ଗଳ୍ପ

ଖତ

Gaurahari Das's odia story Khata

ପ୍ରତିଟି କଖାରୁ ଫୁଲ ସମାନ ଦିଶୁଥିଲେ ବି ସମାନ ଭାଗ୍ୟ ନେଇ ଫୁଟି ନଥାନ୍ତି । କିଏ ଫୁଟି ମଉଳିଯାଏ, କିଏ କଷି ଧରେ । ପୁଣି କଷି ଧରିବା କଖାରୁ ଫୁଲଙ୍କ ସଂଖ୍ୟା କମ୍, ନିଷ୍ଫଳାଙ୍କ ସଂଖ୍ୟା ଢେର୍ ବେଶି ।

ଖତ

-: ପୂର୍ବରୁ :-

ବାଣୀବିହାର ଛାଡ଼ି ମନୋଜ ପିଏଚ୍.ଡ଼ି. କରିବା ଲାଗି ଦିଲ୍ଲୀ ଗଲା । କେତେକ ସାଙ୍ଗ ଆଇନ୍ ପଢ଼ିଲେ । ନନ୍ଦିକିଶୋର ସେମାନଙ୍କ ଭିତରେ ଥିଲା । ମନୋଜ ଶୁଣିଥିଲା, ବାଣୀବିହାର ଛାତ୍ର ସଂସଦ ନିର୍ବାଚନ ଜିଣିବା ପରେ ସରକାରୀ ଦଳର ମନ୍ତ୍ରୀ ବିଧାୟକଙ୍କ ସହ ନନ୍ଦକିଶୋରର ଘନିଷ୍ଠତା ଆହୁରି ବଢ଼ିଯାଇଥିଲା ।

ତିରିଶ ବର୍ଷ କିଛି କମ୍ ସମୟ ନୁହେଁ । ଅଧ୍ୟାପକ ଚାକିରୀର ଘୋଷରା ଜୀବନ ଭିତରେ ଓଡ଼ିଶାଟା ପୁରା ପ୍ରଦକ୍ଷିଣ କରି ଆସିଲାଣି ମନୋଜ । ବହୁ ଧରାଧରି ପରେ ଏଥର ସୁନ୍ଦରଗଡ଼ରୁ ତା’ର ବଦଳି ହୋଇଛି ରାଜଧାନୀ କଲେଜ୍ ।

ନଟବରକୁ ଦେଖି ତା’ର ଅନ୍ୟ ବାଣୀବିହାର ସାଙ୍ଗମାନଙ୍କ କଥା ମନେ ପଡୁଥିଲା । ବିଜୟ ସିଭିଲ୍ ପାଇଥିଲା, ନିହାରିକା ଏବେ ଜଜ୍ । ମୁକୁନ୍ଦ, ଅଭିରାମ ଓ ଅନିତ୍ୟ ତିନି ହେଁ ପ୍ରଫେସର୍ ହୋଇଗଲେଣି । ନନ୍ଦକିଶୋର ତ ଥରେ ମନ୍ତ୍ରୀ ହୋଇ ସାରିଲାଣି । ଏବେ ବିରୋଧୀ ବିଧାୟକ, ଆସନ୍ତା ଥରକୁ ଜିଣିଲେ ପୁଣି ମନ୍ତ୍ରୀ ହେବ ।

କିନ୍ତୁ ପଛରେ ରହିଯାଇଛି ନଟବର, ଯାହା ପାଖରୁ ସହପାଠୀମାନେ ସବୁଠୁଁ ବେଶି ଆଶା କରୁଥିଲେ । ନଟବର ଭଲ ପଢୁଥିଲା ଓ ଖୁବ୍ ଭାବପ୍ରବଣ ଥିଲା । ଯାହାକୁ ବିଶ୍ୱାସ କରୁଥିଲା, ଶହେ ପ୍ରତିଶତ ବିଶ୍ୱାସ କରୁଥିଲା, ଆଉ ଯାହାକୁ ଘୃଣା କରୁଥିଲା ସମ୍ପୂର୍ଣ୍ଣ ଘୃଣା କରୁଥିଲା ।

ଜଳେଶ୍ୱର ମନ୍ଦିର ପାଖରେ ବାଁପଟକୁ ଗାଡ଼ି ମୋଡ଼ିବା ବେଳେ ଗୋଟେ ଆଜ୍‌ବେଷ୍ଟସ୍ ଛାତ ଉପରେ ମନୋଜର ଦୃଷ୍ଟି ପଡ଼ିଗଲା । ଗତ ତିନିଦିନର ବର୍ଷାପାଗ ପରେ ଆଜି ଉଜ୍ଜ୍ୱଳ ଖରା ପଡ଼ିଥିଲା । ସେଇ ଖରାରେ, ଆଜ୍‌ବେଷ୍ଟସ୍ ଛାତରେ ଲଟେଇଥିବା କଖାରୁ ଗଛରେ ପୁଳାଏ ଫୁଲ ଫୁଟିଥିଲା । ତା’ର ଉଜ୍ଜ୍ୱଳ ହଳଦିଆ ରଙ୍ଗ ଦୂରରୁ ବାଟୋଇମାନଙ୍କ ଦୃଷ୍ଟି ଆକର୍ଷଣ କରୁଥିଲା । ମନୋଜକୁ ହସ ମାଡ଼ିଲା । କଖାରୁ ଫୁଲ ସାଙ୍ଗେ ମଣିଷ ଜୀବନର ମଧ୍ୟ ସମ୍ପର୍କ ଅଛି । ପ୍ରତିଟି କଖାରୁ ଫୁଲ ସମାନ ଦିଶୁଥିଲେ ବି ସମାନ ଭାଗ୍ୟ ନେଇ ଫୁଟି ନଥାନ୍ତି । କିଏ ଫୁଟି ମଉଳିଯାଏ, କିଏ କଷି ଧରେ । ପୁଣି କଷି ଧରିବା କଖାରୁ ଫୁଲଙ୍କ ସଂଖ୍ୟା କମ୍, ନିଷ୍ଫଳାଙ୍କ ସଂଖ୍ୟା ଢେର୍ ବେଶି ।

ଆଜି ନଟବରକୁ ଦେଖି ସେ ନିଜେ ଭାବପ୍ରବଣ ହୋଇ ପଡ଼ିଥିଲା । ପ୍ରାୟ ଛଅମାସ ସେ ନଟବର ସାଙ୍ଗରେ ହଷ୍ଟେଲଆଜ୍‌ବେଷ୍ଟସ୍ରେ ଗୋଟିଏ ରୁମ୍‌ରେ ଏକାଠି ରହୁଥିଲା । ନଟବର ପାଖରେ ସେଇ ସେଇ ଗୁଣ ଥିଲା, ଯାହା ଜଣେ ସଫଳ ମଣିଷ ପାଖରେ ରହିବା ଆଶା କରାଯାଏ । ଖୁବ୍ ରାଗୀ ପିଲା ଥିଲା ସିଏ ସତ, ମାତ୍ର ଯେତେବେଳେ ହସୁଥିଲା, ସେତେବେଳେ ହସେଇ ହସେଇ ସାଙ୍ଗମାନଙ୍କ ପେଟ ଫଟେଇ ଦେଉଥିଲା । ସେଦିନ ମନୋଜ ତାକୁ ଖୁସିରେ କହୁଥିଲା “ବୀରବଲ୍” । କିନ୍ତୁ ଅନ୍ୟମାନେ ତାକୁ “ବିଦୂଷକ” ଆଖ୍ୟା ଦେଇଥିଲେ । ସେତେବେଳେ ମନୋଜ ତାକୁ କହୁଥିଲା, “ସବୁବେଳେ ଅନ୍ୟମାନଙ୍କ ମନୋରଞ୍ଜନର ପାତ୍ର ହେବାଟା କ’ଣ ଭଲ ?” ନଟବର କିନ୍ତୁ ତା’ କଥା ପ୍ରତି ଗୁରୁତ୍ୱ ଦେଉନଥିଲା ।

ନଟବର ପରୋପକାରୀ ଥିଲା । ମାତ୍ର ଖୁବ୍ ବେଶି । ବାଣୀବିହାରର ଯେକୌଣସି ଛାତ୍ରର କାମ ପାଇଁ ସେ ପଢ଼ା ଛାଡ଼ି ଧାଇଁ ଯାଉଥିଲା । ପଚାରିଲେ କହୁଥିଲା, “ତା’ର ସ୍ୱପ୍ନ ରାଜନୀତି ! ରାଜନୀତିରେ ସଫଳ ହେବା ପାଇଁ ଲୋକସମ୍ପର୍କ ଦରକାର । ସେ ତାହା ହିଁ କରୁଛି ।”

ପାଠ ନଟବରକୁ ଯେତିକି ଭଲ ପାଉଥିଲା, ନଟବର ପାଠ ପାଖରୁ ସେତିକି ଦୂରକୁ ଚାଲିଯାଉଥିଲା । କେତେଥର ଏଇ କଥାଟି ସୁଦ୍ଧା ନଟବରକୁ କହିବା ପାଇଁ ଚେଷ୍ଟା କରିଛି ମନୋଜ, ମାତ୍ର ନଟବର ଶୁଣିନାହିଁ ।

ମାଟ୍ରିକ୍‌ରେ ପ୍ରଥମ ଦଶ ଜଣରୁ ଜଣେ ଓ ବି.ଏ.ରେ ପ୍ରଥମ ପାଞ୍ଚଜଣରୁ ଜଣେ ହୋଇଥିବା ନଟବର ବାଣୀବିହାରରେ ମଧ୍ୟ ପ୍ରଥମ ହେବ ବୋଲି ମନୋଜ ଭାବୁଥିଲା । କିନ୍ତୁ ନନ୍ଦକିଶୋର ସହ ତା’ର ପରିଚୟ ନଟବରର ରାସ୍ତା ବଦଳେଇଦେଲା ।

ସମୟେ ସମୟେ ମନୋଜ ଚିନ୍ତା କରେ, ରାମକୃଷ୍ଣ-ବିବେକାନନ୍ଦ, ଗାନ୍ଧୀ-ଗୋଖଲେ, ଶ୍ରୀମା-ଅରବିନ୍ଦ, ଗୋପବନ୍ଧୁ-ନୀଳକଣ୍ଠଙ୍କ ସାକ୍ଷାତ୍ ମହାଭାରତର କୃଷ୍ଣ-ଅର୍ଜୁନ ସାକ୍ଷାତ୍ ପରି ଦେଶର ଇତିହାସ ବଦଳେଇଦିଏ । ଏକ୍‌ରେ ଏକ ମିଶି ଏଠି ଏଗାର କି ଶହେ ଏଗାର ହୋଇଯାଆନ୍ତି । ମାତ୍ର ଆଉ କିଛି ସାକ୍ଷାତ୍ ପରିଚୟରେ ଏକ୍‌ରେ ଏକ ମିଶି ଶୂନ୍ ହୋଇଯାଏ, ନ ହେଲେ ସେଇ ଏକ୍ ହୋଇ ରହିଯାଏ ।

ସେହି ବାଣୀବିହାର ଜୀବନରୁ ହିଁ ମନୋଜ ନନ୍ଦକିଶୋରକୁ ଚିହ୍ନିବାକୁ ଚେଷ୍ଟା କରିଥିଲା । ବିନା କାରଣରେ ସବୁବେଳେ ହସୁଥିବା ନନ୍ଦକିଶୋର କେବେ ବି ନିଜ ଆବେଗ ଉପରୁ ନିୟନ୍ତ୍ରଣ ହରଉନଥିଲା । ତା’ର ପ୍ରତିଟି କାମ ସେ ନିରବରେ କରେଇ ନେଉଥିଲା ଅନ୍ୟମାନଙ୍କ ପାଖରୁ । ଏକା ସମୟରେ ସେ ପଚାଶ ଜଣଙ୍କ ପାଖରେ ଉପସ୍ଥିତ ରହିବା ପରି ବ୍ୟବହାର କରୁଥିଲା ଏବଂ ତା’ର ଘନିଷ୍ଠତମ ବନ୍ଧୁ ବି, ନନ୍ଦକିଶୋର ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ପୂର୍ବାନୁମାନ କରିପାରୁନଥିଲା ।

ମନୋଜ ସେଦିନ ଭବିଷ୍ୟବାଣୀ କରିଥିଲା, “ନନ୍ଦକିଶୋର ଦିନେ ନେତା ହେବ ।” ତେବେ ସେ ଏତେ ଶୀଘ୍ର ମନ୍ତ୍ରୀ ହୋଇଯିବ ବୋଲି କେହି ଭାବିନଥିଲେ । ଆଜି ନନ୍ଦକିଶୋର ରାଜ୍ୟର ଜଣେ ବିତ୍ତଶାଳୀ ନେତା ଭାବେ ପରିଚିତ । ବର୍ତ୍ତମାନ ବିରୋଧୀ ଦଳରେ ଅଛି, ଆଗାମୀ ନିର୍ବାଚନରେ ତାଙ୍କ ଦଳ ଯଦି ଜିତେ, ସିଏ ପୁଣି ମନ୍ତ୍ରୀ ହେବା ଅବଧାରିତ । ହୁଏତ ଦିନେ ସେ ମୁଖ୍ୟମନ୍ତ୍ରୀ ହୋଇଯାଇପାରେ ।

ନଟବରର ଆଉ ଗୋଟେ ଅପକର୍ମ ମନେ ପଡ଼ିବାରୁ ମନୋଜକୁ ହସ ମାଡ଼ିଲା । ନନ୍ଦକିଶୋର ମନ୍ତ୍ରୀ ଥିବାବେଳେ ତା’ ପାଖରେ ଯାଇ ରହୁଥିଲା ମନୋଜ । ସେତେବେଳେ ଥରେ ନନ୍ଦକିଶୋରର ପ୍ରତିଦ୍ୱନ୍ଦ୍ୱୀ ମାନଗୋବିନ୍ଦ ମହାରଥୀ ଦିଲ୍ଲୀ ଯାଇ ଓଡ଼ିଶା ନିବାସରେ ରହୁଥିଲା । ତାଙ୍କୁ ପାନେ ଦେବାପାଇଁ, ଦିନେ ସକାଳୁ, ଧୋବଧଉଳ ଧୋତି ଓ ପଞ୍ଜାବୀ ପିନ୍ଧି ମାନଗୋବିନ୍ଦ ବାହାରିବା ବେଳକୁ ନଟବର ଧାଇଁ ଆସି ମାନଗୋବିନ୍ଦର କଛା ଖୋଲି ଦେଇଥିଲା । ଏସବୁ କ’ଣ ହେଉଛି ବୋଲି ବୁଝିବାବେଳକୁ ଚାରିପାଞ୍ଚଜଣ ବରାଦୀ କ୍ୟାମେରାମ୍ୟାନ୍ ସେ ଦୃଶ୍ୟର ଫଟୋ ଉଠେଇ ସାରିଥିଲେ । ଲଜ୍ଜା ଓ ଅପମାନରେ ମାନଗୋବିନ୍ଦ ସେହିଦିନ ଓଡ଼ିଶା ଫେରିଆସିଥିଲା । ତେବେ ଆସିବା ଆଗରୁ ଚାଣକ୍ୟପୁରୀ ଥାନାରେ ଗୋଟେ ଏତଲା ଦେଇ ଆସିଥିଲା ନଟବର ବିରୋଧରେ ।

ଦିଲ୍ଲୀ ମହଲରେ ନନ୍ଦକିଶୋରର ପ୍ରଭାବ ସେଦିନ ନଟବରକୁ ଗିରଫଦାରୀରୁ ବେଞ୍ଚଇ ଦେଇଥିଲା ବୋଲି ଖବରକାଗଜରୁ ପଢ଼ିଥିଲା ମନୋଜ । ମାତ୍ର ତା’ ମନକୁ ଗୋଟିଏ ପ୍ରଶ୍ନ ଆସିଥିଲା, ଯାହା ସେ ଆଜି ପର୍ଯ୍ୟନ୍ତ ନା ନଟବର କିମ୍ୱା ନନ୍ଦକିଶୋର କାହାକୁ ପଚାରି ପାରିନାହିଁ । ଅବଶ୍ୟ ନନ୍ଦକିଶୋର ଏବେ ଏତେ ଉଚ୍ଚରେ ଯେ ତା’ ପାଖେ ପହଞ୍ଚିବା ମନୋଜ ପକ୍ଷେ ସମ୍ଭବ ନୁହେଁ । କିନ୍ତୁ ନଟବରକୁ ଦିନେ ସେ ସେହି ପ୍ରଶ୍ନ ପଚାରିବ- ଏଭଳି କାମଟେ କରିବା ତା’ ନିଜର ଯୋଜନା ଥିଲା ନା ଆଉ କାହାର ?

ରାଜଧାନୀ କଲେଜ୍ ଫାଟକ ସାମ୍ନାରେ ପିଲାମାନେ ଭିଡ଼ କରିଥିଲେ । ଆଗକୁ ନିର୍ବାଚନ ଆସୁଛି । ଆଶାୟୀ ଛାତ୍ରନେତାମାନେ ପିଲାଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ନାନା ପ୍ରକାର ଉଦ୍ୟମ କରିବେ । ଭଲ କାମ କରି ଦୃଷ୍ଟି ଆକର୍ଷଣ କରିବା କଷ୍ଟ କାମ । ତେଣୁ ପିଲାମାନେ ଅଧ୍ୟାପକଙ୍କୁ ଅପମାନ ଦେବେ, ଟେବୁଲ୍ ଚୌକି ଭଙ୍ଗାରୁଜା କରିବେ, ଲାଇଟ୍ ଭାଙ୍ଗିବେ, ପିଲାମାନଙ୍କୁ ଲମ୍ୱା ଲମ୍ୱା ପ୍ରତିଶ୍ରୁତି ଦେବେ ଓ ସାମାନ୍ୟ ସାମାନ୍ୟ କଥାରେ କ୍ଲାସ୍ ବନ୍ଦ କରାଇବେ ।

ମନୋଜ ଡରିଗଲା । କାର୍‌ଟି ନେଇ କଲେଜ୍ ଆସିଲେ ତା’ର ନାନା ପ୍ରକାର ଭୟ ରହେ । ସେ ପିଲାଙ୍କ ଭିଡ଼ଠାରୁ ଦୂରରେ, ଗୋଟେ କୃଷ୍ଣଚୂଡ଼ା ଛାଇରେ ଗାଡ଼ିଟା ରଖି ସେମାନଙ୍କ ପାଖକୁ ଗଲା । ସେଇଠି ଯାହା ଶୁଣିଲା ସେଇଟା ତାକୁ ଚମକେଇ ଦେବା ପାଇଁ ଯଥେଷ୍ଟ ଥିଲା ।

ଖଣି ଦୁର୍ନୀତି ବିରୋଧରେ ରାଜଭବନ ଛକରେ ବସିଥିବା ବିକ୍ଷୋଭ ଆନ୍ଦୋଳନ ବିସ୍ଫୋରକ ମୋଡ଼ ନେଇଛି ଏଇ ପାଞ୍ଚ ମିନିଟ୍ ତଳେ । ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଉଥିବାବେଳେ ପୁଲିସ୍ ମାଡ଼ରେ ନେତା ନଟବର ଗୁରତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ରାଜଭବନ ଛକରୁ ପାୱାରହାଉସ୍ ଛକ ପର୍ଯ୍ୟନ୍ତ ରାସ୍ତା ଏବେ ରଣକ୍ଷେତ୍ର ପାଲଟିଛି ।

ମନୋଜ ବିଶ୍ୱାସ କରିପାରିଲା ନାହିଁ । ଏଇ ଦଶ ମିନିଟ୍ ଭିତରେ ଏତେ କଥା ଘଟିଗଲା କେମିତି ?

ବିରୋଧୀ ଦଳର ସମର୍ଥକ ଓ କଲେଜ୍‌ର ସଭାପତି ପଦ ପ୍ରାର୍ଥୀ ପିଲାଟି ବଡ଼ ପାଟିରେ କହୁଥିଲା, “ପୂର୍ବତନ ଛାତ୍ରନେତା ତଥା ବର୍ତ୍ତମାନ ବିରୋଧୀ ଦଳର ଛାମୁଆଁ ନେତା ନନ୍ଦକିଶୋର ଆହ୍ୱାନ ଦେଇଛନ୍ତି, ରକ୍ତର ଜବାବ୍ ରକ୍ତରେ ଦିଆଯିବ । ଶାନ୍ତିପୂର୍ଣ୍ଣ ଆନ୍ଦୋଳନକାରୀଙ୍କ ଉପରେ ଆକ୍ରମଣକୁ ବରଦାସ୍ତ କରାଯିବ ନାହିଁ । କ୍ଲାସ୍‌ରୁମ୍ ଛାଡ଼, ପାଠପଢ଼ା ଛାଡ଼, ଆଗେଇ ଆସ । ଆଗେଇ ଆସ ।”

ମନୋଜ ପିଲାଟିକୁ ଅନେଇଲେ । ହଠାତ୍ ତାଙ୍କୁ ସେଇ ଯୁବକଟିର ଚେହେରା ବୁଦ୍ଧିମାନ ନନ୍ଦକିଶୋର ଚେହେରା ପରି ଦିଶିଗଲା । ସିଏ ଜାଣିଥିଲେ, ପିଲାମାନଙ୍କୁ ରାସ୍ତା ଉପରକୁ ଡେଇଁ ପଡ଼ିବା ନିମନ୍ତେ ଆହ୍ୱାନ ଦେଇଥିବା ଏ ଯୁବକଟି ନିଜେ ନିରାପଦରେ କେଉଁଠି ଛପିଯିବ । ମାତ୍ର ସାଧାରଣ ପିଲାଏ କିଛି ଲହୁଲୁହାଣ ହେବେ । ହୁଏତ ତାଙ୍କ ଭିତରୁ ଗିରଫ୍ ହେବେ କିଛି, କେତେକଙ୍କର କ୍ୟାରିୟର୍ ନଷ୍ଟ ହୋଇଯିବ ନଟବର ପରି । ତାଙ୍କ ଆଖି ସାମ୍ନାରେ ଏକାଧିକ ନିର୍ବୋଧ ନଟବରଙ୍କ ଚେହେରା ନାଚି ଉଠୁଥିଲା । ସେ ବଡ଼ ପାଟିରେ ଚିତ୍କାର କରିବାକୁ ଚାହୁଁଥିଲେ । କହିବାକୁ ଚାହୁଁଥିଲେ, “ଦୟାକରି ଅନ୍ୟ କାହାର ଉନ୍ନତି ପାଇଁ ନିଜକୁ ଖତ କରି ଦିଅନାହିଁ । ତୁମେ ଖତ ହୋଇ ମାଟିରେ ନିଶ୍ଚିହ୍ନ ହୋଇଯିବ, ଅଥଚ ନେତାଏ ତମରି ରସ ଶୋଷି ଉପରକୁ ଉଠିବେ ।”

ପିଲାମାନେ ନିଆଁ ପରି ତେଜି ଉଠୁଥିଲେ । କ୍ରମେ ସେମାନଙ୍କର ସଂଖ୍ୟା ବଢୁଥିଲା । ମନୋଜ ବ୍ୟତିବ୍ୟସ୍ତ ହୋଇପଡୁଥିଲା । ତା’ ଆଖି ଆଗରେ ଊଣେଇଶ ଅଶୀର ସେହି ଛାତ୍ର ବିଶୃଙ୍ଖଳା କଥା ମନେପଡୁଥିଲା । ସେଦିନ ସକାଳେ କ୍ୟାଣ୍ଟିନ୍‌କୁ ଗଲାବେଳେ, ନନ୍ଦକିଶୋରର ଷଡ଼ଯନ୍ତ୍ର ଗନ୍ଧ ଜାଣିପାରି, ନଟବରକୁ ଅଟକେଇବା ପାଇଁ ଚାହିଁଥିଲା ସେ । ମାତ୍ର ନନ୍ଦ ପ୍ରତି ନଟବରର ଅନ୍ଧ ଆନୁଗତ୍ୟ ଦେଖି ସେ କିଛି କହିପାରିନଥିଲା । ଆଜି ପୁଣି ସେଇ ଏକା ପ୍ରକାର ଘଟଣା ଘଟିବାକୁ ଯାଉଛି ।

ସେ ମୋବାଇଲ୍ ଫୋନ୍ ବାହାର କଲା । ଅଭିନୟ କଲାପରି ବଡ଼ ପାଟିରେ କାହାକୁ ପଚାରିଲା, “ତୁମର କିଛି ହୋଇନାହିଁ ତ ନଟବର ? ଆଚ୍ଛା, ଆଚ୍ଛା, ମୋ ପିଲାଏ ତାହାହେଲେ ଭୁଲ୍ ଖବର ପାଇଛନ୍ତି । ଓହୋ, ନନ୍ଦକିଶୋର ବାବୁ ବି ସେଇଠି ଅଛନ୍ତି । ଆଚ୍ଛା ମୁଁ କଲେଜ୍ ସାରି ସେପଟେ ଯିବି, ଦେଖା ହେବ ।”

ଏବଂ ତାପରେ କଲେଜ୍ ସାମ୍ନା ଷ୍ଟେଜ୍ ଉପରକୁ ଉଠିଯାଇ ବଡ଼ ପାଟିରେ, ବହୁତ ବଡ଼ ପାଟିରେ, ଗୋଟେ ସଭାକୁ ସମ୍ୱୋଧନ କଲାପରି ଉଚ୍ଚସ୍ୱରରେ କହିଲା, “ପିଲାଏ ଏବେ ନଟବରବାବୁ ନିଜେ ମୋତେ ଫୋନ୍ କରିଥିଲେ । ତୁମେମାନେ ବୋଧହୁଏ ଜାଣିନ, ସେ ମୋର ବାଣୀବିହାରର ସହପାଠୀ, ଅଶୀରୁ । ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ତୁମମାନଙ୍କୁ ସେ ନିବେଦନ କରିଛନ୍ତି, ମିଛ କଥାରେ ପଡ଼ି ହଠାତ୍ କିଛି କରନାହିଁ । ଯାହା କରିବାକୁ ପଡ଼ିବ, ଆସନ୍ତାକାଲି କରାଯିବ । ଆଜି ସନ୍ଧ୍ୟାରେ ସେ ନିଜେ ପ୍ରେସ୍‌କୁ ବିବୃତି ଦେବେ ।”

ଅପ୍ରତ୍ୟାଶିତ ଭାବେ, ପିଲାଏ ଥଣ୍ଡା ହୋଇଗଲେ । ସମ୍ଭବତଃ ସେ ନୂଆ ଅଧ୍ୟକ୍ଷ ହୋଇଥିବାରୁ ପିଲାମାନେ ତା’ର ମିଛଟାକୁ ଧରିପାରି ନଥିଲେ ।

ତା’ପରେ ମନୋଜ ଡାକିଲେ, “ଚାଲ ପିଲାଏ, ସେମିନାର୍ ହଲ୍କୁ ଚାଲ । ମୁଁ ଆଜି ତୁମକୁ ଗୋଟେ ଗପ କହିବି । ସେଇଟି ଅନ୍ୟ ପାଇଁ ଖତ ପାଲଟିଥିବା ଗୋଟେ ବୋକା ଯୁବକର କାହାଣୀ, ଯିଏ ନିଜେ ଗୋଟେ ମହାଦ୍ରୁମ ହୋଇପାରିଥାଆନ୍ତା ।”

ଲୋକପ୍ରିୟ ଲେଖା

To Top