ଗଳ୍ପ

କର୍ଫ୍ୟୁ

Aravind Das's odia story Karphyu

ମାଳତୀ ଦେବୀ ବ୍ୟସ୍ତ ହୋଇ ସୁବୋଧ ବାବୁଙ୍କୁ କହିଲେ, ଝିଅ ଏପର୍ଯ୍ୟନ୍ତ କଲେଜରୁ ଫେରିନି । ଫୋନ୍ ବି ନେଇନି । ଶୀଘ୍ର ଟିକେ ଦେଖ । ସ୍ତ୍ରୀଙ୍କ କାନ୍ଦ ଦେଖି ବ୍ୟସ୍ତ ହୋଇପଡିଲେ ସୁବୋଧ ବାବୁ ।

କର୍ଫ୍ୟୁ

ସହରର ପରିବେଶଟା ଅଶାନ୍ତ ଥିଲା । ଠିକ୍ ଜୁଆରିଆ ସମୁଦ୍ର ଭଳି । ଥରକୁ ଥର ବଡବଡ ଲହଡି ସମୁଦ୍ର ବୁକୁରେ ଖେଳିଲା ଭଳି, ବିଭିନ୍ନ ରକମର ଗୁଜବ ସହରର ଆବହାୱାକୁ ଆହୁରି ଗରମ କରୁଥିଲା ।

ଏଡେ ସାହସ ସେମାନଙ୍କର ? ଆମ ମନ୍ଦିରକୁ ଅପବିତ୍ର କରିବେ ? ଶଳାଙ୍କ ବସ୍ତିରେ ନିଆଁ ଲଗାଇ, ସମସ୍ତଙ୍କୁ ପାକିସ୍ଥାନ ପଠାଇ ଦେବାକୁ ପଡିବ । ଆରେ ! ବାଘ ଘରେ ମିରିଗ ନାଟ । ତେବେ ଆଗାମୀ ଇଲେକ୍ସସନରେ ଭୋଟ ପାଇଁ ଏଇ କଥାଟା ଆମ ପାଇଁ ବରଦାନ ହୋଇପାରେ । ସମର୍ଥକ ମାନଙ୍କର ଏମିତି ଆବେଗ ଓ ଉତ୍ତେଜନା ସୃଷ୍ଟିକାରୀ କଥା ଶୁଣି ମନେମନେ ଉଲ୍ଲସିତ ହେଉଥିଲେ ସୁବୋଧ ବାବୁ ।

ପାର୍କ ଛକ ପାଖ ଗଳିରେ  ଥିବା ସେଇ ପରିତ୍ୟକ୍ତ ଅବହେଳିତ ଭଙ୍ଗା ମନ୍ଦିର, ଯେଉଁଠାରେ ବର୍ଷ ତମାମ ପ୍ରାୟ କୌଣସି ଭକ୍ତଙ୍କ ପାଦ ପଡେ ନାହିଁ । ଆଜି ହଠାତ୍ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଯାଇଥିଲା । କୌଣସି ପାପୀ ସେ ମନ୍ଦିରକୁ ଅପବିତ୍ର କରିଛି । ମନ୍ଦିର ପ୍ରାଙ୍ଗଣରେ କଟା ମାଂସ, ହାଡ, ମଇଳା ଓ ମଦବୋତଲ !

ନିଶ୍ଚୟ ଏସବୁ ଅନ୍ୟ ଧର୍ମର ଲୋକଙ୍କ କାମ ବୋଲି ପ୍ରଚାର ଚାଲିଥିଲା ।

ସାର୍, ଏବେ ଆମେ କଣ କରିବା ? ସମର୍ଥକମାନେ ପଚାରୁଥିଲେ ସୁବୋଧଙ୍କୁ ।

ସୁବୋଧ ଗୁରୁମନ୍ତ୍ର ହେଲା ଭଳି କିଛି ଗୋପନୀୟ ନିର୍ଦ୍ଧେଶ ଦେଲେ ନିଜ ଅତି ବିଶ୍ୱସନୀୟ ସମର୍ଥକଙ୍କୁ ।

ପରଦିନ ସକାଳୁ ଏମ୍.ଏଲ୍.ଏ. ସିଟ୍ ପାଇଁ ଆଶାୟୀ ଯୁବନେତା ରହମାନ୍‌ର  ମୃତଦେହ କେନାଲ ପାଖରୁ ମିଳିଥିଲା । ଗୁଳିକରି ରହମାନ୍‌ଙ୍କୁ  ହତ୍ୟା କରାଯାଇଥିଲା । ପୋଲିସ୍ ଖୋଜୁଥିଲା ହତ୍ୟାକାରୀଙ୍କୁ । ଆରମ୍ଭ ହୋଇଥିଲା ଦଙ୍ଗା । ସାରା ସହରରେ ଜାରି କରାଯାଇଥିଲା କର୍ଫ୍ୟୁ  । ଏକଦମ୍ ଶୂନ୍‌ଶାନ୍ ଲାଗୁଥିଲା ସହରଟା ।

ଏକ କୁଟିଳ ହସ ଖେଳୁଥିଲା ସୁବୋଧଙ୍କ ମୁଁହରେ । ଗୋଟାଏ ଗୁଳିରେ ଦୁଇଟା ଶୀକାର । ଏଥର ଇଲେକ୍‌ସନରେ ତାଙ୍କ ବାଟ ସଫା । ତା ଛଡା ଏଇ ଜାତିଆଣ ଦଙ୍ଗାରେ ତାଙ୍କୁ ହିଁ ଫାଇଦା ମିଳିବ ।

ମାଳତୀ ଦେବୀ ବ୍ୟସ୍ତ ହୋଇ ସୁବୋଧ ବାବୁଙ୍କୁ କହିଲେ, ଝିଅ ଏପର୍ଯ୍ୟନ୍ତ କଲେଜରୁ ଫେରିନି । ଫୋନ୍ ବି ନେଇନି । ଶୀଘ୍ର ଟିକେ ଦେଖ । ସ୍ତ୍ରୀଙ୍କ କାନ୍ଦ ଦେଖି ବ୍ୟସ୍ତ ହୋଇପଡିଲେ ସୁବୋଧ ବାବୁ । କର୍ଫ୍ୟୁ ସମୟରେ ବାହାରକୁ ବାହାରିଲେ ପୋଲିସ୍ ଗୁଳି କରିଦେବ । ପାଖରେ କେହି ସମର୍ଥକ ବି ନାହାନ୍ତି । ଏକଦମ୍ ଅସହାୟ ଲାଗୁଥିଲା ତାଙ୍କୁ । କର୍ଫ୍ୟୁଟା ତାଙ୍କ ଓଲଟା ଫାଶ ଭଲି ଲାଗୁଥିଲା । ଯୁଆଡେ ଫୋନ୍ କଲେ ଉତ୍ତର ‘ନା’ ବୋଲି ମିଳୁଥିଲା । କେଉଁଠି ରହିଲା ଝିଅ !

କିଏ ହତ୍ୟା ବା ରେପ୍ କରିବନି ତ ! ବାରମ୍ବାର ପ୍ରଶ୍ନ ଉଠୁଥିଲା ସୁବୋଧଙ୍କ ମନରେ । ପରଦିନ ସକାଳୁ କର୍ଫ୍ୟୁ କୋହଳ ହେଲାପରେ ରିକ୍ସାରେ ବସି ଝିଅ ଘରେ ପହଁଚିଲା ଦେଖି ପିଣ୍ଡରେ ପ୍ରାଣ ପଶିଲା ଭଳି ଲାଗିଲା ସୁବୋଧ ବାବୁଙ୍କୁ ।

ବାପା, କାଲି କଲେଜ ପାଖରେ ହଠାତ୍ ଗଣ୍ଡଗୋଳ ଆରମ୍ଭ ହେଲା । ଏଇ ରିକ୍ସାବାଲା ମଉସାଙ୍କ ଘରେ ମୁଁ ରହିଯାଇଥିଲି ବୋଲି ଜୀବନ ବଞ୍ଚିଗଲା ।

ଫୋନ୍ ନଥିଲା ବୋଲି ଖବର ଦେଖିପାରିନଥିଲି ।

ଖୁସିରେ ଗଦ୍ ଗଦ୍ ହୋଇ ସୁବୋଧ ବାବୁ ପଚାରିଲେ ତମ ନାଁ ? କେଉଁଠି ରୁହ ?

ଆକବର, କଲେଜ ପାଖ ସେଇ ବସ୍ତିରେ ରହେ ସାର୍ । ଜବାବ୍ ଦେଲା ରିକ୍ସାବାଲା ।

ଚମକି ପଡିଲା ଭଳି ଲାଗିଲା ସୁବୋଧ ବାବୁଙ୍କୁ । ନିଜ ପକେଟରୁ ପାଞ୍ଚଶହ ଟଙ୍କା ବାହାର କରି ଆକବରକୁ ଯାଚିଲେ ସୁବୋଧ ବାବୁ । ନିଜ ଦୁଇ ହାତ ଯୋଡି ଆକବର କହିଲା, “ମୋତେ ଏତେ ଛୋଟ କରି ଦିଅନ୍ତୁନି ସାର୍ । ଆପଣଙ୍କ ଝିଅ କ’ଣ ମୋ ଝିଅ ନୁହେଁ ? ଅସୁବିଧା ବେଳେ ମଣିଷ ମଣିଷର କାମରେ ଆସିବନି ତ କିଏ ଆସିବ ? ଆପଣ ତ ବଡ ନେତା ଲୋକ, ଯଦି ପାରିବେ ତ ଏ ଦଙ୍ଗା, କର୍ଫ୍ୟୁ କେମିତି ନ ଲାଗିବ ସେକଥା ଦେଖନ୍ତୁ ।”

ପେଡାଲ ମାରି ଆକବର ରିକ୍ସା ଗଡାଇ ରହିଗଲା । ହତବାକ୍ ହୋଇ ଅନାଇଥିଲେ ସୁବୋଧବାବୁ  । ତାଙ୍କ ମୁଁହ, ମନ, ହୃଦୟରେ କିଏ ଯେମିତି କର୍ଫ୍ୟୁ ଲଗାଇଦେଇଥିଲା ।

ଲୋକପ୍ରିୟ ଲେଖା

To Top