ଗଳ୍ପ

ଜଣେ ରିକ୍ସାବାଲାର କଥା

Dr Nilamani Lenka's odia story Jane Rickshabaalaara Kathaa

ବେପରୁଆ ରିକ୍ସା ଚଳାଇବାର ଲକ୍ଷଣ ସ୍ପଷ୍ଟ ବାରି ହୋଇ ଯାଉଥିଲା ତା’ର ଖିଆଲି ମନର ଭାବନାରୁ । ଏସବୁର ଉତ୍ତର ଗୋଟିଏ ଥିଲା, କେବଳ ଆନନ୍ଦଜନିତ ଆତ୍ମହରା ।

ଜଣେ ରିକ୍ସାବାଲାର କଥା

କଟକୀ ରିକ୍ସାବାଲାଙ୍କୁ ଦେଖିଲେ ମୋ ମନରେ ଏକ ଭିନ୍ନ ଭାବନା ସୃଷ୍ଟିହୁଏ । ଭାବେ ଖୁବ୍ ସାହସୀ ଏମାନେ ।

ସହରର ଗଳିକନ୍ଦି ଦେଇ ବେପରୁଆ ଭାବରେ ଆଗକୁ ମାଡ଼ି ଯାଉଥିବା ରିକ୍ସା ଚାଳକଙ୍କ କାହାରିକୁ ଭୟ ନଥାଏ । ଇଲାକାର ମାଲିକ ସେମାନେ । ରାସ୍ତା ଉପରେ ଥିବା ମ୍ୟାନ୍ ହୋଲ୍ ଲୁହାର ଢାଙ୍କୁଣୀ ଉପରେ ରିକ୍ସାର ଆଗ ଚକ ପଡ଼ି ପଛ ଚକ ଅତିକ୍ରମ କଲାବେଳର ସାମୟିକ ଯନ୍ତ୍ରଣା ଯାତ୍ରୀଙ୍କୁ ବେଦମ୍ କରିପକାଏ ।

ତଥାପି ଖୁସିଲାଗେ ମୋତେ ।

କେତେ ବିନ୍ଦାସ ଏମାନେ । ଏଣେତେଣେ ବୁଲୁବୁଲୁ ଯାତ୍ରୀଟିଏ ପାଇଗଲେ ଆନନ୍ଦର ସୀମା ନଥାଏ । ସହଜେ ତ କଟକୀ ରିକ୍ସାବାଲାଙ୍କ ପାଖରେ ଅଟୋରିକ୍ସା ହାର ମାନିଯାଏ । ଭିଡ଼ ଗଳି ଭିତରେ ଏପଟ ସେପଟ କରି ରିକ୍ସା ଟାଣି ନେବାର ଦୃଶ୍ୟରେ ଯାତ୍ରୀ ବିଚରାକୁ ସତର୍କରେ ବସିବାକୁ ପଡ଼ିଥାଏ ।

ପ୍ରତି ମାସରେ ପ୍ରାୟ ତିନି ଚାରି ଥର ମୁଁ କଟକ ଯିବା ନିଶ୍ଚିନ୍ତ । ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବିଶୁନି ମଉସାଙ୍କୁ ଦେଖିବାକୁ ଯାଏ । ବେଳେବେଳେ ଔଷଧ ନିମିତ୍ତ ଖର୍ଚ୍ଚର ଆବଶ୍ୟକତା ପଡ଼ିଲେ ପାଖ ବେଡ଼ର ଆଟେଣ୍ଡାଣ୍ଟ ଫୋନ୍‌ରୁ ମୋ ପାଖକୁ ଫୋନ୍ କରନ୍ତି ସେ ।

ଅବଶ୍ୟ ବିଶୁନି ମଉସା ମୋର କୌଣସି ବନ୍ଧୁବାନ୍ଧବ ନୁହଁନ୍ତି । ଗାଁର ଜଣେ ଅସହାୟ ବୃଦ୍ଧ । ତାଙ୍କ ବ୍ୟବହାର ଏବଂ ଆଦର ପାଖରେ ମୋର ମାନବିକତା ବନ୍ଧା ପଡ଼ିଛି କାହିଁକି ସେ ପ୍ରଶ୍ନର ଉତ୍ତର ମଧ୍ୟ ମୋ ନିକଟରେ ନାହିଁ । କାହିଁକି କେଜାଣି ପ୍ରାୟ ଦୁଇ ବର୍ଷ ହେବ ବାରମ୍ୱାର ତଥାପି ମୁଁ କଟକ ଡାକ୍ତରଖାନାର କ୍ୟାନସର୍ ୱାର୍ଡକୁ ଯାଏ ।

କଟକକୁ ଯା’ ଆସ କରିବା ଭିତରେ ବାଦାମବାଡ଼ିରେ ପହଞ୍ଚିବା ବେଳକୁ ଅଟୋ ରିକ୍ସା ଚାଳକମାନେ ଯାତ୍ରୀଙ୍କୁ ଘେରି ଯାଉଥିବାବେଳେ ରିକ୍ସାବାଲା କେବଳ ଚକ୍କର ମାରି ବାବୁ । କେଉଁଠିକି ଯିବେ କହି ଚାଲିଥାନ୍ତି । ବସ୍‌ଷ୍ଟାଣ୍ଡର ଆଗ ଗେଟ୍‌ରୁ ପଛ ଗେଟ୍ ଏବଂ ପୁରୀ ଯିବା ନିମିତ୍ତ ଠିଆ ହେଉଥିବା ପାର୍କିଂ ଜୋନ୍ ଏମାନଙ୍କ ଯାତ୍ରୀ ଅନ୍ୱେଷଣର ସ୍ଥାନ ।

ଅଟୋରେ ଡାକ୍ତରଖାନାକୁ ଗଲେ ଭଡ଼ା ମାତ୍ର ଦଶ ଟଙ୍କା ସ୍ଥିର ହୋଇଥିଲେ ବି ମୁଁ କୋଡ଼ିଏ ଟଙ୍କା ଦେଇ ରିକ୍ସାରେ ଯିବାକୁ ଭଲପାଏ । ଏତେ ଟ୍ରାଫିକ୍ ବ୍ୟବସ୍ଥାର କଟକଣା ଥିଲେ ହେଁ ଅଟୋରିକ୍ସା ଚାଳକଙ୍କ ଅଧିକ ଯାତ୍ରୀନେବା ଜୁଲମ୍ ମୋତେ ବ୍ୟସ୍ତ କରିପକାଏ । ଏସବୁ ସମସ୍ୟାର ଉର୍ଦ୍ଧ୍ଵରେ ମୁଁ କାହିଁକି ରିକ୍ସାରେ ଯାଏ, ଏ ପ୍ରଶ୍ନର ଉତ୍ତର ଟିକେ ନିଆରା । କାରଣ କଟକର ମାଟି ମୋତେ ଟିକେ ଅଲଗା ବାସେ । ପରମ୍ପରାକୁ ଜାବୁଡ଼ି ଧରିଥିବା କଟକ ଗଳିକନ୍ଦିର କିଛି ପୁତିଗନ୍ଧମୟ ପରିବେଶରେ ମୁଁ ନିଜକୁ ତଥାପି ହଜେଇ ଦେବାକୁ ଭଲ ମନେକରେ । କଟକିଆ ରିକ୍ସାବାଲାଙ୍କୁ ଦେଖିଲେ ମୋ ମନରେ ଯାହା ଭାବନା ସୃଷ୍ଟି ହୁଏ ରିକ୍ସା ଉପରେ ବସିଗଲାପରେ ତାହା ଟିକେ ଭିନ୍ନ ଧରଣର ହୁଏ । ବାଦାମବାଡ଼ିରୁ ବଡ଼ ଡାକ୍ତରଖାନା କିମ୍ୱା ମଙ୍ଗଳାବାଗ ଓ ବକ୍ସିବଜାରରେ କାମ କିଛି ଥିଲେ ମୋତେ ରିକ୍ସାରେ ହିଁ ଯିବାକୁ ପଡ଼ିଥାଏ । ରିକ୍ସାରେ ବସି ସହରର ଦୁଇ ପାର୍ଶ୍ୱର ବଜାର ଗହଳି ଦେଖି ମନେପଡ଼େ ଅକ୍ଷୟ ମହାନ୍ତିଙ୍କର ସେହି କାଳଜୟୀ ସଙ୍ଗୀତ ।

ମୁଁ ରିକ୍ସାବାଲା
ଆଆସ ବାବୁ, ଆସ ଦାଦା, ଏ ଲା. . . ଲା. . .
————————–
ମୋ ରିକ୍ସା ଆଗ, ଗାଡ଼ି ତ ପଛ
ତୋଫାନ୍ ମେଲ୍, ମୋ ରିକ୍ସା ନାମ
ସେହି ପରିକା ଦେଖାଏ କାମ
ମୁଁ ରିକ୍ସାବାଲା. . . !

ପୁନର୍ମିଳନ ଚଳଚ୍ଚିତ୍ରର ଏହି ମନମତାଣିଆ ସଙ୍ଗୀତ ମୋ ମନକୁ ଛୁଇଁବା ସହିତ ପ୍ରାୟ ପ୍ରତ୍ୟେକ ରିକ୍ସା ଚାଳକଙ୍କୁ ଆମୋଦିତ କରୁଥିବ ଏ ବିଶ୍ୱାସ ମୋର ଥିଲା ।

ଯଦିଓ ଏ ରିକ୍ସା କଟକକୁ କେବେ ଆସିଲା, ତା’ର ଇତିହାସ ନଥିଲା ବେଳେ ଜାପାନର ଅଠର ଶହ ଅଠଷଠିରେ ପ୍ରଥମେ ଏହି ରିକ୍ସାର ଆବିର୍ଭାବ ହୋଇଥିଲା । ଅଠର ଶହ ଅଶି ବେଳକୁ ଭାରତ ଆସିବା ପରେ କ୍ରମଶଃ କଲିକତା ଓ ଓଡ଼ିଶାରେ ଏହାର ପ୍ରବେଶ ବୋଲି ଅନୁମାନ କରାଯାଏ ।

ପ୍ରତିଥରର ଯା’ ଆସ ଭିତରେ କଟକୀ ରିକ୍ସା ଚାଳକ ସମସୁର ମୋର ଚିହ୍ନା ହୋଇଯାଇଥିଲା । ବାଦାମବାଡ଼ିରେ ବସ୍ ପହଞ୍ଚିବା ପରେ ଘେରି ଯାଉଥିବା ଅଟୋରିକ୍ସା କିମ୍ୱା ଅନ୍ୟ ରିକ୍ସା ଚାଳକଙ୍କ ଡାକରାରେ ମୁଁ ବ୍ୟସ୍ତ ହୁଏନାହିଁ । କାରଣ ଚିହ୍ନା ହୋଇଯାଇଥିବା ସମସୁର ତା’ ମୋବାଇଲ୍ ଫୋନ୍ ନମ୍ୱର ପୂର୍ବରୁ ମୋତେ ଦେଇଥିଲା । ଅବଶ୍ୟ ଅନ୍ୟ ଯାତ୍ରୀଙ୍କୁ ସେ ତା’ର ସେହି ଫୋନ୍ ନମ୍ୱର ଯେ ଦେଇଥିବ ଏ ବିଶ୍ୱାସ ମୋର ନଥିଲା । କାରଣ ଭଡ଼ା ପାଇଁ ସେ ଏଥେ ବିବ୍ରତ ଥିବାପରି କେବେ ମୁଁ ଅନୁଭବ କରିନାହିଁ । ଥରେ ତା’ ରିକ୍ସାରେ ଗଲାବେଳେ ବାର୍ତ୍ତାଳାପ ଭିତରେ ଆମ ଦୁଇଜଣଙ୍କ ମାନସିକତାର ମିଳନ ହୋଇଗଲା ପରେ ସେ କହିଲା, “ବାବୁ ! ମୋର ଏହି ମୋବାଇଲ୍ ଫୋନ୍ ନମ୍ୱର ମୁଁ କାହାରିକୁ ଦିଏ ନାହିଁ । କେବଳ ଫେରିବା ଡେରି ହେଲେ ମୋ ସ୍ତ୍ରୀକୁ ଫୋନ୍ କରି କହିଦିଏ ଯେ ମୋର ଆଜି ଯିବା ଡେରି ହେବ । ମୁଁ ୟାଡ଼େ ଖାଇ ଦେବି । ମୋତେ ଅପେକ୍ଷା କରିବ ନାହିଁ ।” ଫୋନ୍ ନମ୍ୱର କାହାକୁ ନ ଦେଇ କେବଳ ନିଜ ଘରପାଇଁ ଫୋନ୍ ରଖିବା କଥା ମୋତେ କେମିତିକା ଲାଗିଲା । ତା’ଠାରୁ ଏ ସମ୍ପର୍କରେ ଆହୁରି କିଛି ବୁଝିବା ପାଇଁ ଚେଷ୍ଟା କଲି ।

– ଆଚ୍ଛା ସମସୁର ଭାଇ ! ତେବେ ଏ ମୋବାଇଲ୍ ଫୋନ୍ ରଖିଛ କାହିଁକି ?

ସେ କହିଲା, “ବାବୁ ! ମୁଁ କ’ଣ ଏ ଫୋନ୍ କିଣିଛି କି ?”

“ତେବେ ଆଉ କ’ଣ ?”

ଦି’ବର୍ଷ ତଳେ ଜଣେ ବାବୁ ମୋ ରକ୍ସାରେ ବସି ଯାଉଥିବା ବେଳେ ତାଙ୍କ ମୋବାଇଲ୍ ଛାଡ଼ି ଦେଇ ଯାଇଥିଲେ । ବାଦାମବାଡ଼ିରେ ବହୁତ ଖୋଜିଲି, ପାଇଲି ନାହିଁ । ଜଣେ ଟ୍ରାଫିକ୍ ପୋଲିସ୍ ଭାଇକୁ ସେ ଫୋନ୍ ଦେଖେଇଲି । ସେ ତାଙ୍କ କଲ ଯାଞ୍ଚ କରି ଫୋନ୍ କଲେ । ବାବୁ ଦୁଇଘଣ୍ଟା ପରେ ଫେରିଲେ । ଟ୍ରାଫିକ୍ ପୋଲିସ୍ ଭାଇ ମୋତେ ଯେଉଁଠି ବସି ତାଙ୍କୁ ଅପେକ୍ଷା କରିବାକୁ କହିଥିଲେ, ସେଠି ମୁଁ ବସି ରହିଥିଲି । ବାବୁ ଆସିଲେ । ମୋତେ ଆଶ୍ଚର୍ଯ୍ୟ ହୋଇ ଚାହିଁ ପଚାରିଲେ- “ତମ ନାଁ କ’ଣ ?”

– ସମସୁର !

ମୋତେ କୁଣ୍ଢାଇ ପକାଇ ଖୁବ୍ ଖୁସି ହେଲେ । ଏମିତି ବି ଏ ସଂସାରରେ ଲୋକ ଅଛନ୍ତି କହି ତାଙ୍କ ମୋବାଇଲ ମୋ ହାତରୁ ନେଇ ସିମ୍ କାଢ଼ିଲା ପରେ ପୁଣି ଫେରାଇ ଦେଲେ । ହାତରେ ଶହେ ଟଙ୍କା ଦେଇ କହିଲେ, “ଯାଅ, ତୁମ ମନ ପସନ୍ଦର ସିମ୍‌ଟିଏ କିଣି ପକେଇ ବ୍ୟବହାର କରିବ ।”

ବାବୁ ଜଣକ ଚାଲିଗଲେ ।

ଆଉ କେବେ ବି ତାଙ୍କୁ ଏ କଟକ ସହରରେ ଦେଖୁନି । ମନେ ମନେ ଅନେକ ଖୋଜୁଛି । ମୋବାଇଲ୍ ଫୋନ୍ ବ୍ୟବହାର କରିବା ପରେ ୟା’ର ଆବଶ୍ୟକତା ପାଇଁ ତାଙ୍କୁ ଟିକେ କୃତଜ୍ଞତା ଜଣାନ୍ତି । କେତେ ମହାନ୍ ସେ ବାବୁ । ଈଶ୍ୱର ନିଶ୍ଚୟ ତାଙ୍କର ମଙ୍ଗଳ କରୁଥିବେ ।

ସମସୁର ଠାରୁ ତା’ ଅତୀତର ସତ୍ୟ ଉପରେ ଆଧାରିତ କଥା ଗୁଡ଼ିକ ମୋତେ ଗପଭଳି ଲାଗୁଥିଲା । ସେ ରିକ୍ସା ଟାଣି ଟାଣି ବଡ଼ ଡାକ୍ତରଖାନା ପାଖାପାଖି ହୋଇଗଲାଣି । ଆଉ କିଛି ମୁହୂର୍ତ୍ତ ଭିତରେ ମୋତେ ଛାଡ଼ି ଦେଇ ସେ ଚାଲିଯିବ । ହୁଏତ ଆଉ କିଛିଦିନ ପରେ ସେ ମୋର ନିଶ୍ଚୟ ଦେଖାହେବ । କାରଣ ମୁଁ ବାଦାମବାଡ଼ିରେ ପହଞ୍ଚିବା ପରେ ତାକୁ ହିଁ ଫୋନ୍ କରିଥାଏ ଏବଂ ମୁଁ ଆସିବା ପୂର୍ବଦିନ ରାତିରେ ତାକୁ ଫୋନ୍ ଦ୍ୱାରା ଜଣାଇ ଦେଇଥାଏ ଯେ ମୁଁ କେଉଁ ବସ୍ରେ ଯାଇ କେତେବେଳେ ପହଞ୍ଚିବି ।

ବସ୍‌ରୁ ଅନ୍ୟ ଯାତ୍ରୀମାନେ ଓହ୍ଲାଇବା କ୍ଷଣି ବ୍ୟସ୍ତ ହୋଇ ପଡ଼ନ୍ତି କେଉଁ ରିକ୍ସା କିମ୍ୱା ଅଟୋ ରିକ୍ସାରେ ଯିବେ । ମୋର ସେ ଚିନ୍ତା ଆଉ ନଥାଏ । ନବାବ୍ ଭଳି ଆତ୍ମଗର୍ବରେ ଓହ୍ଲାଇପଡ଼େ ବସ୍ରୁ । ସମସୁର ବି ଅବିଚଳିତ ଭାବରେ ଟିକେ ବ୍ୟବଧାନରେ ରିକ୍ସା ଧରି ମୋ ଆଡ଼କୁ ଚାହିଁ ନମସ୍କାରଟିଏ କରେ । ଯାତ୍ରୀ ନେବା ଉଦ୍ଦେଶ୍ୟରେ ଘେରି ଯାଇଥିବା ଅନ୍ୟ ରିକ୍ସାଚାଳକଙ୍କୁ ଆଡ଼େଇ ମୁଁ ପହଞ୍ଚିଯାଏ ସମସୁର ପାଖରେ ।

ଅନ୍ୟ ରିକ୍ସାଚାଳକମାନେ କଲବଲ କରି ଆମକୁ ଚାହିଁ ଏହି ସମ୍ପର୍କରେ କିଛି ଉତ୍ତର ପାଆନ୍ତି ନାହିଁ ।

ସମସୁର ସହିତ ଯଦିଓ ମୋର କୌଣସି ପାରିବାରିକ ସମ୍ପର୍କ ନଥିଲା ସତ କିନ୍ତୁ ଆତ୍ମୀୟତାର ଡୋରରେ ଆମେ ଉଭୟ ବାନ୍ଧି ହୋଇଯାଇଥିଲୁ । ତା’ ରିକ୍ସାରେ ଫେରିବା ବେଳେ ମୁଁ ଦେଉଥିବା ଭଡ଼ାକୁ ସେ ନେବାକୁ ନାରାଜ ହୁଏ । ବହୁତ ବାଧ୍ୟରେ ମୁଁ ତାକୁ ଦିଏ । ବୁଝାଇ କହେ- “ତମ ପରିବାର ଚଳିବ କେମିତି ?” ବୃତ୍ତି ଏବଂ ସମ୍ପର୍କ ସମ୍ପୂର୍ଣ୍ଣ ଭିନ୍ନ କଥା । କିଛି ଖରାପ ଭାବ ନାହିଁ ।

ତା’ପରେ ସେ ଅନିଚ୍ଛାକୃତ ଭାବରେ ଭଡ଼ା ରଖେ ଓ ମୋ ଫେରିବାକୁ ବାରମ୍ୱାର ତା’ ରିକ୍ସା ଉପରୁ ବସି ବୁଲି ଚାହୁଁଥାଏ ।

ସମସୁରର ଆତ୍ମୀୟତା ସ୍ପଷ୍ଟ ବାରି ହୋଇ ଯାଉଥିଲା ତା’ର ବ୍ୟବହାର ଏବଂ ସଂଖ୍ୟା ଲଘୁ ସମ୍ପ୍ରଦାୟଙ୍କ ବିଭିନ୍ନ ଉତ୍ସବମାନଙ୍କରେ ମୋତେ ତା’ ଫୋନ୍ ମାଧ୍ୟମରେ ମୁବାରକ ଜଣାଇବା ଦ୍ୱାରା । ଯେମିତି ହେଲେ ସେ ଫୋନ୍ କରି- “ବାବୁ ନମସ୍କାର ଆଜ୍ଞା ! ଇଦ୍ ମୁବାରକ୍ !” ପ୍ରତ୍ୟୁତ୍ତରରେ ମୁଁ ବି କହେ- “ଇଦ୍ ମୁବାରକ୍ ! କେମିତି ଅଛ ସମସୁର ? ଘରେ ସବୁ ଭଲ ତ ? ଏଇମିତି କେତେ କ’ଣ. . . !”

କଟକୀ ରିକ୍ସାବାଲାଙ୍କ ଉପରେ ପୂର୍ବରୁ ମୋର ଧାରଣା ଭଲ ନଥିଲା । ସେମାନଙ୍କ ମଧ୍ୟରୁ କେତେକଙ୍କ ବ୍ୟବହାର ଏବଂ ଜୁଲମ୍ ମୋର ପସନ୍ଦ ଆସେନି । ସେମାନଙ୍କ ବେପରୁଆ ରିକ୍ସା ଚଳାଇବାର ତରିକାରେ ଯେକୌଣସି ଯାତ୍ରୀ ଅଶାନ୍ତି ହେବା ହେବା ସ୍ୱାଭାବିକ । ସହରର ସାମୟିକ ଖାଲଖମା ଏବଂ ଅନ୍ୟକୁ ଅତିକ୍ରମ କରି ଆଗକୁ ଯିବାର ପ୍ରଚେଷ୍ଟାରେ ଯାତ୍ରୀ ବେହାଲ ହୋଇପଡ଼ନ୍ତି । ନଡ଼ିଆକତାରେ ନିର୍ମିତ କଠିଣ ସିଟ୍‌ରୁ ଉଠି କଚି ହେବା କିଛି ନୂଆ କଥା ନୁହେଁ । ପ୍ରଥମେ ମୁଁ ଅନ୍ୟ କାହା ରିକ୍ସାରେ ଗଲାବେଳେ ବାମ କିମ୍ୱା ଡାହାଣ ପଟର ହୁଡ଼ା ବତା ଖଣ୍ଡକୁ ଜୀବନ ବିକଳରେ ଭିଡ଼ି ଧରିଥାଏ । ପରବର୍ତ୍ତୀ ସମୟରେ ସମସୁର ଭଳି ରିକ୍ସା ଚାଳକ ମୋର ଭ୍ରାନ୍ତିକୁ କିଛି ମାତ୍ରାରେ ଦୂର କରିଦେଇଥିଲା ।

ପ୍ରତିଥର ଆସିବା କ୍ଷଣି ସମସୁର ପ୍ରସ୍ତାବ ରଖେ- ଆଜ୍ଞା । ମୋ ବିବି ଆପଣଙ୍କୁ ଦେଖିବ ବୋଲି କେତେଥର କହିଲାଣି । ଆପଣ ମୋ ମଇତ୍ର ବୋଲି ତାକୁ କହି ଦେଇଛି ତ, ସେଥିପାଇଁ ସିଏ ସବୁଥର କହୁଛି ତମ ମଇତ୍ର ଆସିଥିଲେ ଏଥର ବି ଆମ ଦୁଆର ଆଡ଼େ ବୁଲେଇ ଆଣିଲ ନାହିଁ ।

ସମସୁର ମୈତ୍ର କଥା ଶୁଣି ମୁଁ ଆହୁରି ନିକଟତର ହୋଇଗଲି । ଭାବିଲି, ମଣିଷ ଜୀବନ ହେଇ ଅଛି ହେଇ ନାହିଁ । କିଏ କ’ଣ ମୁଣ୍ଡେଇ ନେଇଯିବାକୁ ଏ ସଂସାରକୁ ଆସିଛି କି ? ସମସୁର୍ ମନରେ ଆଉ କଷ୍ଟ ନ ଦେଇ କହିଲି- “ଏଥର ଦୁର୍ଗାପୂଜାକୁ ଆସିବି । ଦିନସାରା ବୁଲିବା । ତା’ପରେ ତମ ଘର ବୁଲି ମୁଁ ଗାଁକୁ ଫେରିଯିବି । ହଁ, କହି ଦେଉଛି ସେଦିନର ରିକ୍ସା ଭଡ଼ା ମୁଁ ଦେବି । ଯଦି ନ ନେବ ତେବେ କୁହ । ମୁଁ ଆଦୌ ଆସିବି ନାହିଁ ।”

କିଛି ସମୟ ମୋ ମୁହଁକୁ ଚାହିଁ ଭାବି ଚିନ୍ତି ହଁ କଲା ।

କଥା ମୁତାବକ ଦଶହରା ପୂର୍ବ ଦିନ ମୁଁ ବାଦାମବାଡ଼ିରେ ପହଞ୍ଚିଲି । ସହରର ଗଳିକନ୍ଦିରେ ଥିବା ଦେବୀଙ୍କ ମେଢ଼ ବୁଲିବା ପୂର୍ବରୁ ପ୍ରଥମେ ସମସୁର ଘରକୁ ଯାଇ ବୁଲି ଆସିବାକୁ ପ୍ରସ୍ତାବ ଦେଲି । ସେ ରାଜି ହୋଇଗଲା । ସେ ରାଜି ହୋଇଗଲା । ଖୁବ୍ ଆନନ୍ଦିତ ହୋଇ ମୋଠାରୁ ଟିକେ ଦୂରକୁ ଯାଇ ବୋଧହୁଏ ତା’ ସ୍ତ୍ରୀ ପାଖକୁ ସମସୁର ଫୋନ୍ କରିଦେଲା । ଯେହେତୁ ତା’ ଘରକୁ ମୁଁ ପ୍ରଥମ କରି ଯିବି, ତେଣୁ ବାଦାମବାଡ଼ି ବସ୍‌ଷ୍ଟାଣ୍ଡ ଭିତରୁ କିଛି ସେଓ, ଅଙ୍ଗୁର ଏବଂ ମିଠା ପ୍ୟାକେଟ୍ ଯୋଗାଡ଼ କଲି । ଘରୁ ଆସିଲାବେଳେ ମୋ ସ୍ତ୍ରୀ ବ୍ୟାଗ୍‌ରେ ଖଣ୍ଡେ ଭଲ ଶାଢ଼ୀ, ଲୁଙ୍ଗି ଏବଂ ଧଳା ସାର୍ଟ ରଖି କହିଥିଲା- ଖାଲି ହାତରେ କ’ଣ ଯିବ ମ ! ସେମାନେ ଗରିବ ଲୋକ, ୟା’କୁ ନେଇଯାଅ ଦେଖିବ, ସେମାନେ ଭାରି ଖୁସି ହେବେ ।

ଅବଶ୍ୟ ଫଳ ଓ ମିଠା କିଣିଲାବେଳେ ସମସୁର କହିଲା- ବାବୁ, ଏସବୁ କ’ଣ ହେବ, ତା’ ଛଡ଼ା ଏଠୁ କାଇଁକି କିଣୁଛନ୍ତି । ଏଠି କେତେକ ଠକ ଅଛନ୍ତି । କିଲକୁ ଆଠଶହ କରି ଓଜନରେ ଠକନ୍ତି । ଆପଣଙ୍କ ଜିନିଷ ଓଜନ କରି ହାତକୁ ବଢ଼ାଇ ଦେବା ଭିତରେ ସେମାନେ ହେରାଫେରି କରି ପ୍ୟାକେଟ୍ ବଦଳ କରି ପଚା ଫଳ ଦିଅନ୍ତି । ଏମିତି ସବୁବେଳେ ପରା ଏଠି ଗ୍ରାହକ ଓ ଦୋକାନୀ ଭିତରେ ଝଗଡ଼ା ହୁଏ । କେତେକ ଗ୍ରାହକକୁ ସେମାନେ ମାଡ଼ ମାରିବାକୁ ପଛାନ୍ତି ନାହିଁ ।

ସମସୁର କଥାରେ କିଛିଟା ସତ ଥିଲା ପରି ମନେ ହେଲା । କିଛି ବର୍ଷ ତଳେ ମୁଁ ଏହିପରି ଅନ୍ୟ ଏକ ସମସ୍ୟାରେ ପଡ଼ିଥିଲି । ବାଦାମବାଡ଼ି ବାହାରେ ଥିବା କିଛି ଲୋକ ହୋଟେଲ ସାମ୍ନାରେ ଠିଆ ହୋଇ ନିଜର ଆତ୍ମୀୟ ପରି ବ୍ୟବହାର ପ୍ରଦର୍ଶନ କରି ମୋତେ ଖାଇବାକୁ ହୋଟେଲ୍ ଭିତରେ ପୁରାଇ ଦେଲେ । ଖାଇସାରି ଦେୟ ପୈଠ କଲାବେଳେ ମୋଟା ଅଙ୍କର ବିଲ୍ ଦେଖି ମୁଁ ପଚାରିଥିଲି- ଆଜ୍ଞା ଏତେ ଟଙ୍କା କେମିତି ହେଲା । ହୋଟେଲ୍ ମାଲିକ କିଛି କହିବା ପୂର୍ବରୁ ପରସାଳି ପିଲା ରୁକ୍ଷ କଣ୍ଠରେ ମୋ ଆଡ଼କୁ ଚାହିଁ କହିଲା- “ଖାଇସାରି କ’ଣ ବାର୍ଗେନ୍ କରୁଛନ୍ତି ? ବେଶି ନ ଗପି ଟଙ୍କା ଦେଇଦିଅନ୍ତୁ ।” ଭୟରେ ଚୁପ୍‌ଚାପ୍ ପକେଟ୍‌ରୁ ଟଙ୍କା କାଢ଼ି ଦେଲାପରେ ସେହିଦିନ ଠାରୁ ସେଭଳି ହୋଟେଲ୍‌ରେ ମୁଁ ଆଦୌ ପାଦ ପକାଏନାହିଁ । ବେଳେବେଳେ ଭାବେ, ଗାଁ ଗହଳିରୁ ଆସୁଥିବା ନିରୀହ ଲୋକଙ୍କ ଅବସ୍ଥା ଏଠି କ’ଣ ହେଉନଥିବ ।

ସମସୁର ମୋତେ ରିକ୍ସାରେ ବସାଇ ଆଗକୁ ଚାଲିଲା ।

ସେଦିନର ରାସ୍ତାରେ ଏକାଙ୍ଗ ଚକ୍ରବର୍ତ୍ତୀ ହୋଇଯାଇଥିଲା ସମସୁର । ସତେ ଯେପରି ଟ୍ରାଫିକ୍ କଟକଣାକୁ ମନ ଭିତରେ ମାନିବାକୁ ପ୍ରସ୍ତୁତ ନଥିଲା । ବେପରୁଆ ରିକ୍ସା ଚଳାଇବାର ଲକ୍ଷଣ ସ୍ପଷ୍ଟ ବାରି ହୋଇ ଯାଉଥିଲା ତା’ର ଖିଆଲି ମନର ଭାବନାରୁ । ଏସବୁର ଉତ୍ତର ଗୋଟିଏ ଥିଲା, କେବଳ ଆନନ୍ଦଜନିତ ଆତ୍ମହରା ।

ମଝିରେ ମଝିରେ ପଚାରୁଥିଲା- “ବାବୁ ବସିବାରେ କିଛି ଅସୁବିଧା ହଉଚି କି ? ମୁଁ ଟିକେ ଜୋର୍ କରି ଟାଣୁଛି ତ ।”

– ନା ଠିକ୍ ଅଛି, ଚାଲ ।

ବାଦାମବାଡ଼ିରୁ ବଡ଼ ଡାକ୍ତରଖାନା ରାସ୍ତା ପାର ହୋଇ ରିକ୍ସା ମାଡ଼ି ଚାଲିଲା ଯୋବ୍ରା ରାସ୍ତା ଆଡ଼େ । ପ୍ରାକୃତିକ ଓ କୃତ୍ରିମ ସୌନ୍ଦର୍ଯ୍ୟରେ ମୁଁ ବିମୁଗ୍ଧ ଥିଲାବେଳେ ରିକ୍ସା ଅଟକିଲା ଯୋବ୍ରା ବନ୍ଧର ନଦୀ ପାର୍ଶ୍ୱକୁ ଥିବା ଅଣସଜଡ଼ା ବସ୍ତି ନିକଟରେ ।

କେଉଁଠି ଜରିପାଲ ଘେରା ତମ୍ବୁ ତ କେଉଁଠି ବାଉଁଶ ତଲେଇରେ ନିର୍ମିତ ଛୋଟ ନୁଆଁଣିଆ କୁଡ଼ିଆ । ରାସ୍ତା ପାର୍ଶ୍ୱରେ ରିକ୍ସା ରଖିଲା ବେଳକୁ ଜଣେ ସ୍ତ୍ରୀ ଲୋକ ହସ ହସ ମୁହଁରେ ସମସୁର ଆଡ଼କୁ ଚାହିଁ ପଚାରିଲା- “ହେଇଟି ! ଇଏ ସେଇ ବାବୁ ନା !”

– ହୁଁ ସେଇ ବାବୁ ପରା । ଆମ ଦୁଆରକୁ ଆଣିବି ଆଣିବି ବୋଲି କେତେଦିନ ହେଲା ତୁ କହି ଆସୁଥିଲୁ ନା । ଏଥର ମୁଁ ଆଣିଚି ।

ମୋ ପାଦ ଛୁଇଁ ସେ ଆଣ୍ଠେଇ ପ୍ରଣାମ କଲା । ତାଙ୍କର ଏପରି ନମସ୍କାର ନିକଟରେ ମୁଁ ନିଜକୁ ନ୍ୟୁନ ମନେ କରୁଥିଲି ।

ସ୍ୱାମୀ ସ୍ତ୍ରୀ ଉଭୟେ ମୋତେ ତାଙ୍କର ରହିବା ଘର ଆଡ଼କୁ ଡାକିନେଲେ । ଘର ବୋଲି କିଛି ନାହିଁ କହିଲେ ଚଳେ । ମୁଣ୍ଡ ଗୁଞ୍ଜିବା ନିମିତ୍ତ ବାଉଁଶ ତଲେଇରେ କାନ୍ଥ ଭଳି ଆଚ୍ଛାଦନ କରାଯାଇଥିବା ଝୁମ୍ପୁଡ଼ିଟିଏ । ଦୁଆର ମୁହଁର ତ୍ରିଭୁଜାକାର ପଥର ଖଣ୍ଡକ ଉପରେ ରଖାଯାଇଥିବା ପାଣି ବାଲ୍ଟିରେ ଗୋଡ଼ ଧୋଇବାକୁ ସମସୁରର ସ୍ତ୍ରୀ ମୋ ହାତ ଧରି ଟାଣି ନେଲା । ଯେତେ ବାରଣ କଲେ ବି ସ୍ୱାମୀ ସ୍ତ୍ରୀଙ୍କ ଆଦର ପାଖରେ ମୁଁ ହାର ମାନିଗଲି ।

ଝୁମ୍ପୁଡ଼ି ଭିତରକୁ ପଶିଲି । ଦଉଡ଼ି ବୁଣା ଖଟିଆ ଏବଂ ଗୋଟିଏ ପ୍ଲାଷ୍ଟିକ୍ ଚେୟାର୍ ବ୍ୟତୀତ ଦଉଡ଼ିବନ୍ଧା ଆଲଣା । ଚାରିକଣକୁ ଚାହିଁଲି । କେଉଁଠି ପୁରୁଣା ଆଇନା ପାନିଆ ତ କେଉଁଠି ଉଠାଚୁଲି ପାଖରେ ସିଲଭର ହାଣ୍ଡି ଓ ରୋଷେଇ ସରଞ୍ଜାମ । ଗୋଟିଏ ବଖରା ଭିତରେ ସଂସାରର ସମସ୍ତ ଦ୍ରବ୍ୟ ଥିଲା ।

ସମସୁରକୁ ପଚାରିଲି ତୁମ ବିବିଙ୍କ ନାଁ କ’ଣ ?

– ଜମିଲା । ଭାରି ମେହରବାନୀ ଇଏ ।

– ବାଃ ବଢ଼ିଆ ନାଁଟିଏ । ପୁରା ନାଁ କ’ଣ ?

– ଜମିଲା ଖାତୁନ୍ ।

ସମସୁରର ସ୍ତ୍ରୀ ଜମିଲା ଲାଜେଇଗଲା । ତା’ ଚେହେରା ସହିତ ଲାଜୁଆ ପଣଟା ସେଦିନର ମୁହୂର୍ତ୍ତକୁ ଆହୁରି ସ୍ମରଣୀୟ କରିଦେଇଥିଲା ମୋ ପାଇଁ ।

ଜମିଲା ହାତକୁ ବ୍ୟାଗ୍‌ଟା ବଢ଼େଇ ଦେଇ କହିଲି- “ହେଇ ନିଅ, ତମ ମଇତ୍ରିଆଣୀ କ’ଣ ପଠେଇଛନ୍ତି ଦେଖ ! ଖୁବ୍ ଆଗ୍ରହରେ ବ୍ୟାଗ୍‌ଟା ମୋ ହାତରୁ ନେଇ ଝୁମ୍ପୁଡ଼ିର ଗୋଟିଏ କୋଣରେ ବସି ସବୁ ବାହାର କଲା । କିଛି ସମୟ ପରେ ସେ ଚାଲିଗଲା ପାଖ ପଡ଼ୋଶୀର ଝୁମ୍ପୁଡ଼ି ଘର ଆଡ଼କୁ । ସମସୁର ଅପଲକ ନୟନରେ ଜମିଲାର ଆନନ୍ଦକୁ ଉପଭୋଗ କରୁଥିଲା ।

ମାତ୍ର ଦଶ/ପନ୍ଦର ମିନିଟ୍ ଭିତରେ କେତେଜଣ ପଡ଼ୋଶୀ ମହିଳାଙ୍କୁ ସାଙ୍ଗରେ ନେଇ ନୂଆ ଶାଢ଼ୀ ପିନ୍ଧି ସେ ସାମ୍ନାକୁ ଆସି ଉଭୟଙ୍କୁ ମୁଣ୍ଡ ମାଡ଼ି ନମସ୍କାର କଲା ।

ସମସୁର ଫେଁ -ଫେଁ ହସିଲା । କହିଲା, ଏତେ ଦିନକେ ମୁଁ ତୋ ମୁହଁରେ ଆନନ୍ଦ ହିଁ ଆନନ୍ଦ ଦେଖୁଛି । ସବୁବେଳେ ଖାଲି ଧାନଉଁଷା ହାଣ୍ଡିପରି ମୁହଁ । ସେଗୁଡ଼ାକ ଜମା ଭଲ ଲାଗେନି ମୋତେ । କହିଲୁ ଜମିଲା, ଆମ ଏଇ ଘରେ ଆଜି କେତେ ଖୁସି !

– କହିବାକୁ ଅଛି ।

ସମସୁର ଇସାରରେ ଜମିଲା ଚାଲିଗଲା ରିକ୍ସା ସିଟ୍‌ତଳେ ପେଟିରେ ଥିବା ଗୋଟିଏ ପୁଡ଼ିଆ ଆଣିବା ପାଇଁ ।

ସମସୁର କହିଲା- “ବାବୁ ! ଜମିଲାର ଏତେ ଖୁସି ଆଜି ଛଡ଼ା ମୁଁ ଆଗରୁ କେବେ ଦେଖି ନାହିଁ । ଆମର ତ ଘରଦ୍ୱାର ନିଜର ବୋଲି କିଛି ନାହିଁ । ଜାଗାଜୁଗତ ବି ନାହିଁ । ପିଲାବେଳୁ ମୁଁ କଟକରେ ଅଛି, ହେଲେ ପଇସା ଅଭାବରୁ ମୁଣ୍ଡ ଗୁଞ୍ଜିବାକୁ ଜାଗା କରିନି । ଏଇ ନଈବନ୍ଧ ତଳ ଆମ ଭରସା । କେତେଥର ଆମ ବସ୍ତିବାଲା ସେଠୁ ଉଠି ଏଠି, ୟାଡୁ ଯାଇ ସିଆଡ଼କୁ ହେଉଛୁ । ମହାନଗର ନିଗମ ହେଲା ଦିନ ଠାରୁ ଆମ ଭାଗ୍ୟ ଖରାପ ହେଇଯାଇଚି । ସହରର ଉନ୍ନତି ନାଁରେ ଆମକୁ ବାରଦ୍ୱାର କରୁଛନ୍ତି । ତା’ଛଡ଼ା ଆମର ପିଲାପିଲି ନାହାନ୍ତି । ମୁଁ ସିନା ରିକ୍ସାରେ ଚାରିଆଡ଼େ ବୁଲିଲେ ସବୁ ଭୁଲିଯାଏ, ହେଲେ ଇଏ କ’ଣ କରିବ, ଝୁମ୍ପୁଡ଼ିରେ ବସି ବସି ୟାଡୁ-ସିଆଡୁ ଚିନ୍ତାକରି ମନ ଦୁଃଖରେ ବସେ ।

ଗୋଟିଏ ବଡ଼ କାଗଜ ପ୍ଲେଟ୍ରେ ଜମିଲା କିଛି ଜଳଖିଆ ଆଣି ଦଉଡ଼ି ଖଟିଆ ଉପରେ ରଖି କହିଲା- “ଖାଇଦିଅ ବାବୁ ! ଏ ଗରିବ ଘରେ ଟିକେ ମୁହଁ ଧୋଇଦିଅ ।”

ପ୍ଲେଟ୍‌ରେ ଥିଲା କିଛି କଟା ସେଓ, ଦୋକାନରୁ ପ୍ୟାକିଂ ହୋଇଥିବା ଜଳଖିଆ ଏବଂ ଗୋଟିଏ ଆଇସ୍କ୍ରିମ୍ । ସବା ଶେଷରେ ଫ୍ରିଜ୍‌ରୁ ବାହାରିଥିବା ସଦ୍ୟ ପାଣି ବୋତଲ ।

ଛୁଆଁ-ଅଛୁଆଁ ମନୋଭାବ ନମିତ୍ତ ଏ ସବୁର ଆୟୋଜନ ବୋଲି ମୋତେ ବୁଝିବାକୁ ବାକି ରହିଲା ନାହିଁ ।

ସମସୁର ହାତ ଧରି ଟାଣି ମୋ ପାଖରେ ବସାଇଲି । ପ୍ରଦତ୍ତ ଜଳଖିଆରେ ଜବରଦସ୍ତ ତାକୁ ଭାଗୀଦାର କରାଇଲି । ସମସୁର ସଙ୍କୋଚ ହୋଇ ଖାଇବା ଆରମ୍ଭ କଲା । ଜମିଲା ଅନ୍ୟମନସ୍କ ଭାବରେ ଆମକୁ ଚାହିଁ ବୋଧହୁଏ କ’ଣ ଭାବୁଥିଲା ।

ୟା’ ଭିତରେ ଢେର୍ ସମୟ ବିତିଗଲାଣି । ମୋତେ ପୁଣି ବସ ଧରି ଘରକୁ ଫେରିବାକୁ ପଡ଼ିବ । ଝୁମ୍ପୁଡ଼ିର ବାହାରକୁ ଆସି ଦେଖିଲି ପାଖ ଗଛମୂଳେ ରିକ୍ସା ରଖି ତା’ ଉପରେ କେତେଜଣ ଚାଳକ ନିଘୋଡ଼ ନିଦରେ ଶୋଇ ଯାଇଛନ୍ତି । ଆଉ କେହି ଅଣଓଡ଼ିଆ ତେଲେଙ୍ଗା ରିକ୍ସାଚାଳକ ନିଶାଖାଇ ବାଉଳି ଚାଉଳି ହେଉଛନ୍ତି । ସମସୁର କହିଲା, “ବାବୁ ଏଗୁଡ଼ାକ ଏଠି ନିତିଦିନିଆ । କିଛି ରୋଜଗାର ହେଇଗଲେ ପେଟେ ମଦ ପିଇ ନିଶାରେ ୟା’ଡ଼େ ସିଆଡ଼େ ପଡ଼ିବା ଏମାନଙ୍କର ଅଭ୍ୟାସ । ଏମାନେ ସୁଧରିବେ ନାହିଁ ବାବୁ ।”

ମୁଁ ମେଲାଣି ଚାହିଁଲି । ସହରର ଗଳିକନ୍ଦିର ଦୁର୍ଗା ମା’ଙ୍କ ମେଢ଼ ଦେଖିବାର ଇଚ୍ଛା ଥମି ଯାଇଥିଲା । ସମସୁର କାନ୍ଧରେ ହାତ ରଖି କହିଲି- ଏଥର ଅନ୍ୟ ଆଡ଼କୁ ଯାଇ ମେଢ଼ ଦେଖିବାକୁ ସମୟ ହେବନି । ଆସିବା ସମୟର ରାସ୍ତା ଛାଡ଼ି ଅନ୍ୟ ଗଳି ରାସ୍ତାରେ ଯିବା । ଯାହା ମେଢ଼ ଥିବ ଦେଖିଦେଇ ଯିବା ।

ସମସୁର କାନ୍ଧରୁ ଗାମୁଛା କାଢ଼ି ରିକ୍ସାର ସିଟ୍‌କୁ ଭଲ ଭାବରେ ଝାଡ଼ିଝୁଡ଼ି ଦେଲା । ଜମିଲାକୁ କହିଲି- “ମଇତ୍ରିଆଣୀ ! ମୁଁ ଏଥର ଆସୁଛି । ଆରଥରକୁ ନେଇ ଆସିବି ।”

ଫେରିବାବେଳେ ରିକ୍ସା ପାଖକୁ ଆସି ପୁଣି ଭୂମିଷ୍ଠ ପ୍ରଣାମ କଲା । ହଉ ବାବୁ, ଆସନ୍ତୁ କହି ହାତ ହଲାଇ ବାଏ ବାଏ କଲା ।

ସମସୁର ଆଗକୁ ରିକ୍ସା ଟାଣିନେଲା ।

ମୁଁ ପଛକୁ ବୁଲି ଚାହିଁଲି, ଜମିଲା ଆଖିରୁ ଲୁହ ପୋଛୁଥିଲା । ଥରେ ନୁହେଁ ବାରମ୍ୱାର ବିଷାଦର ଘନ ଆସ୍ତରଣ ତା’ ସତେଜ ମୁହଁଟାକୁ ମଳିନ କରଦେଇଥିଲା ।

ମୋ ଆଖିରୁ ଲୁହ ଆସିଲା । ପଛକୁ ପୁଣି ଥରେ ଚାହିଁ ତାକୁ ବାଏ ବାଏ କଲି ।

ଜାଣି ପାରୁନଥିଲି କାହିଁକି ଆଜି ମୋର ଏ ଅନ୍ୟମନସ୍କତା ।

ଲୋକପ୍ରିୟ ଲେଖା

To Top