ଗଳ୍ପ

କାଗଜ ଡଙ୍ଗା

Rajiba Lochana Panda's Odia Story KAAGAJA DANGAA

ମୋ ବାପା କିନ୍ତୁ କାହା ପାଖରେ ହାତ ପତେଇବାକୁ ଭଲ ପାଆନ୍ତିନି, ନଥିଲେ ଭୋକ ଉପାସରେ ରହିଯିବେ ସିନା ଘର କଥା ପଦାରେ ପକେଇବେନି ।

କାଗଜ ଡଙ୍ଗା

ସହରଟା ସାରା ଆଜି ଖୁବ୍ ଭିଡ ଥିଲା, ଭିଡ ନ ହେବ କେମିତି । ମାଘ ମାସ ବୁଡ ପାଖରେ ଗଙ୍ଗା ନଦୀ ଜନ୍ମ ଜନ୍ମର ପାପ ଧୋଇ ସତେ ଯେମିତି ଆଜି ସ୍ୱାର୍ଥପର ମଣିଷଟା ନିଃସ୍ୱାର୍ଥପର ହୋଇଯିବ । ହେଲେ ମୋର କିନ୍ତୁ ସେ ସବୁରେ ଆଗ୍ରହ ନଥିଲା, ମୁଁ ଚାହୁଁଥିଲି କେମିତି ଶୀଘ୍ର ମୋ ଗାଁକୁ ଯିବି ମୋ ବାପା ମାଁଙ୍କୁ ଭେଟିବି , ‘ଅପା’ର ହାଲ୍ ଚାଲ୍ ପଚାରିବି । ଇଛା ହବନି କେମିତି ଯେ ! ତିରିଷ ବର୍ଷ ପରେ ମୁଁ ମୋ ଗାଁକୁ ଯାଉଛି ,ତେଣୁ ବ୍ୟସ୍ତ ହୋଇ କାନ୍ଧରେ ବ୍ୟାଗଟା ଓହଳେଇ ଗଙ୍ଗା ନଦୀ କୂଳ ଆଡେ ମାଡି ଚାଲିଲି, ଗଙ୍ଗା ନଦୀର ଏ କୂଳରୁ ସେ କୂଳକୁ ଯିବା ପାଇଁ ଡଙ୍ଗାର ସହାୟତା ନବାକୁ ପଡେ ,ସେ କୂଳକୁ ଗଲେ ରେଲୱେ ଷ୍ଟେସନ୍ ସେଇଠୁ ଆମ ଗାଁ ପାଖାପାଖି ତେରଶହ କିଲୋମିଟର । ମାଘ ମାସ ବୁଡ ଯୋଗୁଁ ଡଙ୍ଗାଟା ପ୍ରବଳ ଭିଡ ଥିଲା ତଥାପି ଭିଡକୁ ଖାତିରି ନ କରି ଡଙ୍ଗାରେ ବସିପଡିଲି କାହିଁକି ନା ଆଉ କିଛି ବିକଳ୍ପ ନ ଥିଲା । ଡଙ୍ଗାରେ ଏ କୂଳରୁ ସେ କୂଳକୁ ଯିବା ପାଇଁ ପାଖାପାଖି ଅଧ ଘଣ୍ଟା ଲାଗିଯାଏ । ଡଙ୍ଗାରେ ବସି ମୁଁ ଭାବୁକ ହୋଇ ଯାଇଥିଲି । ଏ ଡଙ୍ଗା ନାଁ ଟା କୁଆଡେ ମୋ ପାଇଁ ଅଶୁଭ ଥିଲା, ଡଙ୍ଗାରେ ବସି ମୋ ପିଲା ଦିନ କଥାଟା ମନେ ପକଉଥିଲି ।

ପିଲାଦିନ କହିଲେ ମୋତେ ସେତେବେଳକୁ ସାତ ବର୍ଷ ହୋଇଥାଏ, ମୋ ଅପାକୁ ବାର ବର୍ଷ ହୋଇଥାଏ ମୋ ପରିବାର କହିଲେ ମୋ ବାପା ମାଁ ଆଉ ମୋ ଅପା । ବାପା ଆମ ଗାଁରେ ଛୋଟ ତେଜରାତି ଦୋକାନଟିଏ କରି ଆମ ପରିବାର ଚଳାନ୍ତି । ଅଳ୍ପ ବହୁତ ଦେଖିବାକୁ ଗଲେ ପ୍ରତ୍ୟେକ ମାସରେ ଆମ ଘର କିଛି ନା କିଛି ଅଭାବ ଅସୁବିଧାର ସମ୍ମୁଖୀନ ହେଉଥିବ କୋଉ ମାସରେ ଘରର ପୁରୁଣା ଟିଣ ସଜାଡିବାକୁ ପଇସା ଦରକାର ତ କୋଉ ମାସରେ ବୋଉର ଦେହ ପାଇଁ ଔଷଧ ପୁଣି କେବେ ମୋର ଅପାର ଟ୍ୟୁସନ୍ ଫିସ୍ । ମୋ ବାପା କିନ୍ତୁ କାହା ପାଖରେ ହାତ ପତେଇବାକୁ ଭଲ ପାଆନ୍ତିନି, ନଥିଲେ ଭୋକ ଉପାସରେ ରହିଯିବେ ସିନା ଘର କଥା ପଦାରେ ପକେଇବେନି । ବାପାଙ୍କ ତେଜରାତି ଦୋକାନଟା ଆମ ଗାଁ ମୁହଁରେ ହେଲେ ଆମ ଘରଟା କିନ୍ତୁ ଗାଁ ଶେଷରେ । ଆମ ଘରଠୁ କିଛି ଦୁର ଗଲେ ଗୋଟେ ଛୋଟ ଜଙ୍ଗଲ, ତା ଭିତରେ ଦେଇ କାହିଁ କୋଉ ଦିନରୁ ଛୋଟ ନଈଟିଏ ବହି ଯାଇଛି । ନଈ କୂଳେକୂଳେ ଆମ ଗାଁ ସାହୁକାରମାନଙ୍କ ଦୟାରେ ଗୋଟେ ଛୋଟ ଠାକୁରାଣୀ ମନ୍ଦିର ଗଢି ଉଠିଛି ଯେଉଁଠି ଆମ ଗାଁର ଭଲ ମନ୍ଦ ପୂଜାପର୍ବ କଥାର ନିଷ୍ପତି ନିଆହୁଏ । ଦଶହରା ଆସିଲେ ମାଁ ର ମନ୍ଦିର ବେଢାଟା ଖୁବ୍ ଗହଳି ଚହଳି ହୁଏ ,ପାଖଆଖ ଗାଁର ଲୋକମାନଙ୍କର ଭିଡ ଜମିଯାଏ । ସତେ ଯେମିତି ଜନସମୁଦ୍ରର କୁତ୍ରିମ ଭ୍ରମ ସୃଷ୍ଟି କରେ । ମୁଁ ଚାହିଁବସିଥାଏ ଦଶହରା କେବେ ଆସିବ, ମୋ ଅପାର ଆଉ ମୋର ନୂଆଁ ଡ୍ରେସ୍ ଆସିବ ଆଉ ତାର ମୋର ମିଶି ଯାତ୍ରା ଦେଖିବାକୁ ମନ୍ଦିରକୁ ବୁଲି ଯିବୁ । ହେଲେ ମୋର ଆଶା ଅଧାହିଁ ପୁରଣ ହୁଏ । ଘରର ଆର୍ଥିକ ଅଭାବ ଅନଟନ ଯୋଗୁଁ ବାପା ଚାହିଁକି ବି ଅପା ପାଇଁ ନୂଆଁ ଡ୍ରେସ୍ କରିପାରନ୍ତିନି, ମୁଁ କିନ୍ତୁ ଅବୁଝା ମୋ ପାଇଁ ବାପା ଯେମିତି ହେଲେ ହଳେ ଡ୍ରେସ୍ ପାଖ ସହରରୁ କିଣି ଆଣନ୍ତି ମୋ ଅପା କିନ୍ତୁ ଅଳି କରେନି କି ଯିଦ୍ କରେନି, ତା ସାଇତା ହୋଇଥିବା ପୁରୁଣା ଡ୍ରେସ୍ ପିନ୍ଧି ମୋତେ ଯାତରା ବୁଲେଇବାକୁ ନିଏ । ଯାତରା ଭିତରେ କେତେ ଦୋଳି କେତେ ପସରା, ମୋର ଦୋଳିରେ ବସିବାକୁ ଭାରି ଇଛା ହେଲେ ଅପା ମୋତେ ମନା କରେ କହେ ଆର ଥରକୁ ଯାତ୍ରା ହେଲେ ଦୋଳିରେ ବସେଇବି ଏଥରକ ରହିଯା । ତା’ର ଏଇ ପ୍ରକାର ନାଁ ପଦ ଶୁଣି ମୋତେ ଭିଷଣ ରାଗ ମାଡେ ହେଲେ ତାର ଅସୁବିଧାଟା କଣ ମୁଁ ବୁଝିପାରେନି । ଯାତରା ଭିତରେ ବୁଲୁବୁଲୁ ମୋର ଆଖି ପଡିଲା ଗୋଟେ ଖେଳନା ଦୋକାନ ଉପରେ । ଦୋକାନ ଭିତରଟା ବାଘ, ଭାଲୁ, ଠେକୁଆ ଏମିତି କେତେ ଖେଳନାରେ ଭର୍ତ୍ତି ହୋଇଥିଲା । ଅପାକୁ ଯିଦ୍ କଲି ଗୋଟେ ଛୋଟ ଖେଳନାଟେ କିଣେଇ ଦବା ପାଇଁ, ଅପା ମୋ କଥା ଶୁଣି ନ ଶୁଣିଲା ଭଳି ଆଗକୁ ଆଗକୁ ଯାଉଥିଲା । ଅପାର ହାତ ଧରି ନେହୁରା ହୋଇ କହିଲି ଅପା… ଗୋଟେ ଖେଳନାଟେ କିଣେଇ ଦେ ନାଁ ! ମୋ ଅପା ପାଖରେ ଖେଳନା କିଣେଇବାର ସାମର୍ଥ୍ୟ ନ ଥିଲା ତଥାପି ମୋ ମନ ବୁଝେଇବା ପାଇଁ ଅପା ଦୋକାନି ସାଥିରେ ମୁଲଚାଲ ଆରମ୍ଭ କରିଦେଲା । ଏ ଖେଳନାର ଦାମ୍ କେତେ ସେ ଖେଳନାର ଦାମ୍ କେତେ ! ଦୋକାନି ବିରକ୍ତ ହୋଇ ଆମକୁ ସେଇଠୁ ଘଉଡେଇ ଦେଲା ।

ଯାନିଯାତ୍ରା, ପର୍ବପର୍ବାଣି ଛୋଟଛୋଟ ପିଲାମାନଙ୍କ ପାଇଁ ହସଖୁସି ଆଣିଥାଏ ହେଲେ ସେ ଦିନ କିନ୍ତୁ ଯାତ୍ରାରୁ ମୁଁ ଦୁଃଖ ମନରେ ଫେରୁଥିଲି ଗାଁକୁ । ମୋ ସୁଖିଲା ମୁହଁଟାକୁ ଦେଖି ଅପା ମୋତେ ବୁଝଉଥିଲା ଆରେ ଖେଳନା ନ ହେଲେ କଣ ହେଲା ଚାଲ୍ ମୁଁ ତୋ ପାଇଁ ଗୋଟେ ଖେଳନା ବନେଇଦେବି । ମୁଁ ଅଳ୍ପହସି ଅପାକୁ ପଚାରୁଥିଲି କି ଖେଳନା ବନେଇଦବୁ ! ଅପା ଉପରକୁ ଚାହିଁ କହୁଥିଲା ଦେଖ୍ କେମିତି କଳା ହାଣ୍ଡିଆ ମେଘ ଆସିଲାଣି, ଆଜି ନିଶ୍ଚୟ ବର୍ଷା ହବ ଆଉ ମୁଁ ତୋ ପାଇଁ ଗୋଟେ କାଗଜ ଡଙ୍ଗା ତିଆରି କରିଦେବି ଆଉ ତୁ ବର୍ଷା ପାଣିରେ ସେ କାଗଜ ଡଙ୍ଗାଟାକୁ ଭସେଇଦବୁ । ସତସତିକା ଘର ପାଖାପାଖି ପହଞ୍ଚିଲା ବେଳକୁ କଳାହାଣ୍ଡୀଆ ମେଘଟା ବରଷିବା ଆରମ୍ଭ କରିଦେଇଥିଲା । ହେଲେ ଆଜିର ବର୍ଷାଟା କିନ୍ତୁ ଟିକେ ନିଆରା ଥିଲା, ଜୋରଦାର୍ ପବନ ସାଙ୍ଗକୁ ଘଡଘଡିର ପ୍ରଚଣ୍ଡ ଶବ୍ଦ । ଏତେ ଯୋରରେ ପବନ ବହିଲା ଯେ ଆମ ଘରର ଗୋଟେ ଟିଣ ଉଡିଗଲା । ମୋ ବାପା ମୁଣ୍ଡରେ ହାତ ଦେଇ ବସିଥିଲେ ବୋଧେ ଭାବୁଥିଲେ ଅସଜଡା ଘରଟା କେମିତି ସଜାଡିବେ । ମୁଁ କିନ୍ତୁ ମୋ ପିଲାଳିଆମି ବୁଦ୍ଦି ଯୋଗୁଁ ବୁଝିପାରୁ ନଥିଲି ପରିସ୍ଥିତିଟା କ’ଣ ଆଉ ମୋ ଅପାକୁ କହୁଥିଲି ମୋ ପାଇଁ କାଗଜ ଡଙ୍ଗା ବନେଇବା ପାଇଁ ମୋ ଅପା ମୋ କଥା ଭାଙ୍ଗିପାରିଲାନି ଚୁପଚାପ୍ ସେପଟ ଘରକୁ ଯାଇ ଟ୍ୟୁସନ୍ ଖାତାରୁ ପେପର୍ ଚିରି ମୋ ପାଇଁ ଗୋଟେ କାଗଜ ଡଙ୍ଗା ବନେଇଦେଲା । କାଗଜ ଡଙ୍ଗାଟାକୁ ଧରି ମୁଁ ଖୁବ୍ ଯୋରରେ ପାଟିକରୁଥିଲି ଆଉ ଟିକେ ଯୋରରେ ବର୍ଷା ହୋଇଥାନ୍ତା କି ମୋ ଡଙ୍ଗାଟା ଭାସିଭାସି ଯାଇଥାନ୍ତା ।

ମୋ ପାଟି ଶୁଣି ମୋ ବାପା ରାଗରେ ଲାଲ୍ ହୋଇ ଯାଇଥିଲେ ସତେ ଯେମିତି ମୋ ପାଖକୁ ଆସି ଠୋ କିନା ଶକ୍ତ ଚାପୁଡା ଦେଇଥିଲେ ମୋ ଗାଲରେ । ବାପାଙ୍କ ଏମିତି ରାଗ ଆଗରୁ କେବେ ଦେଖି ନ ଥିଲି ମୋ କାଗଜ ଡଙ୍ଗାଟାକୁ କାଳେ ବାପା ଚିରିଦେବେ ଭାବି ଅପା ପାଖକୁ ଦୌଡି ପଳେଇଲି, ଅପାବି ମୋତେ ଚାହିଁ ନ ଚାହିଁଲା ଭଳିଆ ଅଭିନୟ କରୁଥିଲା ସତେ ଯେମିତି ଲାଗୁଥିଲା ମୋ କାଗଜ ଡଙ୍ଗାଟା ତା ପାଖରେ ବି ସୁରକ୍ଷିତ ନୁହଁ କାହାକୁ କିଛି ନକହି ବାଡି ପଟକୁ ଦୌଡିଲି । ବାଡିରେ ଥିବା ବିରାଟ ବଡ ଆମ୍ବ ଗଛର କୋରଡ ଭିତରେ ଲୁଚେଇ ଦେଲି ।

ସଂଧ୍ୟା ନଇଁ ରାତି ହେବାକୁ ଆସୁଥିଲା ବର୍ଷା କମିବାର ନାଁ ଧରୁ ନଥିଲା, ଘର ସାରା ପାଣି ବାପା ଘରକୁ କେମିତି ସଜାଡିବେ ଭାବିବାରେ ବ୍ୟସ୍ତଥିଲେ । ଅପା ମୁହଁ ତଳକୁ କରି କଣ ଗୁଡାଏ ଭାବୁଥିଲା କେଜାଣି ଯେତେ ଡାକିଲେ ବି ଶୁଣୁ ନ ଥିଲା । ମୋ ନିଜ ଉପରେ ନିଜର ରାଗ ବଢିବାରେ ଲାଗିଥିଲା । ମୁଁ ଭାବୁଥିଲି ଏ ପରିସ୍ଥିତି ପାଇଁ ସତେ ଯେମିତି ମୁଁ ଦାୟୀ । କାହାକୁ କିଛି ନ କହି ଚୁପଚାପ୍ ଘରୁ ବାହାରିପଡିଲି । ବାପାଙ୍କ ଚାପୁଡାଟା ଏତେ ଜୋରରେ ଥିଲା ଯେ ଭୁଲିବାକୁ ଚେଷ୍ଟା କରିବି ଭୁଲିପାରୁ ନ ଥିଲି, ସାହାସ କରି ଗାଁ ରାସ୍ତା ଦେଇ ଯାଉଥିବା ରାତି ବସରେ ଚଢିଗଲି ପାଖ ସହରରେ ପହଞ୍ଚିଲା ବେଳକୁ ପାଖାପାଖି ରାତି ବାରଟା । କୁଆଡେ ଯିବି କଣ କରିବି କିଛି ବୁଝି ପାରୁ ନଥିଲି, କାହାକୁ ପଚାରିବାକୁ ସାହାସ ବି କରି ପାରୁନଥିଲି । ଦୂରରୁ ଦେଖାଯାଉଥିବା ରେଲୱେ ଷ୍ଟେସନ ଆଡେ ଆପେଆପେ ମାଡିଚାଲିଲି । ଆଗରୁ କେବେ ଟ୍ରେନ ଦେଖି ନଥିଲି, ଟ୍ରେନରେ ଚଢିଲା ବେଳକୁ ବହୁତ ଡର ମାଡୁଥିଲା, ବର୍ଷାରେ ମୋ ପ୍ୟାଣ୍ଟ ସାର୍ଟ ପୁରାପୁରି ଭିଜି ଯାଇଥିଲା, ମୋ ଦେହରେ ପ୍ରବଳ ଜ୍ୱର ମୁଁ ଚେତା ଶୂନ୍ୟ ହୋଇ ଟ୍ରେନ୍ ଭିତରେ ପଡିଗଲି । ଚେତା ଫେରି ପାଇଲା ବେଳକୁ ମୁଁ ଆହ୍ଲାବାଦର ଚାଇଲଡ୍ କେୟାର ସେଣ୍ଟରରେ ।

ଏତିକି ଭାବୁ ଭାବୁ ପଛରୁ କାନ୍ଧରେ ହାତ ମାରି ନାଉରିଆ କହୁଥିଲା, ବାବୁ ନୌକାରୁ ଓହ୍ଲାଇବନି କି ! ନାଉରୀ କଥା ଶୁଣି ନୌକାରୁ ଓହ୍ଲାଇ ଚାଲିଲି ଷ୍ଟେସନ୍ ଆଡେ । ଏଇଠୁ ଆମ ଗାଁ ପାଖାପାଖି ଚବିଶ ଘଣ୍ଟାର ରାସ୍ତା ଗାଁକୁ ଯେତେ ନିକଟ ହୋଇ ଆସୁଥିଲି ବାପାଙ୍କ ଚାପୁଡାଟା ସେତେ ଅଧିକ ମନେ ପଡୁଥିଲା । ଇଚ୍ଛା ହେଉଥିଲା ମୋ ଭୁଲ୍ ନିଷ୍ପତି ପାଇଁ ବାପାଙ୍କ ହାତରୁ ଆଉ ଥରେ ଚାପୁଡା ଖାଇବାକୁ । ଗାଁରେ ପହଞ୍ଚିଲା ବେଳକୁ ପାଖାପାଖି ଅପରାହ୍ନ ପାଞ୍ଚଟା । ଏ ତିରିଶି ବର୍ଷ ଭିତରେ ଆମ ଗାଁଟା ଗୋଟେ ଛୋଟ ସହରର ଭ୍ରମ ସୃଷ୍ଟି କରୁଥିଲା । ମୁଁ ଭାବୁଥିଲି ଆମ ଘରଟା ଖୋଜିବାରେ ଅସୁବିଧା ହେବ, ହେଲେ କିନ୍ତୁ ସେମିତି କିଛି ଅସୁବିଧା ହେଲାନି କାହିଁକି ନା ଆମର ଯୋଉ ପୁରୁଣା କାଳିଆ ଟିଣ ଘର ଥିଲା ସେଥିରେ କିଛି ବି ପରିବର୍ତ୍ତନ ଆସିନଥିଲା । ଘରକୁ ଯିବା ପୂର୍ବରୁ ନିଜକୁ ଲଜ୍ଜିତ ମନେ କରୁଥିଲି ମୋ ଭୁଲ୍ ନିଷ୍ପତି ପାଇଁ । ସାହାସ ସଞ୍ଚୟ କରି କବାଟ ଖଟ୍ ଖଟ୍ କଲି କିଛି ସମୟ ପରେ କବାଟ ଖୋଲି ଅପା ପଚାରିଲା କିଏ ଆପଣ କାହାକୁ ଖୋଜୁଛନ୍ତି ! ଆମ ଘର ଭିତରେ ବସିଥିଲେ ଆଠ ଦଶଟା କୁନିକୁନି ପିଲା, ବୋଧ ହୁଏ ସେମାନେ ଟ୍ୟୁସନ୍ ହବା ପାଇଁ ଅପା ପାଖକୁ ଆସୁଥିଲେ । ଅପା ମୋତେ ଚିହ୍ନି ପାରିଲାନି ସିନା ମୁଁ ତାକୁ ଚିହ୍ନି ଦେଲି । ପଚାରିଲି ବାପା ବୋଉ କାହାନ୍ତି, ମୋ ଠୁ ଏମିତି ଶୁଣି ଅପା କିଛି ନ କହି ବାପା ବୋଉଙ୍କ ଫୋଟ ଆଡେ ଆଙ୍ଗୁଠି ଦେଖଉଥିଲା । କାହିଁକି କେଜାଣି ନିଜକୁ ଗୋଟେ ବଡ ଅପରାଧି ଭଳୀଆ ମନେ କରୁଥିଲି । ସେ କାଗଜ ଡଙ୍ଗା କଥାଟା ମନେ ପଡୁଥିଲା, ଅପାକୁ କିଛି ନ କହି ବାଡିପଟେ ଥିବା ସେ ଆମ୍ବ ଗଛ ପାଖକୁ ଦୌଡିଲି । ଗଛ କରୋଡ ଭିତରେ ହାତ ପୁରେଇ କାଗଜ ଡଙ୍ଗାଟାକୁ ଖୋଜୁଥିଲି।

ପଛପଟୁ ଅପା ପାଟିକରି କହୁଥିଲା କିରେ ଏଇଟା ଖୋଜୁଛୁକି ! ପଛକୁ ଚାହିଁ ଦେଖେତ ଅପା ହାତରେ ସେ ତିରିଶି ବର୍ଷ ତଳର କାଗଜ ଡଙ୍ଗା, ଅପା ମୁରୁକିମୁରୁକି ହସୁଥିଲା ହେଲେ ମୋ ଆଖି କିନ୍ତୁ ଲୁହ ଛଳଛଳ ହୋଇଯାଇଥିଲା । ମୁଁ ଅପାକୁ ଚିତ୍କାର କରି କହୁଥିଲି ଅପା… ସେ କାଗଜ ଡଙ୍ଗାଟାକୁ ଚିରିଦେ, ତାକୁ ଚାରି ଫାଳ କରିଦେ । ମୋ ଅପା କିଛି ଉତ୍ତର ନଦେଇ ଆଙ୍ଗୁଠି ଦେଖେଇ ଉପରକୁ ଇସାରା କଲା । ମୁଁ ଉପରକୁ ଚାହିଁ ଦେଖେତ ଆକାଶଟା ସାରା କଳାହାଣ୍ଡିଆ ମେଘ ଠିକ୍ ସେହିଦିନ ପରି, ତା ସାଙ୍ଗକୁ ପବନ ବହିବା ବି ଆରମ୍ଭ ହୋଇଯାଇଥିଲା । ମୁଁ ପୁଣି ଚିତ୍କାର କରି ଅପାକୁ କହୁଥିଲିସେ ଅଶୁଭ କାଗଜ ଡଙ୍ଗାଟାକୁ ଚିରି ଦେବା ପାଇଁ । ହେଲେ ମୋ ଅପା କିନ୍ତୁ ମୋ କଥା ବିଲକୁଲ୍ ଶୁଣୁ ନଥିଲା । ସେମିତି ମୁରୁକୁମୁରୁକି ହସି କହୁଥିଲା ବୋକାଟା କିରେ ! ଚିରିଦେଲେ କାଗଜ ଡଙ୍ଗାଟା ଭାସିବ କେମିତି ।

ଅପା ମୁହଁରୁ ଏମିତି ପିଲାଳିଆମି କଥା ଶୁଣି ମୁଁ କୋହ ସମ୍ଭାଳି ପାରିଲିନି, ଦୌଡିଯାଇ ଅପାକୁ କୁଣ୍ଢେଇଧରି ପକେଇଲି । ଆଉ ମନେ ମନେ ଅପାକୁ କ୍ଷମା ମାଗୁଥିଲି ମୋ ବିଗତ ଦିନର ଭୁଲ୍ ନିଷ୍ପତି ପାଇଁ ।

ଲୋକପ୍ରିୟ ଲେଖା

To Top