ଗଳ୍ପ

କିଛି ଗୋଟେ ଘଟିବାର ମୁହୂର୍ତ୍ତ

Laxmidhara Nayak's odia story Kichhi Gote Ghatibaara Muhurtta

ରଙ୍ଗାରେ ! ଗୋଟାଏ ଜାଗାରେ ବାଦାମ ବିହନ ବୁଣିଚାଲିଚୁ । ତୋଫାନ୍ ତୁହାଏ ଆସିଛି ଯଦି, ନଇଁ ପଡୁନୁ । ଛୁଇଁ ଛୁଇଁ ଭାସିଯିବ । ଜେଜେ କହୁଥାନ୍ତି । ହସି ହସି କହୁଥାନ୍ତି ।

କିଛି ଗୋଟେ ଘଟିବାର ମୁହୂର୍ତ୍ତ

-: ପୂର୍ବରୁ :-

ପ୍ରକୃତରେ ସେ ଖରଖରୀ ନୁହଁ । ମିଛରେ ମିଛରେ. . . ଉପରେ ଉପରେ ରାଗେ । ମୁଁ ତା’ ସହିତ ଝଗଡ଼ା କଲେ, ଖୁସି ହୁଏ । କହିଲେ, କହିବ- “ଆମେ କ’ଣ ଝଗଡ଼ା କଲେ, ପାଟି ଫିଟାଫିଟି ହେଉନାହାନ୍ତି । କେହି କାହାକୁ ଦୋଷ ଦେଇ, ନିଜ ଘରେ ପଡ଼ିକି ରହୁଛନ୍ତି କି !”

ତାକୁ ରଗାଇବା ପାଇଁ କହିଲି- “ଚନ୍ଦିରି ! ପାନ ଖଇନି ଆଣି ପାରିନି. . . ଭୁଲିଯାଇଛି । ଏଇପାଇଁ କେତେ କଥା କହିଲୁଣି ତ. . . ହେଇ ଧରିଲି କାନ । ଉଠ୍‌ବସ୍ ହେବି ।”

ମୋ ପାଟିରେ ହାତ ଦେଇ କହିଲା- “ଆରମ୍ଭ କଲୁନା. . . ନବଜ । ଯାଉନୁ ହଳ କରିବୁ । ଜେଜେ ବୁଢ଼ା ହେଲେଣି. . . କେତେ ଖଟିବେ ! ନାତି. . . ନା କାତି ! !”

ଏତିକି କହି, ଜେଜେଙ୍କ ହାତକୁ ପାନ, ଖଇନି ବଢ଼େଇ ଦେଇ ଡେଇଁଲା ପରି ଧାଇଁ ପଳାଇଲା ହିଡ଼େ ହିଡ଼େ ।

ଗୋରୀ ଦେହକୁ ଟୁପୁଟୁପିଆ ହଳଦୀ ରଙ୍ଗର ଫ୍ରକ୍ ।

ଯେମିତି ହରିଣୀଟିଏ ଡେଇଁଲା ପରି ଲାଗୁଥାଏ ।

. . . ଏବେ ଆଉ ପଢ଼ା ପ୍ରତି ମୋର ମନ ନାହିଁ । ଜେଜେଙ୍କ ବିଲ କ୍ଷେତ ମୋର ସ୍କୁଲ । ଜେଜେ ମୋ ଶିକ୍ଷକ । ମୁଁ ତାଙ୍କର ଶ୍ରେଣୀରେ ପ୍ରଥମ ହେଉଥିବା ଏକମାତ୍ର ଛାତ୍ର । ମୋ ପାଇଁ ଗୁରୁ ଆଜ୍ଞା. . . ଶିରୋଧାର୍ଯ୍ୟ ।

ଦିନେ ହଳ କରୁ କରୁ ଜେଜେଙ୍କୁ କହିଲି- “ପାଞ୍ଚଣଟିଏ କେବେ ବି ଆଣୁ ନା ହାତରେ । ପାହାରେ ବାଜନ୍ତା ତ ବଳଦଙ୍କ ପିଠିରେ. . . ଦୌଡ଼ି ଦୌଡ଼ି ହଳ କରନ୍ତେ । ଦିନକୁ ଦି’ ପା’ ବଦଳେ. . . ମାଣେ ଚଷି ଦିଅନ୍ତେ । ପିଟୁନା କାହିଁକି, କସରା ଧଳାଙ୍କୁ ।”

– କହିଲେ- “ଆମ କସରାଧଳା ବଳଦ. . . ତାଙ୍କର କାଳିଆ ବଳିଆ ଠାକୁର । ଯେତେଥର ସେ ସେମାନଙ୍କ ନାଁ ଧରନ୍ତି, ସେତେଥର ତାଙ୍କୁ ବଡ଼ ଦେଉଳର ରତ୍ନ ସିଂହାସନରେ କାଳିଆ ବଳିଆ ଦିଶନ୍ତି ! !”

ଜେଜେଙ୍କ ଈଶ୍ୱର ଭାବନା ବଡ଼ ଚମତ୍କାର ।

ତାଙ୍କ କଥା ଶୁଣି. . . ମୁଁ ବିଭୋର ହେଇଗଲି । ତଥାପି କହିଲି- “ଅତି ଗେହ୍ଲା ଯୋଗୁଁ ତମେ ତମ ପୁଅକୁ ହରେଇଛ ଜେଜେ । ବଳଦ ଦୁଇଟାଙ୍କୁ ଏତେ ଗେହ୍ଲା କଲେ, ଅଳସୁଆ ହେଇଯିବେନି ।”

ଜେଜେ ମୋ ଆଡ଼େ ଏମିତି ଚାହିଁଲେ, ଯେମିତି କି ସେ ଚାହାଁଣି. . . ମୋ ଛାତିରେ ଗଳିଗଲା । କହିଲେ “ୟା’ଙ୍କୁ ପଶୁ ଭାବି ପିଟିବୁ ତ. . . ଚଷିବେ, ଭୂଷିବେ କିବା. . . କାନ୍ଧରୁ ଯୁଆଳି ଖସାଇ, ବିଲରେ ଶୋଇବେ । କେତେ ପିଟିବୁ । ୟା’ଙ୍କରି ପାଇଁ ଆମର ଅମାର ପୂରୁଛି । ଘର ଅଳଙ୍ଗ ରହି ଫସଲରେ ଭରିଯାଉଛି । ବାପ ଅମଳର ଦୁଇମାଣ ଜମି ପାଞ୍ଚ ମାଣ ହେଲା କାହା ଯୋଗୁଁ । ଚାଳ ଛପରଘର ଛାତପକାଘର ହେଲା କାହା ପାଇଁ । ଏମାନେ ମନ ଦେଇ ଖଟିଲେ ବୋଲି ତ. . . । ଆଉ ଦିନେ ପିଟିବା କଥା ଭାବିବୁ ନାହିଁ ରଙ୍ଗା. . . ।”

ସେଇଦିନୁ ମୁଁ ଶିଖିଲି ଜେଜେଙ୍କଠାରୁ- ଉପକାରୀ ପ୍ରାଣୀ ମୁହଁରେ ଭାଷାନାହିଁ ବୋଲି. . . ତାଙ୍କୁ ଆମେ ନ ବୁଝିବା ଠିକ୍ ନୁହେଁ । ସେମାନଙ୍କର ଯତ୍ନ ନେବା ଆମର ସବୁଠୁ ବଡ଼ କର୍ତ୍ତବ୍ୟ. . . ।

ଜେଜେଙ୍କ ସାହଚର୍ଯ୍ୟରେ. . . ତାଙ୍କରି ପରାମର୍ଶରେ. . . ମୁଁ ଧୀରେ ଧୀରେ ଭଲ କୃଷକଟିଏ ହେଇଆସିଲିଣି । ବୟସ ବଢ଼ିବା ସହିତ ଅଭିଜ୍ଞତା ବଢ଼ି ବଢ଼ି ଚାଲିଲା । ଚିରାଚରିତ ଗାଉଁଲି ବିହନ ବ୍ୟବହାର ନ କରି, ମୁଁ ଏବେ ଅଧିକ ଉତ୍ପାଦନକ୍ଷମ ସରକାରୀ ବିହନ ବ୍ୟବହାର କଲି । ଯନ୍ତରେ ପାଣି ନ ବୋହି, ପାଣି ପମ୍ପ ବସାଇଲି. . . ଆମ ଉପର ମୁଣ୍ଡ ଜମିରେ । ବର୍ଷ ତମାମ୍ ଆମ ଜମି ହସୁଥାଏ ଫସଲରେ ।

ମୋତେ ପଚିଶିକୁ ଜେଜେଙ୍କୁ ପଚସ୍ତରୀ ।

ଜେଜେ ତାଙ୍କର କାଳିଆ ବଳିଆଙ୍କୁ ଯୋଟି ଦେଇ. . . ବାଦାମ ବିହନ ବୁଣା ହେବା ପାଇଁ ସିଆର କାଟୁଥାନ୍ତି ଗୋଜି ଲଙ୍ଗଳରେ । ମୁଁ ସେଥିରେ ଛାଡ଼ି ଛାଡ଼ି ମଞ୍ଜି ବୁଣୁଥାଏ । ଆଉଚାଏ ଲେଖାଁ ବୁଣିସାରିଲା ପରେ, ମଇ ଦେଉଥାଏ । ଜେଜେ କହିଥାନ୍ତି- “ପୁରା ଜମିରେ ବିହନ ବୁଣୁବୁଣୁ. . . ପଲକୁପଲ ବାଲିଟିଆ ଉଡ଼ିଆସି, ସବୁ ମଞ୍ଜି ଟୁଙ୍କି ଦେବେ । ବିହନ ଶେଷ. . . ଚାଷ ସଫା ।”

ଆଜି ପୁଣି ପୂନେଇଁ । ଜୁଆର ଉଠିବା ସଙ୍ଗେ ସଙ୍ଗେ ପମ୍ପ୍ ଚଳାଇ, ପୋଟଳ କିଆରିକୁ ଛାଡ଼ପାଣି ମଡ଼ାଇବାକୁ ହେବ । ଏଇ ପାଇଁ ଆଜି ଗାଧୁଆବେଳଟା ପଲାରେ କଟାଇବାକୁ ପଡ଼ିବ । ଏଇଠି ଗାଧୁଆ. . . ଏଇଠି ଖିଆ ।

ସୂର୍ଯ୍ୟ ଆସି ମଥା ଧରିବ ଧରିବ ହେଲାଣି. . . ଜେଜେ ଲଙ୍ଗଳ ଛାଡୁ ନାହାନ୍ତି. . . କି, ମୁଁ ମଞ୍ଜି ବୁଣିବା ।

ଭୋକରେ ପେଟ ଜଳିଳାଣି ।

ଜେଜେ-ନାତି ଥରକୁ ଥର ଚାହୁଁଛୁ- ଗାଁ ଆଡ଼େ ।

ଜେଜୀ ଆଜି କାହାକୁ ପାଇଲା ନାହିଁ କି. . . ପିଠାଚାହା, ପାଣିପଖାଳ ପଠାଇବାକୁ କହି ଆସିଥିଲି ଚନ୍ଦିରୀର ବାପା. . . ଦୀନା ଦାଦିକୁ । ଧଇଁ କାଶକୁ ପେଟ ବିନ୍ଧା ତାଙ୍କର । କ’ଣ ହେଲା ?

ଜେଜେ କହିଲେ- “ମୋର ତ ଶୁଖିଲା ଅନ୍ତ । ସମ୍ଭାଳି ନେବି. . . ତୁ ସମ୍ଭାଳି ପାରୁନୁ ଭୋକ । ଯା’. . . ଘରୁ ଦି’ଟା ଖାଇଦେଇ, ମୋ ପାଇଁ ନେଇଆସିବୁ । ମୁଁ କାଳିଆ ବଳିଆଙ୍କୁ ଖୋଲି ଦେଇ, ନାଲି ଗାମୁଛା ହଲାଇ ବାଲିଟିଆ ହୁରୁଡ଼ାଉଛି. . . ।”

ମୁଁ ବାହାରୁଥିଲି ତ. . . ବାରିପାଖ ନାଳ ଆଡ଼େ ଅନାଇଲି- କିଏ ପାର ହେଲା ଖଜୁରୀ ଗଛର ପୋଲକୁ ! !

ପାରଖୁଡ଼ୀ ଝିଅ ଚନ୍ଦିରୀ ପରି ଲାଗୁଚି ତ ! ! !

ଯୁବତୀ ଝିଅଟା ଆମ ପାଇଁ ଆସୁଚି ! ! !

କସ୍ତା ଶାଢ଼ୀଟିଏ ପିନ୍ଧିଚି. . . ।

ମୁଣ୍ଡରେ ଥୋଇଚି-ପିଠା ଜଳଖିଆ ବୁଜୁଳା ।

ବାଁ ହାତ ଉପରକୁ ତୋଳି, ଧରିଚି ତାକୁ । କାଳେ ଖସିପଡ଼ିବ । ଡାହାଣ ହାତର ସରୁ ଶିକାଟିରେ ପଖାଳ ହାଣ୍ଡି, ତା’ ଉପରେ ତିଉଣ ଶାଗର କଂସା କି ତାଟିଆ ।

ଧୀରେ ଧୀରେ ଚହଲି ଦୋହଲି ଆସୁଚି ।

ପାଦ ଖସିଯିବ. . . କାଳେ ପଡ଼ିଯିବ ।

ଛାତି ଲୁଗାକୁ ଦାନ୍ତରେ କାମୁଡ଼ି, ଆକଟ କରୁଚି ପବନକୁ. . . ତାକୁ ଅପହସ୍ତ ନ କରିବାକୁ ।

ଚନ୍ଦିରୀଟା କେଡ଼େ ସୁନ୍ଦରୀ ହେଇଚି ମ ! ! !

କେଡ଼େ ସୁନ୍ଦର ଦିଶୁଚି ଦୂରରୁ- ଶିଳ୍ପୀଟିଏ ଚିତ୍ର ଆଙ୍କିଲା ପରି. . . ପଲ୍ଲୀ ଯୁବତୀର କ୍ଷେତକୁ ଆସିବା ଚିତ୍ର ! ! !

ଛାତି ଭିତରଟା କ’ଣ ହେଇଗଲା ପରି. . . ଜିଭ ବି ଶୁଖିଲା ଶୁଖିଲା ଲାଗିଲା । ହଠାତ୍ କେହି ଗାଲରେ ଚାପୁଡ଼ାଏ ମାରିଲା ପରି ମନେ ହେଲା- ମୋ ଛାତି ଭିତରୁ ବାହାରିଆସି. . . ।

କହିଲା- “ପାରଖୁଡ଼ୀ ଝିଅ ଏବେ ଯୁବତୀ । ସମୟ ବୟସର ପଢ଼ାସାଥୀ ହେଲେ ବି. . . ତୋ ତା’ ଭିତରେ ଯେଉଁ ବରାଣ ଠିଆ ହେଇଚି. . . ତା’ ଓଡ଼ିଆ ଘରର ସଂସ୍କୃତି । ଚୁପ୍ ରହ ।”

ମୁଁ ଭାବିଲି- ସୁନ୍ଦରୀକୁ ସୁନ୍ଦରୀ ଭାବିବାରେ ଭୁଲ୍ କେଉଁଠି ଯେ. . . ମତେ ସଂସ୍କୃତି ଅପସଂସ୍କୃତିର ପାଠ କିଏ ପଢ଼ଉଚି ? ମୁଁ କାହିଁକି ନିଜକୁ ଦୋଷୀ ଭାବିବି ?

ଚନ୍ଦିରୀ ପହଞ୍ଚୁ ପହଞ୍ଚୁ ଡାକ ଛାଡ଼ିଲା- ଏ ରଙ୍ଗାଭାଇ ! ଧର୍ ଧର୍ ! ଢାଳିଢୁଳି ହେଇଯିବ ତ. . . ଦୋଷ ଦେବୁନି । ବେକ, ହାତ କଟକଟ ହେଲାଣି ।

ବିହନ ଟୋକେଇଟା ଥୋଇ ଦେଇ, କେଇ ଖେପାରେ ତା’ ପାଖରେ ପହଞ୍ଚିଗଲି, ତା’ ମୁଣ୍ଡରୁ ବୁଜୁଳାଟା ଓହ୍ଲାଇ ବି, କି. . . ସେ ନିଜେ ଓହ୍ଲାଇବ ବୋଲି ଭାବୁଚି. . . ଚନ୍ଦିରୀ କହିଲା କ’ଣ ଛୁଆନ୍ତା ହେଇଚି ? ଧରୁନାହୁଁ !

ମୁଁ ଓଜନିଆ ବୁଜୁଳାଟା ଓହ୍ଲାଉ ଓହ୍ଲାଉ, ସେ ହାଣ୍ଡି ସିକା ହିଡ଼ରେ ରଖିସାରିଥିଲା । ତା ପ୍ରତି କୃତଜ୍ଞତାରେ ଛାତି ପୂରି ଉଠୁଥାଏ ।

ଭାରି ବାସୁଥାଏ ଚନ୍ଦିରୀ ! ! !

– “କ’ଣ ଲଗେଇ ହେଇଚୁ ଲୋ ? ଏତେ ବାସୁଚୁ ।” ପଚାରିଲି ।

. . . ନାଇଁ ମ ! ବୋଉ କହିଲା- ଭଲ ଶାଢ଼ିଟା ପିନ୍ଧିଚୁ ଯା’ । ବାକ୍ସରୁ ବାହାର କଲି- ଏଇ ଜର୍ଦ୍ଦା ରଙ୍ଗର ସମ୍ୱଲପୁରୀ କସ୍ତାଶାଢ଼ୀ । ପିନ୍ଧିସାରି ଅଇନାକୁ ଚାହିଁଲି ଯେ. . . ମନ ହେଲା ସେଣ୍ଟ୍ ଟିକେ ସିଞ୍ଚି ହେବାକୁ । ସେଇ ପାଇଁ ନା, ଏ ବାସ୍ନା. . . ।

ଇଚ୍ଛା ହେଉଥାଏ କହିବାକୁ- ତୁ ନିଜେ ତ ଗୋଟିଏ ବାସ୍ନା । କିନ୍ତୁ ସେହି ଏକା ଚଟକଣି କିଏ ଗାଲରେ ମାରିଲା । ଛାତି ଭିତରେ ଥାଇ କହିଲା- “ରଙ୍ଗା ! ଯେଉଁ ଭାବନା ଦିନ କାଳେ ନାହିଁ- ଆଜି କାହିଁକି ?”

ଭାବିଲି- ଏଇଟା ଛାତି ନା ଆଉ କ’ଣ ? ମୋ ଛାତି ମୋର ନୁହେଁ । ଚନ୍ଦିରୀ ପକ୍ଷ ନେଇ କହୁଚି କେମିତି ?

ନିରବି ଗଲି । ଆମ ଚଳଣି, ସଂସ୍କୃତି ଓ ଶିଷ୍ଟାଚାର. . . ସେତେବେଳକୁ ତିନିଲଣ୍ଡା ଛେପ ପକାଇ ସାରିଲେଣି ମୋ ମୁହଁକୁ ! ! !

ଚନ୍ଦିରୀ ହସି ହସି ଚାହିଁଥାଏ ମୋ ମୁହଁକୁ । ମୁଁ ମୂର୍ଖଟା ବୋଲି ଭାବୁଥିବ କି ! ସେ ତ ମୋ ଠୁ ଆଠଗୁଣା ଚାଲାକ୍ । ମୋ ଭିତରଟାକୁ ବୁଝିଯାଉଛି କି ! !

ନିଜକୁ ଏମିତି ପଚାରୁଥିଲି ତ. . . ଜେଜେ ପହଞ୍ଚିଲେ ।

ଚନ୍ଦିରୀ ପିଠା, କ୍ଷୀର, ଆଳୁକଦଳୀ ଭଜା, ବାଇଗଣ ଭରତା, ସେ ଆଣିଥିବା ଥାଳିରେ ଜେଜେଙ୍କ ପାଇଁ ପରଷିଲା । ମୋ ପାଇଁ ସିକାରେ ଆଣିଥିବା ପଖାଳ ଭାତ ବେଲାଏ ସାଙ୍ଗକୁ, ମୁଁ ଭଲ ପାଉଥିବା ଲେଉଟିଆ ଶାଗ ଖରଡ଼ା, ବଢ଼ିଚୂରା, ସଜନା ଛୁଇଁର ଭାଜି ଓ ଲଙ୍କା ଲୁଣ ସହିତ କାକୁଡ଼ି ବାଢ଼ିଲା. . . ।

ଜେଜେ ପଚାରିଲେ- “ଚାନ୍ଦ ! ଏତେ ସବୁ ତ. . . ଜେଜୀ କରିପାରି ନଥିବ ।”

ଚନ୍ଦରୀ ଓଠରେ ହସ ।

କହିଲା- “ଦିନେ କହିଥିଲି ନା. . . ବୋଉ ନ ପଢ଼ାଇବ ତ. . . ମୁଁ ଆମ ଘରକାମ ସାରି ତମ ଘରକୁ ପଳାଇ ଆସିବି । ଜେଜୀଙ୍କୁ କାମରେ ସାହାଯ୍ୟ କରିବି । . . . ସେଇ ପାଇଁ ଏତେ ଡେରି ।” ଜେଜେ ଖାଅ ମ !

ଜେଜେ ପାଟି ପାଖକୁ ପିଠା ନେଉଥିଲେ ତ. . . କ’ଣ ଭାବୁଥିଲେ । ବୋଧହୁଏ ମନେ ପକାଉଥିଲେ- ଚନ୍ଦିରୀ ସେଦିନ କ’ଣ କହିଥିଲା, ସେ ତାକୁ କ’ଣ କହିଥିଲେ କିମ୍ୱା ଅନ୍ୟ କିଛି ।

ମୁଁ ଖାଉଥିଲି ତ ଚନ୍ଦିରୀ ପଚାରିଲା- “ତତେ ଆଉ କ’ଣ ଭଲ ଲାଗେ ପରା । ଖାଇବୁ ନି । ଆଣିଛି ଆମ ଘରୁ । ବୋଉ ଦେଇଛି । ତା’ ଅଲିଅଳ ଖାଇବ । ବାହାର କରିବି !”

ଇଚ୍ଛା ହେଉଥିଲା କହିବାକୁ- ଆଉ ଭୋକ ଅଛି ଯେ. . . କ’ଣ ଖାଇବି ?? ମୋ ପଢ଼ାସାଥୀ ଚନ୍ଦିରୀ । ଥଟ୍ଟା ହେବାରେ ଅସୁବିଧା କ’ଣ ? ଜେଜେ ଥାଉନ୍ତୁ ତ. . . ଯିଏ ଥାଉ । ସାଙ୍ଗ, ସାଙ୍ଗ ନୁହେଁ କି ! କିନ୍ତୁ କିଛି କହିପାରିଲି ନାହିଁ ! !

ଚନ୍ଦିରୀ କାନିରେ ଗଣ୍ଠିଖୋଲି ବାହାର କଲା- ମୋର ସବୁଠୁ ପ୍ରିୟ. . . ଆମ୍ୱସଡ଼ା । ତା’ର ମହମହ ବାସ୍ନା. . . ମୋ ଜିଭ ତଳେ କେମିତି ଗୋଟାଏ ପରିପୂର୍ଣ୍ଣ ଲାଳସା ସୃଷ୍ଟି କରିଦେଲା ।

ହଠାତ୍ କହି ହେଇଗଲା- ୟା’କୁ ଖୁଡ଼ୀ ଦେଇନାହାନ୍ତି ଚନ୍ଦିରୀ । . . . ତୁ ଆଣିଛୁ । ମନେ ରଖିଛୁ ଏ ଯାଏ- ପିଲାଦିନର ଆମ୍ୱସଡ଼ା ଖୁଆଖୋଇ । ତୋ ପାଟିରେ ମୁଁ. . . ମୋ ପାଟିରେ ତୁ ! ! !

ଚନ୍ଦିରୀର ଓଠ ହସୁଥାଏ. . .

ଆଖିରୁ ଝର ଝର ଲୁହ ଝରୁଥାଏ. . .

ମୁଁ ବି କାନ୍ଦୁଥାଏ. . . ବାରମ୍ୱାର ପୋଛି ପକାଉଥାଏ ନିଜ ଆଖିର ଲୁହକୁ । କାରଣ, ତା’ ଯୋଗୁଁ ମୋ ଚନ୍ଦିରୀ ମୁହଁ ଝାପ୍ସା ଝାପ୍ସା ଦିଶୁଥାଏ ମୋତେ । ମୁଁ ଅଥୟ ହେଉଥାଏ ।

ଚନ୍ଦିରୀ ଆଖିର ଲୁହ. . . ବେଳକୁ ବେଳ ବେଶୀ ଝର ଝର ।

ପୋଛି ଦେବାକୁ ହାତ ଉଠୁଥାଏ ତ. . . ରହିଯାଉଥାଏ ପଖାଳ କଂସାରେ । କେମିତି ଗୋଟାଏ କହି ନ ହେଲାପରି, ସହି ନ ହେଲାପରି କୁଣ୍ଠା, ଦ୍ୱିଧା ଓ କର୍ତ୍ତବ୍ୟର ପ୍ରେରଣା ଯୋଗୁଁ. . . ମୁଁ, ମୋ ଭିତରେ ନ ଥାଏ ।

ସଙ୍କୋଚ ଲାଗୁଥାଏ. . . ଜେଜେଙ୍କ ସାମ୍ନାରେ, କେମିତି ପୋଛିବି ଚନ୍ଦିରୀ ଆଖିରୁ ଲୁହ । ବହୁତ ଇଚ୍ଛା ହେଉଥାଏ- ଯାହା ବି ଯିଏ ଭାବୁ, ସେ ଲୁହର ସ୍ପର୍ଶ ନେବି. . . ସବୁଦିନ ପାଇଁ ପୋଛି ଦେବି ।

ନାଃ. . . ବଦମାସ ଛାତିର ସେହି ଏକା ଆକଟ. . . କାଳେ କ’ଣ ଭାବିଦେବ କି ଚନ୍ଦିରୀ । ଅନୁଢ଼ା ଯୁବତୀ ଝିଅକୁ ଛୁଇଁବାର ଅଧିକାରଟିଏ କ’ଣ ସେ ମୋତେ ଦେଇଛି ଯେ. . . ଛୁଇଁବି ।

କହିଲି- ଜେଜେ ! ଦେଖିଲ- ଚନ୍ଦିରୀ କାନ୍ଦୁଚି ! ! ! !

ଚନ୍ଦିରୀ କହିଲା- ଜେଜେ ! ସେ ବି କାନ୍ଦୁଛି ! ! ! !

ଜେଜେ ଆମ ଦୁହିଁଙ୍କ ମୁଣ୍ଡରେ ହାତ ରଖି କହିଲେ- ପାଗଳା ପାଗଳୀ ଦି’ଟା ! ! ସଙ୍ଗେ ସଙ୍ଗେ ତା’ର ସୁନ୍ଦର ନରମ ନରମ ଆଙ୍ଗୁଳି ଟିପରେ, ମୋ ଲୁହଧାର ପୋଛି ଦେଲା । ମୁଁ ବି ତା’ର ।

ସେ କହିଲା- “ପିଲାଦିନ ମନେ ପଡୁଛି. . . ନାଇଁ !”

ତୁ ପୋଛୁଥିଲୁ ମୋ ଲୁହ. . . ମୁଁ ପୋଛୁଥିଲି ତୋର । ଆମେ କ’ଣ ଏମିତି ଲୁହ ପୋଛାପୋଛି ହେଉଥିବା । ଆଉ କିଛି ନାଇଁ ।

ଓଃ ! କେଡ଼େ ଚତୁରୀ ଚନ୍ଦିରୀ ! !

କ’ଣ ସେ କହୁଚି ???

କହିବାକୁ ଚାହୁଁଥିଲି- ଦୁହେଁ ଦୁହିଁଙ୍କ ଲୁହ ପୋଛିବାକୁ ତ ଜନ୍ମ ଆମର, କିନ୍ତୁ କହିପାରିଲି କି ! ଆଠଗୁଣା ଚତୁରୀ ମୋ’ଠୁ ଚନ୍ଦିରୀ । କହିଲା “ଓ ଥାଳି କଂସାଧରି ଚାଲିଗଲା. . . ।”

ଜେଜେ କାଟୁଥାନ୍ତି ସିଆର. . . ।

ମୁଁ ବୁଣୁଥାଏ ବିହନ. . . ।

ମୋ ଦୃଷ୍ଟିଥାଏ- ଚନ୍ଦିରୀ ଚାଲିଥିବା ହିଡ଼ ଉପରେ । ଖରା ବେଳଟାରେ. . . ତୁହାଏ ବସନ୍ତ ପବନ ଛୁଇଁ ଦେଇଥାଏ ମୋ ଛାତିକୁ ।

ମୋତେ ଦିଶୁଚି-

ପବନରେ ଉଡୁଥିବା ଚନ୍ଦିରୀର ଶାଢ଼ୀ. . . ଘୋଷାରି ହେଉଚି ତା’ ପଛରେ ପଛରେ । ଲମ୍ୱ ଲମ୍ୱ କଳାଘୁମର କେଶ ସବୁ ଖେଳାଇ ହେଉଥାନ୍ତି ପିଠିସାରା । ଚାଲିଚି ଚନ୍ଦିରୀ. . . ଯେଉଁ ହିଡ଼ରେ ଆସିଥିଲା, ତାକୁ ଛାଡ଼ି ଦେଇ ଅନ୍ୟ ହିଡ଼ରେ ! !

ଚନ୍ଦିରୀ ତ ଭାରି ଡବଡବୀ ।

ନାରୀଟେ ବୋଲି, କହିବ କହିବ ହେଇ, ମନ ଖୋଲି କିଛି କହିଲା ନାହିଁ. . . ନା, ନ କହି ନ କହି, ସବୁ ଭାବାର୍ଥ ଛାଇ ଦେଇଗଲା ଛାତିରେ । ଅଳ୍ପରେ ଅଳ୍ପରେ । ମୁଁ ତା’ ପରି ଚତୁର ନୁହେଁ ବୋଲି, କିଛି ବୁଝିପାରୁ ନାହିଁ. . . ନା, ଯାହା ବୁଝୁଚି, ଛାତିରେ ଲେଖା ହେଇ ରହୁଚି. . . ଶବ୍ଦ ହେଇ ଓଠକୁ ଆସୁ ନାହିଁ ! !

ତାକୁ ତା’ ପଛରୁ ଦେଖୁ ଦେଖୁ. . . ।

ତାକୁ ନେଇ ଆଗକୁ ଭାବୁ ଭାବୁ. . . ।

ପ୍ରବଣତାରେ ବୁଡ଼ି ଯାଉ ଯାଉ. . . ଏମିତି କେଇଟା ମୁହୂର୍ତ୍ତ ଛାଇଗଲା ମୋତେ. . . ବୁଝିପାରିଲି ନାହିଁ- କ’ଣ କରୁଚି ??

ଏତିକି ଜାଣି ହେଉଚି- ଯେମିତି ସୁଉ ସୁଉ ଫଗୁଣ ପବନ ଦମକାଏ ମୋ ଆଗେ ଆଗେ ଯାଉ ଯାଉ ଇଙ୍ଗିତ କରୁଚି ତା’ ପଛେ ପଛେ ଯାଇ, ତାକୁ ଛୁଇଁବାକୁ. . . । ତା’ ଛାତି ଛୁଆଁ ବାସ୍ନାମୟ ଶୀତଳତାରେ ହଜିଯିବାକୁ ! !

ସିଆରକଟା ବନ୍ଦ ରଖି, ଖଣ୍ଡେ ଦୂରରୁ ଜେଜେ ମୋ ପାଖକୁ ଆସି ସାରିଥାନ୍ତି । ମୋତେ ଏମିତି ଅବସ୍ଥାରେ ଦେଖି, ଅଳ୍ପ ଅଳ୍ପ ହସୁଥାନ୍ତି । ମୁଁ ଜାଣିପାରି ନଥାଏ ।

ବାଦାମ ମଞ୍ଜିର ରଙ୍ଗ ପରି, ମୋ ଭାବନାର ରଙ୍ଗ, ମୋ ମୁହଁକୁ ପାଟଳ ରଙ୍ଗର କରିସାରିଥିବ. . . । ଅନୁରାଗରେ ! ଜେଜେ ଦେଖିଥିବେ । ସେହିପାଇଁ ତାଙ୍କ ମୁହଁସାରା ଆନନ୍ଦ. . . ଓଠସାରା ହସ. . . ତାଙ୍କ ସ୍ୱରରେ- ଦରଦୀବନ୍ଧୁ ଜଣଙ୍କର ଆନ୍ତରିକତା. . . ।

– ରଙ୍ଗାରେ ! ଗୋଟାଏ ଜାଗାରେ ବାଦାମ ବିହନ ବୁଣିଚାଲିଚୁ । ତୋଫାନ୍ ତୁହାଏ ଆସିଛି ଯଦି, ନଇଁ ପଡୁନୁ । ଛୁଇଁ ଛୁଇଁ ଭାସିଯିବ । ଜେଜେ କହୁଥାନ୍ତି । ହସି ହସି କହୁଥାନ୍ତି ।

କେମିତି କହିବି ତାଙ୍କୁ- ମୋ ଭିତରେ କ’ଣ ଚାଲିଚି ! ତୋଫାନ୍ ନୁହେଁ. . . ପ୍ରଳୟକୁ ମଧ୍ୟ ପାର ହେବାର ଅପାର ଶକ୍ତି ଦେଇଯାଇଚି ମୋତେ- ଚନ୍ଦିରୀ ! ମୋ’ଠୁ ଆଠଗୁଣା ଚତୁରୀ ! ! !

ଲୋକପ୍ରିୟ ଲେଖା

To Top