ଗଳ୍ପ

ଜରାନିବାସ

Prakash Behera's Odia Story JARAA NIBAASA

ମାରାତ୍ମକ ହବନି । ଏବେ ତ ସବୁଥିରେ ବିଷ, ଖାଇବା ପିଇବା ଜିନିଷ କଥା ଛାଡ଼, ଏବେ ତ ମଣିଷର କଥା କଥାକେ ବିଷ । ସବୁ କିଛି ଭେଜାଲ୍ । ଯୋଉ ଔଷଧ ରୋଗକୁ ଭଲ କରୁଛି, ତା’ ବି ଭେଜାଲ୍ ।

ଜରାନିବାସ

ସବୁଦିନ ସକାଳ ପରି ଇଏ ବି ଗୋଟେ ସକାଳ । କାଠାଯୋଡ଼ି ନଦୀକୂଳ ରାସ୍ତାରେ ସବୁଦିନ ପରି ଭେଟାଭେଟି ହେଲେ ନରହରି ବାବୁ ଓ ସନାତନ ବାବୁ । ଦୁଇ ସକାଳ ବୁଲା ସହଯାତ୍ରୀ । ପ୍ରାରମ୍ଭିକ ସମ୍ଭାଷଣ ପରେ ପାଦକୁ ପାଦ ମିଳାଇ ଆଗକୁ ଚାଲିଲେ ଦୁଇ ବନ୍ଧୁ ।

କେବଳ ପାଦ ସହ ପାଦ ନୁହେଁ, ସୁଖ ସହ ସୁଖ ଓ ଦୁଃଖ ସହ ଦୁଃଖ ମିଶାନ୍ତି ପରସ୍ପର । ଜଣେ ଆଉ ଜଣର ଭଲରେ ମନ୍ଦରେ ଭାଗ ବସାନ୍ତି ।

ସେ ପର୍ଯ୍ୟନ୍ତ ମଗୁଶିରର କୁହୁଡ଼ି ଛାଡ଼ି ନଥାଏ । ଦୁଇ ବନ୍ଧୁ ଆଜି ଟିକେ ବେଳାବେଳି ଭେଟ ହେଇ ଯାଇଛନ୍ତି । ଏଇ ରାସ୍ତା ହିଁ ତାଙ୍କୁ ସଖ୍ୟ ଦେଇଛି, ସାହଚର୍ଯ୍ୟ ବି । ଏଇ ରାସ୍ତା ହିଁ ତାଙ୍କୁ ଆତ୍ମୀୟ କରାଇଛି । ରାସ୍ତା ହିଁ ପାଲଟି ଯାଇଛି ସେମାନଙ୍କ ବାକି ଜୀବନ ବଞ୍ଚିବାର ସମ୍ୱଳ ।

ବେନି ଜନେ ଏକା ଦଶା । ଯେତେ ଚିକିତ୍ସା ଆଉ ଉପଚାର କଲେ ବି ମଧୁମେହ ନିୟନ୍ତ୍ରଣକୁ ଆସି ପାରୁନାହିଁ । ତେଣୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଏଇ ସକାଳ ପାଦଚଲା ହିଁ ସେମାନଙ୍କ ଚିକିତ୍ସାର ଅନ୍ୟତମ ଉପଚାର ହୋଇଛି ।

ଆଗରୁ କେଡ଼େ ବଡ଼ ବଡ଼ ରୋଗ ଛୋଟ ଛୋଟ ଚିକିତ୍ସାରେ ଭଲ ହେଇ ଯାଉଥିଲା । ଡାକ୍ତରୀ ଚିକିତ୍ସା ପ୍ରାୟ ନଥିଲା କହିଲେ ଚଳେ । ଅଥଚ ଏବେ ଛୋଟ ଛୋଟ ରୋଗ ମଣିଷର ବଡ଼ ବଡ଼ କ୍ଷତି କରୁଛି । ଦିନ ଥିଲା ଯୋଉ ରୋଗ ମାରାତ୍ମକ ବୋଲି ଶୁଣାଯାଉଥିଲା, କାଁ ଭାଁ କଦବା କ୍ୱଚିତ୍ କାହା ଠାରେ ଦେଖିବାକୁ ମିଳୁଥିଲା, ଆଜି ଦିନରେ ସେସବୁ ମୃତ୍ୟୁର ସାଧାରଣ କାରଣ ପାଲଟି ଯାଇଛି ।

ଦୁଇ ବନ୍ଧୁ ଚାଲିବା କ୍ରମରେ ପରସ୍ପର ଏଇକଥା ଆଲୋଚନା କରୁଥିଲେ ଓ ଆଲୋଚନା ବେଳେ ବର୍ତ୍ତମାନର ଖାଦ୍ୟ ପେୟ ଓ ଚଳଣିକୁ ନେଇ ଉଦ୍‌ବେଗ ପ୍ରକାଶ କରୁଥିଲେ । କଥା ଛଡ଼େଇ ନରହରି ବାବୁ କହିଲେ, “ମାରାତ୍ମକ ହବନି । ଏବେ ତ ସବୁଥିରେ ବିଷ, ଖାଇବା ପିଇବା ଜିନିଷ କଥା ଛାଡ଼, ଏବେ ତ ମଣିଷର କଥା କଥାକେ ବିଷ । ସବୁ କିଛି ଭେଜାଲ୍ । ଯୋଉ ଔଷଧ ରୋଗକୁ ଭଲ କରୁଛି, ତା’ ବି ଭେଜାଲ୍ । ଯେତେବେଳେ ପାଣି ପବନ ସବୁଥିରେ ବିଷ ଚରି ଗଲାଣି, ମଣିଷ ମାରାତ୍ମକ ରୋଗର ଶିକାର ହବନି ତ ଆଉ ହବ କିଏ ?”

ସନାତନ ବାବୁ ନରହରି ବାବୁଙ୍କ କଥାକୁ ଅକୁଣ୍ଠ ସମର୍ଥନ ଦେଲା ଭଳି କହିଲେ, “ହଁ, ସେଇୟା ନୁହେଁ ତ ଆଉ କ’ଣ ? ଛାଡ଼ ସେସବୁ କଥା । ଆମର ତ ବେଳ କାଳ ହେଇଗଲାଣି । ଆଉ କେତେଟା ଦିନ ପ୍ରଭୁଙ୍କୁ ଡାକି ଚଳିଗଲେ ଗଲା ।”

ଏତେ ବେଳକୁ ସେମାନେ ତୁଳସୀପୁର ଛକରେ ପହଁଚି ଯାଇଥିଲେ । ଚା’କପେ ଲେଖା ପିଇ ଫେରିଲା ବେଳକୁ ସନାତନ ବାବୁ ନରହରି ବାବୁଙ୍କୁ ତାଙ୍କ ଘର ଆଡ଼େ ବୁଲି ଆସିବାର ପ୍ରସ୍ତାବ ଦେଲେ ।

ପ୍ରସ୍ତାବ ଶୁଣି ନରହରିବାବୁ ନାହିଁ ନାହିଁ କରୁଥିଲେ । ହେଲେ ସନାତନ ବାବୁ ବାଧ୍ୟ କଲାରୁ ସେ ତାଙ୍କୁ ଆଉ ମନା କରିପାରିଲେ ନାହିଁ ।

ଅବସର ଆଉ ଚାରି ବର୍ଷ ଥିଲା । ସେଲ୍ଟର୍ ଛକରେ ସନାତନ ବାବୁ ଏଇ ଘରଟି ତୋଳିଥିଲେ । ଖୁବ୍ ବଡ଼ ଘରଟେ । ସେତେବେଳର ପ୍ଲାନ୍ ଅନୁଯାୟୀ ଯେମିତି ଯାହା ତୋଳିବା କଥା, ସେମିତି ହିଁ ସେ କରିଥିଲେ । ଘର ଆଗକୁ ଛୋଟ ବଗିଚାଟେ । ବଗିଚାରେ ନାନା ରକମ ଫୁଲ ଗଛ । ଉପରେ ପୋଟିକୋ । ବାଁ ପଟକୁ ଗାଡ଼ି ରଖିବା ପାଇଁ ଗ୍ୟାରେଜ୍ ।

ଡ୍ରଇଂରୁମର ସୋଫାରେ ବସିଲେ ନରହରି ବାବୁ । ବାଃ, ସନାତନ ବାବୁ ଖୁବ୍ ସୌନ୍ଦର୍ଯ୍ୟପ୍ରିୟ ଲୋକ ନିଶ୍ଚୟ । ଘର ଆଗର ବଗିଚା ଦେଖି ତାଙ୍କୁ ତ ଫୁଲ ପ୍ରିୟ ବୋଲି ଜାଣିଥିଲେ । ଏବେ ଡ୍ରଇଂରୁମ୍ କାନ୍ଥରେ ଲଟକି ଥିବା ପେଣ୍ଟି ଗୁଡ଼ାକୁ ଦେଖି ଜଣେ କଳାପ୍ରିୟ ମଣିଷର ପରିଚୟ ପାଇଗଲେ ।

ଏତିକି ବେଳେ ସନାତନ ବାବୁଙ୍କ ଧର୍ମପତ୍ନୀ ଅନୁରାଧା ପାଣି ଗିଲାସ ଆଣି ଟି’ପୟ ଉପରେ ଥୋଇ ନରହରି ବାବୁଙ୍କୁ ନମସ୍କାର କଲେ । ପରେ ପରେ ଅଲଗା ଅଲଗା ଜାଗାରେ ଟିଫିନ୍ ଆଣି ଦି’ଜଣଙ୍କୁ ଦେଲେ । ସାମ୍ନା ସୋଫାରେ ବସି କିଛି ସୌଜନ୍ୟମୂଳକ କଥାବାର୍ତ୍ତାରେ ଭାଗ ନେଲେ । ଟିଫିନ୍ କଲାବେଳେ ନରହରି ବାବୁ ସନାତନ ବାବୁଙ୍କର ସୁଖ ଜୀବନ ଓ ସେମାନଙ୍କର ସୁଖ ଦାମ୍ପତ୍ୟ କଥା ଭାବୁଥିଲେ । ଘର ପରିବେଶ ଏକ ପ୍ରକାର ନିର୍ଜନ ଥିଲା ବୋଲି ସେ ଅନୁମାନ କରୁଥିଲେ ।

ଯେତେବେଳେ ଅନୁରାଧା ଚା’କରି ଆଣି ପହଞ୍ଚାଇଲେ ନରହରି ବାବୁ ନିଜ ଉତ୍ସ୍ରୁକତାକୁ ରୋକି ନପାରି ପଚାରିଦେଲେ, “ମୁଁ ଦେଖୁଛି ଟିଫିନ୍ ଠାରୁ ଆରମ୍ଭ କରି ଚା’ ପାଣି ପର୍ଯ୍ୟନ୍ତ ସବୁ ତ ଆପଣଙ୍କ ମାଡ଼ାମ୍ ଦେଲେ । କାହିଁ ବୋହୂ କି ନାତି ନାତୁଣୀ ପାଖରେ କେହି ରହୁନାହାନ୍ତି ? ଆପଣ ଦି’ଜଣଙ୍କୁ ଛାଡ଼ି ଏ ଘରେ ଆଉ କେହି ରହିଲା ଭଳି ମନେ ହେଉ ନାହାନ୍ତି ।” ସନାତନ ବାବୁ ଟିଭି ଅଫ୍ କରି ଦୀର୍ଘଶ୍ୱାସ ନେଇ କହିଲେ, “ତାହା ହିଁ ଏ ବାର୍ଦ୍ଧକ୍ୟର ଦୁଃଖ, ନରହରି ବାବୁ ।”

: “କ’ଣ ପୁଅବୋହୂ ନାହାନ୍ତି ନା ପାଖରେ ରହୁନାହାନ୍ତି ?”

: ଅଛନ୍ତି ନରହରି ବାବୁ, ସମସ୍ତେ ଅଛନ୍ତି, ତିନି ପୁଅ ବୋହୂ, ନାତି ନାତୁଣୀ ସମସ୍ତେ ଅଛନ୍ତି, ସେମାନେ ଏଠି ରହୁନାହାନ୍ତି କି ରହିବାକୁ ଚାହୁଁ ନାହାନ୍ତି ।

: ଯଦି କିଛି ମନେ ନ କରନ୍ତି, ଗୋଟେ କଥା ପଚାରିବି, “ପୁଅ ବୋହୂମାନଙ୍କ ସହ ଆପଣଙ୍କର କିଛି ମନୋମାଳିନ୍ୟ ଅଛି ?”

କଥାଟା ଶୁଣି ସନାତନ ବାବୁ ସ୍ମିତ ହସିଲେ । ପୁଣି ସାଙ୍ଗେ ସାଙ୍ଗେ ଗମ୍ଭୀର ହେଇ କହିଲେ “ସବୁ ଠିକ୍ ଅଛି । ହେଲେ ଆଜିକାଲିର ସଭ୍ୟତା ଆଉ ଚାଲିଚଳଣି ପାଖରେ ଆମେ ଯାହା ଅଲୋଡ଼ା ହେଇ ଯାଇଛୁ । ମହାନଗରୀ ପାଖରେ ମୁନିସିପାଲଟିର ରଙ୍ଗ ପାଣିଚିଆ ଆଉ ଫିକା ପଡ଼ିଯାଇଛି ।”

କଥାଟା କ’ଣ ସଠିକ୍ ବୁଝିବାକୁ ନରହରି ବାବୁ ଜିଜ୍ଞାସା କଲେ । ସନାତନ ବାବୁ ନରହରି ବାବୁଙ୍କ ମନର ମଞ୍ଜି କଥା ଠଉରେଇ ତାଙ୍କୁ ପଚାରିଲେ- “ଆପଣ ଆଜି ସକାଳଟା ଫାଙ୍କା ଅଛନ୍ତି ତ ?”

: “ସକାଳ କାହିଁକି, ପୁରା ଦିନଟା ଫାଙ୍କା ଅଛି । କୋଉ ଅଫିସ୍ ଅଛି ଯେ ତରବର ହେବି । ଅଫିସ୍ ପାଇଁ ତରବର ହେବା ଅଭ୍ୟାସଟା ବର୍ଷେ ହେଲାଣି ଜାମ୍ ପଡ଼ିଯାଇଛି ।”

: “ତାହେଲେ ଆସନ୍ତୁ ଏଆଡ଼େ । (ଚାବି ନେନ୍ଥାଏରୁ ନିର୍ଦ୍ଦିଷ୍ଟ ଗୋଟିଏ ଚାବି ବାଛି ରୁମ୍ ଗୋଟିଏ ଖୋଲିଲେ) । ଏଇ ଯୋଉ ରୁମ୍ ଦେଖୁଛନ୍ତି, ଏଇଟା ଆଜ୍ଞା ବଡ଼ ପୁଅର ।”

: ଏତେ ବହି, ପୁରା ତ ତିନି ତିନିଟା କପ୍‌ବୋର୍ଡ ଭର୍ତ୍ତି ।

: ହଁ, ଏ ବହି ସବୁ ତା’ର । ଭାରି ବହି ପାଗଳ ପିଲାଟା । ଦୁଇ ତିନିଟା ବିଷୟରେ ପିଜି କରିଛି । ଡକ୍ଟରେଟ୍ ବି ସାରିଛି, କ’ଣ ଡି.ଲିଟ୍.ଫିଲିଟ୍ କରିବାକୁ ଚାହୁଁଥିଲା । ମୁଁ ମନା କଲାରୁ କହିଲା- “ବାପା, ଚାକିରୀରେ ଥରେ ପଶିଗଲେ ଆଉ କ’ଣ ପଢ଼ାପଢ଼ି କରିହେବ ?” ଯାହା ହଉ, ଆମେ ଦି’ଜଣ ବିରକ୍ତ ହେବାରୁ ପଢ଼ା ସେତିକିରେ ବନ୍ଦ୍ କଲା । ସିଭିଲ୍ ଦେଲା ଆଉ ଥରକରେ ପାଇଗଲା ।

: ତା’ହେଲେ ବଡ଼ ପୁଅ ଏବେ କୋଉଠି ?

: ଟ୍ରେନିଂ ପରେ ବାଙ୍ଗାଲୋରରେ ତା’ର ପୋଷ୍ଟିଂ ଥିଲା, ସେଠି ଚାରି ବର୍ଷ ରହିଲା ପରେ ଏବେ ଗଭର୍ଣ୍ଣମେଣ୍ଟ୍ ତାକୁ ଆମେରିକା ପଠେଇଛି ।

: ତାଙ୍କ ପୁଅ ଝିଅ ?

: ଗୋଟେ ପୁଅ । ଗୋଟିଏ ଝିଅ । ସେମାନେ ପୁଅବୋହୂଙ୍କ ପାଖରେ ରହି ଆମେରିକାରେ ପଢୁଛନ୍ତି ।

: ବଡ଼ପୁଅ- ବୋହୂ କେବେ କେବେ ଆସନ୍ତି ?

: ଆସିବା କଥା କୁହନ୍ତୁନି ନରହରି ବାବୁ । ବର୍ଷରେ ଥରେ ଆସିବା ତାଙ୍କ ପାଇଁ ମୁସ୍କିଲ୍ ହେଇ ପଡ଼େ ।

ଇଆଡ଼େ ଆସନ୍ତୁ, ନରହରି ବାବୁଙ୍କୁ ଇସାରା ଦେଇ ସନାତନ ବାବୁ ଆଉ ଗୋଟିଏ ବନ୍ଦ୍ କୋଠରୀର ତାଲା ଖୋଲିଲେ । ଲାଇଟ୍ ଜାଳିଲେ ।

: ଏଇଟା ବୋଧେ ମଝିଆଁ ପୁଅର ?

: ଠିକ୍ କହିଛନ୍ତି କହି ସନାତନ ବାବୁ ଝରକା ଖୋଲିଲେ ଓ ଲାଇଟ୍ ଲିଭାଇଲେ ।

ଝରକା ଖୋଲିବାରୁ ନରହରି ବାବୁ ପୁରା ଝଲସିଗଲେ ଓ ଆଶ୍ଚର୍ଯ୍ୟ ହୋଇ ରୁମ୍‌ର ଗୋଟେ କୋଣରେ ଥିବା ଲାର୍ଜ ସାଇଜ୍ ପେଣ୍ଟିଂ ଆଡ଼କୁ ଚାହିଁ ରହିଲେ । ଅକସ୍ମାତ୍ କହି ପକାଇଲେ, “ସନାତନ ବାବୁ, ଆପଣ ଏବେ ମୋ ପାଖରେ ନା ଏଇ ପେଣ୍ଟିଂରେ ?”

ସନାତନ ବାବୁ ପେଣ୍ଟିଂକୁ ନେଇ ମନେ ମନେ ଗର୍ବ କରୁଥିଲେ । ଯଥେଷ୍ଟ ଖୁସି ଓ ଆତ୍ମସନ୍ତୋଷ ସହ ବ୍ୟକ୍ତ କଲେ, “ଏଇଟା ମୋ ମଝିଆ ପୁଅ ଆଙ୍କିଛି । ଆପଣ ତା’ ନାଁ ଟିଭି କି ପେପର୍ କୋଉଥିରୁ ହେଲେ ଜାଣିଥିବେ ? ଗଲା ମାସରେ ଇଟାଲି ଗଭଣ୍ଣମେଣ୍ଟ ରଫେଲୋସିପ୍ ପାଇ ସେ ସେଠିକି ଚାଲିଯାଇଛି । ତା’ ପୂର୍ବରୁ ସିନେମାଟୋଗ୍ରାଫି କୋର୍ସ କରି ବମ୍ୱେରେ ବହୁତ ଦିନ ଥିଲା ।”

ନରହରି ବାବୁ ତଥାପି ସେଇ ପେଣ୍ଟିଂରେ ଲାଖି ରହିଥିଲେ । ଚିତ୍ର ବି ବାସ୍ତବ ଠାରୁ ଏତେ ଜୀବନ୍ତ ହେଇପାରେ, ଏହା ତାଙ୍କ କଳ୍ପନା ବାହାରେ ଥିଲା ।

ତାରୁଣ୍ୟର କୋଉ ପ୍ରେମାସ୍ପଦ ମୁହୂର୍ତ୍ତରେ ସନାତନ ବାବୁ ଓ ପତ୍ନୀ ଅନୁରାଧା ଆଲିଙ୍ଗନ ମୁଦ୍ରାରେ ଯୁଗଳବନ୍ଦୀ ଥିଲେ- ଚିତ୍ରକୃତଟି ଖାସ୍ ଏଇ କଥା ବଖାଣୁଥିଲା ।

ଚିତ୍ରଟିକୁ ଆଉ ଅଧିକ ପ୍ରଶଂସା କରିବାକୁ ଯାଇ ନରହରି ବାବୁ କହି ପକାଇଲେ, “ଏତେ ସୁନ୍ଦର ଆଉ ଜୀବନ୍ତ ଚିତ୍ର ମୁଁ ଆଜି ଯାଏ କୋଉଠି ଦେଖି ନାହିଁ ।”

ଚିତ୍ରଟି ସମ୍ପର୍କରେ ସନାତନ ବାବୁ ସୂଚନା ଦେବାକୁ ଯାଇ କହିଲେ, “ସେ ବାଳୁଙ୍ଗାଟା କୋଉ ଦିନ ଠାରୁ ଏ ଚିତ୍ରଟା ଆଙ୍କୁଥିଲା ମୁଁ ଜାଣିନି । କିନ୍ତୁ ଯୋଉ ଦିନ ମୁଁ ଅବସର ନେଇ ଉଦାସ ମନରେ ଘରେ ପହଞ୍ଚିଲି, ଏଇ ମଝିଆଁଟା ଆସି ମୋ ପାଦ ଛୁଇଁ ମୋତେ ପ୍ରଣାମ କଲା । ତା’ ବୋଉକୁ ବି ଜୁହାର ଦେଲା । ତା’ ପରେ କହିଲା, “ଏଆଡ଼େ ବୁଲିପଡ଼ ଓ ଆଖି ଖୋଲ । ପରେ ପରେ ସେ ଧୀରେ ଧୀରେ ପେଣ୍ଟିଂ ଉପରୁ କପଡ଼ା ଉଠାଇଲା ଓ ଘୋଷଣା କଲା, ଆପଣଙ୍କ ପାଇଁ ମୋ ତରଫରୁ ଏହା ଅବସରକାଳୀନ ଉପହାର । ଯେତେବେଳେ ମନଦୁଃଖ ଲାଗିବ କି ଏକୁଟିଆ ଲାଗିବ, ଏଇ ପେଣ୍ଟିଂ ଦେଖିବେ । ଜମା ବୋର୍ ହେବେନି, ବାପା ।”

ନରହରି ବାବୁ ପେଣ୍ଟିଂ ତଳର ଲେଖା ପଢୁଥିଲେ, “ମୋ ବାପାଙ୍କୁ, ଅବସର ଅବସରରେ ।” ପାଣି ଗିଲାସେ ପିଇବାକୁ ଅବାକୁ ମାଗି ପଚାରିଲେ, “ଇଏ ବି କେବେ କେବେ ଆସୁଥିବ ?” ଅନୁରାଧା ପାଣି ବଢ଼ାଇ ଦେଉ ଦେଉ କହିଲେ, “ନା, ବର୍ଷରେ ଥରେ ଦି’ଥର ଆସିବା ତା’ ପାଇଁ କଷ୍ଟକର ହେଇପଡ଼େ । ମୁମ୍ୱାଇର ମାୟାନଗରୀ ଯାହାକୁ ବାୟା କରିଛି ସେ ଏଇ ମରହଟ୍ଟୀ କଟକକୁ କାହିଁକି ପଚାରିବ ? ସେ ସ୍ୟାଡ଼େ, ତା’ପିଲା ଛୁଆ ବି ସ୍ୟାଡ଼େ ।”

: ତା ହେଲେ ନାତି ନାତୁଣୀମାନେ କେବେ କେବେ ଫୋନ୍ କରୁଥିବେ ? ଦିହପା’ କଥା ପଚାରୁଥିବେ ।

: ହଁ ନିଇତି ଫୋନ୍ କରନ୍ତି । ହେଲେ ଫୋନ୍‌ରେ କ’ଣ ପେଟ ପୁରିବ ? ନାତି ନାତୁଣି ଗୁଡ଼ା ବାରି ସିନିହ ରଙ୍କୁଣା । ସବୁଦିନ ମୋ ସାଙ୍ଗରେ ଲାଗିଥିବେ । ପଚାରି ହଉଥିବେ- “ଠାକୁ ମା’, ଖାଇଲଣି କି ନା, ଔଷଧ ଖାଇଲଣି କି ନା, ଆଜି ତ ସୋମବାର, ଠାକୁବାପା ତମକୁ ମନ୍ଦିର ବୁଲେଇ ନେଲେଣି କି ନା- ସବୁ କଥା ବୁଝନ୍ତି, ସବୁକଥା ହେପାଜତ କରନ୍ତି ।” ହେଲେ ସେଇ ଫୋନ୍‌ରେ । କାନଟା ଯାହା ତାଙ୍କ କଥା ପଦିକ ଶୁଣି ତୁନି ପଡ଼ିଯାଏ । ହେଲେ ଏଇ ଆଖି ଯୋଡ଼ାକ ଭାରି ଛଟପଟ ହୁଏ । ମନଟା କଷ୍ଟ ଲାଗେ । କହିଲେ ଆଜ୍ଞା, ଯୋଉ ଘରେ ପିଲା ଛୁଆଙ୍କ ଅଳି ଅର୍ଦ୍ଦଳି ନାହିଁ, ସେଟା କ’ଣ ଗୋଟେ ଘର ??

ତା’ପରେ

ଲୋକପ୍ରିୟ ଲେଖା

To Top