ଗଳ୍ପ

ଖଟ

ମୋ ବାଳୁତ ବଅସରୁ ଏ ପର୍ଯ୍ୟନ୍ତ ଏଇ ଖଟ ହିଁ ଗାଁରେ ସବୁ ଚୋର ଧରିଛି । ଆହୁରି ଅଧାଟା ଗାଁ ବାକି ଅଛି । ଏ ମୁଣ୍ଡରେ ସିନା ଧରାପଡ଼ିଲାନି, ଆର ମୁଣ୍ଡରେ ନିଶ୍ଚେ ଥିବ ନା !

ଖଟ

ଖଟ ବୁଲୁଥିଲା ଗାଁରେ । ଚାରିଜଣ ଲୋକ ତାକୁ ବୋହି ନେଉଥିଲେ । ସେମାନେ ଯୁଆଡ଼େ ବୁହାଉଥିଲେ ଖଟ ସେଆଡ଼େ ଯାଉନଥିଲା, ବରଂ ଖଟ ଯୁଆଡ଼େ ତାଙ୍କୁ ଟାଣୁଥିଲା ସେମାନେ ସେଆଡ଼େ ଚାଲୁଥିଲେ । ଖଟର ଦୈବୀ ଶକ୍ତିରେ ମନ୍ତ୍ରବତ୍ ସେମାନଙ୍କର ପାଦ ପଡୁଥିଲା ।

ଇଏ ସାଧାରଣ ଖଟ ନ ଥିଲା । ମନ୍ତୁରା ଖଟ । ଆବଶ୍ୟକୀୟ ସଜବାଜ ହୋଇଥିଲା ଖଟରେ । ଖଟ ସାରା ଚିତା ପଡ଼ିଥିଲା । ମୁଣ୍ଡ ପଟରେ ସିନ୍ଦୂର ମେଞ୍ଚାଏ ବୋଳା ହେଇଥିଲା । ଆମ୍ୱ ଓ ବରକୋଳି ଡାଳ ବନ୍ଧା ହେଇଥିଲା । ଅରୁଆ ଚାଉଳ ଓ ଦୁବ ଘାସ ବି ପଡ଼ିଥିଲା ସେଇ ମୁଣ୍ଡପଟରେ । ଚାରିଗୋଡ଼ରେ ବନ୍ଧା ହେଇଥିଲା ନାଲି କାରିଆ । ବାହକମାନେ ନୂଆ ଲୁଗା ପରିଧାନ କରିଥିଲେ ।

ଜମିଦାରଙ୍କ ଘର ଆଗରୁ ବିଧି ମୁତାବକ ପୂଜାର୍ଚ୍ଚନା ପରେ ଅଭିଯାନରେ ବାହାରିଥିଲା ଖଟ । ଲୋକେ କୁହାକୁହି ହେଉଥିଲେ, “କି ସାହସ ଦେଖ, ସାଆନ୍ତଙ୍କ ଘରୁ ପୁଣି ଚୋରି । ଆଜି ଯେତେବେଳେ ଖଟ ତାକୁ ଧରିବ, ବଳେ ପାନେ ପାଇଯିବନି । ସାତବେଣ୍ଟିଆ ବେଶରେ ଚୂନ କାଳି ବୋଳା ହୋଇ ଗାଁ ଦାଣ୍ଡରେ ଯେତେବେଳେ ଚଲେଇ ଚଲେଇ ନିଆ ହଉଥିବ, ପୁଅର ମନ ଘର ଧରି ପକେଇବ । ଆଉ ଦିନେ ତ ଏମିତିକା କାମ କରିବାକୁ ସାହସ କରିବନି ।”

ଯାହି ତାହି ଘରୁ ଚୋରି ହେଇଥିଲେ କଥା ଅଲଗା ହେଇଥାନ୍ତା । ଚୋରି, ଖୋଦ୍ ସାଆନ୍ତଙ୍କ ଘରୁ । ତା’ ପୁଣି ସାଆନ୍ତାଣିଙ୍କ ପ୍ରିୟ ସୁନାହାର । କି ଧର୍ମଛଡ଼ା କଥା କହିଲେ ।

ସେଥିଲାଗି ସାଆନ୍ତଙ୍କର ଏ ଖଟ ବୁଲା ଆୟୋଜନ ।

ରଘୁନାଥପୁର ଗାଁର ଜମିଦାର ବୀରଭଦ୍ର ପ୍ରତାପ ରାୟ ମହାପାତ୍ର । ନାଁ ଯେମିତି, ତାଙ୍କ ପ୍ରତାପ ବି ସେମିତି । ଧନ ଜନ ଗୋପ ଲକ୍ଷ୍ମୀ ସବୁ ସାଥୀରେ ବାନ୍ଧିଛନ୍ତି । ଯୋଉଠି ପାଦ ପକାନ୍ତି, ମେଦିନୀ ଥରି ଉଠେ । ଶଶା ଗରା ଧରାକୁ ଏକାକାର କରିବା ଲୋକ । କୁହାଯାଏ ଏଇ “ରାୟ ମହାପାତ୍ର” ସାଜ୍ଞାଟି ସେ ବ୍ରିଟିଶ୍ ରାଜାଙ୍କଠୁଁ ସେବାସୂତ୍ରେ ହାସଲ କରିଛନ୍ତି ।

ସାଆନ୍ତଙ୍କର ଅଚଳାଚଳ ସମ୍ପତ୍ତି । ମହଣ ମହଣ ଘିଅ ମହୁ । କ୍ଷୀର ପିଇ ଦହି କୁଳି କରିନ୍ତି ସେ । ଥାଟପାଟ, ଚାକର ବାକର କେତେ କ’ଣ । ଏ ଖଣ୍ଡ ମଣ୍ଡଳରେ ତାଙ୍କର ଭାରି ନାଆଁ । ଭାରି ଦାଉ ।

ଯୋଉଠି ଭାଇ ଭିନ୍ନେ ଭାନ୍ନ, କଳି ତକରାଳ, ଜମିଜମା ଭାଗବଣ୍ଟା, ମାଲି ମକଦ୍ଦମା କି ପାରିବାରିକ ଗଣ୍ଡଗୋଳ ଘଟେ, ମାମଲତିକାର ପାଇଁ କି ନ୍ୟାୟ ନିଶାପ ପାଇଁ ସାଆନ୍ତକୁ ଡକରା ପଡ଼େ ।

ସାଆନ୍ତଙ୍କ ଆଇନ୍ ଯେମିତି, ତାଙ୍କ ବିଚାର ବି ସେମିତି । ନିକିତି ଟିକେ ବି ହେଲେ ଏପଟ ସେପଟ ହବନି । ତାଙ୍କ ଆଖିରେ ବାଦୀ – ପ୍ରତିବାଦୀ, ଦୋଷୀ – ନିର୍ଦ୍ଦୋଷ, ଚିହ୍ନା-ଅଚିହ୍ନା, ନିଜ-ପର ସବୁ ସମାନ । ଆଖିରେ ଅନ୍ଧପୁଟୁଳି ବାନ୍ଧି ବିଚାର କରନ୍ତି ସେ ।

ଯୋଉ ସାଆନ୍ତ ଏତେ ଏତେ ମାଲି ମକଦ୍ଦମା ଫଇସଲା କରିଛନ୍ତି, ନ୍ୟାୟ ନିଶାପ ଦେଇଛନ୍ତି, ଆଜି କାଙ୍କ ପାଇଁ ନ୍ୟାୟ ସଭା ବସୁଛି । ଆଉ ବିଚାରପତି ଆସନରେ ସେ ନିଜେ ।

ତାଙ୍କ ହୁକୁମରେ ଖଟ ବୁଲୁଛି ଗାଁ ଦାଣ୍ଡରେ । ରଘୁନାଥପୁର ଗାଁରେ ଚୋର ଧରିବାର ପ୍ରକ୍ରିୟାଟି ସେଇ ରକମର । କାହିଁ କେତେ କାଳ ଗୋସଁ ବାପ ଅମଳରୁ ଚଳି ଆସିଛି ଏଇ ଖଟ ବୁଲା ଧାରାଟି ।

ଗାଁ ଲୋକଙ୍କ ଭିତରେ ଆନନ୍ଦ ଯେତିକି, ଆଗ୍ରହ ବି ସେତିକି । ବେଳକୁ ବେଳ ଖଟ ଚାରିପଟେ ଗହଳି ବଢୁଛି । କି ପିଲା କବିଲା, ମାଇପେ ମିଣିପେ, ବୁଢ଼ାବୁଢ଼ୀ – ସଭିଏଁ ଦେଖଣାହାରୀ ସାଜିଛନ୍ତି । ଆଗରେ ସାଆନ୍ତଙ୍କ କୁଳ ପୁରୋହିତ ମନ୍ତୁରା ପାଣି ଛିଞ୍ଚି ଚାଲିଛନ୍ତି । ଦାଣ୍ଡରେ ପଡ଼ି ଧୂଳିରେ ମିଶିଯାଉଛି ସିନ୍ଦୂର, ଅରୁଆ ଚାଉଳ, ଦୁବ ବରକୋଳି ପତ୍ର ।

ଯେତିକି ଉଦ୍ଦୀପନା, ସେତିକି ଉନ୍ମାଦନା । ଆହୁରି ବି ସେତିକି କୌତୂହଳ ଖାଇବାକୁ ବସିଥିବା କି ଅଧା ଖାଉଥିବା ଲୋକଟି ଖଟ କଥା ଶୁଣି ଖାଇବା ଛାଡ଼ି ଦାଣ୍ଡ ମୁହାଁ ।

ଗାଁ ଅଧାକ ବୁଲି ସାରିଲାଣି ଖଟ । ତଥାପି ଚୋର ଧରାପଡ଼ିନି । କିଛି ଟୋକାଟାକରା କୁହାକୁହି ହଉଚନ୍ତି, “ଶଃ. . . ଗୋଟା ଫାର୍ସ ଚାଲିଛି, ଯୁଗ ଆସି କୋଉଠି ହେଲାଣି । ଲୋକେ ମଙ୍ଗଳ ଗ୍ରହରେ ଜାଗା କିଣିଲେଣି ଆଉ ଏ ଖଟ ବୁଲେଇ ନିହାଲ କରି ପକେଇବେ । କାଇଁ, ଗାଁ ଅଧାଟା ତ ବୁଲି ଆସିଲାଣି, ଚୋର ତ ଧରା ପଡୁନି ?”

ସେଇ ବାଟ ଦେଇ ଯାଉଥିଲେ ହରି ପ୍ରଧାନ । ଅଶି ଟପିଲେଣି, ତଥାପି ଚଳତ୍‌କ୍ଷମ । ଟୋକାଙ୍କ କଥା ତାଙ୍କ କାନରେ ପଡ଼ିଛି ତ ହାତବାଡ଼ି ଉେଞ୍ଚଇ ଚିହିଁକି ଉଠିଲେ । ଛିଗୁଲେଇ କହିଲେ, “ଗାଣ୍ଡିରୁ ଘୁଅ ଛାଡ଼ିନି, ପାଟିରୁ ବଡ଼ ବଡ଼ କଥା ବାହାରୁଛି । ମୋ ବାଳୁତ ବଅସରୁ ଏ ପର୍ଯ୍ୟନ୍ତ ଏଇ ଖଟ ହିଁ ଗାଁରେ ସବୁ ଚୋର ଧରିଛି । ଆହୁରି ଅଧାଟା ଗାଁ ବାକି ଅଛି । ଏ ମୁଣ୍ଡରେ ସିନା ଧରାପଡ଼ିଲାନି, ଆର ମୁଣ୍ଡରେ ନିଶ୍ଚେ ଥିବ ନା ! ଛାନିଆ ମାନିଆ ନ ହେଇ ଶଳେ ଅନେଇଥାଅ । ବଳେ ଚୋର ଆସି ଖଟ ଗୋଡ଼ ତଳେ ଲମ୍ୱ ହେଇ ପଡ଼ିବନି ! !”

ଟୋକାଏ ପ୍ରଧାନ ବୁଢ଼ା କଥା ଶୁଣିଲେ । ଯିଏ ଭିତରକୁ ନେଲେ, ସିରିଅସ୍ ହେଇଗଲେ । ଆଉ ଯିଏ ବିଶ୍ୱାସ କଲେ ନାହିଁ, ଫେଁ କିନା ହସି ପକେଇଲେ ।

ଆଉ ମାତ୍ର ଦି’ଚାରିଟା ଘର ବାକି ଅଛି । ଗାଁ ସରିବାକୁ ବସିଲାଣି, ଲୋକଙ୍କ ସହ ଖଟ ବାହକ ବି ତାଜୁବ୍ ।

ଏମିତି ଆଗରୁ କେବେ ହେଇ ନାହିଁ । କାନ୍ଧରେ ଖଟ ଥୋଉ ଥୋଉ ଅଚାନକ ଯେମିତି ଘୋଷାରି ନେଇଯାଏ । ନିମିଷକେ ଚୋରକୁ ଆଣି ତଳେ ପକେଇ ଦିଏ । ଚୋର ବି ସତ ସତ ସବୁ କଥା ମାନିଯାଏ ।

କିନ୍ତୁ ଆଜି ? ଆଜି ଗାଁଟା ସାରା ଖଟ ବୋହି ବୋହି କାନ୍ଧ ଦରଜ ହେଲାଣି । ହେଲେ ଚୋରର ଦେଖା ସ୍ୱପ୍ନ ନାହିଁ ।

ତଥାପି ସେଇ ବାହକଙ୍କ ଭିତରୁ ଜଣେ କିଏ କାନ୍ଧ ବଦଳଉ ବଦଳଉ କହିଲା- ଏଇ ଚାରି ଛଅଟା ଘର ଭିତରେ ନିଶ୍ଚୟ ଚୋରର ଘର ହେଇଥିବ । ଆଉ ଟିକେ ସବୁର କରିଯାଅ ଭାଇମାନେ ।

ଖଟ ପଛରେ ଲୋକ । ଆଉ ଲୋକଙ୍କ ପଛକୁ ସାଆନ୍ତେ, ନିଜ ପାଲିଙ୍କିରେ ।

ଗହଳି ଭିତରୁ କୁହାବୋଲା ଶବଦଟେ ସାଆନ୍ତଙ୍କ କାନରେ ପଡ଼ିଲା- “ହେଇ ତ ଖଟ କ’ଣ ରଘୁ ଘର ଆଡ଼କୁ ମୁହେଁଇଲାଣି । ରଘୁଆଟା କି ସଇତାନିଆ କାମଟା ନ କଲା ! ”

ସତକୁ ସତ ଖଟ ପିଟି ହେଇଗଲା ରଘୁ ଘର ଚାଳରେ । ତହୁଁ ବାହକମାନେ କାନ୍ଧରୁ ଓହ୍ଲେଇ ହାତରେ ଭାରା ରଖି ବୁହେଇ ନେବାରୁ ଖଟ ଧରିଲା ଦୁଲାଳୀକୁ । ଦୁଲାଳୀ ରୋଷ ଘରେ ସେତେବେଳେ ଦି’ପହର ପାଇଁ ରୋଷେଇ କରୁଥିଲା ।

ଧରା ପଡ଼ିଛି ଯେତେବେଳେ ଆଉ ଯାଏ କୁଆଡ଼େ ? କୁଳ ପୁରୋହିତ ଦୁଲାଳୀକୁ ସାଆନ୍ତଙ୍କ ପାଖରେ ହାଜର ହବାକୁ ହୁକୁମ କଲେ ।

ଖଟ ଧରିବା ଦେଖି ଦୁଲାଳୀ ଡରରେ ଗୋଟାପଣେ ବରଡ଼ା ପତ୍ର ପରି ଥରୁଥାଏ ଆକ୍ତାମାକ୍ତା ହେଇ ଯାଉଥାଏ । ଚୋରି. . . ଚୋରି ଜିନିଷ. . . ଖଟ. . . ଧରା ପଡ଼ିବା. . . କିଛି ତାକୁ ବୁଝା ପଡୁନଥାଏ ।

ଏତିକିବେଳେ କୁଳ ପୁରୋହିତଙ୍କ ନିର୍ଦ୍ଦେଶରେ ଗାଁର ଜଣେ ମହିଳା ଦୁଲାଳୀକୁ ରୋଷେଇ ଘରୁ ଧରିଆଣି ଦାଣ୍ଡରେ ଠିଆ କରେଇ ଦେଲା ।

ଅପମାନରେ ମୁହଁ ପୋଡ଼ିଗଲା ଯେମିତି ।

କେହି କେହି ଛିଗୁଲେଇ କହି ପକେଇଲେ, “ଦେଖ ମ ଏ ମାଇକିନାକୁ । ସାପ ଲାଞ୍ଚରେ ହାତ ମାରି ଦେଇଛି । ଆରେ ଘଇତା ସେଠି କାମ କଲା ବୋଲି ତୁ ହାତ ସଫେଇ କରିଦବୁ । ଜାଣିଚୁ, ତୁ କି କାମ କରିଚୁ ?”

ସେତେବେଳେ ରଘୁ ସାଆନ୍ତଙ୍କ ଘରେ ଥିଲା ।

ଗିରସ୍ତ ଘରେ ନଥିଲା ବେଳେ ଏ ଅଘଟଣ । ଭାରି ଅସହାୟ ଦିଶୁଥିଲା ଦୁଲାଳୀ ।

ତା’ର ଏଇ ଅସହାୟତାରୁ ଫାଇଦା ନବା ପାଇଁ ଗାଁର କେହି ପୁରୁଷ ଲୋକଟା ଶବ୍ଦର ବାଣ ତା’ ଉପରକୁ ଫିଙ୍ଗି ଦେଇ କହିଲା, “ଯେମିତି କାମ କରିଛି, ସେତିକି ଫଳ ପାଇବ । ରଘୁଆଟା ତା’ ଘରଣୀକୁ ଭଲ ଭଲ ସିନା କହେ । ଏବେ ତ ସମସ୍ତେ ଜାଣିଯିବେ, ସେ କି ଭଲ କାମ କରିଛି ।”

ତେବେ ଲୋକମାନଙ୍କୁ ଆଉ ବେଶି କିଛି କହିବାକୁ ସୁଯୋଗ ନ ଦେଇ ସାଆନ୍ତେ ହୁକୁମ କଲେ, “ଦେଖ୍ ଦୁଲାଳୀ, ଖଟ ଯେତେବେଳେ ତତେ ଧରିଛି, ତୁ ଦୋଷୀ ନିଶ୍ଚୟ । ଉପରବେଳା ଦାଣ୍ଡରେ ନ୍ୟାୟ ସଭା ବସିବ । ସେଠି ହାଜର ହେଇ ତୋର ଯାହା କହିବା କଥା କହିବୁ । ଆଉ ଭାବନା, ତୋ ମରଦ ମୋ ପାଖରେ କାମ କରୁଛି ବୋଲି ମୁଁ ତତେ ସେମିତି ଛାଡ଼ି ଦେବି ।”

ଏତକ କହି ସାଆନ୍ତେ ଫେରିଗଲେ ।

ରଘୁର ଜଣେ ପଡ଼ୋଶୀ ଏତିକି ବେଳେ ତାକୁ ଖବର ଦେଇ କହିଲା, “ଏୟ, ତୁ ଏଠି କ’ଣ କରୁଛୁ । ସାଆନ୍ତାଣୀଙ୍କ ସୁନାହାର ଚୋରି ଅଭିଯୋଗରେ ଖଟ ତୋ ସ୍ତ୍ରୀକୁ ଧରିଛି । ଜଲ୍ଦି ଘରକୁ ଆ’ ।”

ରଘୁ ଶୁଣିଲା ତ ସାଙ୍ଗେ ସାଙ୍ଗେ ଧପାଳିଲା ଘରକୁ । ଦେଖିଲା, ମୁହଁ ମାଡ଼ି ଖଟଟା ଉପରେ ଶୋଇଛି ଦୁଲାଳୀ । କାନ୍ଦି କାନ୍ଦି ଅଥୟ ହୋଇ ପଡୁଛି । ଲୁହରେ ଭିଜି ଯାଉଛି ଗୋଟାପଣେ । ମୁହଁଟା ବି ଫୁଲିଲା ଫୁଲିଲା ଦିଶୁଛି ।

ଆସ୍ତେ କରି ଉଠାଇଲା ଦୁଲାଳୀକୁ । ଦୁଲାଳୀ ଆହୁରି ଭୋ’ ଭୋ’ ହେଇ କାନ୍ଦି ପକେଇଲା ।

ଘଟଣାଟା ଶୁଣିବା ପରଠୁଁ ରଘୁ ବି ଆବାକାବା ହେଇ ଯାଉଥିଲା । ସମ୍ଭାଳି ପାରିଲାନି ନିଜକୁ । ସେ ବି ଜୋର୍ କାନ୍ଦି ପକେଇଲା ।

ସେ କେବେ ଭାବି ପାରୁନଥିଲା, ସେମାନେ ଏମିତି କାମ କରିଛନ୍ତି ବୋଲି ।

ଆଜି ସିନା ତା’ ବାପ ନାହିଁ । ହେଲେ ତା’ ବାପାର ରକତ ତା’ ଦେହରେ ବୋହୁଛି । ସେଇ ରକତ ଜମା ସଇତାନ୍‌ର ରକତ ନୁହଁ ।

ଆଉ ତା’ ଦୁଲାଳୀ ! ଚାରିଦିନ ଓପାସ ପଛେ ରହିଯିବ, କା’ ପାଖରେ ହାତ ପାତିବ ନାହିଁ, ଆଉ ଚୋରି ତ ବହୁ ଦୂରର କଥା । ତା’ ବାପଘର ବି ସେମିତି ।

ହେଲେ ଏବେ ସେ କାହାକୁ ଅବିଶ୍ୱାସ କରିବ । ନିଜକୁ, ଦୁଲାଳୀକୁ ନା ଖଟକୁ । ଖଟକୁ ବା ଯାହା ଅବିଶ୍ୱାସ କରନ୍ତା, ସେତକ ସେ କରିପାରୁନି । ଏ ତ ପିଢ଼ି ପିଢ଼ିର ପରମ୍ପରା ।

ସ୍ୱାମୀ ହିସାବରେ ଦୁଲାଳୀକୁ ସେ ଛାତି ଉପରକୁ ଆଉଜେଇ ନେଇ କହିଲା, “ମୋର ତୋ ଉପରେ ପୁରା ବିଶ୍ୱାସ ଅଛି ଲୋ ଦୁଲା ! ବ୍ୟସ୍ତ ହେଇ ଭାଙ୍ଗି ପଡ଼ିଲେ ଚଳିବନି । ସତ ଆପେ ଆପେ ପଦାକୁ ଆସିଯିବ । ତୁ ବିନା ଦୋଷରେ ଖଲାସ ହେଇଯିବୁ ।”

ଏଇ କଥା ପଦିକ ତା ମନର ନିଆଁକୁ ପାଣି ପରି ଶୀତଳେଇ ଦେଲା । ଏତେବେଳେ ସେ ରଘୁକୁ ଆକି ପୁରେଇ ଚାହିଁଲା ଯାହା !

ନିର୍ଦ୍ଧାରିତ ସ୍ଥାନ ଓ ସମୟରେ ନ୍ୟାୟ ସଭାରେ ହାଜର ହେଲା ଦୁଲାଳୀ । ତା’ କାନିରେ ସାଆନ୍ତାଣୀଙ୍କ ହାର ବନ୍ଧା ହେଇଥିଲା ।

ସଭାସ୍ଥଳରେ ଅହେତୁକ ନୀରବତା । ମଣ୍ଡପରୁ ଉଠିଲା ଦୁଲାଳୀ । ସମ୍ମୁଖରେ ବିଚାରପତି ଆସନରେ ଖୋଦ୍ ସାଆନ୍ତେ । ସାଆନ୍ତଙ୍କୁ ଦେଖି ଦୁଲାଳୀ ଖୁବ୍ ଭୟ ପାଇଗଲା । ଟଳମଳ ହେଉଥିବା ଲୁହ ଏଥର ଧାର ଧାର ହେଇ ଛୁଟିଲେ ।

ସାଆନ୍ତେ ଆଜ୍ଞା ଦେଲେ, “କହ ଦୁଲାଳୀ, ଏମିତି ଦୁଃସାହସ ତୁ କାହିଁକି କଲୁ ? ଚୋରି, ପୁଣି ମୋରି ଘରୁ ।”

ଦୁଲାଳୀ ମୁଣ୍ଡ ଟେକି ଚାହିଁ ପାରୁନଥିଲା ସଭାକୁ । ସେଇ ମୁଦ୍ରାରେ ସେ ସାଆନ୍ତଙ୍କୁ ହାତ ଯୋଡ଼ି ଜୁହାର ହେଲା ଓ କହିଲା, “ସାଆନ୍ତ ମହାପ୍ରୁ, ଦୋଷ ଲୁଚେଇଲେ ପାପ । ଦୋଷ ଖୋଲିଲେ ମହାପାପ । ତଥାପି ପାପ-ଭୋଗ ଥିଲେ ବି କହୁଚି ସାଆନ୍ତ । ମୁଁ ନିଜେ ଆଜ୍ଞାଙ୍କ ଘରୁ ହାର ଲୁଚେଇ ଆଣି ନାହିଁ । ଏ ହାର ମତେ ମୋ ଗିରସ୍ତ ପିନ୍ଧିବା ପାଇଁ ଦେଇଚି ।”

ତହୁଁ ଦୁଲାଳୀ ନିର୍ଦ୍ଦୋଷରେ ଖଲାସ ହେଲା ।

ଦୁଲାଳୀର ଜାଗା ନେଲା ରଘୁ ।

ତା’ପରେ

ଲୋକପ୍ରିୟ ଲେଖା

To Top