ଖସଡ଼ା ବାଟ

Dr Sharat Chandra Parida's odia story Khasadaa Baata

ବୁଢ଼ା ବାପାଟାକୁ ଏତେ ବଡ଼ ଧୋକ୍କା ଦେଇ ଚାଲିଗଲୁ । କ’ଣ ନ କଲା ସେ ଚୁତିଆ ହଳିଆ ଟୋକା । ଦେଖ ହୋ ! ଯେଉଁ ପତ୍ରରେ ଖାଇଲା. . . ସେଇ ପତ୍ରରେ. . . ଚାଲିଗଲା ।

ଖସଡ଼ା ବାଟ

ପୂର୍ବରୁ

ଗେହ୍ଲୀ ଭୁଲିଗଲା ନିଜର ଆଭିଜାତ୍ୟକୁ । ପିତାଙ୍କର ପ୍ରତିଷ୍ଠାକୁ । ସମାଜର ଆଦବ କାଇଦାକୁ । ଯୌବନର ଉଦ୍ଦାମତାରେ ସେ ବାରମ୍ୱାର କୌତୂହଳୀ ହୋଇ ପଡୁଥିଲା । ରଘୁଆର ବୁଦ୍ଧି ବିବେକ ଥିଲେ ମଧ୍ୟ ସେ ଗୋଟିଏ ଗୁଳିରେ ଦୁଇଟି ଶିକାର କରିବାକୁ ବସିଲା । ସୁନେଲି ଭବିଷ୍ୟତର ସ୍ୱପ୍ନ ଦେଖି ସ୍ୱାର୍ଥ ସାଧନରେ ମସ୍‌ଗୁଲ୍ ହେବାକୁ ଲାଗିଲା । ଦେହର କାମନାକୁ ଚରିତାର୍ଥ କରିବାକୁ ଯାଇ ତା’ର ଅତୀତକୁ ଏକା ବାରକେ ମନରୁ ପୋଛି ଦେଲା । ସେ ପାଲଟି ଯାଇଥିଲା ସମ୍ପୂର୍ଣ୍ଣ କାମାନ୍ଧ । ଭୋଗରେ ଆହୁରି ଦେଲା ଗେହ୍ଲୀର ଭବିଷ୍ୟତକୁ । ଚାକର ବାକର ହୋଇ ନ ରହି ପରମ ପ୍ରେମିକ ପାଲଟି ଗଲା । ଘୋଡ଼ାର ଲଗାମ ହାତରେ ପଡ଼ିଯିବାରୁ ଯଥେଚ୍ଛାଚାର ଆରମ୍ଭ କରିଦେଲା । ବାମନ ହୋଇ ସେ ଚନ୍ଦ୍ରକୁ ହାତ ବଢ଼ାଇଲା । ଅଙ୍ଗୁଳି ପ୍ରବେଶରୁ ବାହୁ ପ୍ରବେଶ କରାଇ ଚାକରରୁ ମୁରବି ହେବା ପାଇଁ ଚକ୍ରାନ୍ତ କଲା । ଫୁଲର ଭଅଁର ସାଜି ରାତିଦିନ ପ୍ରେମ ଚାରିପାଖେ ମଧୁର ସଙ୍ଗୀତ ଗୁଣୁଗୁଣୁ ହୋଇ ଗାଇବାକୁ ଲାଗିଲା । ରଘୁଆ ଓ ଗେହ୍ଲୀ ଦେହର ବାସନା ମେଣ୍ଟାଇ ପ୍ରେମସାଗରରେ ଉବୁଟୁବୁ ହେବାକୁ ଲାଗିଲେ ।

ଅପର ପକ୍ଷରେ ଝିଅର ବାହା ବୟସ ହେଲାଣି ବୋଲି ଯୋଗ୍ୟ ବରପାତ୍ର ଖୋଜିବାରେ ଲାଗି ପଡ଼ିଲେ ଗୋଲୋକ ନନା । ଯିଏ ଯେଉଁଠି ଚିହ୍ନା ପରିଚିତ ଥିଲେ ସବୁ ଆଡ଼େ ପ୍ରସ୍ତାବ ରଖିବାକୁ ଅନୁରୋଧ କଲେ । ଝିଅକୁ ଦେଖିବାକୁ ଯୋଗ୍ୟ ବରମାନେ ମଧ୍ୟ ଆସିଲେ । ଜଣେ ବଡ଼ ଚାକିରୀଆ ଗେହ୍ଲୀର ରୂପ ଯୌବନରେ ମୁଗ୍ଧ ହୋଇ ସହମତି ପ୍ରଦାନ କଲେ । ଗୋଲୋକ ନନାଙ୍କ ଆନନ୍ଦ ଦେଖେ କିଏ ? ଯାହା ହେଉ ଭଗବାନ୍ ମୋର ଦୁଃଖ ଶୁଣିଲେ । ଆଜି ଗେହ୍ଲୀ ବୋଉ ଥିଲେ କେତେ ଖୁସୀ ହୋଇ ନଥାନ୍ତେ । ଛାଡ଼, ତାଙ୍କ ଭାଗ୍ୟରେ ନାଇଁ । ଏକମାତ୍ର ଅଲିଅଳୀ ଝିଅ ବିଭାଘର ବଡ଼ ଧୁମ୍‌ଧାମ୍‌ରେ କରିବା ପାଇଁ ଲାଗି ପଡ଼ିଲେ ସେ । ଖୁସିରେ ତାଙ୍କ ପାଦ ତଳେ ଲାଗୁ ନଥାଏ । ମୁଁ ଶ୍ୱଶୁର ହେବି, ମୋର ଜ୍ୱାଇଁ ଆସିବେ, ତା’ପରେ ମୁଁ ହେବି ଅଜା । ନାତିନାତୁଣୀଙ୍କ ସାଙ୍ଗରେ କେତେ ହସ କୌତୂକ କରିବି । ବିବାହ ତିଥି ଧାର୍ଯ୍ୟ ହେଲା ପରେ ସେ ନିଜେ ବୁଲି ବୁଲି ବାଜାବାଲା, ବାଣବାଲାଙ୍କ ସହିତ କଥା ପକ୍କା କରି ବଇନା ଦେଇ ଆସିଲେ । ଅପରାହ୍ଣର ସଞ୍ଜ ପରି ଧାର୍ଯ୍ୟ ଦିନ ପାଖେଇ ଆସୁଥାଏ ।

ଗେହ୍ଲୀ ସେତେବେଳକୁ ରଘୁଆ ସନ୍ତାନର ମା’ ହେବାକୁ ଯାଉଥାଏ । ରଘୁଆ ଗେହ୍ଲୀକୁ ପଟାପଟି କରି ପ୍ରସ୍ତାବ ଦେଲା- ଆଉ ଡେରି କରିବା ନିରାପଦ ନୁହେଁ । ତେଣୁ ଏକମୁହାଁ ହୋଇ ସେମାନେ ଘରୁ ବାହାରି ଗଲେ । ରାତି ଗର୍ଜୁଛି । ଝଙ୍କାରିର ଝିଁ ଝିଁ ଶବ୍ଦରେ ମୁଖରିତ ବାୟୁମଣ୍ଡଳ କିଟିମିଟି ଅନ୍ଧାର । ଘରୁ ଯାହା ପାରିଲେ ଟଙ୍କା, ସୁନା ଲୁଗାପଟା ଧରି କେଉଁ ଆଡ଼େ ଉଭାନ୍ ହୋଇଗଲା ରଘୁଆ । କାଳରାତ୍ରି ବିଦା ହୋଇ ଯାନ୍ତେ ଗୋଲୋକ ନନା ନିଦରୁ ଉଠିଲେ । ଅତି ଗେହ୍ଲାରେ ଗେହ୍ଲୀ ଗେହ୍ଲୀ ବୋଲି ମୃଦୁ ଡାକ ଦେଲେ । କିଛି ଶବ୍ଦ ନ ଶୁଣିବାରୁ ତା’ର ଶୋଇବା ଘରକୁ ଗଲେ । କବାଟକୁ ଠେଲି ଦିଅନ୍ତେ ଖଟ ଉପରଟା ଖାଲି । ଭାବିଲେ ଶୌଚ ପାଇଁ ଯାଇଥିବ । ରଘୁଆକୁ ଡାକିଲେ । ଖୋଜିଲେ । ତାକୁ ବି ଦେଖିବାକୁ ପାଇଲେ ନାଇଁ । କିଛି ସମୟ ଅପେକ୍ଷା କଲା ପରେ ମନକୁ ପାପ ଛୁଇଁଲା । ସନ୍ଦେହ ଘନେଇଲା । ସବୁ ଘର ତଲାସିଲା ପରେ ତାଙ୍କର ଆଉ ବୁଝିବାକୁ ବାକି ରହିଲା ନାଇଁ ଯେ ରଘୁଆ ଓ ଗେହ୍ଲୀ ଘରେ କଳାକନା ବୁଲେଇ ଫେରାର ହୋଇ ଯାଇଛନ୍ତି । ତାଙ୍କର ସ୍ୱପ୍ନର ଘର ଭାଙ୍ଗି ଚୁର୍‌ମାର ହୋଇ ଯାଇଛି । ସେ ଆତୁର କ୍ରନ୍ଦନ କରି ବିଳାପ କରି ଉଠିଲେ । ଛାତି ଭିତରଟା ଯେ ଭୂମିକମ୍ପରେ ଭାଙ୍ଗି ଖଣ୍ଡ ଖଣ୍ଡ ହୋଇ ଯାଉଚି । ଛାତି କୋଡ଼ି ମୁଣ୍ଡ ବାଡ଼େଇ ରାହା ଛାଡ଼ି କାନ୍ଦିଲେ ଖିନ୍‌ମିନ୍ ହୋଇ । ଭାୟା, ସାଇ ପଡ଼ିଶା ସମସ୍ତେ କ’ଣ ଘଟିଲା ବୋଲି ରୁଣ୍ଡ ହୋଇଗଲେ । ଦୁର୍ଘଟଣାର ପରଦା ପାସ କଲା ପରେ ଲୋକ ଲଜ୍ଜାରେ ସମସ୍ତଙ୍କ ମୁଣ୍ଡ ନଇଁଗଲା । କାହାରି ପାଟିକୁ କଥା ଫିଟୁ ନ ଥାଏ । ନୈରାଶ୍ୟକ ଝାଞ୍ଜିରେ ଦୀର୍ଘ ଶ୍ୱାସଛାଡ଼ି ସମସ୍ତେ ଭାବୁଥିଲେ- “ଆହାଃ ! କ’ଣ ନ କଲୁ ଗେହ୍ଲୀ । ବୁଢ଼ା ବାପାଟାକୁ ଏତେ ବଡ଼ ଧୋକ୍କା ଦେଇ ଚାଲିଗଲୁ । କ’ଣ ନ କଲା ସେ ଚୁତିଆ ହଳିଆ ଟୋକା । ଦେଖ ହୋ ! ଯେଉଁ ପତ୍ରରେ ଖାଇଲା. . . ସେଇ ପତ୍ରରେ. . . ଚାଲିଗଲା । ଆରେ ବିଶ୍ୱାସଘାତକ ! ଯୋଉ ଖାଉନ୍ଦ ତତେ ଏତେ ଆଦରରେ ରଖିଥିଲା ଶେଷରେ ତାରି ମୁହଁରେ ଚୁନ କାଳି ବୋଳି ଦେଲୁ. . . ।”

କଥାଟା କାଳେ ବାଟ ଭାଙ୍ଗି ଚାଲିଯିବ ଭାବି ବାସୁ ପରବର୍ତ୍ତୀ ଘଟନା ଜାଣିବାକୁ ଉତ୍କଣ୍ଠିତ ହୋଇ ଉଠୁଥିଲେ । ନଟିଆ ଦାଦା କଥାଟାକୁ ନଟୁ ପରି ବୁଲାଇ ଆଣିବାକୁ ଚେଷ୍ଟା କରି କହିଲେ- “ଆଉ କ’ଣ କରିଥାନ୍ତେ ?” ପାଖରେ ଥିବା ଟଙ୍କା ପଇସା ଗହଣା ଗାଣ୍ଠି ସରି ଯିବା ପରେ ବାବୁଙ୍କ ସହରରେ ରହିବା ସୌକ ସରିଗଲା । ମଲି ମଲି ହୋଇ ରଘୁଆ ଘରକୁ ଗଲା । ଗେହ୍ଲୀକୁ ନେଇ ସ୍ତ୍ରୀ ରୂପରେ । ରଘୁଆର କୁଡ଼ିଆ ପରି ନୁଆଁଣିଆ ଚାଳ ଘର । ଘରେ ପଶିଲା ବେଳକୁ ମୁଣ୍ଡରେ ଚାଳ ବାଜୁଥାଏ । ଆକାଶତଳ ଅଗଣାରେ ଚୁଲି । ଘରେ ଧାନ ଅଛି ନା ଚାଉଳ ଅଛି । ପରର କାମକୁ ନ ଗଲେ ଚୁଲି ନ ଜଳେ । ରଘୁଆ କାମକୁ ଗଲା । ଗୁଜୁରାଣ ମେଣ୍ଟିଲା ନାଇଁ । ଭାବିଥିଲା ଗେହ୍ଲୀକୁ ହାତ କରି ଖାଉନ୍ଦ ଶଶୁରଙ୍କ ଠାରୁ ସବୁ ହରଣ କରି ନେବ । ଗେହ୍ଲୀକୁ ବୋପା ରାଣେ ଢିଙ୍କିଗିଳି ରୀତିରେ ବାଧ୍ୟ କଲା ବାପ ଘରକୁ ଯାଇ ଧନ ସମ୍ପତ୍ତି ଆଣିବା ପାଇଁ । ମାତ୍ର ଗେହ୍ଲୀର ସେ ସତ୍ ସାହାସ ନ ଥିଲା । ରଘୁଆର ଧୈର୍ଯ୍ୟଚ୍ୟୁତି ଘଟିଲା । ହରଦମ ତା’ ଉପରେ ଖିଟିଖିଟି ହେଲା । ତାକୁ ପର ଘରେ ମୂଲ ଲାଗିବାକୁ ଠେଲିଲା । ଯାହାର ବାପାଙ୍କ ଜମିରେ ଅସଂଖ୍ୟ ମୂଲିଆ ଖଟୁ ଥିଲେ ସେ ଆଜି ମୂଲିଆଣୀ ହୋଇ ପରଜମିରେ ଖଟିବ ଏକଥାଟା ସେ ସହି ପାରିଲା ନାଇଁ । ରଘୁଆ କୋଉ ଛାଡ଼ି ଦେବାର ଜନ୍ତୁ । ସେ ଭୁଲିଗଲା ତା’ର ଭଲ ପାଇବାକୁ । ପାସୋରି ଦେଲା ଦେଇଥିବା ପ୍ରତିଶ୍ରୁତି । ତା’ର ଅତୀତ । ସାବ୍ୟସ୍ତ କଲା ସ୍ୱାମୀ ପଣିଆ । ମାଡ଼ ମାରିଲା । ନିର୍ଯାତନା ଦେଲା । ଜୋତା ଭିତରେ ଗୋଡ଼ି ପଶିଲା ପରି ନା ଗେହ୍ଲୀ ସେ ଜୋତାକୁ ପାଗରୁ ବାହାର କରିପାରୁଚି ନା ଜୋତାକୁ ପିନ୍ଧି ବାଟ ଚାଲି ପାରୁଚି । ମାଡ଼ ଗାଳିଖାଇଁ ପରବିଲରେ କାମ କରିବାକୁ ଆଗରି ନେଇଚି । ସେତକ ମଧ୍ୟ ସବୁଦିନେ ମିଳେନି । ଅନେକ ଦିନ ଭୋକ ଉପାସ ରହି ଦେହଟା ତା’ର ନିଜୋର୍ ହୋଇ ଯାଉଚି । ଯାହାକୁ ପ୍ରଥମ ପ୍ରେମର ଫୁଲ ବୋଲି ଜନ୍ମ ଦେଇଥିଲା ତା’ ପାଇଁ କ୍ଷୀର ଟୋପେ ଯୋଗାଡ଼ କରିବାକୁ ସେ ଅକ୍ଷମ । ଭାବିଲା ନ ଖାଇ ନ ପିଇ ମରିଯିବା ପୂର୍ବରୁ ନିଜର ଜନ୍ମଦାତାଙ୍କୁ ଥରେ ଯାଇ ଦେଖା କରି ଆସିବ । ବାପା ତ, ଯାହା ଗାଳି କଲେ କରିବେ, ମାଡ଼ ମାରିଲେ ମାରିବେ, ସବୁ ସହିବ । ପାଦ ଦି’ଟାକୁ ଜାବୁଡ଼ି ଧରି କ୍ଷମା ମାଗିବ । ବାପାଙ୍କ ଛଡ଼ା ଆଉ ଏତେ ବଡ଼ ଦୁନିଆଁରେ ତା’ର ନିଜର ବୋଲି କିଏ ଅଛି ?

ରକ୍ତ ଡାକିଲା ରକ୍ତକୁ । ହଠାତ୍ ଦିନେ ଯାଇ ବାପାଙ୍କ ଦାଣ୍ଡ ପିଣ୍ଢାରେ ବସି ଭୋ’ ଭୋ’ ହୋଇ ମୋ ବାପା ମୋ ବାପା ବୋଲି କାନ୍ଦିଲା । ସେତେବେଳକୁ ଗୋଲୋକ ନନାଙ୍କ ଆଖିରୁ ଲୁହ ଶୁଖି ଯାଇଥିଲା । ମମତାର ଝରଣା ମରି ଯାଇଥିଲା । ଦୁର୍ଭାଗା ଝିଅର ଦୟନୀୟ ଦଶା ଦେଖି ସ୍ଥାଣୁ ପାଲଟି ଯାଇଥିଲେ ସେ । ଛାତି ତାଙ୍କର ପଥର ପାଲଟି ଯାଇଥିଲା । ସେ ଭୁଲି ଯାଇଥିଲେ ସେ କାହାର ବାପା କିମ୍ୱା ତାଙ୍କର କେହି ଝିଅ ଥିଲା ବୋଲି । ସେ ବେଶି କିଛି କହି ନ ଥିଲେ । ଭିକାରୁଣୀ ପରି ଘରେ ଯାହା ଗଣ୍ଡାଏ ମୁଢ଼ି ଚୁଡ଼ା ବା ଭାତ ଥିଲା ଅଗଣାରେ ବସାଇ ଖାଇବାକୁ ଦେଲେ । ମାତ୍ର ଘରେ ପୁରାଇ ଦେଲେ ନାଇଁ । ସେ ଏବେ ଅନ୍ୟଗୋତ୍ରୀ ହରିଜନ । ଗେହ୍ଲୀ ମଧ୍ୟ ବ୍ରାହ୍ମଣ ଘରର ପବିତ୍ରତାକୁ ନଷ୍ଟ କରିବାକୁ ଚାହୁଁ ନଥିଲା । ସେ ରାତିକ ସେଠାରେ କଟାଇବା ସମ୍ଭବ ନ ଥିଲା । ସେ ଆଜି ନିଜ ଘରେ ଅସ୍ପୃଶ୍ୟ ପାଲଟି ଯାଇଚି । ଯିବା ଆଗରୁ ବାପାଙ୍କ ପାଖରେ ହାତ ପତେଇ ଥିଲା କିଛି ଧାନ ଚାଉଳ ଦେବା ପାଇଁ । ଗୋଲୋକ ନନାଙ୍କ ଧୈର୍ଯ୍ୟଚ୍ୟୁତି ଘଟିଥିଲା ଏପରି ପରିସ୍ଥିତିରେ ସାମ୍ନା କରିବା ପାଇଁ । ଯେଉଁ ଝିଅ ଖେଳିବା ପାଇଁ ବାପା ତା’ର ମନଲାଖି କଣ୍ଢେଇ କିଣି ଦେଉଥିଲେ, ଝିଅ ଫର୍‌ମାଇସି କରିବା ମାତ୍ରେ ଦାମୀ ପୋଷାକ ଓ ଗହଣା ଉପହାର ଦେଉଥିଲେ ଯାହା ପାଇଁ ଭଣ୍ଡାର ଘରେ ଦୁଗ୍ଧ, ଘିଅ ଭର୍ତ୍ତି ହୋଇ ରହୁଥିଲା, ସେହି ଝିଅ ଆଜି ନିଜ ପେଟ ଚା’ଖଣ୍ଡକ ପାଇଁ ବାପା ପାଖରେ ହାତପାତି ଚାଉଳ ଦି’ମୁଠା ମାଗୁଚି ।

ଗୋଲୋକ ନନା ଲୋକଙ୍କ ହାତରେ ଅମାର ଘରୁ ଚାଉଳ ମଗାଇଛନ୍ତି । ଅଖାଟିଏ ଦେଇଛନ୍ତି । ଯେତେ ନେଇ ପାରବୁ ନେ’ ବୋଲି କହନ୍ତି । ଗେହ୍ଲା ଅଖାରେ ଚାଉଳ ଭର୍ତ୍ତି କରେ । ମୁଣ୍ଡରେ ଠେକା ବାନ୍ଧେ । ବସ୍ତା ମୁଣ୍ଡାଇ ବାହାରେ । ସେତବେଳକୁ ବେଳ ଗଡ଼ି ଯାଉଥାଏ । ଥରୁଟିଏ ଗଲା ପରେ ଟିକେ ସାହସ କୁଳେଇଚି । ଭୋକ ଉପାସନର ତାଡ଼ନା ସହି ନ ପାରି ଅନେକ ଥର ଯାଉଚି । ଆଜି ମଧ୍ୟ ଅତୀତର ପୁନରାବୃତ୍ତି । ଅନ୍ଧାର ଆସିବା ପୂର୍ବରୁ ତାକୁ ରଘୁଆକୁଳରେ ପହଞ୍ଚିବାକୁ ହେବ । ତୁ କହ ବାସୁ, “ତାହା ହେଲେ ଜୀବନଟା କ’ଣ ???”

ଲୋକପ୍ରିୟ ଲେଖା

To Top