ଗଳ୍ପ

ଖତ

Gaurahari Das's odia story Khata

କେହି କେହି ଅଭିଯୋଗ ଅବଶ୍ୟ କରୁଥିଲେ ଯେ ନନ୍ଦକିଶୋର ନିଜ ଲାଗି ସମର୍ଥନ ଯୋଗାଡ଼ ନିମନ୍ତେ ନିଜେ ହିଁ ନିଜ ପିଲାଙ୍କ ଉପରେ ଆକ୍ରମଣର ଯୋଜନା କରିଥିଲା- ପ୍ରତିଦ୍ୱନ୍ଦ୍ୱୀଙ୍କୁ ଅସୁବିଧାରେ ପକେଇବା ଲାଗି ।

ଖତ

ଭୁବନେଶ୍ୱର ରାଜଭବନ ଛକରୁ ପାୱାର୍‌ହାଉସ୍ ଛକ ଯାଏଁ ଯାଇଥିବା ରାସ୍ତାର ଡାହାଣ ପଟେ ବିରୋଧୀ ଦଳର ବିକ୍ଷୋଭ ଚାଲିଥିଲା । ଉପରେ ନାଲି-କଳା ରଙ୍ଗର ସାମିଆନା ଟଙ୍ଗା ଯାଇଥିଲା ଓ ତା’ ତଳେ ନେଳୀ ରଙ୍ଗର ଦରି ଓ ଧଳା ବିଛଣା ଚାଦର ପଡ଼ିଥିଲା । ସେଇ ଚାଦର ଉପରେ ଗୋଲ ଗୋଲ ତକିଆ । ଡେଙ୍ଗା ଓ ବାଙ୍ଗରା ଉଚ୍ଚତାର ତିନିଟା ମାଇକ୍ରୋଫୋନ୍ ଆଗରେ ଥୁଆ ହୋଇଥିଲା ଏବଂ ମଝିରେ ଜଣେ ନେତା ଭାଷଣ ଦେଉଥିଲେ । ପୃଥୁଳକାୟ ବ୍ୟକ୍ତି ଜଣକ ମଝି ମାଇକ୍ରୋଫନ୍ ପାଖରେ ବସିଥିଲେ, ସମ୍ଭବତଃ ସିଏ ସଭା କାର୍ଯ୍ୟ ପରିଚାଳନା କରୁଥିଲେ ।

ମନୋଜ ତାହାର ଟିକିଏ ଆଗକୁ ଗାଡ଼ି ଅଟକେଇଲା । ଗୋଲେଇ ଛକ କଡ଼ ପଣସ ଗଛ ଛାଇରେ ପୁଲିସ୍ ଭ୍ୟାନ୍ ଓ ଦିଇଟା ଜିପ୍ ଠିଆ ହୋଇଥିଲା । ମନୋଜର ବିକ୍ଷୋଭ-ଭାଷଣ ଶୁଣିବାରେ ଆଦୌ ଆଗ୍ରହ ନଥିଲା, ତା’ର କୌତୂହଳ ହେଉଥିଲା ଜାଣିବା ପାଇଁ ଯେ- ଏ ବିକ୍ଷୋଭ କିଏ କରୁଛି ? ସିଏ ଅବଶ୍ୟ ଜାଣେ, ସବୁ ବିକ୍ଷୋଭର ଚରିତ୍ର ସମାନ । ମିଡ଼ିଆବାଲା ଖବର ଓ ଫଟୋ ନେଇ ଚାଲିଗଲା ପରେ ଭିଡ଼ ଓ ଉତ୍ତାପ ଉଭୟ କମିଯିବ ।

ମଝିରେ ମଝିରେ ସ୍ଲୋଗାନ୍ ଚାଲିଥିଲା-

“ଖଣି ଚୋରଙ୍କୁ ଗିରଫ୍ କର. . . ଗିରଫ୍ କର ।”

“ଓଡ଼ିଶାର ଖଣି-ପଥର ଖାଇଲା କିଏ. . . ମୁଖ୍ୟମନ୍ତ୍ରୀ, ଆଉ କିଏ ?”

“ରତ୍ନଗର୍ଭା ଓଡ଼ିଶାର ଲୁଣ୍ଠନ. . . ଚଳିବ ନାହିଁ, ଚଳିବ ନାହିଁ ।”

“ଯଦି ଚଳିବ. . . ନିଆଁ ଜଳିବ, ନିଆଁ ଜଳିବ ।”

ମନୋଜକୁ ହସ ମାଡୁଥିଲା । ଭାରତ ସର୍ବତ୍ର ବିକ୍ଷୋଭର ଏହି ସ୍ଲୋଗାନ୍, ଏକା ଢାଞ୍ଚା । ଚଳିବ ନାହିଁ ଓ ନିଆଁ ଜଳିବ ବାକ୍ୟ ଯୋଡ଼ିକୁ ବାଦ୍ ଦେଲେ ଭାରତର ଆନ୍ଦୋଳନ ସଂସ୍କୃତି ସତେ କି ଦୁର୍ବଳ ହୋଇପଡ଼ିବ ।

ବିଧାନସଭା ଚାଲିଛି । ତେଣୁ ସେପଟ ମାଷ୍ଟରକ୍ୟାଣ୍ଟିନ୍ ଦିଗରେ ଗୁଡ଼ାଏ ବିକ୍ଷୋଭ । ଗ୍ରାଣ୍ଟ ଇନ୍‌ ଏଡ୍ ପାଇନଥିବା ଅଧ୍ୟାପକ, ଚାକିରୀ ନିୟମିତ ହେଉନଥିବା କେନ୍ଦୁପତ୍ର କର୍ମଚାରୀ, ଛଟେଇ ହୋଇଥିବା ଉଠା ଜଳସେଚନ ନିଗମ ସଂଘ, କ୍ଷତିପୂରଣ ପାଇଁ ନଥିବା ଓଟିଏମ୍‌ର ପ୍ରାକ୍ତନ କର୍ମଚାରୀ, ଅଙ୍ଗନୱାଡ଼ି କର୍ମୀ, ପୂର୍ଣ୍ଣ ବେତନ ଆଶାୟୀ ଗ୍ରାମପଞ୍ଚାୟତ କର୍ମଚାରୀ ସଂଘ ଓ ବୃହତ୍ତର ଉତ୍କଳ ଗଠନ ଦାବି କରି ବିକ୍ଷୋଭ କରୁଛି ଉତ୍କଳ ବାହିନୀ । ମଝିରେ ଆଉ କେତୋଟି ତମ୍ବୁ ମଧ୍ୟ ଲାଗିଛି । ଖୋଦ୍ ପୁଲିସ୍ କମିଶନର ଓ ଡେପୁଟି କମିଶନର୍ ଗୋଟେ ଅସ୍ଥାୟୀ ତମ୍ବୁ ପକେଇ ସ୍ଥାୟୀ ଭାବରେ ସେଠି ବସିଛନ୍ତି, ପୋଷ୍ଟମାଷ୍ଟର ଜେନେରାଲ୍‌ଙ୍କ ଅଫିସ୍ ସାମ୍ନାରେ ।

ମନୋଜ ବିକ୍ଷୋଭ ସମାବେଶର କେନ୍ଦ୍ରକୁ ଅନେଇଲା । ସଭାପତି ଏବେ ଆଉ ଜଣକୁ ଭାଷଣ ଦେବା ପାଇଁ ଡାକୁଥିଲେ । ସଭାପତିଙ୍କର ଚିହ୍ନା ଚିହ୍ନା ସ୍ୱର ଶୁଣି ମନୋଜ ସେ ଆଡ଼କୁ ଅନେଇଲା ।

ତିରିଶ ବର୍ଷର ବ୍ୟବଧାନ ସତ୍ତ୍ୱେ ନଟବରକୁ ଚିହ୍ନିବାରେ ମନୋଜକୁ ଅସୁବିଧା ହେଲାନାହିଁ । ତାହାର ବଡ଼ କାରଣ ନଟବରର ବାଁ ଆଖି ତଳେ ଥିବା ପ୍ରାୟ ତିନି ଇଞ୍ଚର ସେଇ କଟା ଦାଗଟି । ଉଣେଇଶ ଅଶୀର ବାଣୀବିହାର ଛାତ୍ର ଆନ୍ଦୋଳନ ବେଳେ, ଅନ୍ୟପକ୍ଷର ଭଙ୍ଗା ବୋତଲ ଆଘାତରେ ନଟବରର ବାମ ଆଖିତଳ ଚିରିଯାଇଥିଲା । ସେତେବେଳେ ସମସ୍ତେ ଆଶଙ୍କା କରୁଥିଲେ, ନଟବରର ସେ ଆଖିଟା ହୁଏତ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବ । ଭାଗ୍ୟ ଭଲ, ଆଖିଟା ରକ୍ଷା ପାଇଗଲା । ମାତ୍ର ସବୁଦିନ ପାଇଁ କଟାଦାଗଟା ରହିଗଲା ତା’ ମୁହଁ ଉପରେ ।

ମନୋଜର ଇଚ୍ଛା ହେଉଥିଲା, ପାଖକୁ ଯାଇ ସହପାଠୀକୁ ଥରେ ଶଙ୍ଖୋଳି ଆସିବ । ମାତ୍ର ସେ ସରକାରୀ କର୍ମଚାରୀ । ମଝି ରାସ୍ତାରେ ବିରୋଧୀ ଦଳର ଜଣେ ନେତାଙ୍କ ସହ ତା’ର ଦେଖାସାକ୍ଷାତ୍ ପରି ଏଇ ଛୋଟିଆ କଥାଟି ହୁଏତ ବଡ଼ ଇସ୍ୟୁ ହୋଇଯିବ । ସେ ଅଟକିଗଲା । ସେଇ ଅଶୀର ଆନ୍ଦୋଳନ କଥା ମନେପଡ଼ିଲା ଆଉଥରେ । ନଟବର ଲହୁଲୁହାଣ ହେଲା, ପନ୍ଦର ଦିନ କାଳ ଡାକ୍ତରଖାନାରେ ପଡ଼ି ରହିଲା, ସେ ବର୍ଷର ପରୀକ୍ଷା ମଧ୍ୟ ଦେଇପାରିଲା ନାହିଁ । ତେବେ ତା’ର ନେତା ନନ୍ଦକିଶୋର ପାଇଥିଲା ପ୍ରଚୁର ସହାନୁଭୂତି । କେହି କେହି ଅଭିଯୋଗ ଅବଶ୍ୟ କରୁଥିଲେ ଯେ ନନ୍ଦକିଶୋର ନିଜ ଲାଗି ସମର୍ଥନ ଯୋଗାଡ଼ ନିମନ୍ତେ ନିଜେ ହିଁ ନିଜ ପିଲାଙ୍କ ଉପରେ ଆକ୍ରମଣର ଯୋଜନା କରିଥିଲା- ପ୍ରତିଦ୍ୱନ୍ଦ୍ୱୀଙ୍କୁ ଅସୁବିଧାରେ ପକେଇବା ଲାଗି । ମାତ୍ର ଅଧିକାଂଶ ଛାତ୍ରଛାତ୍ରୀ ସେଦିନ ନନ୍ଦ-ନଟବରଙ୍କୁ ବାଣୀବିହାରର ଦୁଇ ହିରୋ ଭାବରେ ଦେଖୁଥିଲେ । ନଟବର ପୁଣି ଥିଲା ବାଣୀବିହାର କାମ୍ପସ୍‌ର ନୂଆ ଉତ୍ତେଜନା । ତେଣୁ ସେମାନେ ତାକୁ ସନ୍ଦେହ କରିନଥିଲେ ।

ନଟବରର ଜୀବନ ଜୀଇଁବା ଶୈଳୀ ଅଲଗା ଥିଲା ।

ଦୂର ମଫସଲ ଗାଁରୁ ଆସିଥିବା ଭଦ୍ର, ବିନୀତ ଓ ଶୃଙ୍ଖଳିତ ଛାତ୍ରଛାତ୍ରୀଙ୍କ ଦୃଷ୍ଟିରେ ନଟବର ଥିଲା ଆଙ୍ଗ୍ରି ୟଙ୍ଗମ୍ୟାନ୍ । ପରିସ୍ଥିତି ସହିତ ସାଲିସ୍ କରିବା ତା’ ଜାତକରେ ନଥିଲା । ସେ କହେ, ତା’ର ଆଦର୍ଶ ସୁଭାଷ ବୋଷ ଓ ଭଗତ ସିଂହ । ସେଥିପାଇଁ ନଟବର ଯୁଆଡ଼େ ଯୁଆଡ଼େ ଯାଉଥିଲା ଆଠ ଦଶ ଜଣ ସମର୍ଥକ ତାକୁ ଅନୁସରଣ କରୁଥିଲେ । ସେ ଯେଉଁଠି ଖାଉଥିଲା, ସାଙ୍ଗମାନେ ସେଇଠି ଖାଉଥିଲେ, ସେ ଯେଉଁଠି ବସୁଥିଲା ତା’ ସାଙ୍ଗମାନେ ସେଇଠି ବସୁଥିଲେ ।

ଏବଂ ତା’ର ନେତା ଥିଲା ନନ୍ଦକିଶୋର । ସେତେବେଳେ ନନ୍ଦକିଶୋର ଶେଷବର୍ଷ ରାଜନୀତି ବିଜ୍ଞାନ ପଢୁଥିଲା । ମନୋଜ ଓ ନଟବର ତା’ର ଗୋଟିଏ ବର୍ଷ ତଳେ ଥିଲେ । ନନ୍ଦକିଶୋର ଲଢୁଥିଲା, ସଭାପତି ପଦ ପାଇଁ, ତା’ ମୁଖ୍ୟ ପ୍ରଚାରକ ଥିଲା ନଟବର । ବନ୍ଧୁମାନଙ୍କ ଦୃଷ୍ଟିରେ ସିଏ କିଙ୍ଗ୍ ମେକର ।

ନନ୍ଦକିଶୋର- ନଟବରଙ୍କ ହାତରେ ବାଣୀବିହାର ସେଦିନ ଥିଲା ଗୋଟେ ଚେସ୍ ବୋର୍ଡ । ଦିହେଁ ଯାହା ଚାହୁଁଥିଲେ, ତାହା କରିପାରୁଥିଲେ । ନନ୍ଦକିଶୋରର ସିଧାସଳଖ ସମ୍ପର୍କ ଥିଲା, ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ସହ । ସେଥିପାଇଁ କୁଳପତି ମଧ୍ୟ ତାକୁ କେବେ ଅନ୍ୟମାନଙ୍କ ସାମ୍ନାରେ ଟାଣ କରି କିଛି କହିପାରୁ ନଥିଲେ । ତାର ଡାହାଣହାତ ଭାବେ ନଟବର ପ୍ରଚୁର ସମ୍ମାନ ପାଉଥିଲା ସବୁ ସ୍ତରରୁ ।

ନଟବରର କାମ କରିବା ଶୈଳୀ ଥିଲା ଭିନ୍ନ ଓ ସ୍ୱତନ୍ତ୍ର । ତା’ର ମୂଳଧନ ଥିଲା- କ୍ୟାମ୍ପସ୍ ଭିତରେ ଭୟ ସୃଷ୍ଟି । ସେ କହୁଥିଲା, ଲୋକଙ୍କ ଭିତରେ ଭୟ ସୃଷ୍ଟି କର, ସେମାନେ ତୁମକୁ ପ୍ରଶ୍ନ ପଚାରିବେ ନାହିଁ କି ତୁମ ଆଗରେ ମୁଣ୍ଡ ଉପରକୁ କରି କଥା କହିବେ ନାହିଁ । ତା’ପରେ ଦେଖି, ତୁମେ ଯାହା କଲେ ବି ସମର୍ଥନ ପାଇବ । ବାଘ, ଭାଲୁ, ସିଂହ ଓ ହାତୀ ମାଡ଼ ଭୟରେ ସାବାଡ଼ ହୁଅନ୍ତି, ମଣିଷ କ’ଣ ଏମାନଙ୍କଠାରୁ ବେଶି ବଳୁଆ !

ଊଣେଇଶ ଅଶୀ ପୂର୍ବରୁ ଲଗାତାର ଚାରିଥର ବିରୋଧୀ ଦଳ ସମର୍ଥିତ ଛାତ୍ରମାନେ ୟୁନିୟନ୍ ନିର୍ବାଚନ ଜିଣି ଆସୁଥିଲେ । ସେଥିପାଇଁ ନନ୍ଦକିଶୋରର ବିଜୟ ସେଥର ଅସମ୍ଭବ ଥିଲା । ମାତ୍ର ତା’ର ଅର୍ଜୁନ ବୁଦ୍ଧି ସାଙ୍ଗକୁ ନଟବରର ଭୀମସେନ ବଳ ମିଶି ସେମାନଙ୍କ ବିଜୟକୁ ସମ୍ଭବ କରିଥିଲା । ନିର୍ବାଚନର ସପ୍ତାହେ ପୂର୍ବରୁ ଗୋଟିଏ ସନ୍ଧ୍ୟାରେ, ନଟବର ନନ୍ଦକିଶୋର ସହ ବାଣୀବିହାର କ୍ୟାଣ୍ଟିନ୍‌ରେ ବସିଥିଲା । ଦଶ ବାର ଜଣ ଅଣଛାତ୍ର କ୍ୟାଣ୍ଟିନ୍ ଭିତରକୁ ପଶି ଆସି ନନ୍ଦକିଶୋର ସହ ଝଗଡ଼ା ଆରମ୍ଭ କରିଦେଇଥିଲେ ଓ ସେମାନେ କିଛି ଉତ୍ତର ଦେବା ଆଗରୁ ହକି ବାଡ଼ିରେ ପିଟିବା ଆରମ୍ଭ କରିଦେଲେ । ନଟବର କୌଶଳ କରି ପ୍ରଥମେ ନନ୍ଦକୁ ସେଠୁ ବିଦା କରିଦେଇଥିଲା । ତା’ପରେ ସେ ଓ ତା’ ସମର୍ଥକମାନେ ବେଲ୍ଟ, କ୍ୟାଣ୍ଟିନ୍‌ର ଚଉକି ଏବଂ ଭଙ୍ଗା ଟେବୁଲ୍ ଗୋଡ଼ରେ ପ୍ରତି ଆକ୍ରମଣ ଆରମ୍ଭ କରିଦେଲେ । ହଠାତ୍ ଶତୃ ପକ୍ଷର ଭଙ୍ଗା ବିଅର ବୋତଲ୍‌ଟେ ନଟବରର ମୁହଁରେ ଭୂସି ହୋଇଗଲା ଓ ଆଖି ତଳ କଟି ପିଚ୍ ପିଚ୍ ରକ୍ତ ବାହାରିଲା । ସେ ତଳେ ପଡ଼ିଗଲା । ତା’ର ସମର୍ଥକମାନେ ଉତ୍ତ୍ୟକ୍ତ ହେଲେ । ଏଥର ତାଙ୍କ ଆକ୍ରମଣରେ ବିକାଶ ବୋଲି ଗୋଟେ ପଞ୍ଚମ ବର୍ଷର ଛାତ୍ର ଦରମଲା ହେଲା । ତା’ପରେ ସେମାନେ ଦଉଡ଼ି ଦଉଡ଼ି ପଳେଇଗଲେ ।

ସେଇ ରାତିରେ ନଟବରର ସମର୍ଥକମାନେ ରାସ୍ତାକୁ ବାହାରି ଆସିଲେ । କୁଳପତିଙ୍କ ଅଫିସ୍ ଆଗରେ ଟାୟାର୍ ଜଳିଲା । ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବନ୍ଦ ହେଲା ଚାରିଘଣ୍ଟା କାଳ । ରାଜଧାନୀ ଉଠିଲା ଓ ପଡ଼ିଲା ରାତିସାରା । ନଟବର ଗୋଟେ ଆମ୍ବୁଲାନ୍ସରେ ବସି କାମ୍ପସ୍ ସାରା ଘୁରି ଆସିଲା । ତା’ ପାଖରେ ବସିଥାଏ ନନ୍ଦକିଶୋର, ଚୁପ୍‌ଚାପ୍ ହାତଯୋଡ଼ି । ବାଣୀବିହାର ଭିତରେ ମଶାଣିର ନିର୍ଜନତା । ସମସ୍ତେ ଭୟଭୀତ, ଆତଙ୍କିତ । ନନ୍ଦକିଶୋର ପଦେ ଦି’ପଦ କହୁଥାଏ କୁଣ୍ଠାର ସହ- ମୋର ଭୋଟ୍ ଦରକାର ନାହିଁ, ନଟବର ପାଇଁ ପ୍ରାର୍ଥନା କରନ୍ତୁ । ମେଧାବୀ ଛାତ୍ର ସେ, ତା’ର ଜୀବନ ଓ କ୍ୟାରିୟର୍ ନଷ୍ଟ ହୋଇନଯାଉ ।

ଛାତ୍ର ସଂସଦ ନିର୍ବାଚନରେ ନନ୍ଦକିଶୋର ଜିଣିଲା । ମାତ୍ର ସେଥର ପରୀକ୍ଷାରେ ନଟବର ବସିପାରିଲା ନାହିଁ । ଘଟଣାର କ୍ରମ ନାଟକୀୟ ମୋଡ଼ ନେଲା । ପଞ୍ଚମ ବର୍ଷର ଯେଉଁ ଛାତ୍ର ବିକାଶ, କ୍ୟାଣ୍ଟିନ୍ ଗଣ୍ଡଗୋଳରେ ଗୁରୁତର ଆହତ ହୋଇଥିଲା, ସିଏ ଦୀର୍ଘଦିନ ଧରି ଶଯ୍ୟାଶାୟୀ ହୋଇ ପଡ଼ିଲା । ତା’ର ବାପା, ନଟବର ନାମରେ ଏଫ୍.ଆଇ.ଆର୍ ଦେଲେ । ଦଫା ୩୦୪ ଓ ୩୦୬ରେ ନଟବର ଗିରଫ୍ ହେଲା । ନନ୍ଦକିଶୋର, ଉପରୁ ଚାପ ପକେଇ ନଟବରକୁ ମୁକୁଳେଇ ଆଣିଲା ସତ, ମାତ୍ର ସେଇ ଘଟଣା ନଟବରର ଜୀବନକୁ ବଦଳେଇ ଦେଲା । ସେ ବର୍ଷ ସେ ପରୀକ୍ଷା ଦେଇପାରିଲା ନାହିଁ । ମନୋଜ ଶୁଣିଥିଲା, ପ୍ରାୟ ଦୁଇବର୍ଷ ପର୍ଯ୍ୟନ୍ତ ନଟବର ବାଣୀବିହାର କ୍ୟାମ୍ପସ୍ ଛାଡ଼ି ନଥିଲା ।

ତା’ପରେ

ଲୋକପ୍ରିୟ ଲେଖା

To Top