ଗଳ୍ପ

କାନ୍ଦୁରୀ ବୁଢ଼ୀର ଶେଷ ହସ

Dr Bibhuti Pattanaik's odia story Kaanduri Budhira Shesha Hasa

ରାତିରେ ଅପେରା ସରିଲେ ମୁଣ୍ଡରୁ ରାଜମୁକୁଟ ଓହ୍ଲାଇ ଦେଇ, ମୁହଁରୁ ନଡ଼ିଆ ତେଲରେ ଜିଙ୍କ୍ ପାଉଡ଼ର୍ ଛଡ଼ାଇ ପୁଣି ସକାଳୁ ଘରକୁ ଫେରିଆସେ । ବୁଢ଼ୀର ଧାରଣା ତା’ ପୁଅ ସେମିତି ଦିନେ ଆସି ତା’ ପାଖରେ ପହଞ୍ଚିଯିବ ।

କାନ୍ଦୁରୀ ବୁଢ଼ୀର ଶେଷ ହସ

(ଏକ)

କାନ୍ଦୁରୀ ବୁଢ଼ୀର ଅଶ୍ରାବ୍ୟ ଗାଳି ବୃଷ୍ଟି ଆରମ୍ଭ ହେଲେ ମଧୁପୁର ଗାଆଁର ଆକାଶରେ ସୂର୍ଯ୍ୟୋଦୟ ହୁଏ । ଆମ ଆକାଶରେ ସିନ୍ଦୂରା ଫାଟିବା ଆଗରୁ ବୁଢ଼ୀ ଅସରାକୁ ଅସରା ବାହୁନି କାନ୍ଦୁଥିଲା । ତା’ର ସେଇ ନିୟମିତ କାନ୍ଦଣା ଯୋଗୁଁ ଅକ୍ଷୟ ବୋଉ କାନ୍ଦୁରୀ ବୁଢ଼ୀ ନାମରେ ଆଖପାଖ ଗାଆଁ ଗଣ୍ଡାରେ ଚିହ୍ନିତ ହୋଇଯାଇଥିଲା ।

ଅକ୍ଷୟ ଥିଲା ତା’ର ଏକମାତ୍ର ସନ୍ତାନ । ଆଗେ ଗାଆଁ ଅପେରା ପାର୍ଟିରେ ସେ ରାଜା ପାର୍ଟ କରି ନାମ କମାଇଥିଲା । ଭାରତୀୟ ପଦାତିକ ବାହିନୀରେ ସାହସୀ ସୈନିକ ଭାବରେ ଯୋଗଦେବା ପରେ ରାଜା ପାର୍ଟ ଛାଡ଼ି ଦେଇ ଶତ୍ରୁ ର ସହିତ ଲଢ଼ିବା ପାଇଁ କାର୍ଗିଲ୍ ଯାଇଥିଲା ।

ସେ ଯୁଦ୍ଧରେ ଭାରତ ଜିତିଥିଲା କିନ୍ତୁ ଅକ୍ଷୟ ପାକିସ୍ଥାନୀ ଟ୍ୟାଙ୍କ ବାହିନୀ ଦ୍ୱାରା ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲା । ମୃତ ସୈନିକର ମୃତଦେହ ମଧୁପୁର ଗ୍ରାମକୁ ସତ୍କାର ପାଇଁ ଆସି ନ ଥିଲା । ସେଇ କାର୍ଗିଲ୍‌ଠାରେ ରାଷ୍ଟ୍ରୀୟ ସମ୍ମାନ ସହ ତା’ର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ।

ସହିଦ ଅକ୍ଷୟ କୁମାର ପ୍ରତି ସମ୍ମାନ ଜଣାଇ ସେନା ବାହିନୀର ଆଞ୍ଚଳିକ କମାଣ୍ଡର ବୁଢ଼ୀ ପାଖକୁ ସମବେଦନାପୂର୍ଣ୍ଣ ତା’ର ବାର୍ତ୍ତା ପଠାଇବା ସଙ୍ଗେ ସଙ୍ଗେ ଅକ୍ଷୟ ତା’ ବୋଉ ନାମରେ ଖୋଲିଥିବା ଷ୍ଟେଟ୍‌ବ୍ୟାଙ୍କ୍ ସେଭିଂସ୍ ଆକାଉଣ୍ଟରେ ପାଞ୍ଚଲକ୍ଷ ଟଙ୍କାର ଏକଚେକ୍ ଜମା କରିଥିଲେ ।

ବୁଢ଼ୀ ପୁଅକୁ ହରାଇ କ୍ଷତିପୂରଣ ସ୍ୱରୂପ ପାଞ୍ଚଲକ୍ଷ ଟଙ୍କାର ମାଲିକିଆଣୀ ହୋଇଗଲା ।

ଗ୍ରାମ ସରପଞ୍ଚଙ୍କଠାରୁ ଆରମ୍ଭ କରି ଥାନା ଅଫିସର୍ ଯେତେ ବୁଝାଇଲେ ବି ବୁଢ଼ୀ ତା’ର ଏକମାତ୍ର ସନ୍ତାନ-ଅକ୍ଷୟ କୁମାରର ମୃତ୍ୟୁ ସମ୍ୱାଦ ବିଶ୍ୱାସ କରି ନଥିଲା । ଅପେରା ପାର୍ଟିରେ ରାଜା ରୋଲ୍ କରୁଥିବା ଅକ୍ଷୟ କୁମାର ଟିଣର ତଲୱାର୍ ବୁଲାଇ ଶତ୍ରୁପକ୍ଷ ସହିତ ଘମାଘୋଟ ଯୁଦ୍ଧ କରି ଥରେ ଥରେ ଜିଭ କାମୁଡ଼ି ମରି ଶୁଏ । କିନ୍ତୁ ରାତିରେ ଅପେରା ସରିଲେ ମୁଣ୍ଡରୁ ରାଜମୁକୁଟ ଓହ୍ଲାଇ ଦେଇ, ମୁହଁରୁ ନଡ଼ିଆ ତେଲରେ ଜିଙ୍କ୍ ପାଉଡ଼ର୍ ଛଡ଼ାଇ ପୁଣି ସକାଳୁ ଘରକୁ ଫେରିଆସେ । ବୁଢ଼ୀର ଧାରଣା ତା’ ପୁଅ ସେମିତି ଦିନେ ଆସି ତା’ ପାଖରେ ପହଞ୍ଚିଯିବ ।

ଦୁଇମାସ ତଳେ ଗାଆଁକୁ ଆସିଥିଲା ଅକ୍ଷୟ କୁମାର, ଗାଆଁର ନିଧି ପଧାନଙ୍କ ସାନ ଝିଅ ଲାବଣ୍ୟ ସହ ତା’ର ବାହାଘର ଠିକ୍ ହୋଇଥିଲା । ବୋହୂ ପାଇଁ ପାଟଶାଢ଼ୀ, ରୂପାର ପାଉଁଜି ଆଉ ସୁନାମୁଦି କିଣା ସରିଥିଲା ।

ହଠାତ୍ ପାକିସ୍ଥାନୀ ସୈନ୍ୟ କାର୍ଗିଲ୍ ଦଖଲ କରିବା ପାଇଁ ଭାରତୀୟ ଚେକ୍‌ପୋଷ୍ଟ ଉପରେ ଆଖିବୁଜା ଗୁଳିବର୍ଷଣ ଆରମ୍ଭ କରିଦେଲେ । ଯୁଦ୍ଧ ଲାଗିଗଲା । ବାତିଲ୍ ହୋଇଗଲା ଅକ୍ଷୟ କୁମାରର ଛୁଟି । ଶୀଘ୍ର ଯୁଦ୍ଧକ୍ଷେତ୍ରକୁ ଯିବାପାଇଁ ନିର୍ଦ୍ଦେଶ ଆସି ପହଞ୍ଚିଗଲା ।

ଅକ୍ଷୟ କୁମାର କହିଲା, “ବୋଉ । ମୁଁ ଚାଲିଲି । ଯୁଦ୍ଧ ଲାଗିଗଲାଣି । ଶୀଘ୍ର ମତେ ଯୁଦ୍ଧରେ ଜଏନ୍ କରିବାକୁ ହେବ । ତୁ କିଛି ଚିନ୍ତା କର ନାଇଁ- ପାକିସ୍ଥାନକୁ ଯୁଦ୍ଧରେ ହରାଇବା ଆମର ବାମ ହାତର ଖେଳ ।

କାଶ୍ମୀର, ବାଂଲାଦେଶ-ଯେଉଁଠି ବି ପାକିସ୍ଥାନ ଆମ ସହିତ ଲଢ଼େଇ କରିଛି ହାରିଛି । ଏଥର ମଧ୍ୟ ହାରିବ । ଯୁଦ୍ଧରେ ଜିତିସାରି ମୁଁ ଫେରିଆସିଲେ ବାହାଘର !”

ଯୁଦ୍ଧ ସରିଲା । ଭାରତ ଜିଣିଲା । କିନ୍ତୁ ଯୁଦ୍ଧକୁ ଯାଇଥିବା ଅକ୍ଷୟ କୁମାର ଫେରିଲା ନାହିଁ । କିନ୍ତୁ ପୁଅ ମରିଛି ବୋଲି ତା’ର ମାଆ ବୁଢ଼ୀ ବିଶ୍ୱାସ କରିବାକୁ ରାଜି ନୁହଁ । ଦୁଇମାସ ତଳେ ସେ ଯୁଦ୍ଧକୁ ଯାଇଥିଲା । ଫେରିଆସି ଲାବଣ୍ୟକୁ ବାହା ହେବ ବୋଲି କଣ୍ଟ ଦେଇ ଯାଇଥିଲା । ବୋହୂ ପାଇଁ କିଣା ହୋଇଥିବା ପାଟଶାଢ଼ୀ ସେ ପେଡ଼ିରେ ସାଇତି ରଖିଛି । ପାଞ୍ଚ ଶହ କି ପାଞ୍ଚ ହଜାର ନୁହଁ- କୋଠାଘର ତୋଳିବା, ଖଟ ପଲଙ୍କ କିଣିବା ପାଇଁ ଏକାଥରେ ପାଞ୍ଚଲକ୍ଷ ଟଙ୍କା ପଠାଇଛି ଅକ୍ଷୟ ।

ସେ ମରିଥିଲେ ଟଙ୍କା ପଠାଇ ଥାଆନ୍ତା କିଏ ? ତା’ର ମଲାଦିହ କେହି ଦେଖିଲେ ନାହିଁ । ଡେଙ୍ଗା, ମଜବୁତ୍ ଅଠେଇଶି ବର୍ଷର ଭେଣ୍ଡିଆ ପୁଅ ମରି ହାୱା ହୋଇଗଲା ।

ଦେଶ ଯୁଦ୍ଧରେ ଜିଣିଛି ଆଉ ଦେଶର ଜୱାନ୍ ମରିଛି । ହାଃ- ବୁଢ଼ୀ ପୁଅର ମୃତ୍ୟୁ ଖବରକୁ ହସରେ ଉଡ଼ାଇ ଦିଏ ।

ପୁଅର ଫେରି ଆସିବା ବାଟକୁ ଚାହିଁ ବସିଥାଏ ।

ଦିନ ଯାଏ, ମାସ ଯାଏ । ବର୍ଷା ଯାଇ ଶୀତ ଆସେ । କିନ୍ତୁ ଫେରେ ନାଇଁ ଅକ୍ଷୟ କୁମାର ।

ଆରମ୍ଭ ହୋଇଯାଏ ବୁଢ଼ୀର ବୁକୁଫଟା କାନ୍ଦଣା ।

ପୂର୍ବ ଆକାଶ ଲାଲ୍ ହେବା ଆଗରୁ, ପାହାନ୍ତି ତାରାର ଆଲୁଅ ଫିକା ପଡ଼ିବା ପୂର୍ବରୁ ଦାଣ୍ଡ ଦୁଆର ମୁହଁରେ ବସି ପୁଅକୁ ବାହୁନିବାହୁନି ବୁଢ଼ୀ କାନ୍ଦିଉଠେ ।

ଯିଏ ଯେତେ ବୁଝାଇଲେ ବି ସେ ବୁଝେ ନାହିଁ ।

ଅକ୍ଷୟ ଯେତେବେଳେ ପାଞ୍ଚ ବରଷର ବାଳୁତ ପିଲା ତା’ର ବାପା ପାଟପୁର ହାଟରୁ ଫେରିବା ବାଟରେ ପଠାଣ ସାହି ଝଙ୍କା ବରଗଛ ପାଖରେ ଭେଟଣା ହୋଇ ପ୍ରାଣ ହରାଇଥିଲା । ବିଧବା ବୁଢ଼ୀ ଦେହ ମିହନତ କରି ଅକ୍ଷୟ କୁମାରକୁ ମଣିଷ କରିଥିଲା । ପାଠ ପଢ଼ାଇଥିଲା । ମିଲିଟାରୀରେ ପୁଅ ଯୋଗ ଦେଲା ପରେ ଦୁଃଖ ଗଲା ବୋଲି ବୁଢ଼ୀ ଶିବମନ୍ଦିରରେ ବେଲପତ୍ର ଚଢ଼ାଇ ଥିଲା । ପୁଅର ବାହାଘର ଠିକ୍ କରିସାରିଥିଲା । ବୋହୂଟି ଘରକୁ ଆସିଲେ ତାକୁ ଆଉ ଚୁଲି ପାଖରେ ନିଆଁ ଧାସରେ ସିଝିବାକୁ ପଡ଼ିବ ନାଇଁ ବୋଲି ବୁଢ଼ୀ ମନେ ମନେ ଗୁଡ଼ ଖାଉଥିଲା ।

ସବୁ ଠିକ୍ ଥିଲା । କେଉଁଠୁ ମାଡ଼ି ଆସିଲା ଏଇ ନିଆଁଲଗା କାରଗିଲି ଯୁଦ୍ଧ । ଗଲା ପୁତ୍ର ବାହୁଡ଼ି ନଇଲା ।

ପାହାପାହା ରାତିରୁ ଉଠି ପୁଅକୁ ସୁମରି ବୁଢ଼ୀ କାନ୍ଦ ବୋବାଳିରେ ଆକାଶ ଫଟାଇଲା ।

କାନ୍ଦୁରୀ ବୁଢ଼ୀର ଦୁଃଖରେ ସମଦୁଃଖୀ ହୋଇ ଯେଉଁ ସାଇପଡ଼ିଶା ତାକୁ ପ୍ରବୋଧନା ଦେବାକୁ ଗଲେ-ପୁଅର ଶ୍ରାଦ୍ଧ ପାଳନ କରିବାକୁ କହିଲେ- ସେମାନଙ୍କୁ ଛାଞ୍ଚୁଣୀ ଉଞ୍ଚାଇ ମାରି ଗୋଡ଼ାଇଲା । ଯୁଦ୍ଧରେ ଲଢ଼ି ଜିଣିଥିବା ତା’ର ପୁଅ ମରିଯାଇଛି ବୋଲି ଯେଉଁମାନେ କହିଲେ- ସେମାନଙ୍କୁ ଅଶ୍ରାବ୍ୟ ଭାଷାରେ ସମ୍ପାକଟା କରି ବୁଢ଼ୀ ଗାଆଁ କମ୍ପାଇଲା ।

ବିଧବା ବୁଢ଼ୀର ନାଁ ବଦଳି ଗଲା- “କାନ୍ଦୁରୀ ବୁଢ଼ୀ” !

ତା’ପରେ

ଲୋକପ୍ରିୟ ଲେଖା

To Top