ଗଳ୍ପ

କାମରୂପା କାମାକ୍ଷା

Sidhartha Dash's odia story Kaamaroopaa Kaamaakshaa

ସେ ଯାହାହେଉ ମା’ଙ୍କ ଡାକରା ଏବଂ ଆଶୀର୍ବାଦଯୋଗୁଁ ବିମାନ୍‌ ଟିକଟ ଏବଂ ହୋଟେଲ ବ୍ୟବସ୍ଥା ଏତେ ଶୀଘ୍ର ହୋଇଗଲା ସତେକି ଏୟାର ୱେଜ୍‌ ଏବଂ ହୋଟେଲ ମାଲିକ ଆମ ବୁକିଂ ପାଇଁ ହିଁ ଅପେକ୍ଷା କରିଥିଲେ ।

କାମରୂପା କାମାକ୍ଷା

ସେମିତ କୌଣସି ନିର୍ଦ୍ଦିଷ୍ଟ ଚେତନା ଆଶ୍ରୟୀ ହୋଇ ଏ କାହାଣୀ ଲେଖୁନି । ହୁଏତ ସଂଭବ ଏହା କାହାଣୀ ନ ହୋଇ ହେବ ଏକ ଭ୍ରମଣ ବୃତ୍ତାନ୍ତ । ସେଇ ବିଚାରଟା ପାଠକଙ୍କ ଉପରେ ଛାଡି ଦେବାଟା ନ୍ୟାଜ୍ୟ ନା ନୁହେଁ ଏହା ପାଠକ ବିଚାର କରିବେ । ସେ ଯାହା ହେଉ ପାଠକ ବୃନ୍ଦ ଯେ ପର୍ଯ୍ୟନ୍ତ ନିଷ୍ଠା ସହ ପଢୁଥିବେ (ଏଠାରେ ଏକାଗ୍ରତା, ମନୋନିବେଶ କି ବିଦ୍ୟାର୍ଥୀ ସୁଲଭ ବେତାଶ୍ରୟୀ ନିମଜ୍ଜନ କଥା କହୁନି , ଯେ କୌଣସି ପ୍ରକାର ସାରସ୍ୱତ ଆନନ୍ଦର ଆହରଣ ହେବ ନିଷ୍ଠାର ଅନ୍ୟନାମ )- ସେ ଯାଏ ଏ ଲେଖାର ପ୍ରକାରଣ ଜରୁରୀ ନୁହଁ – ହୁଏତ ସୃଜନମାତ୍ର – ପ୍ରାୟ କାହାଣୀ – କି ବୃତ୍ତାନ୍ତ – କି ସେମିତି କିଛିର ହାରାହାରି ।

ଦ୍ବିଧାର ସରହଦ ପାରିହେଲେ ତ ସବୁ ସୁଦୃଶ୍ୟ – ଅଥଚ ଯାହା ଭଲଲାଗେ – ମନକୁ ପାଏ, ନିମଜ୍ଜନ ପାଇଁ ପ୍ରେରଣା ଯୋଗାଇ ତା ହେଲା ଧୂମ୍ରାଭ ଦିଗନ୍ତ – ଠାରେ ମୁଜ୍ଜଫରଦୂର ପ୍ରାନ୍ତୀୟ ଡ୍ରାଇଭରଟିଏ ଚଲଉଥାଏ ମୋର ଭଡା କାର୍‌ । ହଠାତ୍‌ ତା କଥା ମନେପଡ଼ିବାର ଯୁକ୍ତି ପଛରେ ରହିଛି ତା’ର ଫୁଲା ଫାଙ୍କା ଭୋଜପୁରୀ ଶୈଳୀରେ କହିଥିବା ଏକ ବିବୃତ୍ତି – ହୁଏତ କୌଣସି କିମ୍ବଦନ୍ତୀର ସାରାଂଶ ।

ଜଙ୍ଗଲର ଏକ ପ୍ରାନ୍ତରରେ ଚାରୁଥାଏ ଏକ ଗଧ । ବର୍ଷାଦିନେ ସେ ମନଭରି ଖାଏ ସବୁଜ ଘାସ । ହେଲେ ଯେହେତୁ ସମ୍ପୂର୍ଣ୍ଣ ପ୍ରାନ୍ତର ଥାଏ ଘାସଭରା, ତାର ଆଖିର ସରହଦରେ ସେ ପାଏ ଘାସର ପ୍ରାଚୁର୍ଯ୍ୟ । ତା’ର କ୍ଷୂସ୍ର ପାଟିର ସଂଚାରଣ – ସବୁଜ ପ୍ରକୃତିରେ ବେଶୀ କିଛି ପରିବର୍ତ୍ତନ ଆଣି ପାରିଥିବାର ସେ ଦେଖିପାରେନି । ଅତଏବ ଦୁଃଖୀ ହୁଏ । ସେ ବେଶିକିଛି ଖାଇପାରିଲାନି ବୋଲି ଅବଶୋଷ କରେ । ଠିକ୍‌ ସମୟରେ ତାକୁ ଯିବାକୁ ପଡ଼େ ତା’ ମାଲିକ ସହ ।

ପତ୍ରଝଡ଼ା ସମୟରେ ହୁଏ ୟାର ଠିକ୍‌ ବିପରୀତ । ଠାରେ ଖାଇ ଯେତେବେଳେ ଗଧ ଆଖି ଉଠାଇ ଦେଖେ, ପାଏ ପତ୍ରହୀନ ପ୍ରାନ୍ତର – ଅତଏବ ସେ ଏଇ ନିଷ୍ପତ୍ତିରେ ପହଞ୍ଚେ ଯେ, ସେ ପ୍ରଚୁର ଘାସ ଖାଇଛି ବୋଲି । ଏଥର ଅବଶୋଷର ସ୍ଥାନ ନିଏ ଅପୂର୍ବ ତୃପ୍ତି ।

କିମ୍ବଦନ୍ତୀ ହେଉ କି ଲୋକକଥା, ନିଜସ୍ଵତୃପ୍ତି ସତ୍ୟ ଆଶ୍ରିତ ହେବା ଜରୁରୀ ନୁହଁ ହୁଏତ ଏଇ କଥାଟା ଆଭାସ ଦେଉଛି କିମ୍ବଦନ୍ତୀ । ଅବଶ୍ୟ ଏଠି ଉଚ୍ଚତର ସତ୍ୟ କଥା କହୁନି । ଛାର ଖାଦ୍ୟ ଏବଂ ଭୋକ ନିହିତ ସାଧାରଣ ସାଂବଧିକ ସତ୍ୟ କଥା କହୁଛି ।

କେଉଁଠି କେବେ ଏକ ଏମ୍‌ଏମ୍‌ଏସ୍‌ ପଢ଼ିଥିଲି । ଯଦି ତୁମେ ଫ୍ୟାମିଲି ଲାଇଫ୍‌ ଭଲ ପାଅନି, ଯଦି ଏକାନ୍ତ ଶାନ୍ତି ତୁମ ପାଇଁ ଦୁର୍ବିସହ, ସାପ୍ତାହିକ ଅବସର ପାଇଁ ଯଦି ତୁମେ ବୋର୍‌ ହୁଅ , ଯଦି ତୁମେ ୱାର୍କହୋଲିକ୍‌, ତେବେ ଷ୍ଟିଲ୍‌ କମ୍ପାନୀ ହେବ ତୁମ ପାଇଁ ଉତ୍କୃଷ୍ଟର ଆଶ୍ରୟ । ବଡ଼ ବଡ଼ ଲେଖକ ଏବଂ ମହାନ କବି ବୃନ୍ଦ – ଯେମିତି ଧରାଯାଉ ବର୍ଣ୍ଣାଡ଼ ଶ ଏବଂ ସେକ୍‌ସ୍ପିୟର ଯଦି ଏମ୍‌ଏମ୍‌ଏସ୍‌ ଯୁଗରେ ଜନ୍ମି ଥା’ଆନ୍ତେ … ନିଶ୍ଚିତ କ୍ଲୋଷ୍ଟ୍ରୋଫୋବିଆର ଶୀକାର ହୁଅନ୍ତେ । ଏତେ କ୍ଷୁଦ୍ର ପରିସରରେ ବକ୍ତବ୍ୟତିକୁ ସ୍ୱୟଂ ସମ୍ପୂର୍ଣ୍ଣ କରି ତୋଳିବାର ଶୈଳୀଟି କଣ ତାଙ୍କୁ ଜଣା ଥିଲା ? ଏମ୍‌ଏମ୍‌ଏସ୍‌ର ସ୍ରଷ୍ଟା ହୁଏତ ନିଜେ ଜାଣେନି କେତେ ଶୀଘ୍ର ସଂଚରିଯାଏ ତା’ର ବକ୍ତବ୍ୟ ସାରା ପୃଥିବୀରେ !

ଅତଏବ ଯେତେବେଳେ ମୁଁ ଦଶଦିନର ଛୁଟି ମଞ୍ଜୁରୀ ଏମ୍‌ଏମ୍‌ଏସ୍‌ ଯୋଗେ ପାଇଲି – ସେ ମହାର୍ଘ ମୁହୂର୍ତ୍ତଗୁଡ଼ିକର କିଭଳି ରୁଚିପୂର୍ଣ୍ଣ ଏବଂ ଉର୍ଜାମୟ ଉପଚୟ ହେବ ସେ ଦିଗରେ ଯୋଯନାଶୀଳ ହୋଇ ପଡିଲେ ଆମ ଘରର ତିନିଜଣ ବାସିନ୍ଦା – ସିମ୍‌ରନ, ଜୟଶ୍ରୀ ଏବଂ ମୁଁ । ପ୍ରାରମ୍ଭରେ ମନରେ ଯେଉଁ ପ୍ରକାର ତୃପ୍ତି ଚହଟିଥିଲା ଏଇ ଛୁଟିକୁ ନେଇ ; ଗଧ ଏବଂ ଘାସ ସମ୍ବନ୍ଧୀୟ କିମ୍ବଦନ୍ତୀ ଜ୍ଞାନ ତୃପ୍ତିର ମାତ୍ରାକୁ ଷ୍ଟ୍ର ଯୋଗେ ଅବଶୋଷିତ କୋଲ୍ଡ଼ଡ୍ରିଙ୍ଗ୍‌ସ ଭଳି ଧୀରେ ଧୀରେ ନିଶ୍ଚିହ୍ନ କରିଦେଲା । ହଠାତ୍‌ ଏତେଦିନ ଛୁଟି କିପରି ମିଳିଗଲା ? ଚାକିରୀ ସହି ସଲାମତ୍‌ ଅଛି ତ ? ଏଭଳି ପ୍ରଶ୍ନକୁ ମୁଁ ପାଶୋରିବାକୁ ଚେଷ୍ଟା କଲି । ସେଠି ପାଇଁ ମୋତେ ସାହସ ଯୋଗାଇଲା ମୋର ସାଧାରଣ ଜ୍ଞାନୋଚିତ ତଥ୍ୟ : ଏମ୍‌:ଡ଼ି : ନିଜେ ଯାଇଥିଲେ ଛୁଟିରେ ମାସେ ପାଇଁ… ଅବଶ୍ୟ ସେଇଟା ସେମି ପର୍ଶନାଲ ଥିଲା ! ରିସେସନ୍‌ ସମୟରେ ସାଧାରଣ ଦିଶୁଥିବା ଛୁଟି – ଚିରସ୍ଥାୟୀ ଛୁଟିରେ ରୂପାନ୍ତରିତ ହୋଇ ଯିବନି ତ ?

ସେ ଯା ବି ହେଉ ସିମ୍‌ରନ୍‌ ଏବଂ ଜୟଶ୍ରୀ ସହ ଏକାନ୍ତ କିଛି ମୁହୂର୍ତ୍ତ ବିତାଇବାର ଅନୁଚିନ୍ତା, ସମସ୍ତ ତଥ୍ୟକୁ ପୋଛି ନେଲା । ଗନ୍ତବ୍ୟସ୍ଥଳ ସୁଦୂର ଆସାମ୍‌ର ଗୌହାଟୀ ସହର । ବଂଗୀୟ ବନ୍ଧୁଟିଏ ଆମ ଗନ୍ତବ୍ୟ ସ୍ଥାନଟିର ନାଁ ଶୁଣି ଏଭଳି ଭ୍ରୁକୁଞ୍ଚନ କଲେ ସତେ କି ଆମେ ଛୁଟି ନେଇ ସୁଚିନ୍ତିତ ଆତ୍ମସଂହାର ପାଇଁ ପ୍ଲାନ କରୁଛୁ ! ସେଇ କୂଂଛିତ ଭ୍ରୁକୁଟି ଆଉ କିଛି କାଳ ସେମିତି କୁଞ୍ଚିତ ଅବସ୍ଥାରେ ଛାଡ଼ିଦେଇ ସେ ପ୍ରଶ୍ନକଲେ “ବନ୍ଧୁ ! ଆଉ କୌଣସି ସ୍ଥାନ ଭାରତବର୍ଷରେ ମିଳିଲାନି ଭ୍ରମଣ ପାଇଁ – ଶେଷରେ ଗୌହାଟୀ ? ମୋ ପାଖରେ ଏକ ମୋଟା କାଗଜର ରଂଗୀନ ଟୁରିଷ୍ଟ ଗାଇଡ଼ ଅଛି – ତୋତେ ସାହାଯ୍ୟ କରିପାରେ ! ଅଥବା ଲଗ୍‌ଇନ୍‌ କର www.yatra.com .

ଯାତ୍ରା ଡଟ୍‌ କମ୍‌ ର ଉନ୍ମେଷର ହଜାର ହଜାର ବର୍ଷ ପୂର୍ବରୁ ହୁଏତ ଏଇ ମନ୍ତ୍ରର ଉଦ୍ଭାବନ ହୋଇଥିଲା ବୈଦିକ ଯୁଗରେ । “ଓଁ କ୍ଳୀଂ କୃଷ୍ଣାୟ ନମଃ । ବାମନାୟ ନମଃ । ଯାଦବାୟ ନମଃ । ସାଧବାୟ ନମଃ । ମମଯାତ୍ରା ଶୁଭଂ କୁରୁ କୁରୁ ସ୍ୱାହା ” ।

ଅତଏବ ପ୍ରତ୍ୟେକ ଯାତ୍ରାକୁ ଶୁଭ କରି ତୋଳିବାରେ ଉପାୟମାନ ଆବାହମାନ କାଳରୁ ଆମର ତଥାକଥିତ ରୂଷିଶ୍ରେଣୀୟ ଗାର୍ଜନମାନେ ଆମକୁ ଗିଫ୍ଟ ହିସାବରେ ଦେଇଥିଲେ ! ବଂଗୀୟ ବନ୍ଧୁ ଥିଲେ ସେ ଜ୍ଞାନ ବିରହିତ । ମୃତ୍ୟୁ ଯଦି ଅବଶ୍ୟମ୍ଭାବୀ – ତେବେ ସେ ଗିଗାରେ ଗନ୍ତବ୍ୟସ୍ଥଳ- ନିରୂପଣ- ପାରଙ୍ଗମତାର କିଛି ଅବଦାନ ରହିବ କି ? ଏ ଯୁକ୍ତି ତାଙ୍କୁ ଭଲ ଲାଗନ୍ତା ନାହିଁ । ଅଗତ୍ୟ ତାଙ୍କୁ କହିଲି ଯେ, କାମରୂପା କାମାକ୍ଷାଙ୍କ ଦର୍ଶନ ପାଇଁ ଯାଉଛି । ଅନେକ ଦିନରୁ ଇଚ୍ଛା ଥିଲା । ସେ ବୁଝିଲାଭଳି ମାନେ ହେଲା । କିନ୍ତୁ ଏଇ ତାଗ୍‌ଦା ସହ “କୌଣସି ଗଭ୍‌ମେଣ୍ଟ୍‌ ଅନୁମୋଦିତ ହୋଟେଲ୍‌ରେ ରହିବାକୁ ଚେଷ୍ଟା କରିବୁ ?”

ପଚାରିବାକୁ ଇଚ୍ଛା ହେଉଥିଲା କ’ଣ ଶିବାଜୀ ଟରମିନସ୍‌ ଗଭ୍‌ମେଣ୍ଟ ଅନୁମୋଦିତ ନଥିଲା ? କ’ଣ ତାଜ୍‌ ଏବଂ ଓବ୍‌ରଇ ଟୁରିଜିମ୍‌ ଅନୁମୋଦିତ ହୋଟେଲ ନୁହେଁ ? ଲସ୍କର ତୋଇବା ବୋଧେ କୌଣସି ଫର୍ମ ୧୫ କି ୧୬ରେ ସରକାରଙ୍କୁ ଦରଖାସ୍ତ ଦେଇ ତା ପରେ ଆକ୍ରମଣର ପ୍ଲାନ୍‌ ବନାଏ ?

ସେ ଯାହାହେଉ ମା’ଙ୍କ ଡାକରା ଏବଂ ଆଶୀର୍ବାଦଯୋଗୁଁ ବିମାନ୍‌ ଟିକଟ ଏବଂ ହୋଟେଲ ବ୍ୟବସ୍ଥା ଏତେ ଶୀଘ୍ର ହୋଇଗଲା ସତେକି ଏୟାର ୱେଜ୍‌ ଏବଂ ହୋଟେଲ ମାଲିକ ଆମ ବୁକିଂ ପାଇଁ ହିଁ ଅପେକ୍ଷା କରିଥିଲେ ।

ସୀମରନ୍‌ ପାଇଁ ଏହା ଥିଲା ପ୍ରଥମ ବିମାନ ଯାତ୍ରା । ଯାତ୍ରାର ଶିହର ଅପେକ୍ଷା ତା’ର ଆବେଗପୂର୍ଣ୍ଣ ଚିତ୍ରଣ କେମିତି କରିବ ବନ୍ଧୁମାନଙ୍କ ସାମ୍ନାରେ ଏବଂ “ମି-ଠୁ ” (ମୁଁ ମଧ୍ୟ )କୁ ସାବ୍ୟସ୍ତ କରିବାର ଶିହରଣ ଥିଲା ଅଧିକ । ସେ ଭାରି ଖୁସି ହେଲା । କଳିଙ୍ଗନିବାସୀ ଜଣେ ବନ୍ଧୁଙ୍କୁ ମୁଁ ଯେତେବେଳେ କହିଲି କି ମୁଁ କାମାକ୍ଷା ଦର୍ଶନ ପାଇଁ ଯାଉଛି – ସେ ପଚାରିଲା “କାମାକ୍ଷା ? କୁ ଠି ? ଆସାମ୍‌ ? ଓହୋ କାଉଁରୀ କାମାକ୍ଷା !

ତାଙ୍କ ଜ୍ଞାନର ସରହଦରେ ସତୀଙ୍କ ଅଙ୍ଗ ସଂଭୁତା କାମରୂପା କାମାକ୍ଷାଙ୍କ ପୀଠ ଏକ ତନ୍ତ୍ର ପୀଠ ମାତ୍ର ! ଯାଉନଥି ହୁଏ କାଉଁରୀ ହାଡ଼ର ଯାଦୁଗରୀ – ଅଗୱାବଗା ସାଧାରଣ ତାନ୍ତ୍ରିକ ଟିଏ କାଉଁରୀ ହାଡ଼ରେ କାହାକୁ ବନାଏ ପାରା ତ କାହାକୁ ମେଣ୍ଢା ! କିମ୍ବଦନ୍ତୀ କହେ ସ୍ୱୟଂ ମହାମୃତ୍ୟୁଞ୍ଜୟ ଶିବ ସତୀଙ୍କ ତିରୋଧାନରେ ହୋଇଥା’ନ୍ତି ମର୍ମାହତ, ଉତକ୍ଷିପ୍ତ ଏବଂ ଉଦ୍ଭ୍ରାନ୍ତ । ଯଦି ଅମରତ୍ତ୍ୱର ଦେବତା ମହାଦେବ ବୁଝିବାକୁ ନାରାଜ ଯେ ତାଙ୍କ ପ୍ରାଣପ୍ରିୟ ସତୀ ସଶରୀରେ ଅସମ୍ଭବ – ତାଙ୍କୁ ବୁଝାଇବାର ସାହସ କରିବ କିଏ ? ତାଙ୍କର ଏଇ ଅବୁଝାମିର ବା କଣ ବ୍ୟାଖ୍ୟା କରାଯାଇପାରେ ? ଭାବୁଥିଲି କେତେ ଭଲ ପାଉଥିବେ ସତେ ଶିବ ସତୀଙ୍କୁ ! ହୁଏତ ଗୌହାଟିର ସେଦିନର ବନ , ପାହାଡ଼, ନଦୀ, ବୃକ୍ଷଲତା ସମସ୍ତେ ପାଈଥିବେ ସେଇ ଭଲପାଇବାର ମହକ ! ମହାଯୋଗୀ, ମହାକାଳ, ତ୍ରୀକାଳଭୈରବ ଏବଂ ସୃଷ୍ଟିର ସଂହାରକର୍ତ୍ତା ଶିବ ଯାହାଙ୍କ ପ୍ରେମରେ ବିଭୋର ! ସେ ସେବି ହୋଇଥିବେ କେତେ ଅନନ୍ୟା ? କେତେ ଶାଶ୍ୱତ ହୋଇଥିବା ସେ ମିଳନ ? ଭଲପାଇବାର ଯେଉଁ ଅଜସ୍ର ମେଗାଭୋଲ୍ଟର ସୃଜନ ହୋଇଥିବ ସେଇ କ୍ଷଣରେ, ପ୍ରକୃତି ସାହିପାରିଥିବ ତ ? ଏକ ସାଧାରଣ ମାନବୀ କେବଳ ନିଛକ୍‌ ଭକ୍ତିରେ ଶିବଙ୍କୁ ବି ପାଗଳ କରିପାରେ – କେତେ ପ୍ରଭାବିଶାଳୀ ଏ ବାର୍ତ୍ତା ! ଏବଂ ସର୍ବ ନିୟନ୍ତା ତ୍ରୀକାଳତତ୍ତ୍ୱଦର୍ଶୀ ରୂଦ୍ର ସତୀଙ୍କ ବିଚ୍ଛେଦରେ ହୋଇ ପାରନ୍ତି ପାଗଳ ପ୍ରାୟ ତାଣ୍ଡବ ନୃତ୍ୟରତ !

କ’ଣ ସେ ଜାଣି ନ ଥିଲେ ଯେ ଆତ୍ମା ଅମର ଏବଂ ଦେହ ନଶ୍ଵର ବୋଲି ? ଏ ତଥ୍ୟ ଅର୍ଜୁନର ଲୋଡ଼ା – ଭଗବାନଙ୍କର ନୁହେଁ । ଅତଏବ ବିଷ୍ଣୁ ବୁଝି ପାରିଲେ ଯେ, ଏଇଟା ବୁଝାଇବାର ବେଳ ନୁହଁ ! କୋପର ସ୍ଥୁଳ କାରଣଟିର ବିନାଶରେ ହିଁ ହେବ କୋପର ବିନାଶ । ଅଗତ୍ୟା ସୁଦର୍ଶନ ଚକ୍ର କଲା ସତୀଙ୍କୁ ଶତଧା ବିଭକ୍ତ । ଶିବ ହେଲେ ଶାନ୍ତ । ଶାନ୍ତ ହେଲା ପ୍ରକୃତି । ଏମିତି ଏକ ପ୍ରାଣୋଚ୍ଛୋଳ କାଳଜୟୀ ପ୍ରେମ ଓ ବିରହ ଗାଥା ବହନକରୁଥିବା ଗୌହାଟୀର ମାଟିକୁ କେବଳ କାଉଁରୀ ହାଡ଼, ପାରା ଏବଂ ମେଣ୍ଢା ପର୍ଯ୍ୟନ୍ତ ସୀମିତ ରଖିଥିବା ମୋ ବନ୍ଧୁଙ୍କୁ ବା କଣ ବୁଝାଇ ଥା’ନ୍ତି ଭଲା ? ବରଂ ତାଙ୍କ ଅନୁମୋଦିତ ତାନ୍ତ୍ରିକ ମହାଶୟ/ମହାଶୟବୃନ୍ଦ ଉଗ୍ରବାଦୀଙ୍କୁ ପାରା କି ମେଣ୍ଢା ବଣାଇ ଛାଡ଼ନ୍ତୁ ! ଡଷ୍ଟବିନ୍‌ରୁ ବମ୍‌ ନ ବାହାରି – ବାହାରୁ ଶାନ୍ତିର ବାର୍ତ୍ତାବହ ପାରା । ସମସ୍ତ କୁ ଶକ୍ତି ବନି ଯା’ନ୍ତୁ ମେଣ୍ଢା ! ହେ ବନ୍ଧୁ ତୁମ ଜ୍ଞାନ ସରହଦପାରିକରନା । ସେଇଥିରେ ହିଁ ଦେଶର ମଙ୍ଗଳ ହେଉ ।

ଆଶ୍ଚର୍ଯ୍ୟ କଥା । ଉଗ୍ରବାଦୀଙ୍କ ଇଲାକାରେ ହିଁ ଅଛି ଉଗ୍ରତାରାଙ୍କ ମନ୍ଦିର । ରୂଦ୍ରଙ୍କ ତାଣ୍ଡବ ନିଃସୃତ କିଞ୍ଚିତ୍‌ ସ୍ପନ୍ଦନ ହୁଏତ ଅଦୃଶ୍ୟଶକ୍ତି ହୋଇ ବାତାବରଣରେ ମିଶିଗଲା । କେବେ କେବେ ଉଗ୍ରବାଦୀଟିଏ ତା’ର ଚେତନାର ସ୍ତର ଅନୁଯାୟୀ ପାଉଛି ସେଥିରୁ ଚେନାଏ ଚେନାଏ ପ୍ରେରଣା !

ଆଗରୁ କହିଛି ସିମ୍ରନ୍‌ ବହୁତ ଖୁସି ଥିଲା ତା’ର ମି:ଠୁ:ର ଶିହରଣ ନେଇ । କିଙ୍ଗ୍‌ଫିସର ଫ୍ଲାଇଟ୍‌ ଥିଲା ରାଇଟ ଟାଇମ୍‌ । ସିମ୍ରନ ଭାବିଥିଲା ବୋଡିଙ୍ଗ ଗେଟ୍‌ର ଅପରପାର୍ଶ୍ୱରେ ଆକାଶରୁ ଅବନମିତ ହେବ ଆମର ପ୍ଲେନ୍‌ ଏବଂ ସେଥିରୁ ମେଲିଯିବ ଏଟେଚ୍‌ବୁଲ ସିଡ଼ି । ଅଥଚ ସେ ପାଇଲା ଏକ ବିସ୍ତୀର୍ଣ୍ଣ ପ୍ରାନ୍ତର । କେବଳ ଗାଈ , ଗୋରୁ ସ୍ଥାନରେ ରହିଛି ବିଭିନ୍ନ କମ୍ପାନୀର ବିମାନ ସମୂହ । ପୁଣି ସେ ପର୍ଯ୍ୟନ୍ତ ପହଞ୍ଚାଇଲା ଆମକୁ କିଙ୍ଗ୍‌ଫିସର ଏ.ସି . ବସ୍‌ । ଲୋକେ ବସ୍‌ର ଗେଟ୍‌ରୁ ଏତେ ଶୀଘ୍ର ନିଃସୃତ ହେବାକୁ ଚେଷ୍ଟା କରୁଥିଲେ ସତେକି ୟା ପରେ ଏକ ସ୍ଲାଇଡିଙ୍ଗ୍‌ରେ ଖସି ଖସି ସିଧା ଗୌହାଟିରେ ବାହାରିବେ !

ଅନ୍ୟ ଏକ ଗାଡି ଏକ ପୋଟେବୁଲ ସିଡ଼ି ନେଇ ଆମ ବିମାନ ସହ ସଂଯୋଗ କରିବାର ସିମ୍ରନ୍‌ ଦେଖିଥିଲା । ମୁଁ ତାକୁ କହିଥିଲି ଯେ କିଙ୍ଗ୍‌ଫିସର ସୁନ୍ଦରୀଟିଏ ଆସି ସୁରକ୍ଷାବାର୍ତ୍ତା ଦେବନି । ତା’ର ସ୍ଥାନ ନେବ ଟେକ୍ନୋଲୋଜି – ଅର୍ଥାତ ସଫ୍ଟ ସ୍କ୍ରିନ୍‌ଟିଏ ଆମ ସିଟ୍‌ର ଉପର କ୍ୟାବିନେଟ୍‌ରୁ ମେଲିଯିବ ଏବଂ ସେଥିରେ ଘୋଷିତ ହେବ ସୁରକ୍ଷାବାର୍ତ୍ତା । ସ୍କ୍ରିନ୍‌ ଅବଶ୍ୟ ଖୋଲିଲା ଧୀରେ ଧୀରେ – ସେବେ ସେଇଟା ଆମ ସିଟ୍‌ ଉପରୁ ନ ବାହାରି, ବାହାରିଲା ସାମ୍ନା ସିଟ୍‌ ଉପରୁ – ଅତଏବ କିଙ୍ଗ୍‌ଫିସର୍‌ ଆମକୁ ଧୋକା ଦେଇଛି ବୋଲି ସିମ୍ରନ୍‌ ସ୍ୱଗୋତକ୍ତି କଲା ।

ଅବଶ୍ୟ ତାହା ପରେ ପରେ ସ୍କ୍ରିନ୍‌ ରେ ଆବିର୍ଭୁତ ହେଲେ ଟମ୍‌ ଏଣ୍ଡ ଜେରୀ ପରସ୍ପରକୁ ପିଟାପିଟି ଅବସ୍ଥାରେ । ଅଦମ୍ୟ ପରସ୍ପରକୁ ମାତ୍‌ ଦେଇ ଚାଲିଥିବ ଏଇ ଯୋଡିର ଆବିର୍ଭାବରେ ପୁଣିଥରେ କିଙ୍ଗ୍‌ଫିସର ପ୍ରତି ସିମ୍ରନ୍‌ ହେଲା ଶ୍ରଦ୍ଧାଶୀଳ । ମୁଁ କିନ୍ତୁ ଧ୍ୟାନସ୍ଥ ଥିଲି ପରିଚାରିକା ବୃନ୍ଦାଙ୍କ ଛନ୍ଦମୟ ପଦପାତ ଲକ୍ଷ୍ୟରେ ।

ମୁଁ ଏୟାର ହୋଷ୍ଟେସ୍‌ଙ୍କ ପ୍ରତି ମାତ୍ରାଧିକ ସମ୍ବେଦନଶୀଳ ବୋଲି ସିମ୍ରନ୍‌ ଜେଜେମା’ଙ୍କୁ ଅଭିଯୋଗ କରିବ ବୋଲି ଧମକ ଦେଲା । ସମ୍ବେଦନଶୀଳତା ଭଳି ଏକ ଭଲ ଗୁଣର ଗାଥା ଜେଜେମା’ଙ୍କ ସାମ୍ନାରେ କ’ଣ ପାଇଁ … ତା ନିଜ ମାଆ’ଙ୍କ ସାମ୍ନାରେ କରିବା ପାଇଁ ତାକୁ କ’ଣ ରକୁ ଥାଇପାରେ ଭାବି ମୁଁ ଚିନ୍ତିତ ହେଲି । ଜୟଶ୍ରୀ ଝରକା ସେପଟେ ଦିଗନ୍ତରେ କିଛି ଖୋଜୁଥିଲେ ।

ବିମାନ ଟେକ୍‌-ଅଫ୍‌ ପାଇଁ ପ୍ରସ୍ତୁତ ହେଉଥିଲା ଏବଂ ଲାଇଟ୍‌ ଅଫ୍‌ କରିବା ପାଇଁ ଘୋଷଣା ହେଲା । ମେ ସିଟ୍‌ର ସାମ୍ନାରେ ବସିଥିବା ଅବିନ୍ୟସ୍ତ କେଶବନ୍ତ ଚଟାପଟ୍‌ ତାଙ୍କର ଉପର ସିଟ୍‌ ସ୍ଥିତ ଲାଇଟ୍‌ଟିକୁ ଅନ୍‌ କରି ପେପର ପଢିବାରେ ବ୍ୟସ୍ତ ହେଲେ । ତାଙ୍କୁ ଅନୁକରଣ କଲେ ଏକାଧିକ ବୟୋବୃନ୍ଦ । ସତେକି ସାରାଜୀବନ ପେପର ପଢ଼ିବାରୁ ବଞ୍ଚିତ ହେବେ – ଏବେ ନ ପଢ଼ିଲେ । କିମ୍ବା ହୁଏତ ମା ପଟରୁ ଜନ୍ମିଥିଲେ ପେପର ପଢିବା ଅବସ୍ଥାରେ ! ଏତେ ସୁନ୍ଦର ଲାଲ୍‌ ରଙ୍ଗର ବ୍ଲାଉଜ୍‌ ଏବଂ ମ୍ୟାଚିଙ୍ଗ୍‌ ପ୍ୟାଣ୍ଟ୍‌ ପିନ୍ଧି ଲଳନାଦ୍ୱୟ ଆଏଲରେ ଯାତାୟାତ ହେବାଟା ହିଁ ଏକ ନରମ ଅଭିଜ୍ଞତା । ପେପର ଆଶ୍ରିତ ଦର୍ଶନାଭିଳାଷି ଗୋପନରେ ମନାସୁ ଥାଆନ୍ତି : ଏଇ ଆତଯାତ ତା ହୁଅନ୍ତା କି ଦିନରାତି ! କେବଳ ଷ୍ଟିକୀ ମାତ୍ର ନରମ ଚିନ୍ତନ ହିଁ ଯୋଗାଇ ଦେଉଛି ପେପର ପଢିଚାଲିବା ପାଇଁ ଅଦମ୍ୟ ପ୍ରେରଣା !

ଜୟଶ୍ରୀ ଦିଗନ୍ତରୁ ଆଖି ଫେରାଇ ମୋତେ ପଚାରିଲା – ମାଲ୍ୟାଙ୍କ ଲାଲ୍‌ ରଙ୍ଗ ବାଛିବା ପଛରେ କ’ଣ ଯୁକ୍ତି ଥାଇପାରେ ? ମୁଁ ମନେ ମନେ ଭାବିଲି ଏମିତି ସୌନ୍ଦର୍ଯ୍ୟର ପରିମିତିରେ ଗଢ଼ା ଯେଉଁ ଅଙ୍ଗବିନ୍ୟାଶ – ଯେକୌଣସି ରଙ୍ଗ ସୁଜି ଥାଆନ୍ତା । ଅପ୍ରତିରୋଧ ଦର୍ଶନାଭିଳାଷ ! ହେଲେ ଲାଲ ରଙ୍ଗ କାହିଁକି ? କିନ୍ତୁ ମୁଁ ଓଲଟା ପଚାରିଲି –

– ଈଶ୍ୱର ଓଠର ରଙ୍ଗ ଲାଲ୍‌ କାହିଁକି କଲେ ?

– କାହିଁକି ! କେଜାଣି ମୁଁ କେବେ ଭାବିନି !

– ଲାଲ୍‌ ରଙ୍ଗ ବହନ କରୁଛି ଏକ ନରମ ଅଞ୍ଚଳର ଆଧିପତ୍ୟ ! ହୁଏତ ମାଲ୍ୟ ଜଣେ କବି ଏବଂ କବିତାର ପଂକ୍ତିସମ ଲଳନାଦ୍ୱୟ ସର୍ବୋପରି ଓଠ ଭଳି ନରମ ଏବଂ ସୁନ୍ଦର ।

– ଏଇଟା ହୁଏତ ସଠିକ୍‌ ଯୁକ୍ତି ନୁହଁ ! ରକ୍ତର ରଙ୍ଗ ବି ଲାଲ୍‌ । ଏବଂ ରକ୍ତ ନରମ ନୁହେଁ ଗରମ । ପ୍ରାୟ ୯୮.୪ ଡିଗ୍ରି ଫାରେନ୍‌ହାଇଟ୍‌ ।

– ଏଇଟା ବୈଜ୍ଞାନିକ ର କବିତା । ପ୍ରକୃତରେ ସୁନ୍ଦରୀ ଦ୍ଵୟଙ୍କ ଯାତାୟାତ ଆଏଲର ଧମନୀରେ ରକ୍ତ ସଂଚାଳନ ସଦୃଶ୍ୟ । ଏହା ହେଲା ସମ୍ବେଦନଶୀଳର କବିତା ମୁଁ କହିଲି ।

ମୋର ସାଧାରଣ ଭାବେ ଈଷତ୍‌ -ଶ୍ରାବୀ ସମ୍ବେଦନଶୀଳତାର ସ୍ରୋତତା ହଠାତ୍‌ ବିମାନ୍‌ ଭିତରେ ଉଚ୍ଛ୍ରଙ୍ଖଳ କାହିଁକି ହୋଇଯାଏ – ଏଇ ଭାବରେ ପ୍ରଶ୍ନବାଚୀ ଥିଲା ଜୟଶ୍ରୀଙ୍କ ଚାହାଣି ! ମୁଁ କହିଲି କିଙ୍ଗ୍‌ଫିସର ଏଇ ଥିମ ମ୍ୟୁଜିକ୍‌ଟା ଶୁଣ !

ଉ -ଲା -ଲା – ଓ -ଲେ-ଲୋ… ଅନେକ ଜିନିଷର ଶାବ୍ଦିକ ପ୍ରକାଶ ସମ୍ଭବ ନୁହଁ । ଯେମିତି ଏଇ ଛନ୍ଦ ଉ -ଲା -ଲା – ଓ -ଲେ-ଲୋ… ୟାର ଅର୍ଥ କ’ଣ ? କିଛି ବି ନୁହଁ ! ଅଥଚ ଏଥିରେ ଭାରି ରହିଛି କେତେ କୁତ୍‌କୁତ୍‌ ଭରା ଫୁର୍ତ୍ତିମନ୍ତ୍ର ଗଜଲ ।

ଏକ ଅନତିବୃହତ୍‌ ଟ୍ରଲିରୁ ନାସ୍ତା ପରସିବା ବେଳେ ନାସ୍ତାଧୃତା ଲଳନାଟି ପେପର ଧୃତ ଭଦ୍ରବ୍ୟକ୍ତିଙ୍କୁ ପଚାରିଲା “ଏନି ଥିଂ ଏଲ୍‌ସ” ? ଏଭଳି ପ୍ରଶ୍ନ ପଚାରିବାର ମାନେ କ’ଣ ? – ସେଇ ସାର୍ବଜନୀନ ଏଲ୍‌ସ ଟାକୁ କ’ଣ ଏଠି କହିହେବ ?? ଅଗତ୍ୟା ସେ ପୁଣି ଥରେ ପେପର୍‌ ରେ ହିଁ ମନୋନିବେଶ କଲେ ।

ମୋ ସାଇଡ ସିଟ୍‌ରେ ବସିଥିବା ମି:ଦେଶମୁଖ ପଚାରିଲେ ନାସ୍ତା ସହ ଲୁଣ ପାଉଚ୍‌ଟା ଅପେକ୍ଷାକୃତ ବୃହଦାକାର ଲାଗୁନି ? – ବୋଧେ – ତିରିଶ ହଜାର ଫୁଟ୍‌ ହାଇଟ୍‌ରେ ବ୍ଲଡ଼ ପ୍ରେସର ହ୍ରାସ ହେବାର ସମ୍ଭାବନା ରହିଛି । ଅତଏବ ଲୁଣ ଖାଅ ଓ ମସ୍ତ୍‌ ରୁହ ! ଟିକି ଝିଅ ଟିଏ ଗାଇଲା -ଉ-ଲା-ଲା-ଓ-ଲେ-ଲୋ ତା’ର ନର୍ସରୀ ରାଇମ୍‌ ସହ ଏକାତ୍ମ ହେବା ଭଳି ପଂକ୍ତିଟିଏ ନିଶ୍ଚୟ !

ନାସ୍ତାସହ ଟିକି ପୁଡ଼ିଆରେ ଥାଏ ଆଫ୍ଟର ମିଣ୍ଟ୍‌ ଏବଂ ଟୁଥ୍‌ପିକ୍‌ । କମନୀୟ ନାସ୍ତା ପାଶ୍ଚାତ ଟୁଥ୍‌ପିକ୍‌ର କୌଣସି ଦରକାର ନ ଥିବା ସତ୍ତ୍ୱେ ସିମ୍ରନର ପଛ ସିଟ୍‌ରେ ବସିଥିବା ପ୍ରୌଢ଼ଟିଏ ଟୁଥ୍‌ପିକ୍‌ ଟିଏ ନେଇ ଏକ ବର୍ବର ଜାତୀୟ ଶୈଳୀରେ ଦାନ୍ତ ଖୋଦନରେ ନିମଜ୍ଜିତ ହେଲେ ଏବଂ ବିଶେଷକରି କମନୀୟ ଏୟାର ହୋଷ୍ଟେସ୍‌ ସାମ୍ନାରେ । ଆରେ ବନ୍ଧୁ ! ଖୋଦନପାରେ ତୋତେ ଯଦି ହୀରା ବି ମିଳନ୍ତା, ସେଇଟା ହୋଇଥାନ୍ତା ଏକ ଗୌଣପ୍ରାପ୍ତି । ଯେହେତୁ ସୁନ୍ଦରୀ ଦ୍ଵୟଙ୍କ ପ୍ରେତ୍ୟେକ ପଦପାତରେ ଝରୁଥିଲା ଯେଉଁ ଟନ୍‌ ଟନ୍‌ ମାଧୁର୍ଯ୍ୟତା ତା’ସାମ୍ନାରେ ଏକ ଗ୍ରାମ ବୈଦୁର୍ଯ୍ୟର ମୂଲ୍ୟ କ’ଣ ? ସବା ସାମ୍ନାରେ ବସିଥିବା ତରୁଣିଟି ରିତୀମତ ଫଟୋ ତୋଳିବାରେ ବ୍ୟସ୍ତ ଥିଲେ । ଫ୍ଲାଇଟ୍‌ର ଟିକଟ ଦେଖାଇଲେ ବି ଲୋକେ ପରତେ ଯାଆନ୍ତେ ତୁ ଉଡ଼ୁଥିଲୁ ବୋଲି । ତେବେ ଏତେ ମାତ୍ରାରେ ଫଟୋ ଉତ୍ତୋଳନର ମତ୍‌ଲବ କ’ଣ – ମୁଁ ଭାବିଲି ।

ହୁଏତ ସେ ବାହାଦୁରି ମାରିକି କହିବ, ହେଇ ଦେଖ ଘଣ୍ଟାକୁ ପନ୍ଦର ହଜାର କି.ମି. ପ୍ରତି ଘଣ୍ଟା ଯାଉଥିବା ଏୟାର କ୍ରାଫ୍ଟ ମୁଁ ଫଟୋ ତୋଳିଛି । କିଛି ହ୍ୟାଜି ଆସିଲା କି ?

ମୁଁ ପ୍ରାୟ କହିବାକୁ ଯାଉଥିଲି, ହ୍ୟାଜି କାହିଁକି ଆସିବା ଗଧ -ଆଇନ୍‌ଷ୍ଟାଇନ୍‌ଙ୍କ ରିଲେଟିଭିଟି ପଢିନୁ କି ? ହେଲେ ଚୁପ୍‌ ବସିଲି । କୋଉଠି ନା କୋଉଠି ମତେ ଲାଗିଲା ସୁନ୍ଦରୀ ଏୟାର ହୋଷ୍ଟେସ୍‌ର ଫଟୋ ଉଠାଇବାର ଅଦମ୍ୟ ଲାଳସାକୁ ବାତିଲ କରିବା ଦିଗରେ ଏହା ଏକ ହ୍ୟାଜି-ପ୍ରୟାସ ନୁହେଁ ତ ?

ଏୟାର ହୋଷ୍ଟେସ୍‌ ତାଙ୍କ ଆଡେ ଅନାଇ ହସୁଥିଲେ । ସିମ୍ରନ ପଚାରିଲା – ଏମାନେ ଏତେ ବେଶୀ ପ୍ଳିଜେଣ୍ଟ୍‌ ହେଇ ଥକି ଯାଆନ୍ତି ନି ?

– ତୁ ଟମ ଏଣ୍ଡ ଜେରୀ ଦେଖି ଥକୁଛୁ କି ?

– କିନ୍ତୁ ମୁଁ କଣ କରୁଛି , ମୁଁ ତା କେବଳ ଦେଖୁଛି ।

– ତୁ ଖାଲି ଦେଖୁନୁ, ବୁଝୁଛୁ ଏବଂ ଉପଭୋଗ ବି କରୁଛୁ ।

– ସୋ ?

– କଥା ହେଲା ଏଥିପାଇଁ ଲୋଡ଼ା ଏକାଗ୍ରତା, ଅଥଚ ସେଥିପାଇଁ ନିୟୋଜିତ ହେଉଥିବା ଶ୍ରମ ରହୁଛି ଅଦୃଶ୍ୟ – ଯେହେତୁ ଦେଖିବାର ଆନନ୍ଦ ତାକୁ ଊହ୍ୟ ରଖୁଛି ।

– କିନ୍ତୁ ଏମାନଙ୍କ ଆନନ୍ଦ କ’ଣ ?

– ଯେତେବେଳେ ସାରା ପୃଥିବୀଟା ଅନ୍‌ପ୍ଳିଜାଣ୍ଟ୍‌ ଲୋକରେ ଭରା, ସେ ଭିତରେ ଆମେ ପ୍ଳିଜାଣ୍ଟ ହୋଇ ପାରିଛୁ – ଅନ୍ତତଃ ପେଶ୍‌ ହୋଇ ପାରିଛୁ – ଏଇ ଭଳି ଏକ ଉପଲବ୍ଧିରେ ଆନନ୍ଦ ।

– ମୁଁ କିଛି ବୁଝି ପାରିଲିନି । ଆଚ୍ଛା ତୁମେ ଏଇ ନବ୍‌ଟା ଘୂରେଇଛ । ଏଆଇଟିଆ ଘୂରାଇଲେ ହାଲକା ହାଲକା ହାୱା ବାହାରେ ।

ମୁଁ ଭାବିଲି ଟିକିଝିଅ ସିମ୍ରନ ଭି ହାୱାଭଳି କେବେ ସ୍ଥିର ତ କେବେ ଚଳଚଞ୍ଚଳ । କେବେ ଉଷ୍ମ ତ କେବେ ଶୀତଳ । କେବେ ଧୀର ପବନ ତ କେବେ ଝଡ଼ ।

ଗୌହାଟୀ ପହଞ୍ଚି ସାରିଥିଲି । ଯେହେତୁ ମା’ଙ୍କ ଦର୍ଶନ ଥିଲା ମୁଖ୍ୟ । ଆମକୁ ହୋଟେଲ ଯୋଗାଡ଼ କରିଥିବା କାର୍‌ରେ ଆମେ ଯାତ୍ରା ଆରମ୍ଭ କଲୁ । ପ୍ରଥମ ଧକ୍କା ପାଇଲି ଯେତେବେଳେ ଡ୍ରାଇଭର କହିଲା – ତା ନାଁ ‘ହଲିମ୍‌’ – ଏ ତା ଅଜଣା ଜାଗା, ଅଜଣା ଲୋକ ଶେଷରେ ମିଆଁ ଡ୍ରାଇଭର । ୟେ କୌଣସି ଉଳଫାର ଲୋକ ନୁହେଁ ତ ! ମନରେ ପଶିଲା ଆତଙ୍କ । ଗାଡି ଅବଶ୍ୟ ସେ ଖୁବ ଦକ୍ଷତାର ସହ ଚଲଉଥାଏ । ହୁଏତ ଗୁଳି ବି କରିବ ଦକ୍ଷତା ସହ !

– ଆଜ୍ଞା ମା’ଙ୍କ ମନ୍ଦିର ସଂଲଗ୍ନ ରହିଛି ଏକ ଭୈରବ ମନ୍ଦିର, କହିଲା ହଲିମ୍‌ ।

– ସେଇ ରାସ୍ତାଟା ଆଜିକାଲି ପୁଲିସ ବନ୍ଦ କରି ରଖିଚି ।

-କାହିଁକି ।

– ସାର୍‌ ସେଠାକୁ ଯାଉଥିବା ….ଯାତ୍ରୀ ଆଉ ଫେରୁ ନାହାନ୍ତି !

– କାରଣ କଣ ? ସେଠି କଣ ଉଲ୍‌ଫା ମାତିଛି ।

– ନାଇଁ ଆଜ୍ଞା – ସବୁ ସେଇ ଭଗବାନଙ୍କ ଲୀଳା ଖେଳା !

ଆଶ୍ଚର୍ଯ୍ୟ ଲାଗିଲା – ୟାର ହିନ୍ଦୁ ଦେବଦେବୀଙ୍କ ପ୍ରତି ରହିଛି ଏତେ ବିଶ୍ବାସ । ଆମେ ଗୋଟିଏ ଜାଗାରେ ଚପଲ ରଖି ମନ୍ଦିର ପ୍ରାଙ୍ଗଣରେ ପ୍ରବେଶ କଲୁ । ପ୍ରଶସ୍ତ ପ୍ରାଙ୍ଗଣ । ସ୍ୱଚ୍ଛନ୍ଦରେ ଖେଳୁଛନ୍ତି ମାଙ୍କଡ଼ । ବୁଲୁଛନ୍ତି ମେଣ୍ଢା । ଏବଂ ଅନେକ ପାରା ବି । ସେଦିନ ଥାଏ ଶନି-ଅମାବାସ୍ୟା । ଅତଏବ ଭିଡ ଥାଏ ଅପ୍ରତିରୋଧ । କଳିଙ୍ଗନଗରୀ ବନ୍ଧୁ କଥା ମାନେ ପଡିଲା । ଏମାନେ ପାରାବେଶୀ ନିରୁଦ୍ଧିଷ୍ଟ ଓଡ଼ିଆ ଯୁବକ ନୁହନ୍ତି ତ !

ଆମକୁ ଗାଇଡ଼ କରୁଥିବା ପବିତ୍ର ଦର୍ଶନ ନନା କହିଲେ – ଏଇଠି ଶହେ ଟଙ୍କିଆ ଲାଇନ୍‌ରେ ଛିଡ଼ା ହୁଅ – ଏବେ ଅନେକ ସମୟ ଲାଗିବ – ମୁଁ ଭିତରେ ଆସି ପୂଜା କରିଦେବି ।

ଅଗତ୍ୟା ଆମେ ସମସ୍ତେ ଛିଡାହେଲୁ । ମୁଁ, ସିମ୍ରନ, ଜୟଶ୍ରୀ । ସିମ୍ରନର ଅବଶ୍ୟ ଛିଡ଼ା ହେବାଟା ଥିଲା କେବଳ ସାଙ୍କେତିକ । ଯେହେତୁ ଆଧିକାଂଶ ସମୟ ସେ ଲାଇନ୍‌ ଛାଡି – ଛୋଟ ଶିଶୁ, ମାଙ୍କଡ଼ ଏବଂ ଅନ୍ୟାନ୍ୟ ଗତିଶୀଳ ଜନ୍ତୁ ପ୍ରତି ଧ୍ୟାନ ଦେଉଥାଏ ।

ଅବଶେଷରେ ଆମେ ଗେଟ୍‌ ଭିତରେ ପ୍ରବେଶ କଲୁ । ସାଧାରଣ ଲାଇନ୍‌ରେ ପ୍ରାୟ ତିନି ହଜାର ଭିଡ଼ । ଶହେ ଟଙ୍କିଆ ଲାଇନ୍‌ ରେ ପ୍ରାୟ ପାଞ୍ଚ ଶହ ଲୋକ । ଏତେ ଅନତିପ୍ରସ୍ତର କରିଡୋର୍‌ । କେବଳ ଜଣେ ଛିଡ଼ା ହେବା ଭଳି ଲାଇନ୍‌ । ତା ଭିତରେ ମା’କ୍ଷୀର ପାୟୀ କାଖସ୍ଥ ଶିଶୁ । … ବାଡ଼ି ଆଶ୍ରୟୀ ବୃଦ୍ଧ । ଗୋଟିଏ ସାହାସ ଥାଏ, ଯଦି ଏମାନେ ଏଠି ଠିଆ ହେବାର ସାହସ ସଞ୍ଚୟ କରିଛନ୍ତି – ମୁଁ ତ ଯୁବକ ! କିନ୍ତୁ ହାୟ ଯୁବକ ହେବାଟା ବୋଧେ ଯଥେଷ୍ଟ ନ ଥିଲା ! ଲୋଡ଼ା ଥିଲା ଆଶୀର୍ବାଦ ଏବଂ ଦମ୍ଭ ।

ହଠାତ୍‌ ମୋତେ ଲାଗିଲା ଯେମିତି ମୁଁ ଏକ ରୁଦ୍ଧଦ୍ୱାରରେ ବନ୍ଦୀ । ଏବଂ ମୋର ମୁକ୍ତି ଅସମ୍ଭବ । ଗେଟ୍‌ରେ ଏକ ରାକ୍ଷସଜାତୀୟ ତାଲା ଟିଏ ପକାଇ ସିକ୍ୟୁରିଟି ଗାର୍ଡ ଗାଏବ ହୋଇ ଯାଇଥାଏ । ମୁଁ ଆଉ ସମ୍ଭାଳି ନ ପାରି ପାଟିକଲି ।

– ଦ୍ୱାର ଖୋଲ ।

– ପୁଣି ଥରେ -“ଦ୍ୱାର ଖୋଲ” ସେତେବେଳେ ଦେଖିଲି ଗାର୍ଡଟି ଅନ୍ୟ ଏକ ଲାଇନ ରେ ପଶି ସ୍ତନ୍ୟପାୟୀ ଶିଶୁକୁ ପାଣି ଦେଉଛି । ତାକୁ ମୁଁ ଇଶାରା କଲି । ସେ ଶୁଣିଲା ବୋଲି ମନେ ହେଲା । ମା ‘ ମୋ କଥା ଶୁଣିଲେ । ସେ ସେପଟୁ ଆସି ଦ୍ୱାର ଖୋଲିଦେଲା । ମୁଁ ଓ ସିମ୍ରନ ବାହାରି ଆସିଲୁ । କିନ୍ତୁ ଜୟଶ୍ରୀ ସ୍ଥିର କରି ସାରିଥିଲେ ଯେ ସେ ଲାଇନ୍‌ ରେ ରହିବେ ବୋଲି । ଧନ୍ୟ ତାଙ୍କ ଦମ୍ଭ ।

ଆମେ ବାହାରି ଆସିଲୁ । କିନ୍ତୁ ମା’ଙ୍କ ଦର୍ଶନ ତା କରିବାକୁ ପଡ଼ିବ । ସେଥିପାଇଁ ତ ଆସିଛି ଏତେ ଦୂରରୁ । ମୋ ମନରେ କଣ ଏତିକି ଭକ୍ତି ଏତିକି ଦମ୍ଭ ହବନି ମା ‘ । ମୁଁ ଆଖି ବୁଜିଦେଲି । ଜଣେ ନନା ଆଶି କହିଲେ ଏକ ଡାଇରେକ୍ଟ ଲାଇନ ଆସିଛି , ପାଞ୍ଚ ଶହ ଟଙ୍କାରେ । ତଥାପି ଭିଡ ଦେଖିନେଇ ଟିକଟ୍‌ କର । ସେ ଖୁବ ନିଃସ୍ୱାର୍ଥପର ଭାବରେ ମୋତେ ଓ ସିମ୍ରନକୁ ସେଇ ଲାଇନ ଦେଖାଇବାକୁ ନେଇଗଲେ । ଦଶ ବାର ଜଣଙ୍କ ଭିଡ ଥିଲା ମାତ୍ର …

ଆମେ ଲାଇନ୍‌ରେ ଠିଆ ହେଲୁ । ସିମ୍ରନ ଆଗରେ । ମୁଁ ପଛରେ । ପୁଣିଥରେ ଗେଟ୍‌ ବନ୍ଦ ହେଲା । ତାଲା ବି ମରାହେଲା । ପୁଣିଥରେ ମୋତେ ଲାଗିଲା ମୁଁ କାଉ ଏକ ଗୁମ୍ଫାରେ ବନ୍ଦୀ ଓ ଏଠାରୁ ମୁକ୍ତି ନାହିଁ । କେତେ ସମୟ ରହିବାକୁ ପଡିବ ୟା ଭିତରେ ? ମୁଁ ନିଜକୁ ସମ୍ଭାଳିପାରିବି ତ ? ମୁଣ୍ଡ ଭିତରଟା ପ୍ରାୟ ଶୂନ ହୋଇଯାଉଛି ? ମୁଁ ଯଦି ଏ ଭିଡ ଭିତରେ ସଂଜ୍ଞାହୀନ ହୋଇଯାଏ – ସିମ୍ରନର କଣ ହେବ – ହେ ମା’ ହେ ଜଗତ ଜନନୀ । ମୋତେ ରକ୍ଷା କର । ଦଶମିନିଟ୍‌ ପରେ ଲାଇନ୍‌ ଆଗକୁ ବଢ଼ିଲା । ଜୟଶ୍ରୀ ପାଖରେ ମୋବାଇଲ୍‌ ବି ତା ନାହିଁ । ଯଦି ହଜିଯିବ । କେମିତି ଖୋଜିବି ? ଏଠି ଯଦି ଉଲ୍‌ଫା ବମ୍‌ ରଖିଥିବ ! ନା ! ମା ଙ୍କ କରୁଣା ଓ ଶକ୍ତି ସାମ୍ନାରେ ସହସ୍ର ଉଲଫା ବେକାର । ହେଲେ ୟା ଭିତରେ ଯଦି ଲାଇଟ ଚାଲିଯାଏ ଏବଂ ସତରେ ହେଲା ପାୱାର କଟ୍‌ । ମୁଁ ସିମ୍ରନର ହାତ ଧରିଥାଏ । ମା’ଙ୍କ ପାୱାର ସାମ୍ନାରେ ଆସାମ ଇଲେକ୍ଟ୍ରିକାଲ ବୋର୍ଡ ର ଅସ୍ତିତ୍ୱ କ’ଣ । ଏଇଆ ଭାବି ଚୁପ ରହିଲି । ତଥାପି ଦେହ ଭିତରଟା ଶିହରି ଯାଉଥାଏ । ମୁଁ କଣ ଡରୁଛି ! କାହାକୁ ? ସିମ୍ରନ ରକ୍ଷା ମୋର ଦାଇତ୍ୱ – ମୁଁ ଏତେ ଦୁର୍ବଳ ହେଲେ ଚଳିବ ? ଏମିତି ଭାବୁ ଭାବୁ ଆମେ ପୀଠ ପର୍ଯ୍ୟନ୍ତ ଅବତରିତ ହେଲୁ । ଆଃ ଇଏ ତା ହେଲେ ମା’ଙ୍କ ପାବନ ସଲୀଳ । ମୁଁ ହାତରେ ପାଣି ସ୍ପର୍ଶ କଲି । ସିମ୍ରନ କଲା । ଏବଂ ସିଂହଦ୍ୱାର ବାଟେ ଯିବା ବେଳକୁ ଏକ ଅଦ୍ଭୁତ ଶାନ୍ତି ମନରେ ଚହଟି ଗଲା । ଆମେ କେତେବେଳେ ଓ କେତେ ନିଷ୍କ୍ରାନ୍ତ ହେଲୁ ପ୍ରାୟ ଜଣା ପଡ଼ିଲାନି ।

– ହେଲେ ଜୟଶ୍ରୀ କାହାନ୍ତି ସେ ତ ସେଇ ଭିଡ଼ ଲାଇନ୍‌ ରେ ଥିଲେ ।

– ଦଶ ମିନିଟ୍‌ – କୋଡିଏ ମିନିଟ୍‌ ହୋଇ ଅତିକ୍ରାନ୍ତ ହେଲା ଘଣ୍ଟେ । ୟା ପରେ ପ୍ରତ୍ୟେକ ମୁହୂର୍ତ୍ତ ଦୁର୍ବିସହ ହୋଇ ପଡିଲା । ଏକ ଏକ ସେକେଣ୍ଡ ଏକ ଏକ ଟନ୍‌ ବୋଝ ସଦୃଶ ପ୍ରତୀୟମାନ ହେଲା । ଜୟଶ୍ରୀ ଭିଡ ଭିତରେ ହଜି ନାହାନ୍ତି ତ ! ସେନ୍ସଲେସ୍‌ ହୋଇ ନାହାନ୍ତି ତ ! ହୋଇଥିଲେ କଣ କରିବି । ଏଠି ଆନାଉନ୍‌ସମେଣ୍ଟ୍‌ ବି ତା ଠିକ ଶୁଣାଯାଉ ନାହିଁ ।

– ସିମ୍ରନ କଥାରେ ଥାଏ ସ୍ପୃର୍ତ୍ତି ଆଉ ତେଜ । ହେଲେ ତା ଆଖି ଥିଲା ଉଦାସୀନ । ସେ ଓଲଟା ମତେ ସାହସ ଦେଲା-ମମ୍ମି ଆସିଯିବେ…

ଶେଷରେ ସେ କହିଲା

-ମମ୍ମିକୁ ଆଣ –

ୟା’ପରେ ମୋର ଧୈର୍ଯ୍ୟ ପ୍ରାୟ ସୀମା ଅତିକ୍ରମ କରିସାରିଥିଲା ।

ନନା ଠାରେ ଆସି କହିଥିଲେ ଯେ ଜୟାଶ୍ରୀକୁ ଭିତରେ ଦେଖିଛନ୍ତି ବୋଲି । ହେଲେ ମୋତେ ବିଶ୍ୱାସହେଲାଣି । ଯଦିଓ ମୋର ଅବିଶ୍ୱାସ କରିବାର କାରଣ ନ ଥିଲା ।

ଏମିତି ଅବିଶ୍ରାନ୍ତ ଅପେକ୍ଷା ପରେ – ମା’ଙ୍କ ଅବିଶ୍ରାନ୍ତ ମନ୍ତ୍ର ଗାଇଲା ପରେ – ଏକ ଏକ ମୁହୂର୍ତ୍ତ – ଲୁହାଭଳି କାଟିଲା ପରେ, ହଠାତ୍‌ ସିମ୍ରନ ଉଠିପଡ଼ି ପାଟିକଲା ।

“ହେଇ ମମ୍ମି !”

ମୁଁ ମନାସିଲି – ଏ ମୁହୂତ୍ତରେ ଏଇଟା ମଜାକ ନ ହେଉ । ଦି ଘଣ୍ଟା କାଳ ଗେଟ୍‌ ନିଃସୃତ ପ୍ରେତ୍ୟେକ ବ୍ୟକ୍ତି ମଧ୍ୟରେ ଜୟାଶ୍ରୀଙ୍କୁ ଖୋଜିଥିଲି । କେବେ ଡ୍ରେସ୍‌ରେ ତ କେବେ କେଶ ବିନ୍ୟାସରେ । ହେଲେ ସମସ୍ତଙ୍କ ମୁହଁ ସଦୃଶ୍ୟ ହେଲା ବେଳକୁ ଦେଖାଯାଉଥିଲା ଅଜଣା ବ୍ୟକ୍ତିଟିଏ ! ତାନ୍ତ୍ରିକ ଟିଏ ପାରା କି ମେଣ୍ଢା ଜାଗାରେ ଯଦି କେବଳ ଭିନ୍ନରୂପୀ ମଣିଷଟି ବନାଇ ଦିଏ ? ହେ ଭଗବାନ ! ଏତେ ଲେଟ୍‌ କେହି କରେ ? ପୁଣିଥରେ ଓଜନିଆ ଆଖିରେ ଦୃଷ୍ଟି ଫେରାଇ ଆଣିଲି ଗେଟ୍‌ ଆଡୁ । ଆରେ ୟେ ତ ଜୟଶ୍ରୀ – ମୁଖମଣ୍ଡଳରେ ଜମାଟ ବାନ୍ଧିଥିଲା ଶାନ୍ତି ସ୍ନାତ ଅନୁକମ୍ପା ! ମା’ଙ୍କ ଅନୁକମ୍ପାରଇ କଉଛି ନେଇ ଆସିଥିଲେ ମୋ ପାଇଁ ଏତେ କଷ୍ଟ ସହିଥିବା ହେତୁ , ଆଉ ଆଣିଥିଲେ ପଣତଭରା ମା’ଙ୍କ ପବିତ୍ର ପାଣି । ସେଥିରେ ପୋଛିଦେଲେ ମୋ ମୁହଁ, ଆଖି ଏବଂ କପାଳ ।

ହଠାତ୍‌ ଉଭୟେ କୋହ ରୋକି ନ ପାରି କାନ୍ଦି ପକାଇଲୁ । ସିମ୍ରନ ଆହତ ହେଲା । କହିଲା – ଏବେ ଆଉ କାନ୍ଦିବାର କଣ ଅଛି ! ଭାବିଲି ଭଗବାନ କାନ୍ଦାତା ଦେଇ ନ ଥିଲେ ମଣିଷ କଣ କରନ୍ତା ! ମାଙ୍କ ଶେଷ ପୂଜା ବାକି ଥିଲା । ନଡ଼ିଆ, ଫୁଲ ଏବଂ ଅଗରବାଟିରେ ପୂଜା ହେବ ବୋଲି ନାନା କହିଲେ ଠିକ୍‌ ମନ୍ଦିର ବାହାରେ ।

ନଡ଼ିଆ ଫଟାଇବା ପରେ ସେଥିରୁ ବାହାରିଲା ଏକ ଫୁଲ । ଏହା ମା ତାରିଣୀଙ୍କ କରୁଣା ବୋଲି ନନା କହିଲେ । ପ୍ରାୟ ଦଶଟି ଧୂପକାଠିରେ ନିଆଁ ଲଗାଇ, ଲିଭାଇବାକୁ ଚେଷ୍ଟାକଳାରୁ – ନିଆଁ ସେମିତି ହୁତ୍‌ହୁତ୍‌ ହୋଇ ଜାଳି ଚାଲିଲା । ଲିଭାଇବାରେ ସମସ୍ତ ଚେଷ୍ଟା ବ୍ୟର୍ଥ ହେଲା । ଜୟଶ୍ରୀ କହିଲେ ମା’ ଚାହୁଁଛନ୍ତି ଧୁପକାଠିଟା ପୂରା ଜଳିଯାଇ ସମର୍ପିତ ହେଉ ।

ନାନା ମନ୍ତ୍ରୋଚ୍ଚାରଣ ବେଳେ ଦିଶୁଥିଲେ ପବିତ୍ର – ଦେବୋପମ । ଆମେ ସାଷ୍ଟାଙ୍ଗ ପ୍ରଣାମ କରି ଆଶୀର୍ବାଦ ନେଲୁ ।

ଏ ଭିତରେ ପାଞ୍ଚ ଘଣ୍ଟା ବିତିଯାଇଥିଲା । ଭାବିଲି ମିଆଁ ଡ୍ରାଇଭର ନିହାତି ରାଗରେ ଗରଗର ହେଉଥିବ । ଯେହେତୁ କେବଳ ଦି ଘଣ୍ଟାର କଥା ହେଇଥିଲା । ଖାଇ ବି ନ ଥିବ !

କହିଲି – ଅନେକ ଭିଡିଥିଲା – ଡେରି ହୋଇଗଲା – ଏବଂ ‘ଓଃ’ କହି ଭାରି ପଦପାଦତରେ ଚାଲିଲି – ଏମିତି ଚାଲିବାର ଅର୍ଥ କେବଳ ମିଆଁ ନୁହଁ ସମଗ୍ର ପ୍ରକୃତିର ମୁଁ ଅନୁକମ୍ପାର ପାତ୍ର ।

ହଲିମ୍‌ ମିଆଁ କହିଲା “ଡେରି କଥା ଛାଡ଼ନ୍ତୁ – ଆପଣଙ୍କ ଭାଗ୍ୟ – ମା’ଙ୍କ ଦର୍ଶନ ହୋଇଗଲା – ସେଇଟା ବଡ଼ କଥା ” । ମାଁ ତୁଝେ ସଲାମ୍‌ । ଗୌହାଟୀ ତୁଝେ ସଲାମ୍‌ ।

ଓଁ କାମାକ୍ଷା ଦେବୈ ନମଃ । ଓଁ କାମାକ୍ଷା ଦେବୈ ନମଃ ।
ଓଁ କାମାକ୍ଷା ଦେବୈ ନମଃ । ଓଁ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top