ଗଳ୍ପ

ଝିଅ ଜନ୍ମ

Dr Bibhuti Pattanaik's odia story Jhia Janma

ମୁଁ ଅଣ୍ଡିରୀ ନୁହେଁ, ଚଣ୍ଡୀ ନିଶ୍ଚୟ ! ଦେଶରକ୍ଷା ପାଇଁ ଯୁଦ୍ଧ ବିମାନର ପାଇଲଟ୍ ହୁଏ କି ଦେଶର ଶାନ୍ତି ଶୃଙ୍ଖଳା ରକ୍ଷାପାଇଁ ପୋଲିସ୍ ଅଫିସର୍ ହୁଏ, ବାହା ନ ହେବା ପାଇଁ ପଣ କରି ନାହିଁ, ମୋ ଭଳି ରଣଚଣ୍ଡୀକୁ ଯଦି କୌଣସି ତେଜସ୍ୱୀ ପୁରୁଷ ବାହା ହେବା ପାଇଁ ରାଜି ହୁଏ, ତା’ର ସନ୍ତାନକୁ ଗର୍ଭରେ ଧାରଣ କରିବା ଲାଗି ମୁଁ ପ୍ରସ୍ତୁତ ।

ଝିଅ ଜନ୍ମ

-: ପୂର୍ବରୁ :-

କଲେଜରୁ ଫେରିଲେ ପ୍ରଥମେ ଦୀପା ଘରେ ପୋଷାକ ବଦଳାଇ ଅନ୍ୟା ପାଖକୁ ଚାଲିଆସେ । ସେଦିନ କଲେଜ୍‌ରେ ଯେଉଁସବୁ ନୂଆ ନୂଆ ଆଡ଼ଭେଞ୍ଚର୍ ଘଟିଥାଏ, ତା’ର ଧାରା ବିବରଣୀ ଶୁଣାଇ ଅନ୍ୟାକୁ ଆମୋଦିତ କରେ ।

ଏଇ କେଇଦିନ ମଧ୍ୟରେ ତା’ର ଅନ୍ୟା ସହିତ ଭାବ ହୋଇଯାଇଛି ।

କେଉଁଦିନ କାଡ଼ବରି ଚକୋଲେଟ୍, ନ ହେଲେ ମଜା ପୋଡ଼ା ନେଇ ଆସିଥାଏ ଅନ୍ୟା ପାଇଁ ।

ପ୍ରଥମେ ଏ ଭଡ଼ା ଘରେ ପାଦ ଦେଲା ବେଳେ ଘର ମାଲିକିଆଣୀଙ୍କ ସହିତ ଏକାଠି ରହିବ ବୋଲି ଅନ୍ୟାର ମନ ଖରାପ ହୋଇଯାଇଥିଲା । କିନ୍ତୁ ଦୀପା ସହିତ ଏକପ୍ରକାର ଆତ୍ମୀୟତା ହୋଇଗଲା ପରେ ଦୁଇ ପରିବାର ମଝିରେ ଠିଆ ହୋଇଥିବା ପ୍ଲାଇଉଡ୍‌ର କାନ୍ଥ ତାକୁ ଅସହ୍ୟ ଲାଗେ ।

ମିସେସ୍ ସାହୁ ତା’ ପାଖକୁ କାଠ-କାନ୍ଥ ଡେଇଁ ବେଶି ଆସିପାରନ୍ତି ନାହିଁ । କିନ୍ତୁ ଦୀପା ସମୟ ପାଇଲେ, ଅମରେଶ ନ ଥିବା ବେଳେ ପ୍ରାୟ ସବୁଦିନ ଆସେ ।

କହିବ କହିବ ବୋଲି ଯେଉଁ କଥା ମୁହଁ ଖୋଲି କହିପାରୁ ନଥିଲା, ଦିନେ ଦୀପାକୁ ସେ କଥା କହିଦେଲା ଅନ୍ୟା ।

“ତମେ ପୁଅପିଲାଙ୍କ ଭଳି ମୁଣ୍ଡବାଳ ଏତେ ଛୋଟ ଛୋଟ କରି କଟାଇଛ କାହିଁକି ? ମୁଣ୍ଡବାଳ ବଢ଼ାଇ ବେଣୀ କରିଦେଲେ ତମେ ଅଧିକ ସୁନ୍ଦର ଦେଖାଯିବ, ପ୍ୟାଣ୍ଟ, ହାଫ୍‌ସାର୍ଟ ବଦଳରେ ଶାଲୱାର୍ ପଞ୍ଜାବି ପିନ୍ଧ-ଦେଖିବ ସାଧୁ ସନ୍ନ୍ୟାସୀମାନେ ମଧ୍ୟ ତମେ ଚାଲିଗଲାବେଳେ ଅପଲକ ଆଖିରେ ଥ’ ମାରି ଅନେଇ ରହିଯିବେ ।”

“ଆଣ୍ଟି ! ମୁଁ ଲଜ୍ଜା ନିବାରଣ ପାଇଁ ପୋଷାକ ପିନ୍ଧେ । ସାଧୁ ସନ୍ନ୍ୟାସୀମାନଙ୍କ ତପଭଙ୍ଗ କରିବା ପାଇଁ ମୁଁ ମୋହିନୀ କନ୍ୟାର ବେଶପୋଷାକ ପିନ୍ଧିବାକୁ ଚାହେଁ ନାହିଁ, ଡାଡ଼ି ପୁଅ, ଝିଅ ଭିତରେ କୌଣସି ପାର୍ଥକ୍ୟ ରଖିବାକୁ ଚାହୁଁ ନ ଥିଲେ । କାର୍ଗିଲ୍ ଯୁଦ୍ଧରେ ସେ ସହିଦ ହୋଇଗଲା ପରେ ମୁଁ ମମିଙ୍କ ପାଖରେ ଶପଥ କରିଛି-ଡାଡ଼ିଙ୍କ ଅସମ୍ପୂର୍ଣ୍ଣ କାମ ସମ୍ପୂର୍ଣ୍ଣ କରିବା ଲାଗି ସାମରିକ ବାହିନୀରେ ଯୋଗ ଦେବି । ନ୍ୟାସନାଲ୍ ଡିଫେନ୍‌ସ ଏକାଡ଼େମୀରେ ଏବେ ସୁଦ୍ଧା ଝିଅମାନଙ୍କୁ ନିଆଯାଉ ନାହିଁ । ବି.ଏସ୍.ସି. ପରେ ମୁଁ ଏୟାରଫୋର୍ସର ପାଇଲଟ୍ ହେବି- ତା’ ନ ହେଲେ କିରଣ ବେଦିଙ୍କ ପରି ଆଇ.ପି.ଏସ୍”-

ତମେ କ’ଣ ବାହା ହେବ ନାହିଁ ? ଘର ସଂସାର କରିବ ନାହିଁ । ଏମିତି ଅଣ୍ଡିରୀଚଣ୍ଡୀ ଭଳି ବେଶପୋଷାକ ପିନ୍ଧିଲେ କେଉଁ ବର ତମ ହାତ ଧରି ବାହା ହେବ ?

ଅନ୍ୟାର କଥା ଶୁଣି ଦୀପାର ମୁହଁରେ ମୃଦୁ ହସର ଆଲୋଡ଼ନ ଦେଖାଗଲା ।

ମୁଁ ଅଣ୍ଡିରୀ ନୁହେଁ, ଚଣ୍ଡୀ ନିଶ୍ଚୟ ! ଦେଶରକ୍ଷା ପାଇଁ ଯୁଦ୍ଧ ବିମାନର ପାଇଲଟ୍ ହୁଏ କି ଦେଶର ଶାନ୍ତି ଶୃଙ୍ଖଳା ରକ୍ଷାପାଇଁ ପୋଲିସ୍ ଅଫିସର୍ ହୁଏ, ବାହା ନ ହେବା ପାଇଁ ପଣ କରି ନାହିଁ, ମୋ ଭଳି ରଣଚଣ୍ଡୀକୁ ଯଦି କୌଣସି ତେଜସ୍ୱୀ ପୁରୁଷ ବାହା ହେବା ପାଇଁ ରାଜି ହୁଏ, ତା’ର ସନ୍ତାନକୁ ଗର୍ଭରେ ଧାରଣ କରିବା ଲାଗି ମୁଁ ପ୍ରସ୍ତୁତ । ସେଥିପାଇଁ ମୁଣ୍ଡରେ ଓଢ଼ଣା ଦେଇ, ହାତରେ ଚୁଡ଼ି ଆଉ ପାଦରେ ପାଉଁଜି ପିନ୍ଧି ତଳକୁ ମୁହଁ ପୋତି ରୁଣୁଝୁଣୁ ଶବ୍ଦ କରି ମୁଁ ଚାଲିପାରିବି ନାହିଁ ।

ତଥାପି ଅନ୍ୟା କର୍ଣ୍ଣେଲ୍‌ଙ୍କ କନ୍ୟାର ଯୁକ୍ତି ସହିତ ଏକମତ ହୋଇପାରିଲା ନାହିଁ । ତା’ ମନରେ ଭିତରେ ସନ୍ଦେହ ଓ ଅବିଶ୍ୱାସର ଗୋଟିଏ ନୀଳ ପକ୍ଷୀ ଡେଣା ଝାଡ଼ିବାକୁ ଲାଗିଲା ।

ତମେ ଯେ ଏମିତି ପୁଅପିଲାଙ୍କ ଭଳି ବେଶ ପୋଷାକ ପିନ୍ଧି କଲେଜ୍ ଯାଉଛ, ତମର ପୁଅ ସାଙ୍ଗମାନେ ତମକୁ ଥଟ୍ଟା କରୁନାହାନ୍ତି ?

ଆଖି ମିଟିମିଟି କରି ଦୀପା ଉତ୍ତର ଦେଲା- “ମୁଁ ଯେତେବେଳେ ପ୍ରଥମେ କଲେଜ୍ ଗଲି, ସିନିୟର୍ ଛାତ୍ରମାନେ ଦଳ ବାନ୍ଧି ମତେ କମେଣ୍ଟ ମାରୁଥିଲେ । ମୁଁ ଶୁଣି ମଧ୍ୟ ନ ଶୁଣିଲା ଭଳି ବାଟ କାଟି ଚାଲି ଯାଉଥିଲି । ମୋର ଏ ସହନଶୀଳତାକୁ ଦୁର୍ବଳତା ଭାବି ଥରେ ସେ ଦଳ ଭିତରୁ ଗୋଟାଏ ଟୋକା ଦିନେ ମୋ ପାଖକୁ ଚାଲିଆସିଲା । ସେ ଟୋକାର ନାମ କୁନାଳ । ମୋ କାନ ପାଖରେ ସେ ଫୁସ୍‌ଫୁସ୍ କରି କହିଲା- “ଦୀପା ! ମତେ ଗୋଟାଏ ଚୁମା ଦେବ । ମୁଁ ସାଙ୍ଗମାନଙ୍କ ପାଖରେ ବାଜି ରଖି ଆସିଛି- ତମେ ଯଦି ମତେ ଚୁମା ନ ଦିଅ- ତାହାହେଲେ ସେମାନଙ୍କୁ ମତେ ହଜାରେ ଟଙ୍କା ଦେବାକୁ ହେବ ।”

ଦୀପା ! ପ୍ଲିଜ୍-

ମୁଁ କୁନାଳ କଥାରେ କାନ ଦେଇ କଲେଜ୍ ବାରଣ୍ଡା ପାଖକୁ ଦ୍ରୁତ ପାଦରେ ଚାଲିବାକୁ ଆରମ୍ଭ କରିଦେଲି । କୁନାଳର ବାପା ଜଣେ ଦଣ୍ଠାମାର୍କା ଆଇ.ଏ.ଏସ୍. ଅଫିସର୍ । ସମ୍ପ୍ରତି ଚିଫ୍ ସେକ୍ରେଟେରୀ । କଲେଜ୍‌ର ପ୍ରିନ୍ସପାଲ୍ ସୁଦ୍ଧା ତାକୁ ଖୁବ୍ ଖାତିର୍ କରନ୍ତି । ତା’ ସହିତ ଶତ୍ରୁତା କରିବାକୁ ମୋ ମନରେ ମଧ୍ୟ ଭୟ ଥିଲା । ମୁଁ କୌଣସି ମତେ ତା’ ପାଖରୁ ପଳାଇଯାଇ କଲେଜ୍ ବାରଣ୍ଡାରେ ଜମା ହୋଇଥିବା ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚି ଯିବାକୁ ଚାହୁଁଥିଲି ।

କୁନାଳ ମଧ୍ୟ ମୋ ପଛେ ପଛେ ଆସୁଥାଏ । ଚାପା କଣ୍ଠରେ କହୁଥାଏ- “ଦୀପା ! ପ୍ଲିଜ୍ ଗିଭ୍ ମି ଏ କିସ୍ । ତା’ ନହେଲେ ସାଙ୍ଗମାନଙ୍କ ପାଖରେ ମୋର ଇଜ୍ଜତ ଚାଲିଯିବ”-

ଏଇ ସମୟରେ ମୋ କାନରେ ଡାଡ଼ିଙ୍କ କଣ୍ଠସ୍ୱର ଶୁଭିଗଲା ।

“ବିପଦକୁ ଭୟ କରି ତୁ ଯେତେ ପଳାଇ ଯିବାକୁ ଚେଷ୍ଟା କରିବୁ ବିପଦ ସେତେ ତୋ ପଛେ ପଛେ ଡାହାଳ କୁକୁର ପରି ଛୁଟିଥିବ । ବିପଦକୁ ଭୟ ନ କରି, ବିପଜର ସାମ୍ନା କର । ତୁ ମୋ ଝିଅ, ଡରିଗଲେ ହାରିଯିବୁ ।”

ମୁଁ ବିଦ୍ୟୁତ ଗତିରେ ପଛକୁ ବୁଲିପଡ଼ି କହିଲି- “କ’ଣ କହୁଛ ବଡ଼ ପାଟିରେ କୁହ । ଏମିତି ମାଇଚିଆଙ୍କ ଭଳି ଫିସ୍ ଫିସ୍ କରି କ’ଣ କହୁଛ । ମୁଁ ଶୁଣିପାରୁ ନାଇଁ”-

ବି.ଏ. ସେକେଣ୍ଡ ଇୟର୍‌ର କୁନାଳ ନିଜର ପୌରୁଷ ପ୍ରମାଣିତ କରିବା ପାଇଁ ବଡ଼ ପାଟିରେ ଚିତ୍କାର କଲା- “ଦୀପା ମୋ ଗାଲରେ ଗୋଟାଏ ଚୁମା ଦିଅ- ପ୍ଲିଜ୍ ! ”

ପାଦରୁ ଚପଲ କାଢ଼ି ତା’ ଗାଲରେ ଏଭଳି ମାଡ଼ ଦେଲି ଯେ ତା’ ମୁହଁ ବଙ୍କା ହୋଇଗଲା ।

ତା’ ପରଠାରୁ କେହି ମତେ କମେଣ୍ଟ୍ ମାରିବାକୁ ସାହସ କରନ୍ତି ନାହିଁ । ଅନ୍ୟ ଯେଉଁ ଛାତ୍ରୀମାନେ ଦୁର୍ବୃତ୍ତମାନଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ପଡ଼ିଥିଲେ, ସେମାନେ ମୋ ପଛେ ପଛେ କଲେଜ୍‌କୁ ଯାଆନ୍ତି, ଶ୍ରେଣୀ ଗୃହରେ ପ୍ରବେଶ କରନ୍ତି ।

ଦୀପାର କଥା ଶୁଣି ଅନ୍ୟାର ନିଷ୍ପ୍ରଭ ଆଖି ଡୋଳା ଆଶା ଓ ଆନନ୍ଦରେ ଝଟକି ଉଠିଲା । ଦୀପା ତା’ ସହିଦ ପିତାଙ୍କ ଅଶରୀରି ବାଣୀ ଶୁଣିଲା ପରି, ତା’ର ଗର୍ଭକୋଷରେ ତିନିମାସ ପରେ ମୁକ୍ତିର ଦିନ ଗଣୁଥିବା କନ୍ୟାଭୃଣ ସତେ ଯେପରି ତା’ର କୁନି କୁନି ପାଦ କଚାଡ଼ିବାକୁ ଲାଗିଲା ।

ଦୀପା ଯିବା ଆଗରୁ କହିଥିଲା- “ଆଣ୍ଟି ! ଝିଅ ଜନ୍ମ ଅଭିଶାପ ନୁହେଁ । ପୁତ୍ର ଲାଭ ଆଶୀର୍ବାଦ ନୁହେଁ । ବାପ ମାଆମାନେ ଝିଅକୁ ଜନ୍ମ ଦେବା ପରେ ମୋ ଡାଡ଼ି ମମିଙ୍କ ପରି ଆତ୍ମନିର୍ଭରଶୀଳ ହେବା ପାଇଁ ଶିକ୍ଷା ଦେଲେ, ସେମାନେ ଝିଅ ହୋଇ ସୁଦ୍ଧା ପୁଅର କର୍ତ୍ତବ୍ୟ ପାଳନ କରିପାରିବେ ।”

ଅଫିସ୍‌ରୁ ଫେରିଲା ପରେ ଅମରେଶ ଆଗରେ ଦୀପାର କୀର୍ତ୍ତି କାହାଣୀ ବର୍ଣ୍ଣନା କରିସାରି ଅନ୍ୟା ଗେହ୍ଲେଇ ହୋଇ କହିଲା- “ଝିଅର ମାଆ ହେବି ବୋଲି ମୋର ଆଉ କୌଣସି ଅବଶୋଷ ନାହିଁ । ଚିଫ୍ ସେକ୍ରେଟେରୀର ପୁଅ ଅପେକ୍ଷା ମୋର ଦୀପା ଭଳି ଝିଅଟିଏ ଲୋଡ଼ା ।”

ତା’ପରେ

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top