ଗଳ୍ପ

ଝିଅ ଜନ୍ମ

Dr Bibhuti Pattanaik's odia story Jhia Janma

ତା’ର ଅଣ-ଛାତ୍ର ସ୍ତାବକ, ସମର୍ଥକମାନେ ତାକୁ ଟିହାଇବାକୁ ଲାଗିଲେ- କଲେଜ୍ ନିର୍ବାଚନରେ ତା’ର ନିଶ୍ଚିତ ବିଜୟ ପଥରେ ପ୍ରଧାନ ପ୍ରତିବନ୍ଧକ ଦୀପା ସାହୁ ।

ଝିଅ ଜନ୍ମ

-: ପୂର୍ବରୁ :-

କଲେଜ ନିର୍ବାଚନକୁ ନେଇ କଲେଜ୍ରେ ଦୁଇ ଗୋଷ୍ଠୀ ଛାତ୍ରମାନଙ୍କ ମଧ୍ୟରେ ସଂଘର୍ଷ ଲାଗି ରହିଥିଲା ।

ଚିଫ୍ ସେକ୍ରେଟେରୀଙ୍କ ପୁଅ କୁନାଳ ସାମନ୍ତରାୟ ଛିଡ଼ା ହୋଇଥିଲା କଲେଜ ୟୁନିଅନ୍ ନିର୍ବାଚନରେ ସଭାପତି ପଦ ପାଇଁ ।

ଭଲ ଛାତ୍ର ଭାବରେ ତା’ର ସୁନାମ ଥିଲା, ଚୁମା ବଦଳରେ ଦୀପାର ଚପଲ ମାଡ଼ ହିଁ ଥିଲା ତା’ର ସବୁଠାରୁ ବଡ଼ ବଦନାମ । ତା’ର ପ୍ରତିଦ୍ୱନ୍ଦୀ ପ୍ରାର୍ଥୀ ସେଇ ଚପଲ ମାଡ଼କୁ ତା’ ବିରୋଧରେ ମୁଖ୍ୟ ପ୍ରସଙ୍ଗ କରିଥିଲେ ।

ଦିନେ କୁନାଳ ଲେଡ଼ିଜ୍ କମନରୁମ୍‌ରେ ତାକୁ ଦେଖା କରି କହିଲା- “କଲେଜ୍‌ର କେତେକ ଜରୁରୀ ଦାବି ପୂରଣ ପାଇଁ ମୁଁ ଗୋଟିଏ ଛାତ୍ର ପ୍ରତିନିଧି ଦଳ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଚାହୁଁଛି । ତମେ ମଧ୍ୟ ସେଇ ପ୍ରତିନିଧି ଦଳରେ ମୋ ସହିତ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେବା ପାଇଁ ଚାଲ ।”

କୁନାଳର କଣ୍ଠସ୍ୱରରେ ଏଭଳି ଏକ ବିନୀତ, ବଶମ୍ୱଦ ଭାବ ଫୁଟି ଉଠୁଥିଲା ଯେ ଦୀପା ପ୍ରଥମେ ତା’ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ପାଇଁ ଯୁକ୍ତି ଖୋଜି ପାଇନଥିଲା । କିନ୍ତୁ ପର ମୁହୂର୍ତ୍ତରେ ତା’ର ଖିଆଲ ହେଲା, ତା’ ନେତୃତ୍ୱରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେବା ଯାଉଥିବା ପ୍ରତିନିଧି ଦଳରେ ତାକୁ ସାମିଲ କରି ସଭାପତି ପଦ ନିର୍ବାଚନରେ କୁନାଳ ପ୍ରତି ତା’ର ସମର୍ଥନ ଅଛି ବୋଲି ସେ ଅନ୍ୟମାନଙ୍କୁ ବୁଝାଇବାକୁ ଚାହୁଁଛି ।

ତା’ ଫାନ୍ଦରେ ପାଦ ନ ଦେବା ପାଇଁ ସେ କହିଲା-

– “ଆମର ଯାହା ଦାବି ଅଛି, ତାହା ଆମେ ଆମ କଲେଜ ଅଧ୍ୟକ୍ଷଙ୍କୁ ଦେବା କଥା । ଅଧ୍ୟକ୍ଷଙ୍କୁ ଉପେକ୍ଷା କରି ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯିବା ହେଉଛି ପଲିଟିକ୍ସ୍ । ମୁଁ ପାଠ ପଢ଼ିବାକୁ ଆସିଛି । ପଲିଟିକ୍ସ୍ କରିବାକୁ ନୁହେଁ ।”

ତା’ର ରୋକ୍‌ଠୋକ୍ କଥା ଶୁଣି ତା’ ସହିତ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ପ୍ରତିନିଧି ଦଳରେ କଲେଜ୍‌ର ଅନ୍ୟ କୌଣସି ଛାତ୍ରୀ ମଧ୍ୟ ଯିବାଲାଗି ରାଜି ହେଲେ ନାହିଁ ।

ଚପଲ ମାଡ଼ଠାରୁ ଦୀପାର ପ୍ରତିନିଧି ଦଳରେ ଯିବା ପ୍ରସ୍ତାବର ପ୍ରତ୍ୟାଖ୍ୟାନ କୁନାଲ ସାମନ୍ତରାୟକୁ ଅଧିକ ଆହତ, କ୍ଷତାକ୍ତ କରି ଦେଲା । ସେ ଚିଫ୍ ସେକ୍ରେଟାରୀଙ୍କ ପୁଅ, କଲେଜ୍ ୟୁନିଅନ୍ ନିର୍ବାଚନରେ ସଭାପତି ପଦ ପ୍ରାର୍ଥୀ ଭାବରେ ତା’ ପ୍ରତି ମୁଖ୍ୟମନ୍ତ୍ରୀଙ୍କର ଆଶୀର୍ବାଦ ରହିଛି- ଏକଥା ଜାଣି ମଧ୍ୟ ଜଣେ ମୃତ କର୍ନେଲ୍‌ଙ୍କ କନ୍ୟା ତାକୁ କମନରୁମ୍‌ର ସବୁ ଛାତ୍ରୀମାନଙ୍କ ଆଗରେ ଏପରି ଅପମାନିତ କରି ଶୂନ୍ୟ ହାତରେ ଫେରାଇ ଦେବ- ଏହା ତା’ ପକ୍ଷରେ ଅସହ୍ୟ ଥିଲା ।

ତା’ର ଅଣ-ଛାତ୍ର ସ୍ତାବକ, ସମର୍ଥକମାନେ ତାକୁ ଟିହାଇବାକୁ ଲାଗିଲେ- କଲେଜ୍ ନିର୍ବାଚନରେ ତା’ର ନିଶ୍ଚିତ ବିଜୟ ପଥରେ ପ୍ରଧାନ ପ୍ରତିବନ୍ଧକ ଦୀପା ସାହୁ ।

ତାକୁ ହଟାଇ ଦେବାକୁ ପଡ଼ିବ । ଯେମିତି ହେଉ, ଯେଉଁପରି ଭାବରେ ହେଉ ।

ସବୁଦିନ ଭଳି ସେଦିନ ମଧ୍ୟ ଝିଅ କଲେଜ୍‌ରୁ ଫେରିବା ପାଇଁ ଅପେକ୍ଷା କରିଥିଲେ ମିସେସ୍ ସାହୁ ।

ଯେଉଁଦିନ ପ୍ରାକ୍ଟିକାଲ୍ ନ ଥାଏ, ସେଦିନ ସନ୍ଧ୍ୟା ହେବା ଆଗରୁ ଫେରିଆସେ ଦୀପା । ପ୍ରାକ୍ଟିକାଲ୍ ଥିଲେ ସନ୍ଧ୍ୟା ହୋଇଯାଏ ।

ସେଦିନ ସନ୍ଧ୍ୟା ବିତି ରାତି ହୋଇଗଲା ।

ଦୀପା ଫେରିଲା ନାହିଁ ।

ମିସେସ୍ ସାହୁ ପ୍ରିନ୍ସିପାଲ୍‌ଙ୍କୁ ଫୋନ୍ କଲେ ।

ଦୁଇଟା ପନ୍ଦରରେ ହିଁ ଦୀପାର ଟ୍ୟୁଟରିଆଲ୍ କ୍ଲାସ୍ ଥିଲା । ତା’ପରେ ସେ ଘରକୁ ଫେରିଯିବା କଥା । ଏ ପର୍ଯ୍ୟନ୍ତ ସେ ଘରେ ପହଞ୍ଚି ନାହିଁ । ଗଲା କୁଆଡ଼େ ?

ପ୍ରିନ୍ସପାଲ୍ ମଧ୍ୟ ଚିନ୍ତାରେ ପଡ଼ିଗଲେ । ଥାନାକୁ ଫୋନ୍ କଲେ । ଦୀପାର ପ୍ରିୟ ସହପାଠିନୀ ରୀତା, ଯାହା ସହିତ ସେ ଏକାଠି ଘରକୁ ଫେରେ- ତାକୁ ଫୋନ୍ କଲେ ମିସେସ୍ ସାହୁ ।

କଲେଜ୍‌ରେ ଇଲେକ୍ସନ୍ ପାଇଁ ଗଣ୍ଡଗୋଳ ଲାଗିଛି । କ୍ଲାସ୍ ସବୁ ସସ୍ପେଣ୍ଡ ହୋଇଯାଇଛି । ସେଥିପାଇଁ ମୁଁ ଆଜି କଲେଜ୍ ଯାଇନି । ଦୀପା ଗଲା କୁଆଡ଼େ ? ଟେଲିଫୋନ୍‌ରେ ରୀତାର କଣ୍ଠସ୍ୱର ମଧ୍ୟ ପବନରେ ମହମବତୀର ଶିଖା ଭଳି ଥରି ଉଠୁଥିଲା ।

ରାତ୍ରି ଏଗାରଟା ବେଳେ ପୋଲିସ୍ ଜିପ୍‌ରେ ଫେରି ଆସିଲା ଦୀପା ନୁହେଁ, ଦୀପାର ଧର୍ଷିତ, ରକ୍ତାକ୍ତ ମୃତ ଦେହ !

କଲେଜ୍ ଗେଟ୍ ପାଖରୁ ବନ୍ଧୁକ ଉଞ୍ଚାଇ ଦୁର୍ବୃତ୍ତମାନେ ତାକୁ ଏନୋଭା ଗାଡ଼ିରେ ଉଠାଇ ନେଇଥିଲେ । ଟ୍ରାଫିକ୍ ପୋଲିସ୍‌ଠାରୁ ସୂତ୍ର ପାଇ ପୋଲିସ୍ ଇନ୍ସପେକ୍ଟର ତା’ର ମୃତ ଦେହ ଚନ୍ଦକା ଜଙ୍ଗଲ ପାଖ ରାସ୍ତାକଡ଼ରୁ ଉଦ୍ଧାର କରିଛନ୍ତି ।

ଧର୍ଷଣକାରୀମାନଙ୍କ ସହ ଶେଷ ପର୍ଯ୍ୟନ୍ତ ଲଢ଼ିଥିଲା ଦୀପା । ତା’ ହାତ ମୁଠାରେ ଜଣେ ଦୁର୍ବୃତ୍ତର ମୁଣ୍ଡର କେଶଗୁଚ୍ଛ ତା’ର ସାକ୍ଷ୍ୟ ବହନ କରୁଥିଲା ।

ପୋଲିସ୍ ଜିପ୍ରୁ ଉଠାଇ ଦୀପାର ମୃତ ଦେହକୁ ଘରକୁ ନିଆଗଲା । ତା’ର ରକ୍ତାକ୍ତ, ବୀଭତ୍ସ ଦେହ ଉପରେ ଆଖି ପଡ଼ିଯିବା ମାତ୍ରେ ଅନ୍ୟାର ପେଟ ଭିତରେ ଛୁରୀ ଭୁସି ହୋଇଗଲା ଭଳି ଭୀଷଣ ଯନ୍ତ୍ରଣା ହେଲା । ଭୟରେ ଆଖି ବୁଜି ହୋଇଗଲା । ବିକଟାଳ ଆର୍ତ୍ତ ଚିତ୍କାର କରି ସେ କଟା ଗଛ ଭଳି ତଳେ ଲୋଟି ପଡ଼ିଲା ।

ବାରଘଣ୍ଟା ପରେ ଅନ୍ୟାର ସଂଜ୍ଞା ଫେରିଲା ।

ଗତରାତିରୁ ଅଖିଆ ଅପିଆ ଡାକ୍ତରଖାନାରେ ତା’ର ଶଯ୍ୟା ପାଖରେ ଜଗି ରହିଥିଲା ଅମରେଶ ।

ତାକୁ ବିପଦମୁକ୍ତ ବୋଲି ଘୋଷଣା କରି ଡାକ୍ତର ମିସେସ୍ ଷଡ଼ଙ୍ଗୀ ଚାଲିଗଲା ପରେ ଅନ୍ୟାର ମୁଣ୍ଡ ପାଖରେ ଯାଇ ଠିଆ ହେଲା ଅମରେଶ ।

ସେ ଆଖି ଖୋଲିଲା ପରେ ତା’ର ବ୍ୟାଣ୍ଡେଜ୍ ବନ୍ଧା ମୁଣ୍ଡକୁ ଆଉଁସି ଦେଉ ଦେଉ ଲୁହ ଛଳ ଛଳ ଆଖିରେ ଅମରେଶ କହିଲା- ଡାକ୍ତର ବହୁ ଚେଷ୍ଟା କରି ତମକୁ ବଞ୍ଚାଇ ଦେଲେ- କିନ୍ତୁ ଛୁଆଟା ନଷ୍ଟ ହୋଇଗଲା ।

ସ୍ୱାମୀଙ୍କ ହାତକୁ ନିଜ ଦୁର୍ବଳ ହାତ ପାପୁଲିରେ ଚାପିଧରି ଅନ୍ୟା କ୍ଷୀଣ କଣ୍ଠରେ କହିଲା- “ମନ ଦୁଃଖ କର ନାହିଁ । ପେଟରେ ଥାଇ ମରିଯାଇ ସେ ବଞ୍ଚିଯାଇଛି । ବଞ୍ଚି ରହିଥିଲେ ଦୀପା ଭଳି ତାକୁ ବୀଭତ୍ସ ଭାବରେ ମରିବାକୁ ହୋଇଥାଆନ୍ତା ।”

ଦୀପା କଥା ମନେ ପଡ଼ିଯିବା ମାତ୍ରେ ଅନ୍ୟାର ଆଖିରେ ଅଶ୍ରୁ, କଣ୍ଠ ବାଷ୍ପରୁଦ୍ଧ ଆଉ ଛାତି ଭିତରେ କଣ୍ଟା ଫୋଡ଼ି ହୋଇଗଲା ପରି ଅସହ୍ୟ ଯନ୍ତ୍ରଣା !

ଲୋକପ୍ରିୟ ଲେଖା

To Top