ଗଳ୍ପ

ଜୟହିନ୍ଦ୍

Kalindicharana Panigrahi's odia Story Jayhind

ତାଟକା ହୋଇ ଚାରିଆଡ଼କୁ ଚାହିଁଲା । ତାରା ଆଲୁଅରେ ଧୋବଲା ହୋଇ କ’ଣଟାଏ କରନାଳ ପାଖରେ ଦିଶିଲା । ନୂପୁରୀ ଡାକିଲା କିଏ ସେ ?

ଜୟହିନ୍ଦ୍

ହାଟ ମଉଳିଲାବେଳକୁ ମୁହଁ ଅନ୍ଧାର ହୋଇ ଆସିଥାଏ । ଆମ୍ୱତୋଟାରୁ ବିଲ ମଝିକୁ ଚାହିଁଲେ ପିମ୍ପୁଡ଼ି ଧାଡ଼ି ଭଳି ମଣିଷ ଧାଡ଼ି । ଯେଝା ଗାଁ ବାଟେ ହାଟ ଲେଉଟାଣି ଗପସପ କରି ଚାଲିଛନ୍ତି । ବାଁ କାଖରେ ସାନ ଟୋକେଇଟାଏ ଜାକି ତାହା ଭିତରେ ଲୁଣ, ଲଙ୍କା, କଦଳୀ ଦିଗଣ୍ଡା, ବାଇଗଣ ଚାରିସେର, କଡ଼ାଏ ପାନ, ଗୋଟାଏ କଖାରୁ, ଗୁଆଗୁଣ୍ଡି, କୋଶଳାଶାଗ, ସଜନା ଛୁଇଁ, ଧନିଆଁ ପତ୍ର ପୂରାଇ ନୂପୁରୀ ହିଡ଼ ଉପରେ ଚାଲିଛି । ଆଉ ହାତରେ ଝୁଲୁଚି ଗୋଟାଏ କିରାସିନି ବୋତଲ । ଏସବୁ ସାଥିରେ କୋଡ଼ିଏ କି ବାଇଶ ବର୍ଷର ଗୋଟାଏ ଦେହ ।

ଦେହ ଉପର ଚମଡ଼ା ଗୋରା ନୁହେଁ କି ବେଶି କଳା ନୁହେଁ, ସାବନା । ତେବେ ସେ ଚମତଳୁ ତଟକା ମାଂସ ଆଉ ତାଜା ରକ୍ତ ଉପରକୁ ଠେଲି ଉଠି ନ ଚାହିଁଲେ ବି ଲୋକ ଆଖିରେ ପଡୁଥିଲା ତାହାର ଗାଲ, ଓଠ, ପୁଣି ବାଁ କାଖରେ ଟୋକେଇକୁ ଯାକି ଧରିଥିବା କଦଳୀ ପୁଆ ପରି ମୋଟା ବାହାଟାର ଯେଉଁ ଫାଳକ ପଦାକୁ ବାହାରିଥିଲା ସେତିକି । ବାକି ଦେହଟା ଲୁଚି ଯାଇଥିଲା ଖଣ୍ଡେ କୋତରା ଶାଢ଼ି ତଳେ ।

ଗୁରୁବାରୀ ମା’ ତେଲୁଣୀ ବୁଢ଼ୀ ଆପଣା ଦୋକାନ ସଉଦାତକ ଧରି ତାହା ସାଥିରେ ଖଣ୍ଡେ ବାଟ ଆସିଲା । ତେଣିକି ବାଟ ଭାଙ୍ଗି ନିଜ ଗାଁ ଆଡ଼କୁ ମୁହିଁଲା । ସେ ଜାମୁଗଛ କତିକି ଯିବୁ ନାଇଁ ଲୋ ଝୁଅ । ଗୋହିରୀ ପାଖଟା ଟିକିଏ ବୁଲା ପଡୁ ପଛକେ ସେଇ ବାଟେ ଯିବୁ ।

ହଉ ଯା’ ମାଉସୀ, ଗାଳି ଦବୁ ନାଇଁ- କହି ନୂପୁରୀ ବାଟେ ବାଟେ ଚାଲିଲା । ଜାମୁଗଛ ନାଁ ଶୁଣି ମନ ଭିତରେ ବୁଢ଼ୀ ଉପରେ ଟିକିଏ ଚିଡ଼ିଲା ସିନା, ମୁହଁ ଫିଟେଇ କହିଲା ନାହିଁ । ଜାମୁଗଛ ଯାଏ ବୁଢ଼ୀ କ’ଣ ତାକୁ ଟିକିଏ ପହେଞ୍ଚଇ ଦେଇ ନ ଥାନ୍ତା । ସତରେ ସେ ଗଛଟାକୁ ତାର ଭାରି ଡର । ତହିଁରେ କୁଆଡ଼େ ଗୋଟାଏ ପିତାଶୁଣି ଥାଏ, ରାତି ହେଲେ ବାହାରେ । ଜଣକେତେ ବାଟୋଇ ସେଠାରେ ମରିଥିବାରୁ ବି ଶୁଣା ଅଛି । କେଉଁକାଳର ସେ ଗଛଟା । ଡାଳପତ୍ର ଥୁଣ୍ଟା ହୋଇଗଲାଣି । ଚାରିପାଖେ ହିଡ଼ ବନ୍ଧା ଯାଇ ଶହ ଶହ କିଆରି ଦୂର ଗାଁ ତଳେ ଛିଡ଼ିଛି । ଗଛମୂଳରେ ମାଟି ଉପରକୁ ଠାଏ ଠାଏ ଚେର ବାହାରି ପଡ଼ିଛି ବୁଢ଼ାଙ୍କ ଠେଙ୍ଗ ପରି । ଚେର ଦିହରୁ ମଣିଷମୁଣ୍ଡ ଭଳି ଗୋଟାଏ ଆବୁ ଉଠିଛି । ଆବୁ ଉପରେ ଆଙ୍ଗୁଳେ ବହଳରେ ଚୁଆ ସିନ୍ଦୂର ପାଖରେ କେତେ ପୋଡ଼ା ମାଟିର ହାତୀ ଘୋଡ଼ା ।

ଯେତେ ଛାତି ଦମ୍ଭିଲା ହେଉ ପଛେ ନୂପୁରୀ ମନରେ ଟିକିଏ ଦକ ପଶିଲା । ହାଟ ଲେଉଟାଣି ଏ ବାଟେ ସେ କେତେଥର ଯା ଆସ କରିଛି । ଏକୁଟିଆ ଅନ୍ଧାରରେ ଯିବାକୁ କେତେ ତାକୁ ପଡ଼ି ନାହିଁ । ଏକା ଲହସରେ ସେ ଚାଲିଥାଏ । କେତେ ବାଟରେ ଯାଉଥିବ ଦୂର ବାଟୋଇଙ୍କ ଗପ ଆହୁରି ଦୂରକୁ ଦୂରକୁ ଶୁଣାଗଲା । ଚାଲିଆଡ଼ ଯେମିତି ତୁନି ହୋଇଆସୁଛି । ତାରି ସାଥିରେ ନୂପୁରୀର ମନ ଭିତରେ ଭଉଁରୀ ଖେଳୁଛି, ଗୋଟାଏ ଅକାରଣ ଡର । ସେଇ ଡରଟାକୁ ତଡ଼ିବା ପାଇଁ ସେ ଗୁଣୁ ଗୁଣୁ କରି ଗୋଟାଏ ଗୀତର ସ୍ୱର ଧରିଲା । ଜମାରୁ ତାକୁ ଭଲ ବୋଲି ଆସେ ନାହିଁ । ତେବେ ଯେତିକି ଆସେ ନିଜ କାମ ଚଳେଇବାକୁ ତାହା ଢେର ।

ନୂପୁରୀ ଯେତିକି ଆଗେଇ ଚାଲିଲା ଗଛଟା ସେତିକି ତା’ର ପାଖକୁ ଲାଗି ଲାଗି ଆସୁଥାଏ । ଗଛ ଆରପାଖେ ଗୋଟାଏ କରନାଳ ତାଳଦଣ୍ଡା କେନାଲରୁ କଟାଯାଇ ବୋହୁଛି । ଉପରକୁ ଚାହିଁ ଦେଖେ ତ ଗୋଟାଏ, ଯୋଡ଼ାଏ, ତିନିଟା, ଚାରିଟା, ପାଞ୍ଚୁଟା ହୋଇ କେତେ ତାରା ପଡ଼ିଲେଣି । ଚାରି ଖୋଜ ଆଗରୁ ଚାଲି କ’ଣ ଗୋଟାଏ ଶବ୍ଦ ଶୁଣି ସେ ଚମକି ପଡ଼ିଲା । ତାଟକା ହୋଇ ଚାରିଆଡ଼କୁ ଚାହିଁଲା । ତାରା ଆଲୁଅରେ ଧୋବଲା ହୋଇ କ’ଣଟାଏ କରନାଳ ପାଖରେ ଦିଶିଲା । ନୂପୁରୀ ଡାକିଲା କିଏ ସେ ?

ଆଉ ଝିଅଙ୍କଠାରୁ ତା’ର ସାହସ ଟିକିଏ ବେଶି । ଖୁଦୁରୁକୁଣୀ ଓଷା ରାତିରେ ଗାଁ ଝିଅଯାକ କଡ଼େ ଶୋଇଥିବେ କି ନାହିଁ, ତା’ ନିଦ ଭାଙ୍ଗିବ ଆଗ । କାହା କବାଟ ବାଡ଼େଇ, କାହା ଘରେ ପଶି ତାକୁ ଚିମୁଟି, କାହା ଚୁଟି ଝିଙ୍କି, ଆଉ କାହାର ନାକ କାନରେ କୁଟାଖଣ୍ଡେ ସଲସଲ କରି ସେସବୁ ଝିଅଙ୍କୁ ଉଠାଏ । କିଏ ହରଗଉରା କନିଅର ଫୁଲ ଡାଲାଏ ଧରି, ଆଉ କିଏ ତେଲ ହଳଦୀ କାଞ୍ଚୁଲି ଅବା ଦାନ୍ତକାଠି ଧରି, କୋଡ଼ିଏ କି ପଚିଶ ଝିଅ ଗାଁ ଦାଣ୍ଡଟାକୁ ଗହଳ କରି ଚାଲନ୍ତି ନାଳକୂଳକୁ । ଗାଧୋଇ ପାଧୋଇ ପୂଜା ସାରି ଫେରିଲାବେଳକୁ ଫସର ଫାଟି ଯାଇଥାଏ । ଏତେ ଝିଅ ଡକାହକା ହୋଇ ଆସୁ ଆସୁ କେବେ କିମିତି ପାହାନ୍ତା ଦି ପହରେ ଗାଧୋଇବେ । ମରଦମାନେ ଉଠି ନାଳକୂଳକୁ ଆସିଲେ ଦେଖନ୍ତି, ତୁଠ ବାଲି ଉଫରେ କେତେଗୁଡ଼ାଏ ପାଦ ଚିହ୍ନ ଆଉ ହଳଦୀ ଦାଗ । କେନାଲର ନେଳିଆ ପାଣିରେ ଗୁଡ଼ାଏ ନାଲି ହଳଦୀ ରଙ୍ଗର କନିଅର, ହରଗଉରା ଫୁଲ ଭାସୁଥାଏ ।

ହେଲେ, ଏମିତି ନିଛାଟିଆ ଭୟ ଥାନୁଟାରେ ନୂପୁରୀ ଏକା । ଖାଲି ଡରରେ ତା’ ମୁହଁରୁ ବାହାରି ଆସିଲା, କିଏ ସେ ?

ଜବାବ୍ ଶୁଣାଗଲା, କିଏ ଯିବାର ?

ନୂପୁରୀ ହଠାତ୍ କାହାର ପାଟି ବାରିପାରିଲା । ସେହି ତାଙ୍କ ଗାଁର କେଳା ସାହୁ । କେଳା ନୂପୁରୀ ଆଡ଼କୁ ଚାଲି ଚାଲି ଆସିଲା । ନୂପୁରୀ ତା’ କଥାର ଜବାବ୍ ନ ଦେଇ ଆଗକୁ ପାଦ ପକେଇଥାଏ । କେଳା ତା’ ପଛରୁ ପୁଣି ଡାକିଲା, କିଏ ଯିବାର, ପାଟି ଫିଟୁ ନାହିଁ କି ?

ନୂପୁରୀ ପଛକୁ ନ ଚାହିଁ କହିଲା, ଯେ ଯୁଆଡ଼େ ଯିବାର । ସେଥିରେ କାହାର କ’ଣ ଅଛି ?

ନାଳ ତୁଠରେ ସେଥର କେଳା ମୁହଁଟାକୁ ଯେମିତି ସେ ବଙ୍କା କରି ଦେଇଥିଲା, ସେ କଥା ତା’ ମନରୁ ଯିବ ନାହିଁ । କେଳା ବିଚରା ବନ୍ଧୁଘର ଯିବ ବୋଲି ପାହାନ୍ତା ପହରୁ ଉଠି ନାଳ ତୁଠକୁ ଆସି ଆଛୁଗଛ ମୂଳେ ଛିଡ଼ା ହୋଇଥିଲା । ପଲେ ଝିଅ ଦାନ୍ତଘଷି ସାରି ତୁଠରେ ବସି ହଳଦୀ ଲଗାଉଛନ୍ତି । ନୂପୁରୀର ଆଖି ପଡ଼ିଗଲା କେଳା ଉପରେ । ସେ ଚମକି ଆସି କହିଲା, “ନାଳକୂଳ ଗୋଟାକ ତ ପଡ଼ିଛି । ଏଇଠି କଅଣ ଛିଡ଼ା ହେବାକୁ ଥାନ ମିଳିଲା ।” କେଳା ବିଚରା ମୁହଁଟାକୁ ଆମ୍ୱିଳି ତୋରାଣୀ ପିଇଲା ପରି କରି ଏକମୁହାଁ ସେଠୁ ବାହାରି ଗଲା । ଟିକିଏ ହେଲେ ଉଁ, ଚୁଁ କଲା ନାହିଁ । ପଛରେ ତାହାର କୋଡ଼ିଏ କି ପଚିଶ ଝିଅ ଖିଁ ଖିଁ ହସି ଉଠିଲେ ।

କେଳା ସେ କଥାକୁ ପରୁଆ କରି ନାହିଁ । କାହିଁକି କେଜାଣି ସେଇ ଦିନୁଁ ନୂପୁରୀ ସାଥିରେ କଥାଭାଷା ହେବାକୁ ସେ ଭାରି ଗୋଳେଇ ମିଶେଇ ହୁଏ । ଆଜିଯାକେ ସେମିତି ସୁବିଧା ଜୁଟି ନ ଥିଲା । ନୂପୁରୀ ସାଙ୍ଗସାଥୀଙ୍କ ଭିତରେ ଗପ କରୁଥିଲାବେଳେ ଦୂରରେ କେଳାକୁ ଦେଖି ଦେଇ ଥରେ ଅଧେ ହସି ଦେଇଛି । କୋଟିନିଧି ପାଇଲାପରି କେଳା ବିଚରାକୁ ସେଦିନ ରାତିରେ ନିଦ ହୋଇ ନାହିଁ । ଆଜି ଏକୁଟିଆ ପାଇ ବିଚାରିଥିଲା ନୂପୁରୀ ନିଶ୍ଚେ ତାକୁ ଭଲରେ ପଦେ କଥା କହିବ ।

ସେଥିପାଇଁ ନୂପୁରୀର କଡ଼ା ଜବାବଟା ବି କେଳା କାନକୁ ଗଲା ନାହିଁ । ସେ ଆହୁରି ପଛକୁ ଲାଗି ଆସି ପଚାରିଲା, ସତିଆ ପାଖରୁ କିଛି ଭଲ ବାତାନି ଆସିଲାଣି । ନୂପୁରୀ ଶୁଣି ନ ଶୁଣିଲା ପରି ଚାଲିଥାଏ । ଡାକ ପିଅନ କହୁଥେଲା, “କ’ଣ ପରା ଚିଠି ଆସିଛି ?” ତେବେ ବି କୁଛି ଜବାବ୍ ନାହିଁ । ଏ କ’ଣ ? ନୂପୁରୀ ଏକାବେଳକେ ପଥର ପାଲଟି ଯାଇଛି । ସତ୍ୟାନନ୍ଦ ତା’ର ସ୍ୱାମୀ ପାଞ୍ଚ ବର୍ଷ ହେଲା ତାକୁ ଏକା ଛାଡ଼ିଯାଇଛି । ବେଶି ରୋଜଗାର କରିବ, ଘର ଦୁଆର ଗହଣାଗାଣ୍ଠି ବନେଇବ । ଯୁଦ୍ଧରେ ତ କେତେ ଲୋକ ଯିବାର ଶୁଣାଯାଏ । କାହାରି ତ ମରିବାର ଶୁଣା ନାହିଁ ।

ତେବେ ଯୁଦ୍ଧରେ ନାଁ ଲେଖାଇବାବେଳେ ସ୍ୱାମୀକୁ ସେ ହରସ୍ତାପ ମନା କରିଥିଲା, ଆମର ବେଶି ରୋଜଗାର ଲୋଡ଼ା ନାହିଁ । ସେତେବେଳେ ବି ତା’ର ଲେଖାଯୋଖା ମାମୁଁ ଅନାଦି ମନାକରି ଯାଇଥିଲେ । ଅନାଦି କଂଗ୍ରେସିଆ ଲୋକ । ସେ କ’ଣ ଆଉ ଯୁଦ୍ଧରେ ଯିବାକୁ କହନ୍ତେ ? ସତ୍ୟାନନ୍ଦ କାହାରି କଥା ନ ଶୁଣି ବାହାରିଗଲା । ମୂଲ ଲାଗିବା ଛାଡ଼ି ଯାହା କପାଳରେ ଆଉ କିଛି ଜୁଟୁ ନଥିଲା, ସେ ଦଶ ପନ୍ଦର ଲେଖା ଘରକୁ ପଠାଇଲା । ପୁଣି ଜାମାଯୋଡ଼ ହୋଇ ଥରେ ଦିଥର ଚାରି ଆଠ ଦିନ ପାଇଁ ଘରକୁ ଆସି ବୁଲିଗଲା । ସେତିକି ନୁହେଁ, ନୂପୁରୀ ଦେଖିଲା ଧଳା କାଗଜରେ ବନ୍ଧା ହୋଇଥିବା ପିକା ବି ଖାଉଛି, ଯାହାକୁ କାନଗୋଇ ବାବୁ ନ ପାଇ ବିଡ଼ି ଖାନ୍ତି ।

ହେଲେ ତିନି ବର୍ଷ ହେବ ସତ୍ୟାନନ୍ଦର ଆଉ କିଛି ଖବର ଅନ୍ତର ନାହିଁ । ଟଙ୍କା ପଇସାକୁ କିଏ ପଚାରେ, କେଉଁଠି ଅଛି, ଚିଠି ଖଣ୍ଡେ ତ ଦିଅନ୍ତା । କାନଗୋଇବାବୁଙ୍କ ଘରେ ପଚାରି ପଚାରି ଶେଷରେ ସେ ତୁନି ହେଲା । ଘରକୁ ଘର ଲାଗିଛି । ତାଙ୍କରି ଠିକଣାରେ ଟଙ୍କା, ଚିଠିପତ୍ର ଆସୁଥିଲା । ନଇଲେ ତା’ ଘରେ ଆଉ କିଏ- ସେ ତ ଏକାକୁ ଏକା । ତା’ର ଲେଖାଯୋଖା ଅନାଦି ମାମୁଁ ଆସି କହିଲେ, “ଦେଖିଲୁ ! ମୁଁ କହୁଥିଲି କ’ଣ ? କଂଗ୍ରେସ କ’ଣ ମାହାଳିଆ ମନା କରୁଥିଲା ଯୁଦ୍ଧରେ ମିଶିବାକୁ ?”

– ତା’ପରେ –

Click to comment

Leave a Reply

Your email address will not be published. Required fields are marked *

ଲୋକପ୍ରିୟ ଲେଖା

To Top