ଗଳ୍ପ

ଜରାନିବାସ

Prakash Behera's Odia Story JARAA NIBAASA

ତମେ ସବୁ ଟଙ୍କାରେ ପଢୁଛ, ଡଲାରରେ ବିକ୍ରି ହେଉଛ । ଦେଶରେ ପଢୁଛ, ବିଦେଶର ସେବା କରୁଛ । କ’ଣ କରିଛ ତମେ ଦେଶ ପାଇଁ. . . କଟକ ପାଇଁ. . . । ଖାଣ୍ଟି ଗୁଆଘିଅ ଭଳି ଏବେ ବି ଖାଣ୍ଟି କଟକିଆର ଦାମ୍ ଅଛି । ପରିଚୟ ବି ଅଛି, ଯାଃ. . . ଧେତ୍. . . !

ଜରାନିବାସ

-: ପୁର୍ବରୁ :-

କହୁ କହୁ ଅନୁରାଧା କାନ୍ଦ କାନ୍ଦ ହେଇଗଲେ । ନରହରି ବାବୁ ତାଙ୍କୁ ସାନ୍ତ୍ୱନା ଦେବେ କ’ଣ, ନିଜେ ଶୀତେଇ ଉଠିଲେ ତାଙ୍କ ଲୁହ ଆଉ କୋହରେ ।

ସେଇ ପେଣ୍ଟିଂ ରୁମ୍‌ର ତିନିଟା ଆର୍ମଚେୟାର୍‌ରେ ତିନିଜଣ ବସିଥିଲେ । ସମୟ ପରିସ୍ଥିତି ସବୁ ଗୁମ୍‌ସୁମ୍ । ଅନୁରାଧା ତାଙ୍କ କଥା ଜାରି ରଖିଥିଲେ । ଗଲା ଛଅ ତାରିଖରେ ବଡ଼ପୁଅ ସୁନୁର ଜନ୍ମଦିନ ଥିଲା । ରାତି ଚାରିଟାରୁ ଉଠି ପିଠା ପଣା କରି ସମସ୍ତଙ୍କ ଘରେ ବାଣ୍ଟିଲି । ମନ୍ଦିର ଯାଇ ତା’ ନାଁରେ ଦୀପ ଜାଳି ଆସିଲି ।

ଅନୁରାଧା ଆଉ କ’ଣ କହିବାକୁ ଯାଉଥିଲେ । କିନ୍ତୁ ନରହରି ବାବୁ ହକ୍ଷେପ କରି ପଚାରିଲେ, “ପୁଅଟା ତ ବଡ଼ ହେଇଗଲାଣି, ଏସବୁ କାହିଁକି କରୁଛ ? ତା’ ଛଡ଼ା ସେ ତ ତମ ପାଖରେ ରହୁନାହିଁ । ଆଉ ତମେ ତ ବୁଢ଼ାବୁଢ଼ୀ ହେଇଗଲଣି ।”

ଅନୁରାଧା କଥା ଛଡ଼େଇ ନେଇ କହିଲେ, “କ’ଣ ହେଲା ଏସବୁ ଆମେ କାହିଁକି କରୁଛୁ ? ନ କଲେ ଏ ପୋଡ଼ା ମନଟା କୋଉ ଥୟ ଧରି ରହୁଛି ଯେ । ଆଉ ଯୋଉ କହିଲେ ପୁଅ ବୁଢ଼ା ହେବା କଥା । ପୁଅ ବୁଢ଼ା ହେଇ ଗଲେ ବି ବାପ ମା’ଙ୍କ ପାଖରେ ସେ ସବୁବେଳେ ସେଇ ପୁଅ ହେଇ ରହିଥିବ । ପୁଅ କ’ଣ କେବେ ବୁଢ଼ା ହୁଏ !”

ସୁନୁବାପା ତାକୁ ଫୋନ୍ ଲଗାନ୍ତି । ଜନ୍ମଦିନର ଶୁଭେଚ୍ଛା ଜଣାନ୍ତି । ପିଠାପଣା ବଣ୍ଟାବଣ୍ଟି କଥା କହନ୍ତି । ମନ୍ଦିରରେ ଦାନ ଧର୍ମ କଥା କହନ୍ତି । ଗାଁ ଠାକୁରାଣୀ ବାସୁଳେଇ ମା’ଙ୍କ ନାଁରେ ମୁଣ୍ଡିଆଟେ ମାରିବାକୁ କହି ଧଣ୍ଡା ଖାଇବାକୁ କହନ୍ତି । ବଳ ବୟସ ଥିବା ଯାଏଁ କରୁଥିବି । ତେଣିକି ପ୍ରଭୁଙ୍କ ଇଚ୍ଛା ।

ସନାତନ ବାବୁ ସ୍ତ୍ରୀଙ୍କର ଛଳଛଳ ଆବେଗ କଥା ବସି ଶୁଣୁଥିଲେ । ନିଜକୁ ରୋକି ନ ପାରି କହିଲେ, “ଇଏ ବୁଢ଼ୀଟା ବି ସେମିତିଆ । ତାକୁ ଯେତେ ମନା କଲେ ବି ସେ ବୁଝିବାକୁ ନାରାଜ୍ । ଆରେ ତୋର ତ ଦିହପା’ ଭଲ ରହୁନାହିଁ । ଏତେ ଦିହଗଞ୍ଜ ହବା କ’ଣ ଦର୍‌କାର୍‌ ? ଯେତେ ମନା କଲେ ବି କଥା ମୋଟେ ଶୁଣିବ ନାହିଁ । ସବୁବେଳେ ଖାଲି ପୁଅ ପୁଅ ହଉଥିବ । ରଜ ଦଶରାଠୁ ଆରମ୍ଭ କରି ସବୁ ପର୍ବ କରିବ । ପୁଅମାନଙ୍କୁ ଫୋନରେ ଜଣେଇବ ଆଜି ଅମକେଇ ହେଇଛି, ସମକେଇ ହେଇଛି. . . ଜଣଉଥିବ. . . ଖୁସି ହଉଥିବ. . . ପୁଣି ସାଙ୍ଗେ ସାଙ୍ଗେ ଲୁହ ନିଗାଡ଼ି କହିବ ଧନରେ. . . ବାୟାରେ. . . ତୁ ଆଜି ଥିଲେ. . . ପୁଣି କାନ୍ଦିବ. . . ଆଉ କିଛି କହି ପାରିବନି. . . ଫୋନ୍ କଟିଯିବ. . . ।”

ନରହରି ବାବୁ ଦେଖିଲେ ଅନୁରାଧା ପୁରା ଲୁହ ଛଳଛଳ । ସେ ସନାତନ ବାବୁଙ୍କୁ ଅଟକେଇବା ପାଇଁ ଚାହିଁଲେ । ମନା କଲେ ଆଉ କିଛି କହିବା ପାଇଁ । ହେଲେ ସନାତନ ବାବୁ କୋଉ ବୋଲ ମାନନ୍ତି ।

ଉଜାଣି ନଈର ସୁଅ ପରି ତାଙ୍କର ବିଷୋଦ୍‌ଗାର ଲାଗି ରହିଥିଲା । ସମ୍ଭବତଃ ସେ ସଂଯମତା ହରାଇ ସାରିଥିଲେ । ରାଗିଯାଇ ଥିଲେ ବି । କହୁଥିଲେ, “ମୁଁ କାଇଁ ତାଙ୍କୁ ଦୋଷ ଦେବି । ଏଇ ବୁଢ଼ୀ ହଉଚି ଅସଲ, ସବୁବେଳେ ପୁଅ ପୁଅ ହଉଚୁ । ରହ ଦେଖିବା, ମଲା ବେଳେ କୋଉ ପୁଅ ଆସି ମୁହଁରେ ନିଆଁ ଦେବ ?”

ଅନୁରାଧା ଆଉ ସମ୍ଭାଳି ପାରିଲେନି, ଚିହିଁକି ଉଠିଲେ, “ନ ଦଉ, ମୁଁ ମୋ କର୍ତ୍ତବ୍ୟ କରୁଛି । ସେ ଯଦି ତାଙ୍କର କର୍ତ୍ତବ୍ୟ ନ କରିବେ, ତାକୁ ଦ୍ୱାହି ଦେଇ ମୁଁ କ’ଣ ତାଙ୍କ ମୁଣ୍ଡ ଉପରୁ ପଣତ କାନି ଉଠେଇ ଆଣିବି ? ଛି ଛି ତମେ ବାପ ହେଇ କିମିତି ଏ ଅଲକ୍ଷଣା କଥା ତୁଣ୍ଡରେ ଧରୁଛ ଶୁଣେ ।”

: “ଆରେ, ତୁ କ’ଣ ବାପ-ପୁଅ ଦେଖଉଛୁ ? କହିଲୁ, ଏଠି ଆମର କ’ଣ ଅଭାବ ଅଛି ? ସୁନୁ ହଉ କି ସୁଲୁ ହଉ, ଏଇ କଟକରେ କ’ଣ ତାଙ୍କୁ କାମ ମିଳିବନି ? ଚାକିରୀ ମିଳିବନି ? ତାଙ୍କୁ କିଛି ନ ମିଳୁ, ଦରକାର ପଡ଼ିଲେ ମୁଁ ମୋ ପେନ୍‌ସନ୍ ପଇସା ତାଙ୍କୁ ସବୁ ଦେଇଦେବି । ଆମର ଯେତିକି ଚୂନା ଅଛି ସେତିକି ପିଠା ହେବ । ପଇସା କ’ଣ ସ୍ୱର୍ଗକୁ ନବ ? ଅନେଇ ଥାନ୍ତୁ ସେ ପଇସାକୁ । ଜଗିଥାନ୍ତୁ ତାକୁ ଚଉକିଆ ହେଇ । ପଇସାକୁ ବାପ ମା’ କରି ପୂଜା କରୁଥାନ୍ତୁ । ନେଡ଼ି ଗୁଡ଼ କହୁଣୀକୁ ବହିଯିବ ଯେ. . . ।”

ଅନୁରାଧା ସେମିତି ସ୍ଥାଣୁବତ୍ ବସି ରହିଥିଲେ । ନରହରି ବାବୁ ଅନୁଭବ କରୁଥିଲେ ହଠାତ୍ ଯେମିତି କଳାହାଣ୍ଡିଆ ମେଘଟା ସାରା ଆକାଶରେ ଘୋଟି ଆସୁଛି । ହଠାତ୍ ଯେମିତି ରାତି ହେଇଯାଉଛି । ଅନ୍ଧାର ଢାଙ୍କି ପକଉଛି । ଆଉ ସେଇ ଅନ୍ଧାର ଭିତରେ ବାପ-ପୁଅର ସ୍ନେହ ସମ୍ପର୍କ, ସେବା, କର୍ତ୍ତବ୍ୟ ସବୁ ଲୁଚି ଯାଉଛି । ଅନୁରାଗର ବନ୍ଧନ ସବୁ ଛାଏଁ ଛାଏଁ ହୁଗୁଳି ଯାଉଛି ।

ସନାତନ ବାବୁ କୋହ ଉଠଉଥିଲେ । କାନ୍ଦ କାନ୍ଦ ହେଇ କହୁଥିଲେ, “ବାପର ପୁଅ ଥିଲା ବେଳେ ଯୋଉ କାମ କରୁଥିଲି, ଆଜି ପୁଅର ବାପା ହେଇ କି ବି ସେଇ କାମ କରୁଛି ଏ ବୁଢ଼ା ବୟସରେ । ବୁଢ଼ୀର ଔଷଧ ସରିଯାଇଛି, ଯା’ ନିଜେ ଛକକୁ । ମାଉଁସ ଟିକେ ଖାଇବାକୁ ମନ ବଳିଛି, ନିଜେ ନ ଗଲେ ନ ଚଳେ । ଗ୍ୟାସ୍ ସରିଯାଇଛି, ଏ ବୟସରେ ବି ଅଣ୍ଟାରେ ହାତ ଦେଇ ଲାଇନ୍‌ରେ ଠିଆ ହବାକୁ ପଡୁଛି. . . ଏମିତି ସବୁ କାମ ନିଜକୁ ଉଠେଇବାକୁ ପଡୁଛି । ଯେମିତି ମନ କହୁଛି ପେଣ୍ଟ୍ ସାର୍ଟ ଗଳେଇ ବାହାରିଲା ବେଳକୁ ସୁନୁ, ସୁଲୁ କି ସୁର କିଏ ଆସି କହନ୍ତାନି- “ବାପା, ସଉଦା ବ୍ୟାଗ୍‌ଟା ଦେଲ । ମୁଁ ହାଟ କରିଦେବି । ତମେ ରେଷ୍ଟ୍ ନିଅ । କି ଡକ୍ଟର ପାଖରେ ତମେ କ’ଣ ସିରିଅଲ୍ ନମ୍ୱର କରି ଏତେ ସମୟ ରହିପାରିବ ? ମୁଁ ଗାଡ଼ିରେ ବୋଉକୁ ଚେକ୍ ଅପ୍ ପାଇଁ ନେଇ ଯାଉଛି । ତମେ ପଢ଼ାପଢ଼ି କର କି ଟିଭି ଦେଖ. . .” ନା, ଏମିତି କେବେ ହୁଏନି ନରହରି ବାବୁ । ନା କେହି ପିଲା ଥା’ନ୍ତି ନା ସେମାନଙ୍କର ଛାଇ. . . ।”

ଦାଣ୍ଡ ଦରଜା ଖୋଲି ସଉଦା ବ୍ୟାଗ୍ ଧରି ରାସ୍ତାରେ ଚାଲିବା ବେଳକୁ ପାଦ ଯୋଡ଼ାକ ଆଦୌ ଆଗକୁ ଘୁଞ୍ଚେନି । କିଏ ଯେମିତି ପଛକୁ ଟାଣି ନେଉଥାଏ- ରୁମକୁ ବେଡ଼କୁ କି ଚେୟାର୍ ଉପରକୁ । କହିଲେ ଆଜ୍ଞା, “ବାପା ମାଆ ପିଲାଙ୍କୁ କାହିଁକି ଉପୁଜେଇ ଥାଆନ୍ତି ? ଆଉ କୋଉ ବୟସରେ ଭରସା ଦେବେ, ହାତରୁ କାମ ଛଡ଼େଇ ନେବେ ।”

ଖୁବ୍ ଭାବପ୍ରବଣ ହେଇ ପଡୁଥିଲେ ସନାତନ ବାବୁ । ନିଜ ଲୋକକୁ ଦୁଃଖ ପଦକ କହିଦେଲେ ମନଟା ହାଲ୍କା ହେଇଯାଏ । ସନାତନ ବାବୁଙ୍କୁ ରୋକି ହେଉନଥିଲା । ଆଜି ଯେମିତି ତାଙ୍କୁ ଭଲ ଅବସର ମିଳି ଯାଇଛି ନିଜ ମନ କଥା ସବୁ କହି ଦେବାକୁ । ନିଜ ଭିତରର ଅଜାଗା ଘା’ ସବୁ ଦେଖେଇ ଦେବାକୁ । ସମ୍ଭବତଃ ମଲମ ଲୋଡ଼ା ଥିଲା ସେଇ ସବୁ ଘା’କୁ ଶୁଖେଇ ଦେବା ପାଇଁ । ହେଲେ ମଲମ କାହିଁ ? କା’ ପାଖରେ ??

ସନାତନ ବାବୁଙ୍କ କୋହର କମ୍ପନ କମୁନଥିଲା । ସେ କହି ଚାଲିଥିଲେ, “ଆରେ, ଯେତେ ଥର କହିଲି, ଏଠିକି ଆସ, ଏଇଠି ରୁହ, ଏଠି କିଛି କାମ ଧନ୍ଦା ଦେଖ । ସମସ୍ତଙ୍କର ସେଇ ଏକା କଥା- ନା ବାପା, ସେଠି ପିଲାଙ୍କ ପଢ଼ା ପାଇଁ ଭଲ ସ୍କୁଲ୍ ନାହିଁ । ସେଠି ଚଳିବା ପାଇଁ ଭଲ ଫାସିଲିଟି ନାହିଁ । ଏ ପର୍ଯ୍ୟନ୍ତ କଟକ କ’ଣ ଅର୍ବାନ୍ ହେଲାଣି ? ଆଉ ଏ ସାନ ସୁରଟା ଯାହା ପାଖରେ ଥିଲା, ସେ ବି ତାଙ୍କ ଭଳି ମେଡ଼ିକାଲ୍ ପଢ଼ିବା ପାଇଁ କୁଆଡ଼େ ବାହାରକୁ ଚାଲିଗଲା ।”

ସନାତନ ବାବୁ ନରହରି ବାବୁଙ୍କ ଆଡ଼େ ଚାହିଁ ଅଟ୍ଟହାସ୍ୟ କରି କହୁଥିଲେ, “ଦେଖ ଭାଇ ! ମୋ ପିଲାମାନେ ମତେ ଅର୍ବାନ୍ ପାଠ ଶିଖଉଛନ୍ତି, ହେଲେ ଭୁଲି ଯାଉଛନ୍ତି ଦିନେ ଏଇ ରୁରାଲ୍ କଟକର ମାଟି, ପାଣି, ପବନରେ ତାଙ୍କ ପିଣ୍ଡ ତିଆରି ହେଇଥିଲା ବୋଲି । ଆରେ କଟକ ତମକୁ ଯାହା ଦେଇଛି, ତମେ କଟକକୁ କ’ଣ ଫେରେଇଛ ? ବରଂ ତମେ କଟକକୁ ଧୋକ୍କା ଦେଇଛ । ପ୍ରତାରିତ କରିଛ, ଧୋକାବାଜ କୋଉଠିକାର. . . ଆରେ ତମେ ଯେତେ ସବୁ ଏବେକା ପିଲା, ମୁଁ କ’ଣ ତମକୁ ଜାଣିନି ? ତମେ ସବୁ ଟଙ୍କାରେ ପଢୁଛ, ଡଲାରରେ ବିକ୍ରି ହେଉଛ । ଦେଶରେ ପଢୁଛ, ବିଦେଶର ସେବା କରୁଛ । କ’ଣ କରିଛ ତମେ ଦେଶ ପାଇଁ. . . କଟକ ପାଇଁ. . . । ଖାଣ୍ଟି ଗୁଆଘିଅ ଭଳି ଏବେ ବି ଖାଣ୍ଟି କଟକିଆର ଦାମ୍ ଅଛି । ପରିଚୟ ବି ଅଛି, ଯାଃ. . . ଧେତ୍. . . !”

ନରହରି ବାବୁ ଆଉ ଧୈର୍ଯ୍ୟ ଧରି ରହି ପାରିଲେ ନାହିଁ । ଉଠି ଯାଇ ସନାତନ ବାବୁଙ୍କୁ କୁଣ୍ଢେଇ ପକେଇଲେ । ସାନ୍ତ୍ୱନା ଦେଇ କହିଲେ, “ତମ ପାଖରେ କେହି ନଥା’ନ୍ତୁ । ଅନୁରାଧା ଅଛନ୍ତି, ଆଉ ମୁଁ ତମ ନରିଭାଇ ଅଛି ।” ସନାତନ ବାବୁ ବି ନରହରି ବାବୁଙ୍କୁ କୁଣ୍ଢେଇ ପକେଇ ଭୋ’ ଭୋ’ କାନ୍ଦି ଉଠିଲେ । ସେ କାନ୍ଦର ଲୁହ ଅନୁରାଧାଙ୍କ ଆଖିରୁ ସେ ପର୍ଯ୍ୟନ୍ତ ଥମି ନ ଥିଲା । ଏମିତି ଲାଗୁଥିଲା ଉଭୟ ସନାତନ ବାବୁ ଓ ନରହରି ବାବୁ କାଠଯୋଡ଼ି କୂଳର କେବଳ ସକାଳ ବୁଲା ସହଯାତ୍ରୀ ନୁହନ୍ତି, ବରଂ କୋଉ ଜନ୍ମ ଜନ୍ମାନ୍ତରର ଦୁଇଭାଇ । ଯାହା ଅନେକ ଦିନ ଧରି, ଅନେକ ଯୁଗ ଧରି ବିସ୍ମୃତ ଥିଲେ. . . ଠିକଣା ହରେଇଥିଲେ. . . ଦୂରରେ ରହିଯାଇଥିଲେ । ଆଜି ଏଇ ମହାମିଳନରେ ଦୁହେଁ ସାମିଲ୍ ହେଇ ଯାଇଛନ୍ତି ।

ନରହରି ବାବୁଙ୍କୁ ହାତ ଧରି ସୋଫାରେ ବସେଇ ଦେଇ ସନାତନ ବାବୁ ହଠାତ୍ ତାଙ୍କ ଶୋଇବା ଘରକୁ ଚାଲିଗଲେ । ଟେବୁଲ୍ ଡ୍ରୟାରରୁ ଗୋଟେ ଡାଏରୀ ଆଣିଲେ । ତାଙ୍କର ଏ ଆକସ୍ମିକ ଉଠିଯିବା ଓ ଡାଏରୀ ଆଣିବା ନରହରି ବାବୁଙ୍କୁ କିଛି ବୁଝା ପଡୁନଥିଲା, ସେ ବିସ୍ମିତ ହେଇ ଯାହା କିଛି ଦେଖୁଥିଲେ ।

ସନାତନ ବାବୁ ଡାଏରୀ ଖେଳେଇ ଖେଳେଇ କୋଉ ପୃଷ୍ଠାରୁ ଗୋଟେ ପେପର୍ କଟିଂ ବାହାର କରି ନରହରି ବାବୁଙ୍କ ହାତକୁ ବଢ଼ାଇ ଦେଲେ । ସେଇଥିରେ ଲେଖାଥିଲା ତାମିଲନାଡୁର ଜଣେ ଆଇ.ଏ.ଏସ୍. ଝିଅ ତା’ ରୋଗିଣା ମାଆର ସେବା କରିବାକୁ ସମୟ ନ ଅଣ୍ଟିବାରୁ ସବୁଦିନ ପାଇଁ ଚାକିରୀ ଛାଡ଼ି ତା’ ମାଆ ପାଖକୁ ଫେରି ଆସିଛି ।

ଏହି ଖବର ସହ ସନାତନ ବାବୁ ଆଉ ଗୋଟେ ଉଦାହରଣ ବି ପେଶ୍ କଲେ । ଗୋଟିଏ ପଚିଶି ଛବିଶି ବର୍ଷର ପୁଅ ଆର୍ଥିକ ଅସ୍ୱଚ୍ଛଳତା ଭିତରେ ଥାଇ ବି ତା’ ଅନ୍ଧ ବାପାମାଆଙ୍କର ଇଚ୍ଛାକୁ ଚରିତାର୍ଥ କରିବାକୁ ଯାଇ ତାଙ୍କୁ ଭାରରେ ବସେଇ କାନ୍ଧରେ କାନ୍ଧେଇ କାନ୍ଧେଇ ସବୁ ତୀର୍ଥ ବୁଲେଇ ଦେଖଉଛି । ଆଉ ସେଇ ଖବରର ଏକ ରୋଚକ ଶିରୋନାମା ଥିଲା- “ଏ ଯୁଗର ଶ୍ରବଣ କୁମାର !”

ଆଜିର ଏ ଚାକଚକ୍ୟ ସମୟରେ ବାପାମାଆଙ୍କ ସେବା ପାଇଁ ଏମିତିକା ପିଲା ବି ଥାଇପାରନ୍ତି, ଭାବି ଦୁଇବନ୍ଧୁ ଆଶ୍ଚର୍ଯ୍ୟ ହେଉଥିଲେ । ଏଥି ସହ ସନାତନ ବାବୁ ସେଇ ପିଲାମାନଙ୍କ ସହ ନିଜ ପିଲାମାନଙ୍କୁ ତୁଳନା କରି ଭାବୁଥିଲେ ତାଙ୍କ ଶିକ୍ଷକତା ଜୀବନରେ ସେ ଅନେକ ପିଲାଙ୍କୁ ମଣିଷ ପରି ମଣିଷଟିଏ କରି ଉତ୍ତାରିଥିଲେ ବି ନିଜ ପିଲାଙ୍କୁ ଅସଲ ମଣିଷ କରି ଗଢ଼ି ତୋଳିବାରେ କୋଉଠି ତାଙ୍କର ନିଶ୍ଚୟ ଭୁଲ୍ ଭଟକା ରହିଯାଇଥିଲା ।

ହାତ ପାହାନ୍ତାରୁ ଖସିଯାଇଥିବା ଡଙ୍ଗାର ଅସହାୟ ନାଉରୀ ଭଳି ନିଜକୁ ସେ ମନେ କରୁଥିଲେ ।

ହେଲେ ତାଙ୍କର ଆଉ କିଛି କରିବାର ନଥିଲା । ଏବେ ଯଦି ପିଲାମାନେ ମନ ବଦଳାନ୍ତି, ନିଷ୍ପତ୍ତି ପରିବର୍ତ୍ତନ କରନ୍ତି- ତାହା ଏକ ନୂଆ ସକାଳର ଉଦିତ ସୂର୍ଯ୍ୟ ପରି ପ୍ରତୀତ ହେଇପାରେ ।

ସେତେବେଳକୁ ମଧ୍ୟାହ୍ନ ହୋଇ ଆସୁଥିଲା ।

ଗୋଟିଏ ଭଙ୍ଗା ମନ ନେଇ ଅନୁରାଧା ଉଠୁଥିଲେ ତିନିଜଣଙ୍କ ପାଇଁ ରୋଷେଇ ବସେଇବାକୁ । ଦୁଇବନ୍ଧୁ ନିଜ ନିଜ ଜାଗାରେ କାଠଗଡ଼ ପ୍ରାୟ ବସି ରହିଥିଲେ । ସମୟ, ପରିସ୍ଥିତି ଏକ ପ୍ରକାର ତାଙ୍କୁ ବିବଶ କରିଦେଇଥିଲା ଯେମିତି ।

ମଧ୍ୟାହ୍ନ ଭୋଜନ ସାରି ଛାଇ ଲେଉଟା ବେଳକୁ ନରହରି ବାବୁ ନିଜ ଘରକୁ ଫେରି ଆଗକୁ ଆଗକୁ ଚାଲୁଥିଲେ । ଫେରିଲା ବେଳେ ଗୋଟିଏ କଥା ତାଙ୍କ ମନକୁ ବେଶି ଆନ୍ଦୋଳିତ କରୁଥିଲା- ସନାତନ ବାବୁ ଓ ଅନୁରାଧାଙ୍କୁ ସିନା ତାଙ୍କ ପିଲାମାନେ ନେଇ କୋଉ ଜରାନିବାସରେ ଛାଡ଼ି ନାହାନ୍ତି, ହେଲେ ତାଙ୍କ ନିଜ ଘର ତାଙ୍କ ପାଇଁ ସତରେ ଜରାନିବାସ ପାଲଟି ଯାଇଛି ।

ଫେରନ୍ତା ରାସ୍ତାରେ ମେଘ ଓହଳ ଆକାଶର ଟପ୍ ଟପ୍ ବର୍ଷା ବିନ୍ଦୁ ତାଙ୍କୁ ଯେତିକି ଓଦା କରି ପକଉନଥିଲା, ସେ ନିଜ ଭାବନାରେ ସେତିକି ବତୁରି ଯାଉଥିଲେ । ଘର ବାହୁଡ଼ା ତାଙ୍କ ପାଦ ଯୋଡ଼ାକ ଆହୁରି ଯାହା ତରବର ହୋଇ ଉଠୁଥିଲା ।

ଲୋକପ୍ରିୟ ଲେଖା

To Top