ଗଳ୍ପ

ଝିଅ

Odia Author Gourahari Das

ଆଜି ପର୍ଯ୍ୟନ୍ତ ସେ ଜାଣିଥିଲା, ମୁକେଶ କୌଣସି ଝିଅ ଫିଅ କାରବାରରେ ସଂଶ୍ଳିଷ୍ଟ ନୁହେଁ । ମାତ୍ର ତାଙ୍କର ସେମିତି ଭାବିବା ଭୁଲ୍ ଥିଲା । ମୁକେଶ୍ ତାହାହେଲେ କ’ଣ ଆଖି ବୁଜି ବୁଜି କ୍ଷୀର ପିଉଥିବା ବିରାଡ଼ି ?

ଝିଅ

ଘରେ ଆସି ପହଞ୍ଚୁ ପହଞ୍ଚୁ ମୋବାଇଲ୍ ଫୋନ୍‌ଟା ପୁଣି ବାଜିଲା । ରାତି ବାରଟା ବାଜିବ । ଏତେବେଳେ ପୁଣି କିଏ ଡାକିଲା ଭାବି ନରୋତ୍ତମ ଫୋନ୍ ଧରିବାରୁ, ସେପଟୁ ତାଙ୍କ ଅଫିସ୍‌ର ସିଫ୍ଟ-ଇନ୍ଚାର୍ଜ କହିଲା, “ମୁକେଶ ବାବୁଙ୍କୁ ବାଟରେ ଅଟକେଇ କିଛି ଗୁଣ୍ଡା ଲହୁଲୁହାଣ କରିଦେଇଛନ୍ତି, ଆପଣ ଆସନ୍ତୁ ।”

ନରୋତ୍ତମ ଚମକି ପଡ଼ିଲା । ରାତି ଅଧଟାରେ ଇଏ କି ବିପଦ ! ସେ ପଚାରିବାକୁ ଚାହିଁଲା, “ମୁକେଶ ଏବେ କେଉଁଠି- ତା’ ଘରେ ନା ଡାକ୍ତରଖାନାରେ ?” ମାତ୍ର ସେତେବେଳକୁ ସିଫ୍ଟ ଇନ୍ଚାର୍ଜ ଫୋନ୍ ରଖିସାରିଥିଲା । ସମ୍ଭବତଃ ସେ ଆଉ କାହାକୁ ଫୋନ୍ କରି ଏଇକଥା ଜଣଉଥିବ ।

ନରୋତ୍ତମ ଏବେ ଦ୍ୱିଧାରେ ପଡ଼ିଲା । କ’ଣ କରିବ ? ସକାଳ ନଅଟାରୁ ଘରୁ ବାହାରି ଯାଇଥିଲା । ଏବେ ରାତି ବାରଟା । ଅଣ୍ଟା ବିନ୍ଧୁଛି, ପ୍ରବଳ ଭୋକ । ଗଣ୍ଡେ କ’ଣ ଖାଇ ଦେଇ କିଛି ସମୟ ଶୋଇବା ଲାଗି ମନ କହୁଥିଲା । ମାତ୍ର ମୁକେଶ ତାଙ୍କର ସହକର୍ମୀ, ଦପ୍ତରରେ ଡାହାଣହାତ । ଖବରଟା ପାଇ ସାଙ୍ଗେ ସାଙ୍ଗେ ନ ଗଲେ କାଲିକି ଅନ୍ୟମାନେ ସମାଲୋଚନା କରିବେ । ଦେଖେଇ ଶିଖେଇ କହିବେ- ଯାହା ପାଇଁ ତମେ ଦିନରାତି ଏକ୍ କରି କାମ କରିବ, ସେଇ ତୁମକୁ ଠିକ୍ ସମୟରେ ଚିତା କାଟିବେ । ୟୁନିୟନ୍ ନେତା ପୁଲକ ଦାସ ଯୋଡ଼ିବ- ତୁମେ ଯାହାଙ୍କୁ ମୁଣ୍ଡରେ ମୁଣ୍ଡେଇ ବୁଲୁଥିବ ସିଏ ଠିକ୍ ସମୟରେ କାନି କାଟି ଛୁ’ ମାରିବେ । ଯେଉଁ ଗରିବ ରିକ୍ସାବାଲା କି ପାନଦୋକାନୀ ଜଣେ ଦି’ଜଣ ତମକୁ ମୁଣ୍ଡରେ ମୁଣ୍ଡେଇ ଥିବେ ସେଇ ବରଂ ତୁମର ଦରକାର ବେଳେ କାମରେ ଆସିବେ । ନରୋତ୍ତମ ମନକୁ ମନ ହସିଲା । ଏଠି ମଣିଷ ନିଜ ଆଖିରେ ବଡ଼ ହେବା ଲାଗି କିଛି କରେ ନାହିଁ, ଅନ୍ୟ ଆଖିରେ ବଡ଼ ହେବା ଲାଗି କରେ ।

ନରୋତ୍ତମ ଗରୁଡ଼ ନୁ୍ୟଜ୍ ଚାନେଲ୍‌ର ଜେନେରାଲ୍ ମ୍ୟାନେଜର୍ । ମୁକେଶ ସଂସ୍ଥାର ଡେପୁଟି ଜେନେରାଲ୍ ମ୍ୟାନେଜର୍ । କାମ ପାଗଳ ଲୋକଟି ମୁକେଶ । ଅବିବାହିତ ଏ ପର୍ଯ୍ୟନ୍ତ, ଯଦିଓ ବୟସ ଚାଳିଶ ଛୁଇଁବ । ଆଗକୁ ବାହା ହେବ କି ନାହିଁ ସିଏ ଜାଣେ । କାହିଁକି ବାହା ହୋଇ ନାହିଁ ପଚାରିଲେ ପ୍ରଶ୍ନଟାକୁ ବାଆଁରେଇ ଦିଏ । ପିଆଜ-ରସୁଣ ଖାଏ ନାହିଁ, ମାଛ ମାଉଁସ ତ ଦୂରର କଥା । ବିଅର, ହୁଇସ୍କି ପରି ଶବ୍ଦ ଶୁଣିଲେ ମୁକେଶର ମୁଣ୍ଡ ବୁଲେଇ ଦିଏ ଓ ତୁରନ୍ତ ସେ ଜାଗା ଛାଡ଼ି ଉଠି ପଳାଏ । ସେଥିପାଇଁ କୌଣସି ସାମ୍ୱାଦିକ ସମ୍ମିଳନୀ କି ଡିନର୍ ପାର୍ଟିରେ ମୁକେଶ ଥିଲେ, ସେ ଅଲଗା ବାରି ହୋଇପଡ଼େ । ସାମ୍ୱାଦିକ ମହଲରେ ଅଲଗା କିସମର ସାମ୍ୱାଦିକଙ୍କ ପାଇଁ ଅଲଗା ନାଁ- କିଏ ଘୋଡ଼ା, କିଏ ବିଲେଇ, କିଏ ହାତୀ- ନିଜ ନିଜର ମଦ ପିଇବା ଅଭ୍ୟାସ ଅନୁଯାୟୀ । କିଛି ବନ୍ଧୁ ମୁକେଶକୁ ଡାକନ୍ତି ଶ୍ରୀମାନ୍ ସାବିତ୍ରୀ । ତା’ ପରି ଲୋକକୁ ପୁଣି ଗୁଣ୍ଡାମାନେ ବାଡ଼େଇଲେ କାହିଁକି ?

ନରୋତ୍ତମ ରୁଟି ଦି’ପଟ ଡାଲିରେ ବୁଡ଼େଇ ଚୋବେଇ ଦେଲା ଓ ମମତାକୁ “ଗେଟ୍ ଦେଇଦିଅ, ମୋ ପାଖେ ଡୁପ୍ଲିକେଟ୍ ଚାବି ଅଛି” କହୁ କହୁ ତା’ ଗାଡ଼ି ଷ୍ଟାର୍ଟ କଲା । ଗେଟ୍ ଡେଇଁ ରାସ୍ତାକୁ ବାହାରିଲାବେଳେ ସେ କ୍ଳାନ୍ତ ମମତା ଆଖି ଅସନ୍ତୋଷ ଓ ଅସହାୟତାକୁ ଭଲ ଭାବେ ଲକ୍ଷ୍ୟ କରି ପାରୁଥିଲା- କି ଭାଗ୍ୟ ନେଇ ଏଭଳି ଲୋକର ହାତ ଧରିଥିଲା । ମାତ୍ର ନରୋତ୍ତମ ପାଖରେ ପତ୍ନୀଙ୍କୁ ବୁଝେଇବା ନିମନ୍ତେ ସମୟ ନ ଥିଲା । “ମୁକେଶ ସିରିୟସ୍, ଆସେ” କହି ସେ ଚାଲିଗଲା ।

ମୁକେଶ୍ “ନ୍ୟୁ ଲାଇଫ୍” ନର୍ସିଂହୋମ୍‌ରେ ଭର୍ତ୍ତି ହୋଇଥିଲା । ତେବେ ତା’ର ଅବସ୍ଥା ସେତେକି ସିରିୟସ୍ ନ ଥିଲା, ଯେତିକି ହୋଇଥିବ ବୋଲି ନରୋତ୍ତମ ଭାବି ନେଇଥିଲା । ଅଫିସ୍‌ର କାମ ସାରି ସିଏ ଏବଂ ଦ୍ୱିବେଦୀ ଆଗପଛ ହୋଇ ନିଜ ନିଜ ଘରକୁ ଯାଉଥିଲେ । ଘଟଣାଟି ରସୁଲଗଡ଼ ଛକ ପୂର୍ବରୁ ହିଁ ଘଟିଥିଲା । ଦ୍ୱିବେଦୀ ଦେଖିଲା ବେଳକୁ କିଛି ଟୋକା ମୁକେଶର ଗାଡ଼ିକୁ ଘେରି ଯାଇଥିଲେ । ମୁକେଶ୍ ତା’ ଗାଡ଼ି ଭିତରେ ବସିଥିଲା । ଜଣେ ଡୋର୍ ଖୋଲି ମୁକେଶ୍‌କୁ ବିଧାଚାପୁଡ଼ା ମାରୁଥିଲା । ସେଇଟି ହେଲ୍‌ମେଟ୍ ପିନ୍ଧିଥିଲା ।

ଏ ଘଟଣା ଦେଖି ଦ୍ୱିବେଦୀ ଡରିଯାଇଥିଲା । କାଳେ ତାକୁ ବି ସେମାନେ ମାରଧର କରିବେ ସେଇ ଆଶଙ୍କାରେ ସେ ହେଡ୍‌ଲାଇଟ୍ ଲିଭେଇ ଦେଇ ପଛ ଗଳିମୋଡ଼ରେ କିଛି ସମୟ ଅଟକି ଯାଇଥିଲା । ନ ହେଲେ ସେ ଆହୁରି ଆଗରୁ ସେ ଜାଗା ଉପରେ ପହଞ୍ଚି ପାରିଥାନ୍ତା । ତେବେ ରାତି ଡ୍ୟୁଟିରେ ଥିବା “ପାଟ୍ରୋଲିଂ ପୁଲିସ୍’ ଗାଡ଼ିର ସାଇରନ୍ ଶୁଣି ସେଇ ଗୁଣ୍ଡାମାନେ ସେଠୁ ପଳେଇ ଯାଇଥିଲେ । ତା’ପରେ ଦ୍ୱିବେଦୀ ଯାଇ ମୁକେଶ୍‌ର ଗାଡ଼ି ପାଖରେ ପହଞ୍ଚିଥିଲା । ମୁକେଶର ଗାଡ଼ିର ସାମ୍ନା ଓ ଡାହାଣକଡ଼ ଡୋର୍ ଚେପା ହୋଇଯାଇଥିଲା । ଗାଡ଼ି ଭିତରୁ ମୁକେଶ ଓହ୍ଲେଇ ନ ଥିଲା । ଓହ୍ଲେଇଥିଲେ ସେ ଆହୁରି ଜଖମ ହୋଇଥାଆନ୍ତା । ଦ୍ୱିବେଦୀ ତାକୁ ତା’ ଗାଡ଼ିରେ ବସେଇ ନେଇଆସିଥିଲା ତା’ର ପରିଚିତ “ନ୍ୟୁ ଲାଇଫ୍ ନର୍ସିଂହୋମ୍‌”କୁ ।

ନରୋତ୍ତମ ମୁକେଶର ମୁଣ୍ଡ ପାଖରେ ବସି ରହିଥିଲା ।

ତା’ ମୁଣ୍ଡରେ ବ୍ୟାଣ୍ଡେଜ୍ ବାନ୍ଧି ଦେବା ପରେ ଡାକ୍ତର ତାକୁ ଗୋଟେ ନିଦ ଇେଞ୍ଜକ୍ସନ୍ ଦେଇଥିଲେ ।

ନରୋତ୍ତମ ଦ୍ୱିବେଦୀକୁ ପଚାରିଲା, “ସେମାନେ କାର୍ ଲୋନ୍‌ବାଲାଏ ନୁହଁନ୍ତି ତ ? ଆଜିକାଲି ସେଇମାନେ ତ ବହୁତ ଜୁଲୁମ୍ କରୁଛନ୍ତି । ରାସ୍ତାଘାଟରୁ ଗାଡ଼ି ଛଡ଼େଇ ନେଇଯାଉଛନ୍ତି । ପ୍ରତିବାଦ କଲେ ଠେଲାପେଲା କରୁଛନ୍ତି ।”

ସେତେବେଳକୁ ଗରୁଡ଼ ଚ୍ୟାନେଲ୍‌ର ଆଉ ଚାରିଜଣ ବନ୍ଧୁ ଆସି ପହଞ୍ଚି ଯାଇଥିଲେ । ପୁଲକ ଦାସ ବି । ଦ୍ୱିବେଦୀ କହିଲା, “ନା, ସେମାନେ ଲୋନ୍‌ବାଲାଏ ନୁହଁନ୍ତି । ତେବେ ସେଇ ଝିଅଟା ହିଁ ଅସଲ କାରଣ । ତାଆରି କଥାରେ, ଟୋକାଗୁଡ଼ାକ ମୁକେଶ୍‌ଙ୍କୁ ପିଟୁଥିଲେ । ସେ ନିଜେ ବି ହେଲମେଟଟାଏ ପିନ୍ଧି ମୁକେଶ୍‌ଙ୍କୁ ବିଧା ଚାପୁଡ଼ା ମାରୁଥିଲା ।”

ଝିଅଟାଏ ପିଟୁଥିଲା ମୁକେଶ୍‌କୁ ?

ନରୋତ୍ତମ ଆଶ୍ଚର୍ଯ୍ୟ ହେଲା । ଆଜି ପର୍ଯ୍ୟନ୍ତ ସେ ଜାଣିଥିଲା, ମୁକେଶ କୌଣସି ଝିଅ ଫିଅ କାରବାରରେ ସଂଶ୍ଳିଷ୍ଟ ନୁହେଁ । ମାତ୍ର ତାଙ୍କର ସେମିତି ଭାବିବା ଭୁଲ୍ ଥିଲା । ମୁକେଶ୍ ତାହାହେଲେ କ’ଣ ଆଖି ବୁଜି ବୁଜି କ୍ଷୀର ପିଉଥିବା ବିରାଡ଼ି ? କିଏ ଜାଣେ ? ମୁକେଶର ବାପା-ମା’ ଢେଙ୍କାନାଳରେ । ସେମାନେ ହୁଏତ ଏ ବିଷୟରେ କିଛି ଜାଣିଥିବେ । ନହେଲେ ତାଙ୍କ ଦପ୍ତରର କେହି ତ କେବେ ଏ ବିଷୟରେ କଥାଭାଷା ହୁଅନ୍ତି ନାହିଁ । ପୁଣି ପରିଚୟ କି ବିବାଦ ନ ଥିଲେ ଗୋଟେ ଝିଅ କାହିଁକି କାହାକୁ ବାଡ଼େଇବ !

ମୁକେଶର ନିଦ ଭାଙ୍ଗିଲେ ସିଏ ହିଁ ଏ ରହସ୍ୟର ଗଣ୍ଠି ଫିଟେଇ ପାରିବ । କାହିଁକି ରାତି ଅଧଟାରେ, ମୁକେଶର ଗାଡ଼ି ଅଟକେଇ ସେ ଝିଅଟା ଏମିତି ଆକ୍ରମଣ କଲା ? ସିନେମାର ଦୃଶ୍ୟ ପରି ରହସ୍ୟମୟ ମନେ ହେଉଥିଲା ଏ କଥା ।

ନରୋତ୍ତମ ନିଜ ଘରକୁ ଫେରିଆସିଲା । ଆସିବା ଆଗରୁ ସେ ଦ୍ୱିବେଦୀକୁ ପରାମର୍ଶ ଦେଲା, “ତାଙ୍କ ଗାଡ଼ିଟା କେମିତି ମାରୁତି ଗ୍ୟାରେଜ୍‌ରେ ପହଞ୍ଚିଯିବ, ଟିକେ ଦେଖିବ । ସେଇଟା ତ ଏବେ ଚଳେଇବା ଯୋଗ୍ୟ ନ ଥିବ ।”

ଦ୍ୱିବେଦୀ କହିଲା, “କାଲି ସକାଳେ ସେ କାମ ମୁଁ କରିଦେବି ।”

ମୁକେଶର ନିଦ ଭାଙ୍ଗିଲା ବେଳକୁ ପରଦିନ ସକାଳ ନଅଟା ।

ତାକୁ ପଚାରିବାରୁ ସେ କହିଲା ଯେ ସେଇ ଝିଅଟି ସହ ତା’ର କୌଣସି ସମ୍ପର୍କ ରହିବା ତ ଦୂରର କଥା, ତାକୁ ସେ ଆଦୌ ଚିହ୍ନେ ନାହିଁ । ଆଗରୁ କେବେ ସେ ଦେଖି ନାହିଁ ତାକୁ ।

ପୁଲକ ରହସ୍ୟ କଲା ପରି ପଚାରିଲା, “ଭାବ, ଭାବ, କାଳେ କେବେ ତା’ ସହ କିଛି ଚିହ୍ନା ପରିଚୟ ହୋଇଥିବ । ନ ହେଲେ ସେଇ ବାଟ ଦେଇ ଶହ ଶହ ଲୋକ ଯା’-ଆସ କରୁଛନ୍ତି । ସେ ଖାଲି ତୁମକୁ ଅଟକାଇଲା କାହିଁକି ? ତାହା ପୁଣି ରାତି ବାରଟାରେ ।”

ମୁଁ ତ ସେହି କଥା କହୁଛି ! – ମୁକେଶ ଟିକେ ବଡ଼ ପାଟିରେ କହିଲା ଏବଂ ବଡ଼ ପାଟିରେ କହିବା ଯୋଗୁଁ ତାକୁ କଷ୍ଟ ହେଲା । ସେ ମୁଣ୍ଡରେ ହାତ ଦେଇ କହିଲା, “ଚିହ୍ନା ପରିଚୟ କଥା କହୁଛୁ, ତୁ ସେ ଝିଅକୁ ଦେଖିଛୁ ? ପ୍ରଥମେ ଦେଖିଲେ ସେ ଗୋଟେ ମର୍ଦ୍ଦ କି ମାଇକିନା ଜାଣିପାରିବୁ ନାହିଁ ।”

ମୁକେଶ କଥା ଶୁଣି, ଉଦ୍‌ବେଗ ଭିତରେ ବି ନିଜର ହସ ରୋକିପାରିଲା ନାହିଁ ନରୋତ୍ତମ ।

ତେବେ ପୁଲକ ନିରବ ହୋଇଗଲା । ସେ ଜାଣେ, ମୁକେଶର ରୁଚି ବେଶ୍ ଉନ୍ନତ । ସେ ନିଜେ ବି ଦେଖିବାକୁ ସୁନ୍ଦର । ତେଣୁ କୌଣସି ଅସୁନ୍ଦରୀ ଝିଅ ପ୍ରତି ସେ ଆକୃଷ୍ଟ ହେବା ଆଶା କମ୍ ।

ତାହାହେଲେ ସେ ଝିଅଟା କ’ଣ ହିଷ୍ଟରିଆ ପେସେଣ୍ଟ ? ସେ କଥା ହୋଇଥିଲେ ତା’ ସହ ଥିବା ଅନ୍ୟମାନେ କାହିଁକି ମୁକେଶକୁ ଆକ୍ରମଣ କଲେ ।

କିଛି ସମୟ ଛାଡ଼ି, ସେ ଜେରା କରୁଥିବା ପୁଲିସ୍ ପରି ପଚାରିଲା, “ମନେ ପକେଇଲ, ପ୍ରଥମେ କ’ଣ କହି ସେ ତୁମ କଲାର ଧରିଥିଲା ?”

ମୁକେଶ କହିଲା, “ସେଇ କଥା କହୁଛି ପରା, ମୁଁ ଗାଡ଼ି ଚଳେଇ ଘରକୁ ଫେରୁଛି । ହନୁମାନ ମାର୍ବଲ ଡେଇଁ ଆସିଛି କି ନାହିଁ ସେ ଟୋକୀ ଗୋଟେ ସ୍କୁଟିରେ ଆସି ମୋ ଗାଡ଼ି ସାମ୍ନାରେ ବ୍ରେକ୍ ଦେଲା । “କ’ଣ ହେଲା’ ବୋଲି ମୁଁ ପଚାରୁ ପଚାରୁ ସେ ମୋ କଲର ଭିଡ଼ି ଧରି ଜେରା କଲା ପରି ପଚାରିଲା, “ତୁ ଟ୍ରକ୍ ଆଣି ମାର୍ବଲ ଚୋରି କରୁଛୁ ?” ମୁଁ ତା’ର କଥା କିଛି ବୁଝିପାରିଲି ନାହିଁ । ସେ କାହାକୁ କ’ଣ କହୁଛି, ସେ କଥା ଚିନ୍ତା କରୁ ବୋଲି ବଡ଼ ପାଟିରେ କହିଲି । ସେତିକିରେ ସେ ଡାକ ପକେଇଲା । ଆଗରୁ ଚାରିଟା ଗୁଣ୍ଡା ଗଛ ପଛରେ ଛପିକି ଥିଲେ । ଡାହାଳ କୁକୁର ପରି ଧାଇଁ ଆସି ମୋତେ ପିଟି ଦେଇଗଲେ । ମୋ ଭାଗ୍ୟ ଭଲ, ପୁଲିସ୍ ଗାଡ଼ି ଚାଲିଆସିଲା । ନ ହେଲେ ମୋତେ ସେମାନେ କାଲି ମାରିଦେଇ ଥାଆନ୍ତେ ।”

ମୁଁ ବି ପହଞ୍ଚିଗଲି । – ଦ୍ୱିବେଦୀ କହିଲା । ସେ ଅନୁଭବ କରୁଥିଲା ଯେ ତା’ର ଭଲ କାମଟା ଏହି ଆଲୋଚନାରେ ଯେତିକି ପ୍ରାଧାନ୍ୟ ପାଇବା କଥା ସେତିକି ପାଉନଥିଲା ।

ହଁ, ଦ୍ୱିବେଦୀ ବି ପହଞ୍ଚିଲା । – ମୁକେଶ ଯୋଡ଼ିଲା ।

ଆମେ ଆଶ୍ଚର୍ଯ୍ୟ ହେଲୁ । ମାର୍ବଲ ପଥର ସାଙ୍ଗେ ମୁକେଶର ସମ୍ପର୍କ କ’ଣ ? ଝିଅଟାର କ’ଣ ମୁଣ୍ଡ ଖରାପ ? କଥାଟା ରହସ୍ୟଜନକ ଲାଗୁଥିଲା ।

ଦ୍ୱିବେଦୀ ମୁକେଶ୍‌କୁ କହିଲା, “ଆପଣଙ୍କ ଗାଡ଼ିଟାର ଯୋଉ ହାଲତ ହୋଇଛି, ଟଙ୍କା ତିରିଶ ହଜାର ଲାଗିବ, ଖୁବ୍ କମ୍‌ରେ ।”

ପୁଲକ ଯୋଡ଼ିଲା, “ତୋର ଏ ନର୍ସିଂହୋମ୍ ଆଉ ଦଶହଜାର ତ ଭିଡ଼ିନେବ ।”

ମୁକେଶ କିଛି କହିଲା ନାହିଁ । ସେ ଆହୁରି ବେଶି କ୍ଷତି ଆଶଙ୍କା କରିଥିଲା ।

ସ୍ଥିର ହେଲା, ପ୍ରଥମେ ଥାନାରେ ଏଫ୍ଆଇଆର୍‌ଟେ ଦେବାକୁ ପଡ଼ିବ । ସେଇ ବାଟ ଦେଇ ସବୁ ଦିନେ ସେମାନଙ୍କର ଯା’-ଆସ । ଘଟଣାଟି ଗରୁଡ଼ ଚ୍ୟାନେଲ୍‌ର ସହଯୋଗୀଙ୍କୁ ଡରେଇ ଦେଇ ସାରିଲାଣି । ନିର୍ଦ୍ଦିଷ୍ଟ କାରଣ ଥାଇ କିଏ କାହାକୁ ବାଡ଼େଇଥିଲେ ଅବା ଭିନ୍ନେ କଥା ହୋଇଥାଆନ୍ତା । ଏମିତି ତୁଚ୍ଛାଟାରେ ଜଣେ ଲୋକକୁ ବାଡ଼ାପିଟା, ନା ବାବା ନା, ଭାବିଲେ ଡର ମାଡୁଛି । ତା’ ଛଡ଼ା ପୁଲିସ୍‌ରେ ଏଫ୍ଆଇଆର୍‌ଟେ ଲେଖାଗଲା । ମୁକେଶ ତହିଁରେ ଦସ୍ତଖତ କଲା ।

ସହିଦନଗର ଥାନାରେ ଏତଲା ଦିଆଗଲା । ପ୍ରଥମେ ସହିଦନଗର ପୁଲିସ୍ କହୁଥିଲା, ଘଟଣାଟା ଯେଉଁ ଏରିଆରେ ଘଟିଛି ସେଇଟା ଆମ ଇଲାକା ବାହାରେ । ଆପଣ ମେଞ୍ଚଶ୍ୱର ଯାଆନ୍ତୁ । ମେଞ୍ଚଶ୍ୱରବାଲାଏ ଠିକ୍ ସେହି କଥା କହିଲେ । ଶେଷରେ ସହିଦନଗରବାଲାଏ ଅଭିଯୋଗଟା ଗ୍ରହଣ କଲେ । ସେତକ ପାଇଁ ଦି’ଘଣ୍ଟା ସମୟ ବୃଥାରେ ଗଲା ।

ପୁଲକ ଆସି କହିଲା, “ଆଜ୍ଞା, ଉପରୁ ପ୍ରେସର ନ ପଡ଼ିଲେ ଇଏ ପୁଲିସବାଲାଏ ଶୁଣିବେ ନାହିଁ । ଆମ ଏଫ୍ଆଇଆର୍ କାଗଜଟାକୁ ତଳକୁ ଗେଞ୍ଜି ଦେବେ, ଯେମିତି ଏ ଦେଶର ବହୁ ଅଫ୍ଆଇଆର୍ କାଗଜର ଦଶା ହୁଏ ।”

ନରୋତ୍ତମ ଭାବିଲା, ଭାରତୀୟ ପୁଲିସ୍‌ର କି ଭାବମୂର୍ତ୍ତି !

ସେ ଡେପୁଟି କମିସନର୍‌ଙ୍କୁ ଫୋନ୍ କଲା ଓ ଦୁଃଖ ଜଣାଇଲା । ଅନୁରୋଧ କଲା, “ଆମକୁ ନିରାପତ୍ତା ଦିଅନ୍ତୁ, ନହେଲେ ଆମେ ସେ ଅଞ୍ଚଳରେ ଚଳପ୍ରଚଳ ହେବୁ କିମିତି ?”

ଡେପୁଟି କମିସନର ଉତ୍ତର ଦେଲେ, “ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ । ମୁଁ ଖବର ରଖିଛି । ଭୁଲ୍ କରିଛି ସେ ଝିଅଟା । ଅସଲରେ ତାଙ୍କ ମାର୍ବଲ ଦୋକାନରୁ କିଛିଦିନ ହେଲା ରାତିରେ ପଥର ଚୋରି ହେଉଥିଲା । ମୁକେଶ ସେଦିନ ଦୋକାନ ସାମ୍ନାରେ ଗାଡ଼ି ରଖିବାରୁ ସେ ଭାବିଲା, ଇଏ ବୋଧହୁଏ ମାର୍ବଲ ଚୋରି କରିବାକୁ ଆସିଗଲା ।”

ନରୋତ୍ତମ ବଡ଼ ପାଟିରେ କହିଲା, “ରାସ୍ତା କଡ଼ରେ କିଏ ଚା’ କି ପାନ ଦୋକାନଟିଏ କରିଥିଲେ ଆପଣ ତାକୁ ଜବରଦଖଲ ଦଫାରେ ପକେଇ ସେଠୁ ଉଠେଇ ଦେଉଛନ୍ତି । ଅଥଚ ଏ ସହରର ଲୁହା ଛଡ଼ା, ମାର୍ବଲ ଓ ଗ୍ରାନାଇଟ୍ ବ୍ୟବସାୟୀମାନେ ବର୍ଷ ବର୍ଷ ଧରି ତାଙ୍କ ଦୋକାନ ସାମ୍ନା ରାସ୍ତାକଡ଼ର ଏକର ଏକର ଜାଗା ଖୋଲା ଗୋଦାମ ରୂପେ ବ୍ୟବହାର କରୁଛନ୍ତି । ଆପଣ ସେମାନଙ୍କୁ କିଛି କହୁନାହାନ୍ତି । ଖୋଦ୍ ଜବରଦଖଲ କରୁଥିବା ମାର୍ବଲ ବେପାରୀ ପୁଣି ଆମକୁ ଚୋରି ଅଭିଯୋଗରେ ପିଟିବେ !”

ମୁକେଶ ପଚାରିଲା, “ଡିସିପି କ’ଣ କହୁଥିଲେ ?”

ନରୋତ୍ତମ କହିଲା, “ତୁମେ କୁଆଡ଼େ ହନୁମାନ ମାର୍ବଲ ସାମ୍ନାରେ ଅଟକି କୋଉ ଟ୍ରକ୍‌କୁ ଡାକୁଥିଲ ?”

ମାର୍ବଲ ଚୋରି ପାଇଁ ? – ମୁକେଶ ପଚାରିଲା ।

ହଁ । – ନରୋତ୍ତମ ଉତ୍ତର ଦେଲା ଓ ହସିଲା ।

ମୁକେଶ କହିଲା, “ସେତିକିବେଳେ ମୋର ଫୋନ୍‌ଟିଏ ଆସିଥିଲା । ମୁଁ କଥା ହେବା ଲାଗି ଗାଡ଼ିର ବେଗ ଧୀମେଇ ଟିକେ ସାଇଡକୁ ଚାଲିଯାଇଥିଲି । ସେଇଟା କ’ଣ ମୋର ଭୁଲ୍ ହେଲା ?”

ବାସ୍, ସେଇଆକୁ ଦେଖିଛି ସେ ଟୋକୀ । ଯେହେତୁ ଆଗରୁ ତାଙ୍କର ପଥର ଚୋରି ହେଇଥିଲା, ତେଣୁ ସେ ତୁମକୁ ଧରିଛି । – ନରୋତ୍ତମ ରହସ୍ୟ ଭେଦ କଲା ପରି କହିଲା ।

ଧରିଛି ନୁହେଁ, ପିଟିଛି । – ମୁକେଶ କହୁ କହୁ ରାଗିଗଲା । ସେ ଏ ରାଜ୍ୟର ଜଣେ ଦକ୍ଷ ଟିଭି ସାମ୍ୱାଦିକ । ତା’ କଲମ ମୁନରେ ବଡ଼ ବଡ଼ ନେତା ଜଖମ ହୋଇଯାଆନ୍ତି । ସିଏ ମାଇକ୍ ଧରିଲେ ଦର୍ଶକଙ୍କ ଉତ୍ତେଜନା ବଢ଼ିଯାଏ । ଗୋଟାଏ ସାଧାରଣ ଝିଅ ତାକୁ ରାସ୍ତାରେ ଅଟକେଇ ପିଟିବ । କଥାଟା ତାକୁ ଖୁବ୍ ବାଧି ଥିଲା ।

ନରୋତ୍ତମ କହିଲା, “ଆମେ ଡିସିପିଙ୍କୁ ଆଠଘଣ୍ଟା ସମୟ ଦେବା । ନହେଲେ ରାଜାଧାନୀର ସାମ୍ୱାଦିକମାନେ ଏକାଠି ହେବା । ସୁଶାନ୍ତ ବାବୁଙ୍କୁ ଜଣେଇ ଦେଲେ ସେ “ସ୍ୱାଧୀନତାର ଗଛ” ତଳେ ଗୋଟେ ସମ୍ମିଳନୀ ଡାକି ଦେବେ । ରମାପଦବାବୁ ଓ ଆନନ୍ଦବାବୁ ତ ଏ କଥା ଜାଣିସାରିବେଣି ।”

ଭୁବନେଶ୍ୱରର ଜୟଦେବ ଭବନ ସାମ୍ନାରେ ଥିବା ଗୋଟେ ବରଗଛକୁ ରାଜଧାନୀର ସାମ୍ୱାଦିକମାନେ “ସ୍ୱାଧୀନତାର ଗଛ’ ବୋଲି ଘୋଷଣା କରିଛନ୍ତି । ସେଇଠି ଏକାଠି ହୋଇ ସେମାନେ “ସାମ୍ୱାଦିକଙ୍କ ଉପରେ ଜୁଲୁମ୍”ର ପ୍ରତିବାଦ କରନ୍ତି । ଗଲା ଚାରିବର୍ଷ ହେଲା, ଏଇ ବ୍ୟବସ୍ଥା ଆରମ୍ଭ ହୋଇଛି ।

ତା’ପରେ

ଲୋକପ୍ରିୟ ଲେଖା

To Top