ଗଳ୍ପ

କଳା ବାଦଲ

Ashis Ranjan Das's Odia Story Kalaa Baadala

ଯଦି ଆଜି ତୁମେ ହଁ ନ କୁହ ତେବେ ମୁଁ ଛାତରୁ ଡେଇ ଆତ୍ମହତ୍ୟା କରିଦେବି, ଆଉ ତା ପରେ ତାର ଆଉ ଜଣେ ସାଙ୍ଗ ସୁବ୍ରତକୁ ଫୋନ୍ ଦେଇଦେଲା ।

କଳା ବାଦଲ

ସ୍ମିତା ତା’ଘରକୁ କାହିଁକି ଡାକିଲା ! କ’ଣ ଏମିତି କହିବାର ଅଛି ! ଫୋନ୍ ବି ତ କରିପାରିଥାନ୍ତା ! ନହେଲେ ପରେ କହିପାରିଥାନ୍ତା କଲେଜ୍‌ରେ ! ଏମିତି ଭାବୁ ଭାବୁ ଆଶୁ ସ୍ମିତା ଘରେ ପହଞ୍ଚି ଗଲା । ତାକୁ ଦେଖି ସ୍ମିତା ବହୁତ୍ ଖୁସି ଜଣାପଡୁଥିଲା । ଯେମିତି ତାର ହିଁ ବାଟ ଚାହିଁଥିଲା । ତାକୁ ଡାକି ବେଡ୍‌ରୁମ୍‌କୁ ନେଇଗଲା । କାରଣ ଡ୍ରଇଂ ରୁମ୍‌ରେ ତା ବାପା ଓ ଭାଇ ଭଉଣି ବସି ଟିଭି ଦେଖୁଥିଲେ ଏବଂ ମା ରୋଷେଇ କରୁଥିଲେ । ରବିବାର ଥିବାରୁ ସମସ୍ତେ ଘରେ ଥାନ୍ତି । ଖୁସିର ମାହୋଲ୍ କିନ୍ତୁ ତା ଠାରୁ ଅଲଗା ଆଶୁ ଓ ସ୍ମିତା ବସି କଥା ହେଉଥାନ୍ତି ।

ଆଶୁ ପାଣି ମାଗିବାରୁ ସ୍ମିତା ଉଠି ପାଣି ଆଣିବାକୁ ଗଲା । ଫେରି ଆସି ଆଶୁକୁ ପାଣି ଓ କିଛି ସ୍ନାକ୍ସ୍ ଦେଲା ଏବଂ ନିଯେ ମଧ୍ୟ କିଛି ପାଟିରେ ପକାଉ ପକାଉ ଗପ ଆରମ୍ଭ କଲା ।

“ଆଶୁ, ବହୁତ ଦିନରୁ ମୁ ତମକୁ କିଛି କହିବି ଭାବୁଚି, ହେଲେ ତମେ ବ୍ୟସ୍ତ ଥିବାରୁ କହିପାରି ନଥିଲି । ଆଜି ତମେ ଯେତେବେଳେ ମାର୍କେଟ୍‌ରେ ଦେଖାହେଲ, ଭାବିଲି ଏଠିତ କଥା ହେଇ ହବନି, ତେଣୁ ତମକୁ ଘରକୁ ଡାକିବା ଠିକ୍ ହେବ ଭାବି ଡାକିଦେଲି । ତମର ଆଉ କିଛି କାମ ନଥିଲା ତ ? ତମକୁ ଡିଷ୍ଟର୍ବ କରିନି ତ ?”

“ଆରେ ନା ନା, ଏମିତି ବି ରବିବାର ଦିନ ମୋର କମ୍ କାମ ଥାଏ । ତା ଛଡା ତମେ ମୋର ସବୁଠାରୁ ଭଲ ସାଙ୍ଗ । ତମେ ଡାକିଲେ ଆସିନଥାନ୍ତି କେମିତି ! ମୁ ଖାଲି ବ୍ୟସ୍ତ ହେଉଥିଲି ଯେ, ହଠାତ୍ କ’ଣ ଏମିତି ଜରୁରି କାମ ପଡିଲା ଯେ ତମେ ଘରକୁ କଥା ହେବାକୁ ଡାକିଲ ! ଯାହା ହେଉ, ଭଗବାନ୍‌ଙ୍କ ଦୟାରୁ ସବୁ ଠିକ୍ ଠାକ୍ ଅଛି । ଆଛା କୁହ ଏବେ କଣ କହିବାର ଥିଲା ।” ଆଶୁ କହିଲା ।

“ଆଶୁ, ତମର ମନେ ଥିବ, ସେଦିନ କଲେଜ୍‌ରେ ଆମେ କଥା ହେଉଥିଲାବେଳେ ମୋର ଗୋଟେ ଫୋନ୍ କଲ୍ ଆସିଥିଲା ଆଉ ମୁ କହିଲି ଗୋଟେ ସାଙ୍ଗ ଫୋନ୍ କରିଛି ! ସିଏ ହେଉଛି ଆକାଶ୍ । ଗତ ନୂଆ ବର୍ଷ ଗୋଟିଏ ରଙ୍ଗ୍ ନମ୍ବର୍ ରୁ କଲ୍ ଆସିଥିଲା । ସିଏ ଯାହାକୁ କଲ୍ କରିଥିଲା, ତା ନା ମଧ୍ୟ ସ୍ମିତା । ତେଣୁ ମୁ ହଠାତ୍ ଜାଣି ନପାରି ତା ସହ ବହୁତ୍ ସମୟ କଥା ହେଲି । ସେ ମୋର ସ୍କୁଲ୍ ବେଳର ସାଙ୍ଗ ବୋଲି ପରିଚୟ ଦେଲା ଆଉ ମୋର ସ୍କୁଲ୍ ବେଳର କୌଣସି ସାଙ୍ଗ କଥା ମନେ ନାହି । ସେ ମୋ ବିଶୟରେ ବି ଯାହା ସବୁ କହିଲା, ପ୍ରାୟ ଅଧିକାଂଶ ସତ ଥିଲା । ଆମେ କେତେ ଭାଇ ଭଉଣୀ, କୋଉଠି ରହୁଛୁ ଆଉ ବାପା କଣ କରନ୍ତି ଈତ୍ୟାଦି । ହଠାତ୍ ଦିନେ ଫୋନ୍ କରି କହିଲା, ‘ମୁଁ ତୁମକୁ ଭଲପାଏ । ତୁମକୁ ନପାଇଲେ ମୁଁ ମରିଯିବି ।’ ତେଣୁ ମୁ ହଠାତ୍ କିଛି କହିପାରିଲିନି ।”

ତା ପରେ ସବୁ ଦିନ ସେଇ କଥା । ଗତ ୧୪ ଫେବୃଆରି ଭାଲେଣ୍ଟାଇନ୍ ଡେ ଦିନ ସବୁ ଦିନ ପରି କଲ୍ କଲା ଆଉ କହିଲା, “ଯଦି ଆଜି ତୁମେ ହଁ ନ କୁହ ତେବେ ମୁଁ ଛାତରୁ ଡେଇ ଆତ୍ମହତ୍ୟା କରିଦେବି, ଆଉ ତା ପରେ ତାର ଆଉ ଜଣେ ସାଙ୍ଗ ସୁବ୍ରତକୁ ଫୋନ୍ ଦେଇଦେଲା ।” ସିଏ ବି ତାକୁ ସମର୍ଥନ କରି କହିଲା “ସ୍ମିତା, ସିଏ ଭାରି ଜିଦିଆ । ଛାତ ବାଡାରେ ଠିଆ ହେଇଛି । ତମେ ମନା କଲେ ଡେଇ ପଡିବ । ତମେ ପ୍ଲିଜ୍ ରାଜି ହେଇଯାଅ । ମୁ ତୁମକୁ ଅନୁରୋଧ କରୁଚି ।”

ମୁଁ କହିଲି, “ମୁ ନା ତାକୁ ଦେଖିଚି ନା ଜାଣିଚି । ଖାଲି ଗୋଟେ ବିଶ୍ଵାସରେ କଥା ହେଉଚି । ଆଉ ତମେ ମୋ ଉପରେ ଅଧିକାର ସାବ୍ୟସ୍ତ କରିବାକୁ ବସିଛ ! ସୁବ୍ରତ କହିଲେ, “ନା, ଅଧିକାର ନାହିଁ, ସେଥିପାଇଁ ତ ଅନୁରୋଧ କରୁଚି । ଆଉ ଯଦି ଦେଖାକରିବା ନିହାତି ଜରୁରି, ତେବେ ତମେ କୁହ, କେବେ ଆଉ କୋଉଠି ଦେଖା କରିବ । ମୁ ସବୁ ବନ୍ଦୋବସ୍ତ କରିଦେବି ।”

ତା ପରେ ମୁ ବାଧ୍ୟ ହେଇ ରାଜି ହୋଇଗଲି । ମୁ ତାକୁ କହିଲି ଦୁଈ ଦିନ ପରେ କଲେଜ୍‌ରେ ଦେଖା କରିବାକୁ, ସେ ଆସିଥିଲା ମଧ୍ୟ । ବହୁତ୍ ଭଲ ପିଲା । ବାକି ଆଗକୁ କ’ଣ ହେଉଛି ଦେଖିବାର ଅଛି ।

ତମେ କଣ କହୁଛ ଆଶୁ ? ମୁ ଠିକ୍ କଲି ନା ? ଗୋଟିଏ ପିଲା ମୋ ପାଇ ଜୀବନ ଦେଇ ଦେଇଥିଲେ କଣ ଠିକ୍ ହେଇଥାନ୍ତା? ତା ବାପା ମା’ ଆଉ ପରିବାରର କ’ଣ ହେଇଥାନ୍ତା ?

ଆଶୁ କହିଲା, “ଠିକ୍ କଥା । ଆମେ କାହାକୁ ଜୀବନ ଦେଇ ପାରିବାନି, କାହାର ଜୀବନ ବଞ୍ଚାଇ ତ ପାରିବା ! ହେଲେ ଗୋଟିଏ କଥା ତମକୁ ପଚାରିବାର ଥିଲା ।”

ସ୍ମିତା କହିଲା କୁହ । ଆଶୁ ପଚାରିଲା, “ତମେ ସତରେ ତାକୁ ଭଲପାଉ ନାହଁ ତ?” କିନ୍ତୁ ସ୍ମିତା କିଛି କହିଲା ନାହିଁ । ଆଶୁ ସ୍ମିତହାସ୍ୟ ସହିତ ବିଦାୟ ନେଲା ସ୍ମିତା ଠାରୁ । କିନ୍ତୁ ସେ ହସରେ ଖୁସି ନଥିଲା । ଥିଲା ଅଦିନ ମେଘ ପରି ଦୁଃଖର କଳା ବାଦଲ ।

ଲୋକପ୍ରିୟ ଲେଖା

To Top