ଗଳ୍ପ

ଜୟହିନ୍ଦ୍

Kalindicharana Panigrahi's odia Story Jayhind

ମଲା, ତମର ସବୁ ପୁଣି ନାଜ ସରମ କ’ଣ ମ ? ଆଉ କ’ଣ ମୁଁ ହାଟକୁ ଯିବି ?

ଜୟହିନ୍ଦ୍

-: ପୂର୍ବରୁ :-

ସେ କ’ଣ ଏକା ଯାଉଛି ? ଆଉ ତ କେତେ ଲୋକ ଗଲେ । ଦାମା, ରାଧୁଆ, ଗୋପିଆ ସବୁରିକି ମନାକଲା ନାହିଁ ।

ମନା କଲେ ମାନୁଚି କିଏ ? ଆମେ ସିନା ଖାଲି ମନା କରିବୁ । ଆଉ ତ ଜାମା, ଜଙ୍ଘିଆ, ଟୋପି, ଯୋତା, ସିଗାରେଟ୍ ଦେଇପାରିବୁ ନାହିଁ । ତେବେ ସେ ଅଢ଼େଇ ଦିନିଆ ସୁଖରୁ କି ଲାଭ !

ନୂପୁରୀର ମନ ଅନାଦିମାମୁଁ ଉପରେ ଚିଡ଼ିଯାଏ । ତା’ ମୁହଁ ଚାହିଁବାକୁ ଇଚ୍ଛା ହୁଏ ନାହିଁ । କିଏ ଭଲା କାହାର କ’ଣ କରୁଛି ! ଯେଝା ବାଟରେ ତ ସମସ୍ତେ ଚାଲିଛନ୍ତି । ଖାଲି ପର ପାଇଁ ଭଲେଇ ହେବାକୁ ତିଆରି ।

ଗାଁ ମୁଣ୍ଡରେ ପୁଣି କେଳାର ଚାଟୁକଥା ତା’ କାନରେ ବାଜିଲା । ଏହା ଭିତରେ ବାଟଯାକ ସେ କେତେ କ’ଣ ଗପିଛି, ସେଥିରୁ ପଦେ ହେଲେ ନୂପୁରୀ ଶୁଣି ନ ଥିଲା । ପଛକୁ ବୁଲିପଡ଼ି ଏଥର ଜବାବ୍ ଦେଲା, “କିରେ, ଭାରି ତ ବହପ । ବାଘର ଘରେ ମିରିଗର ନାଟ, ନା !” କେଳା ନିଜ ବାଟ ଦେଖିଲା ।

ତିନିବର୍ଷ ହେଲା ସଇତା ଚିଠି ପତ୍ର ଦେଇ ନାହିଁ । କେତେ ଲୋକ କେତେ କଥା କହନ୍ତି । ସବୁ ଶୁଣି ସେ ଛାତିକୁ ପଥର କରି ଦେଇଛି । ଯାହା ତା’ କର୍ମରେ ଥିବ । ତେବେ ଏହି କେଳା ସାହୁ ଭଳି ଲୋକେ ଯେତେବେଳେ ତା’ ଉପରେ ପାପ ନଜର ପକାନ୍ତି, ଟାହିଟାପରା କରନ୍ତି, ସେତେବେଳେ ତା’ର ରାଗଯାକ ପଡ଼େ ଯାଇ ସଇତାଠାରେ । ସତେ ତା’ର କି ଅଭାବ ଥିଲା ଯେ, ସଇତା ଏମିତି ତାକୁ ଅନାଥ କରିଗଲା । ମୂଲ ଲାଗି ଚଳୁଥିବାବେଳେ ନୂପୁରୀ ତା’ ଘରୁ ପଦାକୁ ବାହାରୁ ନଥିଲା । ସେ ପୁଣି ହାଟ ସଉଦା କରୁଥିଲା କେବେ । ଏଣିକି ସବୁ ଅଚଳ ହେଲାରୁ ସିନା । ନଇଲେ କି କାନଗୋଇ ଘରେ ପାଇଟି କରି ପେଟ ପୋଷିବାକୁ ହୁଅନ୍ତା ।

ନୂପୁରୀ ହାଟ ସଉଦାତକ ବାବୁଆଣୀଙ୍କ ପାଖରେ ଗଦେଇଲା । ପଦ ପଦ କରି ଯାହା ପଇସା ନେଇଥିଲା ସବୁତକ ହିସାବ ଦେଲା । ହାଟସଉଦା କରିବା ପାଇଁ ତାକୁ ସବୁବେଳେ ଯିବାକୁ ହୁଏ ନାହିଁ । କାନଗୋଇବାବୁଙ୍କ ଘରକୁ ମାଛ, ପରିବା, ଚାଉଳ, ଡାଲି କେତେ କିଏ ଆଣି ଦିଅନ୍ତି । କେବେ କିମିତି ହାଟକୁ ଯିବାକୁ ପଡ଼େ । ସେ ଏକମୁହାଁ ହୋଇ ସଉଦାତକ କରିସାରି ବାଟେ ବାଟେ ଫେରିଆସେ । କାହାରିକି ଚାହେଁ ନାହିଁ କି କିଛି କହେ ନାହିଁ । ତେବେ ଆଜି କେଳାସାହୁ ନୁହେଁ, ହାଟ ମଝିରେ ବି ଯୋଡ଼ାଏ ଟୋକା ତା ଆଗେ ଆଗେ ଗୀତ ବୋଲି ତାକୁ ପଛେଇ ଚାହିଁ ହସିଲେ । ପାନ ଦୋକାନୀଟା ବି ତାକୁ ଟାହୁଲି କରି କ’ଣ କହିଲା । କାହିଁକି ଏମିତି ଚାହିଁବେ, ଟାପରା କରିବେ ।

ମନଟା ତା’ର ସବୁଆଡୁ ଫିକା ପଡ଼ି ଯାଇଥିଲା । ସଇତା ଥିଲେ କାହାର ପୁଣି ସାହସ ହୁଅନ୍ତା ତାକୁ ଏମିତି ଚାହଁବାକୁ । ବାବୁଆଣୀଙ୍କୁ କହିଲା, “ମୁଁ ଆଉ ହାଟକୁ ଯିବି ନାହିଁ ।”

କାହିଁକି ମ, କ’ଣ ହେଲା କି ? ସଉଦାତକ ସଜାଡ଼ି ରଖୁ ରଖୁ ବାବୁଆଣୀ ପଚାରିଲେ ।

ମତେ ଆଉ ଏତେ ମରଦଙ୍କ ଭିତରେ ଯିବାକୁ ଭଲ ଲାଗୁନି ।

ମଲା, ତମର ସବୁ ପୁଣି ନାଜ ସରମ କ’ଣ ମ ? ଆଉ କ’ଣ ମୁଁ ହାଟକୁ ଯିବି ?

ବାବୁଆଣୀଙ୍କ କଥା ଚିଆଁ ଭଳି ତା’ ଦିହରେ ଲାଗିଲା, ଲାଜ ସରମ ଖାଲି ବାବୁଭାୟାଙ୍କ ଘର ଭିତରେ, ଆଉ କେଉଁଠି ନାହିଁ ? ସେ ଗରିବ ହେଲା ବୋଲି ତା’ର ତେବେ ମାନ ଅପମାନ କିଛି ନାହିଁ । ଦାଣ୍ଡରେ ହାଟରେ ଯେ ପାରିବ ତାକୁ କହିବ । ସେଥିରେ କାହାରି କିଛି ଦୋଷ ଧରିବାକୁ ନାହିଁ । ଆଉ ସେ ଖାଲି ଜଣେ ବାବୁଙ୍କ ହାତ ଧରିଛନ୍ତି ବୋଲି ହାଟକୁ ଗଲେ ତାଙ୍କ ମାନ ଯାକ ତଳେ ପଡ଼ିଯିବ । ଏସବୁ କଥା ସେ ଯେତେ ଭାବେ ମନଟା ଖାଲି ଘାଣ୍ଟି ହୁଏ ସିନା, କିଛି ବୁଝିପାରେ ନାହିଁ ।

ନୂପୁରୀ ବାବୁଆଣୀଙ୍କର ଭଲ ଭଲ ଶାଢ଼ି ପୁଣି ସୁନାଗହଣାକୁ ଚାହିଁ ମନେ ମନେ କେତେ ପାଞ୍ଚ କରେ । କାନଗୋଇବାକୁ କେତେ ପଇସା ଉପାୟ କରନ୍ତି । ଦିନେ ଯେବେ ଧାନ ସିଲ କରିବାକୁ ବାହାରିବେ, ତହିଁ ଆରଦିନ କେତେ ଶାଢ଼ି, କେତେ ଗହଣା, ଯେମିତିକି ଛାଏଁ ଆସି ଘରେ ଜମା ହୋଇଯାଏ । ତାଙ୍କ ସାଥିରେ ଥାନା ଦାରୋଗା ସିପାହୀଙ୍କ ଘରେ ବି ପଇସା ଝଣ ଝଣ ହୁଏ । ସଇତା ପଇସା ପାଇଁ ଜୀବନ ମୂର୍ଚ୍ଛିବାକୁ ଯାହା ଗଲେ, ଘରେ ଥିଲେ କ’ଣ ଉପାୟ କରି ନ ଥାନ୍ତା ।

ତିନି ବର୍ଷ ତଳେ ସତ୍ୟାନନ୍ଦ ଜାମା, ଜଙ୍ଘିଆ ପିନ୍ଧି ଚାରୋଟି ଦିନ ପାଇଁ ଆସିଥିଲା । ଖଣ୍ଡେ ଟିଣ ବାକ୍ସରେ ଆଣିଥିଲା ଶାଢ଼ି, କୁର୍ତ୍ତା, ତେଲ, ସାବୁନ, ଦର୍ପଣ ଓ ପାନିଆଁ । ପୁଣି ନୂପୁରୀ ପାଇଁ ହଳେ ନୂପୁର । ଚାରିଦିନ ପରେ ଚିଜଗୁଡ଼ିକୁ ନେଇ ସେହି ବାକ୍ସ ଭିତରେ ପୁରାଇ ସେ ରଖି ଦେଇଛି । ସତ୍ୟାନନ୍ଦ ଫେରିଲେ ବାହାର କରିବ । ନାହିଁ ତ ସେମିତି ରହି ରହି ପୋକ ଖାଇବ । ଏଥର ଆସିଲେ ସେ କେତେ ରଙ୍ଗଢ଼ଙ୍ଗିଆ ଶାଢ଼ି ଗହଣା ଆଣିବ ବୋଲି କହିଯାଇଛି । ବାବୁଆଣୀ ଦେଖିଲେ ଚମକି ପଡ଼ିବେ । ତିନିବର୍ଷ ତଳେ ଘରକୁ ଫେରି କାନଗୋଇବାବୁଙ୍କୁ ଯେତେବେଳେ ଲମ୍ୱା ଚଉଡ଼ା ସଲାମ କରିଥିଲା, ସେତେବେଳେ କିଏ କହନ୍ତା ଯେ, ଦିନେ ସେ ତାଙ୍କରି ଘରେ ଚାକିରି କରି ତାଙ୍କରି ଦାନା ପାଣି ଖାଇ ମଣିଷ ହେଇଛି । କାନଗୋଇ ତ ଆଗ ତାକୁ ଚିହ୍ନି ପାରିଲେ ନାହିଁ । ଫେରିଗଲା ଦିନ ନୂପୁରୀକୁ ଟିକିଏ ଚଳାଚଳ କରିବାକୁ ସେ ତା’ର ପୁରୁଣା ଖାଉନ୍ଦକୁ କହି ଯାଇଥିଲା ।

ଯେତେଦିନ ମାସକୁ ମାସ ଟଙ୍କା ଆସୁଥିଲା ନୂପୁରୀକୁ ଚଳାଇବା ପାଇଁ ତାଙ୍କର କିଛି ଅସୁବିଧା ହେଲା ନାହିଁ । ତାହା ପରେ ସକାଳ ପହରୁ ରାତିରେ ଖାଇପିଇ ଶୋଇବାଯାକେ ନୂପୁରୀ ହାତରେ ନିଜ ଘରର ସବୁ କାମ ପାଇଟି ତୁଲାଇ ସେ ତାହାକୁ ଚଳାଚଳ କଲେ । ଖର୍ଚ୍ଚ ପତ୍ର ନ ପାଇଲାରୁ ଘରେ ଯାହା କିଛି ଥିଲା ଧୀରେ ଧୀରେ ସବୁ ବିକି ସେ କେତେ ମାସ ଚଳିଲା । ଲୋକେ ବହୁତ ରକମ କୁହାକୁହି ହେଲେ ।

ଯେଉଁଦିନ ସେ ଶୁଣିଲା ସ୍ୱାମୀ ତା’ର ଲଢ଼େଇରେ ହାଣ ଖାଇଛି, ସେ ଦିନ ଠିକ୍ କଲା ଆଉ ଜୀବନ ରଖି କି ଲାଭ ! ତାହା ପାଇଁ କାନ୍ଦିବାକୁ ବାପଘରେ କେହି ନାହିଁ କି ଶାଶୂଘରେ କେହି ନାହିଁ । ପିଲାଛୁଆ ଥିଲେ ଅବା ତାଙ୍କ ମୁହଁକୁ ଚାହିଁ କାଳ କାଟନ୍ତା । ଶିଳ ପାଖରେ ବସି ପୁଞ୍ଜାଏ କନିଅର ମଞ୍ଜି ବାଟୁଛି, ତା’ର ସେହି ଅନାଦିମାମୁଁ ଘର ଭିତରକୁ ପଶି ଆସିଲେ । ତାଙ୍କ ଆଗରୁ ଲୁଚାଇ ପାରିଲା ନାହିଁ । ଶିଳ କଡ଼ରେ କନିଅର ଚୋପା ଦେଖି ସେ ପାଟି କରି ଉଠିଲେ, “ଏ କ’ଣ କରୁଛୁ ତୁ ?”

ନୂପୁରୀର ହାତ ଶିଳପୁଆ ଉପରେ ଥିର ହୋଇରହିଗଲା । କିଛି ହେଲେ କହି ନ ପାରି ସେ ଖାଲି ବଲ ବଲ କରି ଚାହିଁଲା । ଅନାଦି ତା’ର ହାତଟା ଧରି ଟାଣିଆଣି କହିଲେ, “ଛି, ଛି, ଆତ୍ମହତ୍ୟା ମହାପାପ । କିଏ କ’ଣ ଶୁଣି ଆସି ଏ କଥା ରଟେଇଛି, ସତ କି ମିଛ ନ ବୁଝି ଏମିତି ହେଉଛୁ । ଆଜିକାଲି ତ ଏଠୁ ଚିଠି ଲେଖିଲେ କଟକରେ ପହଞ୍ଚି ପାରୁନି, ଲଢ଼େଇ ଥାନାରୁ ଚିଠି ଆସିବା କି ସହଜ ।” ସେ ତୁନି ହୋଇ ସବୁ ଖାଲି ଶୁଣୁଥାଏ । ଅନାଦି କହିଲାଗିଲେ, “ମୁଁ ଗୋଟାଏ କଥା କହିବି ରଖିବୁ । ଆମ ଘରକୁ ଚାଲ, ଏଠି ତତେ ଏକୁଟିଆ ଖରାପ ଲାଗୁଥିବ ।”

ନୂପୁରୀ ଜଣେ ତାଙ୍କ ଘରେ ପଲେ କୁଟୁମ୍ୱ । ନିଜର ଘର ଛାଡ଼ି ତାଙ୍କ ଘରକୁ ସେ ଯିବ କାହିଁକି ? ପୁଣି ଅନାଦି କିଛି ତା’ର ନିଜ ମଉଳା ନୁହଁନ୍ତି । ନିଜ ମାମୁଁଘରକୁ ପିଲାଦିନେ ଗଲାବେଳେ କେତେଥର ସେ ତାଙ୍କ ଘରକୁ ଯାହା ବୁଲି ଯାଇଛି । ସେ ମଙ୍ଗିଲା ନାହିଁ ।

ଅନାଦିଠାରୁ କାନଗୋଇବାବୁ ସବୁ ଶୁଣି କହିଲେ, ଆରେ ଏତ ବଡ଼ ବିଷମ କଥା । କାହିଁକି, ସେ ମୋ ଘରେ ଆସି ରହୁ । ତା’ ଗେରସ୍ତ ମୋରି ପାଖରେ ତ ମଣିଷ ହେଇଛି । ମୋ ଘରେ ତ ସେ ଝିଅ ପରି ଚଳିବ । ଗେରସ୍ତ ତା’ର ସେଦିନ ମୋତେ କହି ଯାଇଥିଲା ତାକୁ ଚଳାଚଳ କରିବା ପାଇଁ । ଆଉ କୁଆଡ଼େ ସେ କାହିଁକି ଯିବ ? କୁହା ନାହିଁ, ବୋଲା ନାହିଁ, ଏକାବେଳେକେ ସୁଇସାଇଡ୍ କରିବାକୁ ଯାଉଛି । ଏ ତ ବଡ଼ ବିଷମ କଥା ।

ଘର ଭିତରକୁ ଯାଇ କାନଗୋଇବାବୁ ଡାକିଲେ, ଶୁଣିଲଣି, ସତିଆ ଭାରିଯା’ ସୁଇସାଇଡ୍ କରିବାକୁ ଯାଉଛି । ଗୃହିଣୀ ତାଙ୍କର ଜବାବ୍ ଦେଲେ, ମଲା ସେଇଟା କ’ଣ କରିବ ମ ! କେଉଁଦିନ କହିଲ, ମୁଁ କରନ୍ତି । ସୁଇସାଇଡ୍ କଥାଟା ତାଙ୍କ କାନକୁ ସୁଦଶାବ୍ରତ ବୋଲି ଶୁଣାଗଲା ।

ଯାହାହେଉ, ଏଣିକି ନୂପୁରୀ ଦିନଯାକ ତାଙ୍କ ଘରେ କାମ କରି ରାତିରେ ନିଜ ଘରେ ଯାଇ ଶୁଏ । ମଝିରେ ମଝିରେ ବାବୁଆଣୀଙ୍କ ଝିଙ୍ଗାସ ତା’ ଦେହରେ ଡାମ୍ଫଣ ଭଳି ଗଳିଯାଏ । କାହା ଆଗେ ଅବା ଗୁହାରି କରିବ । ନିଜ କର୍ମକୁ ଆଦରି ରହେ । କେବେ କେମିତି ବାବୁଆଣୀ ବାରିପଟକୁ ଗଲେ ବାବୁ ତାକୁ କଅଁଳେଇ ଡାକନ୍ତି । କାହିଁକି ନା, ତାଙ୍କର ବି ବାବୁଆଣୀଙ୍କି ଭାରି ଡର । ନୂପୁରୀକୁ ଏକା ପାଇଲେ ସେ କେମିତି ଅଛି, ପେଟପୁରା କରି ଖାଉଛି କି ନାହିଁ ପଚାରନ୍ତି । ଲାଜରେ ସେ କିଛି କହିପାରେ ନାହିଁ । ଏଡ଼େ ବଡ଼ ଲୋକଙ୍କୁ ସେ କି ଉତ୍ତର ଦେବ ।

ତେବେ ବାବୁଆଣୀଙ୍କ ପିଙ୍ଗା ଫୋପଡ଼ା କଥା ଗୁଡ଼ିକୁ ସହି ନ ପାରିଲେ ସେ ପଦେ ଅଧେ ଜବାବ୍ ଦେଇ ପକାଏ । ନଇଲେ ସେଠୁ ବାହାରି ଯାଏ, ଘର ଭିତରେ ପଶି ବହେ କାନ୍ଦେ । ବେଳେ ବେଳେ ତା’ର ଗେରସ୍ତ ଦେଇଯାଇଥିବା ଦର୍ପଣ ଖଣ୍ଡକ ବାକ୍ସ ଭିତରୁ ବାହାର କରି ମୁହଁ ଦେଖେ । ଅଡୁଆ ବାଳଗୁଡ଼ାକୁ ପାନିଆରେ କୁଣ୍ଡାଇ ଟିକିଏ ସଜାଡ଼ି ଦିଏ । ନିଜ ମୁହଁକୁ ଚାହିଁ ଭାବେ ତା’ ଠାରୁ ତ ବାବୁଆଣୀ ବେଶି ସୁନ୍ଦରୀ ନୁହଁନ୍ତି । ତା’ କାନ ଦି’ଟାରେ ସେମିତି ସୁନାଫୁଲ, ବେକରେ ସେମିତି ସୁନାହାର, ହାତରେ ସୁନାକାଚ, ବାହାରେ କଙ୍କଣ ଆଉ ଦିହରେ ସେମିତି ଭଲ ଶାଢ଼ି ଖଣ୍ଡେ ପିନ୍ଧିଲେ, ସେ ତ ତାଙ୍କଠାରୁ ବେଶି ସୁନ୍ଦର ଦିଶନ୍ତା । ପୁଣି ସେ ଯେତିକି ପାଠ ପଢ଼ିଚି ବାବୁଆଣୀ ତ ସେଥିରୁ ବେଶି ପଢ଼ି ନାହାନ୍ତି କି ଜାଣି ନାହାନ୍ତି । ସେ ତ ହେଲେ ରାମାୟଣ, ମହାଭାରତ ପଢ଼ିଚି, ପୁଣି ଚିଠି ଲେଖି ଜାଣେ । ସେତିକି ବି ତାଙ୍କୁ ଜଣା ନାହିଁ, ଆଉ କେଉଁ ଗୁଣରେ ସେ ଅଧିକା ଯେ ତାକୁ ଏତେ ଗଞ୍ଜଣା ଦେବେ । ବାବୁ ଧାନ ସିଲ୍ କରି ବେଶି ଉପାୟ ନ କରନ୍ତି, ନା ବାବୁଆଣୀଙ୍କର ଏମିତି ବଡ଼େଇ ନ ବାହାରେ । ଯାହାହେଉ ଅରକ୍ଷିତକୁ ଦଇବ ସାହା ହେଲାଭଳି ତାକୁ ଏତେବେଳେ ଟିକିଏ ଆଶ୍ରା ଦେଇଛନ୍ତି । ଯାହା କୁହନ୍ତୁ ପଛେ ନୂପୁରୀର ସହିଯିବା ଭଲ । କଥାରେ ତ ଅଛି, ସଂସାର ଭିତରେ ଘର କରିଥିଲେ ପଥର ପଡ଼ିଲେ ସହି ।

ସେଦିନ ବକ୍ରେଶ୍ୱର ମହାଦେବଙ୍କଠାରେ ବଡ଼ ଯାତ୍ରା । ନୂପୁରୀ ଶିବରାତ୍ରୀ ଉପାସ କରିଥାଏ । ସ୍ୱାମୀପାଇଁ ସେ କେତେ ଉପାସ ବାରବ୍ରତ କରେ । ତେବେ ହେଲେ ତା’ର ତିନି ବର୍ଷ ହେଲା ଖବର ନାହିଁ । ହାଟୁଆ ଜାତିରେ ତ ପୁଣି ଦୁତୀୟ ଅଛି । ହେଲେ ନୂପୁରୀ ଆଗେ କେହି ସେ କଥା ସାହସ କରି କହିପାରନ୍ତି ନାହିଁ । ଏମିତି କାଣ୍ଡୋଇ ଯେ, ପଦେ କଥା ହଟୁଣୁ କଳି କରି ବସିବ । ସେଥିପାଇଁ ମାଇପେ ବି ତାକୁ କିଛି କହନ୍ତି ନାହିଁ, ମରଦମାନେ ତ ଜାଣି ।

ନୂପୁରୀ ଶିବରାତ୍ରି ଉପାସ କଲା, ଠାକୁରଙ୍କ ପାଖେ ଭୋଗ କରିବାକୁ ପଇସା ପଠେଇ ଦେଲା । ନିଜେ ଆଉ ଗଲା ନାହିଁ । ତିନି ବର୍ଷ ହେଲା ମୁଣ୍ଡ ପିଟି ପିଟି କ’ଣ ହେଲା ? ଏ ବର୍ଷ ନ ଗଲେ ହେବ କ’ଣ ? ସହଳ ବାବୁଘର ଆଡ଼ତିସାରି ସଞ୍ଜ ଆଗରୁ ସେ ନିଜ ଘରକୁ ଫେରି ଯାଉଥିଲା, ଦାଣ୍ଡ ପିଣ୍ଡାରେ ବାବୁଙ୍କ ପାଟି ଶୁଭିଲା- “କିଲୋ ଝିଅ, ଆଜି କଣ ଜାଗର ଯାତକୁ ଯିବୁ ନାହିଁ କି ?” ମୁଣ୍ଡରେ ଲୁଗା ଟିକିଏ ଟାଣି ଦେଇ ବାବୁଙ୍କୁ ନ ଚାହିଁ ସେ କହିଲା, “ନା” ।

“କାହିଁକି ?”

“ଭଲ ଲାଗୁନି” କହି ନୂପୁରୂ ଯିବାକୁ ବାହାରିଲା ।

“ହଉ ଯା’, ଯା’, ଆମ ଘରୁ ତ ସମସ୍ତେ ବାହାରିଛନ୍ତି, ମୁହିଁ ଖାଲି ଘର ଜଗିଆ ହୋଇ ରହିବି ।”

ନୂପୁରୀ ଦି’ଦ୍ୱାର ଡେଇଁ ତା’ ସାନ ଘର ଖଣ୍ଡିକରେ ପଶିଲା । ପଡ଼ିଶା ଝିଅ ଆଶା, ନୂପୁରୀ ଦେଇଥିବା ପଇସାରେ ଠାକୁରଙ୍କ ପାଖେ ଭୋଗ ଲଗାଇ ପ୍ରସାଦ ଆଣି ଦେଇଗଲା । ସେ ଆଜି ସକାଳୁ ଉପାସ କରିଛି । ଏବେ ପ୍ରସାଦ ପାଇବାକୁ ବି ଇଚ୍ଛା ହେଲା ନାହିଁ । କବାଟ ବନ୍ଦ କରି ଘର ଭିତରେ ଦୀପ ଜାଳି ବିଛଣାରେ ପଡ଼ି ରହିଲା । ସତେ କ’ଣ ଦିଅଁ ଦେବତା ଅଛନ୍ତି ? ଆଜି ତ ଶହ ଶହ ଝିଅବୋହୂ ବକ୍ରେଶ୍ୱରଙ୍କ ପାଖେ ଜାଗର ଜାଳୁଥିବେ । ସେ ନିଜେ ତ କେତେ ଜାଳିଛି । କାହିଁ ? ବକ୍ରେଶ୍ୱରଙ୍କ ବକ୍ର ଆଖି ତ ତା’ ଉପରେ ପଡ଼ିଲା ନାହିଁ ? ନା, ନା, ସବୁ ମିଛ, ସବୁ ଖାଲି ମନ ବୁଝିବା କଥା ।

କେତେ କାଳ ଆଉ ସେ ତକେଇବ । ଲଢ଼େଇ ତ ବନ୍ଦ ହେଲା । କେତେ ଲୋକ ଲେଉଟିଲେଣି, ସତ୍ୟାନନ୍ଦ ବଞ୍ଚିଥିଲେ ଆଜିଯାକେ ରହନ୍ତା କେଉଁଠି ? ଛୁଟି ମିଳିଥିଲେ ନୁପୂରୀକୁ ଛାଡ଼ି ଦିନେ ହେଲେ ସେ ତ କାହିଁ ରହିବ ନାହିଁ । ବିଷ ଖାଇ ମରିଥିଲେ ଆଜକୁ ଦି’ବର୍ଷ ହୁଅନ୍ତାଣି । ଅନାଦି ତାକୁ କାହିଁକି ବେଞ୍ଚଇଲା । ଏମିତି ହୀନିମାନ ଜୀବନ ଛଡ଼ା ମରିବା ତ ଶତ ଗୁଣେ ଭଲ । ଶେଷ ଥର ପାଇଁ ସେ ପୁଣି ବକ୍ରେଶ୍ୱରଙ୍କୁ ଡାକିଲା । ଉପାସରେ ତାକୁ ଝୋଲା ମାରି ଯାଉଥାଏ । କେତେବେଳେ ଆଖିକି ନିଦ ଆସିଗଲା ସେ ଜାଣେ ନାହିଁ ।

କେତେ ରାତି ସରିକି କବାଟରେ ଠକ ଠକ ଶବଦ ଶୁଣି ତା’ର ନିଦ ଭାଙ୍ଗିଗଲା । ରାତି ଅଧରେ ତା’ କବାଟ ବାଡ଼ଉଛି କିଏ ? ସତେ ବକ୍ରେଶ୍ୱର ତା’ର ଡାକ ଶୁଣିଲେ- ସତ୍ୟାନନ୍ଦ ଏତେ ଦିନ ବାହୁଡ଼ିଲା । ଆନନ୍ଦରେ ତା’ର ଦିହମନ ଉଲ୍ଲ୍ରସି ଉଠିଲା । ସେହିପରି ବିଛଣାରେ ପଡ଼ି ସେ ପଚାରିଲା କିଏ ? ବାହାରୁ ଅତି ଆସ୍ତେ ଉତ୍ତର ଆସିଲା, “କବାଟ ଫିଟା, ମୁଁ ।”

ନୂପୁରୀ ଆନନ୍ଦରେ ଅଧୀରା ହୋଇ ଉଠିବସିଲା- “ହଁ, ଏହି ତ ତାରି ସ୍ୱର, ଏଇ ତ ତା’ର ସ୍ୱାମୀ, ତା’ର ପୁରୁଷ, ତା’ର ଭରସା ।”

ସେ ଦୀପ ଜାଳି କବାଟ ଫିଟାଇ ଦେଲା- “ଏ କିଏ ? କାନଗୋଇବାବୁ ।” ଘର ଭିତରେ ସେ ହସି ହସି ପଶିଲାବେଳକୁ ନୂପୁରୀ ପଦାକୁ ବାହାରିଆସି ପାଟି କରି ଉଠିଲା । କାନଗୋଇବାବୁ ତା’ ଓଠ ଉପରେ ଗୋଟିଏ ହାତ ରଖି ଆର ହାତରେ ତାକୁ ଟାଣି କହିଲେ, “ଭିତରକୁ ଆଃ କହିବି ।” ନୂପୁରୀର ବୁଦ୍ଧି ବଣା ହୋଇଗଲା । ତା’ର ଅଜଣାରେ ଗୋଟାଏ ହାତ ଯେମିତି ଆପେ ଆପେ ଚମକି ଆସି କାନଗୋଇଙ୍କ କାନମୁଣ୍ଡାରେ ବସିଗଲା । ସେଥିରେ ଏମିତି ଗୋଟାଏ ଶବ୍ଦ ହେଲା ଯେ ନୂପୁରୀ ନିଜେ ବି ଚମକି ପଡ଼ିଲା । କାନଗୋଇବାବୁ ଯେଉଁଠି ଛିଡ଼ା ହୋଇ ତାକୁ ଟାଣୁଥିଲେ ସେଇଠି ବସି ପଡ଼ିଲେ । ନୂପୁରୀ ଘର ଭିତରେ ପଶି ଧଡ଼କରି କବାଟ କିଳି ଦେଲା ।

ଏ କ’ଣ ? ସଂସାର ଗୋଟାଯାକ ତେବେ ଏୟା ? କାନଗୋଇ ଦରବୁଢ଼ା ହେଲେଣି । ତା’ ବାପର ବୟସ । ତାଙ୍କ ପ୍ରକୃତି ଯେବେ ଏମିତି, ତେବେ ଆଉ କାହାର କ’ଣ ନ ହେବ । ନା, ନା, ଏଣିକି ଅନାଦି ଛାଡ଼ି ମହା ଅନାଦି ହେଲେ ବି ନୂପୁରୀକୁ କେହି ବେଞ୍ଚଇ ପାରିବ ନାହିଁ । ରାଗରେ, ଘୃଣାରେ ତା’ ମନ ଜଳିଉଠିଲା । ରାତି ପାହି ଆସୁ ଆସୁ ପୁଣି ତାକୁ ନିଦ ଲାଗିଲା । ସକାଳୁ ଉଠି ସେ କୁଆଡ଼େ ଯିବ, କାହା ମୁହଁକୁ ଚାହିଁବ କିଛି ଭାବି ପାରିଲା ନାହିଁ । ତା’ର ଏ ନିଦ ଆଉ ନ ଭାଙ୍ଗନ୍ତା ହେଲେ । ଦିନ ପହରକୁ ସେ ନିଦରୁ ଉଠିଲା ବହୁତ ଲୋକଙ୍କ ପାଟି ଶୁଣି । କବାଟ ଫିଟାଇ ଦେଖେ, ଦାଣ୍ଡଯାକ ଲୋକ ଭର୍ତ୍ତି । ବିଶ୍ୱାସ କଲା ନାହିଁ । ତାଙ୍କ ଭିତରେ ଖାକି ପୋଷାକ ପିନ୍ଧି ସତ୍ୟାନନ୍ଦ ହସି ହସି ସମସ୍ତଙ୍କୁ ସଲାମ କରୁଛି । ଅନାଦି କହୁଛନ୍ତି, “ସତ୍ୟାନନ୍ଦ ଆମର ଭାରତ-ଜାତୀୟ ବାହିନୀର ବୀର”- “ଜୟହିନ୍ଦ୍” ସମସ୍ତେ ପାଟି କରି ଉଠୁଛନ୍ତି, “ଜୟହିନ୍ଦ୍” ।

ଭିଡ଼ ଭିତରୁ କିଏ ଜଣେ ପଚାରିଲା, “କାନଗୋଇବାକୁ ନାହାନ୍ତି କି ?” କାନଗୋଇଙ୍କ ସାନପୁଅଟି କହିଲା, “ବାପାଙ୍କ ଦାନ୍ତ ମୂଳ ଧରିଛି ।”

ଲୋକପ୍ରିୟ ଲେଖା

To Top