ଗଳ୍ପ

ଝିଅ

Odia Author Gourahari Das

ସାବ୍, ପଚାଶ ଅଛି । ଆଉ ଯାହା ଦରକାର କୁହନ୍ତୁ, ଦେବି । କିନ୍ତୁ ମୋ ଝିଅକୁ “ପାଗଳି’ କହନ୍ତୁ ନାହିଁ, ମେହର୍ବାନି କରି ମୋ ଝିଅକୁ ପାଗଳି କହନ୍ତୁ ନାହିଁ । ମୋ ଝିଅ ପାଗଳି ନୁହେଁ, ପାଗଳି ନୁହେଁ ।

ଝିଅ

-: ପୁର୍ବରୁ :-

ସେଦିନ ମମତା ପଚାରିଲା, “ତୁମ ସାମ୍ୱାଦିକଙ୍କର କ’ଣ କୋଉଠି ଘର ଫର ନାହିଁ ଯେ ଗୋଟେ ଗଛମୂଳେ ଏକାଠି ହେଉଛ ?”

ନରୋତ୍ତମ କିଛି କହିନଥିଲା । ଆସାମ, ମେଘାଳୟ ପରି ରାଜ୍ୟରେ “ପ୍ରେସ୍ କ୍ଲବ୍” ଅଛି, ମାତ୍ର ଓଡ଼ିଶାରେ ରାଜଧାନୀରେ ନାହିଁ । ଏଠି ଇଂରାଜୀ-ଓଡ଼ିଆ, ଟିଭି-ରେଡ଼ିଓ, ସ୍କୁଟରବାଲା-କାରବାଲା ହୋଇ ସାମ୍ୱାଦିକଙ୍କ ଭିତରେ ଅନେକ ଫାଟ । ସଂଖ୍ୟା ଗରିଷ୍ଠ ଓଡ଼ିଆ ସାମ୍ୱାଦିକଙ୍କ ସ୍ୱର ଉଚ୍ଚା, ପ୍ରଭାବ କମ୍ । ତାଙ୍କ ଖବରକୁ ଓଡ଼ିଆ ଜାଣିନଥିବା ମୁଖ୍ୟମନ୍ତ୍ରୀ ବିଲ୍‌କୁଲ୍‌ ପଢ଼ନ୍ତି ନାହିଁ ଓ ପଢ଼ି ଜାଣିଥିବା ବ୍ୟୁରୋକ୍ରାଟ୍ ଗୁରୁତ୍ୱ ଦିଅନ୍ତି ନାହିଁ । ପ୍ରଭାବଶାଳୀ ସାମ୍ୱାଦିକମାନେ “ବ୍ୟୁରୋକ୍ରାଟ୍ କ୍ଲବ୍”ର ସଦସ୍ୟ । ତେଣୁ ସେମାନେ ଆଉ ଗୋଟେ “ପ୍ରେସ୍ କ୍ଲବ୍”ର ପ୍ରୟୋଜନ ଅନୁଭବ କରନ୍ତି ନାହିଁ । ତେବେ ଏସବୁ ଜଟିଳ ତତ୍ତ୍ୱ ମମତା ବୁଝିନଥାନ୍ତା ।

ନରୋତ୍ତମ ନର୍ସିଂହୋମ୍‌ରୁ ଆସି ତା’ କ୍ୟାବିନ୍‌ରେ ବସିଛି, ଥାନାରୁ ଫୋନ୍ ଆସିଲା- “ସେ ଝିଅ, ତା’ ଭାଇ ଓ ତା’ ବାପା ଏଇଠି ଅଟକ ଅଛନ୍ତି । ଆପଣ ଟିକେ ଦୟା କରି ଆସନ୍ତୁ ।”

ପୁଲିସ୍ ତୁଣ୍ଡରେ “ଦୟାକରି’ ଶବ୍ଦଟା କେମିତି ଅଖାଡୁଆ ଶୁଭୁଥିଲା । ସେ ଜାଣିଲା ଇଏ ଡିସିପିଙ୍କ ହସ୍ତକ୍ଷେପର ପ୍ରଭାବ । ତେବେ ପୁଲିସ୍‌ର ସକ୍ରିୟତା ତାକୁ କିଛିଟା ଉତ୍ସାହିତ କଲା । କାରଣ, ପୁଲିସ୍‌ର କାର୍ଯ୍ୟକଳାପକୁ ନେଇ ତା’ର କେବେ ବି ଭଲ ଧାରଣା ନ ଥିଲା ।

ମୁକେଶ ମୁଣ୍ଡରେ ବ୍ୟାଣ୍ଡେଜ୍ ବନ୍ଧା ଥିଲା । ତଥାପି ଥାନାକୁ ଗଲାବେଳେ ନରୋତ୍ତମ ତାକୁ ଡାକି ଗାଡ଼ିରେ ବସେଇଲା । ତୁମେ ଗାଡ଼ି ଭିତରେ ଥିବ, ଦରକାର ହେଲେ ମୁହଁ ଖୋଲିବ । ଥାନା କାମ ସରିବା ପରେ ମୁଁ ତୁମକୁ ଘରେ ଛାଡ଼ି ଦେଇ ଯିବି ।

ପୁଲକ କହିଲା, “ଆମେ ଥାନାକୁ ଯିବା କ’ଣ ଦରକାର ? ଆମେ ତ କେସ୍ ଦେଇଛୁ । ପୁଲିସ୍ ଆସାମୀକୁ ଗିରଫ୍ କରି କୋର୍ଟକୁ ପଠେଇ ଦେଉନାହିଁ । ଆମେ କାହିଁକି ଯିବା ?”

ଦ୍ୱିବେଦୀ ଏସବୁ କାରବାରରେ ନିଜକୁ ପୋଖତ ବୋଲି ଭାବେ । ଗୋପନ ତଥ୍ୟ ଦେବାଭଳି ଧୀମା ସ୍ୱରରେ ଯୋଡ଼ିଲା, “ଏତେବେଳକୁ ପୁଲିସ୍ ସେ ଝିଅର ବାପା ପାଖରୁ ଟେବୁଲ୍ ତଳେ କିଛି ପକେଇ ସାରିବଣି । ରଫାଦଫା କରିବା ପାଇଁ ଡାକୁଛି । କିନ୍ତୁ, ଆମେ ସେଥିରେ ରାଜି ହେବା ନାହିଁ ।”

ନରୋତ୍ତମ ଏବଂ ପୁଲକ ଏକସ୍ୱରରେ ଯୋଡ଼ିଲେ, “ପ୍ରଶ୍ନ ଉଠୁନାହିଁ ।”

ଥାନାଟି ନରୋତ୍ତମକୁ ଗୋଟେ ବଡ଼ ବୁଢ଼ିଆଣୀ ବସା ପରି ଦିଶୁଥିଲା । ବୁଢ଼ିଆଣୀ ବସାର ଜାଲରେ ଅଟକିଥିବା ମଶା, ମାଛି ପରି କିଛି ଲୋକ ଭିନ୍ନ ଭିନ୍ନ ଟେବୁଲ୍ ଆଗରେ ଅଟକି ଛିଡ଼ା ହେଇଥିଲେ । ବେଢ଼ଙ୍ଗ ଭାବରେ ଥୁଆ ହୋଇଥିବା ମଟର ସାଇକେଲ୍, ସ୍କୁଟର୍ ଓ ସାଇକେଲ୍ ଗୁଡ଼ାକର ଅବସ୍ଥିତି ହିଁ ତା’ର ମାଲିକମାନଙ୍କର ଅବସ୍ଥା ଓ ଉଦ୍‌ବେଗକୁ ସୂଚଉଥିଲା । ସେମାନେ ଯାଇ ଜଣେ ସବ୍ଇନିସ୍ପେକ୍ଟର୍‌ଙ୍କ ଆଗରେ ଠିଆ ହେଲେ ।

ପୁଲକ କହିଲା, “ଏଠି ତ ପ୍ରବଳ ଗରମ । ଲୋକେ କାମ କରୁଛନ୍ତି କିପରି ? ସେଇଥି ପାଇଁ ପୁଲିସ୍ ମାନେ ଥକି ପଡୁଛନ୍ତି ।”

ଦ୍ୱିବେଦୀ ଯୋଡ଼ିଲା, “ମୁଁ କହୁନଥିଲି, ପଇସା ପକେଇଛି ପୁଲିସ୍ । ବସିବା ପାଇଁ ବି କହୁନାହିଁ ଆମକୁ । ଆମେମାନେ ମିଡ଼ିଆମ୍ୟାନ୍‌ଟି !”

ସବ୍ଇନିସ୍ପେକ୍ଟର୍ ଜଣକ ଥିଲେ ଯୁବକ ଓ ଭଦ୍ର । ସେ ନରୋତ୍ତମକୁ ଚାହିଁ କହିଲେ, “ଗରୁଡ଼ ଚ୍ୟାନେଲ୍ ନା !” “ଆପଣମାନେ ଟିକେ ଅପେକ୍ଷା କରନ୍ତୁ, ଇନିସ୍ପେକ୍ଟର୍‌ଙ୍କ ରୁମ୍‌କୁ ଯିବା । ସେଠି ଏସି ଲାଗିଛି । ଆପଣମାନେ କ’ଣ ଏ ଗରମରେ ବସିବେ ?”

ଦ୍ୱିବେଦୀ ଖୁସି ହେଲା ।

ମୁକେଶ ଗଛତଳେ ଗାଡ଼ି ଭିତରେ ବସିଥିଲା । ମୋବାଇଲ୍‌ରେ ଏସ୍ଏମ୍ଏସ୍ କରି ଜଣାଇଲା ପାର୍କିଂ କରିଥିବା କଳା ଟି-ସାର୍ଟ ପିନ୍ଧି ଯେଉଁ ଝିଅଟି ଏବେ ଭିତରକୁ ପଶୁଛି ସେଇ ସେ ଝିଅ । ନରୋତ୍ତମ ପଛକୁ ବୁଲି ଅନେଇଲା, ପୁଅଙ୍କ ପରି ଛୋଟ ଛୋଟ ବାଳ ରଖିଥିବା ଓ ଜିନ୍-ଟି ସାର୍ଟ ପିନ୍ଧିଥିବା ସୁସ୍ଥ ସବଳ ଝିଅଟେ ତା’ ବାପା ସାଙ୍ଗରେ ଆସୁଥିଲା । ପ୍ରଥମ ଦେଖାରୁ ନରୋତ୍ତମ ଜାଣିଲା, ଝିଅଟା ଗୋଟେ ସ୍ପୋର୍ଟସ୍‌ଓମ୍ୟାନ୍ ହୋଇଥିବ । ମୁକେଶ ପରି ଦିଇଟା ଯୁବକଙ୍କୁ ଏକାକୀ ସାବାଡ୍ କରିପାରିବ ଏ ଝିଅ ।

ଝିଅର ବାପା ଜଣେ ମୋଟା ଲୋକ, ଅଣଓଡ଼ିଆ । ବୟସ ଷାଠିଏ ହେବ । ବେପାରୀ ଚେହେରା । ଦି’ତିନିଦିନ ହେଲା ଦାଢ଼ି କଟା ହୋଇନି । ଜାମା କଲରରେ ନାଲି ଧୂଳି । ମୁହଁଟି ଶୁଖିଯାଇଛି । ସେ ସିଧା ଆସି ଏସ୍ଆଇ ସାମ୍ନାରେ ହାତ ଯୋଡ଼ିଲା ଏବଂ କହିଲା, “ଯାହା ଲୋକସାନ୍ ହୋଇଥିବ, ମୁଁ ଭରଣା କରିଦେବି । ଏଇଠି ଫଏସଲା କରିଦିଅନ୍ତୁ । ପିଲାଲୋକ, ଜାଣିପାରିଲା ନାହିଁ ।”

ଏସ୍ଆଇ ବିଗିଡ଼ିଗଲେ । କହିଲେ, “ପିଲାଲୋକ ! ଜାଣିଛ, ତୁମେ କାହା ଦେହରେ ହାତ ଦେଇଛ ? ଜାଣିନ, ମିଡ଼ିଆ ଦେହରେ ହାତ ଦେଇଛି ତମ ଝିଅ । ଏଇନେ ଆସେମ୍ୱଲି ଚାଲିଛି । ଯଦି ଏ ଘଟଣାଟି ସେଇଠି ପହଞ୍ଚିଯାଏ, ମୋ ଚଉକି ଉଡ଼ିଯିବ । ବୁଝିଲ ? କହୁଛ କ’ଣ ନା ପିଲାଲୋକ ? ତମକୁ ଆଗରୁ ବି ମୁଁ ୱାର୍ଣିଂ ଦେଇଥିଲି ଝିଅକୁ ସମ୍ଭାଳ । ମାତ୍ର ମୋ କଥା ଶୁଣିଲ ନାହିଁ । ଏବେ ତାହାର ଫଳ ଭୋଗିବ ।”

ଜଣେ ହୋମ ଗାର୍ଡ ଆସି ଖବର ଦେଲା, “ଇନିସ୍ପେକ୍ଟର୍ ଡାକୁଛନ୍ତି ।” ନରୋତ୍ତମ, ପୁଲକ ଏବଂ ଦ୍ୱିବେଦୀ ଭିତରକୁ ଗଲେ । ହନୁମାନ ମାର୍ବଲର ମାଲିକ ଏବଂ ତାଙ୍କ ଝିଅ ଏସ୍ଆଇଙ୍କ ଆଗରେ ସେମିତି ଛିଡ଼ା ହୋଇଥାନ୍ତି । ମଝିରେ ମଝିରେ ଝିଅଟି ବଡ଼ ପାଟିରେ କିଛି କହିବାକୁ ଚାହୁଁଥାଏ, ମାତ୍ର ତା’ ବାପା ତାକୁ ଭିଡ଼ି ଅଟେକେଇ ଦେଉଥାଏ । ଶେଷକୁ ଏସ୍ଆଇ ବିରକ୍ତ ହୋଇ ବୋଧହୁଏ କହିଲେ, “ତୁମ ଝିଅକୁ ଏଠୁ ନେଇଯାଅ, ନ ହେଲେ ହାଜତରେ ପୁରେଇ ଦେବି ।” ହନୁମାନ ମାର୍ବଲର ମାଲିକ ବ୍ୟସ୍ତ ହୋଇପଡ଼ିଲା । ପଛରେ ତା’ ପୁଅ ଆସି ଛିଡ଼ା ହୋଇଥିଲା । ତାକୁ କହିବାରୁ ସେ ତା’ ଭଉଣୀକୁ ଘୋଷାଡ଼ି ଘୋଷାଡ଼ି ସେଠୁ ବାହାରକୁ ନେଇଗଲା ।

ନରୋତ୍ତମ, ପୁଲକ ଓ ଦ୍ୱିବେଦୀ ଇନିସ୍ପେକ୍ଟରଙ୍କ ରୁମ୍‌କୁ ଗଲେ । ଏସି ଚାଲୁଥିବାରୁ ରୁମ୍‌ଟି ଥଣ୍ଡା ଲାଗୁଥିଲା । ଦ୍ୱିବେଦୀ କହିଲା, “ଆପଣଙ୍କ ରୁମ୍ଟା ବଢ଼ିଆ ହୋଇଛି । ଓଃ, ଜୀବନ ପଶିଲା ।”

ଥାନାର ଆଉ ସମସ୍ତେ ଗରମରେ ସଢୁଥିବାବେଳେ ଏକାକୀ ଇନିସ୍ପେକ୍ଟର ଏସି ରୁମ୍‌ରେ ବସିବା ବ୍ୟବସ୍ଥାର ଗୋଟେ ସାମନ୍ତବାଦୀ ଚିତ୍ର ଦେଉଥିଲା । ଇନିସ୍ପେକ୍ଟର ତାହାକୁ ମନ ଭରି ଉପଭୋଗ କରୁଥିଲେ ମଧ୍ୟ ଖୋଲାଖୋଲି ଭାବେ ସ୍ୱୀକାର କରିବାକୁ ଚାହୁଁ ନଥିଲେ । ସେ ହସି ଦେଇ କୋଣକୁ ଇସାରା କଲେ ଓ କହିଲେ- ଏଇ କମ୍ପ୍ୟୁଟର ପାଇଁ ଏସି ଲାଗିଛି ନା ଆମ ପାଇଁ କ’ଣ ସରକାର ଏସି ଦେବେ !

ନରୋତ୍ତମ କହିଲା, “ଆଚ୍ଛା କ’ଣ କରିବା କୁହନ୍ତୁ ।”

: କହୁଛି । ଆପଣ ଆଗେ ବସନ୍ତୁ । ଚା’ ନା ଥଣ୍ଡା ମଗେଇବି ।

: ଚା’ । – ନରୋତ୍ତମ କହିଲା ।

ଇନିସ୍ପେକ୍ଟର କହିଲେ, “ଆପଣଙ୍କ ଯୁକ୍ତି ଠିକ୍ । ମାତ୍ର କୋର୍ଟକୁ କେସ୍ ଗଲେ ମାସ ମାସ ଧରି ଗଡ଼ିବ । ଆପଣମାନେ ଇଣ୍ଟେଲେକ୍‌ଚୁଆଲ୍ ଲୋକ । ଆପଣଙ୍କ ପାଖରେ କୋଉଠି ଆଜ୍ଞା ସମୟ ଅଛି, କହୁନାହାନ୍ତି ?”

ନରୋତ୍ତମ ଅନେଇଲା । ଚନ୍ଦାମୁଣ୍ଡ, ଚାର୍ଲି ଚାପଲିନ୍ ନିଶ ଓ ଖାକି ପୋଷାକ ପିନ୍ଧା ଇନିସ୍ପେକ୍ଟରଟି ତାକୁ ଗୋଟେ ବଡ଼ ବୁଢ଼ିଆଣୀ ପରି ଦିଶୁଥିଲା । ସେଇ ବୁଢ଼ିଆଣୀ ବସାରେ ଆଜି ସେମାନେ ପଡ଼ିଥିଲେ ।

ପୁଲକ କହିଲା, “ସେ ଟୋକିଟା ନିର୍ଘାତ ପାଗଳି । ତା’ ବାପାମା’ ତାକୁ ଚେନ୍‌ରେ ବାନ୍ଧିକି ରଖିବା କଥା । ରାସ୍ତାରେ ଛାଡୁଛନ୍ତି କାହିଁକି ?”

ଇନିସ୍ପେକ୍ଟର କିଛି କହିଲେ ନାହିଁ । ତାଙ୍କର ନିରବତା ପୁଲକ କଥାକୁ ସମର୍ଥନ କରୁଥିଲା ।

ଦ୍ୱିବେଦୀ କହିଲା, “ଆମର ଚାଳିଶ ହଜାର ଟଙ୍କା ଖର୍ଚ୍ଚ ହେବ । ସେତକ ଦେଇ ଦିଅନ୍ତୁ । ଆମର କିଛି ଆପତ୍ତି ନାହିଁ ।”

ଏଥର ଇନିସ୍ପେକ୍ଟର ହସିଲେ । ସେ କହିଲେ, “ଆପଣ ଠିକ୍ କହୁଛନ୍ତି” ଏବଂ ପ୍ରସ୍ତୁତ ଥିବା ପରି ନରୋତ୍ତମକୁ ପଚାରିଲେ, “ଏବେ ତାକୁ ଡାକିବା ?”

: ସେ ଝିଅକୁ ? – ନରୋତ୍ତମ ଚମକିଲା ପରି ପଚାରିଲା ।

: ନା, ତା ବାପାକୁ । – ହସି ହସି ଇନିସ୍ପେକ୍ଟର କହିଲେ ।

ହନୁମାନ ମାର୍ବଲର ମାଲିକ ଆସିଲା । ଦୁଇ ହାତ ଅଠା ଲାଗିଲା ପରି ଯୋଡ଼ି ହୋଇ ରହିଥାଏ । ମୁହଁ ଶୁଖି ଯାଇଛି ।

ଦ୍ୱିବେଦୀ ମନ୍ତବ୍ୟ ଦେଲା, “ପକ୍କା ବେପାରୀ, ଝିଅକୁ ସମ୍ଭାଳି ପାରୁନାହିଁ । ଏଠି ଡ୍ରାମା ଦେଖଉଛି ।”

ଇନିସ୍ପେକ୍ଟର କହିଲେ, “ପଚାଶହଜାର ଟଙ୍କା ଆଣିକି ଥୁଅ । ତା’ପରେ ତମ ପୁଅ-ଝିଅ ଥାନାରୁ ଯିବେ । ନ ହେଲେ ତମ ସ୍କର୍ପିଓ ଏଇଠି ରହିଲା । ଟଙ୍କା ଆଣି ଦି’ଘଣ୍ଟା ଭିତରେ ଆସ ।”

ଲୋକଟି କୃତ୍ୟକୃତ୍ୟ ହେଲା । ସେ କୋର୍ଟ କଚେରୀ ଯିବାକୁ ଚାହୁଁ ନଥିଲା ।

ପୁଲକର ରାଗ ଶାନ୍ତ ହୋଇ ନଥିଲା । ମୁକେଶ ତା’ର ଘନିଷ୍ଠ ବନ୍ଧୁ । ଏକାଠି ଖିଆପିଆ, ବସାଉଠା । ଅନ୍ୟବନ୍ଧୁମାନେ ତାଙ୍କୁ “ଫେଭିକଲ୍ ଯୋଡ଼ି’ ବୋଲି ନାଁ ଦେଇଛନ୍ତି । ସେ ବଡ଼ ପାଟିରେ ହନୁମାନ ମାର୍ବଲର ମାଲିକକୁ କହିଲା, “ହଇଓ, ତୁମ ଝିଅ ପାଗଳି ବୋଲି ଜାଣୁଛ, ତାକୁ ଘରେ ଚେନ୍‌ରେ ବାନ୍ଧି ରଖୁନ । ବାହାରେ ଛାଡ଼ିଛ କ’ଣ ରାତି ଅଧରେ ଭଦ୍ରଲୋକଙ୍କୁ ପିଟିବା ପାଇଁ ? ଆଜି ସିନା ମିଡ଼ିଆ ହାବୁଡ଼ରେ ପଡ଼ିଲ ବୋଲି ମାନିଗଲ । କାଲି ଆଉ କାହାକୁ ବାଡ଼େଇ, “ରେପ୍ ଆଟେମ୍ପ୍ଟ୍’ କରୁଥିଲା ବୋଲି ଓଲଟା କେସ୍ ଦେଇଦେବ ।”

: ନେହିଁ ସାବ୍, ନେହିଁ ସାବ୍ । ଲୋକଟି ନିରୀହ ବଳଦ ପରି ମୁଣ୍ଡ ଏକଡ଼ ସେକଡ଼ କଲା ।

ପୁଲକ ଉତ୍ସାହିତ ହେଲା । ଇନିସ୍ପେକ୍ଟରଙ୍କ ଟେବୁଲ୍ ଉପରୁ କାଗଜ ଖଣ୍ଡେ ଭିଡ଼ି ନେଲା । ନିଜ ପକେଟ୍‌ରୁ କଲମ ବାହାର କରି ତା’ ଉପରେ ଥୋଇ କହିଲା, “ଏଇ ନିଅ କାଗଜ, କଲମ । ଏଠି ଲେଖିଦିଅ- ତୁମ ଝିଅ ପାଗଳି । ତୁମକୁ ବିଶ୍ୱାସ ନାହିଁ । ଆଜି ଥାନାରେ ଗୋଟିଏ କଥା କହୁଛ । କାଲିକି ଆଉ ଗୋଟେ କଥା କହିବ । ଲେଖ- ତମ ଝିଅ ପାଗଳି, ପାଗଳି ।”

ପୁଲକ ଉତ୍ତେଜିତ ହୋଇପଡ଼ିଥିଲା ।

ଥଣ୍ଡା କୋଠରୀଟାରେ ଉଷ୍ମତା ବଢୁଥିଲା ।

ଲୋକଟା ଆଗେଇ ଆସି ପୁଲକର ପାଟିରେ ହାତ ଦେଇ ଅଟକେଇଲା । ତା’ ପରେ ପକେଟ୍‌ରୁ ପାଞ୍ଚଶହ ଟଙ୍କିଆ ନୋଟ୍‌ର ବିଡ଼ାଟି ପୁଲକ ହାତରେ ଧରେଇ ଦେଇ କହିଲା, “ସାବ୍, ପଚାଶ ଅଛି । ଆଉ ଯାହା ଦରକାର କୁହନ୍ତୁ, ଦେବି । କିନ୍ତୁ ମୋ ଝିଅକୁ “ପାଗଳି’ କହନ୍ତୁ ନାହିଁ, ମେହର୍ବାନି କରି ମୋ ଝିଅକୁ ପାଗଳି କହନ୍ତୁ ନାହିଁ । ମୋ ଝିଅ ପାଗଳି ନୁହେଁ, ପାଗଳି ନୁହେଁ ।”

ଶେଷ ପଦକ କହିଲାବେଳକୁ ଲୋକଟି ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲା ।

ନରୋତ୍ତମ ସ୍ତବ୍‌ଧ ହେଇଗଲା । ଦ୍ୱିବେଦୀ ବି । ଏକା ପୁଲକ ତଥାପି ଉତ୍ତେଜିତ ମୁଦ୍ରାରେ ଠିଆ ହୋଇଥିଲା, ଯଦିଓ ସେ ଉତ୍ତେଜନା ଏବେ ବହୁ ପରିମାଣରେ ପ୍ରଶମିତ ହୋଇଯାଇଥିଲା ।

ନରୋତ୍ତମ ନିଜ ଚଉକିରୁ ଉଠି ସେଥିରେ ସେ ଭଦ୍ରଲୋକକୁ ବସେଇ ଦେଲା କହିଲା, “ଆପଣ ବସିଯାଆନ୍ତୁ ।”

ଝିଅର ବାପା କିନ୍ତୁ କାନ୍ଦ ବନ୍ଦ କରିପାରୁନଥାଏ । ସେମିତି କାନ୍ଦୁ କାନ୍ଦୁ କହୁଥାଏ । “ଛୋଟିଆଟେ ହୋଇଥିଲା, ତା’ ମାଆ ମରିଗଲା । ବିଜିନେସ୍‌ରେ ଲାଗି ତା’ କଥା ମୁଁ କିଛି ବୁଝିପାରିଲି ନାହିଁ । ବିଚାରିର ଦେହ ଖରାପ ରହିଲା । ତା’ପରେ ଔଷଧପତ୍ର ଦେଲି । ମାତ୍ର କିଛି କାମ ଦେଲା ନାହିଁ । ଏବେ ବି ଔଷଧ ଖାଉଛି । କେତେବେଳେ ତା’ ମୁଣ୍ଡକୁ କି ବୁଦ୍ଧି ପଶି ଆସୁଛି ସେ ଜାଣିପାରୁନାହିଁ । ଦିନେ କିନ୍ତୁ ସେ ନିଶ୍ଚେ ଭଲ ହେଇଯିବ । ନିଶ୍ଚେ ଭଲ ହେଇଯିବ । ସେ ପାଗଳି ନୁହେଁ । ମୁଁ ବଞ୍ଚିଥିବା ଯାଏ ମୋ ଝିଅ ପାଗଳି ହେବ ନାହିଁ ।”

ଇନିସ୍ପେକ୍ଟର କହିଲେ, “ନରୋତ୍ତମବାବୁ, ଆପଣ ଯାଆନ୍ତୁ । ଆଚ୍ଛା ରୁହନ୍ତୁ, ମୁକେଶବାବୁ ଗାଡ଼ିରେ ଅପେକ୍ଷା କରୁଛନ୍ତି ପରା । ଚାଲନ୍ତୁ ମୁଁ ତାଙ୍କୁ ଟିକେ ଦେଖା କରିଦିଏ ।”

ନରୋତ୍ତମ ଇସାରାରେ କହିଲା, “ଏ ଭଦ୍ରଲୋକ ?”

ଇନିସ୍ପେକ୍ଟର୍ କହିଲେ, “ତା’ କଥା ଚିନ୍ତା କରନ୍ତୁ ନାହିଁ ।”

ସମସ୍ତେ ବାହାରକୁ ଆସିଲେ । ଇନିସ୍ପେକ୍ଟର ଆସି ମୁକେଶକୁ କହିଲେ, “ଆପଣ ଶୀଘ୍ର ଭଲ ହୋଇଯାଆନ୍ତୁ ।”

ଏବେ ସେମାନେ ଥାନାରୁ ଫେରୁଥିଲେ । ଦ୍ୱିବେଦୀ କ୍ଷୟକ୍ଷତିର ହିସାବ ଚାଳିଶ ହଜାର ଦର୍ଶାଇଥିଲା । ସେମାନେ ତା’ଠାରୁ ଅଧିକ ପାଇଥିଲେ । ମାତ୍ର ତା’ ସତ୍ତ୍ୱେ ସେମାନେ ଉତ୍ସା ହ ଅନୁଭବ କରିପାରୁନଥିଲେ ।

ସବୁଠୁ ଦୋଷୀ ଦୋଷୀ ଅନୁଭବ କରୁଥିଲା ପୁଲକ । ନରୋତ୍ତମ ସେ କଥା ଜାଣିପାରି ପଚାରିଲା, “କ’ଣ ହେଲା ପୁଲକ, ଏତେ ଗମ୍ଭୀର । ଆମେ ତ କ୍ଷତିପୂରଣ ପାଇଗଲେ ।”

ଦୀର୍ଘଶ୍ୱାସ ନେଇ ପୁଲକ କହିଲା, “ବାପା ଆଗରେ ଝିଅକୁ ପାଗଳି କହିବାଟା ମୋର ଠିକ୍ ହେଲା ନାହିଁ ।”

ନରୋତ୍ତମକୁ ମନେ ହେଲା, ପୁଲକ ଯେମିତି କେବଳ ତା’ ତରଫ୍‌ରୁ ନୁହେଁ, ସମଗ୍ର ମଣିଷ ସମାଜ ତରଫ୍‌ରୁ ଏହି ବିବୃତି ଦେଉଥିଲା ।

ଲୋକପ୍ରିୟ ଲେଖା

To Top