ଗଳ୍ପ

ଜଣେ ବୟସ୍କ ବାଳକର ପ୍ରେମ କାହାଣୀ

Dr Bibhuti Pattanaik's odia story Jane Bayaska Baalakara Prema Kaahaani

ତାହା ହେଲେ ରେଳ ଷ୍ଟେସନକୁ ନେଇ ଚାଲ । ସେ ଲୋକଟା ସହିତ ଦେଖାହେବ । ସେ ଆଉ ବାକିରେ ଟାବଲେଟ ଦେବାକୁ ରାଜୀନୁହେଁ – ଆଜି ମୋ ପାଖରେ ଟଙ୍କା ଅଛି

ଜଣେ ବୟସ୍କ ବାଳକ ର ପ୍ରେମ କାହାଣୀ

ପ୍ରଥମେ ଖବରଟା ବିଶ୍ୱାସ କରିପାରି ନ ଥିଲା ଜୟନ୍ତୀ ।

ସଞ୍ଜୟ ରେଳଷ୍ଟେସନ୍‌ରେ ଜଣେ ଯାତ୍ରୀର ପକେଟରୁ ପର୍ସ ନେଇ ପଳାଇଲାବେଳେ ରେଳବାଇ ପୋଲିସ ହାତରେ ଧରା ପଡିଛି । ଆଜି ତାକୁ ହାଜତରେ ରଖାଯାଇଛି କାଲି କୋଟରେ ହାଜର କରାଯିବ ।

ଖଡ଼ଗପୁର ଆଇ.ଆଇ.ଟି.ର ଥାର୍ଡ଼ ଇୟର ଇଞ୍ଜିନିଅରିଂ ଛାତ୍ର ସଞ୍ଜୟ । କ୍ୟାମ୍ପସ ଛାଡି ପାଞ୍ଚ କିଲୋମିଟର ଦୂର ଖଡ଼ଗପୁର ରେଳ ଷ୍ଟେସନ୍‌ ସେ ଆସିଥିଲା କାହିଁକି ?

ଜଏଣ୍ଟ ଏଣ୍ଟ୍ରାନ୍ସରେ ଖୁବ ଭଲ ପୋଜିସନ୍‌ ରଖିଥିଲା ବୋଲି ଖଡ଼ଗପୁର ଆଇ.ଆଇ.ଟି.ରେ ତାକୁ ସ୍ଥାନ ମିଳି ଯାଇଥିଲା । ସ୍ୱାମୀଙ୍କ ଇଚ୍ଛା ବିରୋଧରେ ହିଁ ଜୟନ୍ତୀ ପୁଅକୁ ଓଡ଼ିଶାର କୌଣସି ଇଞ୍ଜିନିଅରିଂ କଲେଜରେ ନ ପଢାଇ ଖଡ଼ଗପୁର ପଠାଇଥିଲେ । ଗତ ତିନି ବର୍ଷରେ ଇନ୍‌ଷ୍ଟିଚ୍ୟୁଟ୍‌ରେ ତାର ପର୍‌ଫର୍‌ମାନ୍ସ ଥିଲା ଆଶାତୀତ ଭଲ । ଇଂଜିନିୟରିଂ ଶେଷ କଲା ପରେ ତାକୁ ଏମ.ବି.ଏ. ଲାଗି ଆମେରିକା ପଠାଇବାକୁ ସେମାନେ ମନସ୍ଥିର କରି ସାରିଥିଲେ ।

ଖଡ଼ଗପୁର ରେଳବାଇ ପୋଲିସ ସଞ୍ଜୟ ଠାରୁ ଘରର ଟେଲିଫୋନ୍ ନମ୍ବର ନେଇ ତାକୁ ଫୋନ୍ କଲାବେଳେ ଜୟନ୍ତୀ ପ୍ରଥମେ ବିଶ୍ୱାସ କରିପାରିନଥିଲେ ।

ପ୍ରତିବାଦ କରିଥିଲା -ଅସମ୍ଭବ ! ମୋ ପୁଅ ସଞ୍ଜୟ ବିଶ୍ୱାଳକୁ ଆପଣମାନେ ମିଛ ଅଭିଯୋଗରେ ଗିରଫ କରିଛନ୍ତି । ସେ ଖଡ଼ଗପୁର ଆଇ.ଆଇ.ଟି.ର କୃତି ଛାତ୍ର । ହୁଏତ ତାର କୌଣସି ସହପାଠୀକୁ ଟ୍ରେନ୍‌ରେ ବସାଇ ଦେବାକୁ ଷ୍ଟେସନ୍‌ ଆସିଥିଲା । ତା ବାପା ଜଣେ ଆଇ.ଏ.ଏସ. ଅଫିସର । ମୁଁ କଲେଜର ଅଧ୍ୟାପିକା । ମୋ ପୁଅ କେଉଁ ଦୁଃଖରେ ରେଳଯାତ୍ରୀଙ୍କ ପକେଟରୁ ପର୍ସ ନେଇ ପଳାଇବ ?

ରେଳବାଇ ଥାନା ଓ.ସି . ପ୍ରଥମେ ହିନ୍ଦୀ ଓ ପରେ ଇଂରାଜୀରେ କହିଲେ – ଠିକ୍‌ ଅଛି, ଆମେ ଆପଣଙ୍କୁ ଯଥାବିଧି ସୂଚନା ଦେଲୁ । ଆପଣ ଯାହା କହିବା କଥା କାଲି କୋର୍ଟରେ କହିବେ ।

ତା ପରେ କଣ୍ଠସ୍ୱର ଯଥା ସମ୍ଭବ କୋମଳ କରି ବଙ୍ଗଳାରେ ବୁଝାଇଲେ – ଅପ୍ରିୟ ହେଲେ ବି ସତ୍ୟ, ରେଳବାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନ ଥିଲେ, ଯାତ୍ରୀମାନେ ପୁଅର ଦେହ ଦରଜ କରି ଦେଇଥାଆନ୍ତେ । ନାବାଳକ ଅପରାଧୀ ହୋଇଥିଲେ ଆମେ ମଧ୍ୟ ତାଙ୍କୁ ମୃଦୁ ଗାଳି ଦେଇ ଛାଡି ଦେଇଥାଆନ୍ତୁ । କିନ୍ତୁ ସଞ୍ଜୟ ବିଶ୍ୱାଳଙ୍କ ନିଜ ସ୍ଵିକାରୋକ୍ତି ଅନୁସାରେ ତାଙ୍କର ବୟସ ଉଣେଇଶି ।

ଜୟନ୍ତୀ ହାତରୁ ରିସିଭର୍‌ଟା ଖସି ପଡିଲା । ଆତଙ୍କର ଏକ ହିମ ଶୀତଳ ଶିହରଣ ତାଙ୍କର ତାଳୁରୁ ତଳିପା ଯାଏ ସଂଚାରିତ ହୋଇଗଲା । ସେକ୍ରେଟେରୀଏଟକୁ ମୋବାଇଲ୍‌ରେ ସ୍ୱାମୀଙ୍କୁ ପୁଅର ଅପରାଧ ସମ୍ପକରେ ଖବରଟା ପହଞ୍ଚାଇ ଦେଇ ସାରିଲା ପରେ ଆଖି ବିନ୍ଦୁ ବିନ୍ଦୁ ଲୁହରେ ଅନ୍ଧ ହୋଇଗଲା ।

ପ୍ରଥମେ ପ୍ରଥମେ ଉଇକ ଏଣ୍ଡରେ ସେମାନେ ଏ ଷ୍ଟେସନ୍‌କୁ ଆସୁଥିଲେ । କ୍ୟାମ୍ପସ୍‌ର ଧୈର୍ଯ୍ୟହୀନ ଶୀତଲତା ମଧ୍ୟରେ ତୃଣ ଶ୍ୱାସରୋଧର ଯନ୍ତ୍ରଣା ଅନୁଭବ କଲେ ତା ପାଦତଳେ ଆଣ୍ଠୁ ମାଡି ବସି ପ୍ରାଥନା କରେ -ମତେ ତମେ ଏଠାରୁ ଶୀଘ୍ର ନେଇଯାଅ । କ୍ଲାସରୁମ୍‌ ଲେକ୍‌ଚର , ସେମିନାର , ୱାର୍କସର -ପ୍ରୋଜେକ୍ଟ -ଆଃ , ମୋର ନିଶ୍ୱାସ ବନ୍ଦ ହୋଇଯିବ ସଞ୍ଜୟ !

ମୋର ପୃଥିବି ଅତି ଛୋଟ । ମତେ ହଷ୍ଟେଲ , କ୍ୟାମ୍ପସ ଛାଡି ଅନ୍ୟତ୍ର ଯିବାକୁ ମନା ମୋ ଗୋଡ଼ରେ କର୍ତ୍ତବ୍ୟର ଶିକୁଳି ବନ୍ଧା ହୋଇଛି । ମୁ ନିଜେ ଜଣେ ବନ୍ଦୀ ଯାଯାବର । ତମକୁ ଅମ୍ଳଜାନ ଦେବାପାଇଁ ମୁଁ ଅଲଗା ଜାଗା କୋଉଠୁଁ ଖୋଜି ପାଇବି ?

ରାଗ କିମ୍ବା ଅଭିମାନରେ ନୁହେଁ ; ତୀବ୍ର ବ୍ୟାକୁଳତାରେ ଆଖି ଡୋଳାରେ ପାର୍ଥନା ର ମୁଦ୍ରା ଅଙ୍କନ କରି ତୃଣା କହେ –

– ତାହା ହେଲେ ରେଳ ଷ୍ଟେସନକୁ ନେଇ ଚାଲ । ସେ ଲୋକଟା ସହିତ ଦେଖାହେବ । ସେ ଆଉ ବାକିରେ ଟାବଲେଟ ଦେବାକୁ ରାଜୀନୁହେଁ – ଆଜି ମୋ ପାଖରେ ଟଙ୍କା ଅଛି –

ତମେ ଏ ଡ୍ରଗ୍ସ ନିଶା ଛାଡ଼ । ତା ନ ହେଲେ –

ତା ନ ହେଲେ ତମେ ମୋ ସହିତ ବନ୍ଧୁତ୍ୱରେ ପୂର୍ଣ୍ଣଛେଦ ଟାଣିଦେବ । ତମେ ମତେ ଛାଡି ଚାଲିଯିବ । ଏଇଆତ ! ଓକେ ମୁଁ ଚାଲିଲି ।

ତାକୁ ତା ବାଟରେ ଚାଲିଯିବାକୁ ଛାଡ଼ିଦେବା ଉଚିତ ଥିଲା । କିନ୍ତୁ ସେ ଯେତେବେଳେ ଟଳ ମଟଳ ପାଦରେ ଲେଡ଼ିଜ ହଷ୍ଟେଲ ବିପରୀତ ଦିଗରେ ଚାଲିବାକୁ ଆରମ୍ଭ କଲା , ସଞ୍ଜୟର ଛାତି ଭିତରେ ଏକ ଶୂନ୍ୟତାର ହାହାକାର ଖଣ୍ଡିଆଭୂତ ଭଳି ଧୂଳି ଉଡ଼ାଇବାକୁ ଲାଗିଲା ।

ତୃଣା ଗୁପ୍ତା ଏକ ଉଜୁଡା ଉଦ୍ୟାନର ବୃନ୍ତଚ୍ୟୁତ ଫୁଲ । ସେ ଫୁଲରେ ଏଲ.ଏସ୍‌.ଡି. ର ବାସ୍ନା । ମାଆ ତାର ଡିଭୋର୍ସ ମହିଳା । ବିବାହ ବିଛେଦ ପରେ ତାର ଚଳଚ୍ଚିତ୍ର ପ୍ରଯୋଜକ ପିତା ବାହା ନ ହୋଇ ମଧ୍ୟ ଆଉ ଜଣେ ଚିତ୍ର ଅଭିନେତ୍ରୀଙ୍କୁ ପାଖରେ ରଖିଛନ୍ତି । ପଶ୍ଚିମବଙ୍ଗ ଉଚ୍ଚ ମାଧ୍ୟମିକ ପରୀକ୍ଷାରେ ଶ୍ରେଷ୍ଠ କୋଡିଏ ଜଣଙ୍କ ମଧ୍ୟରେ ତାର ନାମ ଥିଲା ବୋଲି ସେ ତାକୁ ଖଡ଼ଗପୁର ଆଇ. ଆଇ. ଟି. ରେ ଭର୍ତ୍ତି କରି ଦେଇଛନ୍ତି । ତାର ହଷ୍ଟେଲ ଖର୍ଚ୍ଚ , ପଢା ଖର୍ଚ୍ଚ ସେ ଗୋଟିଏ ସର୍ତ୍ତରେ ବହନ କରୁଛନ୍ତୁ -ସର୍ତ୍ତଟି ହେଲା ସେ ତାର ଜନନୀଙ୍କ ସହିତ କୌଣସି ସମ୍ପର୍କ ରଖିବ ନାହିଁ । ଯେଉଁ ଦିନ ସେ ଏ ସର୍ତ୍ତ ଭଙ୍ଗ କରିବ, ସେ ସେଇଦିନୁ ତାର ସମସ୍ତ ଖର୍ଚ୍ଚ ପଠାଇବା ବନ୍ଦ କରିଦେବେ ।

ତୃଣା ବାବା, ମାଆଙ୍କ ଗୃହ ଯୁଦ୍ଧ ମଧ୍ୟରେ ପେଷି ହୋଇ ଏକ ଛିନ୍ନ – ମୂଳ ପାଷାଣ ପ୍ରତିମାରେ ପରିଣତ ହୋଇଯାଇଛି । ମାଆ ଫୋନ୍ କଲେବି ସେ କଥା ନ କହି କାଟି ଦେଉଛି । ଛୁଟିରେ ସବୁ ଛାତ୍ରଛାତ୍ରୀ ନିଜ ଘରକୁ ଗଲାବେଳେ ସେ ତାର ବାପାଙ୍କ ଘରକୁ ଯିବାପାଇଁ ଘୃଣା କରିଛି । ଯେଉଁଠି ତାର ମାଆ ନାହିଁ , ସେଇଟା ତାର ଘର ନୁହେଁ । ସେ ଘରେ ପାଦ ରଖିବାକୁ ତାର ଆକଣ୍ଠ ଘୃଣା । ନିଜ ପ୍ରତି ଏଇ ଘୃଣା ଭାବହିଁ ତାକୁ ଡ୍ରଗ୍ସ ଆଡିକ୍ଟ କରିଦେଇଛି । ଘରୁ ତା ବାବା ଯେତିକି ଟଙ୍କା ପଠାନ୍ତି , ସେଇଟା ତାର ଇନଷ୍ଟିଚୁୟଟ ଏବଂ ହଷ୍ଟେଲ ଖର୍ଚ୍ଚ ପାଇଁ ଯଥେଷ୍ଟ , କିନ୍ତୁ ଡ୍ରଗସ କିଣିବା ଲାଗି ନିଅଣ୍ଟ ।

ତୃଣା ଯେ ଡ୍ରଗସ ନେଉଛି, ଏ କଥା ସଞ୍ଜୟ ଗତ ବର୍ଷ ହିଁ ଜାଣିଲା । ପାଠପଢ଼ାରେ ତୃଣା ଖୁବ ସିନସିୟର । ପରୀକ୍ଷାରେ ମଧ୍ୟ ତାର ପରଫମାନ୍ସ ଖୁବ ଭଲ । କିନ୍ତୁ ସେକେଣ୍ଡ ଇୟର ଶେଷ ଆଡକୁ ହଠାତ ତାର ସ୍ୱାସ୍ଥ୍ୟରେ କଳଙ୍କି ଲାଗିଗଲା ଭଳି ମନେ ହେଲା । ସେ ଖୁବ କମ କଥାବାର୍ତ୍ତା କରେ । ଏକ ଲୟରେ ଅନେକ ସମୟ ଧରି ଚାହିଁ ରହିଥାଏ ।

ଇନଷ୍ଟିଚ୍ୟୁଟ୍‌ର କ୍ଲାସ ଶେଷରେ ସେ ହଷ୍ଟେଲକୁ ନ ଯାଇ କୃପାଣ ସିଂ ସାଙ୍ଗରେ କ୍ୟାମ୍ପସ ବାହାରକୁ ଚାଲିଯାଏ ।

କୃପାଣ ଛାତ୍ର ନୁହେଁ , ଇନଷ୍ଟିଚ୍ୟୁଟ୍‌ର ଇନଷ୍ଟ୍ରକ୍ଟର । ତା ସହିତ ତୃଣାର କିପରି ସମ୍ପର୍କ ନିବିଡ଼ ହୋଇଗଲା , ସଞ୍ଜୟ ଯାଣେ ନାହିଁ । କିନ୍ତୁ କ୍ୟାମ୍ପସରେ ମୃଦୁ ଗୁଞ୍ଜନ କୃପାଣ ସିଂ ହିଁ ତାକୁ ନିଷିଦ୍ଧ ନିଶାର ଅନ୍ଧକାର ଜଗତକୁ ହାତ ଧରି ଟାଣି ନେଉଥିଲା । ପ୍ରଥମେ ନିଶା ପାଉଡର ଏବଂ ଟ୍ୟାବ୍‌ଲେଟ ନିଜ ଟଙ୍କାରେ ସେ ତୃଣାକୁ କିଣି ଦେଉଥିଲା , ପରେ ତୃଣା ନିଶାଗ୍ରସ୍ତ ହୋଇଗଲାପରେ ନିଜ ଟଙ୍କାରେ ତାକୁ ନିଶାର ବିଷ ବଟିକା କିଣିବାକୁ ହେଲା । ଏମିତି ସମୟ ଆସିଲା , ନିଶା ପାଉଡର ପୁଡିଆ କିଣିବା ପାଇଁ ତାକୁ ଅନ୍ୟ ପାଖରେ ଭିକ୍ଷା କରିବା ପାଇଁ ପଡିଲା ।

ଥରେ ହଷ୍ଟେଲରୁ ବାହାରି କୃପାଣ ସିଂ ର ଗାଡ଼ିରେ ଉଠିବାକୁ ଗଲାବେଳେ ସଞ୍ଜୟ ସାମ୍ନାରେ ପଡିଗଲା ତୃଣା । କେଜାଣି କାହିଁକି ତାକୁ ଦେଖି କୃପାଣ ସିଂ ର ଗାଡି ରେ ଯିବା ପାଇଁ ସେ ମନା କରିଦେଲା ।

ସଞ୍ଜୟ ଆଡକୁ ଏକ କୃଦ୍ଧ ଦୃଷ୍ଟି ନିକ୍ଷେପ କରି କୃପାଣ ସିଂ ଗାଡି ନେଇ ଚାଲିଗଲା ପରେ ତୃଣା ତା ପାଖକୁ ଚାଲି ଚାଲି ଆସିଲା ।

ତମେ ମତେ ଏକ ଅବଶ୍ୟମ୍ଭାବୀ ବିପଦରୁ ବଞ୍ଚାଇ ଦେଲ । କୃପାଣ ସିଂ ପାଖରେ ମୋର ପ୍ରାୟ ପନ୍ଦର ହଜାର ଟଙ୍କା ଧାର ହୋଇଯାଇଛି । ସେ ଧାର ଟଙ୍କା ପରିଶୋଧ କରିବା ପାଇଁ ସେ ମତେ ସହର ବାହାରକୁ ନେଇଯିବା ଲାଗି ଆସିଥିଲା । ତାର ଯେଉଁ ବନ୍ଧୁ ଧାର ଟଙ୍କା ଦେବେ , ତାଙ୍କ ସହିତ ମୋର ଆଜି ରାତ୍ରି ଯାପନ କରିବାର ଥିଲା ।

ତା ପରେ ଆଉ ତା ମୁହଁକୁ ନ ଚାହିଁ ସେ ଧୀରେ ଧୀରେ ମନ୍ଥର ଗତିରେ ତାର ହଷ୍ଟେଲ୍‌କୁ ଫେରିଗଲା । ତାକୁ ପଛରୁ ଡାକିବା ପାଇଁ ଇଚ୍ଛା ଥିଲେ ମଧ୍ୟ ସଞ୍ଜୟ ପାଟିରୁ କଥା ବାହାରି ନ ଥିଲା ।

ସେଦିନ ରାତିରେ ଯେତେ ଚେଷ୍ଟା କଲେ ମଧ୍ୟ ତା ଆଖିକୁ ନିଦ ଆସିଲା ନାହିଁ । ତୃଣା ସହିତ ତାର ଏପରି କିଛି ଘନିଷ୍ଠତା ନାହିଁ , ଯେଉଁ ବନ୍ଧୁତ୍ୱ ଉପରେ ଭରଷା ରଖି ସେ କୃପାଣ ସିଂ ର ଋଣ ପରିଶୋଧ କରିବା ପାଇଁ ତା ସହିତ ଗାଡ଼ିରେ ନ ଯାଇ ହଷ୍ଟେଲ୍‌କୁ ଫେରିଯିବ ।

ଏମିତି ଅବା କେତେ ଦିନ ଋଣଗ୍ରସ୍ତ ତୃଣାଗୁପ୍ତା କୃପାଣ ସିଂ ଗାଡ଼ିରେ ନ ଉଠି ନିଜ ଦେହକୁ ପବିତ୍ର କରି ରଖିପାରିବ ?

ତା ଆରଦିନ ଇନଷ୍ଟିଚୁୟଟରେ ଦେଖାହେବ ମାତ୍ରେ ମୃଦୁ ହସି ତୃଣା ବାଟ କାଟି ଚଳିଯାଉଥିଲା । ତୃଣା ! ମୋ କଥା ଶୁଣ ।

ତୃଣା ତା ପାଖକୁ ନ ଆସି ଯେଉଁଠି ଥିଲା , ସେହିଠାରେ ଠିଆ ହୋଇ ରହିଲା । ତା ପାଖକୁ ଚାଲି ଚାଲି ଯାଇ ତା ଆଡକୁ ଗୋଟାଏ ବନ୍ଦ ଲଫାପା ବଢ଼ାଇ ଦେଲା ସଞ୍ଜୟ ।

ଏଇଟା କଣ ? ପ୍ରେମପତ୍ର ?

ନା – ପନ୍ଦର ହଜାର ଟଙ୍କା । କୃପାଣ ସିଂ କୁ ଏ ଟଙ୍କା ଫେରାଇ ଦେଇ ଋଣ ମୁକ୍ତ ହୁଅ ।

ମ୍ଳାନ ହସର ଏକ ମୃଦୁ ଆଲୋଡନ ମୁହଁରେ ସୃଷ୍ଟି କରି ଖୁବ ଚାପା କଣ୍ଠରେ ଶ୍ଳୋକ ଉଚ୍ଚାରଣ କଲା ଭଳି ତୃଣା କହିଥିଲା – ୠଣମୁକ୍ତ ହେଲି ବା କିପରି ? କୃପାଣ ସିଂ ବଦଳରେ ତମ ପାଖରେ ହିଁ ଋଣଗ୍ରସ୍ତ ହୋଇ ରହିଗଲି ।

କିଛି ସମୟ ଚୁପ୍‌ଚାପ୍‌ ।

ତା ପରେ ମୃଦୁ କଣ୍ଠରେ କହିଲା – ତମେ ଯେଉଁ ଟଙ୍କା ଦେଉଛ , ଏଇଟା ହାତ ଉଧାରୀ ଧାର ନୁହେଁ , ଦୀର୍ଘକାଳୀନ ଋଣ । ନିକଟ ଭବିଷ୍ୟତରେ ଏ ଋଣ ଶୁଝିବା ପାଇଁ କହିବ ନାହିଁ ।

ଋଣ ସୁଝିବାର କୌଣସି ମାନସିକତା ତୃଣାର ନ ଥିଲା । ତାର ପିତା ପ୍ରତି ମାସରେ ତା ପାଖକୁ ହଷ୍ଟେଲ ଖର୍ଚ୍ଚ ଯେତିକି ପଠାଉଥିଲେ , ସେଥିରୁ ଡ୍ରଗ୍ସ ଖର୍ଚ୍ଚ ମ୍ୟାନେଜ କରିବା ତା ପକ୍ଷରେ ସମ୍ଭବ ନ ଥିଲା । ଡ୍ରଗ୍ସ ସେ ଛାଡିପାରୁନଥିଲା ଏବଂ ସେଥିପାଇଁ ପ୍ରତି ମାସରେ ସେ ତା ଠାରୁ ହଜାରେ , ଦୁଇ ହଜାରେ ଧାର ନେଇଥିଲା । ଶୁଝିବା କଥା ମୁହଁରେ ଧରୁ ନ ଥିଲା ।

ତୃଣା ! ଏ ଡ୍ରଗ୍ସ ତମର ସର୍ବନାଶ କରିବ । ଆଇନାରେ କେବେ ତମ ଚେହେରା ଦେଖିଲଣି ? ଦିନକୁ ଦିନ ତମେ ଶୁଖି କଣ୍ଟା ହୋଇଗଲଣି । ପ୍ଲିଜ୍‌ ! ଏ ନିଶା ଛାଡ଼ ।

ଡ୍ରଗ୍ସ ଛାଡିବା କଥା କହିଲେ ସେ ଖୁବ ଅଫସେଟ ହୋଇଯାଏ । ଖୁବ ଅପମାନିତ ବୋଧ କରେ । ବେଳେ ବେଳେ ବାଉଳା ପବନ ପରି ହୁ ହୁ କାନ୍ଦି ଉଠେ – ନ ହେଲେ ବଡ଼ ପାଟିରେ ଚିତ୍କାର କରେ ।

କିନ୍ତୁ ସେଇ ମୁହୂର୍ତ୍ତରେ ସେଭଳି କିଛି କଲା ନାହିଁ ତୃଣା । ତାର ଉଦାସ ଦୃଷ୍ଟି ହଠାତ୍‌ କୋମଳ ହୋଇଗଲା । ମୋହିତ ଦୃଷ୍ଟିରେ ତା ଆଡକୁ ଚାହିଁ କହିଲା – ମୋ ଦେହ ଉପରେ ତମର ଏତେ ନଜର କାହିଁକି ? ମତେ ଭୋଗ କରିବାକୁ ଚାହଁ ? ଚାହଁ ଯଦି ଏଇ ମୁହୂର୍ତ୍ତରେ-

କଥା ଶେଷ କରିବା ଆଗରୁ ତୃଣା ତାର ଜାମା ଆଉ ବ୍ଲାଉଜ ବୋତାମ ଖୋଲିବାକୁ ଲାଗିଲା । ପତଳା ଜାଲି ବ୍ରେସିଆର ଭିତରୁ ତାର ନଗ୍ନ ନିଟୋଳ ସ୍ତନ ଦିଶିଯିବା ମାତ୍ରେ ଆତଙ୍କରେ ସଞ୍ଜୟର ଆଖି ବୁଜି ହୋଇଗଲା । ସେ କ୍ଷୀଣ କଣ୍ଠରେ ଚିତ୍କାର କରି ଉଠିଲା ।

ଏ ପାଗଳାମି ବନ୍ଦ କର । ଦେହକୁ ଅନାବୃତ କରି ନିଜକୁ ଛୋଟ କରିଦିଅ ନାହିଁ । ମୁଁ ଆଉ କୌଣସି ଦିନ ତମକୁ ଡ୍ରଗ୍ସ ଛାଡିବା କଥା କହିବି ନାହିଁ । ୟୁ ଗୋ ଟୁ ହେଲ୍ ?

ନିଜ ପୋଷାକ ସଜାଡି ନେଇ ତୃଣା କହିଥିଲା – ମୁଁ ତ ନର୍କରେ ହିଁ ଅଛି । ଆଉ କେଉଁ ଶାସ୍ତ୍ର – କଥିତ ନର୍କକୁ ତମେ ମତେ ପଠାଇବାକୁ ଚାହଁ ?

ତା ପରେ କିଛି ସମୟ ଚୁପ ରହିଥିଲା ତୃଣା । ନିଶ୍ୱାସ ପ୍ରଶ୍ୱାସ ର ଗତି ସ୍ୱାଭାବିକ ହୋଇଗଲାପରେ ସ୍ୱଗତୋକ୍ତି କଲା ଭଳି ସେ କହିଥିଲା – ଏଇ ଡ୍ରଗ୍ସ ହିଁ ମତେ ବଞ୍ଚାଇ ରଖିଛି । ନର୍କର ଯନ୍ତ୍ରଣା ଭୁଲାଇ ଦେଇଛି । ନିଶା ଛାଡ଼ିଗଲେ ତତଲା ତେଲ କଡେଇରେ ମୁଁ ଛଟପଟ ହେଉଥାଏ । ନା ବାବା , ନା ମାଆ – କେହି ମତେ ତତଲା ତେଲ କଡ଼େଇରୁ ଉଦ୍ଧାର କରିବା ପାଇଁ ହାତ ବଢ଼ାନ୍ତି ନାହିଁ ।

ଦୁଇ ହାତ ନିଜ ପାପୁଲିରେ ନିଜ ମୁହଁକୁ ଢାଙ୍କି ସେଇ ପ୍ଲାଟ୍‌ଫର୍ମ ଉପରେ ସେ ବସି ପଡେ । ପ୍ଲାଟ୍‌ଫର୍ମରେ ପ୍ରବେଶ କରୁଥିବା ଟ୍ରେନ୍‌ରେ ଉଠିବା ପାଇଁ ଅପେକ୍ଷମାଣ ଯାତ୍ରୀମାନଙ୍କ ଠେଲାପେଲା ଆରମ୍ଭ ହୋଇଯାଏ । ସେମାନଙ୍କ ମୋଟର ଧକ୍କାରେ ତୃଣା ଗଡିଯାଏ ଫୁଟ୍‌ବଲ ପରି ।

ସଞ୍ଜୟ ତାକୁ ତଳୁ ଉଠାଇ , କାନ୍ଧରେ ପକାଇ ୱେଟିଂ ରୁମ୍‌କୁ ବୋହି ନେଲାବେଳେ ତୃଣା ମୁହଁରୁ ଗଙ୍ଗ ଶିଉଳି ଫୁଲ ଭଳି ଛୋଟ ଛୋଟ ହସର ଭଗ୍ନାଂଶ ଝରିଯାଏ । ସେ ସଞ୍ଜୟର କାନ ପାଖରେ ମୁହଁ ରଖି ପ୍ରମ୍ପଟିଂ କଲାଭଳି କହେ – ତଳୁ ଉଠାଇ କାନ୍ଧରେ ପକାଇ ତମେ ମତେ କେତେ ବାଟ ନେଇପାରିବ ? ଏଇ – ସେ ଡ୍ରଗ୍ସ ବିକ୍ରେତା ମାଡି ଆସୁଛି । ସାତ ନମ୍ବର ପ୍ଲାଟଫର୍ମର ଏଇ ଅପେକ୍ଷା ଗୃହରେ ତା ସହିତ ଦେଖା ହେବାର କଥା ଥିଲା ।

ତାକୁ କାନ୍ଧରୁ ଓହ୍ଲାଇ ଦେଇ ରେଳବାଇ ୱେଟିଂ ରୁମ୍ ର ଗୋଟିଏ ଚେୟାର ରେ ବସାଇ ଦେଲା ସଞ୍ଜୟ ।

ନିଶା – ବିକ୍ରେତା ସେ ପ୍ରଥମ ଶ୍ରେଣୀ ଅପେକ୍ଷା ଗୃହରେ ପ୍ରବେଶ କରିବା ପୂର୍ବରୁ ସଞ୍ଜୟ ଗୃହ ଛାଡି ପ୍ଲାଟଫର୍ମ ଉପରକୁ ଚାଲିଯାଇଥିଲା ।

ସେଇ ପ୍ରଥମ, କିନ୍ତୁ ଶେଷ ନୁହେଁ ।

ତା ପରେ ପ୍ରତି ରବିବାର ଦିନ ପ୍ରାୟ ସେ ଦୁହେଁ ଖଡ଼ଗପୁର ରେଳ ଷ୍ଟେସନ୍‌କୁ ବୁଲି ଆସୁଥିଲେ । ଡ୍ରଗ ପେଡ଼ଲାର ପ୍ରଥମେ ଆଇ.ଆଇ.ଟି .କ୍ୟାମ୍ପସ୍‌ ଭିତରକୁ ଯାଇ ଏଲ .ଏସ. ଡି . ହେରୋଇନ ପାଉଡର ସପ୍ଲାଇରେ ଦେଇଥିଲା । କିନ୍ତୁ ଥରେ ପୋଲିସ ହାତରେ ଧରା ପଡିଯିବା ପରେ ତାର ସାତ ଲକ୍ଷ ଟଙ୍କାର ଲୋକସାନ ହୋଇଗଲା । ଜେଲ ହୋଇ ଯାଇଥାଆନ୍ତ , କୃପାଣ ସିଂ ଯୋଗୁଁ ପଚାଶ ହଜାର ଟଙ୍କା ପୋଲିସ କୁ ତଣ୍ଡ ଦେଇ ସେ ଖଲାସ ହୋଇଯାଇଥିଲା ।

ତା ପରେ ସାତ ନମ୍ବର ପ୍ଲାଟଫର୍ମ ଫାଷ୍ଟକ୍ଲାସ ୱେଟିଂ ରୁମ୍ ହିଁ ହେଇଥିଲା ତାର ଆଡୀକ୍ଟସ ମାନଙ୍କ ସହିତ ସାକ୍ଷାତ ସ୍ଥାନ । ନଗଦ କାରବାର । ବାକିରେ ସେ ନିଶା ବିକେ ନାହିଁ ।

ସେଦିନ ଷ୍ଟେସନରେ ପହଞ୍ଚିଲା ପରେ ଟ୍ୟାକ୍ସିରୁ ଓହ୍ଲାଇବା ମାତ୍ରେ ତୃଣା କହିଲା – ମତେ ଆଜି ତମକୁ ପାଞ୍ଚ ହଜାର ଟଙ୍କା ଧାର ଦେବାକୁ ହେବ । ମୋ ପର୍ସ ଖାଲି ହୋଇଯାଇଛି । କିନ୍ତୁ ମାସିକ ଖର୍ଚ୍ଚ ଏ ପଯ୍ୟାନ୍ତ ପହଞ୍ଚି ନାହିଁ । ଏଇଟା ମାସର ଶେଷ ଦିନ \ ପାଞ୍ଚ ହଜାର ଟଙ୍କା କୋଉଠୁ ପାଇବି ?

ଗୋଡ଼ କଚାଡି ସାନ କୁନି ଝିଅ ଭଳି ଅଝଟ କଲା ତୃଣା । ତମ ବାପା ଏତେ ବଡ଼ ଆଇ.ଏ.ଏସ୍‌ ଅଫିସର । ହୋମ ସେକ୍ରେଟେରି ନା କଣ ବଡ଼ ପାହ୍ୟାରେ ଅଛନ୍ତି । ମାଆ ଇଂଲିସ ପ୍ରଫେସର । ତମ ବ୍ୟାଙ୍କ ଆକାଉଣ୍ଟରେ ପାଞ୍ଚହଜାର ନାହିଁ । ପାଞ୍ଚ ହଜାର ନ ହେଲେ ଦୁଇ ତିନି ଦିନ ପାଇଁ ଦୁଇ ହଜାର କିମ୍ବା ଏକ ହଜାର ହେଲେ ମଧ୍ୟ ଚଳିବ । ସଞ୍ଜୟ ! ମୁଁ ତୁମର ସବୁ ଟଙ୍କା ସୁଧମୂଳ ସହିତ ପରିଶୋଧ କରିଦେବି – ଆଉ ବର୍ଷକ ପରେ ଆଇ.ଆଇ.ଟି .ରୁ ଇଲୋକ୍ଟ୍ରେନିକ୍ସ ଇଂଜିନିୟର ହୋଇ ବାହାରିଲେ ଚାକିରୀ ହାତ ମୁଠାକୁ ଆସିଯିବ – ତା ପରେ ତମର ଋଣ , ଧାର ଟଙ୍କା – ଯାଃ , ମୁଣ୍ଡ ଭିତରବ ସବୁ ସ୍ୱପ୍ନ , ପରିକଳ୍ପନା ଧୂଆଁ ହୋଇ ଦୁଇ ଆଖିକୁ ଧୂଆଁଳିଆ କରି ଦେଉଛି । ମୁଁ ଖୁବ ଡିପ୍ରେସ୍‌ଡ଼ ଫିଲ କରୁଛି – ତମେ ଯଦି ଡ୍ରଗ୍ସ କିଣି ନ ଦିଅ – ମତେ ଛୁଟନ୍ତ ଟ୍ରେନ୍ ଆଗରେ ଝାମ୍ପ ଦେବାକୁ ଛାଡିଦିଅ –

ରାଜଧାନୀ ଏକ୍ସପ୍ରେସ୍‌ ସାତନମ୍ବର ପ୍ଲାଟଫର୍ମରେ ଆସୁଛି ବୋଲି ଘୋଷକ ମୁହଁରୁ ଶୁଣିଲା ପରେ ଅଣନିଶ୍ୱାସୀ ହୋଇ ଦୌଡିବାକୁ ଆରମ୍ଭ କଲା ତୃଣା ।

ପଛେ ପଛେ ଧାଇଁ ଯାଇ ତା ହାତକୁ ଧରି ପକାଇଲା ସଞ୍ଜୟ ।

ସେ ଅଣ ନିଶ୍ୱାସୀ ହୋଇ ଯାଉଥିଲା । ତୃଣାର ହାତକୁ ଦୃଢ ଭାବରେ ମୁଠାଇ ଧରି କୃଦ୍ଧ କଣ୍ଠରେ କହିଲା – ତମର ଯଦି ଟ୍ରେନ୍ ଆଗରେ ଲମ୍ଫ ଦେଇ ଆତ୍ମହତ୍ୟା କରିବା କଥା, ମତେ ସାଙ୍ଗରେ ଆଣୁଥିଲ କାହିଁକି ? ଚାଲ –

ତାକୁ ଏକରକମ ଟାଣି ଟାଣି ପ୍ଲାଟଫର୍ମ ଠାରୁ ଦୁରକୁ ନେଇ ଆସିଲା ସଞ୍ଜୟ । ଚାଲି ଚାଲି ସେମାନେ ଷ୍ଟେଟ୍‌ବ୍ୟାଙ୍କ୍‌ ଏ.ଟି.ଏମ. କାଉଣ୍ଟର ପାଖରେ ପହଞ୍ଚିଗଲେ । ପକେଟରୁ ଗୋଟାଏ ସିଗାରେଟ୍‌ ପ୍ୟାକେଟ କାଢି ତୃଣା ଆଡକୁ ବଢ଼ାଇ ଦେଲା ସଞ୍ଜୟ ।

ସେ ଦୁହେଁ ଲାଇଟର ଜାଳି ସିଗାରେଟରେ ଅଗ୍ନି ସଂଯୋଗ କଲାବେଳେ ଏ.ଟି.ଏମ.କାଉଣ୍ଟର ଭିତରୁ ଜଣେ ଟ୍ରେନ ଯାତ୍ରୀ ଗାନ୍ଧୀମୁଣ୍ଡ ଥିବା ହଜାରେ ଟଙ୍କା ନୋଟ୍‌ ପର୍ସ ଭିତରେ ଭର୍ତ୍ତି କରୁ କରୁ ବାହାରି ଆସିଲା ।

ରାଜଧାନୀ ଏକ୍ସପ୍ରେସ୍‌ ସେତେବେଳେ ସାତ ନମ୍ବର ପ୍ଲାଟଫର୍ମରେ ପ୍ରବେଶ କରୁଥିଲା । ଯାତ୍ରୀଜଣକ ଟ୍ରେନ୍‌ରେ ଉଠିବା ପାଇଁ ଏକପ୍ରକାର ଦୌଡ଼ ଆରମ୍ଭ କରିଦେଲା । ସିଗାରେଟ୍‌ଟା ଦୁରକୁ ଫୋପାଡ଼ି ଦେଇ ତୃଣା ଚିଲ ଭଳି ସେ ଯାତ୍ରୀ ପଛେ ପଛେ ଛୁଟି ଯାଇ ପ୍ଲାଟଫର୍ମର ଯାତ୍ରୀ ଗହଳି ଭିତରେ ମିଶିଗଲା ।

ଘଟଣାଟା ଆଖି ପିଛୁଳାକେ ଏତେ ଦ୍ରୁତ ବେଗରେ ଘଟିଗଲା ଯେ , କଣ କରିବ କିଛି ବୁଝି ପାରିଲା ନାହିଁ ସଞ୍ଜୟ । ଏଇ ଅଳ୍ପ ସମୟ ଆଗରୁ ଟ୍ରେନ ଆଗରେ ଲମ୍ଫ ଦେଇ ଆତ୍ମହତ୍ୟା କରିବ ବୋଲି କହୁଥିଲା ତୃଣା । ଟ୍ରେନ୍ ପ୍ଲାଟଫର୍ମ ଉପରେ ଠିଆ ହୋଇଗଲା ପରେ ସେଇ ଟ୍ରେନ୍‌ରେ ବସି କୁଆଡେ ସେ ପଳାଇ ଯିବାକୁ ବସିଛି ? ରାଜଧାନୀର ସବୁ କମ୍ପାଟ୍‌ମେଣ୍ଟ ରିଜଭର୍ଡ । ବିନା ଟିକେଟ ରେ କେତେ ଦୂର ଅବା ଏକାକୀ ସେ ଯାଇପାରିବ ?

ତୃଣାର ବିପଦ ଅନୁମାନ କରି ଆଉ ଥୟ ଧରି ରହିପାରିଲା ନାହିଁ ସଞ୍ଜୟ ।

ତାକୁ ଧରି ଫେରାଇ ଆଣିବା ପାଇଁ ସେ ମଧ୍ୟ ପାଗଳଙ୍କ ଭଳି ଧଳା ସଲ୍‌ୱାର ପଞ୍ଜାବୀ ଉପରେ ଆକାଶ ଉପରେ ନୀଳ ରଙ୍ଗର ଓଢଣୀ ପକାଇଥିବା ତୃଣାକୁ ଏ କମ୍ପାର୍ଟମେଣ୍ଟରୁ ସେ କମ୍ପାର୍ଟମେଣ୍ଟ୍‌ ଖୋଜି ବୁଲିଲା ।

ଦ୍ୱିତୀୟ ଶ୍ରେଣୀ କମ୍ପାର୍ଟମେଣ୍ଟରେ ପ୍ରବେଶ କରିବା ପାଇଁ ଠେଲାପେଲା ହେଉଥିବା ଯାତ୍ରୀମାନଙ୍କ ମଧ୍ୟରେ ନୀଳ ଓଢଣୀ ଦିସିଗଲା । ଷ୍ଟେଟବ୍ୟାଙ୍କ ଏଟିଏମ୍‌ରୁ ଟଙ୍କା ଉଠାଇ ଗାଡ଼ିରେ ଉଠୁଥିବା ଯାତ୍ରୀଜଣକ ଠିକ ପଛରେ ଠିଆ ହୋଇଥିଲା ତୃଣା । ଯାତ୍ରୀ ଜଣକ ଗୋଟିଏ ହାତରେ ଲଗେଜ ଓ ଅନ୍ୟ ହାତରେ ଦରଜାର ରେଲିଂ ଧରି ଉଠିଲା ବେଳେ ତୃଣା ତା କାନ୍ଧ ଉପରେ ଉହୁଁକି ଉଠି ବିଦ୍ୟୁତ ତା ଛାତି ପକେଟ୍‌ରୁ ପର୍ସଟା କାଢି ଆଣିଲା । ଭିଡ଼ ଭିତରେ ପର୍ସ ନେଇ ପଳାଇ ଯିବାବେଳେ ଯାତ୍ରୀ ଜଣକ ଯେତେବେଳେ ମୋ ପର୍ସ -ପର୍ସ ବୋଲି ଚିତ୍କାର କରି ଉଠିଲା , ସଞ୍ଜୟ ତୃଣା ହାତରୁ ପର୍ସ ଟା ଛଡାଇ ନେଇ କହିଲା – ଏଇ ଆପଣଙ୍କ ପର୍ସ !

ପିକ୍‌ ପକେଟିୟର ବୋଲି ସନ୍ଦେହ କରି ସେତେବେଳେ ଅନ୍ୟ ଯାତ୍ରୀମାନେ ତାକୁ ଘେରି ଯାଇଥିଲେ । ଖସି ଚାଲି ଯାଇଥିଲା ତୃଣା । ରେଳବାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯାଇ ନ ଥିଲେ , ଯୂଥବଦ୍ଧ ଯାତ୍ରୀ ମାନଙ୍କ ଆକ୍ରମଣରେ ତାର ଅବସ୍ଥା ଶୋଚନୀୟ ହୋଇଯାଇଥାନ୍ତା ।

ଏଇ ଲୋକ ଆପଣଙ୍କ ପକେଟ୍‌ରୁ ପର୍ସ ନେଇ ପଳାଇଥିଲା ?

ହଁ, ସାର ! ମୁଁ ଷ୍ଟେଟବ୍ୟାଙ୍କ , ଏଟିଏମ୍‌ରୁ ଟଙ୍କା କାଢି ଆସିଲାବେଳେ ଏଇ ଲୋକଟା ମତେ ନିରେଖି ନିରେଖି ଚାହୁଁଥିଲା ଏବଂ ସିଗାରେଟ୍‌ ଟାଣୁଥିଲା । ଆପଣ ସର୍ଚ୍ଚ କରି ଦେଖନ୍ତୁ – ୟା ପକେଟରେ ସିଗାରେଟ ପ୍ୟାକେଟ ଅଛି କି ନାହିଁ !

ଥିଲା

ପ୍ରମାଣିତ ହୋଇଗଲା ଯେ ସେହି ପିକ୍‌ ପକେଟିଂ କରୁଥିଲା ।

ରାଜଧାନୀ ଏକ୍ସପ୍ରେସ ଚାଲିବା ଆରମ୍ଭ କଲା ପରେ ରେଳବାଇ ସିକ୍ୟୁରିଟି ପୋଲିସ ତା ହାତରେ ଲୁହାର ଶିକୁଳି ପିନ୍ଧାଇ ପଛରୁ ଧକ୍କା ଦେଇ ଦେଇ ଥାନାକୁ ନେଲାବେଳେ ତା ପାଖକୁ ଆସିବାକୁ ଚାହୁଁଥିଲା ତୃଣା ।

ଆଖିର ଇଙ୍ଗିତରେ ତାକୁ ବାରଣ କଲା ସଞ୍ଜୟ । ସେ ଜାଣିଥିଲା ତାର ମୁହଁରେ, ଆଖିର ଚାହାଣି ରେ ଯେମିତି ଲେଖା ହୋଇଥିଲା ମୋ ବାପା ଓଡିଶା ସରକାରଙ୍କ ହୋମ୍ ସେକ୍ରେଟେରୀ । ମୁଁ ସେ ଲୋକର ପକେଟ୍‌ରୁ ପର୍ସ କାଢି ଆଣି ନ ଥିଲି । ସେଇ କମ୍ପାର୍ଟମେଣ୍ଟ୍‌ରେ ଉଠିଲାବେଳେ ତା ଛାତି ପକେଟ ରୁ ପର୍ସଟା ତଳେ ଖସି ପଡିଥିଲା । ମୁଁ କେବଳ ତାକୁ ଉଠାଇ ଲୋକଟା ହାତରେ ନେଇ ଦେଇଥିଲି । ସେ ଖଡ଼ଗ୍‌ପୁର ରେଳବାଇ ପୋଲିସ ହେପାଜତରେ ଥିବାବେଳେ ହିଁ ତା ବାବାଙ୍କ ଅଫିସରୁ ଫୋନ୍ ଆସିଲା ।

ତୁ ଖଡ଼ଗ୍‌ପୁର ରେଲୱେ ଷ୍ଟେସନରେ ପିକ୍‌-ପକେଟିଂ କରୁଥିବା ବେଳେ ଧରାପଡ଼ି ରେଳବାଇ ହାଜତରେ ଅଛୁ । ଏ କଥା କଣ ସତ !

ନା ମୁଁ କାହାର ପକେଟ କାଟି ପର୍ସ ଚୋରି କରି ନାହିଁ । ଜଣେ ଯାତ୍ରୀ ରାଜଧାନୀ ଏକ୍ସପ୍ରେସ ଦ୍ୱିତୀୟ ଶ୍ରେଣୀ କମ୍ପାଟମେଣ୍ଟ୍‌ରେ ଉଠିଲା ବେଳେ ଜଣେ କେହି ତା ପକେଟରୁ ପର୍ସ କାଢି ନେଇ ପଳାଉଥିଲା । ମୁଁ ତା ହାତରୁ ପର୍ସଟା ଛଡାଇ ଆଣି ସେ ଲୋକକୁ ଫେରସ୍ତ ଦେଉଥିଲି । ସତ କହୁଛି ।

ମାଆ କୁ ବେଳେ ବେଳେ ମିଛ କୁହେ କିନ୍ତୁ ହେତୁ ପାଇଲା ଦିନୁ ଆପଣଙ୍କୁ କେବେ ମିଛ କହି ନାହିଁ କିମ୍ବା କେବେ ବି ମିଛ କହିବି ନାହିଁ ।

ତାହା ହେଲେ ତୋର କିଛି ଚିନ୍ତା କରିବାର ନାହିଁ । ସେମାନେ ଯଦି ଆଜି ତତେ ଛାଡି ନ ଦିଅନ୍ତି ତାହା ହେଲେ ବିନା ଅପରାଧରେ ତତେ ଗିରଫ କରିଥିବା ଯୋଗୁଁ କାଲି କୋର୍ଟରେ ଖଡ଼ଗ୍‌ପୁର ରେଳବାଇ ପୋଲିସ ବିରୋଧରେ ମୁଁ ମାନହାନି ମକଦ୍ଦମା ଫାଇଲ କରିବି । ମତେ ଥାନା ଓ.ସି.ଙ୍କ ଟେଲି ଫୋନ୍ ନମ୍ବର ଦେ –

ଓଡିଶା ସରକାରଙ୍କ ଘରୋଇ ବିଭାଗ ସଚିବ ରଣଜିତ ବିଶ୍ୱାଳଙ୍କ ଟେଲିଫୋନ୍ ପାଇଲା ପରେ ତା ଆରଦିନ ସକାଳୁ ରେଳବାଇ ଇନ୍ସପେକ୍ଟର କ୍ଷମା ପ୍ରାଥନା କରି ତାଙ୍କ ନିଜ ଗାଡ଼ିରେ ଆଇ.ଆଇ.ଟି.ହଷ୍ଟେଲ୍‌କୁ ଫେରାଇ ଦେଇଥିଲେ ।

ସେଦିନ ଆଉ ଇନଷ୍ଟିଚ୍ୟୁଟ୍‌କୁ କ୍ଲାସ କରବାକୁ ଯାଇନଥିଲା ସଞ୍ଜୟ ।

ଗତ ରାତିରେ ତାର ସୁନିଦ୍ରା ହୋଇନଥିଲା । ସକାଳୁ ନିଦ ତା ଆଖିରେ ଅଙ୍କ କଷୁଥିଲା ।

ହଷ୍ଟେଲ ରୁମ୍‌ରେ ଦିନ ସାରା ଶୋଇ ଶୋଇ କଟାଇ ଦେଇଥିଲା ।

ସନ୍ଧ୍ୟାରେ ଡୋର ବେଲ ଶବ୍ଦ ଶୁଣି ଦରଜା ଖୋଲି ଦେଲା ସଞ୍ଜୟ ।

ତୃଣା ।

ତା ମୁହଁକୁ ଚାହିଁ ଦେବା ମାତ୍ରେ ତୃଣାର ଆଖି ଛଳ ଛଳ ହୋଇଗଲା । ପାଷାଣୀ ଆଖିରେ ଲୁହ !

କଣ ହେଲା ? କାନ୍ଦୁଛ କାହିଁକି ?

କାଲି ରାତିରେ ତୁମକୁ ଛାଡି ଏକାକୀ ହଷ୍ଟେଲକୁ ଫେରିଲା ପରେ କାନ୍ଦ ମାଡୁଥିଲା , କିନ୍ତୁ କାନ୍ଦି ନ ଥିଲି । ସକାଳୁ ଫେରି ଆସିଛ ବୋଲି ଶୁଣିଲା ପରେ ଆଖିକୁ ନିଦ ଆସିଥିଲା । ଖୁବ ଡେରିରେ ନିଦ ଭାଙ୍ଗିଲା । ଇନଷ୍ଟିଚ୍ୟୁଟ୍‌ରେ ଖୋଜିଲି । ତମେ ନ ଥିଲ । ତମେ ନ ଥିଲ ସଞ୍ଜୟ ! ମୁଁ ତୁମର କିଏ ? ତମେ ମତେ ବଞ୍ଚାଇବା ପାଇଁ ପକେଟମାର କରିଥିବା ଜଘନ୍ୟ ଅପରାଧ ନିଜ ଉପରକୁ ନେଇଗଲ କାହିଁକି ?

କିନ୍ତୁ ତମେ ଯେପରି ଭାବରେ ସେ ଲୋକଟା ପକେଟରୁ ପର୍ସ କାଢି ନେଇ ପଳାଉଥିଲ, ମନେ ହେଉଥିଲା , ଏ ଅପକର୍ମ ତମର ପ୍ରଥମ ନୁହଁ । ସତ ନା ମିଛ ?

ସତ । କୃପାଣ ସିଂ ମତେ ଏ ପକେଟମାରୁ ବିଦ୍ୟା ଶିଖାଇଥିଲା । ତମ ସହିତ ଘନିଷ୍ଠତା ହେବ ଆଗରୁ ଅନେକ ଥର ତା ସହିତ ମୁଁ ଷ୍ଟେସନ୍‌ ଯାଇଛି । ପିକ୍‌ ପକେଟିଂ କରିଛି । କିନ୍ତୁ କାଲି ଘଟଣା ପରେ ମୁଁ ସ୍ଥିର କରି ନେଇଛି – ଆଉ କେବେ ଏ ଅପକର୍ମ କରିବି ନାହିଁ ।

ଖାଲି ପିକପକେଟିଂ ତମେ ଛାଡିପାରିବ ନାହିଁ , ଯେତେଦିନ ପଯ୍ୟନ୍ତ ନିଷିଦ୍ଧ ଡ୍ରଗ୍ସ ନିଶା ନ ଛାଡିବ । ସବୁ ଅପରାଧ ମୂଳରେ ଏଇ ଆତ୍ମଘାତୀ ନିଶା । କୁହ -ଡ୍ରଗ୍ସ ଛାଡିପାରିବ ?

ସାଙ୍ଗେ ସାଙ୍ଗେ ହଁ କରିପାରିଲା ନାହିଁ ତୃଣା । ତାର ଦୃଷ୍ଟିର ଦିଗନ୍ତ ରେଖାରେ ତାର ଅନିଶ୍ଚିନ୍ତ ଭବିଷ୍ୟତର ରୂପରେଖ ଅସ୍ପଷ୍ଟ ହୋଇଯାଉଥିଲା । କିଛି ସମୟ ଆଖି ବୁଜି କଣ ଭାବି ଆଖି ଖୋଲିଲା ।

କହିଲା ପାରିବି , ଯେତେଦିନ ତମେ ମୋ ପାଖେ ପାଖେ ଥିବ । କିନ୍ତୁ ତମେ କଣ ସବୁଦିନ ମୋ ପାଖେ ପାଖେ ରହିପାରିବ ।

ହଁ , କହିପାରିଲା ନାହିଁ ସଞ୍ଜୟ । ଏଭଳି ଏକ ପ୍ରତିଶୃତି ଦେବା ବୟସରେ ସେ ପହଞ୍ଚି ନାହିଁ । ସେ ମାତ୍ର ଜଣେ ବୟସ୍କ ବାଳକ । ତୃଣା ପାଇଁ ତା ମନରେ ଧୀରେ ଧୀରେ ବଢୁଥିବା ଆବେଗ , ଭଲ ପାଇବା ଏ ପଯ୍ୟନ୍ତ ପ୍ରେମରେ ପରିଣତ ହୋଇ ନାହିଁ । ସେଥିପାଇଁ ସେ ହଁ କରିପାରିଲା ନାହିଁ କି ନା କହିବାକୁ ତାର ଜିଭ ଲେଉଟିଲା ନାହିଁ । ତା ମୁହଁକୁ ସତୃଷ୍ଣ ଦୃଷ୍ଟିରେ ଚାହିଁ ରହିଥିଲା ତୃଣା ।

ଡ୍ରଗ୍ସ ନିଶା ଛାଡ଼ିଯାଇ ଧୀରେ ଧୀରେ ଭଲ ପାଇବାର ନିଶା ତାର ସମଗ୍ର ସତ୍ତାକୁ ଗ୍ରାସ କରିଯାଉଥିଲା । ବଞ୍ଚିବାର ଏଇ ଅଲଗା ଅନୁଭବକୁ ସେ ସଞ୍ଜୟ ସହିତ ଭାଗ କରି ନେବାକୁ ଚାହୁଁଥିଲା ।

ସଞ୍ଜୟର ନିରୁତ୍ତର ନିରବ ନିସ୍ତବ୍ଧ ଭାବ ତାକୁ ଉଚ୍ଚାରିତ କରି ଦେଉଥିଲା ।

ସେ ତା କାନ୍ଧକୁ ହଲାଇ ଦେଇ ବ୍ୟାକୁଳ କାନ୍ଥରେ ପଚାରିଲା – ଚୁପ ରହିଲା କାହିଁକି ? କିଛି କୁହ ! ହଁ -ନା ନାହିଁ ?

ନାହିଁ କରିବାକୁ ସାହସ ହେଲା ନାହିଁ ବୋଲି ହଠାତ ହଁ ଶବ୍ଦଟା ତା ଜିଭରୁ ଛୀରିକି ଯାଇ ଶିମୁଳି ତୁଳା ଭଳି ପବନରେ ଉଡିବାକୁ ଲାଗିଲା । କୁନି ଝିଅଟି ଭଳି ସେ ଧଳା ଧଳା ହଁ -ହଁ ତୁଳାକୁ ଧରିବା ପାଇଁ ତୃଣା ଘର ସାରା ଦୌଡ଼ି ବୁଲୁଥିବାର ଦୃଶ୍ୟ ଦେଖି ସଞ୍ଜୟର ଦୁଇ ଆଖି ଆହ୍ଲାଦରେ ମୁଦି ହୋଇଗଲା ।

ଲୋକପ୍ରିୟ ଲେଖା

To Top