥରେ ଚାଲିଗଲେ ଫେରି ଆସେନି …..

କବିତା ଗମ୍ଭୀର ଦିଶିଲେ, କହିଲେ ତମେ ମୋତେ ଭୂଲ୍ ବୁଝିବନି । ତୁମର ସେହି ନଈପଠା, କାଶତଣ୍ଡୀ କବିତା ମୋତେ ବହୁତ ଭଲ ଲାଗୁଥିଲା, ସେଦିନ ଘରେ ମୁଁ ବାରମ୍ୱାର ପଢୁଥିଲି । ମୋ ନୂଆବୋଉ ଦେଖିଦେଲା, କ’ଣ ପଢୁଛି ପଚାରି ହାତରୁ ଛଡ଼େଇ ନେଇଗଲା । କବିତା ତଳେ ତମର ନାଁ ଲେଖା ହୋଇଥିଲା । ମୁଁ କହିଲି, ଏଇଟା ଦେବଭାଇ ଲେଖିଛନ୍ତି, କବିତାଟିଏ । ନୂଆବୋଉଟା ହିଂସିକି, ମୋର ତା’ର ପଡୁ ନ ଥିଲା, ସେ ମୋତେ ଭଲ ପାଉ ନ ଥିଲା । କହିଲା, ଏଇଟା ତ ଗୀତଟାଏ, ତମକୁ କାହିଁକି ଦେବ ଗୀତ ଲେଖି ଦେଉଛି । ବାପାଙ୍କୁ କହିଦେଲା, ବାପା ବି ପାଟି କଲେ, ମୋ ଉପରେ ଚିଡ଼ିଲେ, ତମତମ ହୋଇ ତମ ଘରକୁ ସେହି ରାତିରେ ଚାଲିଗଲେ । ତା’ପରେ ତ ତମର ଦେଖା ମିଳିଲାନି । କିଛିଦିନ ସ୍କୁଲକୁ ଆସିଲ ନାହିଁ । ବିଶ୍ୱନାଥ ସାର୍‌ଙ୍କ ପାଖକୁ ଟିଉସନ୍ ଯିବା ବନ୍ଦ୍ କରିଦେଲ । ପରେ ପରେ ତମର ବଦଳି ହୋଇଗଲା, କିନ୍ତୁ ଯୋଉ କେତେଦିନ ତମ ବାପାଙ୍କର ବଦଳି ହେବା ପୂର୍ବରୁ ସ୍କୁଲକୁ ଯାଉଥିଲ, ମୋତେ ଦେଖି ତମେ ବାଟକାଟି ଚାଲିଯାଉଥିଲ, ମୁହଁକୁ ଚାହୁଁ ନ ଥିଲ । ମୋର ବି ସାହସ ହେଲା ନାହିଁ, ତମକୁ ଡାକି କଥା ହେବାକୁ …..

ଦେବଦତ୍ତ କବିତା ଲେଖିବା ଚାଲୁ ରଖିଥିଲେ, ସେ ଘଟଣା ପରଠୁ କାହାକୁ ଦେଖାଇ ନଥିଲେ । କଲେଜରେ ପଢ଼ିଲାବେଳେ ତାଙ୍କର କବିତା ପତ୍ରପତ୍ରିକାରେ ପ୍ରକାଶ ପାଇଲା, ଗୋଟିଏ କବିତା ସଂକଳନ ବି ପ୍ରକାଶ ପାଇଥିଲା । ସେ ଚାକିରୀ କଲେ, ତାଙ୍କର ବିବାହ ହେଲା, ଘର କଲେ ଏବଂ ସଂସାର ଜଞ୍ଜାଳ ଭିତରେ କବିତା ହଜିଗଲା । ଦେବଦତ୍ତ କହିଲେ, ପିଲାଦିନ କଥା କ’ଣ କେହି ମନରେ ଧରି ରଖେ ? ସେତେବେଳେ ଅବଶ୍ୟ ଭୂଲ୍ ବୁଝି ନ ଥିଲି କହିଲେ ମିଛ କହିବି, କିନ୍ତୁ ସେ ତ ଅନେକ ବର୍ଷ ହୋଇଗଲାଣି ।

କବିତା ନିଜ ଘର ଆଡ଼କୁ ଚାହିଁଲେ । କେତେବେଳୁ ବିଜୁଳି ଆସି ସାରିଥିଲା ସେ ଲକ୍ଷ୍ୟ କରି ନ ଥିଲେ । କହିଲେ, ବିଜୁଳି ଆସିଗଲାଣି, ସେ ଉଠିଲେ ମତେ ନ ଦେଖି ବ୍ୟସ୍ତ ହେବେ ଏବଂ ଚାଲିଗଲେ, ଦେବଦତ୍ତ କବିତା ଚାଲିଯିବାକୁ ଦେଖୁଥିଲେ, ସେ କେମିତି କ୍ଷିପ୍ରଗତିରେ ଚାଲିଗଲେ, ସତେ ଯେପରି ପଦାକୁ ଆସିବା ଧରାପଡ଼ିଯିବ, ଜଣା ପଡ଼ିଗଲେ, ତାଙ୍କୁ କୈଫିୟତ୍ ଦେବାକୁ ପଡ଼ିବ । ଘରେ ଶାଶୂଶଶୁର ବି ଥାଇପାରନ୍ତି । ବୋହୂଟା ନଦୀକୂଳରେ ରାତିରେ ବୁଲୁଥିବା ଦେଖି ଯେ କେହି ଖରାପ ଭାବିବା ସ୍ୱାଭାବିକ ।

ଦେବଦତ୍ତ ଫେରି ଆସିଲେ ରେଭେନ୍ୟୁ ଡାକବଙ୍ଗଳାକୁ, ଫେରିଲାବେଳେ ତାଙ୍କୁ ହାଲ୍କା ହାଲ୍କା ଲାଗୁଥିଲା । ଅଥଚ ଅନ୍ତରରେ ଆଲୋଡ଼ନ ଅନୁଭବ କରୁଥିଲେ । କବିତା ଲେଖିବା ପୂର୍ବରୁ ଯେମିତି ମନଟା ଛଟପଟ ହୁଏ, ସେମିତି ଲାଗୁଥିଲା ।

ଦେବଦତ୍ତ ବିଶ୍ୱାସ କରିପାରୁ ନ ଥିଲେ । ଇନ୍ସପେକ୍ସନ୍ କାମ ସରିଯାଇଥିଲା, ମଧ୍ୟାହ୍ନ ଭୋଜନ ପରେ ସେ ବସି ଗପୁଥିଲେ । ସମସ୍ତେ କହୁଥିଲେ, ପ୍ରମୋଦ ଚୌଧୁରୀ ନାମରେ କେହି ବ୍ୟକ୍ତି ପାଟଣାଗଡ଼ରେ ଥିବାର ସେମାନେ ଜାଣି ନାହାନ୍ତି । କବିତା କହୁଥିଲେ, ସେ ବ୍ଲକ୍‌ରେ ଜୁନିୟର୍ ଇଞ୍ଜିନିୟର । କହୁଛନ୍ତି, ନଦୀକୂଳରେ କୋଠାଫୋଠା କିଛି ନାହିଁ । କିନ୍ତୁ ସେ ନିଜ ଆଖିରେ ଦେଖିଛନ୍ତି, ସେହି ଘରେ ଆଲୁଅ ଜଳୁଥିଲା, କବିତା ସହିତ କଥା ହୋଇଛନ୍ତି ଏବଂ କଥା ହେଲା ପରେ କବିତା ସେହି ଘରକୁ ଯିବାର ସେ ଦେଖିଛନ୍ତି । ଭାବୁଥିଲେ, ଯିବେ କି ଏବେ ଦିନବେଳେ ନିଜେ ଦେଖିଆସିବେ ଏମାନେ ସତ କହୁଛନ୍ତି କି ମିଛ ?

ଦେବଦତ୍ତଙ୍କର ସିଗାରେଟ୍ ସରିଯାଇଥିଲା । ବ୍ଲକ୍ର ବଡ଼ବାବୁ ସିଗାରେଟ୍ ପ୍ୟାକେଟ୍‌ଟିଏ ଧରି ପହଞ୍ଚିଲେ । ତାଙ୍କୁ ଦେଖି ବିଡିଓ କହିଲେ, ବଡ଼ବାବୁ ବହୁବର୍ଷ ହେଲା ଏଠି ଅଛନ୍ତି, ଏଠାକାର ବାସିନ୍ଦା । ସେ ଜାଣିଥାଇ ପାରନ୍ତି । ପଚାରିଲେ ବଡ଼ବାବୁ ପ୍ରମୋଦ ଚୌଧୁରୀ ନାମରେ କେହି ଜଣେ ଜୁନିୟର ଇଞ୍ଜିନିୟର ଏଠାରେ କେବେ ଥିଲେ, ଜାଣନ୍ତି ?

ବଡ଼ବାବୁ ଗପୁଡ଼ା ଲୋକ । ବନେଇ ଚୁନେଇ କହିବା ତାଙ୍କର ଅଭ୍ୟାସ । କହିଲେ, ଆଜ୍ଞା ସେ କଥା କ’ଣ କହିବି ? ସତର ଅଠର ବର୍ଷ ହୋଇଗଲାଣି ପ୍ରମୋଦ ଚୌଧୁରୀ ଏଠାକୁ ବଦଳି ହୋଇ ଆସିଥାନ୍ତି । ଭଡ଼ାଘର ଖୋଜୁଥାନ୍ତି । ଦୁଇ ତିନି ବର୍ଷ ତାଙ୍କର ବିବାହ ହୋଇଥାଏ, ପିଲାପିଲି ହୋଇ ନ ଥାନ୍ତି । ମୁଁ ସେତେବେଳେ ଧାର ଉଧାର କରି ଘର ଖଣ୍ଡିକ କରିଥିଲି । ମୋ ଘରର ଅଧା ତାଙ୍କୁ ଭଡ଼ାରେ ଦେଇଥିଲି ।

ଦେବଦତ୍ତ ଯୋଉ ପ୍ରମୋଦ ଚୌଧୁରୀ କଥା ପଚାରୁଛନ୍ତି, ବଡ଼ବାବୁ ତାଙ୍କରି କଥା କହୁଛନ୍ତି ତ ? ପଚାରିଲେ, ତାଙ୍କ ସ୍ତ୍ରୀଙ୍କ ନାମ କ’ଣ ଜାଣନ୍ତି ?

ହଁ, ଆଜ୍ଞା, କେମିତି ଜାଣିବିନି ? ଆମେ ଗୋଟିଏ ଘରେ ରହୁଥିଲୁ , ଗୋଟିଏ ପରିବାର ପରି ଚଳୁଥିଲୁ । ଚୌଧୁରୀବାବୁ, ତାଙ୍କ ସ୍ତ୍ରୀ ମୋତେ ଭାଇ ଓ ମୋ ସ୍ତ୍ରୀକୁ ଭାଉଜ ଡାକୁଥିଲେ । ତାଙ୍କ ସ୍ତ୍ରୀଙ୍କ ନାଁ କବିତା ।

ଦେବଦତ୍ତ ରହିଗଲେ, କିଛି କହିଲେନି । ସିଗାରେଟ୍ ଖଣ୍ଡେ ପକେଟ୍‌ରୁ ବାହାରକରି ଲଗେଇଲେ । ବଡ଼ବାବୁ କହିଚାଲିଲେ, ତାଙ୍କ ସ୍ତ୍ରୀ ଯେମିତି ସୁନ୍ଦର, ସେମିତି ଗୁଣର । କଥାପଦକରେ ଆପଣେଇ ନେବେ । କିନ୍ତୁ ଆଜ୍ଞା, ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଦିନେ ଝଗଡ଼ା ହେଲା । ଚୌଧୁରୀ ବାବୁ କୋଉଠୁ ଶୁଣିଲେ, ତାଙ୍କ ବିବାହ ପୂର୍ବରୁ ତାଙ୍କ ସ୍ତ୍ରୀ କାହାକୁ ଭଲ ପାଉଥିଲେ । ସେ କବିତା ଲେଖନ୍ତି, ତାଙ୍କ ସ୍ତ୍ରୀ ସେଥିପାଇଁ କବିତା ପଢ଼ିବାକୁ ଭଲ ପାଆନ୍ତି । ତାଙ୍କର ଗୋଟିଏ କବିତା ବହି ତାଙ୍କ ସ୍ତ୍ରୀଙ୍କ ପାଖରେ ଥିଲା ।

ଦେବଦତ୍ତଙ୍କ ଛାତିରେ ଛନକା ପଶିଲା । ସେ ପଚାରିଲେ, ସେ କବିଙ୍କ ନାମ କ’ଣ ଜାଣିଛ ? ଆଜ୍ଞା, ମୁଁ କବିତା ଫବିତା ପଢ଼େନି । ମୁଁ ଆଜ୍ଞା ଜାଣେନି । ସେ ବହି ବି ମୁଁ ଦେଖିନି । ଦିନେ କ’ଣ ହେଲା କି, ଚୋଧୁରୀ ବାବୁ ସେ କବିତା ବହିଟିକୁ ଚୁଲିରେ ପକେଇ ଦେଲେ । ଦୁହିଁଙ୍କ ଭିତରେ ପ୍ରବଳ ଝଗଡ଼ା ହେଲା । ଚୌଧୁରୀ ବାବୁ ହୁଏତ ବାହାରେ କୋଉଠି ଖାଇ ଦେଇଥିବେ, କିିନ୍ତୁ ତାଙ୍କ ସ୍ତ୍ରୀ ଦୁଇ ଦିନ ରୋଷେଇ କରି ନ ଥିଲେ କି ଖାଇ ନ ଥିଲେ । ମୋ ସ୍ତ୍ରୀ ଠାରୁ ଶୁଣିଲି । ମୁଁ କହିଲି, ଏ କି କଥା ? ଚୌଧୁରୀ ବାବୁ ଜଣେ ଶିକ୍ଷିତ ଲୋକ, ଅଫିସର୍ ହୋଇଛନ୍ତି । କୋଉ ଉଡ଼ାକଥାରୁ ଏତେ କାଣ୍ଡ କରିଛନ୍ତି ? ସେମିତି ଆମ ସାଙ୍ଗସାଥୀ, ଚିହ୍ନା ପରିଚିତଙ୍କ ଭିତରୁ ଯଦି କେହି ବହି ଲେଖୁଥାଏ, ଆମର କ’ଣ ପଢିବାକୁ ଇଚ୍ଛା ହେବନି, ବହିଟି ଯତ୍ନରେ ରଖିବାକୁ ମନ କରିବନି ? ଏମିତି ସ୍ୱାମୀସ୍ତ୍ରୀଙ୍କ କଥାରେ ଆମେ ତ କିଛି କହିପାରିବାନି । ମୋ ସ୍ତ୍ରୀ ଦୁହିଁଙ୍କୁ ବୁଝେଇଲେ, ନିଜେ ରୋଷେଇ କରି ସ୍ୱାମୀସ୍ତ୍ରୀଙ୍କୁ ଡାକି ଘରେ ଖୁଆଇଲେ ।

ବଡ଼ବାବୁ ବାହାରକୁ ଗଲେ, ପାନଛେପ ପକାଇ ଗଳା ସଫା କରି ଆସି କହିଲେ, ଆଜ୍ଞା, ସେଦିନ ଥିଲା ପୂର୍ଣ୍ଣମୀ, କୁମାର ପୂର୍ଣ୍ଣମୀ । ତୋଫା ଜହ୍ନ ପଡ଼ିଥାଏ । ମୁଁ ଖଣ୍ଡିଏ ଚୌକି ପକେଇ ବାରଣ୍ଡାରେ ବସିଥାଏ । ଚୌଧୁରୀ ବାବୁ ରାଜ୍‌ଦୂତ୍ ଗାଡ଼ି ବାହାର କଲେ, ତାଙ୍କ ସ୍ତ୍ରୀ ବି ବାହାରିଲେ । ମୋତେ ଖୁସି ଲାଗିଲା । ଯାହାହେଉ, ତାଙ୍କର ମିଳାମିଶା ହୋଇଗଲା । ଦୁହେଁ ଗାଡ଼ି ବାହାର କଲେ । ଆଜ୍ଞା ଅଧଘଣ୍ଟାଏ ହୋଇନି, ଖବର ଆସିଲା । ଚୌଧୁରୀ ବାବୁଙ୍କର ଆକ୍ସିଡେଣ୍ଟ୍ ହୋଇଯାଇଛି । ମୁଁ ଦୌଡ଼ିଗଲି, ଆକ୍ସିଡେଣ୍ଟ୍ ଜାଗାରେ ପହଞ୍ଚିଗଲା ବେଳକୁ କିଛି ଲୋକ ବି ଜମି ଯାଇଥିଲେ । ଚୌଧୁରୀ ବାବୁଙ୍କର ସ୍ପଟ୍ ଡେଥ୍, ତାଙ୍କ ସ୍ତ୍ରୀଙ୍କର ଡାକ୍ତରଖାନାରେ ମୃତ୍ୟୁ ହେଲା । ଗୋଟିଏ ଟ୍ରକ୍ ସହିତ ତାଙ୍କ ମୋଟର ସାଇକେଲ୍‌ର ମୁହାଁମୁହିଁ ଧକ୍କା, ମାୟାବତୀ ସେତୁୁ ପାଖରେ …..

ଚମକି ପଡ଼ିଲେ ଦେବଦତ୍ତ । ତେବେ ସେ ଯାହାକୁ ଗତକାଲି ଦେଖିଲେ ସେ କିଏ, କବିତା ନୁହଁ, ଅଶରୀର ? ଯାହାସବୁ ଦେଖିଲେ, କଥାବାର୍ତ୍ତା କଲେ ସେ ସବୁ କ’ଣ ମିଛ ? ସେ କ’ଣ ବାହାରକୁ ଯାଇ ନ ଥିଲେ, ସ୍ୱପ୍ନ ଦେଖୁଥିଲେ ? ତାଙ୍କ ମୁଣ୍ଡ ଘୂରେଇ ଦେଲା ମଥାରେ ହେମନ୍ତର କାକର ବିନ୍ଦୁ ଝାଳ ପରି ବାହାରି ଆସିଲା । ଆଖିକୁ ସବୁ ଅନ୍ଧାର ଦିଶିଲା, ଶୋଷ ଲାଗିଲା । ସେ ପାଟି ଖୋଲି ପାଣି ଦେବାକୁ କହିପାରିଲେ ନାହିଁ, ପାଣି ଦେବାକୁ ହାତରେ ଠାରି ଦେଲେ । ଠିଆ ହୋଇଥିବା ବ୍ଲକ୍‌ର ଜଣେ କର୍ମଚାରୀ ଶୁଣୁଥିଲା । ସେ ପାଣି ଗ୍ଲାସେ ଆଣି ଦେଲା । ଦେବଦତ୍ତ ପାଣି ପିଇଲେ, ରୁମାଲରେ ମୁହଁ ମୁଣ୍ଡ ପୋଛିଲେ । ଆଉ ଖଣ୍ଡେ ସିଗାରେଟ୍ ଲଗାଇଲେ । ବଡ଼ବାବୁ କହି ଚାଲିଥିଲେ, ଆଜ୍ଞା ସେମିତି ଜାଗାରେ ଆକ୍ସିଡେଣ୍ଟ୍ ହେବା କଥା ନୁହେଁ । ସେତିକିବେଳେ ଜଣେ ଦି’ଜଣ ନଦୀକୂଳକୁୁ ପୋଖରୀପାଣି ଯାଇଥିଲେ, ସେମାନେ ଦେଖିଛନ୍ତି । କହୁଥିଲେ, ଭୁଲ୍ ଥିଲା ଚୌଧୁରୀ ବାବୁଙ୍କର, ସେ ଟ୍ରକ୍ ଆଡ଼କୁ ମାଡ଼ିଗଲେ । ସତେ ଯେମିତି ଆତ୍ମହତ୍ୟା କରିବାକୁ ଚାହୁଁଥିଲେ । ମୋ ସ୍ତ୍ରୀ ବି ସେହିକଥା କହିଲା, ଚୌଧୁରୀବାବୁ ତାହା ହିଁ କରିଥାଇ ପାରନ୍ତି ।

କିଛି ମୁହୂର୍ତ୍ତ କଟିଗଲା । ଦେବଦତ୍ତ ନୀରବରେ ସିଗାରେଟ୍ ଟାଣୁଥିଲେ । ସେ ପ୍ରକୃତିସ୍ଥ ହେଲେ ଏବଂ କହିଲେ, ରାତିରେ ବିଜୁଳି ଚାଲିଗଲା । ନିଦ ଭାଙ୍ଗିଗଲା, ନିଦ ହେଲାନିି । ମୁଁ ବାହାରେ ବୁଲୁଥିଲି । ମାୟାବତୀ ସେତୁ ଆଡ଼କୁ ବୁଲିଯାଇଥିଲି । ମୋତେ ଲାଗିଲା ନଦୀକୂଳରେ ଗୋଟିଏ ଦୋମହଲା ଘର ଅଛି ଏବଂ ଜଣେ ଭଦ୍ରମହିଳା ସେହି ଘର ଭିତରକୁ ପଶିଲେ …..

ଆଜ୍ଞା ହଁ । ଅନେକ ଲୋକ ଦେଖିଥିବାର କହନ୍ତି । ଜହ୍ନରାତିରେ ଜଣେ ସୁନ୍ଦରୀ ନାରୀ ମାୟାବତୀ ସେତୁ ପାଖରେ ବୁଲୁଥାଏ । ବଡ଼ବାବୁ କହିଲେ, ଅନ୍ୟ ଜଣେ କର୍ମଚାରୀ ତାଙ୍କୁ ସମର୍ଥନ କଲା ।

ଦେବଦତ୍ତଙ୍କର ପାଟଣାଗଡ଼ରେ କାମ ସରିଯାଇଥିଲା । ସେ ଫେରିବାକୁ ପ୍ରସ୍ତୁତ ହେଲେ । ବିଡିଓ କହିଲେ, ସାର୍, ଆପଣ ଆଗରୁ କବିତା ଲେଖୁଥିଲେ, ମୁଁ କଲେଜରେ ପଢୁଥିଲାବେଳେ ଆପଣଙ୍କ କବିତା ପଢିଛି । କାହିଁକି ଲେଖା ବନ୍ଦ କରିଦେଲେ, ଏବେ ଲେଖୁ ନାହାନ୍ତି ?

ଅନେକ ଦିନରୁ କବିତା ମୋତେ ଛାଡ଼ି ଦେଇଛି, ମୋ ଭିତରେ ଥିବା କବିର ମୃତ୍ୟୁ ହୋଇସାରିଛି । ଆଉ ଲେଖିବା ସମ୍ଭବ ନୁହେଁ, ଦେବଦତ୍ତ ଉତ୍ତର ଦେଲେ ।

ଲୋକପ୍ରିୟ ଲେଖା

To Top