ଗଳ୍ପ

ଝରା ବସନ୍ତ

କାଶର ସ୍ୱରଟା ଯେମିତି ମନେହେଉଥିଲା ଅତି ନିଜ ଲୋକର – ଏକ ପରିଚିତ ସ୍ୱର । ମନର ଜିଜ୍ଞାସା ମନରେ ମାରି କେବେହେଲେ ଘର ଭିତରକୁ ଯିବାକୁ ଉଦ୍ୟତ ହେଉନଥିଲେ ବସୁନ୍ଧରା ।

ଝରା ବସନ୍ତ

ପଡ଼ିଶା ଘରର ମୀନକେତନ ବାବୁଙ୍କର ମର ଶରୀର ଦେଖି ନାତିକୁ କାଖେଇ ବସୁନ୍ଧରା ବାଷ୍ପାକୁଳ ଆଖିରେ ଚାହିଁରହିଥିଲେ । ହୃଦୟର ଅସରନ୍ତି କୋହକୁ ଚାପି ମୀନକେତନ ବାବୁଙ୍କ ଆଡେ ଚାହିଁ ଦୁଇ ହାତ ଯୋଡ଼ି କହିଲେ “ତୁମ ଆତ୍ମା ଶାନ୍ତି ପାଉ” । ଏସବୁ ଦେଖି ନାତି ପଲ୍‌ଟୁ ବସୁନ୍ଧରା ଛାତିରେ ମୁହଁ ଜାକିଦେଲା । କିଏ ଜାଣିଥିଲା ମୀନକେତନଙ୍କୁ ବସୁନ୍ଧରା ଜୀବନର ଚଲାପଥରେ ପୁଣି ଭେଟିବେ ବୋଲି ।

କାଲି ଭଳିଆ ଲାଗୁଛି ଏହିପରି “ରାମ ନାମ ସତ୍ୟ” ତାଳରେ ତାଙ୍କୁ ଏକାକୀ ଛାଡ଼ି ସ୍ୱାମୀ ଅରୁଣ ମଧ୍ୟ ଚାଲି ଯାଇଥିଲେ । ପୁଅ ବୋହୁଙ୍କ ସଙ୍ଗେ ଯେଣେ ବଦଳି ହେଲେ ବୁଲିବୁଲି କାଠ କଣ୍ଢେଇଟିଏ ପାଲଟି ଯାଇଥିଲେ ବସୁନ୍ଧରା । ତିନି ମାସ ତଳେ ପୁଅ ଯେତେବେଳେ ରେଢାଖୋଲରୁ ଭୂବନେଶ୍ୱର ବଦଳି ହେଲା ବସୁନ୍ଧରାଙ୍କ ମନ ଖୁସିରେ ଉଛୁଳି ପଡ଼ିଥିଲା । ସେଦିନ ପଡ଼ିଶା ଘରର ଛୋଟ ପୁଅଟିକୁ ଦେଖି ନାତି ଜିଦି କରିବାରୁ ବସୁନ୍ଧରା ମାଡ଼ିଯାଇଥିଲେ ସେଠିକି । ତାଙ୍କ ବୋହୁ ସହିତ ପରିଚୟ ହୋଇଥିଲା ତାଙ୍କର । ଘର ଭିତରୁ କାହିଁକି କେଜାଣି ଲହରା କାଶର ଶବ୍ଦରେ ବସୁନ୍ଧରାଙ୍କ ମନ ଚହଲି ଯାଇଥିଲା । ବୋହୁକୁ ପଚାରିବାରୁ ସେ କହିଲା “ମୋ ଶ୍ୱଶୁର – ମାଉସୀ ଟି.ବି. ରୋଗ ହୋଇଯାଇଛି ତାଙ୍କୁ । ଶାଶୁତ ବର୍ଷେ ହେଲା ଗଲେଣି ” । ସେଦିନ ରାତି ତମାମ ଶୋଇ ପାରୁନଥିଲେ ବସୁନ୍ଧରା । କାଶର ସ୍ୱରଟା ଯେମିତି ମନେହେଉଥିଲା ଅତି ନିଜ ଲୋକର – ଏକ ପରିଚିତ ସ୍ୱର । ମନର ଜିଜ୍ଞାସା ମନରେ ମାରି କେବେହେଲେ ଘର ଭିତରକୁ ଯିବାକୁ ଉଦ୍ୟତ ହେଉନଥିଲେ ବସୁନ୍ଧରା ।

ନାତି ଭାରି ଚଗଲା ଖେଳୁ ଖେଳୁ ବଲଟିକୁ ଗଡ଼ାଇଦେଲା ଘର ଭିତରକୁ । ବୋହୁ ବାରଣକଲା ଭିତରକୁ ଯିବାକୁ । ” ମୁଁ ନେଇଆସୁଛି କହି” କୋଠରୀଟି ଭିତରେ ପଶିଗଲେ ବସୁନ୍ଧରା । ମୀନକେତନଙ୍କୁ ଦେଖି ଚକ୍ଷୁ ବିସ୍ପୋରିତ ହୋଇଗଲା ତାଙ୍କର । ଅପଲକ ନୟନରେ ଚାହିଁରହିଲେ ସେ । ବୟସର ଛାପ ପଡ଼ିଥିଲେ ବି ମୀନକେତନଙ୍କୁ ସେ ଚିହ୍ନି ପାରିଥିଲା । ବିଗତ ୩୭ବର୍ଷ ବିତିଯାଇଥିଲେ ମଧ୍ୟ ମୀନକେତନଙ୍କର ଯେପରି କୌଣସି ପରିବର୍ତ୍ତନ ହୋଇନଥିଲା । ଥରିଲା କଣ୍ଠରେ ଭୂଚ୍ଚାଟ କରି ମୀନକେତନ କହିପକାଇଥିଲେ “ବସୁ ତୁମେ ! ଏ କ’ଣ ଦେଖୁଛି ମୁଁ” । ନିଜ ହୃଦୟର ଆବେଗକୁ ଚାପି ରଖି ବସୁନ୍ଧରା ସଲଜ ଠାଣୀରେ କହି ପକାଇଲେ “ହଁ ମୁଁ , ଇଏ ମୋତେ ଛାଡ଼ି ଦଶବର୍ଷ ହେଲାଣି ଆରପାରିକୁ ଚାଲିଗଲେଣି ” ବୋହୁଟି ଚକିତ ହୋଇ ପଚାରିଲା “ମାଉସୀ ବାପାଙ୍କୁ ଆପଣ ଚିହ୍ନିଛନ୍ତି ?” ନୀଲିପ୍ତ ହସଟିଏ ହସି ବସୁନ୍ଧରା କହିଥିଲେ “ହଁ ତୋ ବାପା ଓ ମୁଁ ଏକା ସାଙ୍ଗରେ ପଢୁଥିଲୁ ପରା” । ବୋହୁଟି ହସିହସି କହିଲା “ତା ହେଲେ ତୁମେ ଦୁଇଜଣ ସାଙ୍ଗ, ଭଲ ହେଲା” । ତା ପରଦିନ ଠାରୁ ପ୍ରତିଦିନ ବସୁନ୍ଧରା ମୀନକେତନଙ୍କ ପାଖକୁ ଯାଆନ୍ତି । ସେଠି ବସନ୍ତି – ଘଣ୍ଟା ଘଣ୍ଟା ଆଳାପ କରନ୍ତି । ଅନ୍ତର ଭିତରେ ଲୁଚିରହିଥିବା ଦୁର୍ବଳତା ଯେପରି ଗଭୀରତା ଭିତରକୁ ତାଙ୍କୁ ଠେଲିଦିଏ । ମନେ ପଡ଼େ ସେହି କଲେଜ ଜୀବନ । ମୀନକେତନଙ୍କ ସଙ୍ଗେ କେତୋଟି ମଧୁର ମୂହୁର୍ତ୍ତ । କଲେଜ ଜୀବନରେ ଇଂଲିଶ୍ ଅନର୍ସର ଛାତ୍ର ମୀନକେତନ ସବୁଠାରୁ ମେଧାବୀ ଥିଲେ । ବସୁନ୍ଧରାଙ୍କ ଭାଇ ଅନିରୁଦ୍ଧଙ୍କର ଅତି ପ୍ରିୟ ସାଙ୍ଗଥିଲେ ମୀନକେତନ । ଘରକୁ ଅନିରୁଦ୍ଧଙ୍କ ସାଙ୍ଗରେ ବେଳେବେଳେ ଆସନ୍ତି ସେ । ବସୁନ୍ଧରାଙ୍କ ମାଆ ବିନ୍ଧ୍ୟାଦେବୀ ଅତି ଭଲପାଆନ୍ତି ତାଙ୍କୁ । ତାଙ୍କ ଚାଲିଚଳନ ବ୍ୟବହାରରେ ଯେପରି ବାଧ୍ୟ ଶିଶୁଟିର ଛାପ ଦେଖିପାରୁଥିଲେ ବିନ୍ଧ୍ୟା ।

ପ୍ରତି ପର୍ବ ପର୍ବାଣୀରେ ଯଦି ମୀନକେତନ ନ ଆସନ୍ତି, ଭାରି ବ୍ୟସ୍ତ ହୋଇପଡନ୍ତି ସେ । ବସୁନ୍ଧରାଙ୍କ ପିତା ବିମଳେଶ ବାବୁ ଅତ୍ୟନ୍ତ କୋପୀ ଥିଲେ । ହାଇକୋର୍ଟରେ ପେସ୍କାର ଚାକିରୀଟିଏ କରିଥିଲେ । ବିମଳେଶ ଘରୁ ପଦାକୁ ଯିବାପରେ ଯେପରି ସମସ୍ତଙ୍କୁ ରିହାତି ମିଳିଯାଉଥିଲା । ସାମାନ୍ୟ କଥାରେ ରାଗିଯିବା ତାଙ୍କର ଏକ ବଦଗୁଣ ଥିଲା । ଯଦି କିଏ ତାଙ୍କ ବିନା ଅନୁମତିରେ କୁଆଡ଼େ ଯାଏ ବା କିଛି କରେ ସେ ଜମା ବରଦାସ୍ତ କରିପାରନ୍ତି ନାହିଁ । ମୀନକେତନଙ୍କ ଘରକୁ ଆସିବା ଯିବା ହୁଏତ ତାଙ୍କ ପସନ୍ଦର ବାହାରେ ଥିଲା । ବହୁତ ଥର ସେ ବିନ୍ଧ୍ୟାଙ୍କୁ ତାଗିଦ୍ କରିଥିଲେ “ଘରେ ଝିଅ ବଡ଼ ହେଲାଣି ସାଙ୍ଗ ସାଥୀଙ୍କର ଯିବା ଆସିବା ଉଚିତ ନୁହେଁ ।” ବିନ୍ଧ୍ୟା ମୁହଁ ଶୁଖାଇ ଜବାବ ଦିଅନ୍ତି “ସେଥିରେ କ’ଣ ଅଛି । ଇଏ ପରା ଆମ ଅନିରୁଦ୍ଧର ସାଙ୍ଗ – ଭଲପିଲାଟିଏ” ମୀନକେତନଙ୍କର ଯିବା ଆସିବା ଭିତରେ ବସୁନ୍ଧରା ତାଙ୍କପ୍ରତି ଢଳି ପଡ଼ିଥିଲେ । କିନ୍ତୁ ସମସ୍ତଙ୍କ ଅଲକ୍ଷରେ ଦୁହିଙ୍କ ନିବିଡ଼ ସମ୍ପର୍କକୁ ଆହୁରି ଦୃଢୀଭୂତ କରିଥିଲା କଲେଜ ପାଖରେ ଥିବା ବୁଢା ବରଗଛର ଛାଇ । ଅନିରୁଦ୍ଧଙ୍କୁ ଲୁଚି ବସୁନ୍ଧରା ପଳାଇ ଆସୁଥିଲେ ସେହି ଗଛ ତଳକୁ । ଦୁହେଁ ଆଳାପ କରୁ କରୁ ମୀନକେତନ ଥରେ କହିଥିଲେ “ବସୁ ମୁଁ ସିନା ତୁମକୁ ଏତେ ଭଲ ପାଉଛି , କିନ୍ତୁ ଜୀବନ ସାଥୀ ରୂପେ ପାଇବାର ଆଶା ଯେପରି ଝାଉଁଳି ଯାଉଛି । ନିର୍ବାକ ମୂଢ଼ ହୋଇ ବସିରହୁଥିଲେ ବସୁନ୍ଧରା ମନରେ ଅସୁମାରୀ ଭୟ ଉଙ୍କି ମାରୁଥିଲା ସତରେ କ’ଣ ବିମଳେଶ ମିଶ୍ରଙ୍କ ଝିଅ ବସୁନ୍ଧରା ମୀନକେତନ ମହାନ୍ତିଙ୍କୁ ବାହା ହୋଇ ପାରିବ ? ସବୁଥିଲା ଜାତିଆଣର ଭେଦଭାବ । ଯାହାକି ବସୁନ୍ଧରାଙ୍କ ଘରର ହାବଭାବରୁ ଅନେକ ଦୂରରେ ଥିଲା । ମନର ଭାବକୁ ମନରେ ମାରି ବସୁନ୍ଧରା ଖିଲିଖିଲି ହୋଇ ହସି କହି ପକାନ୍ତି ମୀନକେତନଙ୍କୁ ” ଛାଡ଼ । ବେକାର କଥା କହି ମୁଣ୍ଡ ବିନ୍ଧାଉଛ କାହିଁକି ? ”

ବସୁନ୍ଧରା ମୀନକେତନଙ୍କର ବିଷର୍ଣ୍ଣ ମୁହଁରେ ହସ ଖୋଜି ବସୁଥିଲେ । ଅନିରୁଦ୍ଧଙ୍କ ଅନ୍ତରଙ୍ଗ ବନ୍ଧୁ ମୀନକେତନଙ୍କୁ ଯେତେ ଭଲପାଉଥିଲେ ମଧ୍ୟ ବିନ୍ଧ୍ୟାଙ୍କ ପାଖରେ ଜାତିଆଣ ଭାବ ପୁରି ରହିଥିଲା । କେବେ ମୀନକେତନଙ୍କ ବିଷୟରେ ଏପରି ପ୍ରସଙ୍ଗ ତାଙ୍କ ମନରେ ଆସୁ ନ ଥିଲା । ସେ ଥିଲେ ମାଆ ସ୍ନେହରେ ପାରାବାର, ନିଜ ପୁଅର ବନ୍ଧୁଙ୍କୁ ମଧ୍ୟ ପୁଅ ଆଖିରେ ଦେଖୁଥିଲେ । ପୂଜା ପାର୍ଟିରେ ଅଧିକାଂଶ ସମୟ ନିମଗ୍ନ ରହୁଥିଲେ ବନ୍ଧ୍ୟା । ବରଷ ଯାକର ପର୍ବପର୍ବାଣୀର ଉତ୍ସବ ଯେପରି ତାଙ୍କରି ଘରେ ପାଳିତ ହେଉଥିଲା । ବସୁନ୍ଧରାଙ୍କ ହୃଦୟର ଅନ୍ତରାଳରେ ଯେଉଁ ଢେଉ ଖେଳୁଥିଲା, ତାକୁ ବୁଝିବାକୁ କେହି ନଥିଲେ । ତାଙ୍କର ଏକମାତ୍ର ଭାଇ ଅନିରୁଦ୍ଧଙ୍କର ଗେହ୍ଲାଭଉଣୀ ସେ । ଅନିରୁଦ୍ଧ ମଧ୍ୟ ମୀନକେତନ ଓ ବସୁନ୍ଧରାଙ୍କ ସମ୍ପର୍କକୁ ଆଡ଼ ଆଖିରେ ଦେଖୁନଥିଲେ । ମୀନକେତନ ସବୁଦିନ ପରି ଆସୁଥିଲେ ଆଉ ଯାଉଥିଲେ କିନ୍ତୁ ଛାଡ଼ି ଯାଉଥିଲେ ବସୁନ୍ଧରାଙ୍କ ପାଇଁ ଗୁଡ଼ିଏ ଅଡ଼ୁଆ ସୂତା । ତାଙ୍କ ଭାବନାରେ ବିତି ଯାଉଥିଲା ବସୁନ୍ଧରାଙ୍କ ଦିନ ଓ ରାତି ।

ସେ ବର୍ଷ କଲେଜରେ ଶେଷ ବର୍ଷ । ମୀନକେତନ ୟା ପରେ ଯେ, କି ନିଷ୍ପତ୍ତି ନେବେ ସେଥିପାଇଁ ବିଚଳିତ ହୋଇଉଠୁଥିଲେ ବସୁନ୍ଧରା । କଲେଜର ଶେଷ ପରୀକ୍ଷା ସରିବାପରେ ମୀନକେତନ ବାହାରିଲେ ଭଦ୍ରକ । ଭଦ୍ରକ ଟାଉନ୍ ଉପରେ ଘର ତାଙ୍କର । ବାପା ରମେଶ ମହାନ୍ତି ଆଡ୍‌ଭୋକେଟ୍‌ଙ୍କର ଏକମାତ୍ର ପୁଅ । ମାଆ ସୁନିତୀ ଦେବୀ ଭଦ୍ରକ କଲେଜର ଅର୍ଥନୀତି ଅଧ୍ୟାପିକା । ଏକମାତ୍ର ସନ୍ତାନ ମୀନକେତନ ତାଙ୍କର ବାରିଧି । ନିଜ ଘରକୁ ହଷ୍ଟେଲରୁ ପ୍ରସ୍ଥାନ କରିବା ପୂର୍ବରୁ ମୀନକେତନ ଯାଇଥିଲେ ବସୁନ୍ଧରା ପାଖକୁ ।

କାହିଁକି କେଜାଣି ସେ ଦିନ ବସୁନ୍ଧରା ସାମ୍ନା କରିପାରି ନ ଥିଲା ମୀନକେତନଙ୍କୁ । ଛୋଟ ପିଲାପରି କଇଁ କଇଁ କାନ୍ଦିପକାଇଥିଲା ବସୁନ୍ଧରା । କାହାକୁ କହିବେ, କା ଆଗେ ଅବା କହିବେ ? ମୀନକେତନ କିନ୍ତୁ ତାଙ୍କୁ ଦେଖା ନ କରି ଆଦୌ ଯାଇନଥିଲେ । ଘରେ ଖୋଜି-ଖୋଜି ଯେତେବେଳେ ଛାତ ଉପରେ ଦେଖିଥିଲେ ତାଙ୍କ ମୁଣ୍ଡ ଆଉଁସି ପ୍ରବୋଧନ ଦେଇଥିଲେ । ଗୁରୁ ଗମ୍ଭୀର ସ୍ୱରରେ କହିଥିଲେ, “ବସୁ ଇଏ କ’ଣ, ମୁଁ କ’ଣ ସବୁଦିନ ପାଇଁ ପଳାଇ ଯାଉଛି – ନିଶ୍ଚୟ ଫେରିବି” । ତାଙ୍କ କଥା ସୁଣି ବସୁନ୍ଧରାଙ୍କ ମନରେ ଆଶାର ଲହରି ଖେଳିଗଲା । ଫିକ୍ କରି ହସି ପକାଇଲା ସେ । ମାଆ ତାଙ୍କର ମୀନକେତନଙ୍କୁ ଜାବୁଡ଼ି ଧରି କାନ୍ଦି ଉଠିଥିଲେ । କହିଥିଲେ “ଦେଖ୍ ବାପା ଆମକୁ ଭୁଲିବୁନି, ତତେ ସମସ୍ତେ ଝୁରିବେ । ତୁ ପରା ମୋ ପୁଅ”, ମାଆଙ୍କ କଥା ଶୁଣି ମୀନକେତନ ଆଖିରୁ ଲୁହ ଝରିପଡ଼ିଥିଲା । ଏହିପରି ଦିନପରେ ଦିନ ବିତି ଯାଇଥିଲାା ବସୁ ଓ ମୀନକେତନଙ୍କ ଭିତରେ ଚିଠି ପତ୍ରର ଆଦାନ ପ୍ରଦାନରେ ସମସ୍ତ ହାଲ ଚାଲ ର ଖବର ଠୁଳ ହେଉଥିଲା, କିନ୍ତୁ ଜାଣି ନଥିଲେ ମାଆ, ବାପା ଓ ଭାଇ । ଦିନେ ସମସ୍ତଙ୍କ ଅଜ୍ଞତାର ଦୂରରେ ଅନ୍ତରାୟ ହୋଇଥିଲା ମୀନକେତନଙ୍କ ଚିଠିଟିଏ । ତାକୁ ପୋଷ୍ଟ୍‌ପିଅନ ଠାରୁ ପାଇଥିଲେ ବିମଳେଶ ବାବୁ । ପୋଷ୍ଟ୍‌ପିଅନ୍ ଆସିବାର ସମୟକୁ ଅପେକ୍ଷା କରିବାର ସମୟ ହୁଏତ ହୋଇନଥିଲା । ମୀନକେତନଙ୍କ ଚିଠିଟିଏ ପଢ଼ି କ୍ରୋଧରେ ରକ୍ତ ଜର୍ଜରିତ ହୋଇଉଠିଥିଲେ ବିମଳେଶ ବାବୁ । ବିନ୍ଧ୍ୟାଙ୍କୁ ସଙ୍କେତ ଦେଇ କହିଥିଲେ – ତୁମକୁ ଯାହା ଚେତେଇଥିଲି ମାନିଲ ନାହିଁ, ଦେଖିଲ ତ ଫଳ କ’ଣ ହେଲା ? ମୀନକେତନ ଖବର ଦେଇଥିଲେ ତାଙ୍କ ଚାକିରୀ ଦିଲ୍ଲୀ ଜବାହରଲାଲ ୟୁନିଭରସିଟି ରେ ହେଲା ବୋଲି ସେ ଯେତେଶୀଘ୍ର ହେବ ୟା ଭିତରେ ଆସିବେ । ଅନିରୁଦ୍ଧଙ୍କ ସରଳ ମନରେ ଏପରି ସମ୍ପର୍କଟାଭାରି ଅସହ୍ୟ ହୋଇଥିଲା । ମାଆର ଲୁହ ଭିଜା ଆଖି ଭଉଣୀ ପ୍ରତି ବାପାଙ୍କର କଟୁବାକ୍ୟ ଶୁଣି ବଡ଼ ଆଘାତ ଆସିଥିଲା ତାଙ୍କ ମନକୁ । ବହୁତ ବୁଝେଇଥିଲେ ସେ ବସୁନ୍ଧରାଙ୍କୁ – ମୀନକେତନକୁ ଭୁଲିଯିବାପାଇଁ । ନିଜ ପରିବାରର ମର୍ଯ୍ୟାଦା ଓ ସଂସ୍କୃତିକୁ ନେଇ ବସୁନ୍ଧରା ମଧ୍ୟ ନିର୍ବାକ ହୋଇଯାଇଥିଲେ । କିଛି ବୁଝି ନ ବୁଝିଲା ପରି ଅଭିନୟ କରିବା ଆରମ୍ଭ କରିଦେଇଥିଲେ । ଜୀବନ ଖେଳ ଭିତରେ ଏପରି ଦାରୁଣ ଅସହ୍ୟ ଘୁର୍ଣ୍ଣିବାତ୍ୟା ଯେ ମୋଡ଼ ଦେବ ତାଙ୍କ କଳ୍ପନାର ଆରପାରିରେ ଥିଲା । ନିଜ ଆଖିର ତତଲା ଲୁହକୁ ସେ ଅକ୍ଳେଶରେ ପିଇଯାଇଥିଲେ । ୟାପରେ ମୀନକେତନଙ୍କଠାରୁ ଚିଠି ବା ଖବର କିଛି ପାଇନଥିଲେ । ପାଇବାର ଆଗ୍ରହକୁ ନିଜ ମନରେ ମଧ୍ୟ ସେ ମାରିଦେଇଥିଲେ । ବିମଳେଶବାବୁ ତାଙ୍କର ଜିଦ ଧରି ବସିଥିଲେ ବସୁନ୍ଧରାକୁ ବିବାହ କରିବା ପାଇଁ । ମୂକ ପାଲଟିଯାଇଥିଲେ ବସୁନ୍ଧରା । ମାଆ ଓ ଭାଇଙ୍କ ମୁହଁକୁ ଭରସି ସେ କିଛି ନିଷ୍ପତ୍ତି ନେଇପାରି ନଥିଲେ ।

ବାପାଙ୍କ ଜିଦ୍‌ରୁ ମଧ୍ୟ ସେ ବାଦଯାଇନଥିଲେ । ମୀନକେତନଙ୍କ ମେଘ ଢାଙ୍କିଲା ମୁହଁ ରାତ୍ରିର ଅନ୍ଧକାରରେ ଅନେକ ପ୍ରଶ୍ନ ତାଙ୍କ ପାଖରେ ବାଢିÏବସୁଥିଲା । ଦୃଢ଼ମନରେ ସବୁକିଛି ଆଡ଼େଇଦେଇଥିଲେ ବସୁନ୍ଧରା ତାଙ୍କ ଜୀବନର ଅଫୁରନ୍ତ ଆନନ୍ଦ ଓ ଉଲ୍ଲାସର ଉପହାର ନେଇ ଆସୁଥିଲେ ଅରୁଣ ମିଶ୍ର । ବିଭାଘରର ସେ ଘଡ଼ି ମୁହୁର୍ତ୍ତରେ ସବୁକିଛି ଭୁଲିଯାଇଥିଲେ ବସୁନ୍ଧରା । ମନ ତାଙ୍କର ଅଜଣା ଆଶଙ୍କାରେ ଚହଟି ଉଠିଲା, କେଡ଼େ ଭୁଲ୍ ସେ କରିବାକୁ ବସିଥିଲେ । ବାପା, ମାଆ ଓ ଭାଇଙ୍କ ଆନନ୍ଦାଶ୍ରୁରୁ ସେ ବୁଝି ପାରିଥିଲେ ତା’ର ମହତ୍ୱ ତା’ର ନିଗୁଢ ତତ୍ତ୍ୱ । ନିଜକୁ ଦୋଷି ମନେକରୁଥିଲା ବସୁନ୍ଧରା । ଭାଇ ଅନିରୁଦ୍ଧ ଭବିଷ୍ୟତରେ କିଛି ଘଟିବାର ଆଶଙ୍କା ନେଇ ବିଭାଗରର କାର୍ଡଟିଏ ପଠେଇଦେଇଥିଲେ ମୀନକେତନଙ୍କ ପାଖକୁ । ମୀନକେତନଙ୍କ ନାଁ ଟା ସେହିଦିନଠାରୁ ଲଭିଯାଇଥିଲା । ବିଭାଘର ୪ ବର୍ଷଭିତରେ ବସୁନ୍ଧରା ହୋଇଥିଲେ ଦୁଇଟି ସନ୍ତାନର ଜନନୀ । ମାତୃତ୍ୱର ଅଧିକାରୀ ହୋଇ ନିଜକୁ ଗୌରବାନିତ୍ୱ ମଣୁଥିଲା ସେ । ସ୍ୱାମୀ ତାଙ୍କରଥିଲେ ବି.ଜେ.ବି. କଲେଜରେ ଅଧ୍ୟାପକ । ଦୁହେଁ ମିଶି ଛୋଟିଆ କୋଚିଂ ସେଣ୍ଟର୍‌ଟିଏ ଖୋଲିଥିଲେ । ବଡ଼ ସୁଖର ସଂସାର ଥିଲା ବସୁନ୍ଧରାଙ୍କର । ବଡ଼ପୁଅ ହିମେଶ ଓ ହିମାନୀଙ୍କୁ ଉଚ୍ଚଶିକ୍ଷା ଦେବାର ଆଶାକୁ ସେ ପୁରଣ କରିଥିଲେ । ଝିଅ ଏମ୍.ଏ. ପାଶ କରିବାପରେ ଭଲ ଜାଗାରେ ଖୋଜି ଯୋଗ୍ୟ ଜ୍ୱାଇଁଟିଏ ପାଇଥିଲେ ସେ । ଝିଅ ତାଙ୍କର ସରକାରୀ କଲେଜରେ ଅଧ୍ୟାପିକା । ଜ୍ୱାଇଁ ମଧ୍ୟ ଗୋଟେ ପ୍ରତିଷ୍ଠାତା କମ୍ପାନୀରେ ଇଞ୍ଜିନିୟର୍ । ଦୁହେଁ ସୁଦୂର ମୁମ୍ୱାଇ ରେ ରୁହନ୍ତି । ଛୋଟିଆ ଦୁଇ ବର୍ଷର ଝିଅଟିଏ ତାର । ନାଁ ତାର ଲିପିକା । ବସୁନ୍ଧରା ତାକୁ ବହୁତ ଆଦର କରନ୍ତି । ଦିନ ଗଡୁ ଗଡୁ କେତେବେଳେ ଯେ ହିମେଶ ଡାକ୍ତର ହୋଇଗଲା, ଓ ଅରୁଣବାବୁ ରିଟାୟାର୍ଡ଼ କଲେ ସେ କଥା ବସୁନ୍ଧରାଙ୍କୁ ଜଣାପଡ଼ିଲା ନାହିଁ । ବାର୍ଦ୍ଧକ୍ୟ ରେ ଉପନୀତ ହୋଇଥିଲେ ମଧ୍ୟ ଅରୁଣବାବୁ ଭୁବନେଶ୍ୱର ଭଡ଼ା ଘର ଛାଡ଼ି ନଥିଲେ । ପୁଅ ତାଙ୍କର କଟକ ବଡ଼ ଡାକ୍ତର ଖାନାରେ ଡାକ୍ତର ଥିଲା । ସବୁଦିନ ଭୁବନେଶ୍ୱରରୁ କଟକ ଦୌଡ଼େ ପୁଅ । ଯେତେ ବୁଝାଇଲେ ଅରୁଣବାବୁ ଜିଦ୍ ଧରି ବସନ୍ତି “ନାଁ ମୁଁ ଭୁବନେଶ୍ୱର ଛାଡ଼ି ଯିବି ନାହିଁ ” । କେତେବେଳେ କେମିତି ବସୁନ୍ଧରା ଝିଅ ପାଖକୁ ମୁମ୍ୱାଇ ଯିବାକୁ ଝୁଙ୍କ କରନ୍ତି । ଅରୁଣବାବୁ ହସନ୍ତି-କହନ୍ତି “ତୁମେ କ’ଣ ଭାବୁଛ ତୁମର କାମ ସରିଗଲା, ମୁଁ ପରା ବଞ୍ଚିଛି, ତୁମର ବଡ଼ପୁଅ” । ରାଗି ଯାଆନ୍ତି ବସୁନ୍ଧରା । ମୁହଁଫଣଫଣ କରି ରୋଷେଇ କରିବସନ୍ତି । ଅରୁଣବାବୁ ଭାରି ଖାଦ୍ୟ ପ୍ରିୟ ଲୋକ ପିଠାରେ ତାଙ୍କର ଭାରି ଲୋଭ । ଖାସ୍‌କରି ବସୁନ୍ଧରାଙ୍କ ହାତର ଆରିସା, ଚିତଉ ନ ଖାଇଲେ ସତେ ଯେପରି ତାଙ୍କର ମନ ବୋଧ ହୁଏ ନାହିଁ । ବାର୍ଦ୍ଧକ୍ୟ କାଳରେ ମଧ୍ୟ ଦୁହିଁଙ୍କ ମଧ୍ୟରେ ଅତ୍ୟନ୍ତ ନିବିଡସ୍ୱାଦ ବାରି ହୁଏ । ନିଜ ଭିତରେ ନିଜର ମାଆ ବିନ୍ଧ୍ୟା ଙ୍କ ଛବିକୁ ବସୁନ୍ଧରା ମନେ ପକାନ୍ତି । ତାଙ୍କରି ଆଦର୍ଶ ରେ ସେ ପାଳିତା । ଅହରହ ନିଜ କର୍ତ୍ତବ୍ୟରେ ସେ ନିମଗ୍ନ ଥା’ନ୍ତି । ପୁଅ ତାଙ୍କର ୩୧ ବର୍ଷ ହେଲା ବେଳକୁ ଅରୁଣ ବାବୁ ଉଦ୍‌ବେଗ ହୋଇ ଉଠିଲେ ବିଭାଘର କରିବାକୁ । ସନ୍ଧ୍ୟା ହେଲେ ରିକ୍ସାରେ ବସି ଦୁହେଁ ପାତ୍ରୀ ସନ୍ଧାନରେ ଭୂବନେଶ୍ୱର ଘୁରି ବୁଲନ୍ତି । ବସୁନ୍ଧରାଙ୍କୁ କାହିଁକି କେଜାଣି ତାଙ୍କ ମନ ଲାଖି ଝିଅଟିଏ ମିଳି ନଥିଲା ଥରେ ପୁଅ ହିମେଶ ତାଙ୍କ ସାଥି ହୃଦାନନ୍ଦଙ୍କୁ ନେଇ ଆସିଥାଏ ଘରକୁ । ହୃଦାନନ୍ଦ ପିଲାଟି ଭାରି ଭଲ । ଯେପରି ସରଳ ସ୍ୱଭାବ ସେପରି ତାଙ୍କର ଭାବଭଙ୍ଗୀ । ବସୁନ୍ଧରା ତାଙ୍କୁ ଭାରି ଭଲ ପାଇ ଯାଇଥିଲେ । ହୃଦାନନ୍ଦ ବି ମାଉସିଙ୍କ ହାତର ପିଠା ଖାଇବାକୁ ଦୌଡ଼ି ଆସେ । ହିମେଶ ହୃଦାନନ୍ଦର ଆତ୍ମୀୟତାକୁ ଦେଖି କାହିଁକି କେଯାଣି ବସୁନ୍ଧରାଙ୍କ ମନରେ ଅସୁମାରୀ ଆଶଙ୍କା ଉଙ୍କି ମାରେ । ସନ୍ଧେହ ଚକ୍ଷୁରେ ସେ ହିମେଶକୁ ଦେଖନ୍ତି । ଯେପରି ହିମେଶ ଠାରେ ଆଜିକାଲି ବହୁତ କିଛି ପରିବର୍ତ୍ତନ ପରିଲିଖିତ ହେଉଥିଲା । ସେହି ସନ୍ଧେହ ର କୁହେଳିକା ଭିତରେ ଥରେ ଫୋନ୍‌ଟିଏ ଧରି ବସୁନ୍ଧରା ଯେପରି ସବୁକିଛି ଜାଣିପାରି ନଥିଲେ । ହିମେଶ ସେଦିନ ଘରେ ନ ଥାଏ । ଫୋନ୍‌ଟା ଆସିଥିଲା ହୃଦାନନ୍ଦର ଘରୁ । ବସୁନ୍ଧରା ଜାଣିପାରିଲେ ହୃଦାନନ୍ଦର ଭଉଣୀ ଏଲିନା ଫୋନ୍ କରଥିଲା । ସ୍ୱରରୁ ତା’ର ବ୍ୟସ୍ତତାର ଛାପ ଜଣାପଡ଼ିଥିଲା ଓ ଜାଣିବାକୁ ଚାହିୁଁ ଥିଲା କେଉଁ କାରଣରୁ ହିମେଶ କଟକ ଯାଇ ନଥିଲା । ହିମେଶର ମୁହଁକୁ ସେଦିନ ବସୁନ୍ଧରା ପଢିବାକୁ ଲାଗିଥିଲେ । ବୋଉର ଏପରି ବିସ୍ପାରିତ ଆଖିରେ ଚମକ ଦେଖି ଭୟଭୀତ ହୋଇଯାଇଥିଲା ହିମେଶ । ସେଦିନ ରାତିଯାକ ଉଜାଗର ରହିଥିଲେ ବସୁନ୍ଧରା । ଅବୋଧ ପୁଅ ଆଜି ବଡ଼ ହୋଇ ଯାଇଛି । ଆଜି ସିଏ ଡାକ୍ତର । ମନକୁମନ ହସିଉଠିଥିଲେ ବସୁନ୍ଧରା । ନା ଏଲିନା କାରଣ ହେଲେ ମଧ୍ୟ ତାଙ୍କ ଦୁଃଖଦ ସ୍ମୃତିର ପୁନରାବୃତ୍ତି ଆଉ ସେ କରିପରିବେ ନାହିଁ । ହିମେଶ ପାଇଁ ନିଶ୍ଚିତ ଏଲିନା ଜନ୍ମ ନେଇଛି । ଏହି ବନ୍ଧନରେ ହିମେଶର ମୁଁହରେ ଖୁସିର ସ୍ତାବକ ସେ ଦେଖି ପାରିବେ । କୌଣସି ନିସ୍ପତ୍ତି ନେବା ବସୁନ୍ଧରା ବା ବିମଳେଶ ବାବୁଙ୍କର ଉଚିତ୍ ନୁହେଁ । ସକାଳ ହେଲାକ୍ଷଣି ହିମେଶର ବିଷାଦଭରା ମୁଁହକୁ ଦେଖି ମୁରୁକି ହସିଲେ ବସୁନ୍ଧରା । ସତେ ଯେମିତି ତାଙ୍କ ଅତୀତ ଘଟଣା ପୁନରାବୃତ୍ତିର ସିଏ ଆଜି ନ୍ୟାୟାଧିଶା । ତାଙ୍କର ଅତୀତର କଟା ଘା’ ରେ ସେ ଯେପରି ଲେପ ଦେବାକୁ ଯାଉଛନ୍ତି । ହିମେଶକୁ ନିର୍ଦ୍ଦେଶ ଦେଇ କହିଥିଲେ -“ଆରେ ଏଲିନାକୁ ଟିକେ ଘର ଆଡ଼କୁ ଆଣୁନୁ ।” ମଥାନତ କରି ସମ୍ମତି ଦେଇଥିଲେ ହିମେଶ । କାରଣ ସେ ଜାଣିଥିଲେ ମାଆ ତାଙ୍କର ମନ କଥା ସବୁଯାଣିଛନ୍ତି । ତା’ ପର କର୍ତ୍ତବ୍ୟ ଥିଲା ବସୁନ୍ଧରାଙ୍କର ଅରୁଣ ବାବୁଙ୍କୁ ବୁଝାଇବା । ସେଦିନ ରାତିରେ ଅରୁଣବାବୁ ବିବାଦଗ୍ରସ୍ତ ହୋଇ ଉଠିଥିଲେ ! ଅନ୍ତରାୟ ହୋଇଥିଲେ ପୁଅର । ଏ କେମିତି ସମ୍ଭବ ହେବ ! ପୁଅକୁ ଡାକ୍ତର କରି ମନଲାଖି ବୋହୁଟିଏ ଆଣିବାର ଯେଉଁ ଆନନ୍ଦ, ତାକୁ ମିନିଟ୍‌କେ ଧୂଳିସାତ୍ କରି ଦେଇଥିଲା ହିମେଶ ।

ବସୁନ୍ଧରା ବହୁତ କାକୁତିମିନତୀ ହୋଇଥିଲେ ଅରୁଣଙ୍କ ଆଗରେ । ଶେଷରେ ପୁତ୍ର ହିମେଶ ଓ ହୃଦାନନ୍ଦ ସାଥିରେ ଏଲିନାକୁ ଘରକୁ ନେଇ ଆସିଥିଲେ । ଗୋଟିଏ ଚାଉଳରେ ଗଢ଼ା ଏଲିନାକୁ ଦେଖି ବସୁନ୍ଧରା କୁଣ୍ଢେମୋଟ ହୋଇଯାଇଥିଲେ । ଅରୁଣଙ୍କ ମନ ମଧ୍ୟ ନିମିଷକେ ବଦଳି ଯାଇଥିଲା । ଏତେ ଗୁଣବତୀ ସୁନ୍ଦରୀଝିଅ ଯଦି ହିମେଶର ସାଥି ହେବ ସେଥିରେ ଅମଙ୍ଗ ହେବାର ନଥିଲା । ଜାତିଭେଦ ନୀତି ତାଙ୍କ ମନରୁ ଉଭେଇ ଯାଇଥିଲା । ଏଲିନା ଥିଲା ଶୈଳବାଳା କଲେଜର ଇଂରାଜୀ ଅଧ୍ୟାପିକା । ବାପା ତାଙ୍କର ଥିଲେ ଅବିନାଶ ଚୌଧୁରୀ ହାଇକୋଟର ଜଜ୍ । ମା’ ସୁଲେଖା ଏକା ଧାରରେ ଗାଳ୍ପିକା ଓ ସରକାର ସ୍କୁଲ୍‌ର ଶିକ୍ଷୟତ୍ରୀ । ଏଥିପାଇଁ ହିମେଶର ବିଚାର ଶକ୍ତି ଓ ଜୀବନର ନିସ୍ପତ୍ତିକୁ ଅତି ଖୁସିରେ ଆଦରି ନେଇଥିଲେ ବସୁନ୍ଧରା ଓ ଅରୁଣ । ବଡ ଧୂମଧାମ୍‌ରେ ବାହାଘର ହୋଇଥିଲା କଟକ ବାରବାଟି ଷ୍ଟାଡ଼ିୟମ ଠାରେ । ହିମେଶକୁ ବିବାହ ବନ୍ଧନରେ ବାନ୍ଧିସାରି ନିଃସଙ୍ଗତା ବୋଧ କରୁଥିଲେ ଅରୁଣ ଓ ବସୁନ୍ଧରା । ହିମେଶ ଓ ଏଲିନାଙ୍କ ଚାକିରୀ ଦୃଷ୍ଟିରୁ କଟରେ ସେମାନଙ୍କୁ ରହିବାକୁ ପଡିଥିଲା । କିନ୍ତୁ ଅରୁଣବାବୁଙ୍କର ଭୂବନେଶ୍ୱର ଛାଡି ନଯିବାର ଜିଦ୍‌କୁ କେହି ପରିବର୍ତ୍ତନ କରିପାରି ନଥିଲେ । ବହୁ ସମୟରେ ହିମେଶ ଓ ଏଲିନା ବିଶେଷ କରି ଶନିବାର ଓ ରବିବାର ଭୁବନେଶ୍ୱରରେ ରହୁଥିଲେ । ପ୍ରତି ସପ୍ତାହର ଶନିବାର ସନ୍ଧ୍ୟାକୁ ଆକୁଳ ହୋଇ ଚାତକ ପରି ଚାହିଁ ରହୁଥିଲେ ଅରୁଣ ଓ ବସୁନ୍ଧରା । ଦିନ ବେଶ ଖୁସିରେ ଗଡ଼ିଯାଉଥିଲା । ଖୁସି ଓ ଆଲୋକ ଭିତରେ ଭୟଙ୍କର ଅନ୍ଧାରର ପରଦା ମାଡ଼ି ଆସିଥିଲା ଯେଉଁଦିନ ଅରୁଣବାବୁ ସବୁଦିନ ପାଇଁ ଏ ଧରାରୁ ବିଦାୟ ନେଲେ । ଠିକ୍ ସନ୍ଧ୍ୟା ସମୟ ଡିସେମ୍ୱର ୨ ତାରିଖ କଅଁଳିଆ ଶୀତ ଦିନ ସାଥୀକୁ ଗରମ ପିଠାର ସୁଆଦ ବୋଧେ ଏକା ଅରୁଣବାବୁ ଜାଣିଥିଲେ । ସେ ଦିନ ସକାଳୁ ବସୁନ୍ଧରାଙ୍କ ସାଙ୍ଗରେ ରଟ କଲେ ଅରୁଣ ପିଠା କରିବାକୁ । କାହିଁକି କେଜାଣି ବସୁନ୍ଧରାଙ୍କ ମନ ଜମା ବୁକେଇ ନ ଥିଲା । ଯେତେବେଳେ ଅରୁଣ କହିଲେ – “ଆରେ ତୁମପିଲା ପରା ଆଜି ଆସିବେ, ଶନିବାର । ପିଠା ତ ସେମାନଙ୍କର ପ୍ରିୟ । ହିମେଶ ବି ଭାରି ଖୁସି ହୋଇଯିବ” । ହିମେଶର ମୁହଁ ଭାସି ଉଠିଲା ବସୁନ୍ଧରାଙ୍କ ଆଖି ଆଗରେ । ଆରେ ସତେତ ! ଆଜି ଶନିବାର ସେ ଭୁଲିଯାଇଥିଲେ । ଚଟ୍ କରି ଦୌଡ଼ି ଯାଇ ଚାଉଳ ବତୁରାଇ ଦେଇଥିଲେ ବସୁନ୍ଧରା । ଅପରାହ୍ନ ଚାରିଟା ବେଳୁ ସେ ଏକ ଧ୍ୟାନରେ ଲାଗିଗଲେ ପିଠା କରିବାକୁ । ସନ୍ଧ୍ୟା ସମୟ ପିଠା ଦୁଇଟି ନେଇ ବସୁନ୍ଧରା ଅରୁଣଙ୍କୁ ଦେଲେ । ଚାହା କପେ ମଧ୍ୟ ବରାଦକଲେ ଅରୁଣ । ମୁରୁକିହସି କହିଲେ ” ଜାଣିଛ ଆଜିର ପିଠାଟା ସବୁଦିନଠାରୁ ସୁଆଦ କରିଛ ” । ହସିକରି ପଚାରିଲେ ବସୁନ୍ଧରା “ଆଉ ଖଣ୍ଡେ ଖାଇବ ? ” – “ନାହିଁ ନାହିଁ କହି ମଥା ହଲେଇ ଅରୁଣ ସମ୍ମତି ଦେଇଥିଲେ । ରୋଷଘର ଆଢ଼ୁଆଳରୁ ବସୁନ୍ଧରା ଚାହୁଁଥିଲେ ଅରୁଣଙ୍କୁ । କେଡ଼େ ନିଷ୍ପାପ ଶାନ୍ତ ଲୋକଟିଏ ଅରୁଣ । ହୁଏତ ବହୁ ତପସ୍ୟା କଲେ ଏହିଭଳି ଦେବତାଟିଏ ପୂଜିବାକୁ ମିଳେ । ବାହାର ବଗିଚାରେ ବସୁବସୁ ଢୁଳାଇ ପଡ଼ିଥିଲେ ଅରୁଣ । ପିଲାମାନେ ଆସିବେ ବୋଲି ପ୍ରତୀକ୍ଷା କରି ହାଲିଆ ହୋଇଯାଇଥିଲେ ବୋଧହୁଏ ।

ଗେଟ୍‌ଟି ଖଟ୍ କରି ଶବ୍ଦ କରିବାରୁ ଦୌଡ଼ିଗଲେ ବସୁନ୍ଧରା । ଦୂରରୁ ଏଲିନାକୁ ଦେଖି ସଦା ହସ ହସ ବସୁନ୍ଧରା ହାତଧରି ଟାଣି ଆଣିଲେ । ବାପାଙ୍କୁ ଶୋଇପଡ଼ିଥିବା ଦେଖି ହିମେଶ ବ୍ୟସ୍ତ ହୋଇପଡ଼ିଲେ । କହି ପକାଇଲେ “ବୋଉ, ବାପା କାହିଁକି ଚୌକିଟାରେ ବସି ଶୋଇପଡ଼ିଲେଣି ” । ବସୁନ୍ଧରା ଏଲିନା ଆଡ଼େ ଚାହିଁ କହିଲେ “ଦୁଇ ଘଣ୍ଟା ହେଲା ତୁମ ଆସିବାକୁ ଚାହିଁ ରହିଛନ୍ତି । ଯା ଉଠେଇ ଦେ” । ହିମେଶ ପାଖକୁ ଯାଇ ଅରୁଣ ବାବୁଙ୍କୁ ସ୍ପର୍ଶ କରି ଡ଼ାକ ଦେଲା ବେଳକୁ ଅରୁଣବାବୁ ଟଳି ପଡ଼ିଥିଲେ । କ’ଣ ହେଲା ପ୍ରଶ୍ନବାଚୀ ହୋଇ ରହିଗଲେ ବସୁନ୍ଧରା । ବିକଳି ହୋଇ ହିମେଶକୁ ଗୋଟାସୁଦ୍ଧା ଦୋହଲାଇ ଦେଲେ ସେ “ବାପାରେ ତୋତେ ପରା ଡ଼ାକ୍ତର କରିଛନ୍ତିା ଦେଖ କ’ଣ ହେଲା । ଚେତା କାହିଁକି ବୁଡ଼ିଯାଇଛି । ” ହିମେଶ ତାଙ୍କ ଡାକ୍ତରୀ ବିଦ୍ୟାରେ ବାପା ହାର୍ଟଫେଲ୍ କରିଯାଇଛନ୍ତି ଜାଣି ସୁଦ୍ଧା ବିଶ୍ୱାସ କରିପାରୁନଥିଲେ । ଏପରି କେଶ୍ ହୁଏତ ତିନିହଜାରରୁ ଅଧିକ ସେ ଦେଖିଥିବେ । ନିଜ ଜନକ ଅତି ପ୍ରିୟ ବାପା ଆଜି ମୃତ୍ୟୁଶଯ୍ୟାରେ । ସତେ ବଡ଼ ଦାରୁଣ ଏ ବେଦନା । ବସୁନ୍ଧରାଙ୍କର ଘଡ଼ି ଘଡ଼ି ଚେତା ଯାଉଥିବା ମନକୁ ବୋଧ ଦେଉଥିଲେ ଏଲିନା । ବିବ୍ରତ ହୋଇ କଣ ସେ ବୋଧ ଦେବ ବୁଝି ପାରୁ ନ ଥିଲା । ଅରୁଣ ବାବୁଙ୍କର ସମସ୍ତ କର୍ମ ଅତି ଭଲରେ ସମ୍ପାଦନା କରିଥିଲେ ବସୁନ୍ଧରା । ସେହିଦିନଠାରୁ ଭୁବନେଶ୍ୱରର ମହକ ଆଉ ତାଙ୍କର ମନରେ ନ ଥିଲା । ସାରା ପରିବାର ମଧ୍ୟ ସବୁଦିନପାଇଁ ଭୁବନେଶ୍ୱର ଓ ପିଠାର ସ୍ୱାଦକୁ ଭୁଲିଯାଇଥିଲେ । କିଛିଦିନ କଟକରେ ରହିଲା ପରେ ହିମାନୀ ଆସି ଜିଦ୍ କରିଥିଲେ ତାଙ୍କ ସହ ମୁମ୍ୱାଇ ଯିବାକୁ । କିନ୍ତୁ ହିମେଶଙ୍କ ପାଖ ଛାଡ଼ୁନଥିଲେ ବସୁନ୍ଧରା । ତାଙ୍କ ଜୀବନର ସବୁଠାରୁ ମୂଲ୍ୟବାନ ସମ୍ପତ୍ତି ଥିଲା ଏକାକୀ ପୁଅ । ଯେଉଁଦିନ ତାଙ୍କ ପରିବାରରେ ନୂଆ ମୋଡ଼ ନେଇଥିଲା ପଲ୍‌ଟୁର ଜନ୍ମ । ନାତିଟିକୁ ଧରି ସେହିଦିନଠାରୁ ଶ୍ରେୟ ମଣିଥିଲେ ବସୁନ୍ଧରା । ବେଳେବେଳେ ନିଃସଙ୍ଗତ ବୋଧକଲେ ପଲ୍‌ଟୁକୁ ଛାତିରେ ଜାକିଧରନ୍ତି ବସୁନ୍ଧରା । ୬୨ବର୍ଷ କୋଟରାଗତ ଚକ୍ଷୁରେ ତାଙ୍କର ଦୁଇଧାର ଲୁହ ବହିଯାଏ । ଅରୁଣଙ୍କୁ ଜୀବନସାଥୀ ରୂପେ ପାଇ ନିଜକୁ ଧନ୍ୟ ମଣୁଥିଲେହେଁ ଅନ୍ତରର ଗଭୀରତ୍ୱରେ କଳ୍ପନାର ମୀନକେତନବି କେବେକେବେ ଭାବନାରାଜ୍ୟରେ ଉଙ୍କି ମାରୁଥିଲା । କିନ୍ତୁ ଆଜି ? ଅରୁଣ ଓ ମୀନକେତନଙ୍କ ଅନୁପସ୍ଥିତିରେ ଜୀବନ ତାଙ୍କର ଅତି ତୁଚ୍ଛ ଓ ନଗଣ୍ୟ । ନିଷ୍ପଭ ନୟନରୁ ଗଡ଼ିପଡ଼ୁଥିବା ଦୁଇଧାର ଲୁହକୁ ପିଇଦେଇ ପଲ୍‌ଟୁକୁ କୁଣ୍ଢେଇ ଧରି ଘରଆଡ଼େ ନିର୍ବାକ ହୋଇ ଚାହିଁରହିଥିଲେ ବସୁନ୍ଧରା ।

ଲୋକପ୍ରିୟ ଲେଖା

To Top