ଗଳ୍ପ

କାନଫୁଲ

T.Durga Prasad Rao's odia Story Kaanaphula

କେଶ ବିଛୁରିତ, ପୋଷାକ ଅସ୍ତବ୍ୟସ୍ତ, ଶୂନ୍ୟ କଚି, ସର୍ବୋପରି ଚାହାଣୀ ତାର ଉଦାସ ଉଦାସ । ମୁଁ ଭାବିଲି ଝଡ଼ର ସାମ୍ନା କରି ଆସିଛି ତ, ତେଣୁ ଥକି ପଡ଼ିଥିବ ।

କାନଫୁଲ

ଟେବୁଲ୍ ଉପରୁ କାଚର ଫୁଲଦାନୀ ଖସି ତଳେ ପଡ଼ି ଝଣ ଝାଣ ହୋଇ ଭାଙ୍ଗିଗଲା । ଲଳିତ ଚମକି ପଡ଼ି ଟେବୁଲର ନିକଟବର୍ତ୍ତୀ ହେଲା । ସନ୍ଧ୍ୟାରୁ ଲାଗି ରହିଛି ଝଡ଼ର ପ୍ରକୋପ । ଥମିବାର ନାମ ଧରୁନାହିଁ । ପାଣିପାଗ ବିଭାଗକୁ ଚକ୍ମା ଦେଇ ପବନର ବେଗ ବେଳକୁ ବେଳ ବଢ଼ି ଚାଲିଛି । ତା ସହିତ ବର୍ଷାର ଅକଥନୀୟ ଅତ୍ୟାଚାର ତାର ସହର ଉପରେ । ଲଳିତ ଆଜି ଉପାୟଶୂନ୍ୟ । ଡିନର ମଧ୍ୟ ହୋଇପାରିଲା ନା ହିଁ। ବ୍ରେଡ୍ ଆଉ ଜାମ୍‌ରେ ଚଳେଇବାକୁ ପଡ଼ିଛି । କଣ କରିବ ? ଏକୁଟିଆ ଲୋକ । ହୋଟେଲ୍ ଉପରେ ନିର୍ଭର । ଆଉ ତା ପରି ହୋଟେଲ୍ ଉପରେ ନିର୍ଭର ସବୁ ସିଙ୍ଗଲ୍‌ମାନଙ୍କର ଆଜି ଉପବାସ । କିଏ କହିବ, ସକାଳକୁ ଝଡ଼ କମିବ କି ନା । ଝରକା କାଚ ଦେଇ ଲଳିତ ବାହାରକୁ ଚାହିଁଲା । ରାସ୍ତା ଉପରେ ଫୁଟେ ସରିକି ପାଣି । ସେଥିରେ ପୁଣି ବଢ଼ି ନଈ ପରି ସୁଅ । ରାସ୍ତା ଚାଲିବା ମୁସ୍କିଲ୍ । ଅନ୍ଧାର ନିର୍ଜନ ରାସ୍ତାଟାରେ ଲଳିତ କ୍ଷଣିକ୍ଷଣିକ ବିଜୁଳି ଆଲୁଅରେ ଚାହିଁଲା କିଏ ଜଣେ ଯୁବତୀ ଓଦା ସର ସର ଦେହରେ, ମୁଣ୍ଡ ଉପରେ ଚୁନି ଉଠାଇ ଲମ୍ବା ଲମ୍ବା ପାହୁଣ୍ଡ ପକାଇ ଆଗେଇଛି । ଲଳିତ ବୁଝିପାରିଲା ନାହିଁ ଏତେ ବର୍ଷା ଅନ୍ଧାରରେ ଯୁବତୀର କଣ ଏମିତି ଆବଶ୍ୟକତା ପଡ଼ିଲା ଯେ ବର୍ଷା ପବନକୁ ଖାତିର ନ କରି ଚାଲିଛି ! ଲଳିତ ସେ ଆଡ଼ୁ ଦୃଷ୍ଟି ଫେରାଇ ଭଙ୍ଗା ଫୁଲଦାନୀକୁ ଚାହିଁଲା । ଏଇଆକୁ ଉଠେଇବାକୁ ହେବ । ନଚେତ୍ ତାର ଯୋଉ ବେଖାତିର ଭାବ, କେତେବେଳେ ଗୋଡ଼ରେ କାଚଖଣ୍ଡଟେ ଗଳିଯିବ କହି ହେବନି । ଲଳିତ ଏଣେ ତେଣେ ଦୃଷ୍ଟି ନିକ୍ଷେପ କରି ମୋବାଇଲ୍‌ର ସ୍ୱଳ୍ପ ଆଲୋକରେ ଝାଡ଼ୁ ଖୋଜି ସେତକ ସଫା କରିବାରେ ଲାଗିଲା।

ଆଃ… ହେଲ୍ପ… ବାହାରୁ ଏକ କ୍ଷୀଣ ସ୍ୱର । ବର୍ଷା ପବନରେ ଠିକ୍ ଭାବରେ ଠଉରାଇ ପାରୁନାହିଁ ଲଳିତ । ସତରେ କଣ କେହି ଅସୁବିଧାରେ ପଡ଼ିଲା ନା କଣ ? ଲଳିତ ପୁଣି ଥରେ ଚାହିଁଲା ଝରକା କାଚ ଦେଇ । ନା, କେହି ତ ନଜରକୁ ଆସୁନାହାନ୍ତି ନା ଅନ୍ଧାରରେ କିଛି ବୁଝିବା ମୁସ୍କିଲ୍ ହେଉଛି ? ଲଳିତ ଦରଜା ଖୋଲିବାକୁ ଚେଷ୍ଟା କଲା । ଦେଖିଲା, ପବନର ବେଗରେ ସେ ଦରଜା ଧରି ରଖିବାରେ ଅସମର୍ଥ । କଷ୍ଟେମଷ୍ଟେ ଦରଜା ବନ୍ଦ କଲା ଲଳିତ । ପୁଣି ଥରେ ଝରକା କାଚ ଦେଇ ଚାହିଁଲା ବାହାରକୁ । ରାସ୍ତା ଶୁନ୍‌ଶାନ୍। ଦରଜା ଧଡ଼ ଧଡ଼ ହେଲା । ପବନର ବେଗ ବଢ଼ିଛି ବୋଧେ । ଭୁସ୍‌ଭାସ୍ ହୋଇ କେଉଁଠି କିଛି ଗଛ କି କଣ ଭୁଇଁରେ ପଡ଼ିଲା । ଲଳିତ ବିଶେଷ ଧ୍ୟାନ ନ ଦେଇ ଶଯ୍ୟାକୁ ଗଲା ।

ହଠାତ୍ କାହାର ସୁଁ ସୁଁ କାନ୍ଦରେ ଲଳିତର ନିଦ ଭାଙ୍ଗିଗଲା । ଶଯ୍ୟା ଉପରେ ଉଠି ବସିଲା ଲଳିତ । ମୋବାଇଲ୍ ଦେଖିଲା । ରାତି ବାରଟା ବାଜିଛି । ମୋବାଇଲ୍‌ଟର୍ଚ୍ଚ୍ ଆଲୋକରେ ଚାରିଆଡ଼େ ଚାହିଁଲା । ଝଡ଼ ବର୍ଷା ବୋଧହୁଏ ଟିକିଏ କମିଛି । ଝରକା କାଚରେ କାହାର ଛାଇ । ଝରକାକୁ ଆଉଜି କିଏ ଯେମିତି ଠିଆ ହୋଇଛି । ଉନ୍ମୁକ୍ତ କେଶା ନାରୀଟିଏ ପରି ମନେ ହେଉଛି । ଏତେ ରାତିରେ ! ଲଳିତ ଅପେକ୍ଷା କଲା । ଛାୟାଟି ଅପସରି ଗଲା । କାନ୍ଦଣା ବି ବନ୍ଦ ହୋଇଗଲା । ଲଳିତ ଭାବୁଥିଲା, ସେ ଠିକ୍ ଦେଖିଲା ତ ! ଠିକ୍ ଶୁଣିଛି ତ !

ଲଳିତ ଏ ସହରକୁ ବଦଳି ହୋଇ ଆସି ମାତ୍ର ତିନି ମାସ ହୋଇଛି । ଏ ପର୍ଯ୍ୟନ୍ତ ସହର ଉପରେ ତାର ସଠିକ୍ ଧାରଣା ମଧ୍ୟ ହୋଇ ପାରିନାହିଁ । ପ୍ରଥମ ଦଶଦିନ ତାର ଜଣେ ସହକର୍ମୀ ସହ ଏକତ୍ର ରହଣୀ ପରେ ଏ କ୍ୱାର୍ଟର ତାକୁ ମିଳିଛି । ସହରର ଗୋଟିଏ କୋଣରେ । ଏପଟେ ଜନ ସମାଗମ ଖୁବ୍ କମ୍ । ମୁଖ୍ୟ ରାସ୍ତାଠାରୁ ଅନେକ ଦୂରରେ ତାର କ୍ୱାର୍ଟର । ଆଉ ତାର ଅଫିସ୍ ମୁଖ୍ୟ ରାସ୍ତା କଡ଼ରେ । ଲଳିତକୁ ପାଖା ପାଖି ଚାରି କିଲୋମିଟର ବାଇକ୍‌ରେ ଯିବାକୁ ହୁଏ ତାର ଅଫିସ୍‌ରେ ପହଞ୍ଚିବା ପାଇଁ । ତା କ୍ୱାର୍ଟର କୁ ଲାଗି ଦୁଇଟା କ୍ୱାର୍ଟର ଖାଲି ପଡ଼ିଛି । ସାମ୍ନାରେ ରାସ୍ତା ଆର ପାଖରେ ଅନତିବୃହତ୍ ଅବ୍ୟବହୃତ ଖେଳପଡ଼ିଆ । ଖେଳପଡ଼ିଆ ଆରପଟେ ଛୋଟ ଏକ ବସ୍ତି । ସେଇ ବସ୍ତିର ପିଲାମାନେ କାଁ ଭାଁ କେତେବେଳେ ପଡ଼ିଆରେ ଖେଳାଖେଳି କରନ୍ତି । ଖେଳପଡ଼ିଆକୁ ଲାଗି ବାଁ ପଟେ ଏକ ଅର୍ଦ୍ଧନିର୍ମିତ ପରିତ୍ୟକ୍ତ କଳ ଘର । ଡାହାଣ ପଟେ ଆଉ କେତୋଟି ଡି-ଟାଇପ୍ କ୍ୱାର୍ଟର । ବାସ୍, ଲଳିତର ପରିବେଶ କହିଲେ ଏତିକି । ଝରକା ଅବା ଦରଜା ଖୋଲିଲେ ଚିରାଚରିତ ଭାବେ ନିଜ ଅନିଚ୍ଛା ସତ୍ୱେ ସେ ଏଇତକ ଦେଖେ ।

ଲଳିତର ଦିନଟି କାର୍ଯ୍ୟବ୍ୟସ୍ତତା ଭିତରେ ସୁରୁଖୁରୁରେ କଟିଯାଏ । ସନ୍ଧ୍ୟା ସମୟ କଟିଯାଏ ବନ୍ଧୁମାନଙ୍କ ସହ ବିଭିନ୍ନ ପ୍ରକାର ଆଳାପ ଆଲୋଚନାରେ । କେବଳ ରାତିଟା ଯାହା ଲଳିତକୁ ଭାରି ବିଷମ ମନେ ହୁଏ । ରାତ୍ରି ଭୋଜନ ସାରି ଲଳିତ ଯେତେବେଳେ କ୍ୱାର୍ଟରକୁ ଫେରେ ମନଟା ତାର ବିଷର୍ଣ୍ଣ ହୋଇଯାଏ । ଏକା ଏକା ଲାଗେ । ନିଜର ଏକାକିତ୍ୱକୁ ଏଡ଼େଇବାକୁ ଯାଇ ଲଳିତ ବହି ପଢ଼େ । ରହସ୍ୟମୟ କଥା, ଉପନ୍ୟାସ । କିଛି ହରର୍, କିଛି କ୍ରାଇମ୍ । ସେଇସବୁ ଉପନ୍ୟାସ ପଢ଼ି ପଢ଼ି ଆଜିକାଲି ଲଳିତ ସମସ୍ତଙ୍କୁ ସନ୍ଦେହ ଚକ୍ଷୁରେ ଦେଖେ । ତାକୁ ଲାଗେ ନିତି ପ୍ରତି ତା ଚାରିପଟରେ କିଛି ନା କିଛି ଅଘଟଣ ଘଟୁଛି । ଜଣେ ଡିଟେକ୍ଟିଭ୍ ପରି ତାର ଷଷ୍ଠ ଇନ୍ଦ୍ରିୟ ଖୁବ୍ କାମ କରେ ବୋଲି ତାର ଧାରଣା । ଝରକା କାଚ ସେପଟୁ ରାସ୍ତା ଉପରକୁ ଲକ୍ଷ୍ୟ କରେ ପ୍ରତି ଯିବା ଆସିବା ମଣିଷକୁ । ମନରେ ଆଙ୍କେ ସେମାନଙ୍କର ଚରିତ୍ର ବିଷୟରେ ଏକ ଧାରଣା । କଣ୍ଡୁରି ଚରଣ ଦାସଙ୍କ ଉପନ୍ୟାସର ସତ୍ୟବ୍ରତ ଚରିତ୍ର ବୋଲି ନିଜକୁ ମନେ କରେ ଲଳିତ ।

ଛାୟାର କାନ୍ଦଣା ଶବ୍ଦ ବନ୍ଦ ହେବା ସହ ବିଜୁଳି ଆସି ଯାଇଥିଲା । ଛୋଟ କକ୍ଷଟି ଉଦ୍ଭାସିତ ହୋଇଉଠିଲା ବିଜୁଳି ଆଲୋକରେ । ପଙ୍ଖାଟି ଖୁବ୍ ଜୋର୍‌ରେ ଘୁରିବାକୁ ଲାଗିଲା ଲଳିତର ଭ୍ରମିତ ମନ ପରି । ଲଳିତ ନିଜର ଭ୍ରମ ସଂଶୋଧନ କଲା । ଶଯ୍ୟା ଉପରୁ ଉଠାଇ ନେଲା କଣ୍ଡୁରି ଚରଣଙ୍କ ଉପନ୍ୟାସ ବହି ରାତ୍ରିର କ୍ରନ୍ଦସି । ହସିଲା ଟିକିଏ ମନେ ମନେ । ତାପରେ ଲାଇଟ୍ ଅଫ୍ କରି ଶୋଇ ପଡ଼ିଲା ନିଘୋଡ଼ ନିଦରେ ।

ସକାଳୁ ସକାଳୁ ଭୋକ ପ୍ରବଳ । ଲଳିତ ବ୍ରସ୍ କରି ଗାଧୁଆପାଧୁଆ ସାରି ବାହାରି ପଡ଼ିଲା ନିକଟସ୍ଥ ଜଳଖିଆ ଦୋକାନ ଅଭିମୁଖେ । ମାତ୍ର ଦୁଇଶ ମିଟର ହେବ। ବାଇକ୍‌ର ଆବଶ୍ୟକତା ନ ଥିଲା । ଚାଲି ଚାଲି ହୋଟେଲ୍‌ରେ ପହଞ୍ଚି ଛଅଟା ପୁରି ଉଦରସ୍ଥ କରି ପାଣି ପିଇଲା ପରେ ତା ଦେହରେ ଜୋର୍ ଆସିଲା । ଲମ୍ବା ଲମ୍ବା ପାହୁଣ୍ଡ ପକାଇ ଫେରିଲା ହୋଟେଲ୍‌ରୁ। ବାରଣ୍ଡା ପାହାଚ ଚଢ଼ୁ ଚଢ଼ୁ ତାର ପାଦ ଦୁଇଟି ଆପେ ଆପେ ସ୍ଥିର ହୋଇଗଲା । ଆଖିରେ ପଡ଼ିଲା ପାହାଚର ଗୋଟିଏ କୋଣରେ ଫଟା ଚଟାଣରେ ଗେଞ୍ଜି ହୋଇ ପଡ଼ିଛି ସୁନାର କାନ ଫୁଲଟିଏ । ଲଳିତ ବିସ୍ମିତ ହେଲା । ଚିନ୍ତା କଲା, କାଲି ରାତିରେ ତାହେଲେ ନିଶ୍ଚୟ କେହି ତା ବାରଣ୍ଡାକୁ ଆସିଛି । ତା ବି ନାରୀଟିଏ । ଝରକା କାଚରେ ସେ ଦେଖିଥିବା ଛାୟା ତାହେଲେ ତା ମନର ଭ୍ରମ ନୁହେଁ । ତେବେ ଏତେ ରାତିରେ ଗୋଟିଏ ନାରୀର ତା ବାରଣ୍ଡାରେ କାମ କଣ ? ସେ ମନେ ପକାଇବାକୁ ଚେଷ୍ଟା କଲା । ଝଡ଼ ସମୟରେ ବର୍ଷାରେ ଓଦା ହୋଇ ଚାଲୁଥିବା ଯୁବତୀ ଆଉ ତା ବାରଣ୍ଡାରେ ଆଶ୍ରୟ ନେଇଥିବା ଏ ନାରୀ ଏକା ନୁହଁ ତ ? ତା କାନ୍ଦିବାର ଉଦ୍ଦେଶ୍ୟ ପୁଣି କଣ ହୋଇପାରେ ? କାନଫୁଲଟିକୁ ଉଠାଇ ନେଇ ଏପାଖ ସେପାଖ କରି ଚାହିଁଲା ଲଳିତ । କାନଫୁଲ ଦେଖି ଯୁବତୀର ଚେହେରା ଅନୁମାନ କରିବାକୁ ଚେଷ୍ଟାକଲା । ନିଶ୍ଚୟ ଯୁବତୀ ଋଚିସମ୍ପନ୍ନା ଏଥିରେ ସନ୍ଦେହ ନାହିଁ । କାଲି ରାତିର ରାସ୍ତା ଉପରର ଯୁବତୀ କଥା ଯଦି ଚିନ୍ତା କରାଯାଏ, ତାହେଲେ ତା ଲମ୍ବା ମୁହଁକୁ ଏ କାନଫୁଲ ଠିକ୍ ମାନିବ । କିନ୍ତୁ ଲଳିତ ଦେଖିଲା ବେଳକୁ ଯୁବତୀଟି ତା କ୍ୱାର୍ଟର୍ ପାର ହେବା ଉପରେ । ତା ପୁଣି ରାତି ଦଶ ବେଳେ। ରାତି ବାରଟାରେ ସେ ପୁଣି କାହିଁକି ଆସିବ ତା ବାରଣ୍ଡାକୁ ? ଲଳିତର ସମସ୍ତ ପ୍ରଶ୍ନ ଅସମାହିତ ହୋଇ ରହିଲା । ତାକୁ ଅଫିସ୍ ଯିବାକୁ ହେବ । କାନଫୁଲଟିକୁ ଥାକର ଗୋଟିଏ କୋଣରେ ଯତ୍ନରେ ରଖିଲା ଲଳିତ । ପ୍ରସ୍ତୁତ ହୋଇ ନିଜ ଲ୍ୟାପଟପ୍ ବ୍ୟାଗ୍ ଧରି ବାହାରି ପଡ଼ିଲା ଅଫିସ୍ ଅଭିମୁଖେ ।

ସନ୍ଧ୍ୟାରେ ଲଳିତ ଜଲଦି ଚାଲିଆସିଲା ରୁମ୍‌କୁ। ବାଇକ୍ ଷ୍ଟାଣ୍ଡ୍ ମାରିଛି କି ନାହିଁ ଶୁଭିଲା, – ସାର୍ କ୍ୟାନ୍ ଆଇ ସ୍ପିକ୍ ଟୁ ମିଷ୍ଟର ଲଳିତ ଶର୍ମା ? ଲଳିତ ସେ ସୁଲଳିତ କଣ୍ଠସ୍ୱର ଶୁଣି ବୁଲି ଚାହିଁଲା । ବାରଣ୍ଡାର ଶେଷ ସୋପାନରେ ଫାଇଲ୍‌ଟିଏ ଧରି ଠିଆ ହୋଇଥିଲା ଯୁବତୀଟିଏ ।

– ୟେସ୍, ସ୍ପିକିଙ୍ଗ।

– ଓ, ଗୁଡ୍ ଇଭିନିଂ ସାର୍ । ମାଇସେଲ୍ଫ୍ ରାଗିଣୀ । ମୁଁ ଏଇ ବସ୍ତିରେ ରହେ ।

ଲଳିତ ଯୁବତୀକୁ ଆପାଦ ମସ୍ତକ ଚାହିଁଲା । ସୁନ୍ଦର ଗଢ଼ଣ, ଲମ୍ବା ମୁହଁ, ଲମ୍ବା ନାକ ସାଙ୍ଗକୁ ଛୋଟ ପତଳା ଓଠରେ ହାଲ୍କା ଲିପଷ୍ଟିକ୍‌ର ଆସ୍ତରଣ। ଆଖି ଦୁଇଟି ଆୟତାକାର। କୁଞ୍ଚିତ କେଶ । ବର୍ଣ୍ଣ ଯଦିଓ ସାମାନ୍ୟ ଶ୍ୟାମଳ। ଯୁବତୀର ହସ ହସ ମୁଖମଣ୍ଡଳର ଆଢ଼ୁଆଳରେ ବି ସେ ଯେ ଚିନ୍ତାଗ୍ରସ୍ତ ଠିକ୍ ବୁଝି ପାରୁଥିଲା ଲଳିତ । ଯୁବତୀର ଖଣ୍ଡିକାଶରେ ଲଳିତ ଆତ୍ମସ୍ଥ ହେଲା ।

– ୟେସ୍, ରାଗିଣୀ । ମୋ ପାଖରେ କିଛି କାମ ଥିଲା ?

– ଏଇଠି ଏମିତି, ଭିତରକୁ ଡାକିବେନି ?

– ଓ ସରି… … ଲଳିତ କବାଟ ଖୋଲି ଭିତରେ ପ୍ରବେଶ କଲା । ରାଗିଣୀକୁ ଚେୟାର୍‌ରେ ବସିବାକୁ କହି ନିଜେ ଖଟ ଉପରେ ବସିଗଲା ।

– ସାର୍, ମୁଁ ଆସିଥିଲି ଆପଣଙ୍କର ଛୋଟ ସାହାଯ୍ୟାର୍ଥେ ।

– ହଁ, କୁହ।

– ସାର୍, ମୁଁ ଗୋଟିଏ କମ୍ପାନୀରେ ସର୍ଭେୟର୍ ରୂପେ କାମ କରେ। ମୋର କାମ ହେଲା ଯେତେଜଣ ଏମ୍ପ୍ଳୟି ଏ ସହରରେ ଅଛନ୍ତି, ସମସ୍ତଙ୍କ ଠାରୁ କିଛି ତଥ୍ୟ ପଚାରି ମୁଁ ଏଇ ଫର୍ମ ପୂରଣ କରି କମ୍ପାନୀକୁ ଯୋଗାଇବି। ତା ପୂର୍ବରୁ ମୁଁ ମୋ କମ୍ପାନୀ ବିଷୟରେ କିଛି କହିବାକୁ ଚାହେଁ ।

– ହଁ।

– ଆପଣ ‘ନଟ୍ ଟୁ ଡ୍ରିମ୍’ କମ୍ପାନୀ ବିଷୟରେ ଶୁଣିଥିବେ।

ଲଳିତ ମନେ ପକାଇବାକୁ ଚେଷ୍ଟାକଲା । ଶୁଣିଲା ପରି ମନେ ହେଉଛି । ହଁ ଏଇ ଦୁଇଦିନ ତଳେ ହିଁ ତାର ଜଣେ ସବାର୍ଡିନେଟ୍ ତାକୁ କହୁଥିଲେ ।

– ସାର୍, ଏଇ କମ୍ପାନୀର ସ୍ଳୋଗାନ୍ ହେଲା – ସ୍ୱପ୍ନମୟ ହୁଅନ୍ତୁ ନାହିଁ, ବାସ୍ତବତା ଯେତେବେଳେ ଆପଣଙ୍କ ହାତ ପାହାନ୍ତାରେ ।

– ଖୁବ୍ ମନଲୋଭା । ଆଇ ଥି୍ଙ୍କ୍ ଇଟ୍ ଇଜ୍ ଏନ୍ ଇନ୍ସ୍ୟୁରାନ୍ସ କମ୍ପାନୀ ।

– ସାର୍ ଏକ୍‌ଜାକ୍ଟଲି ନଟ୍ । ଇଏ ଏକ ଫାଇନାନ୍ସ କମ୍ପାନୀ । ବଟ୍ ଇନ୍ସ୍ୟୁରାନ୍ସ ଇଜ୍ ଅଲ୍ସୋ ଏ ପାର୍ଟ ଅଫ୍ ଇଟ୍ସ୍ ବିଜ୍‌ନେସ୍।

– ଓକେ ।

– କମ୍ପାନୀର କାମ ହେଲା କୌଣସି ଚିଜ ପାଇଁ ସ୍ୱପ୍ନମୟ ହେଉଥିବା କର୍ମଚାରୀମାନଙ୍କୁ ପିକ୍ କରିବା, ଡାଟା ସଂଗ୍ରହ କରିବା । ତାଙ୍କର ଆବଶ୍ୟକ ସମୟରେ ତାଙ୍କର ସ୍ୱପ୍ନ ପୂରଣରେ ତାଙ୍କୁ ସାହାଯ୍ୟ କରିବା ।

– ନାଇସ୍ ଜବ୍ ।

– ସାର୍, ମୁଁ କେବଳ ଡାଟା ନେବି। ତା ବି ଆପଣଙ୍କ ଅନୁମତି ନେଇ। ଆପଣ ଯଦି ରାଜି ହୁଅନ୍ତି, ତାହେଲେ ହିଁ ମୁଁ ଆପଣଙ୍କୁ କେତେଟା ପ୍ରଶ୍ନ ପଚାରିବି । କାରଣ ୟା ପରେ ଆପଣଙ୍କୁ କମ୍ପାନୀର ଏଜେଣ୍ଟ୍ ମାନେ ଆସି ବିରକ୍ତ କରିପାରନ୍ତି ।

ଲଳିତ ରାଗିଣୀର ଭଦ୍ରାମୀରେ ମୃଦୁମନ୍ଦ ହସିଲା । ଇଏ ସବୁ ରାଗିଣୀ ପରି ସର୍ଭେୟର୍ ମାନଙ୍କ ଟ୍ରେନିଂର ଅଂଶ ବିଶେଷ ।

– ପଚାରିପାର । ଲଳିତ ମନେ ମନେ ଭାବିଲା ଏ ବାହାନାରେ ଅନ୍ତତଃ ରାଗିଣୀର ମଧୁର କଣ୍ଠସ୍ୱର ଆଉ କିଛି ସମୟ ତ ଶୁଣି ପାରିବ ।

ରାଗିଣୀ ପଚାରୁଥାଏ ଗୋଟିଏ ପରେ ଗୋଟିଏ ତଥ୍ୟ । ଲଳିତ ଦେଇ ଚାଲିଥାଏ ତାର ଉତ୍ତର ଖୁବ୍ ସନ୍ତର୍ପଣରେ ଭାବିଚିନ୍ତି। ଲଳିତ ଉତ୍ତର ଦେଉଥିବା ସମୟରେ ରାଗିଣୀ କଲମଟିକୁ ତାର ଦାନ୍ତ ମଝିରେ ବାରମ୍ବାର ଚାପି ଚାଲିଥାଏ । ରାଗିଣୀର ସେଇ ବିଶେଷ ମୁଦ୍ରାଟି ଖୁବ୍ ଆମୋଦିତ କରୁଥାଏ ଲଳିତକୁ । ସେ ଜାଣିଶୁଣି ଉତ୍ତର ଦେବାରେ ଡେରି କରୁଥାଏ । ମନେ ପକାଇବାକୁ ଚେଷ୍ଟା କଲା ପରି ଭାବଭଙ୍ଗୀ ଦେଖାଉଥାଏ ।

– ସାର୍, ଆଉ ଟିକେ ଫର୍ମାଲିଟି ରହିଗଲା।

– କଣ କୁହ ।

ରାଗିଣୀ ନିଜର ମୋବାଇଲ୍ ବାହାର କରି କହିଲା,

– ଆପଣଙ୍କର ସ୍ନାପ୍‌ଟିଏ ନେବି ।

– ଆରେ, ସ୍ନାପ୍‌ନେବା କଣ ଦରକାର ? ପାସପୋର୍ଟ୍ ଫଟୋଟିଏ ଦରକାର ତ ? ତୁମେ ପରେ କେତେବେଳେ ଆସ ମୁଁ ଖୋଜି ରଖିଥିବି। ତାଛଡ଼ା ଘର ଭିତରେ ଫଟୋ ଭଲ ଆସିବ ନାହିଁ । ଲଳିତର ଉଦ୍ଦେଶ୍ୟ ଥିଲା ରାଗିଣୀ ସହ ଆଉ ଥରେ ଭେଟଭାଟର ସୁଯୋଗ ସୃଷ୍ଟି କରିବା ।

– ଓକେ ସାର୍‌ । ମୁଁ ତାହେଲେ ଆସୁଛି । ବାଏ ।

ରାଗିଣୀ ଚାଲିଗଲା । ଆଖିର ଅନ୍ତରାଳରୁ ଅଦୃଶ୍ୟ ହେବା ପର୍ଯ୍ୟନ୍ତ ଲଳିତ ଚାହିଁ ରହିଲା ରାଗିଣୀକୁ । ରାଗିଣୀ ଅଳସ ପାଦ ପକାଇ ପଡ଼ିଆର ସରୁ ପାଦଚଲା ରାସ୍ତା ଦେଇ ବସ୍ତି ଆଡ଼େ ମୁହାଁଉଥିଲା ।

ଲଳିତ ଯେଉଁ ସୁଯୋଗ ଅପେକ୍ଷାରେ ଥିଲା ସେ ସୁଯୋଗ ଆସିଲା ନାହିଁ ଦୁଇଦିନ ପର୍ଯ୍ୟନ୍ତ । ତୃତୀୟ ଦିନ ସନ୍ଧ୍ୟାରେ ଲଳିତ ଟହଲିଲା ପରି ନିଜେ ପହଞ୍ଚିଲା ବସ୍ତିରେ ।

ବସ୍ତିଟି ଦୂରରୁ ଯାହା ପ୍ରତୀତ ହେଉଥିଲା, ଅତି ନିକଟରୁ କିନ୍ତୁ ସେପରି ନ ଥିଲା । ଛୋଟ ପରି ମନେ ହେଉଥିବା ବସ୍ତିରେ ଅନେକ ଗୁଡ଼ିଏ ଛୋଟ ବଡ଼ ଚାଳ ଛପର, ଟିଣ ଓ ଆଜ୍‌ବେସ୍ଟସ୍ ଘର। ଭିତରେ ଭିତରେ ଅନେକ ଅଣ ଓସାରିଆ ଗଳି ସତେ ଯେମିତି ଭୁଲଭୁଲେୟାଁ । ଥରେ ପଶିଲେ ବାଟ ଭୁଲିବା ସ୍ୱାଭାବିକ । ଲଳିତ ବସ୍ତିର ଏପାଖରୁ ପଶି ବୁଲି ବୁଲି ବସ୍ତିର ଆରପାଖରେ ବାହାରି ଆସିଲା । ବସ୍ତିର ଆରପଟେ ଥିଲା ପାଖ ସହରକୁ ସଂଯୋଗ କରୁଥିବା ଷ୍ଟେଟ୍ ହାଇୱେ । ବସ୍ତି ବାସିନ୍ଦାଙ୍କ ପାଇଁ ତାହା ହିଁ ଥିଲା ମୁଖ୍ୟ ରାସ୍ତା । ନିହାତି ଆବଶ୍ୟକ ନ ପଡ଼ିଲେ ସେମାନେ ଲଳିତର କ୍ୱାର୍ଟର୍ ପଟ ରାସ୍ତାକୁ ଆସନ୍ତି ନାହିଁ । କହିବା ବାହୁଲ୍ୟ, ଲଳିତର କ୍ୱାର୍ଟର୍ ଥିଲା ବସ୍ତିର ପଛ ପାଖରେ । ଲଳିତ ଫେରିବାକୁ ପାଦ ବଢ଼ାଇଲା ଅନ୍ୟ ଏକ ଗଳି ଦେଇ ।

– ସାର୍ ଆପଣ ? ଲଳିତର ବାଁ ପଟ ଏକ ନୁଆଁଣିଆ ଟିଣ ଛପର ଘରୁ ବାହାରି ଆସିଲା ରାଗିଣୀ ।

ଲଳିତ ରାଗିଣୀ ଉପରେ ଥରେ ଦୃଷ୍ଟି ପହଁରାଇ ଆଣି ଠିଆ ହୋଇଗଲା ରାସ୍ତା ଉପରେ ।

– ସାର୍ ଭିତରକୁ ଆସନ୍ତୁନା। ସ୍ୱାଗତଂ ଭଙ୍ଗୀରେ ଠିଆ ହୋଇଥିଲା ରାଗିଣୀ ।

ବାହାରୁ ଲଳିତ ଅନୁମାନ କରି ପାରୁଥିଲା ଘର ଭିତରର ପରିବେଶ କଣ ହୋଇଥିବ । ତଥାପି ରାଗିଣୀର ଅନୁରୋଧକୁ ଏଡ଼ାଇବା ତା ପାଇଁ ସହଜ ହୋଇ ପାରିଲା ନାହିଁ । ଭିତରେ ପ୍ରବେଶ କରି ଚାରିପଟକୁ ଆଖି ପହଁରାଇ ଆଣିଲା ଲଳିତ । ଗୋଟିଏ ବଖୁରିଆ ଘର। ତାକୁ ଲାଗି ଆର ଛୋଟ ବଖରାଟି ରୋଷେଇଶାଳ । ମଝିରେ କୌଣସି କବାଟ ନାହିଁ । ଗୋଟିଏ କୋଣରେ ଖଟ ଉପରେ ପଡ଼ିଛି କତରା ଲଗା ବୁଢ଼ୀଟିଏ । ତାକୁ ଲାଗି ବସିଛି ଝିଅଟିଏ । ବୋଧେ ରାଗିଣୀର ଭଉଣୀ ହେବ ।

– କଣ ଦେଖୁଛନ୍ତି ସାର୍ ?

– ଆଁ! ନାଇଁ… ମାନେ ଘରେ କେହି ପୁରୁଷ ପିଲାକୁ ଦେଖୁନାହିଁ ।

– କେହି ନାହାନ୍ତି ସାର୍‌ । ରାଗିଣୀ ଚେୟାରଟିଏ ଲଳିତ ଆଡ଼କୁ ବଢ଼ାଇ ଦେଇ ନିଜେ ଗୋଟିଏ ମୋଡ଼ାରେ ବସିପଡ଼ିଲା ।

– ମୋତେ ଯେତେବେଳେ ଦଶବର୍ଷ ବାପା ଆମ ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲିଗଲେ । ମା କହେ ଦିନରାତି ପିଇ ପିଇ ତାଙ୍କର ପ୍ରାଣ ଗଲା । ଆଉ ମୋ ଉପର ଭାଇ ବିବାହ ପୂର୍ବ ପର୍ଯ୍ୟନ୍ତ ଆମ ମାନଙ୍କର ଭରଣପୋଷଣ ଦାୟିତ୍ୱ ଠିକ୍ ଭାବରେ ତୁଲାଉ ଥିଲା । କିନ୍ତୁ ବିବାହ ପରେ ଭାଉଜର ପ୍ରରୋଚନାରେ ପଡ଼ି ସୁରାଟ ଗଲା ଯେ ଫେରିବାର ନାଁ ନେଉନି । ଆଜିକାଲି ଫୋନ୍ କଲେ ବି ଉଠାଉନି । ମୋ ସ୍ୱଳ୍ପାର୍ଜିତ ରୋଜଗାରରେ ଯେନତେନ ଚଳିଯାଉଛି ଆମର ପରିବାର ।

ଲଳିତ ଅନୁଭବ କଲା ଗୋଟିଏ ଘର ଭିତରେ ଟିଭି, ଆଲମାରୀ ପରି ଯେତିକି ଆବଶ୍ୟକୀୟ ଚିଜ ରହିବା କଥା ସେସବୁ ମହଜୁଦ୍ ଅଛି । ଖଟକୁ ଲାଗି ଟେବୁଲଟିଏ । ଯେଉଁଥିରେ ଟିଭି ମାଡ଼ି ବସିଥିବା ଜାଗା ଛାଡ଼ିଦେଲେ ବାକିତକ ଜାଗା ଆବୋରି ବସିଛି କିଛି ବହି, ଫାଇଲପତ୍ର ତାସହ କିଛି ଔଷଧ ବୋତଲ ଓ ଷ୍ଟ୍ରିପ୍ସ୍ । ଅନ୍ୟପଟରେ ଯାବତୀୟ ପୁରୁଣା ଲୁଗାପଟା ଚଉତା ହୋଇ ରହିଛି ଗୋଟିଏ ଥାକରେ । ଷ୍ଟୁଲ୍ ଉପରେ କିଛି ମଇଳା କନ୍ଥାପଟା ଚଦର ଇତ୍ୟାଦି ।

– ସାର୍ ଚାହା ଟିକେ କରିଦେବି ?

– ଆରେ, ନା… ତୁମେ ବ୍ୟସ୍ତ ନ ହୋଇ ବସିଲ ।

– ନାଇଁ ସାର୍, କୋହଲା ପାଗ ଟିକିଏ ପିଅନ୍ତୁନା ଭଲ ଲାଗିବ। ୱିଥ୍ ଜିଞ୍ଜର୍ ?

– ଚଳିବ। ଅଦା ବାଲା ଚାହା ମୋର ଭାରି ପସନ୍ଦ, ତା ସହ ଟିକେ ଅଳେଇଚ ବି ଦିଅ ।

ରାଗିଣୀ ଉଠିଗଲା ରୋଷେଇଘରକୁ । ଲଳିତ ଚେୟାର ଉପରୁ ଉଠି ଖଟ ପାଖକୁ ଗଲା । ରାଗିଣୀର ମା ଲଳିତକୁ ଦେଖି ଉଠିବାକୁ ଚେଷ୍ଟା କଲେ । ତାଙ୍କ ମୁହଁରେ ଯନ୍ତ୍ରଣାର ଚିହ୍ନ ଫୁଟି ଉଠୁଥିଲା। ଲଳିତ ହାତର ଇଶାରାରେ ଉଠିବାକୁ ମନା କଲା । ଝିଅଟି ବୁଲି ପଡି ଲଳିତ ଆଡ଼କୁ ମୁହଁ କରି ବସିଲା। ଲଳିତ ଆଶ୍ଚର୍ଯ୍ୟ ହେଲା, ଆରେ ! ଇଏ ତ ସେ ଦିନର ବର୍ଷା ଅନ୍ଧାର ରାତିର ଯୁବତୀ । ବିଜୁଳି ଆଲୁଅରେ ସେ ଯେତିକି ଲକ୍ଷ୍ୟ କରିଛି ସେଇ ମୁହଁ, ସେଇ ଅଙ୍ଗ ଅବୟବ…। ଲଳିତ ପାଟିରୁ ସ୍ୱତଃ ବାହାରି ପଡ଼ିଲା, ତୁମେ… ରାଗିଣୀର ସାନଭଉଣୀ ? ଯୁବତୀଟି ମୁଣ୍ଡ ଟୁଙ୍ଗାରିଲା । ଲଳିତ ଆଉ କିଛି ପଚାରିବାକୁ ଯାଉଥିଲା, ଭିତରୁ ରାଗିଣୀର କଣ୍ଠ ଶୁଭିଲା – ସାର୍ ସେ ମୋ ସାନ ଭଉଣୀ, ମୀରା। ଖୁବ୍ ଭଲ ପଢ଼େ। ମ୍ୟାଟ୍ରିକ୍‌ରେ ସ୍କଲାର୍‌ସିପ୍ ପାଇଛି। ଏ ବର୍ଷ ପ୍ଳସ୍ ଥ୍ରୀ ଫାଇନାଲ୍ ଇୟର୍। ହେଲେ ତା… କିଛି କହୁ କହୁ ଅଟକିଗଲା ରାଗିଣୀ । ସତେ ଯେମିତି କେହି ତାର ଗଳାକୁ ଚିପି ଧରିଛି । ଲଳିତ ଫେରି ଆସି ବସିଲା ଚେୟାରରେ । ରାଗିଣୀ ଫେରିଲା ଦୁଇ କପ୍ ଚାହା ନେଇ। ଲଳିତ ହାତକୁ କପ୍ ଟିଏ ବଢ଼ାଇ ଦେଇ ବସିଲା ଯାଇ ମୋଡ଼ାରେ । ଲଳିତ ଚାହିଁଲା ରାଗିଣୀର ମୁହଁକୁ । ମନେ ହେଲା ଆଖିରୁ ଲୁହଧାରଟିଏ ଖସି ଆସି ଶୁଖି ଯାଇଛି ତା ଗାଲରେ । ପୋଛିବା ପାଇଁ ବି ସମୟ ପାଇନି ରାଗିଣୀ । ପଚାରିଲା – ଆଉ ମୀରା ପାଇଁ ?

– ନା, ସେ ଚାହା ପିଏନି। ଭାରି ସୁନା ପିଲା। କୌଣସି ବଦଭ୍ୟାସ ନାହିଁ। ହସିଲା ରାଗିଣୀ । ମରୁଭୁମିରେ ଅସରାଏ ବର୍ଷା ପରି । ଚାହା ପିଇ ସାରି ଲଳିତ ଉଠି ଠିଆ ହେଲା ।

– ମୁଁ ତାହେଲେ ଆସେ । ଆତିଥ୍ୟ ପାଇଁ ଧନ୍ୟବାଦ୍।

– ଆପଣ ଲଜ୍ଜିତ କରୁଛନ୍ତି ସାର୍। ବରଂ ଆପଣ ଆମର ଏଇ ଛୋଟ କୁଡ଼ିଆରେ ପାଦ ଥାପି ଆମକୁ କୃତାର୍ଥ କରିଦେଲେ ।

ଲଳିତ ବାହାରକୁ ଆସିଲା ।

– ସାର୍… ଫଟୋ… । ରାଗିଣୀ ପଛରୁ ମନେ ପକାଇଦେଲା ।

– ଆରେ, ନା ଫଟୋ ମୁଁ ଧରିନି । ଇଫ୍ ୟୁ ରିକ୍ୱାୟର୍ ୱାନ୍ ୟୁ ହାଭ୍ ଟୁ କମ୍ ୱିଥ୍ ମି । ତାଛଡ଼ା ତୁମ ସହ ଆଉ କିଛି କଥା ମଧ୍ୟ ଅଛି । ରାଗିଣୀ ବିସ୍ମୟରେ ଚାହିଁଲା ଲଳିତର ମୁହଁକୁ । ବୋଧହୁଏ ଭାବୁଥିଲା ଆଉ କି କଥା ଅଛି ! ଲଳିତ ଅଟକିଲା ନାହିଁ ।

ଫଟୋ ନେବା ପାଇଁ ସେଦିନ କିନ୍ତୁ ରାଗିଣୀ ଲଳିତର କ୍ୱାର୍ଟର୍‌କୁ ଆସିଲା ନାହିଁ । ଆସିଲା ତା ପରଦିନ ସନ୍ଧ୍ୟାରେ ।

– ଗୁଡ୍ ଇଭିନିଂ ସାର୍ ।

– ଆରେ ରାଗିଣୀ ଆସ ଆସ । ମୁଁ ତୁମ କଥା ହିଁ ଭାବୁଥିଲି। ହଠାତ୍ ଲଳିତ ପାଟିରୁ ବାହାରି ଆସିଲା।

ରାଗିଣୀ ସିଧା ଆସି ବସିଲା ଲଳିତ ସାମ୍ନାରେ ଚେୟାର୍ ଉପରେ ।

– ମୋ କଥା ଭାବୁଥିଲେ ? ରାଗିଣୀ ଏମିତି ଭଙ୍ଗୀରେ କଥାଟି ପଚାରିଲା ଯେ ଲଳିତ କିଛି ସମୟ ବାକ୍ ଶୂନ୍ୟ ହୋଇ ତାପରେ କହିଲା, ଫଟୋଟା ଖୋଜି ପାଇଲି ତ, ତୁମ କଥା ମନେ ପଡ଼ିଗଲା । ଲଳିତ ଦୁଇଟି ଫଟୋ ସହ ସେଦିନ ସକାଳେ ପାଇଥିବା କାନଫୁଲଟିକୁ ମଧ୍ୟ ଟି ପୟ ଉପରେ ରଖିଲା । ଆଉ ଲକ୍ଷ୍ୟ କରୁଥିଲା ରାଗିଣୀର ପ୍ରତିକ୍ରିୟା କଣ ହେବ । ରାଗିଣୀର ଆଖି ଦୁଇଟି କିଛିକ୍ଷଣ ପାଇଁ ଚମକି ଉଠିଲା । ତାପରେ ନିଜକୁ ସଂଯତ କରିନେଇ କହିଲା,

– ସାର୍ ଆପଣଙ୍କ ଘରେ କେହି ସ୍ତ୍ରୀଲୋକ ନାହାନ୍ତି, ଏ କାନଫୁଲ କାହାର ?

ଲଳିତ ସେମିତି ରାଗିଣୀର ଚକ୍ଷୁରେ ଚକ୍ଷୁ ମିଳାଇ କହିଲା, ସେକଥା ତମେ କହିବ। ଏ କାନଫୁଲ କାହାର ? କାରଣ ଏଇଟା ମୁଁ ପାଇଲି ଝଡ଼ର ପରଦିନ ସକାଳେ ମୋ ବାରଣ୍ଡାରେ । ରାଗିଣୀ ବିନା ଉପକ୍ରମରେ କାନଫୁଲଟିକୁ ଉଠାଇ ନେଲା ନିଜ ହାତରେ । ଚକ୍ଷୁ ତାର ଆର୍ଦ୍ର ହୋଇ ଆସିଲା । ଲଳିତ ଯେ ରାଗିଣୀର ଆହତ କ୍ଷତରେ ପୁଣି ଥରେ ଆଘାତ କରିଛି ଠିକ୍ ବୁଝିପାରିଲା । ସେ ଖଟରୁ ଉଠି ପଡ଼ି ରାଗିଣୀର ନିକଟବର୍ତ୍ତୀ ହୋଇ ତା ଆଖିର ଲୁହ ପୋଛିବାକୁ ଉଦ୍ୟତ ହେଲା । ହେଲେ ତା ପୂର୍ବରୁ ରାଗିଣୀ ଚଟାପଟ୍ ନିଜର ଲୁହ ପୋଛି ଦେଇ କହିଲା, ଏ କାନଫୁଲଟା ମୋ ସାନ ଭଉଣୀ ମୀରାର । ତାକୁ ତା ଜନ୍ମଦିନରେ ମୁଁ ଦେଇଥିବା ଉପହାର । ହେଲେ ଆପଣ କେମିତି ଅନୁମାନ କଲେ ଯେ ଏଇଟା ଆମ ଭିତରୁ କାହାର ହୋଇଥିବ ବୋଲି ? ଲଳିତ ଝଡ଼ ରାତିରେ ଯାହା ଯାହା ଦେଖିଥିଲା ଆଉ ଯାହା ଅନୁମାନ କରିଥିଲା, ସେ ସମସ୍ତ ରାଗିଣୀ ସମ୍ମୁଖରେ ଉପସ୍ଥାପନ କଲା । ଆଉ ଅପେକ୍ଷା କରି ରହିଲା ରାଗିଣୀ କେତେବେଳେ ତାର ସନ୍ଦେହମୋଚନ କରିବ।

ରାଗିଣୀ ଦୀର୍ଘଶ୍ୱାସ ତୋଳି କୋହ ସମ୍ଭାଳି କହିଲା, ସେ ରାତିଟା ଆମ ପରିବାର ପାଇଁ କାଳରାତି ଥିଲା ସାର୍ । ଝଡ଼ ବର୍ଷା ଖାସ୍ ଆସିଥିଲା ଆମ ପରିବାର ଉପରେ ଦାଉ ସାଧିବା ପାଇଁ। ମୀରା ସବୁଦିନ ପରି ସେଦିନ ମଧ୍ୟ ଚାରିଟା ବେଳେ ଘରୁ ବାହାରି ଥିଲା ତାର କୋଚିଂ କ୍ଳାସ୍ ପାଇଁ । ସପ୍ତାହରେ ତିନି ଦିନ କ୍ଳାସ୍ ନିଏ ମୀରା । ହାଇସ୍କୁଲ୍ ପିଲାଙ୍କୁ ମ୍ୟାଥ୍ ପଢ଼ାଏ। ପ୍ରତି ବଦଳରେ ତାକୁ ମିଳେ ଦିନ ପିଛା ତିନିଶହ ଟଙ୍କା । ଯେଉଁଦିନ ଯାଏ ନାହିଁ ସେଦିନ ଫିଜ୍ ପାଏ ନାହିଁ । ତା ପଢ଼ାପଢ଼ି ଖର୍ଚ୍ଚ ସହ ମାଆଙ୍କ ଅର୍ଦ୍ଧେକ ଔଷଧ ଖର୍ଚ୍ଚ ମଧ୍ୟ ବାହାରିଯାଏ । ଚାରିଟାରେ ଘରୁ ବାହାରି ଯାଏ, ଫେରେ ରାତି ସାତଟାରେ । ସେଦିନ କିନ୍ତୁ ଅଚାନକ ଝଡ଼ ବର୍ଷାର ପ୍ରକୋପ ଯୋଗୁଁ ମୀରା ଠିକ୍ ସମୟରେ ଘରକୁ ଫେରି ପାରିଲା ନାହିଁ । ଯେମିତି ରାତି ବଢ଼ିଲା ମା ଓ ମୁଁ ବ୍ୟସ୍ତ ହୋଇପଡ଼ିଲୁ । ମୀରା କୋଚିଂ ସେଣ୍ଟରରୁ ବାହାରି ପାରୁନଥାଏ । ଦଶଟା ପୂର୍ବରୁ ବର୍ଷା ଟିକିଏ କମିବାର ଦେଖି ମୋତେ ଫୋନ୍ କରି କହିଲା ଯେ ବ୍ୟସ୍ତ ହେବା ଦରକାର ନାହିଁ, ସେ ଘରକୁ ଫେରୁଛି, ଆଉ ଦଶ ମିନିଟରେ ପହଞ୍ଚିଯିବ । ଦେଖୁ ଦେଖୁ ଝଡ଼ ବର୍ଷା ଆଉ ଥରେ ଜୋର୍ ଧରିଲା । ଏଣେ ରାତି ଏଗାର ପର୍ଯ୍ୟନ୍ତ ମୀରାର ଦେଖା ନ ଥିଲା । ବିଭିନ୍ନ ପ୍ରକାର ଆଶଙ୍କା, ଉଦ୍‌ବେଗରେ ଗଳିର ଆରମ୍ଭରେ ଗୋଟିଏ ଘର ବାରଣ୍ଡାରେ ଠିଆ ହୋଇ ମୁଁ ତାକୁ ଅପେକ୍ଷା କରିଥାଏ । ଶେଷରେ ମୀରା ଟଳମଳ ପାଦରେ ଆସି ପହଞ୍ଚିଲା। କେଶ ବିଛୁରିତ, ପୋଷାକ ଅସ୍ତବ୍ୟସ୍ତ, ଶୂନ୍ୟ କଚି, ସର୍ବୋପରି ଚାହାଣୀ ତାର ଉଦାସ ଉଦାସ । ମୁଁ ଭାବିଲି ଝଡ଼ର ସାମ୍ନା କରି ଆସିଛି ତ, ତେଣୁ ଥକି ପଡ଼ିଥିବ । ହେଲେ ମୁଁ କି ଜାଣିଥିଲି ସାର୍ ସେ ପ୍ରାକୃତିକ ଝଡ଼ ନୁହଁ ମନୁଷ୍ୟକୃତ ଝଡ଼ର ସମ୍ମୁଖୀନ ହୋଇଛି ବୋଲି । ତା ଉଦାସ ଓ ବେଦନାସିକ୍ତ ମୁହଁରୁ କରୁଣ କାହାଣୀ ଶୁଣି ପ୍ରବଳ କ୍ରୋଧରେ ଫାଟି ପଡ଼ିଲି । ହେଲେ ଝିଅଟିଏ ମୁଁ କଣ ବା କରିପାରିବି ସେଇ ଅଚିହ୍ନା, ଅପରିଚିତ ଦୁର୍ଦ୍ଦାନ୍ତ ଲୋକଙ୍କର। ଯେଉଁମାନେ ନିଜର କ୍ଷଣିକ ସୁଖ ପାଇଁ ଗୋଟିଏ ଝିଅର ଜୀବନ ବରବାଦ୍ କରିଦେଲେ । ତାର ଶାରୀରିକ ଓ ମାନସିକ ସନ୍ତୁଳନକୁ ବିଗାଡ଼ି ଦେଲେ । କିଏ ଜାଣେ କେତେ ଦିନ ଲାଗିବ, ତାକୁ ସେଇ ଦୁଃସ୍ୱପ୍ନକୁ ପାଶୋରିବା ପାଇଁ । ଏତିକି କହିବା ଭିତରେ ରାଗିଣୀ ଲୁହ ଲହୁରେ ଆର୍ଦ୍ର ହୋଇ ସାରିଥାଏ।

ଲଳିତ ଟୱେଲ୍‌ଟିଏ ବଢ଼ାଇ ଦେଲା ରାଗିଣୀ ହାତକୁ । କହିଲା, ମୀରା ତ ଜୋର୍‌ରେ ପାଟି କରି ପାରିଥାନ୍ତା । ସାହାଯ୍ୟାର୍ଥେ କେହି ନା କେହି ବାହାରି ଆସନ୍ତେ। ରାଗିଣୀ ଆଖି ମୁହଁ ପୋଛି ନେଇ କହିଲା, ଏଠି କିଏ କାହାର ନୁହେଁ ସାର୍ । ପାଟି ଶୁଣିଲେ ବି କେହି ଆଗେଇ ଆସିବେ ନାହିଁ ସାହାଯ୍ୟ କରିବାକୁ । କିଏ କାହିଁକି ସାହସ କରିବ ଝଡ଼ ବର୍ଷା ପାଗରେ ଘରୁ ବାହାରି ତିନି ତିନିଟା ଗୁଣ୍ଡାଲୋକଙ୍କ ସମ୍ମୁଖୀନ ହେବାକୁ । ଏଇ ଯେଉଁ ପରିତ୍ୟକ୍ତ ଘର ଦେଖୁଛନ୍ତି, ତାରି ଭିତରକୁ ମୀରାକୁ ଉଠାଇ ନେଇଗଲେ ଦୁର୍ବୃତ୍ତମାନେ । ତା ପୂର୍ବରୁ ସେ ଖୁବ୍ ଚିତ୍କାର କରିଛି, କାହାରି କାହାରି ଦରଜାରେ କରାଘାତ କରିଛି । ହେଲେ ବର୍ଷା ପବନରେ ତାର କ୍ରନ୍ଦନ ଓ ଚିତ୍କାର ଶୂନ୍ୟରେ ମିଳେଇଗଲା । କେହି ତାକୁ ଶୁଣି ପାରିଲେନାହିଁ କି ଶୁଣି ନ ଶୁଣିବାର ଅଭିନୟରେ ରହିଲେ। ସାର୍, ଆପଣଙ୍କ ବାରଣ୍ଡାରେ କାନଫୁଲ ପଡ଼ିଥିଲା ମାନେ ସେ ଆପଣଙ୍କ ବାରଣ୍ଡାକୁ ଆସିଥିଲା । ନିଶ୍ଚୟ ଆପଣ ଶୁଣିଥିବେ ତାର ଚିତ୍କାର । ଆପଣ ତ ଚାହିଁଲେ ତାକୁ ସାହାଯ୍ୟ କରି ପାରିଥାନ୍ତେ ! ବର୍ତ୍ତି ଯାଇଥାନ୍ତା ବିଚାରୀ ! ଓଲଟା ଆରୋପରେ ସ୍ତବ୍ଧ ହୋଇଗଲା ଲଳିତ । ସେ ତ ଠିକ୍ ଶୁଣିଥିଲା କାହାର ଚିତ୍କାର । ଅଥଚ ତାକୁ ସେ ମନର ଭ୍ରମ କହି ଏଡ଼େଇ ଯାଇଥିଲା । ଆଉ ଟିକିଏ ଯଦି ଗୁରୁତ୍ୱର ସହ କଥାଟିକୁ ଚିନ୍ତା କରିଥାନ୍ତା, ତାହେଲେ ମୀରାକୁ ସେ ଦୁର୍ଘଟଣାରୁ ବଞ୍ଚାଇ ପାରିଥାନ୍ତା । ଲଳିତ ସବୁବେଳେ ନିଜର ଷଷ୍ଠେନ୍ଦ୍ରିୟକୁ ନେଇ ଗର୍ବ କରେ । ଏକ୍ଷେତ୍ରରେ କେମିତି ସେ ଧୋକା ଖାଇଗଲା ! ଲଳିତ ଅନୁଭବ କଲା ନିଜ ବିବେକର ଦଂଶନ। ଗୋଟିଏ ନିରୀହ ଝିଅଟିଏ ତାର ଅବହେଳାରୁ ବଳତ୍କାରର ଶୀକାର ହୋଇଗଲା । ଆଃ… ଛାତିରେ ଯନ୍ତ୍ରଣା ଅନୁଭବ କଲା ଲଳିତ ।

– ମୁଁ କିନ୍ତୁ ବୁଝିପାରୁନାହିଁ ରାତି ଅଧରେ ମୋ ଝରକା ଆରପଟେ ମୁଁ ଛାଇଟିଏ ଦେଖିଲି। ମୀରା କଣ ପୁଣି ଆସିଥିଲା ରାତି ଅଧରେ ?

– ରାତି ଅଧରେ ମୀରା ଆସିନଥିଲା, ମୁଁ ଆସିଥିଲି ଟର୍ଚ୍ଚ ନେଇ। ଏଇ କାନଫୁଲ ଖୋଜିବା ଉଦ୍ଦେଶ୍ୟରେ। ସେ ଯେଉଁ ଯେଉଁ ଜାଗା ଅତିକ୍ରମି ଯାଇଥିଲା, ସେଇ ସେଇ ଜାଗାରେ ମୁଁ ଖୋଜିଥିଲି ତାର ଏଇ ପଟେ କାନଫୁଲକୁ ।

ଲଳିତ ଯେମିତି ଆକାଶରୁ ଖସିପଡ଼ିଲା । ପଚାରିଲା, କଣ ନିଜର ପ୍ରାଣଠୁ ବଳି ଥିଲା ଏ କାନଫୁଲ, ୟାକୁ ଖୋଜିବାକୁ ତୁମେ ପୁଣି ବାହାରି ପଡ଼ିଲ ରାତି ଅଧରେ ସବୁ କଥା ଜାଣି ମଧ୍ୟ । ରାଗିଣୀ ହସିଲା ବିଦ୍ରୁପର ହସ । କହିଲା, ଆପଣ ବୁଝି ପାରିବେ ନାହିଁ ସାର୍ ଆମ ଭଳି ସ୍ଵାଭିମାନୀ ଦରିଦ୍ରଙ୍କ ପାଇଁ କେତେ ମୂଲ୍ୟବାନ୍ ଏ ସୁନାର କାନଫୁଲ । ଏଭ୍ରି ମୋମେଣ୍ଟ୍ ଗାର୍ଲ୍ସ ଲାଇକ୍ ଆଜ୍ ପ୍ଳେସ୍ ଦେମ୍ ସେଲ୍ଭସ୍ ଇନ୍ ଭଲ୍ନେରେବୁଲ୍ ସିଚୁଏସନ୍ ଜଷ୍ଟ ଟୁ ଫିଡ୍ ଦେୟାର୍ ଫ୍ୟାମିଲି ମେମ୍ବର୍ସ୍ । ରାଗିଣୀ ଧଡ୍‌କିନା ଉଠି ଠିଆ ହେଲା। ଲଳିତ ମନେ ମନେ ଭାବୁଥିଲା ଏ ଶେଷ ବାକ୍ୟଟା ତା ଉଦ୍ଦେଶ୍ୟରେ ନୁହେଁ ତ !

ଲୋକପ୍ରିୟ ଲେଖା

To Top