ଗଳ୍ପ

ଜରା ନିବାସ

Laxmidhara Nayak's Odia Story JARAA NIBAASA

ଆପଣ ଆମ ଜରାନିବାସର ଜଣେ ରେକର୍ଡଧାରୀ ଅନ୍ତେବାସୀ ଆଜିଠାରୁ । କାରଣ, ଆପଣ ଆମର ଅଶୀତମ ସଦସ୍ୟ ଓ ଆପଣଙ୍କ ବୟସ ମଧ୍ୟ ଅଶୀ । ଆମେ ଆପଣଙ୍କୁ ହୃଦୟର ସହିତ ଅଭିନନ୍ଦନ ଜଣାଉଛୁ ।

ଜରା ନିବାସ

ତୁମେ ମୋ ବୋଉର ବାପା ପରି ଲାଗୁଛ । ମୋର ତ ଅଜା । ଦେଖିଲ ମୋ ଆଡ଼େ, ମୁଁ ତୁମର କେଡ଼େ ସୁନ୍ଦରୀ ନାତୁଣୀ ।

ଆଉ କେଇ ଦିନରେ ମୋ ବାହାଘର. . . !

ମୁଁ କିନ୍ତୁ ଚାକିରୀ ଛାଡୁ ନି ଅଜା । ମାନବ ସେବା ପରା ମାଧବ ସେବା । ଠିକ୍ ସପ୍ତ ମଙ୍ଗୁଳା ପର ଦିନ ମୁଁ ଏଠି ପହଞ୍ଚି ଯିବି ମୋ ସ୍ୱାମୀଙ୍କ ସହିତ. . . ।

ତାଙ୍କୁ ଦେଖି, ତୁମେ ବି ଖୁସି ହେବ ।

କହିବ- “ଯୋଡ଼ିଟା ବିଧାତା ନିରୋଳା ଟାଇମ୍‌ରେ ମନ ଲଗାଇ କରିଛି ।” ବଢ଼ିଆ ପିଲା ମ’ । ଆମେ ଏକା ସାଥୀରେ କଲେଜ୍‌ରେ ପଢୁଥିଲୁ । ଦୁହେଁ ଦୁହିଁଙ୍କୁ ବୁଝିଥିଲୁ ।

ଆଚ୍ଛା ଅଜା ! ପ୍ରଥମ ସାକ୍ଷାତ୍‌ରେ ତମେ ଆମକୁ କ’ଣ ଦେବ ? ହୃଦୟ ପାଇଁ ହସ ଧାରେ, ନା. . . ଜୀବନ ପାଇଁ ଆଶୀର୍ବାଦର ସ୍ପର୍ଶ. . . ଆମ ମୁଣ୍ଡ ଉପରେ
. . . ତୁମର ଏହି ଦୁଇ ହାତର ।

ଆଜି ଜରାନିବାସକୁ ନୂଆ କରି ଆସିଥିବା ବୃଦ୍ଧ ଜଣକ ଚଷମା ତଳୁ, ଏହି ଚୁଲବୁଲି ଝିଅଟିର ମୁହଁକୁ ଟିକେ ଚାହିଁଲେ ଓ ପରେ ପରେ ପୂର୍ବ ପରି ଚାହିଁ ରହିଲେ- ସାମ୍ନା ବଗିଚାର ନାନା ରଙ୍ଗର ଫୁଲଙ୍କୁ, କଅଁଳ ସବୁଜ ପତ୍ରଙ୍କୁ, କୃତ୍ରିମ ଝରଣାରେ ପହଁରୁ ଥିବା ଛଅଟି ହଂସ ହଂସୁଲୀଙ୍କୁ ଓ ଗୋଟିଏ ବଟଲ୍‌ ବ୍ରଶ୍ ଫୁଲକୁ ଫିଙ୍ଗିଦେଲେ. . . ।

ତାଙ୍କ ଡାହାଣ ହାତଟା ସାମ୍ନାକୁ ଲମ୍ୱି ଯାଇ କଟ୍ କରି ଶବ୍ଦଟାଏ କଲା । ସେ ଯନ୍ତ୍ରଣାରେ ଧୀର ଚିତ୍କାରଟିଏ କଲେ ଓ ବାଁ ହାତରେ ବାହା ମୂଳକୁ ଚାପିଧରି, ମୁହଁକୁ ବିକୃତ କରିଦେଲେ. . . ।

ଝିଅଟା ଆଉଁସି ଦେଉ ଦେଉ କହିଲା- “ଅଜା ! ବାହୁ ପରା ଦୁର୍ବଳ ହେଲାଣି । ରକା ପଶିଗଲା କି ? ବ୍ୟସ୍ତ ହୁଅ ନାହିଁ । ତୁମ ନାତୁଣୀ ଆଉ କେଉଁ ବେଳର ? ତୁମର ସବୁ ଦାୟିତ୍ୱ ପରା ମୋ ଉପରେ. . . । କିଛି ହେବନି ମ’ । ମୁଁ ଅଛି ନା ।”

ସେ ନିଜ ଭ୍ୟାନିଟ୍ ବ୍ୟାଗରୁ ମୂଭ୍ ମଲମ ବାହାର କରି, ଟିପେ ଲମ୍ୱର ନେଲା, ବୃଦ୍ଧଙ୍କ ଡାହାଣ ହାତ ବାହୁ ମୂଳରେ ଧୀରେ ପ୍ରଲେପ ଦେଇ, ହାଲୁକା ସ୍ପର୍ଶରେ ଉପରୁ ତଳକୁ ଘସିଲା । କହୁଣୀ ଓ କଚଟୀକୁ ମଧ୍ୟ ସେମିତି ସେମିତି ମଲମ ବୋଳି, ପ୍ରାଥମିକ ଚିକିତ୍ସା ଶେଷ କଲା ।

ଏଥର ବୃଦ୍ଧ ତାଙ୍କୁ ସଳଖ ହେଇ ଚାହିଁଲେ ।

ପ୍ରକୃତରେ ଭାରି ସୁନ୍ଦର ଝିଅଟିଏ ।

ଯେଉଁ ପାନଖିଆ ଛେପ ଲଣ୍ଡାଏ ସେ ଘୃଣାରେ ପକାଇ ଦେଇଥିଲେ, ସେଥିରୁ କିଛିଟା କଳା ଚପଲ ଭିତରୁ ଗୋରା ଗୋରା ଲାଗୁଥିବା ତା’ର ଡାହାଣ ଗୋଡ଼ ପାଦ ଉପରକୁ ଛିଟିକି ପଡ଼ିଛି ।

ସେ ନଇଁ ପଡ଼ି ତାକୁ ରୁମାଲ୍‌ରେ ସଫା କରି, ହସି ହସି ଚାହିଁଛି ବୃଦ୍ଧଙ୍କୁ । ମୁହଁରେ ସାମାନ୍ୟ ବିରକ୍ତିର ଚିହ୍ନ ନାହିଁ ।

. . . ରୂପରେ ଯେମିତି, କଥାରେ ସେମିତି ।

ଅତି ଆପଣାର ପରି ଲାଗୁଛି ଝିଅଟା. . . ।

ନିଜର ପୁଅ ବୋହୂ ନାତି ନାତୁଣୀ ତ ହେଲେ ନାହିଁ. . . ଏ କ’ଣ ହେବ ?? ତଥାପି, କିଛିଦିନର ଅବଲମ୍ୱନ । ଝିଅଟା ଅଭାବରେ ପଡ଼ି ଚାକିରୀ କରୁଥିବ ।

ଛଳ ଛଳ ଯୌବନର ମହକିତ ବୟସ ଏହାର । ବଗିଚାରେ ବୁଲି ବୁଲି, ଫୁଲମାନଙ୍କୁ ଗାଲରେ ଲଗାଇ, ସ୍ୱପ୍ନରେ ସ୍ୱପ୍ନରେ ଭିଜୁଥାନ୍ତା ଏ । କାହିଁକି ଏଠି ଏ ପତ୍ରଝରା ଋତୁଟା ପାଇଁ ଏତେ ସ୍ନେହ ଅଜାଡ଼ି ଦିଅନ୍ତା . . . ଯଦି ଚାକିରୀ ତା’ ପାଇଁ ନିହାତି ପ୍ରୟୋଜନ ନଥାନ୍ତା ।

ବେକଟା ଖାଲି ପଡ଼ିଛି. . . ।

ସୁନା ଚେନ୍‌ଟିଏ ସେଠାରେ ଭଲ ମାନନ୍ତା ।

ବାଁ ହାତ ଅନାମିକା ଆଙ୍ଗୁଳିଟି ପାଇଁ ପଥର ଖଞ୍ଜା ସରୁ ମୁଦିଟିଏ ଦରକାର । ବୃଦ୍ଧ କ’ଣ ଭାବି, ନିଜ ବେକରୁ ପିନ୍ଧିଥିବା ରଗଡ଼ା ଚେନ୍‌ଟା ବାହାର କରି, ତା’ ହାତକୁ ବଢ଼ାଇଲେ. . . ।

. . . କ’ଣ ହେବ ?

ହସି ହସି ପଚାରିଲା ଝିଅଟା. . . ।

: ତୁ ଏଇଟାକୁ ପିନ୍ଧି ନେ ! ମୋର ଆଉ ଦରକାର କ’ଣ ?

ଝିଅଟା ଅଳ୍ପ ହସର ରେଖା ଓଠରେ ଫୁଟାଇ ସେଇଟିକୁ ପୁଣି ବୃଦ୍ଧଙ୍କ ବେକରେ ଲମ୍ୱାଇ ଦେଲା । କହିଲା- “ଆମ ଜରାନିବାସର ଏଗ୍ରୀମେଣ୍ଟ୍‌ର ତୁମ ଗଳାରେ ଚେନ୍‌ଟିଏ, ହାତ ଆଙ୍ଗୁଳିରେ ମୁଦିଟିଏ ଥିବା କଥା ଉଲ୍ଲେଖ ଅଛି । ଯଦି କେବେ ଘରକୁ ଫେରାଇ ନିଆଯାଏ ତୁମକୁ. . ., ଏ ସବୁ ତୁମ ସହିତ ଯିବ । ଯଦି ଏଇ ମାଟିରେ ତୁମର ମିଶିବାର ଥାଏ. . . ଏ ସବୁ ତୁମ ପୁଅ ବୋହୂଙ୍କୁ ଫେରାଇ ଦିଆଯିବ । କାରଣ, ଏ ସବୁ ସେମାନଙ୍କର । ତାଙ୍କ ସ୍ମୃତିର. . . ।”

ବୃଦ୍ଧଙ୍କ ଆଖି ଛଳଛଳ ହେଇ ଉଠିଲା ।

ଆଜି ପୁଅ ତାଙ୍କୁ ଆଣି, ଏହି ଜରାନିବାସରେ ଛାଡ଼ିଛି । ବୋହୂ ବି ଆସିଛନ୍ତି, କିନ୍ତୁ ସେ ଏଠିକୁ ନ ଆସି, ବଗିଚାରେ ବୁଲି ବୁଲି, ତାଙ୍କ ପୁଅ ଝିଅଙ୍କୁ କିସମ୍ କିସମ୍ ଫୁଲଙ୍କର ପରିଚୟ ଦେଉଛନ୍ତି । ବଟାନୀରେ ପୋଷ୍ଟ୍ ଗ୍ରାଜୁଏସନ୍ ତାଙ୍କର । ବଗିଚାକୁ ଭାରି ଆଦର ।

ଯେଉଁ ଫୁଲ ତାଙ୍କ ବଗିଚାରେ ନାହିଁ କିମ୍ୱା ଯାହାର ନାଁ ସେ ଜାଣିନାହାନ୍ତି, ସେ ସବୁର ଫଟୋ ତାଙ୍କ ମୋବାଇଲ୍ ଫୋନ୍ କ୍ୟାମେରାରେ ନେଉଛନ୍ତି । ଜରା ନିବାସରୁ ଫେରିବା ବେଳେ ସିଟୀ ନର୍ସରୀରୁ ସେହି କିସମର ଚାରା କାର୍ ଡିକୀରେ ଭର୍ତ୍ତି କରି ନେବେ । ମାଳୀ ସେ ସବୁର କେୟାର୍ ନେବ ।

ବୃଦ୍ଧ ଥରକୁ ଥର ନାତି ନାତୁଣୀଙ୍କ ଆଡ଼କୁ ଚାହୁଁଥାନ୍ତି । ହୁଏତ. . . ସେମାନେ ଥିଲେ ତାଙ୍କ ପାଇଁ ପରିବାରର ଶେଷ ଆକର୍ଷଣ । ଆଉ ସେମାନଙ୍କୁ ଜୀବନରେ ଦେଖି ହେବ କି ନାହିଁ । ଟିକେ ଆସନ୍ତେ କି ପାଖକୁ. . . !

ସେମାନେ ଏଇ ନିକଟରେ କେଉଁ ଦିନ ପଢ଼ିବାକୁ ଫରେନ୍ ଚାଲିଯିବେ । ନାତି ଯିବ ଅକ୍ସଫୋର୍ଡକୁ, ନାତୁଣୀ କେମ୍ୱ୍ରିଜ୍‌କୁ । ତାଙ୍କ ମମୀ ବି ତାଙ୍କ ସହିତ ଯିବେ । ସେଇଠି ଥାଇ, ଏଠି ସେଠି ହେଉଥିବେ ।

ଏମିତି. . . ବୋହୂ ମା’ ବର୍ଷରେ ଥରେ ଦୁଇଥର ଫରେନ୍ କଣ୍ଟ୍ରିକୁ ଭ୍ରମଣରେ ଯାଆନ୍ତି । ଏବେ ପିଲା ପଢ଼ିବେ । ତାଙ୍କୁ ବାରମ୍ୱାର ଯିବାକୁ ହେବ ତ । ପୁଣି, ଇଣ୍ଡିଆକୁ ବି ଛାଡ଼ି ହେବନି । ବୋଉ ନାହାନ୍ତି । ଏକ ମାତ୍ର ବାପା । ଭାଇ ବି ନାହାନ୍ତି, ପୁଣି ସ୍ୱାମୀଙ୍କ ବିଜିନେସ୍‌ରେ କିଛିଟା ସାହାଯ୍ୟ ଦରକାର ।

ଏଣୁ, ବୁଢ଼ା ଶଶୁର ଅତି ପରିଣତ ବୟସରେ ଘରେ ପଡ଼ି ଚାକର ବାକରଙ୍କୁ ହଇରାଣ କରିବେ କାହିଁକି ? ବରଂ, ଏଇଠି ଜରାନିବାସରେ ବେଶ୍ ଆରାମ୍‌ରେ ଚଳି ଯିବେ ।

ମ୍ୟାନେଜର୍ ପହଞ୍ଚି ଦୁଇ ହାତ ଯୋଡ଼ି ନମସ୍କାର କଲେ । କହିଲେ- “କଙ୍ଗ୍ରାଚୁଲେସନ୍ ସାର୍ ! ମୁଁ କିଏ, ଆପଣଙ୍କର ମନେ ନ ଥାଇପାରେ । ମୁଁ ଆପଣଙ୍କ ପାଖରେ ତିରିଶ୍ ବର୍ଷ ପୂର୍ବରୁ ପଢ଼ିଥିଲି, ହାଇସ୍କୁଲରେ । ଆପଣ ଆମ ଜରାନିବାସର ଜଣେ ରେକର୍ଡଧାରୀ ଅନ୍ତେବାସୀ ଆଜିଠାରୁ । କାରଣ, ଆପଣ ଆମର ଅଶୀତମ ସଦସ୍ୟ ଓ ଆପଣଙ୍କ ବୟସ ମଧ୍ୟ ଅଶୀ । ଆମେ ଆପଣଙ୍କୁ ହୃଦୟର ସହିତ ଅଭିନନ୍ଦନ ଜଣାଉଛୁ ।”

ଏହି ଝିଅଟି ତାଙ୍କ ବେକରେ ଫୁଲ ହାରଟିଏ ଲମ୍ୱାଇ ଦେଲା । କେହି ଜଣେ କର୍ମଚାରୀ, ତାଙ୍କ ସାମ୍ନାରେ ରେଜିଷ୍ଟର୍ ଖାତାଟିର ଫର୍ଦ୍ଦ ଖୋଲି, ସ୍ୱାକ୍ଷର ନେବାକୁ ଦେଖାଇଲା. . . । ସେଥିରେ ଲେଖାଥିଲା-

ମୁଁ ଦ୍ୱାରିକାନାଥ ଶ୍ରୀଚନ୍ଦନ ମହାପାତ୍ର. . . କାହାରି ବାଧ୍ୟ ବାଧକତାରେ ନୁହେଁ, ନିଜ ଇଚ୍ଛାରେ ଜରାନିବାସରେ ରହିବାର ସ୍ୱୀକୃତି ଦେଉଛି. . . ।

ସ୍ୱାକ୍ଷର. . . !

ତାରିଖ. . . !

ହଠାତ୍ ବୃଦ୍ଧ ଦ୍ୱାରିକାନାଥ ଚେୟାର୍ ଛାଡ଼ି ଉଠି ପଡୁ ପଡୁ ପଡ଼ିଯାଉଥିଲେ । ତାଙ୍କୁ ତାଙ୍କର ପରିଚାରିକା. . . ଏ ଝିଅଟା ଧରି ପକାଇଲା । ବୃଦ୍ଧ ତାଙ୍କ ବେକର ଫୁଲମାଳାକୁ ଛିଡ଼ାଇ ପକାଇ ଦୂରକୁ ଫିଙ୍ଗିଦେଲେ ଓ ଅନୁଚ୍ଚ କରୁଣ ସ୍ୱରରେ କହିଲେ-

“. . .ଏଥିରେ ଆହୁରି ଲେଖି ଦିଅ- କାହାରି ବାଧ୍ୟ ବାଧକତାରେ ନୁହେଁ, ନିଜ ଇଚ୍ଛାରେ, ମୁଁ ମୋର ସମସ୍ତ ସମ୍ପତ୍ତି ଜରାନିବାସକୁ ଦାନ କରୁଛି. . . ।”

ଲେଖ, ମୁଁ ସ୍ୱାକ୍ଷର କରି ଦେଉଛି ।

ବୋହୂ ମା’ ତାଙ୍କ ପାଖକୁ ଆସିସାରିଥାନ୍ତି ।

ସ୍ଥାଣୁ ପରି ଠିଆ ହୋଇଥିବା ସ୍ୱାମୀଙ୍କ ଟାଇକୁ ଟିକେ ଟାଣି ଦେଇ, ତାଙ୍କ କୋଟ ଛାତିରେ ଅଳ୍ପ ଆଘାତର ମୃଦୁ ବିଧାଟିଏ ମାରି, ସାମାନ୍ୟ କର୍କଶ ସ୍ୱରରେ ତାତ୍ସଲ୍ୟ ଭରି କହିଲେ- “ମୁଁ ତୁମକୁ କହିଥିଲି ନା, ତୁମ ବାପାଙ୍କର ମତିଭ୍ରମ ଘଟିଲାଣି ।”

ସ୍ୱାମୀ ଚମକିଲା ପରି କହିଲେ-

“ହଁ ହଁ କହିଥିଲ ତ ! ଏବେ ତାଙ୍କ ସମ୍ପତ୍ତିର ହିସାବ ତାଙ୍କୁ ବୁଝାଇ ଦିଅ ।”

ବୋହୂ ଶଶୂରଙ୍କୁ କହିଲେ-

“ସୌଭାଗ୍ୟକୁ ଆପଣଙ୍କ ପରି ଜଣେ ଦରିଦ୍ର ଶିକ୍ଷକଙ୍କ କୋଳରେ ଏପରି ଯୋଗ୍ୟ ପୁଅ ଜନ୍ମ ହୋଇଥିଲେ । ମାଟ୍ରିକ୍‌ରେ ବେଷ୍ଟ୍-ଟେନ୍ଥ-ବେଷ୍ଟ ହେଇଗଲେ । ଆପଣ ତ ତା’ ଆଗ ଚାରି ବର୍ଷରୁ ରିଟାୟାର୍ଡ କରି, ବଡ଼ ଚାରି ଝିଅକୁ ପ୍ରତି ବର୍ଷ ଜଣକ ପରେ ଜଣଙ୍କୁ ବିବାହ ଦେଇ, କରଜରେ ବୁଡ଼ିଥିଲେ । ଯୋଗ୍ୟ ପୁଅଙ୍କୁ ଅଯୋଗ୍ୟ କରି ରଖିବାର ଯଥେଷ୍ଟ ନିରାଶ୍ରୟତା ଆପଣଙ୍କର ଥିଲା ।

ମୋ ବାପା ଏ ପ୍ରତିଭାକୁ ଚିହ୍ନିଲେ. . . ।

ମୋ ବାପା ଆପଣଙ୍କ ପୁଅକୁ ଇଞ୍ଜିନିୟର୍ କଲେ ।

ମୋ ବାପା ତାଙ୍କ ଇମ୍ପୋର୍ଟ ଏକ୍ସପୋର୍ଟ କମ୍ପାନୀର ମ୍ୟାନେଜିଂ ଡାଇରେକ୍ଟର କରି ଦେଲେ ଏହାଙ୍କୁ . . . । ମୋ ବାପା ୟା’ଙ୍କ ବିଜିନେସଟାକୁ କଣ୍ଟିନେଣ୍ଟାଲ୍ କରାଇ ଦେଲେ. . . । ଯେଉଁ ଲୋକଙ୍କ ପାଇଁ ଆପଣ ପୁରୁଣା ସାଇକେଲ୍ ଖଣ୍ଡେ ଯୋଗାଡ଼ କରିପାରି ନଥିଲେ, ସେ ପ୍ଲେନ୍‌ରେ ପୃଥିବୀ ସାରା ବୁଲିଲେ, କେବଳ ମୋ ବାପାଙ୍କ ଉଦ୍ୟମରେ ।

ମୋ ବାପାଙ୍କର ମୁଁ ଗୋଟିଏ ମାତ୍ର ଝିଅ । ବୋଉ ମରିଛି । ଭାଇ ନାହାନ୍ତି । ବିରାଟ ଇଣ୍ଡଷ୍ଟ୍ରିଆଲିଷ୍ଟ୍ । ବାପା କହିଲେ- “ନାଇଁ, ମାଷ୍ଟରଟା କାନ୍ଦିବ । ମୋ ଝିଅର ମଙ୍ଗଳ ହେବ ନାହିଁ । ତା’ ପୁଅ ଆମ ଘରେ ନ ରହୁ । ସେ ତାଙ୍କ ଘରେ ରହୁ ।’ କେମିତି ହୃଦୟ ମୋ ବାପାଙ୍କର ।

ଆପଣଙ୍କ ଚାରି ବଖରା ମାଟି-ଖପର ଘରକୁ ସେ ବିରାଟ ପ୍ରାସାଦ କରିଦେଲେ । ଆପଣଙ୍କ ସେହି ଚାରି ବଖରା ଘର, ଚାରିକୋଟି ଟଙ୍କାର ମହଲ୍ ବନିଗଲା, କେବଳ ମୋ ବାପାଙ୍କ କୃପାରୁ ।

କାଳେ ଆପଣଙ୍କର ମନେ ରହିବ ନାହିଁ, ଏହି ପାଇଁ, ବଗିଚାର ଗୋଟାଏ ପାଖରେ ସର୍ଭ୍ୟାଣ୍ଟ କ୍ୱାଟର୍ସ କରି, ତା’ର ସ୍ଲୋପିଂ ଛାତରେ ସେହି ଭଙ୍ଗା ଖପରକୁ ବାପା ଖଞ୍ଜାଇ ଦେଇଛନ୍ତି । ସେ କହିଥିଲେ. . . “ମଣିଷଠାରୁ ସାଂଘାତିକ କୃତଘ୍ନ କେହି ପୃଥିବୀରେ ନାହାନ୍ତି । କାରଣ, ଅନ୍ୟର ଉପକାରକୁ ସେ ଅପକାର କରି, ଶୁଝିଥାଏ ।’

ମୋ ବାପା ଟଙ୍କା ଖର୍ଚ୍ଚ କଲା ବେଳେ ମାଲିକାନା କଥା ଚିନ୍ତା କରି ନଥିଲେ । କାରଣ ସେ ଜାଣନ୍ତି- ଏ ପୃଥିବୀଟା କାହାର ନିଜର ନୁହେଁ । ସମସ୍ତେ ଏହାରି ଭିତରେ ମିଶିବେ । ଏମିତି ଉଦାର ସେ ଯେ. . . କୋଟି କୋଟି ଟଙ୍କା ଖର୍ଚ୍ଚ କରିଦେଲେ, ଅଥଚ ଆପଣ ଏତେ କୃତଘ୍ନ ଯେ, ଫୁଣ୍ଟାଟିଏ ବି ଖର୍ଚ୍ଚ ନ କରି, ମାଲିକାନା ସୂତ୍ରରେ ବିରାଟ ରାଜ୍ ମହଲ୍‌ର ମାଲିକ୍ ହେଇଗଲେ ବୋଲି, ଆଜି ତାକୁ ଜରାନିବାସକୁ ଦାନ କରିଦେବାକୁ ଘୋଷଣା କରିଦେଲେ । ବାଃ ! ପୂଜ୍ୟ ମାଷ୍ଟର୍ ଜାତିଟାର କି ଉଦାର ଉଦାହରଣ ଆପଣ !

. . . ଆପଣଙ୍କ ଘରର ମୂଲ୍ୟ ଏବେ ଚାରିକୋଟି ଟଙ୍କା । ସାମ୍ନାରେ ଯେଉଁ ବଗିଚାଟା ଅଛି, ସେଠି ଗୋଟେ ତେଲେଙ୍ଗା ବସ୍ତି ଥିଲା । ତାକୁ ଉଠାଇବା ପାଇଁ, ବାପା ଶାସକ ଠାରୁ ଶୋଷକ ଯାଏ, ପଚାଶ ଲକ୍ଷରୁ କମ୍ ଖର୍ଚ୍ଚ କରି ନାହାନ୍ତି । ସେଇ ଜାଗାଟା ବାପା ଆମ ନାଁରେ କରିଛନ୍ତି ।

ତାକୁ ବି ଆପଣ ହସ୍ତାନ୍ତର କରିପାରନ୍ତି. . . ।

ଆମେ ସ୍ୱୀକୃତି ଦେଇ ଦେବୁ । ଆପଣ ରାଜି ତ !”

ଝିଅଟାକୁ ଅବଲମ୍ୱନ କରି ବୃଦ୍ଧ ଦ୍ୱାରିକାନାଥ କହିଲେ- “ମା’ ! ଟିକେ ବୋହୂଙ୍କୁ ପଚାରିଲୁ- ତାଙ୍କ କୋଟିପତି ବାପାଙ୍କୁ ଯଦି ମୋ ବୟସରେ ଜରାନିବାସରେ ଛାଡ଼ିଦିଆଯାଏ. . . କେମିତି ଲାଗିବ ତାଙ୍କୁ ? କୋଟିପତି ମୁହୂର୍ତ୍ତକରେ ନିଃସ୍ୱ ହେଇଯିବେ ନି କି ? ସମ୍ପର୍କହୀନ ଟଙ୍କାର ପାହାଡ଼ ତାଙ୍କୁ କି ଶାନ୍ତି ଦେବ !”

ବୋହୂ କହିଲେ- “କିଛି ଫରକ୍ ପଡ଼ିବ ନାହିଁ ।

ମୋ ବାପା ଖୁସିରେ ଆତ୍ମହରା ହେଇ ଉଠିବେ । କାରଣ, ବୁଢ଼ା କାଳରେ ପରିବାରର ବୋଝ ହେବାଟା ଗୋଟାଏ ଅଦୂରଦର୍ଶୀ ପାରମ୍ପରିକତା । ଏହି ସମୟରେ ସମସ୍ତଙ୍କଠୁ ଅଲଗା ରହି, ସେମାନଙ୍କ ସ୍ୱାଧୀନତାରେ ହସ୍ତକ୍ଷେପ ନ କରି, ସେମାନଙ୍କ ମୂଲ୍ୟବାନ ସମୟକୁ ମହତ୍ତ୍ୱ ଦେଇ. . . ସ୍ୱଚ୍ଛନ୍ଦ ଭାବରେ ଜରାନିବାସରେ ଅବଶିଷ୍ଟ ଜୀବନ ଜୀଇଁବା, ଗୋଟାଏ ଉଚ୍ଚ ମୂଲ୍ୟବୋଧର ପରିମାର୍ଜିତ ସାମାଜିକତା. . . ।”

ବୁଢ଼ା ଏଥର ସିଧା ପ୍ରଶ୍ନ କଲେ- “ଯଦି ତୁମ ପୁଅ ବୋହୂ ତୁମ ଦୁହିଁଙ୍କୁ ଏମିତି ଛାଡ଼ି ଦିଅନ୍ତି ?”

: “ଆମେ ଖୁସି ହେବୁ । ଏହି ପାଇଁ ଯେ. . . କାହାରି ବୋଝ ହେଇ ନ ରହିବାର ଯେଉଁ ନୂଆ ପ୍ରୟୋଗ ଏବେ ପରମ୍ପରା ହେବାକୁ ଚେଷ୍ଟା ଚଳାଇଛି, ଆମ ପିଲାଏ ତାକୁ ଗ୍ରହଣ କରୁଛନ୍ତି । ଆମେ ତ ଆପଣଙ୍କ ପାଇଁ ଜରାନିବାସର ବିଭିନ୍ନ ଦେୟ ବାବଦକୁ ମାସିକ ପନ୍ଦର ହଜାର ଟଙ୍କା ହିସାବରେ, ପାଞ୍ଚ ବର୍ଷ ପାଇଁ ମୋଟ ନଅ ଲକ୍ଷ ଟଙ୍କାର ଏଗ୍ରୀମେଣ୍ଟ୍ କରିଛୁ । ଫିପ୍ଟି ପରସେଣ୍ଟ୍ ଆଡ୍ଭାନ୍ସ ଡିପୋଜିଟ୍ କରିଛୁ । ଆମେ କିନ୍ତୁ ବୁଢ଼ା ବୟସରେ ଜରାନିବାସକୁ ଆସିବୁନି, କିନ୍ତୁ ପିଲାଙ୍କ ଉପରେ ବୋଝ ହେଇ ରହିବୁ ନି ।

. . . ଯଥେଷ୍ଟ ଆଗରୁ, କୌଣସି ସ୍ୱାସ୍ଥ୍ୟ ନିବାସ କ୍ଷେତ୍ରରେ ଆମ ପାଇଁ ସ୍ୱତନ୍ତ୍ର ଘର ତୋଳିଥିବୁ । ଜରାନିବାସର ସମସ୍ତ ସୁବିଧା ସେଠାରେ ଥିବ । ଆମ ପାଇଁ ଅନ୍ୟମାନେ ଲାଗିବେ- ଯେଉଁମାନେ ଚାକିରୀ କରି ଉପାର୍ଜନ କରିବାକୁ ଚାହୁଁଥିବେ । ଆମେ ଆମ ପିଲାଙ୍କଠାରୁ ଯଥେଷ୍ଟ ଦୂରକୁ ଘୁଞ୍ଚି ଯାଇଥିବୁ ।

କାରଣ, କିଛି ଲୋକ ସାକ୍ରିଫାଇସ୍ ନ କଲେ, ଅନେକ ଲୋକଙ୍କର ଉପକାର ହୁଏ ନା । ସମାଜଟା ଏହି ଅକର୍ମଣ୍ୟ କଟ୍ଟରପନ୍ଥୀ ବୁଢ଼ାବୁଢ଼ୀଙ୍କ ଯୋଗୁଁ ହିଁ ଅଧା ଅଧି ସ୍ଥାଣୁ ହେଇଯାଉଛି । ସବୁ ମଣିଷ ସମାନ । ପୁଅ କ’ଣ ନା ଝିଅ କ’ଣ ! ସ୍ନେହ ଯଦି ସବୁ ଜାଗାରୁ ମିଳିଲା. . . ବିଶ୍ୱାସ ଯଦି ସବୁ ଆଡ଼େ ମାଡ଼ିଲା. . . ନିଜ ରକ୍ତ, ପର ରକ୍ତର ମାନେ କିଛି ନାହିଁ ।

ଏହିପରି ସମାଜ ଗଠନ ପାଇଁ ନୂଆ ଉଦ୍ୟମ ଆରମ୍ଭ ହେଉଛି- ଏହି ଜରାନିବାସ ମାନଙ୍କରୁ । ଅଥଚ ଆପଣ ! ପୃଥିବୀଟା କେଡ଼େ ଛୋଟ ହେଇଗଲାଣି, ଆପଣ ସେହି ପୁରୁଣା ପରମ୍ପରାକୁ ଜାବୁଡ଼ି ଧରିଛନ୍ତି ଯାହା ।”

ଏହି ସମୟରେ ନାତି ନାତୁଣୀ ସେଠାରେ ପହଞ୍ଚିଗଲେ । ଜେଜେ ପଚାରିଲେ- “ଆରେ ! ବୁଢ଼ା ବୟସରେ ତୁମେମାନେ ତୁମ ବାପା ମା’. . . କି ଶାଶୁ ଶଶୁରଙ୍କୁ ଅସହାୟ ମାନସିକ ଅବସ୍ଥାରେ, ଜରାନିବାସରେ ଛାଡ଼ି ଦେଇପାରିବ ? ତୁମେ ସିନା ନୂଆ ଯୁଗରେ ନୂଆ ପରମ୍ପରା ପାଇଁ ବ୍ୟସ୍ତ. . . ତୁମ ଭିତରେ ଥିବା ମନଟା କ’ଣ ପୁରୁଣା ପ୍ରେମରେ ବନ୍ଧା ନ ଥିବ ?”

ନାତୁଣୀ କହିଲା- “ଗ୍ରାଣ୍ଡ୍ପା’ ! ଆମେ ଯେଉଁ ପଶ୍ଚିମ ଦେଶକୁ ପଢ଼ିବାକୁ ଯାଉଛୁ, ସେଠାକାର ମଣିଷ ପଶୁଙ୍କଠାରୁ ଶିଖନ୍ତି । ପକ୍ଷୀଙ୍କଠାରୁ ବୁଝନ୍ତି । ଥିଓରୀଟା ଆପଣ ବୁଝିପାରିବେ ନାହିଁ ହଠାତ୍ । ଏକ୍ସପ୍ଲେନ୍ କରିଦେଉଛି-

. . . ଚଢ଼େଇମାନେ ବସା ବାନ୍ଧନ୍ତି. . . ଅଣ୍ଡା କରାନ୍ତି. . . ଅଣ୍ଡା ଦିଅନ୍ତି. . . ଉଷୁମାନ୍ତି. . . ଛୁଆ ଫୁଟାନ୍ତି । ପଶୁମାନେ ଗର୍ଭ ଦିଅନ୍ତି. . . ଗର୍ଭ ନିଅନ୍ତି. . . ଛୁଆ ଜନ୍ମ କରନ୍ତି । ଅଳ୍ପ କେଇ ଦିନର ଦାୟିତ୍ୱ ପରେ କେହି କାହାର ବୋଝ ହେଇ ରହନ୍ତି ନାହିଁ । ଏଇ ପାଇଁ ପଶ୍ଚିମର ଅଧିକାଂଶ ଦେଶ ଆଡ୍ଭାନ୍ସଡ୍ ।”

ନାତି କହିଲା- “ସେମାନେ ବୁଢ଼ା ହେବା ଯାଏ ଗୋଟାଏ ଜାଗାରେ ଅଟକି ରହନ୍ତି ନାହିଁ । ସମଗ୍ର ସଂସାରରେ ସବୁ କିଛିକୁ ନିଜର ବୋଲି ମନେ କରି, ନିଜର ଆବଶ୍ୟକତା ମୁତାବକ ଯେଉଁଠି ସୁବିଧା, ସେଠୁ ସଂଗ୍ରହ କରିନିଅନ୍ତି. . . ସରଳ ଭାବରେ ହେଉ, କି ବଳ ପ୍ରୟୋଗ କରି ହେଉ ! ସେଠି ନିରବରେ ପଶୁ-ପକ୍ଷୀ ଏହି ଶିକ୍ଷା ଦିଅନ୍ତି । ସେଠି ମଣିଷ ଏହି କଥା ଶିଖନ୍ତି ।”

“ତେବେ, ତୁମେ କ’ଣ କରିବ ?” ଜେଜେ ପ୍ରଶ୍ନ କଲେ ।

“ଆମେ ଫରେନ୍‌ରେ ପଢ଼ିବୁ । ଫରେନ୍ କଲଚର୍‌ରେ ବଢ଼ିବୁ । ସେଇଠି ରହିବୁ । ନିଜକୁ ଭାରତ, ବିଲାତ କି ଆମେରିକାର ଲୋକ ନ ଭାବି, ପୃଥିବୀର ମଣିଷ ବୋଲି ମନେ କରିବୁ । ଯେଉଁଠି ଦୁର୍ବଳ ବାଡ଼ ଦେଖିବୁ, ଷଣ୍ଢ ଭୂଷିଲା ପରି, ବାଡ଼ ଭାଙ୍ଗି ସବୁକୁ ଚରିଯିବୁ । ଯେଉଁଠି ଶସ୍ୟ କିଆରୀ ଦେଖିବୁ, ପକ୍ଷୀ ଖୁଣ୍ଟି ଖାଇଲା ପରି, ସବୁ ଦାନା ଖାଇଯିବୁ । ବାହା ହେବୁ ସେଇଠି । ପ୍ରଥମକୁ ଭୁଲିଯାଇ ଦ୍ୱିତୀୟକୁ, ପୁଣି ଦ୍ୱିତୀୟକୁ ଭୁଲି ଯାଇ ତୃତୀୟକୁ. . . ଏମିତି ଏମିତି ମନ ବଳ, ଦେହ ବଳ ଥିବା ଯାଏ, ବାହା ହେଉଥିବୁ । ସନ୍ତାନ କରିବୁ ନାହିଁ । ଯଦି ଭୁଲ୍ କ୍ରମେ ହୋଇଯାଏ. . . ଅନାଥାଶ୍ରମରେ ଛାଡ଼ି ଦେଇ, ତାଙ୍କ ପାଇଁ ଟଙ୍କା ଖଞ୍ଜି ଦେବୁ. . . । ଆମେ ନୂଆ ସଂସ୍କୃତିର ମୂଳଦୁଆ ପକାଇବୁ ।”

“କିରେ ତୁ ଏମିତି କ’ଣ କହୁଚୁ ?” ମମି ଶଙ୍କିତ ସ୍ୱରରେ ପଚାରିଲେ ।

ଝିଅ କହିଲା- “ଭାଇ ଠିକ୍ କହୁଚି ମମି । ଚଢ଼େଇ ଅଣ୍ଡାରୁ ଶାବକ ହେବା. . . ପଶୁ ଗର୍ଭରୁ ଛୁଆ ଜନ୍ମିବା, ପ୍ରାଣୀ ଜଗତରେ ଗୋଟାଏ ଗୋଟାଏ ଖେଳ କୌତୂକର ପରିଣାମ । ମଣିଷର ଛୁଆ ଜନ୍ମ ହେବା ବି ଏକା କଥା । ପାର୍ଥକ୍ୟ- ପଶୁ ପକ୍ଷୀଙ୍କର ସମାଜ ନାହିଁ, ଆମେ ସମାଜ ଗଢ଼ିଛୁ । ଯେ ଗଢ଼ିଛି, ସେ ନିୟମର ସଂଯୋଗ କରିପାରେ, ନିୟମ ଭାଙ୍ଗି ବି ଦେଇପାରେ ।

ବୁଝିଲୁ ମମି- ପଶୁ ପକ୍ଷୀ ଯେମିତି ସବୁ ସମ୍ପର୍କକୁ ଅଳ୍ପ ଦିନରେ ଭୁଲିଯାଆନ୍ତି. . . ମୋହ, ମାୟା ମମତାର ବନ୍ଧନରୁ ମୁକ୍ତ ହେଇ ରହନ୍ତି, ଆମେ ସେମିତି ହେଇଯିବୁ । ତାଙ୍କ ଠାରୁ ଆହୁରି ଆଡ୍ଭାନ୍ସଡ୍ ହେବୁ । କାରଣ, ଆମ ବୁଦ୍ଧିର ବିକାଶ ଅଛି ତ !”

ପୁଅ କହିଲା- “ଯେମିତି ପଶୁ ପକ୍ଷୀମାନଙ୍କର ବାପ, ମା’, ଭାଇ, ଭଉଣୀ ବୋଲି ସମ୍ପର୍କ କିଛି ନଥାଏ, ଆମର ବି ସେମିତି କାହାରି ସହିତ କୌଣସି ସମ୍ପର୍କ ନ ଥିବ । ସମ୍ପର୍କ ଥିଲେ ସିନା, ଜେଜେଙ୍କ ପରି ଆକୁଳ ବ୍ୟାକୁଳ ହେବାକୁ ପଡ଼ିବ । ସମସ୍ତ ପୁରୁଣା ସମ୍ପର୍କର ଶିକୁଳିକୁ ଭାଙ୍ଗି ଦେଇ, ବନ୍ଧନହୀନ ସ୍ୱଚ୍ଛନ୍ଦ ଜୀବନ ଜୀଉଁ ଜୀଉଁ, ଆମେ କିଏ କେଉଁଠି ମରିଯିବୁ, କେହି ବି ଜାଣିବେ ନାହିଁ । ଏଇଟା ଧୀରେ ଧୀରେ ଗୋଟାଏ ପରମ୍ପରା ହେଇଯିବ । ସମାଜଟା ଖାଲି ପର ବୋଝ ମୁଣ୍ଡାଇ ମୁଣ୍ଡାଇ, ଥକି ପଡ଼ିଲାଣି । ସେ ଟିକେ ଶାନ୍ତିରେ ଶୋଇବ ।”

ଏତିକି କହି, ହାତ ଧରାଧରି ହେଇ, ଭାଇଭଉଣୀ ବାହାରିଗଲେ । ବୋହୂମା’ଙ୍କ ଦାୟିତ୍ୱର ବୋଝ ହାଲ୍କା ହେଉ ହେଉ. . . ଓଜନିଆ ହେଇଗଲା । ସେ ହଠାତ୍ ଖୁବ୍ ବେଶି ପାରିବାରିକ ହୋଇପଡ଼ି କହିଲେ-

“. . . ମ୍ୟାନେଜର୍ !”

ୟେସ୍ ମାଡ଼ାମ୍ ।

“. . . ଆଡ୍ଭାନ୍ସ ଡିପୋଜିଟ୍ ଟଙ୍କାକୁ ଜରାନିବାସର ଡେଭ୍ଲପ୍ମେଣ୍ଟ୍ ହେଡକୁ ଡୋନେସନ୍ ଆକାରରେ ନେଇ ନିଅ । ଏଗ୍ରୀମେଣ୍ଟ୍ କ୍ୟାନ୍ସେଲ୍ କର. . . ।”

ଦ୍ୱାରିକାନାଥଙ୍କ ଆଖିରୁ ଦୁଇଧାର ଲୁହ ଝରିପଡ଼ିଲା ।

ଲୋକପ୍ରିୟ ଲେଖା

To Top