ଗଳ୍ପ

ଖୁସି

Pradeep Nayak's odia story Khusi

ନିଦରୁ ଉଠି ସାରା ସଂସାର ଜାଗିବ । ଯାହା ସ୍ୱାଭାବିକ, ସଚରାଚରେ ତାହା ହିଁ ହେଉଥିବ ମଣିଷ ସେ ସବୁକୁ ମାନି ନେଉଥିବ । କିନ୍ତୁ ଆମ ପରିବାର !

ଖୁସି

ଗୋଟିଏ ନାମହୀନ ଛୁଆର ସ୍ଥିତି ମୋ ଭିତରେ ସ୍ପଷ୍ଟ ହେବାକୁ ଯାଉଛି । ସେତିକିବେଳେ କଥା ଉଠୁଛି ଅଲଟ୍ରା ସାଉଣ୍ଡ କ୍ଲିନିକ୍‌ର । ବଡ଼ ଝିଅକୁ ପାଞ୍ଚ ବର୍ଷ ପୂରି ସାରିଚି । ଦ୍ଵିତୀୟ ଆସିବା ସେମିତି କିଛି ଅବାଞ୍ଛିତ ନାହିଁ । ଘରେ ଯେତିକି ଖୁସି ଏଇ ଭୃଣର ଉପସ୍ଥିତ ଜାହିର ହେବାରେ, ସେତିକି ଆଶଙ୍କା ତାର ଲିଙ୍ଗ ଅବଗତ ହେବାରେ ।

ମୁଁ ନିଜକୁ ନିଜେ ଭାବୁଚି, ଘରେ ସମସ୍ତେ କାହିଁକି ଏତେ ଆଗ୍ରହୀ ପେଟରେ ଥିବା ପିଲାଟାର ଲିଙ୍ଗ ଜାଣିବାରେ । ହୁଏତ ସେଇଟା ଜାଣିଗଲା ପରେ ସ୍ଥିତି କଣ ହେବ ତାହା ପରର କଥା । ଏଇ ଜାଣିବାର ଉତ୍କଣ୍ଠା ସୂଚେଇ ଦେଉଛି ଯେ ସମସ୍ତେ କଣ ଚାହାନ୍ତି । ଆମ ପରିବାରର ସାମୂହିକ ଇଚ୍ଛାର ଆନୁକୂଲ୍ୟରେ ମୋ ଗର୍ଭସ୍ଥ ସନ୍ତାନଟି କଣ ହେବା ଦରକାର । ଏମିତିକି ବଡ଼ ଝିଅ ଲିମାକୁ ମୁଁ ପଚାରି ବୁଝି ସାରିଛି ତା ମନର କଥା ।

ଲିମା କହିଲା – ମମି ମମି , ମୋର ଗୋଟେ ଭାଇ ଦରକାର । ମୁଁ ତା ସାଙ୍ଗରେ ନା ବହୁତ ଖେଳିବି । ତାକୁ ବହୁତ ଗେଲ କରିବି । ଭଲ ପାଇବି । ମୋତେ ଗୋଟେ ଭାଇ ଦିଅନା ।

ପିଲାଟା ଭାଇର ଆବଶ୍ୟକତା କ’ଣ ଜାଣେ ମୋତେ ତାହା ଜଣା ନାହିଁ । ବିଜ୍ଞାନୀମାନେ କହନ୍ତି ବିପରୀତ ଲିଙ୍ଗରେ ଆକର୍ଷଣ ଥାଏ । ସେହି ଦୃଷ୍ଟିରୁ ଲିମା ଏମିତି କହି ଦେଉଚି ।

ମୁଁ ମନେ ମନେ ଯାହା ଚାହୁଁଚି ସେ କଥା ଆଉ କାହାକୁ ପଚାରେ କି ନ ପଚାରେ ଅସୀମଙ୍କୁ ପଚାରିବି । ବାପା ହିସାବରେ ତାଙ୍କର କିଛିଗୋଟେ ମନ କଥା ଥିବତ !

ଅସୀମ ଅଫିସରୁ ଫେରି ଆସିଛନ୍ତି । ଆଜି ମୋତେ ସାଙ୍ଗରେ କ୍ଲିନିକ୍‌ ନେଇ ଯିବାକୁ କହିଥିଲେ ଅଥଚ ଟେଲିଫୋନ କରି କହିଲେ ଯେ ଆଜି ପ୍ରୋଗ୍ରାମ ବାତିଲ୍‌ । ଅଫିସ୍‌ରେ ଗୁଡ଼ାଏ କାମ ସରୁ ସରୁ ରାତି ସାତ ହେବ । କାଲିକି ଯିବା । ହୁଏତ ଆଜି ରାତିରେ ତାଙ୍କୁ ପଚାରିବାର ସୁଯୋଗ ମିଳିବ । ଏମିତିରେ ବାପା ବୋଉଙ୍କ ଆଶା ଆଶଙ୍କାର ମିଶାମିଶି ମୁହଁରୁ ବୁଝାପଡୁଛି ସେମାନେ କଣ ଚାହାନ୍ତି । ମୁହଁ ଖୋଲି ନ କହି ପାରିଲେ ବି ଦିନ କେଇଟା ଭିତରେ ଅବଶ୍ୟ କହିଦେବେ – ବୋହୂ … ଅସୀମକୁ ନେଇ ଟିକେ ଡାକ୍ତରଙ୍କ ପାଖକୁ ଯାଅ । ଆମକୁ ଖୁସି ଖବରଟା ଦିଅ । ଆମେ ବୁଢ଼ା ବୁଢ଼ୀ ନାତି ଟୋକାର ମୁହଁ ଟିକେ ଦେଖିବୁ ।

ବାପା ମୋ ପେଟରେ ଛୁଆ ରହିବାର ଖବର ପାଇବା ପରେ ନାତୁଣୀକୁ ଗେଲ କରୁଥିବେ ଆଉ ମୋତେ ଶୁଣେଇ ଶୁଣେଇ କହୁଥିବେ – ମା’ ରେ ତୋର ଆଉ ମନ ଦୁଃଖ କଣ ପାଇଁ ? ଏକା ଏକା ଖେଳିବାକୁ ଭଲ ଲାଗୁନି ନା, ଆରେ ଆଉ କେତେଟା ଦିନ ଅପେକ୍ଷା କର ଦେଖିବୁ ସାଙ୍ଗ ଖୋଜିବାକୁ ତତେ ଆଉ ପଡ଼ିଶା ଘରକୁ ଯିବାକୁ ପଡ଼ିବନି । ତୋର ନା ଗୋଟେ କୁନି ଭାଇ ଆସିଯିବ । ତା ସାଙ୍ଗରେ ଖୁବ୍‌ ଖେଳିବୁ ମଜା କରିବୁ ।

ବୋଉ ମଧ୍ୟ ତଦ୍ରୁପ । ଲିମାକୁ କୋଳରେ ବସେଇ ଗପ କହୁଥିବେ । ମଝିରେ ଅଟକି ଯାଇ କହିବେ – ଆଚ୍ଛା ମୋ ସୁନା ନାତୁଣୀ ଧରିଲୁ ଧରିଲୁ ଏଇ ମୋ ଆଙ୍ଗୁଠି । ଶାଶୁଙ୍କ ଦି’ଟା ଆଙ୍ଗୁଠି ସ୍ଥିର ହୋଇ ରହିଥିବ ଲିମାର ଆଖି ସାମ୍ନାରେ । ସିଏ ବୋକା ବୋକାଙ୍କ ପରି ଚାହୁଁଥିବ । ଶାଶୁ କହୁଥିବେ ଆରେ ଧର ନା ଏଇ ଆଙ୍ଗୁଠିରୁ ଗୋଟେ । ତା ପରେ କଣ କଣ ଭାବି ନାତୁଣୀ କୋଉ ଗୋଟେ ଆଙ୍ଗୁଠି ଥରୁଥିବ । ଶାଶୁ ତାକୁ କୋଳେଇ ନେଇ ତା’ ଗାଲରେ ଚୁମା ଦେଇ କହୁଥିବେ – ତୋ ତୁଣ୍ଡ ସୁତୁଣ୍ଡ ହଉ ଲୋ ମୋ ଧନ । ତୁ ଅଛମର ହୋଇଥା । ଲିମା ପଚାରୁଥିବ କଣ ହେଲା କି ଜେଜୀମା ? ଶାଶୁ କହିବେ ତୋର ଗୋଟେ ଭାଇ ହବ ଲୋ ।

ମୁଁ ରୋଷେଇଘରୁ ଶୁଣୁଥିବି ଜେଜୀ ନାତୁଣୀଙ୍କ ରହସ୍ୟ । ମନେ ମନେ କଣ ଗୋଟେ ଭାବି ଅନ୍ୟମନସ୍କ ହୋଇଯାଇଥିବି ତ ଡାଲି ଲାଗିଯାଇଥିବ । କେତେ ଥର ଶାଶୁ ତାରିଣୀ ମନ୍ଦିରକୁ ନଡ଼ିଆ ପଠେଇଛନ୍ତି ନାତିଟିଏ ପାଇଁ ।

ଘର ଭିତରେ ପ୍ରତିଦିନ ଏମିତି କିଛି ଶୁଣି ଶୁଣି ମୋ ଭିତରେ କଉଠୁ ଆସି ଗୋଟେ ଅଦ୍ଭୁତ ଆତଂ ପ୍ରତ୍ୟୟ ବସା ବାନ୍ଧିଛି । ସତରେ ମୋ ପେଟରେ ଯେଉଁ ଭୃଣଟା ବଢୁଛି, ପୁଅଟା ହିଁ ବଢୁଛି । ଏତେ ଏତେ ଆଶା ଭରସାର କଣ କିଛି ଗୋଟେ ହେତୁ ନାହିଁ ! ଏତେ ଆନନ୍ଦର କଣ କୌଣସି ଠିକଣା ନାହିଁ । ଏତେ ବିଶ୍ବାସ, ମନାସର କଣ କିଛି ଫଳ ନାହିଁ !! ଅଛି ….ଅଛି….ଅଛି…. ।

କେତେବେଳେ ମୋ ବିଶ୍ବାସ ମୋତେ ଏମିତି ସ୍ଥିତିରେ ନେଇ ପହଞ୍ଚାଇଦିଏ ଯେ ଦିନରାତି ସମାନ ହୋଇଯାଏ । ପବନରେ ଉଡିଲା ଉଡିଲା ଅନୁଭବ । ମନରେ ପୂରିଲା ପୂରିଲା ଭାବ । ଶାଶୁ କିଛି ଭାରି କାମ କରିବାକୁ ବାରଣ କରିଛନ୍ତି । କିନ୍ତୁ ମୋତେ ସେମିତି କିଛି ଲାଗେ ନାହିଁ । ଦୁଃଖୀ ଭିକାରୀଙ୍କୁ ଦେଖିଲେ ହାତ ଖୋଲା ଦାନ କରେ ।

ମୁଁ ଗଭୀର ନିଦରେ ସ୍ବପ୍ନ ଦେଖେ । ମେଡିକାଲ ବେଡ଼ ରେ ଶୋଇଚି । ନର୍ସ ଜଣେ ଶାଶୁଙ୍କ ହାତକୁ ମୋ ଛୁଆଟିକୁ ବଢ଼େଇ ଦେଉ ଦେଉ କହୁଛି – ଏ ମାଉସୀ ନାତିକି ଧରିବ ଯଦି ଆଜି ଡେଟଲରେ ହାତ ଧୋଇ ଆସନ୍ତୁ । ଛୋଟ ଛୁଆ ନା, ଇନ୍‌ଫେକ୍ସନର ଭୟ ଅଛି । ଆଉ ଶୁଣନ୍ତୁ ବେବିସିଟ୍‌ ପାଇଁ ପୁଅକୁ କୁହନ୍ତୁ ଛୋଟ ଗାଡି ନେଇ ଆସିବେ ।

ମୁଁ ବିଛଣାରେ ଶୋଇ ଶୋଇ ବିକଳ ହୋଇପଡେ ଛୁଆର ମୁହଁଟାକୁ ଠାରେ ଦେଖିବା ପାଇଁ । କିନ୍ତୁ ଉଠିପାରୁ ନ ଥାଏ । ନର୍ସ କୁହେ ଆରାମରେ ଶୋଇ ରୁହନ୍ତୁ । ଛୁଆ ଖାଇବାକୁ ବଳେ କାନ୍ଦିବନିକି । ଅସୀମ ଆସି ନର୍ସ ହାତକୁ ମିଠା ପ୍ୟାକେଟ ବଢ଼େଇ ହସି ହସି କହୁଛନ୍ତି – ପିଲାର ଓଜନ ମାପିଲ କେତେ ଅଛି ?

ନିଦ ଭାଙ୍ଗିଯାଏ । ମୁଁ ପ୍ରକୃତିସ୍ଥ ହୁଏ । ସତରେ ସାରାଟା ସମୟ ମୁଁ ଯେ ଛୁଆଟା କଥା ଭାବି ହଉଚି… ଅବଚେତନ ମନ ତଳେ ରହିଯାଉଥିବା କଥାଗୁଡା ନିଦର ସ୍ବପ୍ନ ହୋଇ ଆସି ଯାଉଚି । ଇଚ୍ଛାତ ହୁଏ ଏମିତି ସ୍ୱପ୍ନର ବାସ୍ତବତା ଥାଉ କି ନ ଥାଉ ଦେଖାଯାଉଥାଉ ଅନ୍ତତଃ ପିଲାଟା ଜନ୍ମ ହେବା ଯାଏ ।

ଅସୀମ କାଲି ସକାଳେ କ୍ଲିନିକ୍‌କୁ ମୋତେ ନେଇ ଯିବେ ବୋଲି କହିଛନ୍ତି । ରବିବାର ତାଙ୍କ ହାତରେ ସାରା ଦିନ ପଡିଛି । ତେବେ ଆଜିକାଲି ସରକାରୀ କଟକଣା । ସହରରେ ଅନେକ କ୍ଲିନିକ୍‌ ବନ୍ଦ ହୋଇ ସାରିଚି । କୋଉ ଗୋଟେ କ୍ଲିନିକ୍‌ ରେ ଲୁଚାଛପାରେ କରିବା ପାଇଁ ଅସୀମ କଥା ହେଉଛନ୍ତି । ସେଥିପାଇଁ ଫିସ୍‌ ଅଧିକ । ସେ ଯାହା ବି ହେଉ ଆମର କ୍ଲିନିକ୍‌ ଯିବାଟା ଆପାତତଃ ସ୍ଥିର ।

କାଲି ସକାଳ ଅବଶ୍ୟ ଆସିବ । ଆଉ କେତେ ଘଣ୍ଟା ପରେ ଆସିବ । ସବୁଦିନ ପରି ସୂର୍ଯ୍ୟ ଉଇଁବ । ନିଦରୁ ଉଠି ସାରା ସଂସାର ଜାଗିବ । ଯାହା ସ୍ୱାଭାବିକ, ସଚରାଚରେ ତାହା ହିଁ ହେଉଥିବ ମଣିଷ ସେ ସବୁକୁ ମାନି ନେଉଥିବ । କିନ୍ତୁ ଆମ ପରିବାର ! ଯଦି କ୍ଲିନିକ୍‌ ରିପୋର୍ଟ ରେ ମୋର ଏ ଛୁଆଟା ଝିଅ ବୋଲି ବାହାରେ ! ସମସ୍ତେ ମାନି ନେଇ ପାରିବେ ତ ! ନାତୀଟିଏ ପାଇଁ ଅନେକ ସ୍ବପ୍ନ ମହଲ ତିଆରି କରୁଥିବା ଶାଶୁ ଶଶୁର …ଅସୀମ…ଲିମା… । ଅସୀମ ହୁଏତ ଏ ସବୁ ପାଇଁ ସ୍ତ୍ରୀକୁ ଦାୟୀ କରିବେ ନାହିଁ । ସିଏ ପାଠଶାଠ ପଢ଼ିଛନ୍ତି । ଦୁନିଆ ଦେଖିଛନ୍ତି ।

ରାତି ବିଛଣା ସଜାଡୁ ସଜାଡୁ ମୁଁ ଅନ୍ୟମନସ୍କ । ଅସୀମଙ୍କୁ ଖାଇବା ଟେବୁଲ ରେ ବାଢି ଦେଇ ଆସିଚି । ଆଉ ଟିକିଏ ପରେ ସେ ଶୋଇବାକୁ ଆସିବେ । ଆଖି ଅଟକି ଯାଉଛି ବିଛଣା ପାଖରେ ଟେବୁଲ୍‌ ଉପରେ । କେତେ ଦିନ ହେବ ଲିମା କଉଠୁ ଗୋଟେ ଛବି ତା ଆଣି ସଯତନେ ରଖି ଦେଇଛି । କୋମଳ ଢଳ ଢଳ ଗୋଟେ କୁନି ପୁଅର ଚିତ୍ର । ଏଇ ଛବିଟାକୁ ମୁଁ କେତେ ଦିନରୁ ଦେଖି ଆସୁଚି । ପିଲାଟାର ଫିକା ଗୋଲାପୀ ଓଠ । ଓଠ ଧାରେ ଧାରେ ଲାଖି ରହିଥିବା ହସ । ଗୋରା ଗୋରା ମୁହଁ ଉପରେ କଳା ଭଅଁର ଯୋଡିଏ ଆଖି । ଆଖିରେ ନେସି ହୋଇ ରହିଥିବା ନିରୀହପଣ । ଚମ୍ପା ଫୁଲର ପାଖୁଡା ପରି ଟିକି ଟିକି ହାତ, ପାଦ । ସତରେ ୟାକୁ ଦେଖି ଦେଖି ମନ, ପ୍ରାଣ ତା ପାଲରେ ପଡି ଯାଇଛି । ସତେ ଯେପରି ମୋର ଆଖି ୟା ଭିନ୍ନ ଆଉ ଦୁନିଆର ଅଧିକ କିଛି ସୁନ୍ଦର ଦେଖିବାକୁ ଚାହୁଁନି । ଯେତେ ଥର ଘର ଭିତରକୁ ଆସୁଚି ତ ଛୁଆଟାର ଆଖିର ନିମନ୍ତ୍ରଣ ମୋତେ କାବୁ କରି ପକାଉଚି । ଏ ଯାଏ ମୋ ପେଟର ଛୁଆଟା କଣ ହେବ ଭାବି ନ ଥିଲା ବେଳେ ଏବେ କିନ୍ତୁ ମନ ମନ କହୁଚି ପୁଅଟିଏ ହେବା ଦରକାର । ଦରକାର ପୁଣି ଏଇ ଛବି ପରି ।

ଗୋଟିଏ ବିଛଣାରେ ପାଖାପାଖି ଶୋଇ ମଧ୍ୟ ମୁଁ ଭାବି ପାରୁନି କେମିତି କଥାଟା ଅସୀମଙ୍କୁ ପଚାରିବି । ଶୋଇବାଘର ସାରା ହାଲୁକା ନୀଳ ଆଲୁଅ, ଅସୀମ ଶୋଇଗଲେଣି କି ନାହିଁ ଜଣାପଡୁନି । କାଲି କ୍ଲିନିକ୍‌ ଯିବା କଥାକୁ ନେଇ ମୁଁ ଯେତେ ଭାବୁଚି ହୁଏତ ଅସୀମ ସେମିତି କିଛି ଭାବନ୍ତି କି ନା । ନିଦ ନ ଆସିବା ଯାଏ ସିଏ କଡ଼ ଲେଉଟାନ୍ତି । ଏପଟ ସେପଟ ହୁଅନ୍ତି । କିନ୍ତୁ ସେମିତି କିଛି ତ ନାହିଁ ।

: ଏ ଶୋଇ ଗଲଣି କି ? ମୁଁ ଧୀରେ ହଲେଇ ଦେଲି ଅସୀମଙ୍କୁ ।

: ହଁ କ’ଣ କହିବ ନା – କଣ ?

: ନାଇଁ, କାଲି କ୍ଲିନିକ୍‌ ଯିବା କଥା କହୁଥିଲ ପରା ?

କଡ଼ ଲେଉଟାଇଲା ଅସୀମ । ମୋ ଆଖି ସହ ମିଶେଇବାକୁ ଚେଷ୍ଟା କଲେ । ତାଙ୍କ ମୁହଁରୁ ଜଣାପଡୁଛି ଯେମିତି ସିଏ ମୋତେ ଚାହିଁ ଜାଣିବାକୁ ଚାହୁଁଛନ୍ତି କ୍ଲିନିକ ଯିବା ନେଇ ମୋର ମତ କଣ ?

: ତୁମେ କଣ କହୁଚ ?

: ମୁଁ କଣ କହିବି ? ଏମିତିରେ ବାପା ବୋଉ ସମସ୍ତେ ଚାହାନ୍ତି …

: କଣ ଚାହାନ୍ତି ?

: ଆମର ଏଇ ଦ୍ଵିତୀୟଟା ପୁଅ ହେଉ ।

: କାହାରି ଚାହିଁବାରେ ତ ପୁଅ କି ଝିଅ ହୁଏନା ।

ଟିକିଏ ବିରକ୍ତିଭରା ସ୍ୱର ଶୁଭିଲା ଅସୀମଙ୍କର । ବୁଝି ପାରିଲି ନାହିଁ । ଏହା ତାଙ୍କ ନିଦ ଭାଙ୍ଗିବା କାରଣରୁ ନା- ଅନ୍ୟ କିଛି ? ମୁଁ ବୁଝେଇଲା ପରି କହିଲି – ଦେଖ କାହାରି ଚାହିଁବାରେ ତ କିଛି ହୁଏନା ଏ କଥା ସତ । ତଥାପି ମଣିଷର ଇଚ୍ଛା ବୋଲି କିଛି ଅଛି – ନା ! ସେମିତି …

: ଇଚ୍ଛା , ବୁଝିଲ କେବଳ ସେଇଟା ଉପରେ ମଣିଷର ମାଲିକାନା ଥାଏ । ସେଇଟା ଯେ ଯାଏ ପରିଣାମ ର ପାହାଚ ନ ଛୁଇଁଚି ସେ ଯାଏ ମଣିଷ ନିଜକୁ କିଛି ଗୋଟେ ଭାବି ହଉଥାଏ । ଅଚ୍ଛା ତମେ ମୋତେ କହିଲ, କାଲି କ୍ଲିନିକ୍‌ ରିପୋର୍ଟ ଆସିଲା ତମର ଏଇଟା ଝିଅ … ।

: ଛି ଏମିତି ଅଶୁଭ କଥା କାହିଁକି ମୁହଁରେ ଧରୁଚ । ମୋ ମନ କହୁଚି ସେମିତି କିଛି ବି ହବ ନାହିଁ ।

: ଧନ୍ୟବାଦ ଦଉଚି ତମ ଇଚ୍ଛା ଶକ୍ତିକୁ । କାମନା କରୁଚି ଆସନ୍ତା କାଲି ସକାଳ ତମ ପାଇଁ ଶୁଭ ଖବର ନେଇ ଆସୁ । ରାତି ଅନେକ ହେଲାଣି ଏବେ ଶୋଇପଡ଼ ।

ଶୋଇବା ଘରର ସବୁ ଆଲୁଅ ଲିଭେଇ ଦେବା ପରେ ଅନ୍ଧାର ଇ ଅନ୍ଧାର । କେଇଟା ମୁହୂର୍ତ୍ତ ପରେ ଅସୀମଙ୍କ ଘୁଙ୍ଗୁଡ଼ି ସୂଚେଇ ଦଉଚି ସିଏ ଶୋଇଗଲେଣି । କେଉଁ ଏକ ଅଜଣା ଆନନ୍ଦର ବିଭୋରପଣ ମୋତେ ନିଜ ଠୁ ଅନେକ ଦୂରକୁ ନେଇ ଯାଉଛି । ଅସୀମଙ୍କ କଥା ଶୁଣିଲା ପରେ ଚିନ୍ତାମୁକ୍ତର ଏଇ ଅନୁଭବ । ଏଇ ମମତାକୁ ହିଁ ଅପେକ୍ଷା କରି ଆସିଛି ମୁଁ । ଭାବନାର ଖିଅ ଲମ୍ବି ଯାଉଚି ନିଃସୀମ ଦିଗ୍‌ବଳୟ ଆଡ଼େ । ସତରେ ଝିଅଟିଏ କ’ଣ ? କଣ ତା ଜନ୍ମ ରହସ୍ୟ ! ବାପା ମାଆଙ୍କ ପାଖରେ ହସି ଖେଳି ବଢେ । ସ୍ନେହ ଆଦର ପାଏ । ହେଲେ କାହିଁକି ଯେ କେଉଁଠି ନା କେଉଁଠି ତା ପାଇଁ ସମସ୍ତଙ୍କ ମନରେ ଥାଏ ଗୋଟେ ପରଘରୀ ଭାବନା । ସେଇଥି ପାଇଁ ସବୁ ପାଇ ବି କିଛି ନ ପାଇବା ପରି । ସବୁଠି, ସମସ୍ତଙ୍କ ଭିତରେ ଥାଇ ବି ନ ଥିଲା ପରିସ୍ଥିତି । ପରିବାର, ବନ୍ଧୁବର୍ଗ, ସମାଜ ସବୁଠି ତା’ ପାଇଁ ଏକ ପ୍ରକାର ଗୈରିକ ଭାବନା । ଝିଅ ଜନମ ପରା ଘରକୁ । ପର ଘରେ ଇ ତା’ ଜୀବନ, ସଂସାର । ତା ମନର ସାଇତା ସ୍ନେହ, ଶ୍ରଦ୍ଧା , ତ୍ୟାଗ, ତିତିକ୍ଷାକୁ ଦି ଭାଗରେ ଭାଗ ବାଣ୍ଡୁରା କରିବାକୁ ହୁଏ । ଅଧେ ବାପ ଘରେ ଆଉ ଅଧିକ ଶାଶୁଘରେ । କେଉଁଠି ତା’ ତ୍ୟାଗ ଭଲ ପାଇବାରେ ସନ୍ତୁଷ୍ଟ ସ୍ୱାମୀ, ପରିବାର ମିଳିଗଲାତ ସିଏ ହୁଏ ସୁଖୀ । ତା’ ନ ହେଲେ ତ ଦୁଃଖ ଯନ୍ତ୍ରଣାରେ ସଢୁଥାଏ ଅବଶିଷ୍ଟ ଆୟୁଷ – ନିଜର ଇଚ୍ଛା, ଅନିଚ୍ଛା, ଖୁସିର କିଛି ହିଁ ମୂଲ୍ୟ ନ ଥାଏ । ସ୍ବପ୍ନ ସମ୍ଭାବନା ସବୁ ଆଉ କାହାର ଅଧୀନ , ନିଷ୍ପେସିତ କେବେ ପୂଜା ବେଦୀର ଦେବୀ କେବେ ବଳିବେଦୀର ପଶୁ ।

କ୍ଲିନିକ୍‌ ରେ ଆଗରୁ ନମ୍ବର କରାଯାଇଥିଲା । ଖୁବ୍‌ କାମ୍‌ ସମୟର ଅପେକ୍ଷା ପରେ ମୋତେ ଡାକରା ଆସିଲା । ମୋତେ ଡକାଯିବା ମାତ୍ରେ ମୁଁ ଭଗବାନଙ୍କ ଉଦ୍ଦେଶ୍ୟରେ ଆଖିକୁ ବୁଜିଦେଲି । ବେଞ୍ଚ୍‌ରୁ ଉଠିବା ପୂର୍ବରୁ ଠାରେ ପାଖରେ ବସିଥିବା ଅସୀମଙ୍କ ମୁହଁକୁ ଚାହିଁଲି । ସିଏ ମୋତେ ଇସାରାରେ ଇସାରାରେ ଶୁଭକାମନା ଜଣାଇଲେ । ମୁଁ କ୍ଲିନିକ୍‌ ଭିତରକୁ ପାଦ ବଢ଼େଇଲି ।

କମ୍ପ୍ୟୁଟର ପରଦାରେ ଗୋଟେ ଆଲୋକିତ ରେଖାର ବିଚିତ୍ର ଗତିକୁ କେବଳ ମୁଁ ଚାହିଁ ରହିଥାଏ । କ୍ଲିନିକ୍‌ର କାଚ କାନ୍ଥରେ ସେଇଟା ଭିନ୍ନ ମାତ୍ରାରେ ଦିଶୁଚି । କେବେ ସେଇ ରେଖା ଉପରକୁ ତା କେବେ ତଳକୁ । ଏଇ ରେଖା ହିଁ ସୂଚେଇ ଦେବ ସମସ୍ତଙ୍କ କାମନାର ଭବିଷ୍ୟତ କଥା । କି ସୂଚନା ଆସୁଚି ମୋତେ ଜଣା ନାହିଁ । ତଥାପି ମୁଁ ଆଶାବାଦୀ । ଏଇ ରେଖା ସହିତ ମୋ ଆଖି ମିଶିଯାଇଚି । ସେଇଟା ଯେଉଁଠି ସ୍ଥିର ହୋଇଯିବ ହୁଏତ ସେଇଠି ମିଳିଯିବ ଆମ ଇପିସିତ୍‌ ପ୍ରାପ୍ତିର ସୂଚନା ।

ଟେବୁଲରୁ ଉଠି ଆସି ମୁଁ ବାହାର ବେଞ୍ଚରେ ବସିଲି । ଅସୀମ ଡାକ୍ତରଙ୍କ ପାଖକୁ ରିପୋର୍ଟ ଆଣିବାକୁ ଭିତରକୁ ଗଲେ । ଏସବୁ କାମ ଏତେ ଗୁପ୍ତ ଭାବରେ ଚାଲିଚି ଯେ ବାହାରକୁ କିଛି ହିଁ ସୂଚନା ନାହିଁ । ପ୍ରଥମ ଥର ପାଇଁ ମୋର ଅନୁଭବ ହେଲା ମୁଁ ଏମିତି କାମ କରୁଚି ଯାହା ଅନ୍ୟ ମାନଙ୍କ ଆଖିରେ ଦୋଷାବହ । ତଥାପି ପୁଅଟିଏ ପାଇବାର ଇଚ୍ଛାର ପ୍ରବଳ ସୁଅ ଆଗରେ ଏମିତି ଗୋଟେ ଅପରାଧବୋଧର ସତ୍ତା ହିଁ ନାହିଁ । ଅସୀମ ମଧ୍ୟ ତାଗିଦ୍‌ କରିଛନ୍ତି ଏ ବିଷୟରେ କେଉଁଠି କିଛି ନ କହିବାକୁ ।

ଅସୀମ କ୍ଲିନିକ୍‌ରୁ ବାହାରି ଆସିଲେ । ମୋ ହାତ ଧରି ବାହାରେ ଠିଆ ହୋଇଥିବା କାର ପାଖକୁ ନେଇଗଲେ । କାର୍‌ ଭିତରେ ବସିବା ଯାଏ ମୁଁ ପଚାରି ପାରୁନି ରିପୋର୍ଟ କଥା । ଏମିତି କି ଅସୀମଙ୍କ ମୁହଁ ଦିଶୁଛି ଗମ୍ଭୀର । କେବଳ ଆଶା ଆଶଙ୍କାର ଛଟପଟ ହେଉଚି ମୋ ମନ । ଧକ୍‌ ଧକ୍‌ ଛାତିର ସ୍ପନ୍ଦନ । ଅସୀମଙ୍କ ନୀରବତା ମୋତେ ଆହୁରି ଶଙ୍କାକୁଳ କରୁଚି । ହେ ଭଗବାନ ! ରିପୋର୍ଟରେ ଅନ୍ୟ କିଛି ହିଁ ବାହାରି ନ ଥାଉ ।

ହଠାତ ଗୋଟେ ବଡ଼ ରେଷ୍ଟୁରାଣ୍ଟ ସାମ୍ନାରେ ଗାଡି ରଖିବାକୁ ଡ୍ରାଇଭରଙ୍କୁ କହି ନିଜେ ଓହ୍ଲେଇଗଲେ ଅସୀମ । କେଇ ମିନିଟ୍‌ ପରେ ହାତରେ ବଡ଼ ମିଠା ପ୍ୟାକେଟ ଧରି ଫେରି ଆସିଲେ କାର୍‌ ଭିତରକୁ ।

ଏଥର ଖୁସିରେ ଉଛୁଳିବାର ପାଳି ଥିଲା ମୋର । ପଚାରିବା ଆଦୌ ଆବଶ୍ୟକ କରୁନାହିଁ ଅସୀମଙ୍କୁ ରିପୋର୍ଟ ବିଷୟରେ । ବୋଧ ହୁଏ ଘରେ ସମସ୍ତଙ୍କ ସାମ୍ନାରେ ମୋତେ ଏ କଥାର ସର୍‌ପ୍ରାଇଜ୍‌ ଦେବା ଇଚ୍ଛାରେ ଅସୀମ ଚୁପ୍‌ ଅଛନ୍ତି । ଏଇ ଖବରଟା ଦେଇ ସମସ୍ତଙ୍କ ମୁହଁ ମିଠା କରିବେ ।

ସତକୁ ସତ ଘରେ ଆମ ଫେରିବା ବାଟକୁ ଚାହିଁ ରହିଛନ୍ତି । ଆଉ ମିଠା ପ୍ୟାକେଟ୍‌ ଟା ଅସୀମଙ୍କ ହାତରେ ଦେଖି ସେମାନଙ୍କ ଖୁସିର ସୀମା ନାହିଁ । ଲିମା ପ୍ୟାକେଟ ଖୋଲି ସମସ୍ତଙ୍କୁ ମିଠା ଖୁଆଉଚି । ଅସୀମଙ୍କୁ ମିଠା ଖୁଆଇ ଖୁଆଇ କହୁଚି – ବାପା … ବାପା, ମୋର ଭାଇ ଆସିବ ନା ?

ଅସୀମ ମିଠା ଖାଉ ଖାଉ ନୀରବରେ ଚାହିଁ ରହିଛନ୍ତି ଝିଅ ମୁହଁକୁ । ଦେଖୁଛନ୍ତି ସମସ୍ତଙ୍କ ଖୁସି କୁ । ମାନେ ମାନେ ଉପଭୋଗ ବି କରୁଛନ୍ତି । କିନ୍ତୁ କାହାକୁ ହେଲେ କିଛି କହିପାରୁ ନାହାନ୍ତି । ସତରେ ସୃଷ୍ଟିର ଗତାନୁଗତିକତାକୁ ବେଖାତିର କରି ନିଜ ଇଚ୍ଛାର ମାଲିକମାନେ କଣ ଏମିତି ସବୁଦିନ ଖୁସି ହୋଇ ପାରନ୍ତି ! ଯଦି ସୃଷ୍ଟିର ଗତିକୁ ପରିବର୍ତ୍ତନ କରିଦେଇ ପାରୁଛନ୍ତି ବୋଲି ଏଇ ଦାମ୍ଭିକମାନେ ହସିପାରନ୍ତି ତେବେ ସୃଷ୍ଟିର ନିୟମକୁ ସ୍ୱାଗତ କରି ସିଏ କାହିଁକି ଖୁସି ହୋଇ ନ ପାରିବେ !

ନିର୍ବୋଧମାନଙ୍କର ଖୁସିର ଆୟୁଷ ସତରେ କେତେ ? ଏହି କଥା ଭାବି ଅସୀମ ହସିଦେଲେ । ଏଇ ଖୁସିକୁ ଏ ଘରେ ଏବେ କାହା ସାଥିରେ ଭାଗ କରିହେବ ନାହିଁ । ଏକଥା ସେ ବେଶ୍‌ ଭଲ ଭାବରେ ଜାଣିଛନ୍ତି । ଏକାକୀ ଖୁସି ମନେଇବାକୁ ଯାଇ ସମସ୍ତଙ୍କ ଅଲକ୍ଷ୍ୟରେ ଟେବୁଲ ଉପରେ ଥୁଆ ହୋଇଥିବା ମିଠା ପ୍ୟାକେଟରୁ ଗୋଟେ ମିଠା ଉଠାଇ ଆଣିଲେ । ଏକା ବେଳେକେ ପାଟି ଭିତରେ ପୁରାଇ ଦେଲେ ।

ଲୋକପ୍ରିୟ ଲେଖା

To Top