ଗଳ୍ପ

କମ୍ୱିଂ

Biraja Routray's odia Story Kambing

ଏବେ ଲୋଡ଼ା ତ ଏକ ନିର୍ମଳ ଆକାଶ । ଲୋଡ଼ା ତ ଏକ ସାଧାରଣ ମଣିଷର ଜୀବନ । ଯେଉଁଠି ଯବାନ ମାନଙ୍କର କମ୍ୱିଂ ଅପରେସନ୍‌ର ଭୟ ନଥିବ । ଯେଉଁଠି ଆତ୍ମରକ୍ଷା ପାଇଁ କ୍ୟାମ୍ପ୍ ଉଠାଇ ଆତ୍ମଗୋପନ କରିବାକୁ ପଡୁନଥିବ ଗହଳ ଜଙ୍ଗଲର କୋରଡ଼ରେ ।

କମ୍ୱିଂ

ଗହନ ରାତି ଡେଣା ମେଲାଇ ସାରିଥିଲା ମାଲକାନ୍‌ଗିରି ସହର ଉପରେ । ସନ୍ଧ୍ୟା ଆସିବା କ୍ଷଣି ଛୋଟିଆ ସହରକୁ ଚାରିପଟେ ମେଘ ଢାଙ୍କିଲା ପରି ଘୋଡ଼ାଇ ପକାଇଥିଲା ପାହାଡ଼ୀ ରାତିର ଅନ୍ଧାର । ଲମ୍ୱା ଡେଙ୍ଗା ଡେଙ୍ଗା ଗହୀରିଆ ଛାଇ ସବୁ ମିଶି ଗଛର ପତ୍ରକୁ ଆହୁରି ଗାଢ଼ କରି ଦେଇଥିଲା । ସବୁଆଡ଼େ ଶୂନ୍‌ଶାନ୍ ନିର୍ଜନତାର ଧୀର ପଦପାତ ବାରି ହୋଇପଡୁଥିଲା ସ୍ପଷ୍ଟ ଭାବରେ । ତା’ ସହିତ ତାଳ ଦେଇ ଫେଣ୍ଟି ହୋଇଯାଇଥିଲା ଏକ ଅପ୍ରକାଶ୍ୟ ଆତଙ୍କ । ଅଜଣା ଭୟର ନିଃଶବ୍ଦ କୁହାଟ । ରକ୍ତ ଆଉ ବାରୁଦର ଭୁରୁଭୁରୁ ଗନ୍ଧ ।

ଜଙ୍ଗଲର ଚୋର ବାଟ ଦେଇ ରଘୁ ହନ୍ତାଳ ଧୀରେ ଧୀରେ ପ୍ରବେଶ କରୁଥିଲା ସହରଆଡ଼କୁ । ଲକ୍ଷ୍ୟସ୍ଥଳ ଯେତିକି ପାଖେଇ ଆସୁଥିଲା ତା’ ଗତିର ତୀବ୍ରତା ସେତିକି ବେଗରେ ଧୀମେଇ ଯାଉଥିଲା । କିଏ ଯେପରି ଭିତରେ ରୁନ୍ଧା ରୁନ୍ଧା କରିଦେଉଥିଲା ଛାତିର ନାଡ଼ିକୁ ଚିପି । ଝରଣାର ସୁଅ ଆଗରେ ଆଣି ରଖିଦେଉଥିଲା ଉଁଚା ଉଁଚା ପାହାଡ଼ୀ ପଥର । ଥରକୁ ଥର ବାଟ ଓଗାଳୁଥିଲା । ଫେରିଯିବାକୁ କହୁଥିଲା ପୁଣି ତା’ର ଉତ୍ସକୁ । ହେଲେ ସେ ତ ଡଙ୍ଗରୀ ଆକଟ କାଟି ବହିଯିବାକୁ ବାହାରିଛି । ମିଶିଯିବାକୁ ବାହାରିଛି ମୁଖ୍ୟ ସ୍ରୋତରେ । ସେହି ସୁଅର ବେଗଟା ଶିଥିଳ ହୋଇଯିବ ସିନା କିନ୍ତୁ ପାଦରେ ଶିକୁଳି ବାନ୍ଧି ଅଟକି ଯିବ ନାହିଁ ଆଉ ବାଟରେ । ଏହି ମର୍ମରେ ରଘୁର ହାତରେ ହାତ ଛନ୍ଦି ବାଟସାରା ମନବଳ ବଢ଼ାଇ ଚାଲିଥିଲା କାନ୍‌ସୀ ପାଙ୍ଗି । ରଘୁର ହୁଗୁଳା ହାତମୁଠା ସେହି କଥା ଦି’ପଦରେ ବଳ ପାଇଲା ପରି ମଝିରେ ମଝିରେ ଖୁବ୍ ଜୋର୍‌ରେ ଜାବୁଡ଼ି ଧରି ପକାଉଥିଲା କାନ୍‌ସୀର ବଢ଼ିଲା ହାତକୁ ।

ଉତ୍ସାହିତ କଲାପରି ସେ ଶୁଣାଉଥିଲା, ଦେଖ୍, ତୁ ଆତ୍ମସମର୍ପଣ କରିଦେଲେ ସରକାର ତୋ କଥା ବୁଝିବ । ତତେ ଥଇଥାନ କରିବ । କାମଧନ୍ଦା କରିବାକୁ ପଇସା ଯୋଗାଇବ । ଆଉ ତୁ ଥରେ ରୋଜଗାର କଲେ ମୋ ଦୁଃଖ ସଇଲା । ପଛେ ପଛେ ତୋ ବାଟ ଧରିବି । ପାହାଡ଼ୀ ଖୋଲରେ ଏଠି ସେଠି ଡେରାପକାଇ ଲୁଚିବା ଛାଡ଼ି ଏଇ ସମତଳ ଭୂଇଁରେ ଆମ ଦୁହେଁ ଏକାଠି ବସା ବାନ୍ଧିବା । ଅନ୍ୟ ସମସ୍ତମାନଙ୍କ ପରି ରହିବା, ଚଳିବା । ଉତ୍ତାଳ ଭାବନାରେ ଗଦ୍‌ଗଦ୍ ହୋଇଯାଉଥିଲା କାନ୍‌ସୀ । ରାତିର ନରମ ପବନ ଆହୁରି ଖିଲ୍‌ଖିଲ୍ ହୋଇଉଠୁଥିଲା ତା’ର ସେହି ଆଗତ ଉଲ୍ଲାସରେ । ନୂଆ ସବୁଜ ପତ୍ରର ସ୍ୱପ୍ନ ସଞ୍ଚରି ଯାଉଥିଲା ବାଟସାରା । ଯେମିତି ସେହି ନିଘଞ୍ଚ ପଥର ଧାରେ ଧାରେ ଛିଡ଼ା ହୋଇଥିବା ଗଛଗୁଡ଼ା ଆଗ୍ରହର ସହ ଶୁଣି ଚାଲିଥିଲେ ସେମାନଙ୍କ କଥା । ମିଟିମିଟି ନିବୁଜ ରାତିରେ ତାରା ପରି ଫୁଟି ଚାଲିଥିଲା ପେନ୍ଥା ପେନ୍ଥା ସ୍ୱପ୍ନର ଫୁଲ । ତା’ର ଅଦୃଶ୍ୟ ମହକରେ ପୁଲକିତ ହୋଇଉଠୁଥିଲା ରଘୁ ହନ୍ତାଳ । ଆହୁରି ଜୋର୍‌ରେ ଜୋର୍‌ରେ କାନ୍‌ସୀର ହାତକୁ ଭିଡ଼ି ପକାଉଥିଲା ଆବେଗସିକ୍ତ ପ୍ରଗଳ୍ଭତାରେ ।

ପୋଲିସ୍ ମୁଖ୍ୟ ଦପ୍ତର ପାଖେଇ ଆସୁଥାଏ । ରାତିର ନିସ୍ତବ୍ଧତା ଭିତରେ ସବୁଥିଲା ଶୂନ୍‌ଶାନ୍ । ସବୁ ଥିଲା ଗଭୀର ମୌନତାର ଆଚ୍ଛନ୍ନ । ପଛେ ପଛେ ସହଯାତ୍ରୀ ହୋଇ ଆସୁଥିବା ପାଦ ଦୁଇଟି ଠାଏଁ ଅଟକିଗଲା । ଏଇଠୁ କାନ୍‌ସୀକୁ ଫେରିଯିବାକୁ ପଡ଼ିବ । ସେ ପୁଣି ଲେଉଟିଯିବ ତା’ର ଅସ୍ଥାୟୀ ଠିକଣା ଆଡ଼େ । ବିଚ୍ଛେଦର ବହଳ ଅଶ୍ରୁ ଆଖିର ଦୁଇକୂଳକୁ ଲଙ୍ଘି ଝରିଆସୁଥିଲା ଧାର ଧାର ହୋଇ । ଗାଢ଼ ଅସରାଏ ଅମାନିଆ ଶ୍ରାବଣର ବର୍ଷା । ତାକୁ ଆକଟ କରିବ କିଏ ? ସେ ଜାଣିଥିଲା କମ୍ରେଡ୍‌ର ଆଖିରେ ଲୁହ ହେଉଛି ଦୁର୍ବଳତା । ପ୍ରଜାମୁକ୍ତିର ମହାଯଜ୍ଞରେ ସଶସ୍ତ୍ର ସିପାହୀ ଭାବେ ସାମିଲ ହେବା ଦିନଠୁ ସେହି ଯଜ୍ଞ କୁଣ୍ଡରେ ଆହୁତି ଦେଇଥିଲା ତା’ର ଯେତକ କୋମଳ ଭାବପ୍ରବଣତା । ପୁଣି କାନ୍ଦିବାର ଅଧିକାର ଅଛି । ସେହି ଅଧିକାରରେ ଲୁହର ବନ୍ୟା ଛୁଟି ଚାଲିଥିଲା ତା’ ଆଖିରୁ । ନିକାଞ୍ଚନ ଜଙ୍ଗଲର ପାଦଦେଶରେ ଦୁଇ ବିଚ୍ଛେଦିତ ହୃଦୟର ବିଳାପ ଖୁବ୍ କରୁଣ କରିଦେଉଥିଲା ସମଗ୍ର ପରିବେଶକୁ ।

ଆଖିର ଲୁହ ପୋଛି ଆଗକୁ ଯିବା ପାଇଁ ପ୍ରସ୍ତୁତ ହେଲା ରଘୁ ହନ୍ତାଳ । ସଜାଡ଼ି ନେଲା କାନ୍ଧରେ ପକାଇଥିବା ରାଇଫଲ୍ । ପାହାନ୍ତି ଆକାଶ ଫିଟି ଆଶୁଥାଏ କଢ଼ି ଫୁଟିଲା ପରି । ଝାପ୍ସା ଅନ୍ଧାରରେ ଥରଟେ ଚାହିଁଲା କାନ୍‌ସୀ ଆଡ଼କୁ । ସବୁ ଚାପା କୋହର ବଳ ଲଗାଇ ଛାତିର ସନ୍ଧିରେ ଜାବୁଡ଼ି ଧରିଲା କାନ୍‌ସୀକୁ । ଶେଷଥର ପାଇଁ ନିବିଡ଼ ଅଶ୍ଳେଷର ବନ୍ଧନରେ ଏକାତ୍ମ ହେଉଥିଲା ଦୁଇଟି ଶରୀର । ଏହାପରେ ଦୁହିଁଙ୍କ ପାଇଁ ଉନ୍ମୁଖ ଥିଲା ଦୁଇଟି ପୃଥିକ୍ ପଥ । ଗୋଟିଏ ଅଙ୍କାବଙ୍କା ହୋଇ ଲମ୍ୱିଯାଇଥିଲା ବଣ ପାହାଡ଼ର ଦୂର ଉପତ୍ୟକା ଆଡ଼କୁ । ଆରଟି ବିସ୍ତୃତ ହୋଇ ମାଡ଼ିଯାଇଥିଲା ଜନପଦର ମୁଖ୍ୟ ସ୍ରୋତକୁ । ଏବେ ଥିଲା ପରସ୍ପରଠୁ ବିଦାୟ ନେବାର ବେଳ । ସ୍ୱପ୍ନିଳ ଆଶାରେ ଭରା ଉନ୍ମୁକ୍ତ ଭବିଷ୍ୟତ ପରି ପୂର୍ବ ଆକାଶରେ ଫିଟି ଆସୁଥିଲା ସିନ୍ଦୂରା । ଉଦୟର ପ୍ରତିଶ୍ରୁତି । ଦୁହେଁ ଭରା ଆବେଗରେ ଚାହିଁ ରହିଥିଲେ ଆଶ୍ୱାସନାର ସେହି ନୂଆ ଦିଗ୍‌ବଳୟ ଆଡ଼କୁ । ଏଇଠୁ ଅପେକ୍ଷା ରହିବ ଆସନ୍ତାକାଲି ପାଇଁ । ବାଷ୍ପରୁଦ୍ଧ କଣ୍ଠକୁ ଫିଟାଇ ପଦୁଟିଏ ମାତ୍ର ଶବ୍ଦ ଉଚ୍ଚାରିଲା ରଘୁ-ବିଦାୟ । ଜାଣି ଜାଣି ଯୋଉ ଫାଶରେ ଦିନେ ଗୋଡ଼ ଭରିଥିଲା ଏବେ ସେଇ ଫାଶର କବଳରୁ ଚାହୁଁଥିଲା ମୁକ୍ତି । ସେଇ ଫାଶର ବନ୍ଧନଟା ଦିନକୁ ଦିନ ତା’ ପାଇଁ ଜେଲ୍‌ଖାନାର ଲୁହା ଶିକୁଳି ପରି ମନେ ହେଉଥିଲା । ସବୁବେଳେ ଅନୁଭବ କରୁଥିଲା ସେହି ନିର୍ମମ ବ୍ୟାଧର ଜାଲରେ ଛନ୍ଦା ତା’ର ଦୁଇପାଦ । ଯେତେ ଛାଟିପିଟି ହେଲେ ବି ସେଥିରୁ ନିସ୍ତାର ନାହିଁ । ଛିନ୍ନ ହେବାର ଅବକାଶ ନାହିଁ । ଅତିଷ୍ଠ ହୋଇଯାଇଥିଲା ଏଇ ବଣ ପାହାଡ଼ର ଲୁଚା ଚୋରା ଜୀବନ ଜୀଇଁ ଜୀଇଁ । ଅନ୍ତରରୁ କିଏ ଚିତ୍କାର କରୁଥିଲା, ବେଶ୍ ହୋଇଗଲା । ଆଉ ନୁହେଁ ଆଉ ନୁହେଁ. . . । ଏବେ ଲୋଡ଼ା ତ ଏକ ନିର୍ମଳ ଆକାଶ । ଲୋଡ଼ା ତ ଏକ ସାଧାରଣ ମଣିଷର ଜୀବନ । ଯେଉଁଠି ଯବାନ ମାନଙ୍କର କମ୍ୱିଂ ଅପରେସନ୍‌ର ଭୟ ନଥିବ । ଯେଉଁଠି ଆତ୍ମରକ୍ଷା ପାଇଁ କ୍ୟାମ୍ପ୍ ଉଠାଇ ଆତ୍ମଗୋପନ କରିବାକୁ ପଡୁନଥିବ ଗହଳ ଜଙ୍ଗଲର କୋରଡ଼ରେ । ସବୁଥିବ ସାଧାରଣ । ସବୁଥିବ ସ୍ୱାଭାବିକ୍ । ଦିନର ଆଳୁଅ ପରି ଆତଯାତ ହେଉଥିବ ମୁକୁଳା ଜୀବନ ।

ଯେଉଁଦିନ ପ୍ରଥମ କରି ଦେହରେ ଗଳାଇଥିଲା ମାଓବାଦୀର ପୋଷାକ, ଆଖିରେ ଗୋଟା ସୂର୍ଯ୍ୟଚନ୍ଦ୍ର ପରି ଚମକୁଥିଲା କିରଣ । ଅଲଗା ଦୁନିଆର କଳ୍ପନାରେ ଥିଲା ବିଭୋର । ଶୋଉଥିଲା ସେହି ଦୁନିଆଁର ଚିତ୍ର ନେଇ । ଉଠୁଥିଲା ସେହି ପୃଥିବୀର ସଂକଳ୍ପରେ । ଶୋଷଣହୀନ ଦୁର୍ନୀତି ମୁକ୍ତ ସମତୁଲ ପୃଥିବୀ । ସାହୁକାରର ଜୁଲମ ନଥିବ । ଜମିଦାରର ଉତ୍ପୀଡ଼ନ ନ ଥିବ । ଅତ୍ୟାଚାର କରିବାକୁ ସାହେବୀ ପୋଲିସ୍ ଫଉଜ ନଥିବ । ଥିବ ସେଠି ସାଧାରଣ ପ୍ରଜାର ଶାସନ । ଝଡ଼ର ବେଗ ସଦୃଶ ତା’ ଦେହରେ ପିଟି ହେଉଥିଲା କ୍ଷୁଧାର୍ତ୍ତ ପବନ । ନୂଆ ସୃଷ୍ଟି ପାଇଁ ଯିଏ ରଚିବାକୁ ଚାହୁଁଥିଲା ଧ୍ୱଂସର ତାଣ୍ଡବ । ଇନ୍‌କିଲାବ୍ ଜିନ୍ଦାବାଦ୍. . . ମାଓବାଦ ଜିନ୍ଦାବାଦ୍ ।

-ତା’ପରେ-.

ଲୋକପ୍ରିୟ ଲେଖା

To Top