ଗଳ୍ପ

ଖୁସି ଅନୁଭୂତି

Asish Ranjan Das's Odia Story Khusi Anubhuti

ଅଫିସ୍ ରେ କାର୍ଯ୍ୟ ବ୍ୟସ୍ତତା ଯୋଗୁ ପ୍ରାୟ କଥା ହେଇ ପାରନ୍ତିନି । ବସ୍ ରେ ବି ଭିଡ ରହେ ତେଣୁ କଥା ହେଇ ହୁଏନି ହୋ ହାଲ୍ଲା ଭିତରେ ।

ଖୁସି ଅନୁଭୂତି

ପ୍ରତିଭା ଏକ ରକମ ଦଉଡିଲା ଭଳି ଚାଲୁଥାଏ । ଅସିତ୍ ବି ତା ସହ ପାଦ ମିଶାଇ ଚାଲିବାକୁ ଚେଷ୍ଟା କରୁଥାଏ । ମନରେ ଆଶଙ୍କା, ବସ୍ ମିସ୍ ହେଇଯିବନି ତ ! ଯଦି ହେଇଯାଏ ତାହେଲେ କଥା ସରିଲା । ଏହା ପର ବସ୍ ଦୁଈ ଘଣ୍ଟା ପରେ ଆସିବ । ମାନେ ଅଫିସ୍ ପହଞ୍ଚିବା ଅତି କମ୍ ରେ ଦୁଈ ଘଣ୍ଟା ବିଳମ୍ବ ହେବ । ନୂଆ ନୂଆ ଚାକିରୀ, ଡେରିରେ ପହଞ୍ଚିବା ଅର୍ଥ ଗାଳି ଶୁଣିବା କଥା । ପୁଣି ଏ ଅପନ୍ତରା ଯାଗା ।

ଆଜି ଦୁଈଜଣ ଯାକ ଜଳଖିଆ ଖାଇ ନଥିଲେ । ଅସିତ୍ ସବୁଦିନ ପ୍ରତିଭା କୁ ପଚାରେ କ’ଣ ଖାଇକି ଆସିଛ ବୋଲି । ତା ପରେ ପ୍ରତିଭାର ବି ସେଇ ଏକା ପ୍ରଶ୍ନ । ନଖାଇ ଆସିଥିବାରୁ ଟିକେ ଦୂରରେ ଥିବା ଜଳଖିଆ ଦୋକାନ କୁ ଯାଇ କିଛି ଖାଇ ଆସିବାକୁ ଅସିତ୍ ପ୍ରସ୍ତାବ ଦେଲା । ପ୍ରତିଭାର ବି ଅରାଜି ହେବାର କିଛି କାରଣ ନଥିଲା । ଦୁହେ ସହକର୍ମି ଓ ଅଫିସ୍ ବାହାରେ ଭଲ ବନ୍ଧୁ ମଧ୍ୟ । ଦୁହେ ଦୁହିଙ୍କ ସୁଖ ଦୁଃଖରେ ଠିଆ ହୁଅନ୍ତି ଅତି ନିଜର ପରି । ତେଣୁ ଆଉ କାହାକୁ ଭୟ ନଥାଏ ଦୁଈଜଣଙ୍କର ଏବଂ ଅନ୍ୟମାନେ ପ୍ରାୟ ଈର୍ଷା କରନ୍ତି ଦୁଈଜଣଙ୍କ ବନ୍ଧୁତାକୁ ।

ବସ୍ ଷ୍ଟପ୍ ରେ ପହଞ୍ଚିଲା ବେଳକୁ ବସ୍ ଛାଡି ଦେଇଥିଲା । ଅସିତ୍ ମନେମନେ ଖୁସି ହେଉଥିଲା କିନ୍ତୁ ପ୍ରତିଭା ମୁହଁ ରେ ହତାଶା ଭାବ ସ୍ପଷ୍ଟ ବାରି ହେଉଥିଲା । ଦୁହେଁ ବସ୍ ଷ୍ଟପ୍ ରେ ପଡିଥିବା ଏକ ସିମେଣ୍ଟ ବେଞ୍ଚ୍ ରେ ବସିଲେ । କିଛି ସମୟର ନିରବତା ପରେ ଅସିତ୍ କହିଲା, ଦୁଈ ମିନିଟ୍ ରୁହ, ମୁ ସାଙ୍ଗେ ସାଙ୍ଗେ ଆସୁଛି । ଫେରି ଆସି କିଛି ଚକୋଲେଟ୍ ପ୍ରତିଭା ହାତକୁ ବଢାଇ ଦେଲା ଓ ଗୋଟିଏ ନିଯ ପାଟିରେ ପୁରେଇଲା । ପ୍ରତିଭା ପଚାରିଲା ଚକୋଲେଟ୍ ଆଣିବାକୁ ଯାଇଥିଲ? ଅସିତ୍ କହିଲା “ନା, ପିଜା ଆଣିବାକୁ ଯାଇଥିଲି ।” ଦୁହେ ହସିଲେ । କିଛି ସମୟ ପାଇଁ ପ୍ରତିଭା ମଧ୍ୟ ବସ୍ ମିସ୍ କରିଥିବା ଗ୍ଲାନି କୁ ଭୁଲିଯାଇଥିଲା ।

ପାଖରେ ଗୋଟିଏ ଛୋଟ ଝିଅ ଟିଏ ବସିଥାଏ । ଅସିତ୍, ପ୍ରତିଭାକୁ ଆଉ ଗୋଟିଏ ଚକୋଲେଟ୍ ଦେଇ ଝିଅ ଟିକୁ ଦେବାକୁ କହିଲା । ପ୍ରତିଭା ଯାଚିବାରୁ ଝିଅଟି ପ୍ରଥମେ ପାଖରେ ବସିଥିବା ତା‘ ମା ଆଡକୁ ଚାହିଲା ଏବଂ ସମ୍ମତି ମିଳିବାରୁ ପ୍ରତିଭା ହାତରୁ ଚକୋଲେଟ୍ ନେଲା ଓ ଅତି ଆନନ୍ଦରେ ରାପର୍ ଖୋଲି ଖାଇବାରେ ଲାଗିଲା । ଅସିତ୍ ଓ ପ୍ରତିଭା ବି ବହୁତ୍ ଖୁସି ହେଲେ ।

ସହର ଠାରୁ ଅନତି ଦୂର ଏକ ନିପଟ ମଫସଲ ଅଞ୍ଚଳର ଏକ ସରକାରି କାର୍ଯ୍ୟାଳୟରେ ଦୁହେଁ ଯୋଗ ଦେଇଥାନ୍ତି ଦୁଈ ମାସ ତଳେ । ମାତ୍ର ଏକ ସପ୍ତାହ ର ବ୍ୟବଧାନ ଥିଲା ଦୁହିଙ୍କର ଚାକିରୀରେ ଯୋଗ ଦେବା ମଧ୍ୟରେ । ସେଥିପାଇ ହେଉ କି ଅନ୍ୟ କିଛି, ଦୁହେ ଦୁହିଙ୍କ ଭିତରେ ନିଜର ଅନ୍ତରଙ୍ଗ ବନ୍ଧୁ ଖୋଜି ପାଇଥିଲେ । ନୂଆ କରି ଜଏନ୍ କରି ଥିବାରୁ ଅଫିସ୍ ରେ ସବୁଠୁଁ ବେଶି ଚାପର ସମ୍ମୁଖିନ ହେବାକୁ ପଡୁଥିଲେ ମଧ୍ୟ ଦୁହିଙ୍କ ସହଯୋଗ ମନୋବୃତ୍ତି ଯୋଗୁ ସବୁ କାମ ସୁରୁ ଖୁରୁରେ କରି ଦେଉଥିଲେ । ଏମାନଙ୍କ କାମ ଦେଖି କିଛି କର୍ମଚାରି ଆଶ୍ଚର୍ଯ୍ୟ ହେଉଥିଲେ ଏବଂ ଅନ୍ୟମାନେ ଈର୍ଷାଳୁ ଦୃଷ୍ଟିରେ ଦେଖୁଥିଲେ ମଧ୍ୟ ଏମାନେ ସେ ସବୁକୁ ଖାତିର୍ କରୁନଥିଲେ ।

ଘର କଥାରୁ ନେଈ ଅଫିସ୍, ସବୁ ବିଶୟରେ ଖୋଲାଖୋଲି ଆଲୋଚନା କରୁଥିଲେ । ‍‌ଭଲ ବନ୍ଧୁ ଟିଏ ଥିଲେ କୌଣସି ସମସ୍ୟା ଆଗରେ ହାରିଯାଏନାହି ମଣିଷ । ଏକଥାକୁ ମର୍ମେ ମର୍ମେ ଅନୁଭବ କରୁଥିଲେ ଦୁଈଜଣ । ଅଫିସ୍ ସମସ୍ୟା ତ ମିଳିମିଶି ସମାଧାନ କରି ଦିଅନ୍ତି, ଆଉ ଘରୋଇ ସମସ୍ୟାର ସମାଧାନର ବାଟ ମିଳିଯାଏ ଆଲୋଚନାରୁ ।

ସେଦିନ ମଧ୍ୟ ପାରିବାରିକ ସମସ୍ୟାରୁ ନେଇ ଅଫିସ୍ କଥା ଓ ବ୍ୟକ୍ତିଗତ ଘଟଣା ସବୁ ଗପି ଚାଲିଥିଲେ । ଅଫିସ୍ ରେ କାର୍ଯ୍ୟ ବ୍ୟସ୍ତତା ଯୋଗୁ ପ୍ରାୟ କଥା ହେଇ ପାରନ୍ତିନି । ବସ୍ ରେ ବି ଭିଡ ରହେ ତେଣୁ କଥା ହେଇ ହୁଏନି ହୋ ହାଲ୍ଲା ଭିତରେ । ତେଣୁ ଏହି ଦୁଈ ଘଣ୍ଟା ବ୍ୟକ୍ତିଗତ ସମୟ ପାଇ ଦୁହେ ଅନେକ କଥା ଗପି ଚାଲିଥିଲେ । ଗପ ସରିବାର ନା ଧରୁ ନଥାଏ । ଏହି ସମୟରେ ବସ୍ ହର୍ଣ୍ଣ ରେ ପ୍ରକୃତିସ୍ଥ ହେଲେ ପ୍ରତିଭା ଓ ଅସିତ୍ ।

ବସ୍ ଆସି ରହିବା ପରେ ଦୁହେଁ ପାଖା ପାଖି ଦୁଈଟି ସିଟ୍ ଦଖଲ କରି ବସିଲେ । ଅସିତ୍ କହିଲା ଗୋଟେ କଥା କହିବି? ପ୍ରତିଭା ସମ୍ମତି ଜଣାଇବା ପରେ ଅସିତ୍ କହିଲା “ଜିବନରେ ପ୍ରଥମ ଥର ପାଇଁ ବସ୍ ମିସ୍ କରି ଖୁସି ହେବାର ଅନୁଭୂତି ମିଳିଲା ।” ପ୍ରତିଭା କିନ୍ତୁ ବୁଝି ନବୁଝିବାର ଅଭିନୟ କରୁଥିଲା ।

ଲୋକପ୍ରିୟ ଲେଖା

To Top