ଗଳ୍ପ

କଥା ତ ଏତିକି

Paramita Mishra's odia story Kathaa Ta Etiki

ପ୍ରଶାନ୍ତ ସବୁବେଳେ ଡାକ ଡବାଟିକୁ ହାତମାରିଥାଆନ୍ତି କାଳେ ଆଉକିଛି ଚିଠିଆସିଥିବ । ମେହେକର ଛୁଆ ଦୁଇଜଣ କିଛି ବଡ ହୋଇଗଲେଣି।

କଥା ତ ଏତିକି

ସୂର୍ଯ୍ୟ ଦେବତା ନିଜର ରାଗ ରୁଷା ଛାଡି ଘର ବାହୁଡ଼ା ହେଉଥିଲେ। ଧୀରେ ଧୀରେ କାଳ ନାଗୁଣୀ ରାତ୍ରି ସାରା ସଂସାରକୁ ନିଜ ଅକ୍ତିଆରକୁ ନେଇ ଯାଉ ଥିଲା, ଯେମିତି ସେ ଅପେକ୍ଷାରେ କେତେବେଳେ ସୂର୍ଯ୍ୟାସ୍ତ ହେବ । ଭାରି କଠିନ ଏ ରାତି, ବେଳକୁ ବେଳ କାଳ ନାଗୁଣୀ ପରି ତାର ଆକାର ବଡ କରିଚାଲେ ।

ପ୍ରଶାନ୍ତ ବାବୁ ଆରାମ ଚେୟାରରେ ବସି ବସି ଗୋଟିଏ ହାତରେ ଖଣ୍ଡେ କାଗଜ ଛାତି ଉପରେ ଭିଡି ଧରିଛନ୍ତି ଏବଂ ଅନ୍ୟ ହାତରେ ଚଷମାଟି ତଳକୁ ଓହଳି ରହିଛି, ଆଖିଦୁଇଟି ମୁଦି ପଡିରହିଛନ୍ତି ସେ । ଏହି ମୁଦ୍ରାରେ ରହି ଭାବନା ରାଇଜରେ କୋଉଠି ହଜି ଯାଇଛନ୍ତି ସେ । ହଠାତ ଚେତନାରେ ଆସିଲେ ହାତରୁ ଚଷମାଟି ଖସି ପଡିଯିବାରୁ । ଖଣ୍ଡେ କାଚ ବାହାରି ଗଲା ସେଥିରୁ । ଅତ୍ୟନ୍ତବ୍ୟତିବ୍ୟସ୍ତ ହୋଇ ଚଷମାଟିକୁ ହାତରେନେଇ କାଚଟିକୁ ଲଗାଇବାକୁ ଲାଗିଲେ ସେ। ସେମତି କାଚକୁ ଚଷମାରେ ଲଗାଇ ଚିଠିଟିକୁ ଉପରୁ ତଳକୁ ବାରମ୍ବାର ଦେଖିବାକୁ ଲାଗିଲେ। ନା କିଛି ଦିଶୁନି । କିନ୍ତୁ ଏ ଚିଠିଟିର କମା ଓ ପୂର୍ଣ୍ଣଛେଦ ବି ତାଙ୍କର ମୁଖସ୍ଥ ହୋଇସାରିଛି । ତେଣୁ ଅନର୍ଗଳ ଭାବେ ପଢି ଗଲେ ସେ ।

“ପ୍ରିୟ ବାପା,

ମୋର ପ୍ରଣାମ ନେବେ। ଆଶା ଘରେ ସବୁ ଭଲରେ ଥିବେ। ବାପା ମତେ କ୍ଷମା କରିବେ, ଚିକୁ ଏବଂ ଚୁନିର ଖର୍ଚ୍ଚ ମୁଁ ଆଉ ଉଠାଇ ପାରିବିନି । ତମେ ତ ଜାଣିଛ ନ୍ୟୁୟର୍କରେ ଟଙ୍କାର କେତେ ଅସୁବିଧା, ଏବେ ଘର ଖଣ୍ଡେ କିଣୁଛି ଆଉ ପୁଣି ରନି (ନାତି)ର ପାଠପଢା ପାଇଁ ବହୁତ ଟଙ୍କା ଦରକାର ତେଣୁ ମତେ ଭୁଲ ନବୁଝି ଏ ଦାୟିତ୍ବରୁ ମତେ ମୁକ୍ତ କରିଦିଅନ୍ତୁ । ଏସବୁ କଥା ଫୋନରେ ବି ହୋଇପାରିଥାଆନ୍ତା କିନ୍ତୁ ମୋର ସେତିକି ସାହାସ ନାହିଁ ବାପା ତେଣୁ ସବୁ ଲେଖିକି ଜଣାଉଛି । ଏଇଟା ଆମର ଶେଷ ବାର୍ତ୍ତାଳାପ ବାପା ୟା ପରେ ମୁଁ ନଜର ଉଠାଇ ଆପଣଙ୍କ ସହ କଥା ହୋଇ ପାରିବି ନାହିଁ କିନ୍ତୁ ସତ କଥାଟା ହେଲା ଆପଣଙ୍କ ବୋହୂ ଲୋରା ଜମା ଚାହେଁନି ମୁଁ ଆପଣଙ୍କ ସହ ମିଶେ ଆଉ ମୁଁ ଲୋରାକୁ ଛାଡି ପାରିବିନି

। ଇତି ।
ଆପଣଙ୍କ ଅଯୋଗ୍ୟ ପୁଅ -ଅନିମେଶ”

କେତେଟା ବର୍ଷ ବିତିଯାଇଛି କେତେବେଳେ । ମୋଟର ଗ୍ୟାରେଜକୁ ଆଉ ଏକୁଟିଆ ଚଳାଇବା ସମ୍ଭବ ହେଇପାରୁନି, ଚାଲିଛି ଯେମିତି ସେମିତି। ଏବେଆଉ କାମକହିଲେ କିଛିନାହିଁ । ଚାକିରି ବି ନାହିଁ । ପ୍ରଶାନ୍ତବାବୁ ବାରଣ୍ଡାର ଚେୟାର ଉପରେ ବସି ପୁଅର ସେଇ ଶେଷଚିଠି ଧରି ଅପେକ୍ଷାରେ ଏମିତକେତେରାତି କାଟି ଦେଇଛନ୍ତି । ଚିଠିଟିକୁ ପକେଟରେପୁରାଇ ଦେଖନ୍ତି ତ ବହୁତରାତି ହେଲାଣି ।

ନିଲୋଫର ନିଜେ ନିଜେ ଉଠି ପାରନ୍ତିନି ତେଣୁ ମୋବାଇଲରେ ପ୍ରଶାନ୍ତଙ୍କ ପସନ୍ଦର ସେଇ ଗୀତ ଟିକୁ ବଜାଇ ଦିଅନ୍ତି ସେ ଓ ପ୍ରଶାନ୍ତ ବାବୁ ବୁଝି ଯାଆନ୍ତି ଯେ ନିଲୋଫର ଡାକୁଛନ୍ତି । ପ୍ରଛଦପଟରୁ ଗୀତଟି ବାଜି ଉଠିଛି । ନିଲୋଫର ପାଖକୁ ଆସି ପ୍ରଶାନ୍ତ ବାବୁ କହିଲେ ଆରେ ହଁ ହଁ ଜାଣିଛି, ଖାଇବା ସମୟ ହୋଇଗଲାଣି । ଝୁନା (ଆୟା) ଛୁଆ ମାନଙ୍କୁ ଖୁଆଇ ଦେଇଛି, ସେମାନେ ବି ଶୋଇବେଣି । ନିଲୋଫର, ପ୍ରଶାନ୍ତଙ୍କର ହାତକୁ ନିଜ ହାତରେନେଇ କହିଲେ ବସ ଟିକେ, ସାରା ଜୀବନ ତମେ ଆମ ପାଇଁ ବହୁତ କରିଛ ଶେଷ ଥର ପାଇଁ କିଛି ମାଗିବି କଣ ଦେବ ?
ପ୍ରଶାନ୍ତ ବାବୁ ନୀଲୋଫରଙ୍କ ହାତକୁ ଜାବୁଡି ଧରି ତାଙ୍କୁ ଉଠାଉ ଉଠାଉ କହିଲେ ଥରେ କହିକି ଦେଖ କ’ଣ ଚାନ୍ଦ ଆଣିଦେବି ? କିନ୍ତୁ ପ୍ରଥମେ ଖାଇବା । ଠିକ୍ ଅଛି । ନିଲୋଫର ବି ସର୍ତ୍ତ ରଖି କହିଲେ ଏଥର ନିଜ ସ୍ୱପ୍ନକୁ ଆକାର ଦେବ ତେବେ ଯାଇ ଖାଇବି । ଦେଖ ଏଇଟା ମୋର ଶେଷ ଇଚ୍ଛା, ସାରା ଜୀବନ ତୁମେ ବହୁତ ଲୋକଙ୍କ ପସନ୍ଦର ଗାଡି ବନେଇଛ । ମୁଁ ତୁମର ବନାଇଥିବା ସେହି ଗାଡିରେ ଥରେ ବସିବାକୁ ଚାହୁଁଛି ଆମ ସ୍ୱପ୍ନର କାରରେ, ଶେଷ ନିଶ୍ଵାସ ଛାଡିବା ପୂର୍ବରୁ । କଣ କରିବ ନା ?

ଆଖିରେ ସମ୍ମତି ଜଣାଇଲେ ପ୍ରଶାନ୍ତ । ଗୀତଟି ଏବେବି ବାଜୁଥିଲା, ଦୁହେଁ ରାତି ଖାଇବା ସାରି ଶୋଇବାକୁ ଉଦ୍ୟତ ହେଲେ । ଶେଜରେ ପଡି ପ୍ରଶାନ୍ତ ବାବୁ ପ୍ରଶ୍ନ ବାଚିରେ ଚାହିଁ ରହିଲେ ନିଲୋଫରକୁ । ନିଲୋଫର କହିଲା- ଏମିତି ଦେଖନି ଏଇଟା ସତ ଯେ ମୋ ପାଖେ ଆଉ ବେଶି ଦିନ ନାହିଁ । ପ୍ରଶାନ୍ତ ବାବୁ କହିଲେ ତୁମର ମନେଅଛି ନିଲୁ ଆମ ଭଲପାଇବା ଆମ ଶପଥ । ତୁମେ ମୋ ହାତଧରି ଘର ଛାଡିଲା ବେଳେ ଆମେ ପରସ୍ପରକୁ କଥା ଦେଇଥିଲେ ଶେଷଯାଏଁ ଏକାଠି ଜିଇଁବା ଆଉ ଏକାଠି ମରିବା । ଆଉ ଆଜି ! ନିଲୋଫର ପ୍ରଶାନ୍ତଙ୍କ ହାତକୁ ଜାବୁଡି ଧରି କହିଲେ ମୋର ସବୁ ମନେ ଅଛି, ଆଖିରୁ ଝରି ଆସିଛି ଦୁଇଧାର ଅଶ୍ରୁ, ପ୍ରଶାନ୍ତ କହିଲେ ଆଜି ବି ତୁମେ ୩୦ବର୍ଷ ତଳର ସେହି ନାକ କାନ୍ଦୁରୀ ନିଲୁ ଭଳି ଦିଶୁଛ । ଏଇ ଶୁଣିଲ କେତେ ସୁନ୍ଦର ଥିଲା ନା ସେ ଦିନ ସବୁ ।

ସୁନ୍ଦର ଘରଟିଏ ଥିଲା ପ୍ରଶାନ୍ତ ବାବୁଙ୍କର । ଇଞ୍ଜିନିୟରିଂ କଲାବେଳେ ନିଲୋଫରସହ ତାଙ୍କଦେଖା, ତା ପରେ ପ୍ରେମ ଆଉ ତା ପରେ ମନ୍ଦିରରେ ବିବାହ । କିନ୍ତୁ ନିଲୋଫରଙ୍କ ଧର୍ମ ଅଲଗା ଥିଲା । ନୀଲୋଫର ମୁସଲିମ ଥିଲେ । ପ୍ରଶାନ୍ତ ଓ ନିଲୋଫର ମିଶି ଚାଳ ଝୁପୁଡିକୁ ବି ସ୍ଵର୍ଗକରି ତୋଳିଲେ । ବହୁ ଚେଷ୍ଟାପରେ ବି ସେମାନଙ୍କ ଘରଲୋକେ ଆପଣାଇବାକୁ ରାଜିହେଲେନି ।

ସେତେବେଳକୁ ପ୍ରଶାନ୍ତ ଇଞ୍ଜିନିୟରିଂ ପଢୁଥିଲା । ଟଙ୍କା ଅଭାବରୁ ପାଠଛାଡି ଛୋଟମୋଟ କାମରେ ଲାଗିଲେ । ପ୍ରଶାନ୍ତ ଦେହରେ କେବେ ଫୁଲଟିଏ ବି ପଡି ନଥିଲା କିନ୍ତୁ ପ୍ରେମ ପାଇଁ ତାର ତ୍ୟାଗ ଦେଖି ନୀଲୋଫରଙ୍କ ଆଖିରୁ ଝରି ଆସେ ଅଶ୍ରୁ, ପ୍ରଶାନ୍ତ କିନ୍ତୁ ନୀଲୋଫରକୁ ବୁଝାଇନିଏସବୁବେଳେ ସେହି ଗୀତଟି ଗାଇ, “କଥା ତ ଏତିକି ତୁମକୁ ପାଇ ମୁଁ ଦୁନିଆରେ ଆଜି ବଞ୍ଚିବା ଯାଇଛି ଶିଖି I” ଆଉ ଆଖିରୁ ଲୁହ ପୋଛି ନିଲୋଫର ବି ତାପରେ କହିଉଠେ ଭାରି ଫିଲ୍ମି ତୁମେ । କିନ୍ତୁ ସତରେ ପ୍ରଶାନ୍ତ ବାବୁଙ୍କ ଜୀବନଟି ଠିକ୍ ସେଇ ସିନେମା ଭଳି । ଇଂଜିନିୟରିଂ ସିନା ଅଧାରୁ ସେ ଛାଡି ଥିଲେ କିନ୍ତୁ ମେସିନ ସହ ଦୋସ୍ତି ଛାଡି ନ ଥିଲେ । ପ୍ରଥମେ ବହୁତ ଦିନଯାଏଁ ପ୍ରଶାନ୍ତ ଅନ୍ୟର ଗ୍ୟାରେଜରେ ରହି କାମଶିଖିଲେ କିନ୍ତୁ ସେଥିରେ ଘର ଚଳାଇବା କଷ୍ଟକର ଥିଲା । ତେଣୁ ଛୋଟିଆ ଚାକିରିଟିଏ କରିଲେ ସେ । ସମୟ ବିତିଲା । ଅନିମେଶ ଓ ମେହେକ୍ ଆସିଲେ ତାଙ୍କ ଜୀବନରେ । ଘରେ ହୁଏତ ଟଙ୍କାର ଟିକେ ଅଭାବ ଥିଲା କିନ୍ତୁ ଶାନ୍ତି ବହୁତ ଥିଲା। ପ୍ରଶାନ୍ତବାବୁନିଜର ଝାଳ ବୁହାଇ ନିଜ ପାଇଁ ଦେଖିଥିବା ସ୍ଵପ୍ନ ଛାଡି ପୁଅ, ଝିଅଙ୍କ ଭବିଷ୍ୟତ ସଜାଇଲେ ।

ହାତରେ ଜାଦୁ ଅଛି ପ୍ରଶାନ୍ତଙ୍କର । କୌଣସି କାମକୁ ଛୋଟ ବୋଲି ଭାବିନାହାଁନ୍ତି ସେ । ଚାକିରିରୁ ଫେରି କ୍ଲାନ୍ତ ହୋଇ ଥିଲେ ବି ପ୍ରଶାନ୍ତ ଘରର ସେହି ଛୋଟିଆ ଗ୍ୟାରେଜରେ ନିଜରଏକ ପୁରୁଣା କାରକୁ ନେଇ, ଏକ ସ୍ଵପ୍ନକୁ ରୂପ ଦେବାରେ ଲାଗିଯାଆନ୍ତି । କାମ କଲାବେଳେ ରାତିଦିନ ବି ଦେଖନ୍ତିନି । ନିଲୋଫର ଘରେ ଗୀତ ଶିଖାଏ । ଗାଡି ପ୍ରଶାନ୍ତର ବହୁତ ପସନ୍ଦ । ଯେଉଁ କାରର ନମୁନା ସେ ବନାଇଛନ୍ତି ସେଥିରେ ବହୁତ ସମୟ ଓ ଅର୍ଥ ଲାଗିବ, କିନ୍ତୁ ଏ ଦୁନିଆର ବିରଳ କାର ମଧ୍ୟରୁ ଗୋଟିଏ ହେଇପାରିବ । ବେଶି କିଛି ଆଶାରଖି ନାହାଁନ୍ତି ସେ ବାସ୍ ସେହି ସୁନ୍ଦର ଗାଡି ସେ ନିଜେ ତିଆରି କରିବେ ଆଉ ସେଥିରେ ନିଲୋଫରକୁ ବସେଇ ଗୋଟେ ଲମ୍ବା ଯାତ୍ରାରେ ବାହାରି ଯିବେ । ଏଇ ସ୍ଵପ୍ନଟି ପ୍ରଶାନ୍ତ ବାବୁଙ୍କ ଆଖିରେ ସବୁ ବେଳେଥାଏ କିନ୍ତୁ ପିଲାମାନଙ୍କ ସ୍ଵପ୍ନ ସାକାର କରିବା ପାଇଁ ନିଜର ଏଇ ସ୍ଵପ୍ନକୁ ସମାଧି ଦେବାକୁ ସ୍ଥିରକଲେ। ଯେଉଁ ପୁରୁଣା ଗାଡିଟିରେ ସେ ନିଜର ପ୍ରୟୋଗ କରୁଥିଲେ ତାକୁ ଘର ପାଖରେ ଘୋଡାଇ ଦେଇ ରଖିଦେଲେ କାରଣ ପିଲାଙ୍କ ପାଠପଢାରେ ବହୁତ ଟଙ୍କା ଆବଶ୍ୟକ।

ସମୟଗଡିଲା। ପୁଅ ଅନିମେଶ ଗୋଟେ ଇଂଜିନିୟର ହୋଇଗଲା । ଝିଅ ମେହେକ ବି ଆଇ.ଏ.ଏସ ପାଇଥିଲା । ଘର ହସ ଖୁସିରେ ଫାଟି ପଡୁଥିଲା । ଅନିମେଶ ବିଦେଶ ଚାଲିଗଲା କାମ ପାଇଁ । ମେହେକକୁ ବି ତା ପସନ୍ଦରେ ବାହାକରିଦେଲେ । କିନ୍ତୁ ହଠାତ୍ ଦିନେ ସବୁ ସ୍ଵପ୍ନଭାଙ୍ଗି ଚୁରମାର ହୋଇଗଲା। ଅନିମେଶ ଖବର ଦେଲା- ସେ ସେଠି ଜଣେ ବିଦେଶିନୀକୁ ବିବାହ କରିଛି । ପ୍ରଶାନ୍ତ ବାବୁ ପ୍ରଥମେ ବହୁତ ରାଗିଲେ । କହିଲେ- ତୁ ଆମକୁ ଜଣାଇଥିଲେ କ’ଣ ଆମେ ମନା କରିଥାନ୍ତୁ ? କିନ୍ତୁ ପରେ ନିଜେ ହିଁ ତାକୁ ଘରକୁ ଆସିବାକୁ କହିଲେ । ରନି, ଅନିମେଶର ପୁଅ ।

ନିଲୋଫର ତାକୁ ଟିକେ ଦେଖିବାକୁ କେତେକରି କହିଲେ କିନ୍ତୁ ଅନିମେଶ ଆଉ ଘରକୁ ଫେରିଲାନି । ଏମିତିକି ଭଉଣୀ ବାହାଘରରେ ବି ସେ ମୁହଁ ଦେଖାଇଲାନି।

ମେହେକର ଦୁଇଟି ଜମଜ ସନ୍ତାନ ଜନ୍ମ ହେଲେ। ନିଲୋଫର ଓ ପ୍ରଶାନ୍ତ ତାଙ୍କୁ ଭାରି ଆଦର କରନ୍ତି। ମେହେକ ଆଉ ତା ସ୍ୱାମୀ ଦୁହେଁ ଚାକିରି କରନ୍ତି ତେଣୁ ପିଲାମାନଙ୍କୁ ଅଜା, ଆଇ ପାଖରେ ହିଁ ଛାଡି ଯାଆନ୍ତି। ଦୁଃଖ ଆସିଲେ କୁହନ୍ତି- ଭାଇ ବନ୍ଧୁ କୁଟୁମ୍ବକୁ ଧରି ଆସେ । ପୁଅର ବିରହ ଝିଅ, ଜ୍ୱାଇଁ ଆଉ ନାତିନାତୁଣୀ ଦୁଇଟିଙ୍କୁ ଦେଖି କଟି ଯାଉଥିଲା । କିନ୍ତୁ ହଠାତ୍ ଦିନେ ମେହେକ ଆଉ ଅଫିସରୁ ଫେରିଲାନି । ଖବର ଆସିଲା ଗାଡିଟି ଘାଇରୁ ତଳକୁ ଖସିଯାଇ ସ୍ଵାମୀ ଓ ସ୍ତ୍ରୀ ଦୁଇଜଣ ଯାକ ମରିଯାଇଛନ୍ତି । ଏହା କ’ଣ କମ ମର୍ମଦାୟକ ଥିଲା ?

ଏ ଖବର ନୀଲୋଫର କାନରେଯେମିତି ପଡିଛି ସେ ଦୁଃଖରେ ଭାଙ୍ଗି ପଡ଼ିଲେ । ଧୀରେ ଧୀରେ ତାଙ୍କର ଅଧା ଅଂଗ ଅପଂଗ ହୋଇଗଲା । କଅଁଳିଆ ଛୁଆ ଦୁଇଟା, ଝିଅକୁ ହରାଇ ବାର ଦୁଃଖ ଆଉ ଶେଜରେ ପଡିଥିବା ସ୍ତ୍ରୀଙ୍କୁ ଦେଖି, ପ୍ରଶାନ୍ତ ବାବୁଙ୍କ ଅଣ୍ଟା ଭାଙ୍ଗିଗଲା ।

ଏ ସବୁ ଖବରପାଇ ଅନିମେଶ ଦୌଡି ଆସିବ ବୋଲି ସେ ଭାବିଥିଲେ, ସେଟା ବି ମିଛ ହେଲା କିନ୍ତୁ ଅନିମେଶ ଏତିକି ଭରସା ଦେଇଥିଲା ଯେ ଭଉଣୀର ଛୁଆ ଦୁଇଟାର କଥା ସେ ବୁଝିବ । ପ୍ରଶାନ୍ତ ଦମ୍ଭ ହୋଇ ଠିଆ ହେଲେ । ପିଲା ଦୁଇଟିକୁ ଆଦରି ନେଲେ ସେ । ଆସନ୍ତା ଜୀବନଟି ଏହି ଛୁଆ ଦୁଇ ଜଣଙ୍କୁ ଦେଖି କାଟି ଦେବାକୁ ସ୍ଥିରକଲେଏବଂ ଠିକ୍ ତାର ମାସେ ପରେ ହିଁ ଆସିଲା ଅନିମେଶର ସେଇ ଶେଷଚିଠିଟି । ସେବେଠୁ ପ୍ରଶାନ୍ତ ଓ ନିଲୋଫର ଅନିମେଶର ଅପେକ୍ଷାରେ ଆଖି ଲଗେଇ ବସିଛନ୍ତି। ଘରର ପୁରୁଣା ନମ୍ବରକୁ ବି ବଦଳାନ୍ତିନି କାଳେ ଅନିମେଶର ଫୋନ ଆସିଯିବ ବୋଲି । ନିଲୋଫର ସବୁବେଳେ ଫୋନ ଆଡେ ଚାହିଁ ରୁହନ୍ତି। ପ୍ରଶାନ୍ତ ସବୁବେଳେ ଡାକ ଡବାଟିକୁ ହାତମାରିଥାଆନ୍ତି କାଳେ ଆଉକିଛି ଚିଠିଆସିଥିବ । ମେହେକର ଛୁଆ ଦୁଇଜଣ କିଛି ବଡ ହୋଇଗଲେଣି।

ନିଲୋଫରର କଥା ରାତି ସାରା ପ୍ରଶାନ୍ତକୁ ଶୁଆଇ ଦେଲାନି । ସେହି ପୁରୁଣା ସ୍ଵପ୍ନ ସବୁ ପୁଣି ଆଖିରେ ଆସିଲା । ସକାଳୁ ସକାଳୁ ନିଦ ଭାଙ୍ଗିଗଲାପରେ ପ୍ରଶାନ୍ତ ନିଶ୍ଚୟ କରିଥିଲେ ଯେ ଆଜି ସେ ଯେମିତି ହେଲେଗାଡ଼ିକୁ ସଫା କରିବ । ଦାଣ୍ଡ ଦୁଆରେ ଥୋଇ ଥୋଇ ଗାଡ଼ି ଉପରେ ମଇଳା ପରସ୍ତେ ପଡ଼ିଯାଇଛି । ଅଗତ୍ୟା ସେହାତରେ କନା ଆଉ ପାଣିବାଲତି ଧରିଯାଇ ଗାଡ଼ି ଧୋଇବାରେ ଲାଗିଗଲା ।

ଏହି ସମୟରେରେରାସ୍ତାରେ ଯାଉଥିବା ଗୋଟିଏଯୁବକ ଲୋକ ସେଠାରେ କିଛି ସମୟ ଅଟକି ଗଲା ଆଉ ପ୍ରଶାନ୍ତଙ୍କୁ କହିଲା, “ଆଜ୍ଞା ଟଙ୍କା କୋଡ଼ିଏଟା ଯଦି ଦେବେ, ମୁଁ ଧୋଇଦେବି” ପ୍ରଶାନ୍ତ ତାକୁ ଚାହିଁ କହିଲା, “ତୁମକୁ ଗାଡ଼ି ଧୋଇଆସେ?” ସେ ମୁଣ୍ଡ ହଲାଇ ହଁ ବୋଲି ଜଣାଇଲା । ମନେ ମନେ ପ୍ରଶାନ୍ତ ଭାବୁଥିଲା ମାତ୍ର କୋଡିଏ ଟଙ୍କାର କଥା । ଗ୍ୟାରେଜକୁ ନେଲେ ଅନ୍ତତଃ ଦେଢ଼ଶହ ଟଙ୍କା ଚାଲିଯିବ। ସେ ରାଜି ହୋଇଗଲେ। ଲୋକଟାକୁ ବାଲତି ଦେଉ ଦେଉ ପଚାରିଲେ- କିରେ ବାବୁ ତୋ ନାଁ କଣ ? ଭଲ ଘରପିଲା ପରି ଦିଶୁଛୁ । ସେକ’ଣ କହିବ ଭାବୁ ଭାବୁ ତା ପାଟିରୁ ବାହାରି ଆସିଲା ବାବୁ ଭାରି ଭୋକ କିଛି ଖାଇବାକୁ ମିଳିବ ? ରହ କହି ପ୍ରଶାନ୍ତ ଭିତରୁ କିଛି ଖାଇବା ନେଇ ଆସି ପିଲାଟିକୁ ଦେଲେ । ପିଲାଟି ଖାଇବାଜିନିଷ ଦେଖି ତା ଉପରେ ଝପଟି ପଡିଲା, ଯେମିତି ଜନ୍ମ ଜନ୍ମାନ୍ତରର ଭୋକିଲା ସେ । ତାକୁ ପେଟ ଭରି ଖାଇବା ଦେଖି ପ୍ରଶାନ୍ତ ବି ଖୁସିହେଲେ । ତା’ ହାତଧରି ତାକୁ ଚେୟାରରେ ବସେଇଦେଲେ, କହିଲେ-“ମତେ ତୋ ବିଷୟରେ କହ” । ପିଲାଟି କହିଲା “ମୋ ନା ଚିନ୍ମୟ । ଗାଁରୁ ସହରକୁ ଆସିଥିଲା କିଛି କାମ କରି ଘରକୁ ସାହାଯ୍ୟ କରିବା ପାଇଁ କିନ୍ତୁ ଏଠି ଆସି ବଡ ବିପଦରେ ପଡିଗଲି । ଘରୁ ଯେଉଁ ଟଙ୍କା ତକ ଆଣିଥିଲି ସବୁ ଚୋରି ହୋଇଗଲା । ଘରକୁ ଫେରିବ ବା କୋଉ ମୁହଁରେ ? ଘରେ ତ ଦାନା ଦାନାର ଅଭାବ। ଭିକ ମାଗିବା ଠୁ କିଛି କାମ କରି ଖାଇବାକୁ ଶ୍ରେୟ ମନେକଲି କିନ୍ତୁ ଏଠି କାମ ମିଳିବା ଏତେ ସହଜ ନଥିଲା । ପ୍ରାୟ ଚାରି ଦିନ ହେବ କିଛି ଖାଇନଥିଲି ମୁଁ । ଆପଣଙ୍କୁ ବହୁତ ଧନ୍ୟବାଦ ଆଜ୍ଞା ମତେ ଖାଇବାକୁ ଦେଲେ । ଗୋଟେ ଉପକାର କରନ୍ତୁ ଆଜ୍ଞା ମତେ କିଛି କାମ ଦେଇଦିଅନ୍ତୁ । ମୁଁ କିଛି ବି କାମ କରିବି । ଗାଁ ସ୍କୁଲରେ ମୁଁ ଦଶମ ଶ୍ରେଣୀରେ ଆମ ବ୍ଲକରେ ପ୍ରଥମ ହୋଇଥିଲି,ସରପଞ୍ଚ ମତେ ପୁରସ୍କାର ବି ଦେଇଥିଲେ । କିନ୍ତୁ ପଇସା ଅଭାବରୁ ଆଉ ପଢି ପାରିଲିନି । ପ୍ରଶାନ୍ତ ବାବୁ ଭାବୁଥିଲେ ତାକୁ କି କାମ କରିବାକୁ କହିବେ ? ଚିନ୍ମୟ କହିଲା- ତାର ଯନ୍ତ୍ର ସବୁ ଭାରି ପ୍ରିୟ, ସବୁବେଳେ କିଛି ନୂଆଁ କରି ବନାଇ ବାକୁ ଚେଷ୍ଟାକରେ। ପ୍ରଶାନ୍ତ ବାବୁଙ୍କ ଆଖି ଉଜ୍ୱଳ ହୋଇ ଉଠିଲା । ଯେମିତି ଶୋଷିଲାକୁ ପାଣି ମିଳିଗଲା ।

ପ୍ରଶାନ୍ତ ବାବୁଙ୍କ ଇଚ୍ଛା ଥିଲା -ଗରିବ ଲୋକମାନେବି କେମିତି କମ୍ ଦାମରେ କାରଟେ ରଖି ପାରିବେ ? ତା’ ଉପରେ କେବେଠୁ ପ୍ରଶାନ୍ତ ଗବେଷଣା କରୁଥିଲେ । ଗାଡି ତ ଠିକ୍ ଅଛି କିନ୍ତୁ ସେଥିରେ ପକାଇବାକୁ ପେଟ୍ରୋଲ ମହଙ୍ଗା । ଏତେ ଟଙ୍କା କେଉଁଠୁ ପାଇବେ ? ତେଣୁ ଏ ସବୁକୁ ଧ୍ୟାନରେ ରଖି ଅଳ୍ପ ଖର୍ଚ୍ଚରେ କେମିତି ଜଣେ ସାଧାରଣ ଲୋକ ଚାରି ଚକିଆ ଯାନଟି ରଖିପାରିବ ଏକ ନମୁନା ପ୍ରସ୍ତୁତ କରିବାରେ ସଫଳ ହୋଇଥିଲେ । କାମ କରିବାକୁଲୋଡ଼ା ଥିଲା ଖାଲି ଗୋଟିଏ ସାହାଯ୍ୟର ହାତ । ସେଇଟା ବର୍ତ୍ତମାନ ଚିନ୍ମୟ ପୁରା କରିଦେବ ବୋଲି ପ୍ରଶାନ୍ତଙ୍କର ପୁରା ବିଶ୍ୱାସହେଲା । ନିଲୋଫରର ଇଚ୍ଛାକୁ ଯେମିତି ହେଲେ ପୁରା କରିବାକୁ ହେବI ପ୍ରଶାନ୍ତ ବସିବା ଜାଗାରୁ ଉଠି ଠିଆହୋଇ କହିଲେ ଆ’ ତାହେଲେ, ଆଜିଠୁ ଆମେ ଗୋଟିଏ ସ୍ୱପ୍ନକୁ ସାକାର କରିବା । ଲକ୍ଷ ଲକ୍ଷ ସାଧାରଣ ଜନତାଙ୍କ ଅଭିଳାଷ ଆଉ ମୋର ଏତେପରିଶ୍ରମର ଫଳ ଏହି କାରଟିକୁ ଭଲ ଭାବେ ଧୋଇ ପକା । ଦୁହେଁ ମିଶି ଗାଡିଟିକୁ ଭଲ ଭାବେ ଧୋଇ ସଫା କରିଦେଲେ । ଚିନ୍ମୟ ନିଲୋଫରର ଭାରି ଯତ୍ନନିଏ । ନିଲୋଫର ନିଜର ଦୁଇ ସନ୍ତାନକୁ ହରାଇ ବହୁତ ଦୁଃଖରେ ଥିଲେ କିନ୍ତୁ ଚିନ୍ମୟର ସେବାରେ ତାଙ୍କ ସ୍ୱାସ୍ଥ୍ୟ ଭଲ ରହିବାକୁଲାଗିଲା । ଚିନ୍ମୟ ଭିତରେ ନିଲୋଫରକୁ ଅନିମେଶର ଝଲକ ଦିଶୁଥିଲା । ଜୋରସୋରରେ ଗାଡି କାମରେ ଲାଗିଗଲେ ଚିନ୍ମୟ ଓ ପ୍ରଶାନ୍ତ । କେଜାଣି କୋଉଠୁ ପ୍ରଶାନ୍ତ ଭିତରେ ଶହେ ହାତୀର ବଳ ଆସିଯାଇଥିଲା । ଚିନ୍ମୟ ପ୍ରଶାନ୍ତଙ୍କର ଚିନ୍ତାଧାରା ବିଷୟରେ ଜାଣି ଅତ୍ୟନ୍ତ ପ୍ରଭାବିତ ହୋଇଛି । କେତେ ଭଲ ହେବ ଯଦି ବାବୁଙ୍କ ସ୍ଵପ୍ନର ଗାଡିଟି ସତରେ ବନିଯାଏ । ପ୍ରଶାନ୍ତ ବାବୁ ସବୁ ପରୀକ୍ଷା ନିରୀକ୍ଷା କରୁଥିଲେ, ଚିନ୍ମୟ ଗାଡି ବାହାର ଅଂଶ ଗୁଡିକ ସୁନ୍ଦର ରୂପ ଦେବାରେ ଲାଗିଥିଲା । ଧିରେ ଧିରେ ନିଲୋଫର ହ୍ୱିଲ ଚେୟାରରେ ବସି ସବୁ ଦେଖନ୍ତି ଆଉ ଖୁସି ହୁଅନ୍ତି । ବହୁ ଦିନର ପରିଶ୍ରମ ସଫଳ ହେବାକୁ ଯାଉଥିଲା । ଗାଡିର ସବୁ କାମ ସରିବା ଉପରେ ଥିଲା । ଏକ ସୁନ୍ଦର କାର ତିଆରି ହୋଇ ପ୍ରସ୍ତୁତ ଥିଲା । କାରରେ ଗୋଟିଏ ପାଣିଟାଙ୍କିର ବ୍ୟବସ୍ଥା ଥିଲା, ଯାହା ବାହାରୁ ବିଲକୁଲ ଜଣା ଯାଉନଥିଲା । ଭଲକଥା ଏୟା ଥିଲା ଯେ ଏହା ପେଟ୍ରୋଲରେ ନୁହଁ ପାଣିରେ ଚାଲେ । ଏଥିରେ ପାଣି ବି ବହୁତ୍ କମ୍ ଖର୍ଚ୍ଚ ହେଉଥିଲା ଏବଂ ଗାଡିଟିର ଦାମ୍ ବି ଅନ୍ୟଗାଡିର ତୁଳନାରେ କମ୍ । ପ୍ରଶାନ୍ତ ବାବୁ ତ ପୁରୁଣା କାର ଉପରେ ହିଁ ଏ ପ୍ରୟୋଗଟି କଲେ । ପ୍ରଶାନ୍ତ ବାବୁ ନିଜ ସ୍ଵପ୍ନ ସତ ଆକାରରେ ଦେଖି ଖୁସିରେ ଫାଟି ପଡୁଥିଲେ । ଚିନ୍ମୟ, ଗାଡି ଟିକୁ ସରକାରୀ ମଞ୍ଜୁର ପାଇଁ ପ୍ରସ୍ତାବ ଦେଲା । ପ୍ରଶାନ୍ତବି ରାଜି ହୋଇଗଲେ । ପ୍ରଶାନ୍ତ ଅପେକ୍ଷାରେ ରହିଲେ କେତେବେଳେ ସରକାରୀ ମଞ୍ଜୁରୀ ମିଳିବ ସେ ନିଲୋଫରକୁ ଉପହାର ସ୍ଵରୂପ କାରଟିକୁ ଦେବେ କିନ୍ତୁ ପ୍ରଶାନ୍ତ ବାବୁଙ୍କ ଗାଡି ସରକାରୀ ମଞ୍ଜୁରୀ ମିଳିପାରିଲା ନାହିଁ ।

ପ୍ରଶାନ୍ତ ସେଦିନ ଘରକୁ ଫେରି ଟିକେ ମନ ଉଣା କରି ନିଜେ ନିଜକୁ କହିଲେ, ନା ମୁଁ ସେ ସ୍ଵପ୍ନକୁ ପୂରା କରିପାରିଲିନି, ଏ ବୁଢା ହାତରେ ଆଉ ବଳନାହିଁ, ବାହାରୁ ଗାଡିର ହର୍ଣ୍ଣ ଜୋର ଜୋରରେ ବାଜୁଥିଲା। କିଏ ଏମିତି ବଜାଉଛି ବୋଲି ପ୍ରଶାନ୍ତ ବାବୁ ବାହାରକୁ ବାହାରି ଦେଖନ୍ତି ତ ଡ୍ରାଇଭର ସିଟ୍‌ରେ ନିଲୋଫର ବସିଛନ୍ତି। ଆଉ ତାଙ୍କ ସହ ଚିନ୍ମୟ ବି । ହସିକି ନିଲୋଫର କହିଲେ ଚାଲ ଯିବା ଆମର ସେଇ ସପନର ଗାଁ ଆଡ଼େ ଗୋଟେ ଲମ୍ବା ଯାତ୍ରାରେ । ନିଲୋଫରଙ୍କର ସ୍ୱାସ୍ଥ୍ୟର ଏତେ ଉନ୍ନତି ଦେଖି ପ୍ରଶାନ୍ତ ବୁଝିଗଲେ ଯେ ଗାଡିଟିପାଇଁ ନିଲୋଫର ବହୁତ୍ ଖୁସି ଆଉ ଏଇଟା ହିଁ ତ ତାଙ୍କ ସ୍ଵପ୍ନ ଥିଲା । ପ୍ରଶାନ୍ତ ବାବୁ ଖୁସିରେ ଯାଇ ବସିଗଲେ ତାଙ୍କ ସ୍ଵପ୍ନ ସବାରୀରେ । ଆଉ ସମସ୍ତେ ମିଶି ବାହାରି ଗଲେ ସେହି ଲମ୍ବା ଯାତ୍ରାରେ । ପ୍ରଶାନ୍ତ ବାବୁଙ୍କ ପ୍ରିୟ ଗୀତଟି ବାଜି ଚାଲୁଥିଲା ଗାଡି ଭିତରେ। “କଥା ତ ଏତିକି ତୁମକୁ ପାଇ ମୁଁ ଦୁନିଆରେ ଆଜି ବଞ୍ଚିବା ଯାଇଛିଶିଖି….”

ଲୋକପ୍ରିୟ ଲେଖା

To Top