ଗଳ୍ପ

ଝରଣା

Rajiba Lochana Panda's Odia Story JHARANAA

ମୋ ମନଟା ବିଲ୍କୁଲ୍ ବୁଝେନି ମନକୁ ମନ ସ୍ଥିର କଲେ ଏଥର ନ ହେଲେ କ’ଣ ହେଲା ଆରଥରକୁ ନିଶ୍ଚୟ ବାପାଙ୍କୁ ମନେଇବି । ଛୋଟ ପିଲାଟେ ହେଲେବି ମୁଁ ନିଜକୁ ପରିପକ୍ୱ ହୋଇଗଲା ଭଳିଆ ଭାବେ, ମୁଁ ଭାବେ ଏ ପିଲାଗୁଡ଼ାକ ମତେ କ’ଣ ବୋଲି ଭାବୁଛନ୍ତି ?

ଝରଣା

ଆମ ଗାଁଠାରୁ ମାତ୍ର ତିନି କିଲୋମିଟର ଦୂରରେ ଗୋଟେ ଛୋଟ ସହର ଆଉ ଆମ ଗାଁ ଶେଷ ମୁଣ୍ଡରେ ଗୋଟେ ଛୋଟ ଜଙ୍ଗଲ । ତାରି ଭିତରେ ଝରି ଯାଇଛି ଗୋଟେ ଛୋଟ ଝରଣାଟିଏ । ପିଲାଦିନେ ମୋ ବୋଉ କହୁଥିଲା ସେ ଝରଣାର ପାଣି କୁଆଡ଼େ ମହୁ ପରି ମିଠା । ହେଲେ ପିଲାଦିନେ କେବେ ସେ ଝରଣା ପାଖକୁ ଯାଇନି । ବାପାଙ୍କର ଗୋଟେ ବୋଲି ପୁଅ କାଳେ ଜଙ୍ଗଲରେ ହଜିଯିବି କାଳେ ଝରଣାରେ ଗୋଡ଼ ଖସିଯିବ ଏମିତି ଡରୁଆ ଭାବନାରେ ବାପା ମୋତେ କେବେ ଛାଡ଼ନ୍ତିନି ।

ଆମ ଗାଁ ପିଲାଗୁଡ଼ାକ କିନ୍ତୁ ଛୋଟ ପିଲାଟି ବେଳରୁ ନୂଆବର୍ଷ ଆସିଲେ ଚାନ୍ଦା ଭେଦା କରି ଭୋଜି କରନ୍ତି, ତା’ ସହିତ ଝରଣାରେ ଗାଧୋଇବାର ମଜା ନିଅନ୍ତି । ମୁଁ ସେମାନଙ୍କ ଫେରନ୍ତା ବାଟକୁ ଅନେଇ ବସିଥାଏ, ଆସିଲେ ପଚାରେ “ଭୋଜିରେ କ’ଣ ରୋଷେଇ ହୋଇଥିଲା, ଗାଧୋଇଲ ନା ନାହିଁ ?” ମୋ ପ୍ରଶ୍ନ ଶୁଣି ସେମାନେ ହସନ୍ତି କହନ୍ତି “ଆମ ସାଥୀରେ ଯାଇଥିଲେ ସିନା ସେ ମଜା ଜାଣିଥାନ୍ତୁ ଏମିତି ଶୁଣିଲେ ତତେ କ’ଣ ମିଳିବ ସେଥିରୁ ?”

ମୋ ମନଟା ବିଲ୍କୁଲ୍ ବୁଝେନି ମନକୁ ମନ ସ୍ଥିର କଲେ ଏଥର ନ ହେଲେ କ’ଣ ହେଲା ଆରଥରକୁ ନିଶ୍ଚୟ ବାପାଙ୍କୁ ମନେଇବି । ଛୋଟ ପିଲାଟେ ହେଲେବି ମୁଁ ନିଜକୁ ପରିପକ୍ୱ ହୋଇଗଲା ଭଳିଆ ଭାବେ, ମୁଁ ଭାବେ ଏ ପିଲାଗୁଡ଼ାକ ମତେ କ’ଣ ବୋଲି ଭାବୁଛନ୍ତି ? ଯାହା ହେଲେ ବି ମୁଁ ସରପଞ୍ଚ ଘର ପୁଅ । ଆମ ଘରେ ସବୁ ଅଛି, ମୁଁ ଚାହିଁଲେ ଆମ ଘରେ ସବୁଦିନେ ଭୋଜି ହବ । ହେଲେ ଏମିତି ଭାବେ ସିନା ଜଙ୍ଗଲ ଭିତର ଝରଣାଟା ମୋତେ ଆକର୍ଷିତ କରେ, ସବୁବେଳେ ଇଚ୍ଛା ହୁଏ ସେ ଝରଣାକୁ ଦେଖିବାକୁ, ଭୋଜିଟା ଖାଲି ବାହାନା ମାତ୍ର ।

ଏମିତି ଦେଖୁ ଦେଖୁ ବଡ଼ ହୋଇଗଲି, ଭଲ ପଢୁଥିବା ଯୋଗୁଁ ମ୍ୟାଟ୍ରିକ୍‌ରେ ଫାଷ୍ଟ୍ ଡିଭିଜନ୍‌ରେ ପାଶ୍ ହୋଇଗଲି । ବାପାଙ୍କ ଖୁସି କହିଲେ ନ ସରେ ବୋଉକୁ କହୁଥିଲେ “ୟା’କୁ ଡାକ୍ତରୀ ପଢ଼େଇବା ନା ଇଞ୍ଜିନିୟରିଂ ପଢ଼େଇବା, ଦୂରକୁ ପଠେଇ ପଢ଼ିବାକୁ. . .” ହେଲେ ମୋ ବୋଉର ମନ ବୁଝିଲାନି କହୁଥିଲା “ନାଇଁ ନାଇଁ ମୋର ଗୋଟେ ବୋଲି ପୁଅ ମୁଁ ଦୂରକୁ ଛାଡ଼ିବିନି ପଢ଼ିବାକୁ । ପାଖରେ କ’ଣ କଲେଜ୍ ନାହିଁ ? ମୋ ପୁଅ ପାଖ ସହରରେ ପଢ଼ିବ ।” ବାପା ବି ବୋଉର କଥା ଭାଙ୍ଗି ପାରିଲେନି, ଭାବିଲେ ଠିକ୍ କଥା ତ ଆମ ପାଖ ସହରରେ ତ ଭଲ ଭଲ କଲେଜ୍ ଅଛି ସେଇଠି ପଢ଼ିଲେ ଅସୁବିଧା କ’ଣ ଅଛି ?

ଗୋଟେ ଭଲ ଦିନ ଦେଖି ବାପାଙ୍କ ସହ ବାହାରି ପଡ଼ିଲି କଲେଜ୍‌ରେ ଆଡ଼ମିସନ୍ ହେବା ପାଇଁ । କଲେଜ୍‌ରେ ପ୍ରଥମ ଦିନ ମୋ ଖୁସି କହିଲେ ନ ସରେ । ହେଲେ ଆମ ଗାଁରୁ ସହରକୁ ଯିବା ପାଇଁ ଗମନା ଗମନ ଭଲ ସୁବିଧା ନ ଥିବାରୁ ହଷ୍ଟେଲ୍‌ରେ ରହିବାକୁ ସ୍ଥିର କଲି । ନୂଆ ନୂଆ ସାଙ୍ଗ ସାଥୀ ମେଳରେ ପରିବେଶଟା ମୋତେ ବହୁତ ଭଲ ଲାଗୁଥିଲା, ହେଲେ ବେଳେ ବେଳେ ମୋ ବୋଉ କଥା ମନେ ପଡ଼ିଲେ ଭାବୁକ ହୋଇଯାଇ କଇଁ କଇଁ କାନ୍ଦି ପକଉଥିଲି । ମୋ କାନ୍ଦିବା ଦେଖି ସାଙ୍ଗମାନେ ଥଟ୍ଟା କରନ୍ତି ମଜାରେ କୁହନ୍ତି “କୁନି ଛୁଆଟା କିରେ, ଏମିତି ପିଲାଳିଆମି ବୁଦ୍ଧି କ’ଣ କରୁଛୁ ?” ସେମାନଙ୍କ କଥା ଶୁଣି ମୁଁ ଲାଜେଇ ଯାଏ ସାଙ୍ଗେ ସାଙ୍ଗେ କାନ୍ଦିବା ବନ୍ଦ କରିଦିଏ । ରାଗିଯାଇ ସେମାନଙ୍କୁ କହେ “ତୁମମାନଙ୍କର କ’ଣ ବୋଉ ନାହିଁ, ତୁମମାନଙ୍କର କ’ଣ ଘର କଥା ମନେ ପଡୁନାହିଁ ?” ମୋର ଏମିତି ଅବୁଝା କଥା ଶୁଣି ସେମାନେ ଖାଲି ଠୋ’ ଠୋ’ ହୋଇ ହସନ୍ତି ।

ଏ ଭିତରେ ତିନି ବର୍ଷ ବତିଯାଇଥିଲା, ମୁଁ ଉଣେଇସି ବର୍ଷର ହୋଇଯାଇଥିଲି । ଧିରେ ଧିରେ ହଷ୍ଟେଲ୍ ଲାଇଫ୍ ସହିତ ଖାପଖୁଆଇ ଚଳିବାର ଶିଖି ଯାଇଥିଲି । କଲେଜ୍ ଟାଇମ୍ ସରିଗଲା ପରେ ସାଙ୍ଗମାନେ ଖେଳିବାରେ ବ୍ୟସ୍ତ ହୋଇଯାନ୍ତି । ମୁଁ କିନ୍ତୁ ଟିକେ ନିଆରା ସିଧା ଚାଲି ଆସେ ହଷ୍ଟେଲ୍କୁ, ମୋ ରୁମ୍‌ରେ ବସି ପୁରୁଣା ମାଗାଜିନ୍ ପଢ଼େ । ଦିନେ ଏମିତି ମାଗାଜିନ୍ ପଢୁ ପଢୁ ସନ୍ଧ୍ୟା ସମୟଟା ଚାଲିଗଲା, ପୁଣି ମାର୍ଚ୍ଚ ମାସରେ ଅସହ୍ୟ ଗରମ ସାଙ୍ଗକୁ ଗମ୍ ଗମ୍ ଝାଳ । ବିରକ୍ତ ହୋଇ ଚେୟାର୍ ଉପରୁ ଉଠି ପାଖରେ ଥିବା କ୍ୟାଣ୍ଡେଲ୍ଟିକୁ ଲଗେଇ ଦେଇ ଝରକାଟାକୁ ଖୋଲି ଦେଲି, ଦଲକାଏ ଥଣ୍ଡା ପବନ ଆସି ମୋ ଝାଳୁଆ ଦେହଟାକୁ ଶୀତଳତା ପ୍ରଦାନ କରିଦେଲା । ଝରକା ସେପଟୁ କିଛି ଝିଅଙ୍କର ହସିବା ଶବ୍ଦ ଶୁଭୁଥିଲା । ଝରକା ପାଖକୁ ଯାଇ ସେପଟକୁ ଦେଖେ ତ କିଛି ଦୂରରେ ଥିବା ଗାର୍ଲସ୍ ହଷ୍ଟେଲ୍‌ରୁ ହସର ଗୁଞ୍ଜରଣଟା ଆସୁଥିଲା । ଏ ଭିତରେ ଲାଇଟ୍ ଚାଲି ଆସିଥିଲା । ଲାଇଟ୍ ଆଲୁଅରେ ଦେଖେ ତ ସେ ଭିତରୁ ଗୋଟେ ଝିଅ, ଝିଅ ନୁହେଁ ତ କାଚ କଣ୍ଢେଇଟେ ମୋରି ଆଡ଼କୁ ଚାହିଁ ଖିଲିଖିଲି ହୋଇ ହସୁଥିଲା । ତା’ ହସରେ ହସ ମିଶେଇ ମୁଁ ବି ଜୋର୍‌ରେ ହସି ଦେଲି ।

ଏ ଭିତରେ ସାଙ୍ଗମାନେ ମୋ ରୁମ୍ ଭିତରକୁ ଚାଲିଆସିଥିଲେ, ଆଉ ତା’ ଭିତରୁ ଜଣେ କହୁଥିଲା “ଆରେ କାହାକୁ ଦେଖି ଏମିତି ହସୁଛୁ ? ଜାଣିଛୁ ତ ସେ କାହା ଝିଅ ? – ଆମ ନୂଆ ପ୍ରିନ୍ସପାଲ୍‌ଙ୍କ ଝିଅ ପରା । ଜାଣିଲେ ତୋ କେରିୟର୍ ଖରାପ ହୋଇଯିବ ।” ମୁଁ ଟିକିଏ ଡରିଗଲି ଭାବିଲି ଏ ପ୍ରିନ୍ସପାଲ୍‌ଙ୍କ ଝିଅ । ଧଡ୍କିନା ଝରକାଟାକୁ ବନ୍ଦ କରିଦେଲି । ପରଦିନ ବି ସେଇ ଅବସ୍ଥା । ତା’ ହସଟା ଏତେ ମିଠା ଥିଲା ଯେ ତା’ ହସୁରା ମୁହଁଟାକୁ ଦେଖିବାକୁ କଲେଜ୍ ଛାଡ଼ି ଚାଲି ଆସୁଥିଲି ।

ଏମିତି କିଛିଦିନ ଯିବାପରେ ଭାବିଲି ପ୍ରିନ୍ସପାଲ୍‌ଙ୍କ ଝିଅ ହେଲେ କ’ଣ ହେଲା ମୁଁ ବି ତ ସରପଞ୍ଚ ଘର ପୁଅ ମୁଁ କାହିଁକି କାହାକୁ ଡରିବି, ଭାବିଲି ସାହାସ କରି କଲେଜ୍ ବାଟରେ ତାକୁ ତା’ ନାଁ ପଚାରିବି । ରାତିସାରା ନିଦ ହେଲାନି, କେମିତି ରାତି ପାହିବ ସକାଳ ହେବ ଆଉ ତା’ ସାଥୀରେ କଥା ହେବାର ବାହାନାଟା କ’ଣ ହେବ ଏମିତି ଭାବୁ ଭାବୁ ରାତିଟା ପାହିଗଲା । ମୁଁ ଭାବୁଥିଲି ସେ ଝିଅଟା ବି କ’ଣ ମୋ ବିଷୟରେ ଏମିତି ଭାବୁଥିବ ?

ପରଦିନ କଲେଜ୍ ଫେରିବା ସମୟରେ ତାକୁ ଏକା ଦେଖି ବାଟ ଓଗାଳି ପଚାରିଲି “ତମ ନାଁଟା କ’ଣ କହିବନି ?” ମୋ ପ୍ରଶ୍ନ ଶୁଣି ଖିଲିଖିଲି ହୋଇ ହସି କହିଲା “ଝରଣା” ତା’ ପାଟିରୁ ଉତ୍ତର ନ ସରୁଣୁ ମୁଁ ଫେଁ କିନା ହସିଦେଲି, ତାକୁ କହିଲି “ମୁଁ ଜାଣିଛି ପରା ତମ ନାଁ ଝରଣା ହୋଇଥିବ ।” ଝିଅଟା କୌତୂହଳ ହୋଇ ପଚାରିଲା “ତମେ କେମିତି ଜାଣିଲ ମୋ ନାଁ ଝରଣା ବୋଲି, ଯଦି ଜାଣିଥିଲ ମତେ ପଚାରୁଥିଲ କାହିଁକି ?” ତା କଥା ଶୁଣି ଟିକିଏ ଥଙ୍ଗଥଙ୍ଗ ହୋଇ ତାକୁ କହିଲି “ମାନେ କଥା କ’ଣ କି ମୋ ବୋଉ କହୁଥିଲା ଆମ ଗାଁ ପାଖ ଜଙ୍ଗଲର ଝରଣା ପାଣି କୁଆଡ଼େ ମହୁ ଭଳିଆ ମିଠା, ଆଉ ତମ ହସଟା ବି ସେମିତି ମହୁ ଭଳିଆ ମିଠା ସେଇଥି ପାଇଁ ବୋଧେ ତମ ନାଁ ଝରଣା ହୋଇଥିବ ।”

ମୋ ପାଟିରୁ ଏମିତି ମଜାଳିଆ କଥା ଶୁଣି ଝିଅଟା ଜୋର୍‌ରେ ହସିଲା, ଦେଖୁ ଦେଖୁ ତା’ର ମୋର ଅଚିହ୍ନା ସମ୍ପର୍କଟା ଫ୍ରେଣ୍ଡସିପ୍‌ରେ ବଦଳିଗଲା । ମୁଁ ସବୁବେଳେ ବାହାନା ଖୋଜୁଥାଏ ଝରଣା ସାଥୀରେ ଦେଖା କରିବା ପାଇଁ ସିଏ ବି ଖୋଜୁଥାଏ ବାହାନା । ସିଏ ବାହାନାରେ କେବେ ଲାଇବ୍ରେରୀ ବୁକ୍ ଦରକାର ତ କେବେ ନୋଟ୍ ବୁକ୍ ଦରକାର ଏମିତି କେତେ କ’ଣ ନାହିଁ ନ ଥିବା ବାହାନା । ଏମିତି ଫ୍ରେଣ୍ଡସିପ୍ ଭିତରେ ଝରଣାର ଭାରି ଇଚ୍ଛା ଆମ ଗାଁ ପାଖ ଜଙ୍ଗଲରେ ଥିବା ଝରଣା ଆଡ଼େ ମୋ ସହିତ ବୁଲିଯିବାକୁ, ହେଲେ ସମୟ ଅଭାବ ଯୋଗୁଁ ହେଉ ଅବା ବାପାଙ୍କୁ ଡରି ହେଉ ନ ଯିବାର ବାହାନା ଖୋଜେ ମୁଁ । ଏ ଭିତରେ କଲେଜ୍‌ରେ ପିକ୍‌ନିକ୍ ସିଜନ୍ ଆରମ୍ଭ ହୋଇଗଲା, ସମସ୍ତଙ୍କର ଇଚ୍ଛା ଆମ ଗାଁ ପାଖ ଜଙ୍ଗଲକୁ ପିକ୍‌ନିକ୍ ମନେଇବାକୁ ଯିବେ । ମତେ ସତେ ଯେମିତି ବାହାନା ମିଳିଯାଇଥିଲା ଝରଣାର ଇଚ୍ଛା ପୂରଣ କରିବାକୁ ।

ପିକ୍‌ନିକ୍ ଯିବା ଦିନ ସିଏ ହିଁ ପ୍ରଥମେ ପ୍ରିପେର୍ ହୋଇଥିଲା ଯିବା ପାଇଁ ଜଙ୍ଗଲକୁ । ବସରୁ ଓହ୍ଲାଉ ଓହ୍ଲାଉ କହୁଥିଲା “ଆରେ ଚାଲ ତ ମତେ ସେ ଝରଣାଟା ଦେଖେଇବ ଯା’ର ପାଣି ମହୁ ଭଳିଆ ମିଠା ।” ମୁଁ ତା’ ପିଲାଳିଆମି ଦେଖି ଜୋର୍‌ରେ ହସୁଥିଲି ଆଉ ତା’ ସରଳ ନିଷ୍ପାପ ମନଟା ମତେ ତାରି ଆଡ଼କୁ ବାରମ୍ୱାର ଆକର୍ଷିତ କରୁଥିଲା । ତା’ କାନ୍ଧରେ ଥିବା ଭ୍ୟାନିଟ୍‌ରୁ ଗୋଟେ ଖାଲି ଛୋଟ ୱାଟର୍ ବୋତଲ କାଢ଼ି ମତେ ଧରେଇ ଦେଲା ପାଣି ଆଣିବାକୁ । ୱାଟର୍ ବୋତଲଟା ଧରି ଝରଣାରୁ ପାଣି ଆଣିଲା ବେଳେ ଶିଉଳି ଲଗା ପଥରରେ ଗୋଡ଼ ଖସି ଦୁମ୍କିନା କଚାଡ଼ି ହୋଇ ତଳେ ପଡ଼ିଗଲି । ମତେ ଦେଖି ସେ ଠୋ’ ଠୋ’ ହୋଇ ହସୁଥିଲା ଆଉ କହୁଥିଲା “ଏତକ ବି ତମ ହାତରେ ହଉନି ଦିଅ ମୁଁ ପାଣି ଆଣୁଛି. . . ।”

ଏମିତି ହସ ମଜା ଭିତରେ ପଛରୁ ଶୁଭୁଥିଲା କିଛି ଅସାମାଜିକ ଯୁବକଙ୍କର ଗାଳିଗୁଲଜ ଆଉ ଅଶ୍ଳୀଳ ଇଙ୍ଗିତ ଆମ ଉଦ୍ଦେଶ୍ୟରେ । ଦୁଃ ସଂଯୋଗକୁ କିଛି ଖଳ ପ୍ରକୃତିର ଅସାମାଜିକ ଲୋକ ଆମରି ପରି ପିକ୍‌ନିକ୍ ମନେଇବାକୁ ସେଇ ଝରଣା ପାଖକୁ ଆସିଥିଲେ । ମୋ “ଝରଣା’ ସେମାନଙ୍କୁ ଦେଖି ଜୋର୍‌ରେ ଡରିଯାଇଥିଲା । ନିଶାସକ୍ତ ଲୋକ ଗୁଡ଼ାକର ଅଶ୍ଳୀଳ ଇଙ୍ଗିତ ବାରମ୍ୱାର ଦେଖି ମୋ ରାଗ ପଞ୍ଚମକୁ ଉଠିଯାଇଥିଲା । ମୁଁ ଆଉ ସେମାନଙ୍କ ଭିତରେ ଧସ୍ତାଧସ୍ତି । ଜଣଙ୍କ ହାତରେ ରିଭଲ୍ଭର୍ ମୋ ଉଦ୍ଦେଶ୍ୟରେ ଥିଲା । ହେଲେ ଜୀବନ ବଞ୍ଚାଇବାକୁ ଯାଇ ମୁଁ ତାରି ଆଡ଼େ ମାଡ଼ି ଯାଇଥିଲି । ନିଶାସକ୍ତ ଥିବା ଯୋଗୁଁ ଲୋକଟା ଭାରସାମ୍ୟ ହରେଇ ଦେଇଥିଲା । ତାରି ଗୁଳି ତାରି ଦେହରେ ହିଁ ବାଜିଥିଲା । ଦେଖୁ ଦେଖୁ ଲୋକଟା ତଳେ ଟଳି ପଡ଼ିଲା ।

ସତେ ଯେମିତି ଅଚାନକ ବଜ୍ରଟା ମୋ ଉପରେ ଛିଡ଼ି ପଡ଼ିଲା । ମୋ ଉଣେଇଶି ବର୍ଷର କେରିୟରଟା ସତେ ଯେମିତି ପାଣି ଫୋଟକା ଭଳିଆ କୁଆଡ଼େ ମିଳେଇଗଲା । ମୋ ଝରଣା ସତେ ଯେମିତି ମୁକ ପାଲଟି ଯାଇଥିଲା । ତା’ ପାଟିରୁ କିଛି କଥା ବାହାରୁ ନଥିଲା । ମୋ ବାପାଙ୍କ ନାଁ ଖ୍ୟାତି ଆଉ ବଡ଼ ବଡ଼ ରାଜନେତାଙ୍କର ଛତ୍ରଛାୟା ଥାଇ ବି ମୁଁ ଆଇନ୍ ଆଗରେ ଦୋଷୀ ହୋଇ ଯାଇଥିଲି । ଭାବିଥିଲି କଲେଜ୍ କ୍ୟାରିୟର୍ ସାରି ଭଲ ଚାକିରୀଟିଏ କରି ଝରଣା ସାଥିରେ ଗୋଟେ ଛୋଟ ସଂସାର ଗଢ଼ିବି । ହେଲେ ଗୋଟେ ମଣିଷ ମାରିବା ଦଣ୍ଡରେ ମତେ ଦୀର୍ଘ ବାରବର୍ଷ ସଜା ହୋଇଯାଇଥିଲା ।

ହଷ୍ଟେଲ୍‌ର ଚାରିକାନ୍ଥ ଭିତର ଜୀବନଟା ମତେ ଯେତିକି ଖୁସି ଦେଇଥିଲା ତା’ଠାରୁ ଦଶ ଗୁଣ ଅଧିକ ଦୁଃଖ ଦେଇଥିଲା ଜେଲ୍ ଭିତରେ ଥିବା ଚାରିକାନ୍ଥର ପରିବେଶଟା । ମତେ ଝୁରି ଝୁରି ବାପା ଶଯ୍ୟାଶାୟୀ ହୋଇ ଆରପାରିକୁ ଚାଲି ଯାଇଥିଲେ । ମୋ ବୋଉ ମୁହଁରୁ ସବୁ ହସ ସତେ ଯେମିତି ଲିଭି ଯାଇଥିଲା କାଁ ଭାଁ ଓକିଲ ସାଥିରେ ମିଶି ମତେ ଦେଖା କରିବାକୁ ଆସୁଥିଲା । ସମୟ ସହିତ ତାଳ ଦେଇ ଝରଣା ମତେ ଭୁଲି ଯାଇଥିଲା ବୋଧେ, ମୋ ସହିତ ବିଲ୍କୁଲ୍ ଦେଖା କରିବାକୁ ଆସୁ ନଥିଲା । ମୁଁ ଭାବୁଥିଲି ଝରଣାଟା କେତେ ସ୍ୱାର୍ଥପର ? ମୋ ଅସୁବିଧା ସମୟରେ ଟିକେ ଛିଡ଼ା ହେଲାନି ମୋ ପାଖରେ । ଆଉ ବେଳେ ବେଳେ ନିଜ ମନକୁ ବୁଝାଇବା ପାଇଁ ଭାବୁଥିଲି ଛୋଟ ଝିଅଟା ତା’ର ବି କ’ଣ ଅସୁବିଧା ଥିବ, ସମୟ ଦେଖି ଦେଖା କରିବାକୁ ନିଶ୍ଚୟ ଆସିବ ।

ମୋ ପରିବାର କହିଲେ, “ମତେ ଆଉ ମୋ ବୋଉକୁ ବୁଝାଉଥିଲା । ଧିରେ ଧିରେ ମୋ ସାଙ୍ଗ ସାଥୀ ମତେ ଭୁଲିଯାଇଥିଲେ । ମୁଁ ବି ସେମାନଙ୍କୁ ଭୁଲିଯାଇଥିଲି, ଏ ଭିତରୁ “ଝରଣା” ବାଦ୍ ପଡ଼ିଥାନ୍ତା କେମିତି ? ଦେଖୁ ଦେଖୁ ବନ୍ଦ କାଳ କୋଠରୀଟା ଭିତରେ ମୁଁ ବୁଢ଼ୀଆଣି ଜାଲରେ ଛନ୍ଦି ହେଲା ଭଳିଆ ଅଣନିଶ୍ୱାସୀ ହୋଇ ଯାଇଥିଲି । ଖରାପ ସମୟ ସବୁବେଳେ ରହେନି କି ଭଲ ସମୟ ସବୁବେଳେ ରହେନି । ମୋ ଦୁଃର୍ଦ୍ଦଶାର ସମୟ ଗୁଡ଼ାକ ବି ସେମିତି ଦେଖୁ ଦେଖୁ ସରି ଆସୁଥିଲା । ଏଭିତରେ ମୁଁ ଝରଣାକୁ ସମ୍ପୂର୍ଣ୍ଣ ଭାବରେ ଭୁଲିଯାଇଥିଲି । ଦୀର୍ଘ ବାରବର୍ଷର ସଜା କାଟିବା ପରେ ଖୋଲା ଆକାଶ ତଳେ ନିଜକୁ ପାଇ ମୁଁ ଖୁସିରେ ଆତ୍ମହରା ହୋଇପଡ଼ିଥିଲି, ସତେ ଯେମିତି ମୁଁ ଗୋଟେ ରାଜ୍ୟ ଜିତି ଘରକୁ ଫେରୁଛି ।

ଜେଲ୍ ଫାଟକ ପାଖରେ ମୋ ବୋଉ ଆଖିରୁ ଲୁହ ଗଡ଼େଇ ମତେ ଅପେକ୍ଷା କରିଥିଲା ହାତରେ ଖାଇବା ଜିନିଷ ଧରି ସତେ ଯେମିତି ମୁଁ ମୋଟେ ବାରବର୍ଷ ହେଲା ନ ଖାଇ ଭୋକରେ ଥିବା ମଣିଷଟେ । ମୋ ବୋଉକୁ ଦେଖୁ ଦେଖୁ କୋହ ସମ୍ଭାଳି ନ ପାରି କାନ୍ଦି ପକେଇଲି ଠିକ୍ ଯେମିତି ନୂଆ ନୂଆ ହଷ୍ଟେଲ୍‌ର ରହିଲା ବେଳେ ମନେ ପକେଇ କାନ୍ଦୁଥିଲି ।

ଦିନ ବାରଟା ବାଜିଲାଣି ଯେତେବେଳେ ଭୋକଟା ପ୍ରବଳ ହେଉଥିଲା, ଇଚ୍ଛା ହେଉଥିଲା ସତେ ଯେମିତି ସବୁଯାକ ଗୋଟେ ଥରକେ ଖାଇଦେବି । ମୋ ବୋଉକୁ ନେଇ ଜେଲ୍ ଫାଟକ ପାଖରେ ଥିବା ଚାନ୍ଦିନୀ ଉପରେ ବସି ପଡ଼ିଲି । ମୋ ବୋଉ ମତେ ସ୍ନେହରେ ଖୋଇ ଦେଉଥିଲା, ସତେ ଯେମିତି ମୁଁ ଗୋଟେ କୁନି ପିଲାଟେ । ଅସହ୍ୟ ଗରମ ଯୋଗୁଁ ମୋ ତଣ୍ଟି ଶୁଖିଲା ଶୁଖିଲା ଲାଗୁଥିଲା । ତର ତର ହୋଇ ଖାଉ ଖାଉ ବୋଉକୁ ପଚାରିଲି “ପାଣି ଆଣିନୁ କି ?” ମୋ କଥା ଶୁଣି ମୋ ବୋଉ ମୋ ହାତକୁ ୱାଟର୍ ବୋତଲଟେ ବଢ଼େଇ ଦେଲା । ଶୋଷ ମେଣ୍ଟାଇବାକୁ ଯାଇ ତରତର ହୋଇ ସବୁତକ ପାଣି ପିଇଦେଲି । କି ମିଠା ସେ ପାଣି ! ବୋଉକୁ ଆଶ୍ଚର୍ଯ୍ୟ ହେଲା ଭଳିଆ ପଚାରିଲି “ଇଏତ ଆମ ବାଡ଼ି କୂଅର ପାଣି ନାହିଁ ?”

ମୋ କଥା ଶୁଣି ବୋଉ ହସୁଥିଲା କହୁଥିଲା “ଆରେ ବୋକା ଏ ପାଣି ପରା ଆମ ଗାଁ ପାଖ ଜଙ୍ଗଲର ଝରଣାର ପାଣି”, ମୁଁ ବୋଉ ଉପରେ ବିରକ୍ତ ହୋଇ କହିଲି “ତୁ ଗୋଟେ ବୁଢ଼ୀ ଲୋକଟେ ଏତେ କଷ୍ଟ କରି କାହିଁକି ଯାଇଥିଲୁ ସେ ଜଙ୍ଗଲକୁ ?” ମୋ କଥା ଶୁଣି ମୋ ବୋଉ ଆହୁରି ଜୋର୍‌ରେ ହସୁଥିଲା, କହୁଥିଲା “ଆରେ ମୁଁ କାହିଁକି ଜଙ୍ଗଲକୁ ଯିବି ତୋ ସାଙ୍ଗ “ଝରଣା” ପରା ସେ ପାଣି ଆଣିଛି ।”

ଏଁ ଝରଣା ଚମକି ପଡ଼ିଲି ମୁଁ । ଭାବିଲି ଝରଣା ତାହା ହେଲେ ମତେ ଭୁଲିନି । ସିଏ ତାହା ହେଲେ ସ୍ୱାର୍ଥପର ନଥିଲା । ମୁଁ ମୋ ନିଦୁଆ ଆଖିଟାକୁ ମନ୍ଥି ମନ୍ଥି ଖୋଜୁଥିଲି ଚାରିଆଡ଼େ ହେଲେ “ଝରଣା”କୁ ଦେଖି ପାରୁନଥିଲି । ମୋ ବୋଉ କହୁଥିଲା “ଆରେ ଆଗକୁ କ’ଣ ଚାହୁଁଛୁ ପଛକୁ ଚାହାଁ ?” ବୋଉ କଥା ଶୁଣି ପଛକୁ ଚାହିଁଲି ମୋ ପଛପଟେ ଥିଲା ଗୋଟେ ବିରାଟକାୟ କୃଷ୍ଣଚୂଡ଼ା ଗଛ, ଗଛ ସେପଟେ ଥାଇ ଝରଣା ମତେ ଚାହୁଁଥିଲା ଆଉ ଖିଲି ଖିଲି ହୋଇ ହସୁଥିଲା । ଏମିତି ଲାଗୁଥିଲା ସତେ ଯେମିତି ଗୋଟେ କାଚ କଣ୍ଢେଇଟେ ମତେ ଦେଖି ଖତେଇ ହଉଛି । ତାକୁ ଦେଖି ଖୁସିରେ ଆତ୍ମହରା ହୋଇଗଲି, ଲାଗୁଥିଲା ସତେ ଯେମିତି ମୋର କୋଟିଏ ଟଙ୍କାର ଲଟେରୀ ଫୁଟି ଯାଇଛି । ଝରଣା ମତେ କଣେଇ କଣେଇ ଚାହିଁ ହସି ହସି ମଜାରେ କହୁଥିଲା “ଆଉ ଥରେ ମିଶି କି ସେ ଜଙ୍ଗଲକୁ ଯିବାକି, ସେ ଝରଣାର ପାଣି ପିଇବାକୁ ?” ତା’ କଥା ଶୁଣି ମୋ ଆଖି ଲୁହ ଛଳଛଳ ହୋଇଗଲା । ହସ ଆଉ ଲୁହ ମିଶା କଣ୍ଠରେ ମୁଁ ତାକୁ କହୁଥିଲି “ପାଖରେ ମୋ ଝରଣା ଥାଉ ଥାଉ ଦୂର ଝରଣା ଠେଁ ମୋ କି କାମ ଯେ. . . !”

ଲୋକପ୍ରିୟ ଲେଖା

To Top