ଜୀବନର ଚଲା ପଥରେ

ଓଡ଼ିଆ ଲେଖକ ଜିତେନ୍ଦ୍ରିୟ ରାଉତ

କହିବାକୁ ଗଲେ ସେ ହେଉଛି ନାରୀ ଜାତି ପାଇଁ ଏକ କଳଙ୍କ । ପାଟି ଖୋଲିଲେ ଅଭଦ୍ର ଭାଷା ଆଉ ହିଂସାର ଶବ୍ଦ । ସେଥିପାଇଁ ତାକୁ ଡରରେ କେହି କିଛି କହନ୍ତି ନାହିଁ ।

ଜୀବନର ଚଲା ପଥରେ

କଳା ପ୍ରେମୀ ବନ୍ଧୁଟି ମୋର ଜିତୁ । ଏକାଧାରରେ ଜଣେ ସରକାରୀ କର୍ମଚାରୀ, ଜଣେ ଗୀତିକାର, ଜଣେ ସଂଳାପକାର, ଜଣେ ନାଟ୍ୟକାର ଆଉ ଶେଷରେ ଗୋଟେ ସାଧାରଣ ମଣିଷ । ଟିକିଏ ଅଫିସ୍ କାମରୁ ଫୁରସତ୍ ପାଇଲେ ଆସିଯାଏ ମୋ ପାଖକୁ । ପ୍ରତ୍ୟେକ ଦିନର ଦୁଃଖ ସୁଖ ବଖାଣି ଚାଲେ । କାହିଁକି କେଜାଣି ମୋ ସହିତ କିଛି ସମୟ ଗପି ଦେଲେ ତାକୁ ଯେମିତି ଦିନମାନର କାମ ବୋଝରୁ ମୁକ୍ତି ପାଇଲା ପରି ଲାଗେ । ସେଦିନ ଥିଲା ଅଗଷ୍ଟ ୧୫ ତାରିଖ ଅଫିସ୍‌ରେ ଜାତୀୟ ପତାକା ଉତ୍ତୋଳନ ସରିବା ପରେ ଆସି ଆମ ଅଫିସ୍‌ରେ ହାଜର । ଆରମ୍ଭ କଲା ବନ୍ଧୁ, ପ୍ରତ୍ୟେକ ଦିନ ଆଖିଆଗରେ ନାଚି ଉଠୁଛି ମହାପୁରୁଷମାନଙ୍କର ଜୀବନର ପ୍ରତିଟି ମୁହୂର୍ତ୍ତ । ଖବର କାଗଜ, ଟିଭି ଓ ରେଡ଼ିଓରୁ ଉଚ୍ଚାରିତ ହୋଇ ଉଠୁଛି ମହାମନିଷୀମାନଙ୍କ ଜୀବନଶୈଳୀ । କେତେକ ବ୍ୟକ୍ତି ସେମାନଙ୍କ ଜୀବନ ଶୈଳୀକୁ ଆବୋରି ନିଅନ୍ତି ନିଜ କ୍ୟାରିଅର୍ ଗଢ଼ିବା ପାଇଁ ତ କେହି କେହି ସେମାନଙ୍କର ଜୀବନଶୈଳୀକୁ ଅନ୍ୟମାନଙ୍କ ଆଗରେ ବଖାଣି ଉଠନ୍ତି ନିଜର ମହାନତା ପ୍ରାପ୍ତି ପାଇଁ । ମୁଁ କିନ୍ତୁ ସେହି ମହାପୁରୁଷଙ୍କ ପ୍ରତିଟି ଦିନର କାର୍ଯ୍ୟକୁ ଖବରକାଗଜରୁ ପଢ଼େ ଓ ଆଖିରୁ ଦୁଇଟୋପା ଲୁହ ଝରାଏ । ମନେ ପଡ଼ିଯାଏ ମୋ ଜୀବନର ସେମିତିକା ଦିନ ଗୁଡ଼ିକ । ମନକୁ ଆସେ ସେମାନେ ଯେମିତି ଜନ୍ମ ହୋଇଛନ୍ତି ଏକ ଅଜଣା ଅଶୁଣା ଗରିବ ପରିବାରରୁ ମୁଁ ବି ତ ଜନ୍ମ ହୋଇଛି ଏକ ପରିଚୟ ନ ଥିବା ଏକ ମଫସଲି ଗାଁରୁ । ଗାଁର ଇତିହାସ କହିଲେ କିଛି ନାହିଁ । ଖାଲି କେଇଟା ନୁଆଁଣିଆ ଚାଳ ଛପର ଘର, ମାଟି କାଦୁଅର ରାସ୍ତା ଓ ଗାଁ ଚାରିପାଖରେ ବୁଲିଥିବା ସେଇ ମହାନଦୀରୁ ବିଚ୍ଛିନ୍ନ ହୋଇଯାଇଥିବା ଗୋଟେ ସରୁ ନଦୀ ନାଁ ତା’ର ବାଲିଆ ନଈ । ଗାଁକୁ ଲାଗିଥିବା ଉର୍ବର ଫସଲ କ୍ଷେତ ଯାହାକୁ ଆମ ଗାଁ ଲୋକ କୁହନ୍ତି ପାଳନ୍ଦା । ସେଠାରେ ଆମ ଗାଁ ଲୋକ ମୁଣ୍ଡ ଝାଳ ତୁଣ୍ଡରେ ମାରି ଖରା, ବର୍ଷା, ଶୀତ, କାକର ଖାଇ ଅମଳ କରନ୍ତି ବିଭିନ୍ନ ଶସ୍ୟ ଓ ପନିପରିବା । ଆମ ଗାଁର ରୋଜଗାରିଆ ପୁଅ କହିଲେ ସେଇ ଉର୍ବର ଜମି ପାଳନ୍ଦା । ସକାଳ ହେଲେ ଗାଁର ପ୍ରତ୍ୟେକ ଲୋକ ପହଞ୍ଚି ଯାନ୍ତି ସେଇ ପାଳନ୍ଦାରେ । ଚମତ୍କାର ଲାଗେ ସେଇ ଦୃଶ୍ୟ କିଏ ଜନ୍ତରେ ପାଣି ବୁହାଉ ଥାଏ ତ କିଏ ବଳଦ ଯୋଚି ହଳ ବୁଲାଉଥାଏ, କିଏ କୋଦାଳରେ ମାଟି ହାଣୁଥାଏ ତ ଆଉ କିଏ କୋଡ଼ି ଧରି ହୁଡ଼ା ଦେଉଥାଏ । ପୁଣି କିଏ କୋଶିଳା ଶାଗ ଓପାଡ଼ି ବିଡ଼ା ବାନ୍ଧୁଥାଏ ତ କିଏ ବାଇଗଣ କିଆରୀରେ ପଶି ବାଇଗଣ ତୋଳୁଥାଏ । ସତେ ଯେପରି ଗାଁ ପରିବେଶରେ ବଞ୍ଚୁଥିବା ମଣିଷମାନଙ୍କର ଜୀବନଶୈଳୀ ବୁଝିବା ପାଇଁ ସେଇ ସିନେରୀ ଯଥେଷ୍ଟ । ଏମିତି ଭାବେ ଗପି ଚାଲିଥାଏ ଜିତୁ ।

ସେଦିନ କାହିଁ ମୋର ଜିତୁ ବିଷୟରେ କିଛି ବୁଝିବାକୁ ଇଚ୍ଛା ହେଲା । ପଚାରିଲି ବନ୍ଧୁ ଆଜି ତ ସ୍ୱାଧୀନତା ଦିବସ ସବୁଆଡ଼େ ମହାପୁରୁଷମାନଙ୍କର ଇତିହାସ ଶୁଣିବାକୁ ମିଳୁଛି । ମୋର କିନ୍ତୁ ତୋର ଜୀବନ କାହାଣୀ ଶୁଣିବାକୁ ଇଚ୍ଛା ହେଉଛି । ମୁହଁରେ ସ୍ମିତ ହସଟିଏ ଦେଇ କହିଲା ମୋ ଜୀବନ କାହାଣୀ କ’ଣ ଶୁଣିବ । ମୁଁ କ’ଣ ମହାପୁରୁଷ ? ତଥାପି ତୁ ଯେତେବେଳେ ଶୁଣିବାକୁ ଚାହୁଁଛୁ ତେବେ ମୋ ଜନ୍ମ ବିଷୟରେ ମୋ ବୋଉ ଠାରୁ ମୁଁ ଯାହା ଶୁଣିଛି ତୋତେ କହୁଛି ଶୁଣ ।

ଆରମ୍ଭ କଲା ଜିତୁ- ମୋର ତିନି ଭଉଣୀ ଆଉ ମୁଁ ହେଉଛି ଗୋଟିଏ ବୋଲି ପୁଅ । ବଡ଼ ଭଉଣୀଟି ମୋର ଜନ୍ମ ହେବାର ବର୍ଷକ ପରେ ମରିଯାଇଛି । ବୋଉ କହେ ସେଇ ଝିଅଟି କୁଆଡ଼େ ତା’ର ସବୁଠାରୁ ସୁନ୍ଦର ଥିଲା । ତା’ର ମୃତ୍ୟୁ ପରେ ପୁଣି ଜନ୍ମ ହୋଇଛନ୍ତି ଦୁଇଟି ଭଉଣୀ । ଆଉ ମୋ ତଳେ ପୁଣି ଗୋଟିଏ ଭଉଣୀ । ତିନି ତିନୋଟି ଝିଅ ଜନ୍ମ କରି ସାରିଲା ପରେ ଦୁଃଖରେ ଭାଙ୍ଗି ପଡ଼ିଥାନ୍ତି ମୋ ବାପା ବୋଉ । ପୁଅଟିକୁ ଚାହିଁ ଚାହିଁ ତିନି ତିନିଟା ଝିଅ ଜନ୍ମ କରିସାରିଥାଏ ମୋର ବୋଉ । ପୁଅଟିଏ ନ ଥିବାରୁ ଦୁଃଖକୁ କାହାପାଖରେ କହିପାରୁନଥାନ୍ତି ମୋର ବାପା, ବୋଉ । ସମୟ ସମୟରେ ସେମାନଙ୍କର କୋହକୁ ଚାପି ନ ପାରି ରାତିରେ ଭୋ ଭୋ ହୋଇ କାନ୍ଦି ଉଠନ୍ତି । ମୋ ବୋଉ ଠାକୁର ପୂଜା କଲାବେଳେ ମଙ୍ଗଳା ମା’ ପାଖରେ ମୁଣ୍ଡ ବାଡ଼େଇ ପୁଅଟିଏ ପାଇଁ ଆକୁଳ ଚିତ୍କାର କରେ । ମଙ୍ଗଳା ମାଆ ତ କାହାର ଦୁଃଖ ସହିପାରନ୍ତି ନାହିଁ । ମୋ ବୋଉ ଭଳି ସରଳ ନିରୀହ ସ୍ତ୍ରୀ ଲୋକଟିର ଦୁଃଖକୁ ବା କେମିତି ସହି ପାରିଥାନ୍ତେ । ମଙ୍ଗଳା ମାଆ ମୋ ବୋଉର ପୂଜାରେ ସନ୍ତୁଷ୍ଟ ହୋଇ ବର ପ୍ରଦାନ କଲେ । ଯାହା ଫଳରେ ମୋ ବୋଉର ଚତୁର୍ଥ ଗର୍ଭରେ ପୁତ୍ର ସନ୍ତାନ ସ୍ଥାନ ପାଇଥିଲା । ପରିବାର କହିଲେ ସେତେବେଳେ ମୋର ବୁଢ଼ୀମା’, ବାପା, ବୋଉ, ମୋର ଦୁଇ ଭଉଣୀ, ଦାଦା, ଖୁଡ଼ୀ ଓ ତାଙ୍କର ଗୋଟିଏ ପୁଅ ଥିଲେ । ଦାଦା, ଖୁଡ଼ୀଙ୍କର ଗୋଟିଏ ପୁଅ ହୋଇଥିବାରୁ ସେ ବହୁତ ଖୁସି ଥା’ନ୍ତି । ମୋ ଖୁଡ଼ି, ମୋ ବୋଉକୁ ଓ ଆମ ପରିବାରକୁ ଈର୍ଶା କରେ । ସହିପାରେ ନାହିଁ ଯେପରି । ମୋ ବୋଉ ବଡ଼ଯା’ ହୋଇଥିଲେ ବି ସେ ତାକୁ ବଡ଼ଯା’ର ସମ୍ମାନ ଦିଏ ନାହିଁ କି ଘରେ କାହା କଥାକୁ ମାନେ ନାହିଁ । କହିବାକୁ ଗଲେ ସେ ହେଉଛି ନାରୀ ଜାତି ପାଇଁ ଏକ କଳଙ୍କ । ପାଟି ଖୋଲିଲେ ଅଭଦ୍ର ଭାଷା ଆଉ ହିଂସାର ଶବ୍ଦ । ସେଥିପାଇଁ ତାକୁ ଡରରେ କେହି କିଛି କହନ୍ତି ନାହିଁ । ଗାଁରେ ଭିନ୍ନେ ହେବାର ଗୋଟିଏ ନିଆରା ପରମ୍ପରା ଥାଏ । ସେ ଭଳି ପରମ୍ପରାରେ ବହୁତ ଊର୍ଦ୍ଧ୍ଵରେ ଥିଲେ ମୋ ବାପା । ବାପା କୁହନ୍ତି ଆମେ ଛୋଟ ଛୋଟ ହୋଇଥିଲୁ ଆମର ବାପା ମରିଯାଇଛନ୍ତି । ଆମେ ଅନାଥ ହୋଇଯାଇଛୁ । କିନ୍ତୁ ଆମର ମରିବା ପର୍ଯ୍ୟନ୍ତ ଆମେ ଏକାଠି ରହିବୁ ମୋ ସାନଭାଇକୁ କେବେହେଲେ ମୁଁ ଭିନ୍ନେ କରେଇ ଦେବିନି । ବାପାଙ୍କ ଅନ୍ତର କଥାକୁ ଖୁଡ଼ି କିନ୍ତୁ ବୁଝିପାରେନା । ସିଏ ସବୁବେଳେ ଚାହେଁ ଭିନ୍ନେ ହୋଇ ଅଲଗା ରହିବେ । କାରଣ ତାଙ୍କର ଗୋଟିଏ ପୁଅ ଆଉ ଆମର ଦୁଇ ଦୁଇଟା ଝିଅ । ଆମର ପରିବାର ବଡ଼ ସେମାନେ ଆମଠାରୁ ଅଲଗା ରହିଲେ ଖୁସିରେ ରହିବେ । ବହୁତ କଷ୍ଟ ସହି ରହିବାକୁ ପଡ଼େ ଦାଦା, ଖୁଡ଼ିଙ୍କ ସଙ୍ଗରେ କେବଳ ବାପାଙ୍କର ସେଇ କରିଥିବା ପଣ ପାଇଁ । ମୋ ବୋଉ ଗର୍ଭବତୀ ଥିଲା ବେଳେ ବି ମୋ ଖୁଡ଼ି ତାକୁ କୌଣସି କାମରେ ତାକୁ ସାହାଯ୍ୟ କରେନା । ଓଲଟା ଆଡୁ ସାଡୁ ଖରାପ କଥା କହେ । ସବୁ କଥା ଶୁଣି ମୋ ବୋଉ ଦୁଃଖରେ ଭାଙ୍ଗି ପଡ଼େନା ବରଂ ସବୁବେଳେ ସେଇ ମଙ୍ଗଳା ମାଆଙ୍କୁ ସ୍ମରଣ କରୁଥାଏ । ୧୯୮୫ ମସିହା ଅଗଷ୍ଟ ମାସ ୧୩ ତାରିଖ ମଙ୍ଗଳବାର ଫସର ଫାଟିଗଲାଣି, ମୋ ବୋଉର ପ୍ରସବ ବେଦନା ଆରମ୍ଭ ହୋଇଗଲା । ମୋ ବୋଉ ଯନ୍ତ୍ରଣାରେ ଛଟପଟ ହେଉଥିବାର ଦେଖି ମୋ ବୁଢ଼ୀମା’ ବଡ଼ଙ୍ଗ ଗାଁର ଶୁଳିଆଣି ବୁଢ଼ୀକୁ ଡାକିବାକୁ କହିଲେ । ଧିରେ ଧିରେ ଏହି ଘଟଣା ସାହି ସାରା ପ୍ରଚାର ହୋଇ ଯାଇଥିଲା । ସାହିର ସ୍ତ୍ରୀ ଲୋକମାନେ ଆମ ଘରେ ଆସି ରୁଣ୍ଡ ହୋଇଯାଇଥିଲେ । ଆମ ଖୁଡ଼ି ସେଦିନ ଗୋବର ପାଣି ପକେଇ ଦୁଆର ଓଳଉ ଥାଏ । କିଛି ଗାଁର ସ୍ତ୍ରୀ ଲୋକ ଆସି ଖୁଡ଼ିକୁ ପଚାରିଲେ ତୋ ଯା’ର କ’ଣ ହେଲା ପୁଅ ନା ଝିଅ । ସେତବେଳକୁ ମୋ ବୋଉ କଷ୍ଟ ପାଉଥାଏ । ଦେଖେଇ ହେଲା ଭଳି ମୁହଁରେ ଥଟ୍ଟାର ଶୁଖିଲା ହସଟିଏ ହସି ଦେଇ ଖୁଡ଼ି କହିଲା ହଁ ପୁଅଟା ହୋଇଛି ଯାଉନା ଦେଖିବ । ରାଣ ଦେଲା ଭଳି ତା’ ତୁଣ୍ଡରୁ ବାହାରିଥିବା କଥା ସତ ହେଲା । ମା’ ମଙ୍ଗଳାଙ୍କର ଆଶୀର୍ବାଦରୁ ସେଇ ମଙ୍ଗଳବାର ଦିନ ୧୧ଟା ୧୧ ମିନିଟ୍ ବେଳକୁ ମୋ ବୋଉ ମୋତେ ଜନ୍ମ ଦେଲା । ମୁଁ ଭୂଇଁରେ ପଡ଼ିବା ପରେ ମୋ ବୋଉ ବୁଢ଼ୀମା’କୁ କାନ୍ଦି କାନ୍ଦି ପଚାରିଲା ବୋଉ କ’ଣ ହୋଇଛି । ପୁଅ ନା ଝିଅ । ମୋ ବୁଢ଼ୀମା’ ଖୁସିରେ କହିଲା ତୋ ଡାକ ମଙ୍ଗଳା ମାଆ ଶୁଣିଛନ୍ତି । ତୋର ପୁଅଟିଏ ହୋଇଛି । ଏତିକି କଥା ଶୁଣି ସାରିଲା ପରେ ମୋ ବୋଉ ତା’ର ସମସ୍ତ ପ୍ରସବ ବେଦନାକୁ ଭୁଲିଯାଇ ମୋତେ କୋଳକୁ ଟେକି ନେଲା ଆଉ କହିଲା ମା’ ମଙ୍ଗଳା ତୁ ମୋ ଡାକ ଶୁଣିଲୁ । ଏମିତି କହୁ କହୁ ଖୁସିରେ କାନ୍ଦି ପକାଇଲା ମୋ ବୋଉ । ସତେ ଯେମିତି ସେ ଆଉ ମାଟିରେ ନାହିଁ ତା’ ମନ ଉଡୁଛି ପବନରେ । ଏପଟେ ଖୁଡ଼ି ହିଂସାରେ ଜଳିବାକୁ ଲାଗିଲା । ରାଗ ତମତମ ହୋଇ ଗୋଡ଼ ବାଡ଼େଇ ବାଡ଼େଇ ଚାଲିଲା । ସମସ୍ତଙ୍କ ଉପରେ ଫଁ ଫଁ ହେଲା । କାହିଁକି କେଜାଣି ଯେମିତି ମୁଁ ଜନ୍ମ ହେଲିନି ଯେ ତା’ଠାରୁ ଯେମିତ କୋଟିଏ ଟଙ୍କାର ସମ୍ପତ୍ତି କିଏ ଛଡ଼େଇ ନେଇଗଲା । ଏହା କହୁ କହୁ ଜିତୁ କାନ୍ଦିବାକୁ ଲାଗିଲା ।

ଏଥିଲା ଜିତୁ ଜୀବନର ଇତିହାସର ପ୍ରଥମ ପାହାଚ । ଜିତୁର ଏମିତିକା କଥା ଶୁଣୁ ଶୁଣୁ ମୁଁ ତା’ କଥାରେ ଆତ୍ମବିଭୋର ହୋଇଗଲି ଆଉ ଭାବୁଥାଏ ସଂସାରରେ ସ୍ତ୍ରୀଲୋକ ଗୁଡ଼ା ଏତେ ଈର୍ଶା କରନ୍ତି କାହିଁକି ? ଆଉ ଭଗବାନ ତାଙ୍କୁ ଏତେ ଈର୍ଶା କରିବାର ସ୍ୱଭାବ ଦେଇଛନ୍ତି କାହିଁକି ? ଜିତୁର ଆଖିରୁ ଲୁହ ପୋଛି ମୁଁ ତାକୁ ଶ୍ରୀ ଗଣେଷ ହୋଟଲ୍‌କୁ ଖାଇବାକୁ ଡାକି ନେଇଥିଲି ।

ଲୋକପ୍ରିୟ ଲେଖା

To Top