ଗଳ୍ପ

କଳାବରଣ

କଳାବରଣ

-: ପୁର୍ବରୁ :-

– ମମୀ-ମାମା ଦୁହିଁଙ୍କୁ କହିବି । ତାଙ୍କର ଶଶୁର ଭକ୍ତି କରୁଥାନ୍ତୁ । ଆଜି ପଢ଼ା ହେଲା । କାଲି ରିକ୍ସାରେ ଯିବା । ପହରି ଦିନ ଚାଲି ଚାଲି ଯିବା । ନାଇଁ. . . ଆମେ ହଷ୍ଟେଲ୍‌ରେ ରହିବା । ଫାଇନାଲ୍ ?

– ୟାହ୍. . . ।

ଭାଇ ଭଉଣୀଙ୍କ କଥା ଏତିକିରୁ ଶେଷ । ଟିକି ଟିକି ଶବ୍ଦ ଭିତରେ, ଦୁଇ ମାସର ଅସନ୍ତୋଷକୁ ଏମିତି ରୁଦ୍ଧ ହୃଦୟରୁ ମୁକ୍ତି ଦେବା ପରେ, ସେମାନେ ସମସ୍ତଙ୍କ ପଛରେ ଘରକୁ ପଶିଲେ. . .

ସଙ୍ଗେ ସଙ୍ଗେ ଜେଜେ ଡାକିଲେ- ଆସରେ ! ଆରେ, ତୁମେ ଦୁହେଁ ବି ଏଇଠିକୁ ଆସ । ଏଇଠି ମୋ ସାମ୍ନାରେ ଅଳ୍ପ ସମୟ ବସ । ଆଜିଟା ତୁମର ସ୍କୁଲ୍ ବନ୍ଦ ହେଇଗଲା । ଖରାପ ଲାଗୁଥିବ, ନାଇଁ. . . ?

ଭାଇ ଭଉଣୀଙ୍କୁ ଲାଗୁଥିଲା- ସାର୍-ମାଡ଼ାମ୍‌ଙ୍କ ସାମ୍ନାରେ ଛାତ୍ର ଛାତ୍ରୀ ନିରବରେ ବସିଲା ପରି, ସେମାନେ ମାମା, ମମୀ, ଛୁଆ ବୋଉଙ୍କ ସହିତ ଜେଜେଙ୍କ ସାମ୍ନା ସୋଫା ମାନଙ୍କରେ ବସି, କ୍ଲାସ୍‌ର ଶୃଙ୍ଖଳା ରକ୍ଷା କରୁଛନ୍ତି ।

ଅନନ୍ତରାମ କହିଲେ- ତୁମ ସମସ୍ତଙ୍କୁ ଆଜି ମୋର କିଛି ପଚାରିବାର ଅଛି. . . କିଛି ଦେବାର ଅଛି. . . ନେବାର ବି ଅଛି. . . ।

ଯାହା ପଚାରିବି- ତାହା ମୋର ଲାଭ ପାଇଁ. . .
ଯାହା ଦେବି- ତାହା ତୁମର ଲାଭ ପାଇଁ. . .
ଯାହା ନେବି- ତାହା ସମସ୍ତଙ୍କର ଲାଭ ପାଇଁ

କେବଳ ଲାଭ ହିଁ ଲାଭ । ସାଂସାରିକ ବେପାର ବଣିଜର ଶେଷ ହିସାବ ନିକାଶ ଆଜି କରିବା । ବସ. . .

ଜେଜେଙ୍କ କଥା ନାତି ନାତୁଣୀଙ୍କ ପାଇଁ ଥାଏ ଅବୁଝା । ବୋହୂମାନଙ୍କ ମନ ମସ୍ତିଷ୍କକୁ ତାଙ୍କର ରହସ୍ୟାଚ୍ଛନ୍ନ ବକ୍ତବ୍ୟ ଝକ୍‌ଝୋର୍ କରି ଦେଉଥାଏ । ତାଙ୍କର ପ୍ରଥମେ ପ୍ରଶ୍ନ ସୁମତିଙ୍କୁ. . .

– ମୋର ତିନି ପୁଅଙ୍କ ପରି ତୁମକୁ ବି ଠାକୁରେ ତିନୋଟି ଅମୂଲ୍ୟ ଧନ ଦେଇଛନ୍ତି । ବଡ଼ ଦୁଇଜଣ ତ କଲେଜ ହଷ୍ଟେଲ୍‌ରେ । ନିଜ ଦାୟିତ୍ୱ ନିଜେ ବୁଝିବାର ଶକ୍ତି ତାଙ୍କର ଆସି ସାରିଛି । କିନ୍ତୁ ଏ ସାନଟି ? ଯା’ ପ୍ରତି ତୁମର ଯଥେଷ୍ଟ ଯତ୍ନ ନେବା କଥା. . . ମୁଁ ଦୁଇମାସ ଧରି ଦେଖୁଛି- ତାହା ତୁମେ ନେଉ ନାହିଁ । କାହିଁକି ? ମୋ ଅପେକ୍ଷା ତାଙ୍କ ପ୍ରତି ତୁମର ଅଧିକ ସମୟ ଦେବାର ଆବଶ୍ୟକତା ଅଛି, ନା. . . ?

ସୁମତି ହଡ଼ବଡ଼େଇ ଗଲେନାହିଁ ।

ଦିନେ ସେ ଥିଲେ କଲେଜର ସାଂସ୍କୃତିକ ସମ୍ପାଦିକା । “ସଂସ୍କୃତି ଓ ସଂସ୍କାର” ଥିଲା ତାଙ୍କର ଇଲେକ୍ସନ୍ ଇସ୍ତାହାରର ପ୍ରଥମ ଘୋଷଣା । ସେ ଯେମିତି ଶଶୁରଙ୍କ ଠାରୁ ଏମିତି ପ୍ରଶ୍ନ ଆଶା କରିଥିଲେ ଓ ସେ ପାଇଁ ପ୍ରସ୍ତୁତ ବି ଥିଲେ ।

କହିଲେ-

. . . ବାପା ! ଆପଣ ଆପଣଙ୍କ ପୁଅମାନଙ୍କର ସ୍ରଷ୍ଟା । ଆମମାନଙ୍କ ପାଇଁ ବି ସ୍ରଷ୍ଟା । ସ୍ରଷ୍ଟା ରୂପେ ପୁଅମାନଙ୍କୁ ସଂସାରକୁ ଆଣି, ଉଚ୍ଚଶିକ୍ଷା ଦେଇ, ଉଚ୍ଚ ବ୍ୟବସାୟରେ ଛାଡ଼ିଛନ୍ତି । . . . ଏହା ଆପଣଙ୍କ ଧର୍ମ । ଆମମାନଙ୍କ ପାଇଁ ସ୍ରଷ୍ଟା ରୂପେ ଅନେକ ଆନନ୍ଦ ଓ ସମ୍ମାନ ଅକାତରେ ଅଜାଡ଼ି ଦେଇଛନ୍ତି ଆମ ପଣତ କାନିରେ, ଯାହାକୁ ପାଇ, ଆମର ଶାନ୍ତିର ସୀମା ନାହିଁ । ମଣି ହେଉଛି ଆପଣଙ୍କ ଆଶୀର୍ବାଦରୁ, ଆମ ଦୁହିଁଙ୍କର ସୃଷ୍ଟି । ଆମେ ଯଦି ସ୍ରଷ୍ଟାଙ୍କର ସେବା-ପୂଜା ନ କରିବୁ, ସୃଷ୍ଟି ଶିଖିବ କ’ଣ ? ତା’ ସମୟରେ. . . ସେ ପୁଣି ତା’ ସୃଷ୍ଟିକୁ କି ବ୍ୟବହାର କରିବ ? ପରିବାର ପରା ସଂସ୍କୃତିର ମୂଳ ପୀଠ । ସ୍ନେହ ଶ୍ରଦ୍ଧା ପ୍ରୀତି ଭକ୍ତି ଅନୁରକ୍ତି. . . ଏହା ହିଁ ଏ ପୀଠରୁ ପ୍ରଥମେ ପ୍ରଭାବିତ କରେ ଦେଶର ଭବିଷ୍ୟତ ନାଗରିକକୁ. . . । ଏଇ ପାଇଁ ଆମ ଦେଶକୁ, ପୁଣ୍ୟ ଭାରତ ଭୂଇଁ କୁହାଯାଏ । ଏହା ପରମ୍ପରା । ଏହା ସଂସ୍କୃତି. . . ମହାଭାରତୀୟତା । ସବୁ ଥାଇ ଯଦି ଶାନ୍ତି ନାହିଁ ତ କିଛି ନାହିଁ । ପାରିବାରିକ ଜୀବନରେ ସବୁ ଜାକ ବଳ ବୟସ ଶେଷ କରି, ବୁଢ଼ା ବୟସ ପାଇଁ ଶାନ୍ତି ଆଞ୍ଜୁଳାଏ ଯଦି କେହି ରଖି ନ ପାରିଲା, ତେବେ ସେ ତା’ ଇଚ୍ଛା ବିରୁଦ୍ଧରେ ମରିଗଲା ଜାଣନ୍ତୁ ।

ଘରର ବଡ଼ ବୋହୂ ରୂପେ ପାରିବାରିକ ବର୍ତ୍ତମାନ ଓ ଭବିଷ୍ୟତ ଶାନ୍ତି ପାଇଁ, ଯାହା ଯେତିକି ମୋ ଦ୍ୱାରା ସମ୍ଭବ, କରୁଛି । ଭୁଲ୍ ରହୁଥିଲେ, ମୋତେ କ୍ଷମା କରିବେ ବାପା. . .

ଆହା ! ବାହାର ଭିତର ମଧ୍ୟରେ କେତେ ଯେ ପ୍ରଭେଦ ! ସତରେ ସୁମତି ଯାହା କହୁଛନ୍ତି, ତାଙ୍କ ଭିତର ଇଚ୍ଛାତକ ସେମିତି ହେଇଥାନ୍ତା କି ! ଆଉ କ’ଣ ଭାବି ଅନନ୍ତରାମ ଚନ୍ଦ୍ରିକାଙ୍କୁ ପ୍ରଶ୍ନ କଲେ-

– ମା’ ! ମୁଁ ଲକ୍ଷ୍ୟ କରିଛି, ତୁମେ ବି ଜ୍ୟୋତି ପାଇଁ ଯେତିକି ସମୟ ଦେବା କଥା, ଦେଉ ନାହଁ । ସବୁବେଳେ ମୋରି ପାଇଁ ବ୍ୟସ୍ତ । କାରଣ କ’ଣ ?

ଚନ୍ଦ୍ରିକା ଉତ୍ତର ଦେଲେ- ଜ୍ୟୋତିକୁ ମୁଁ ବୋଝ ବୋଲି ଭାବୁ ନାହିଁ ବାପା । ଏ ତ ପରିବାରର ବୋଝ । ଆପଣ ସମସ୍ତଙ୍କର । ଯେଉଁଠି ସଂସ୍କାର ଥାଏ, ସେ ପରିବେଶରୁ ପିଲାଏ ଆପେ ଆପେ ଭଲ ହେଇ ଥାଆନ୍ତି । ମୋ ଜାଣିବାରେ ଝିଅଟିକୁ ଭଲ କରିବାର ଥିଲେ, ତା’ ମାଟିକୁ ଭଲ ହେବାକୁ ହୁଏ । ଜ୍ୟୋତି ଯଦି ତା’ ଶାଶୁ ଘରେ ସମସ୍ତଙ୍କ ସ୍ନେହ ଆଦର ପାଇବ. . . ତେବେ ତାକୁ ତା’ ବାପ ଘରୁ ପ୍ରସ୍ତୁତ ହେଇ ସେଠିକୁ ଯିବାକୁ ପଡ଼ିବ । ତାକୁ ଭଲ କରିବା ପାଇଁ, ମୁଁ ଭଲ ହେବାକୁ ଚେଷ୍ଟା କରୁଛି ବାପା. . . । ପୁଣି. . . ଯିଏ ଯାହା ହେବା କଥା, ହେବ । ଜ୍ୟୋତି ଖାଉଛି ପିଉଛି, ସ୍କୁଲ୍ ଯାଉଛି । କ୍ଲାସ୍‌ରେ ଫାଷ୍ଟ ହେଉଛି । ଏସବୁ ଆପଣଙ୍କ ଆଶୀର୍ବାଦର ଫଳ । ତା’ ପାଇଁ ଅଧିକ ସମୟ ଦେବା ଯାହା, ଆଦୌ ନ ଦେବା ବି ସେୟା । ସେ ନିର୍ଭରଶୀଳ ନୁହେଁ । ନିଜ ଦାୟିତ୍ୱ ନିଜେ ଜାଣିଗଲାଣି । ବଡ଼ ମାନଙ୍କ ସ୍ନେହ, ଶ୍ରଦ୍ଧା ଆଉ ଆଶୀର୍ବାଦ. . . ସାନ ମାନଙ୍କୁ ସମାଜରେ ସମ୍ମାନିତ କରେ । ଏଣୁ, ମୋ ପାଇଁ ଯିଏ ବଡ଼. . . ଏ ପରିବାର ପାଇଁ ଯିଏ ବଡ଼. . . ମୁଁ ତାଙ୍କର ସେବା କରିବାକୁ ଜୀବନର ପୁଣ୍ୟ କର୍ମ ବୋଲି ଧରି ନେଇଛି । ତାଙ୍କର ନିରନ୍ତର ସ୍ନେହ, ଶ୍ରଦ୍ଧା, ଆଶୀର୍ବାଦ ଥିଲେ, ସବୁ ଠିକ୍ ଢଙ୍ଗରେ, ଠିକ୍ ବାଟରେ ଚାଲିବ ।

. . . କି ବିଚିତ୍ର ନାରୀ ଏ ! ଶଶୁରଙ୍କୁ ଶୋଷଣ କରିବାର କି ଯେ ଅଭିନୟ ! ଏଇ ପାଇଁ ସମ୍ଭବତଃ କୁହାଯାଇଛି- ଯେଉଁ ନାରୀକୁ ନିଜ ଇଚ୍ଛାରେ ଭଗବାନ ସୃଷ୍ଟି କରିଛନ୍ତି, ତାକୁ ନିଜେ ବି ବୁଝିପାରି ନାହାନ୍ତି । ଏ ଯେ ପ୍ରକୃତରେ ଯୋଗମାୟା !

କୌଣସି ଭାବନା ପ୍ରକାଶ ନ କରି, ନିଜ ଭାବନା ନିଜ ଭିତରେ ରଖି, ଅନନ୍ତରାମ ମୌସୁମୀଙ୍କ ମୁହଁକୁ ଚାହିଁଲେ । ସେମିତି ନିର୍ଲିପ୍ତ ସଜ ସଜ ମୁହଁ । ପାର୍ଶ୍ଵ ପ୍ରତିକ୍ରିୟାହୀନ । ତଥାପି ତାଙ୍କ ଆଖିମାନଙ୍କରେ କିପରି ଏକ ତରଳ କରୁଣତା ଛାଇ ହେଲା ପରି ଅନନ୍ତରାମଙ୍କୁ ଲାଗିଲା ! ପଚାରିଲେ-

ମା’ ମୌସୁମୀ ! ନିଜ ପ୍ରତି ଏତେ କମ୍ ଯତ୍ନ ନେଉଛ ଯେ. . . ଯାହା ତୁମ ବୟସର ପିଲାଙ୍କ ପାଇଁ ଠିକ୍ ନୁହେଁ । ପୁଣି, ମୋର ଏତେ ଯତ୍ନ ନେଉଛ ଯେ. . . ଯାହା, ମୋ ବୟସର ବୁଢ଼ାଟି ପାଇଁ ବି ଠିକ୍ ନୁହେଁ । କାହିଁକି ମା’ ?

ହଠାତ୍ ମୌସୁମୀ ଲୁହ ଦୁଇଧାର ଝରାଇ ଦେଲେ । ଉଚ୍ଛୁଳି ଝରୁଥିବା ପଲକ ପାତ୍ରକୁ ପଣନ୍ତରେ ପୋଛି ନେଲେ । ଅନନ୍ତରାମ ଅସ୍ଥିର ହେଲେ ନାହିଁ । ଏଇ ଝିଅଟି କେତେ ଯେ ରହସ୍ୟମୟୀ !

– ମା’ ! ତୁମେ କାନ୍ଦିଲ କାହିଁକି ?

. . . ବାପା. . . ନ’ ପୁରି ଦଶ ଚାଲିଲା. . . କୋଳ ପୂରିଲା ନାହିଁ । ଏଣୁ ମୁଁ କେବଳ ମୋ ନିଜ ସ୍ୱାର୍ଥ ପାଇଁ ଆପଣଙ୍କର ଯତ୍ନ ନେଉଛି । ଘରେ ବାପା-ମା’ଙ୍କୁ ଛାଡ଼ି ଆସିଲା ପରେ, ଆପଣ ହିଁ ମୋର ବାପା-ମା’ । ବାପା-ମା’ ତ ମର୍ତ୍ତ୍ୟ ଭୂଇଁର ଜୀଅନ୍ତା ଠାକୁର । ମୁଁ ଆପଣଙ୍କର ନୁହେଁ, ଠାକୁରଙ୍କର ପୂଜା କରୁଛି । ଆଉ. . . ଆପଣଙ୍କ ଦେହରୁ ମୁଣ୍ଡରୁ ଝାଳ ନିଗିଡ଼ି ପଡ଼ିଲେ, ପଣତରେ ପୋଛି ଦେଉଛି. . . ଅଇଁଠା ମୁହଁକୁ ଧୋଇ, କାନିରେ ପୋଛୁଛି । ପାଦରେ ଧୂଳି ଟିକେ ଲାଗିଲେ, ଏଇ ପଣତରେ ଝାଡ଼ି ଦେଉଛି । ଠିକ୍ ମା’ ଯଶୋଦା ପୁଅ କାହ୍ନା ପାଇଁ ଯେମିତି, ଆପଣଙ୍କ ପ୍ରତି ମୋ ହୃଦୟ ସେମିତି । ଆପଣ ମୋ ଅବଲମ୍ୱନ, ମୋ ଶୂନ୍ୟ ଜୀବନରେ ଭରସା ।

ଯଦି ଆପଣଙ୍କ ଅନ୍ତରାତ୍ମା ଥରଟିଏ ଆଶୀର୍ବାଦ କରନ୍ତା. . . ଆପଣଙ୍କର କୁନୀ ଭାଇଟିଏ ମୋ କୋଳକୁ ଆସନ୍ତା । ବାପା ! କେବଳ ତକ ସ୍ୱାର୍ଥ ପାଇଁ, ମୁଁ ଜୀଅନ୍ତା ଠାକୁରଙ୍କ ପୂଜା କରୁଛି. . . ଯତ୍ନ ନେଉଛି । ତଥାପି ଆରାଧନାରେ ତୃଟି ଆସୁଥିବ ! ମୋତେ ନିଜର ଝିଅ ମନେକରି. . . ନିଜର ବାୟାଣୀ ମା’ ମନେକରି ଦୋଷ ଧରିବେନି. . . ।

ମୌସୁମୀ କଇଁ କଇଁ ହୋଇ କାନ୍ଦି ଉଠିଲେ । ତଥାପି ଅନନ୍ତରାମଙ୍କ ଠାରେ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇଲା ନାହିଁ । ସେ ଯେମିତି ଅଲଗା ପ୍ରକାର ମଣିଷ ହେଇଗଲେଣି ଏହା ଭିତରେ । ତାଙ୍କୁ ସବୁ କଥା ଛଳନା, ସବୁଜାକ ଭେଜାଲ୍ ଭେଜାଲ୍ ଲାଗୁଥାଏ ।

ସେହି ବୁଢ଼ା ଚିହ୍ନରା ନିଜର ଲାଭ ପାଇଁ ଯାହା ଜାଣିବା କଥା, ଜାଣିଗଲେ । ଏବେ ଅନ୍ୟମାନଙ୍କ ଲାଭ ପାଇଁ ଯାହା କରିବା କଥା, ଆରମ୍ଭ କଲେ । ଖୋଲିଲେ ବ୍ରିଫ୍ କେଶ୍. . .

ତିନି ବୋହୂଙ୍କ ଛ’ଟି ଆଖିର ପୁଅ ଡୋଳାମାନେ ଉତ୍ସ୍ରକତାର ଶେଷ ସୀମା ଡେଇଁ, ତା’ ଭିତରଟାକୁ ଅଣ୍ଡାଳି ପକାଉଥାନ୍ତି । ବ୍ରିଫକେଶ୍ ଉପର ଡାଲାର ଭିତର ପାର୍ଶ୍ଵରେ କମ୍ପାନୀ ଦ୍ୱାରା ଖଞ୍ଜା ହୋଇଥିବା ଆଇନାରେ. . . ସେହି ସେହି ଲାଳସାଗ୍ରସ୍ତ କନକନିଆ ଆଖିମାନଙ୍କୁ ମୋଟା ଗ୍ଲାସ୍‌ର ଚଷମା ତଳୁ ନିରୀକ୍ଷଣ କରୁଥାନ୍ତି ଅନନ୍ତରାମ ।

ସେ ପ୍ରଥମେ ତିନୋଟି ଫିକ୍ସଡ୍ ଡିପୋଜିଟ୍ ସାର୍ଟିଫିକେଟ୍ ବାହାର କରି, ତିନି ବୋହୂଙ୍କ ହାତକୁ ବଢ଼ାଇ ଦେଲେ । ପ୍ରତ୍ୟକଙ୍କୁ ଦଶ ଲକ୍ଷ କରି, ମୋଟ ତିରିଶ ଲକ୍ଷର ସାର୍ଟିଫିକେଟ୍ ।

ସୁମତିଙ୍କ ମୁହଁ ଶୁଖିଗଲା । ସ୍ୱରରେ ଅଭିମାନ, ଶବ୍ଦରେ ଅଭିଯୋଗ. . .

ବାପା ! ମୁଁ ବଡ଼ । ଘରକୁ ପ୍ରଥମେ ମୁଁ ଆସିଛି । ପରିବାରର ଉନ୍ନତି ପାଇଁ, ଖଟଣି ସବୁଠୁ ଅଧିକ ମୋର । ଆମର ଇଚ୍ଛା- ତିନି ପୁଅ ଫରେନ୍ ଯିବେ । ବଡ଼ ହେବ ଇଞ୍ଜିନିୟର୍, ମଝିଆ ସାଇଁଟିଷ୍ଟ୍, ସାନ ଡକ୍ଟର । ଏତିକି ଟଙ୍କା ଜଣକ ଖର୍ଚ୍ଚକୁ ନିଅଣ୍ଟ । ଆପଣଙ୍କ ପୁଅ ଫୋନ୍ କରିଥିଲେ- ଆବଶ୍ୟକତା ସବୁଠୁ ବେଶି ଆମର । ଅଥଚ ଅନ୍ୟମାନଙ୍କ ପରି ମୋତେ ଆପଣ ଦଶ ଲକ୍ଷ ଦେଇ, ସମାନ ଭାବରେ ତଉଲିଛନ୍ତି । ଠିକ୍ ହେଉ ନାହିଁ ବାପା. . .

ଚନ୍ଦ୍ରିକା କହିଲେ- ମୋର ଝିଅଟିଏ ବୋଲି ତ ତାକୁ ଆଦୌ ଅବହେଳା କରାଯାଇ ପାରେନି ! ସେ ବି କ’ଣ ଫରେନ୍ ଯିବାକୁ ମନା ? ଚାହୁଁ ଚାହୁଁ ବର୍ଷ କେଇଟାରେ ପଢ଼ା ଶେଷ ହେଲେ, ପର ଘର ପଠାଇବାକୁ ବରଘର ଖୋଜା ଚାଲିବ । ବ୍ୟବସାୟ ତ ସବୁ ଭାଇଙ୍କର । ନିଜର ପୁଅ ଝିଅଙ୍କ ପଢ଼ା ହେଉ, କି ବାହାଶାଦୀ, ବ୍ୟବସାୟ ଟଙ୍କା କାହିଁକି ଊଣା କରାଯିବ ? କାହାର ଗୁଣାଏ ଖର୍ଚ୍ଚ ହେଲେ, କାହାର ତିନି ଗୁଣା । ପୁଣି ସାନ ପାଇଁ ତ ମୋଟେ ନାହିଁ । ପାଞ୍ଚ କୋଟି ଟଙ୍କା ପାଞ୍ଚ ଶହ କୋଟି ହେବ କେମିତି ? ବରଂ ବାପା ! ଝିଅର ମା’ ହିସାବରେ, ଖର୍ଚ୍ଚ ମୋର ବେଶି । ମୋ ଅଧିକ ପାଇବାର ଥିଲା । ଅନ୍ୟମାନଙ୍କ ପରି ମୋତେ ବି ଆପଣ ଦଶ ଲକ୍ଷ ଦେଇଛନ୍ତି କିପରି, ମୁଁ ବୁଝିପାରୁ ନାହିଁ ?

ମୌସୁମୀ ବା ଚୁପ୍ ରହନ୍ତେ କିପରି ? ନିଜ ସପକ୍ଷରେ ଯୁକ୍ତି ବାଢ଼ିବା ଆଗରୁ, କ୍ଷଣେ କରୁଣ ଦୃଷ୍ଟିରେ ଚାହିଁଲେ ଶଶୁରଙ୍କୁ । କହିଲେ-

ମୋର ସନ୍ତାନ ନାହାନ୍ତି । ହେବେ ବି ନାହିଁ । ସ୍ୱାମୀଙ୍କ ଠାରୁ ବୟସ ଅନେକ କମ୍ । ଅବଲମ୍ୱନହୀନ ଲମ୍ୱା ଜୀବନର ସମ୍ଭାବନା ବେଶି । ସାହାରା ହରା ହେଇ, ବୁଢ଼ୀ ବୟସରେ ଏକାକୀ ଚାଲିବାର ଆଶଙ୍କା ! ପାଖରେ ଅଧିକ ଟଙ୍କା ଥିଲେ, କେହି ବି ବୁଢ଼ୀ କାଳରେ ଆଶ୍ରୟ ଦେଇପାରନ୍ତି କିମ୍ୱା ଆଶ୍ରୟ ହେଇପାରନ୍ତି ! ବରଂ, ତାହା ତାଙ୍କ ସ୍ୱାର୍ଥର ହେଉ । ପରିବାରର ଅନ୍ୟମାନେ ପୁଅ ବୋହୂ, ନାତି ନାତୁଣୀମାନଙ୍କୁ ନେଇ ବୁଢ଼ୀ ବୟସରେ ଖୁସିରେ ଥିବା ବେଳେ, ମୁଁ ଚାହିଁଥିବି ଶୂନ୍ୟକୁ । ଜନ ନ ଥାଇ ଧନ ଥିଲେ ବି ତ. . . ଗୋଟାଏ ପ୍ରକାର ଶାନ୍ତି ମିଳନ୍ତା ।

ପୁଣି ବାପା ! ଆପଣଙ୍କ ପୁଅ (ଛେପ ଢୋକିଲେ) ଆପଣଙ୍କ ପୁଅ ନିଜର ଅସମର୍ଥତା ହେତୁ, ମୋର କୋଳ ପୂର୍ଣ୍ଣ କରିପାରିଲେ ନାହିଁ । (ପୁଣି ଛେପ ଢୋକିଲେ) ତାଙ୍କ ପାଇଁ ଆପଣ ହିଁ ମୋତେ ବାଛିଥିଲେ । ଏଣୁ, ମୋର ଅସହାୟ ଅବସ୍ଥା ପ୍ରତି ଆପଣଙ୍କର ଦାୟିତ୍ୱ ବେଶି । ମୋତେ ବି ସେହି ଦଶ ଲକ୍ଷ ଟଙ୍କା ଆପଣ ଦେଇଛନ୍ତି । ବରଂ ଏଇଟା ନେଇ ନିଅନ୍ତୁ । ଅନ୍ୟମାନଙ୍କୁ ବାଣ୍ଟି ଦିଅନ୍ତୁ ।

ଅନନ୍ତରାମଙ୍କର ଯେମିତି କିଛି ବି ଉତ୍ତର କରିବାର ନ ଥିଲା । ଅନ୍ୟ କିଛି କରିବାର ଥିଲା । ପାଞ୍ଚ ପାଞ୍ଚ ଲକ୍ଷର ତିନୋଟି ଫିକ୍ସଡ୍ ଡିପୋଜିଟ୍ ସାର୍ଟିଫିକେଟ୍ ନାତିମାନଙ୍କ ନାମରେ କରିଥିଲେ, ତାହା ସୁମତିଙ୍କୁ ଧରାଇଦେଲେ ।

ଜ୍ୟୋତିର୍ମୟୀ ପାଇଁ ଦଶଲକ୍ଷ ଟଙ୍କାର ।

ଗୋଟିଏ ତ ନାତୁଣୀ ! କିଏ ଜାଣେ- ବେପାର କେତେବେଳେ ବୁଡ଼ିବ କି ଭାସିବ ? ଭାଇ ଭାଇମାନେ ପରସ୍ପରକୁ ଲୁଣ୍ଠନ କରିବା ନିଶାରେ ତଳିତଳାନ୍ତ ବି ହୋଇପାରନ୍ତି । ଜ୍ୟୋତିର ବିବାହ ବେଳକୁ, ଏବକାର ସୁଧ ହିସାବରେ ଏହି ଦଶଲକ୍ଷ ପ୍ରାୟ ତିରିଶରେ ପହଞ୍ଚିଥିବ । ଚଳିଯିବ ।

ଶେଷରେ ବ୍ରିଫକେଶ୍‌ଟି ଦେଇ ଦେଲେ ମୌସୁମୀଙ୍କୁ । ଖର୍ଚ୍ଚ ପରେ ପାଖାପାଖି ଚାରିଲକ୍ଷ ଟଙ୍କା ଥିଲା ସେଥିରେ । ଆକାଉଣ୍ଟସ୍ କ୍ଲୋଜ୍ ହେଇ, ପାଶ୍ ବୁକ୍‌ଟି ଟଙ୍କା ବଣ୍ଡଲ୍ ସନ୍ଧିରେ ମୁହଁ ମାଡ଼ି ପଡ଼ିଥିଲା ।

ଟିକେ ଆଖି ମୁଦି ଅନନ୍ତରାମ କିଛି କ୍ଷଣ କ’ଣ ଭାବିଲେ । ଜୀବନ ସାରା ଯେତେ ପାପ କାମ, ଧପ୍ପାବାଜି ସେ କରିଛନ୍ତି, ସେଥିରେ କିଏ କିଏ ତଳି ତଳାନ୍ତ ହୋଇଛନ୍ତି, ଅନ୍ୟର କାନ୍ଧରେ ଗୋଡ଼ ଦେଇ ଉପରକୁ ଉଠିଲା ବେଳେ, କେତେ ନିରୀହ ମାଟିରେ ମିଶିଛନ୍ତି, ଗୋଟି ଗୋଟି ହୋଇ ତାଙ୍କ ଆଖି ସାମ୍ନାରେ ଅବା ଜୀବନ୍ତ ହୋଇଗଲେ । ଶେଷରେ ସମସ୍ତଙ୍କ ଉଦ୍ଦେଶ୍ୟରେ ସେହି ମର୍ମାହତ, ବିଚାରବନ୍ତ, ଅନାସକ୍ତ ଓ ଭାବପ୍ରବଣ-ଅନୁତପ୍ତ ବୃଦ୍ଧଟି କହିଲେ-

. . . ମୁଁ କାଲି ସକାଳୁ ଏଠି ନଥିବି, ଗୋଟେ ଅଲଗା କ୍ଷେତ୍ରକୁ ଚାଲିଯାଇଥିବି । ଜୀବନସାରା ଖୋଜି ଖୋଜି ମୁଁ ଅନେକ ପାଇଥିଲି । ସବୁ ପାଇଗଲା ପରେ ମୁଁ ଜାଣି ପାରିଲି. . . ଯେମିତିକି ମୁଁ ଆଦୌ ପାଇ ନାହିଁ । ଖୋଜି ପାରି ନାହିଁ । ସ୍ଥିର କରିଛି- ବାକିତକ ଜୀବନକୁ ଅନ୍ୟ କିଛି ଖୋଜିବାରେ ବିତାଇବି । ପାଇ ଯିବି ତ ଜାଣିବି- ଖୋଜିବା ସାର୍ଥକ ହେଲା । ଏସବୁ ପାଇବା ନିରର୍ଥକ ଥିଲା ।

ଏତିକି କହି, ଅନନ୍ତରାମ ଆଖି ଖୋଲି ଚାହିଁଲା ବେଳକୁ, ତାଙ୍କ ଚାରି ପାଖରେ ନାତି, ନାତୁଣୀ ଓ ତିନି ବୋହୂଙ୍କ ଭିତରୁ ଜାଣେ ବି ନ ଥିଲେ । ସମସ୍ତେ ନିଜ ନିଜ ପ୍ରାପ୍ୟ ପାଇ ବୁଢ଼ାଟିର କଳାବରଣ କରି, ପାର୍ ହୋଇଯାଇଥିଲେ କେତେବେଳେ !

ସେହି ବୁଢ଼ା ଜୋହରୀ ଜାଣିଥିଲେ- ଏମିତି ହେବ । ନିରବରେ ନୁହେଁ, ଗଳା ଫଟାଇ ହସିଲେ । ମାୟା । କେତେ ସହଜରେ ଛାଡ଼ିଗଲେ ଯେ । ଅନନ୍ତରାମ ବହୁତ ଖୁସି ହେଇଗଲେ. . . ।

ସେଦିନ ମଧ୍ୟାହ୍ନରେ. . .

ମୌସୁମୀ ସରୁ ଡେରାଡୁନ୍ ଅରୁଆ ଚାଉଳର ସାଧା ପଲାଉ ରାଇସ୍ ଆଣିଲେ ନାହିଁ । ଅପରାହ୍ନରେ ଚନ୍ଦ୍ରିକା ପୁଡ଼ି, କଚୌଡ଼ି, ଛେନା, ସମୋସା ଖୋଇଗଲେ ନାହିଁ ! ରାତିରେ ସୁମତି ପରାଟା ପନୀର୍ ତଡ୍କା, ଆପଲ, ଜାମ ଓ ରାବିଡ଼ି ଗ୍ଲାସ୍ଟିଏ ବି ବଳେଇ ଖୋଇଲେ ନାହିଁ ।

ଖାଦ୍ୟ ଆସିଲା. . . କିନ୍ତୁ ଚାକରାଣୀ ହାତରେ ! ଯେମିତି କି କଳାହରଣ ପରେ ଅର୍ଜୁନ ଶ୍ରୀକୃଷ୍ଣଙ୍କର ସଖା ନୁହନ୍ତି । ଅନନ୍ତରାମ ବୋହୂମାନଙ୍କର ଶଶୁର ନୁହନ୍ତି । ରାତି ପଢ଼ା ଶେଷରେ ଖାଇସାରି, ନାତି ନାତୁଣୀ ଦୁଇଜଣ ବି ବିଛଣାକୁ ଯିବା ଆଗରୁ ଗୁଡ୍ ନାଇଟ୍ ଜେଜେ କହିବାକୁ ଭୁଲିଗଲେ । ଶେଷ ଆକର୍ଷଣ ଦୁଇଟି ବି ଘୁଞ୍ଚିଗଲେ ।

ସଂସାର କରି. . . ମୋହ, ମାୟାକୁ ଗଳାଯାଏ ପିଇ, ପରିବାରର ଆର୍ଥିକ ମେରୁଦଣ୍ଡକୁ ସୁଦୃଢ଼ କରିବା ପାଇଁ ଅନେକଙ୍କୁ ମେରୁଦଣ୍ଡ ବିହୀନ କରି, ଉପରକୁ ଉଠିବା ନିଶାରେ କେତେ ଯେ ନିରୀହଙ୍କ କାନ୍ଧରେ ଗୋଡ଼ ଦେଇ. . . ତାଙ୍କୁ ମାଟିରେ ମିଶାଇ ସାରି, ଆଜି ଅନନ୍ତରାମ କାଙ୍ଗାଳ ହେଇଯାଇଛନ୍ତି ଯେପରି. . .

ଚନ୍ଦନ ଚୋର ବୀରାପ୍ପାନ୍‌ର ହଜାର ହଜାର ମେଟ୍ରିକ୍ ଟନ୍ ଚନ୍ଦନ କାଠକୁ ସେ ବୁଦ୍ଧି ବଳରେ, ଧଳା ଟଙ୍କାରେ ବଦଳାଇ ଦେଇ ପାରିଛନ୍ତି । ଚାହିଁଥିଲେ, ମଙ୍ଗ ମୋଡ଼ି, ବୋହୂ ତିନି ଜଣଙ୍କୁ ନିଜର ଅନୁକୂଳ କରିପାରିଥାନ୍ତେ । ସେମାନଙ୍କୁ ଲୋଭହୀନ କରିବା ମଧ୍ୟ ବିଚିତ୍ର କଥା ନ ଥିଲା ତାଙ୍କ ପକ୍ଷରେ, କିନ୍ତୁ ନାଃ. . . ଯେଉଁ ଖୁସି ପାଇବା ପାଇଁ ସେ ଆଜି ହାତ ମୁଠା ଖୋଲା କରି ଦେଇଛନ୍ତି, ତାହା କଲେ, ତାଙ୍କୁ ସେ ଖୁସି ମିଳନ୍ତା ନାହିଁ । ବଞ୍ଚିବାର ଢଙ୍ଗକୁ ପରିବର୍ତ୍ତିତ କରିଦେବାକୁ ହେବ ।

ଯେମିତି କି ପାହାଡ଼େ ବୋଝ ଆଜି ତାଙ୍କ ମୁଣ୍ଡ ଉପରୁ ଓହ୍ଲାଇଗଲା । ତାଙ୍କ ଦେହ-ମନକୁ ଅହଂକାରର ଅସହ୍ୟ ଉତ୍ତାପ ଜାବୁଡ଼ି ରଖିଥିଲା । ଆଜିଠୁ ଘୁଞ୍ଚିଯାଇ, ତାଙ୍କୁ ଶୀତଳ ଚନ୍ଦନ ସିଞ୍ଚିତ ଏକ ନିର୍ଦ୍ଦିଷ୍ଟ ଆଲୋକର ଦିବ୍ୟ ପଥ ଦେଖାଇ ଦେଲା ଯେପରି ! ସେଇ ପଥରେ ଚାଲି ଚାଲି ନୁହେଁ, ଧାଇଁବାକୁ ହେବ । ବୃଦ୍ଧ ଶରୀରରେ ଯୁବକର ମନ ନେଇ, ସଶକ୍ତ ମାନସିକ ବଳରେ ଧାଇଁବାକୁ ହେବ ତାଙ୍କୁ । ଆଉ ବିଳମ୍ୱ ଠିକ୍ ନୁହେଁ. . .

ଭୋରୁ ଭୋରୁ ଅନନ୍ତରାମ ଫୋନ୍ କଲେ ଡେ-ଇନ୍-ନାଇଟ୍ ନାମକ ସହରର ବିଖ୍ୟାତ ସେଲୁନ୍‌କୁ । ଝଙ୍କାଏ ଚୁଳ ଦାଢ଼ି ରଖିଥିବା ବାରିକ ଜଣେ ଆସି, ତାଙ୍କୁ ଲଣ୍ଡା କରିଦେଇଗଲା ।

ପୁଣି ଫୋନ୍ କଲେ- ବିଶ୍ୱ ହିନ୍ଦୁ କୃଷ୍ଣ ଚେତନା ସଂଘର ଦିବ୍ୟ ସନ୍ଦେଶ ମନ୍ଦରିକୁ । ସେଠାରୁ କମଳା ରଙ୍ଗର ପୋଷାକ ଆବୃତ ବାରଜଣ ସନ୍ନ୍ୟାସୀ ଓ ଆଠଜଣ ସନ୍ନ୍ୟାସିନୀ ମୃଦଙ୍ଗ, ଝାଞ୍ଜ, କରତାଳ, ମୀରା ଓ ସିଂଘା-କାହାଳୀ ବଜାଇ ବଜାଇ କୃଷ୍ଣ ପ୍ରେମ ବିଭୋର ଅମୃତ ସଂକୀର୍ତ୍ତନରେ ମଗ୍ନ ଥାଇ, ପହଞ୍ଚିଗଲେ ଅନନ୍ତରାମଙ୍କ ତଥାକଥିତ ପୋର୍ଟିକୋରେ. . .

ପ୍ରାସାଦର କୋଣ ଅନୁକୋଣରେ ହରିନାମର ବିନ୍ଦୁ ବିନ୍ଦୁ ବୃଷ୍ଟି । ବୃକ୍ଷଲତା, ଫୁଲଫଳ, ଘାସ ପତ୍ର ଓ ଗଛମାନଙ୍କ ଶାଖା ପ୍ରଶାଖାରେ. . . ନୀଡ଼ ମଧ୍ୟରେ, ମା’ର ଉଷୁମ ପର ତଳେ ସେକି ହେଉଥିବା ଶାବକମାନଙ୍କ ଲୋମାବଳିରେ. . . ଯେମିତିକି ଏହି ହରି ନାମ ନୂଆ ଜୀବନର ଉନ୍ମାଦନା ଭରିଦେଲେ ।

ସବୁଆଡ଼େ ରୋମାଞ୍ଚ. . . ସବୁ ଆଡ଼େ ପୁଲକ. . . ସବୁ ଆଡ଼େ ପବିତ୍ରତାର ମଧୁର ବାସ୍ନା. . .

ଅନନ୍ତରାମ ସମସ୍ତ ମୋହ ମାୟାରୁ ମୁକ୍ତ ହୋଇ, ଭିତର ଘରୁ ବାହାରକୁ ଆସିଗଲେ । ସାଁବାଳୁଆ ଖୋଳପାରୁ ସମ୍ପୂର୍ଣ୍ଣ ମୁକ୍ତ ମଧୁ ପିୟାସୀ ପ୍ରଜାପତିଟି ପରି. . ., ଯୋଗ ମକରନ୍ଦ ପିପାସୁ ସାଧକଟି ପରି, ତାଙ୍କର ତନୁ ମନରେ ରୋମାଞ୍ଚର ପୁଲକ ।

ସନ୍ନ୍ୟାସିନୀ ଜଣେ ତାଙ୍କ କପାଳରେ ହରିମନ୍ଦିର ଚିତା ଅଙ୍କନ କରୁ କରୁ କହିଲେ- ତୁମେ ଆଜିଠୁ ଘର-ମନ୍ଦିର ନୁହେଁ, ହରି ମନ୍ଦିରର ସାଧକ ହୋଇଗଲ । ଏହି ଚନ୍ଦନ ଚିତା ତଳେ ତୁମର ଗୃହସ୍ଥ ନାମ ସବୁଦିନ ପାଇଁ ହଜିଗଲା । ଏବେଠୁ ତୁମେ ହେଲ- “କୃଷ୍ଣ କିଙ୍କର” । ଆମେ କୃଷ୍ଣଙ୍କର କିଙ୍କର, ତାଙ୍କରି ଦାସାନୁଦାସ ।

ସେହି ଲୀଳାମୟ ଆମେ ପ୍ରେମମୟ ହୃଦୟର ଆରାଧ୍ୟ । ଜ୍ଞାନ ନେତ୍ରର ତ୍ରିକୂଟୀ ସିଂହାସନରେ ତାଙ୍କର ହ୍ଲାଦିନୀ ଶକ୍ତି, ନିତ୍ୟ କୁଞ୍ଜେଶ୍ୱରୀ, ଶ୍ରୀରାଧାଙ୍କ ଅର୍ଦ୍ଧାଙ୍ଗରେ ନିଜର ଅର୍ଦ୍ଧାଙ୍ଗ ସହିତ ପୂର୍ଣ୍ଣାଙ୍ଗ ରୂପରେ ପୂଜ୍ୟ । ସେହି ଆମ ଅମୃତମୟ ରସନାର ଭଜନ । ପଞ୍ଚ ପ୍ରାଣମୟ ହୃଦ ଭାବର ଆତ୍ମତତ୍ତ୍ୱ । ମନ୍ତ୍ର ସେହି, ଯନ୍ତ୍ର ସେହି । ନାମ ସେହି, ଜପ ସେହି, ଭଜନ ସେହି, ପୂଜନ ସେହି । ଯେଉଁଠି କୃଷ୍ଣ ନାହାନ୍ତି ସେଠି ଆକର୍ଷଣ ନାହିଁ । ସେଠି ସ୍ଥିତି ହିଁ ନାହିଁ । ଯେଉଁଠି ସେ ଅଛନ୍ତି, ସେଠି ଆକର୍ଷଣ ଅଛି, ସ୍ଥିତି ବିସ୍ତୃତି ଅଛି । ଆମ ଦେହ ସହିତ ଆତ୍ମାର ସଂଯୁକ୍ତି ଘଟିଛି, କେବଳ ଏହି ବିସ୍ତୃତିର ଜୟ ଜୟ କରିବା ପାଇଁ, କୃଷ୍ଣଙ୍କ କର୍ମ କରିବା ପାଇଁ ।

ଜଣେ ସନ୍ନ୍ୟାସିନୀ ଅନନ୍ତରାମଙ୍କ ପ୍ରସାରିତ ହାତକୁ ବଢ଼ାଇ ଦେଲେ ସଂଘର ଧର୍ମୀୟ କମଳା ରଙ୍ଗ ପରିଧାନ- ଡୋର କୌପୀନ ଓ ଷୋଳ ନାମ ବ୍ରତିଶ ଅକ୍ଷରର ନାମାବଳି ଛାପା ଚାଦର. . .

ହରି-ମନ୍ଦିର-ଚିତା ଅଙ୍କର ସମୟରୁ ତାଙ୍କ ସାରା ଦେହର ଲୋମାବଳି ଥରକୁ ଥର ଟାଙ୍କୁରି ଉଠୁଥିଲେ । ଡୋର କୌପୀନ ଗ୍ରହଣ କରିବା ସଙ୍ଗେ ସଙ୍ଗେ ଆଖି ଯୋଡ଼ିକ ଛଳ ଛଳ ହୋଇ ପଡ଼ିଲେ । ଦୃଢ଼ ମନର ଛାତିଟି ଭିତରୁ ଏକ ମଧୁର ସଂକଳ୍ପନାର କମ୍ପନ ଚେଇଁ ଉଠିଲା ।

ମରଣଶୀଳ ମର୍ତ୍ତ୍ୟ ମାଟିରେ ଥାଇ, ଅମର ଧାମର ଅମର ମନ୍ଦିର କ୍ଷେତ୍ରରେ ଶ୍ରୀରାଧା ଶ୍ରୀକୃଷ୍ଣଙ୍କର ଆରାଧନା ପାଇଁ, କେତେ ଯେ ପ୍ରଶସ୍ତ ପଥ ତାଙ୍କ ଆଖି ସାମ୍ନାରେ ! ଜ୍ଞାନର ସେହି ମହତ୍ତମ କ୍ଷେତ୍ରକୁ ଯିବା ଆଗରୁ, ପ୍ରେମର ମହତ୍ତମ ନାମ ସମୁଦ୍ରରେ ସ୍ନାନ କରିବାକୁ ହେବ । ଯେତେ ପାପ କରିଛନ୍ତି ସେ ଲୌକିକ ଧନ ଅର୍ଜିବାକୁ, ସେ ସବୁକୁ ଧୋଇବେ କେମିତି, ଯଦି ନାମ ସାଗରରେ ସ୍ନାନ ନ କରନ୍ତି ? ଶୁଦ୍ଧ ନ ହୋଇ, ଆବଦ୍ଧ ଥାଇ, ମୁକ୍ତରେ ଅବା ମିଶିବେ କିପରି. . . ଯଦି ନାମ ଗାନ ନ କରନ୍ତି ? ଏବେ ପାରମାର୍ଥିକ ଧନ ପାଇବେ କିପରି, ଯଦି ନାମ ସଂକୀର୍ତ୍ତନ ନ କରନ୍ତି ?

ଶ୍ରୀମଦ୍ ଭାଗବତରେ ଲେଖା ଅଛି ପରା-

ସତ୍ୟ ଯୁଗର ଧ୍ୟାନ ଫଳ । ତ୍ରେତାର ଯଜ୍ଞାଦି ସକଳ ।।
ଦ୍ୱାପରେ ପୂଜାର ବିଧାନ । କଳିରେ ନାମ ସଂକୀର୍ତ୍ତନ ।।

ଅନନ୍ତରାମ ପ୍ରସ୍ତୁତ ହୋଇଗଲେ ଦିବ୍ୟ ପଥର ଅଭିଯାତ୍ରୀ ହେବାକୁ । ଆଣ୍ଠେଇ ପଡ଼ି ପ୍ରଣାମ କଲେ ତାଙ୍କ ନିଜ ହାତଗଢ଼ା ପ୍ରାସାଦକୁ । ଲନ୍‌ର ଘାସ ଆରେଇ, ମାଟି ମୁଠାଏ ଡାହାଣ ମୁଠାରେ ଆଣି, ମଥାରେ ବୋଳିଲେ । ପ୍ରଣାମ କଲେ ସେଇ ମାଟିକୁ. . . ଯାହାର କୋଳରେ ଜନ୍ମ ହୋଇ, ଖେଳି ବୁଲି, ଛୋଟରୁ ବଡ଼ ହୋଇ, ସେହି ମାଟିରେ ପୂର୍ବ ପୁରୁଷଙ୍କ ପରି ମିଶିଯିବା ଆଗରୁ, ତାକୁ ଛାଡ଼ି ଯାଉଛନ୍ତି ।

ଅନ୍ୟ ସହଧର୍ମୀଙ୍କ ସହିତ ତାଙ୍କ ତୁଣ୍ଡରୁ ଝରି ଚାଲିଲେ – ଯୁଗ ଯୁଗର ମୁନିଋଷିଙ୍କ ସ୍ୱର ସେବିତ, କଳି ପ୍ରଭାବରୁ ମୁକ୍ତି ପ୍ରଦାୟୀ, ସେହି ମହାମନ୍ତ୍ର –

ଓଁ ହରେ କୃଷ୍ଣ. . . ହରେକୃଷ୍ଣ. . . କୃଷ୍ଣ କୃଷ୍ଣ ହରେ ହରେ. . .
ହରେ ରାମ. . . ହରେ ରାମ. . . ରାମ ରାମ ହରେ ହରେ. . .

ମହାମନ୍ତ୍ରର ମହାଧ୍ୱନି ଆସ୍ତେ ଆସ୍ତେ ନିକଟରୁ ଦୂରକୁ ଦୂରକୁ ପ୍ରବାହିତ ହେଇଗଲେ, ପ୍ରଭାତର ନରମ ପବନ ତରଙ୍ଗରେ ! ବଗିଚାର ଫୁଲରେ, ପତ୍ରରେ
. . . ଏହି ନୂଆ ପ୍ରଭାତର ଅସ୍ପଷ୍ଟ ଅରୁଣିମା ରେଣୁ ରେଣୁ ମାଧୁର୍ଯ୍ୟର କଅଁଳ ପରସ୍ତ ଛାଇ ଦେଲେ. . .

ଏହାର ଅଳ୍ପ ସମୟ ଆଗରୁ ଘରୁ ଉଠି ଆସି, ତଟସ୍ଥ ଭାବରେ ଚାହିଁଥିବା ତିନି ବୋହୂଙ୍କ ଛଅଟି ଛଳ ଛଳ ଆଖି. . . ପଛରୁ ଥାଇ ଦେଖୁଥିଲେ ଖାଲି. . . ସେହି ଦୃଢ଼ ପ୍ରତିଜ୍ଞ ଶଶୁରଙ୍କ ଅଣଲେଉଟା ପାଦର ମୃଦୁଳ, ମନ୍ଥର ଢଳ ଢଳ ଗତିକୁ ।

ସେମାନଙ୍କର ସାମ୍ନାକୁ ଯାଇ ଶଶୁରଙ୍କୁ ବାଧା ଦେବାର ସାହସ ନ ଥିଲା । ଥିଲା ଖାଲି ଘର ଭିତରକୁ ଫେରି ଆସି, ତକିଆରେ ମୁହଁ କୋଡ଼ି, କାନ୍ଦି କାନ୍ଦି, ନିଜକୁ ନିଜେ ଅଭିଶାପ ଦେବାର ଭାରାକ୍ରାନ୍ତ ଇଚ୍ଛା ।

ହଠାତ୍ ସେମାନଙ୍କୁ ପଛକୁ ଠେଲି ମଣି ଓ ଜ୍ୟୋତିର୍ମୟୀ ଗେଟ୍ ପାଖକୁ ଛୁଟିଗଲେ ଡାକି ଡାକି- ଜେଜେ. . . ଜେଜେ. . . ଜେଜେ. . . !

ଅଥଚ ସମ୍ପୂର୍ଣ୍ଣ ପ୍ରତିକ୍ରିୟା ଶୂନ୍ୟ ସେହି ଭିନ୍ନ ମାର୍ଗର ଯାତ୍ରୀ ! ଓଠରେ କୃଷ୍ଣ, ଆଖିରେ କୃଷ୍ଣ, କାନରେ କୃଷ୍ଣ ଓ ମନରେ କୃଷ୍ଣ ତାଙ୍କର ।

ସବୁ ପ୍ରତି ଟଳମଳ ବିଶ୍ୱାସକୁ ପଛକୁ କରି, ଅଟଳ ବିଶ୍ୱାସର କଳା ବରଣ କରିଥିବା ସେହି ବୃଦ୍ଧ ଜଣକ ଯେ ସବୁ ପାପକୁ ଧୋଇ ଦେଇ, ବିଶୁଦ୍ଧାତ୍ମା ହେବାର ସଙ୍କଳ୍ପରେ ବିଭୋର- “କୃଷ୍ଣ କିଙ୍କର” କେବଳ !

ଜେଜେ ହୁଅନ୍ତେ କିପରି ?

ଲୋକପ୍ରିୟ ଲେଖା

To Top