ଗଳ୍ପ

କିନ୍ନର ଏକ ଆଶୀର୍ବାଦ ନା ଅଭିଶାପ ?

Sanghamitra Pattnaik's odia story Kinnara Eka Aashirbaada Naa Abhishaapa ?

ଧାଇଁଗଲି ସେ ଲୋକକୁ ଦେଖିବା ପାଇଁ ଯାହା ଦେଖିଲି ମୋ ଆଖିକୁ ବିଶ୍ୱାସ କରିପାରିଲିନି କାରଣ ସେ ଆଉ କେହି ନୁହେଁ ସେ ଥିଲା ମୋ ଭାଇ ଯିଏ ବାପାଙ୍କ ସହ ମିଶି ମୋତେ ଘରୁ କାଢ଼ି ଦେଇଥିଲା

କିନ୍ନର ଏକ ଆଶୀର୍ବାଦ ନା ଅଭିଶାପ ?

ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ଯାହାକି ଗଣେଷ ଚତୁର୍ଥୀ ନାମରେ ବେଶ୍ ପରିଚିତ । ସେହିଦିନ ଜନ୍ମ ହୋଇଥିଲା ମୋର ଏକ ନୈଷ୍ଠିକ ବ୍ରାହ୍ମଣ ପରିବାରରେ । ବେଶ୍ ଖୁସି ଥିଲେ ସମସ୍ତେ । ଖୁସି ବା ନ ହେବେ କେମିତି କାରଣ ବି କିଛି ଥିଲା ସେପରି ଏକରେ ତ ମୁଁ ଗୋଟେ ପୁତ୍ର ସନ୍ତାନ ତା’ ପୁଣି ମୋ ବାପାମାଆଙ୍କର ପ୍ରଥମ ସନ୍ତାନ ଆଉ ଦ୍ୱିତୀୟରେ ମୁଁ ଆସିଥିଲି ସେମାନଙ୍କ ଜୀବନକୁ ବାହାଘରର ଦୀର୍ଘ ପନ୍ଦର ବର୍ଷର ଅନ୍ତ ଘଟାଇ ।

ଜୀବନ ଏକଚକ୍ର କେବେ ଦୁଃଖ ତ କେବେ ସୁଖ । ମୁଁ ଆସିଲାପରେ ପୁଣି ଏକ ଭାଇ ଆସିଲା ମୋ ବାପା ମା’ଙ୍କ କୋଳକୁ । ଧୀରେ ଧୀରେ ସମୟ ଆଉ ବୟସ ଦୁହେଁ ବଢ଼ି ଚାଲିଲେ । ଯେବେ ଭାଇ ଖେଳୁଥିଲା ପୁଅମାନଙ୍କ ସହ ମୁଁ କିନ୍ତୁ ଖେଳୁଥିଲି ଝିଅମାନଙ୍କ ସହ କାହିଁକି କେଜାଣି ମୁଁ ଝିଅମାନଙ୍କ ସହ ଖେଳିବା, ବୁଲିବା ଖୁଦୁରୁକୁଣୀ ଓଷାରେ ଫୁଲ ତୋଳିବାକୁ ମୋତେ ଭାରି ଭଲ ଲାଗୁଥିଲା । ହେଲେ ମୋ ଘର ଲୋକଙ୍କୁ ଏସବୁ ପାଇଁ ସାହିପଡ଼ିଶା ଲୋକଙ୍କ ଟାହିଟାପରା ଶୁଣିବାକୁ ପଡୁଥିଲା । ଏଥିପାଇଁ ବାପାଙ୍କ ଠାରୁ କେତେ ମାଡ଼ ଖାଇଲି ମୋ ଭାଇ ଆଉ ମୋ ସହ କଥା ହେଲାନି । ମୋ ମା’ ମଧ୍ୟ ତାଙ୍କଠାରୁ ମୋତେ ଦୂରେଇଲେ । ଥରେ ତ ମୋ ପ୍ୟାଣ୍ଟ ଖୋଲି ମୋତେ ବୁଝାଇଲେ ଯେ ଦେଖ ତୁ ପୁଅ. . . ତୁ କ’ଣ ପାଇଁ ଝିଅମାନଙ୍କ ଭଳି ବ୍ୟବହାର କରୁଛୁ ?

ହେଲେ ରାତ୍ରିର ଅନ୍ଧାରରେ ସମସ୍ତେ ଶୋଇଗଲା ପରେ ମୁଁ ଭାବେ ପ୍ରକୃତରେ ମୁଁ କିଏ ? କ’ଣ ମୋ ପରିଚୟ ? ମୁଁ ଯଦି ପୁଅ ତେବେ ମୁଁ ପୁଣି ପୁଅମାନଙ୍କ ପ୍ରତି ଆକୃଷ୍ଟ ହେଉଛି କାହିଁକି ? ପ୍ରକୃତରେ କ’ଣ ମୁଁ ପୁଅ ? ଯଦି ମୁଁ ପୁଅ ତେବେ ଝିମାନଙ୍କ ପରି ସଜ, ଲାଜ କରୁଛି କାହିଁକି ?

ଦିନ ପରେ ଦିନ ବିତି ଚାଲିଲା । କିନ୍ତୁ ମୋ ସ୍ୱଭାବ ଥିଲା ଅପରିବର୍ତ୍ତିତ ବଡ଼ ହେଲି କଲେଜ ଗଲି । କଲେଜ ଗଲେ ସମସ୍ତେ ପ୍ରେମରେ ପଡ଼ନ୍ତି ମୁଁ ବି ପଡ଼ିଲି । କିନ୍ତୁ ଗୋଟେ ପୁଅ ସହ । କଲେଜ୍‌ରେ ବହୁତ ଚିଡ଼ାନ୍ତି ମାଇଚିଆ ବୋଲି । ହେଲେ ସେବେ ଦୁଃଖ ନଥିଲା । ଦୁଃଖ ତ ସେବେ ଲାଗିଲା ଯେବେ ମୋ ନିଜ ବାପା ଆଉ ଭାଇ ମିଶି ମୋତେ ଘରୁ କାଢ଼ି ଦେଲେ । କାରଣ ମୋ ଯୋଗୁଁ ତାଙ୍କୁ ବହୁତ ଶୁଣିବାକୁ ପଡୁଥିଲା । ବାଧ୍ୟ ହୋଇ ଘର ଛାଡ଼ିଲି ଆଉ ଏମାନେ ଆପଣେଇ ନେଲେ କିନ୍ନର ପରିବାରରେ ଆଉ ସେବେ ମୋର ବୁଝିବାକୁ ଅବୁଝା ନଥିଲା ଯେ ମୁଁ ବି ଏକ କିନ୍ନର । ଅନ୍ୟମାନଙ୍କଠାରୁ ବେଶ୍ ସ୍ୱତନ୍ତ୍ର । ଘରଠାରୁ ଦୂରରେ ଆଉ ଏକ ଘର ଆଉ ଏକ ପରିବାର ମିଳିଗଲା ସତ, ହେଲେ ଘର କଥା ବେଶ୍ ମନେପଡ଼େ ।

ସମୟ ଚକ୍ର ଘୂରି ଚାଲିଲା ଆଉ ମୁଁ ମଧ୍ୟ ମୋ ଏମ୍.ବି.ଏ. ସାରି ଗୋଟେ କମ୍ପାନୀରେ ଚାକିରୀ କରୁଥିଲି ।

ଦିନେ ହଠାତ୍ ଗୋଟେ ଲୋକ ଧାଇଁ ଆସିଥିଲା ଆମ କିନ୍ନର ବସ୍ତିକୁ ଆଉ ଆଖିରୁ ବୋହି ଯାଉଥିଲା ଧାର ଧାର ଲୁହ ଆଉ ଅନୁରୋଧ କରି ମାଗୁଥିଲା ଆମ ପାଲଟା ଲୁଗା ତା’ ସ୍ତ୍ରୀ ପାଇଁ କାରଣ ତାଙ୍କର ଛୁଆଁ ହେଉନଥିଲା । ଧାଇଁଗଲି ସେ ଲୋକକୁ ଦେଖିବା ପାଇଁ ଯାହା ଦେଖିଲି ମୋ ଆଖିକୁ ବିଶ୍ୱାସ କରିପାରିଲିନି କାରଣ ସେ ଆଉ କେହି ନୁହେଁ ସେ ଥିଲା ମୋ ଭାଇ ଯିଏ ବାପାଙ୍କ ସହ ମିଶି ମୋତେ ଘରୁ କାଢ଼ି ଦେଇଥିଲା । ମୁଁ କିନ୍ନର ବୋଲି ମୋତେ ଘୃଣା କରୁଥିଲା ।

କିନ୍ତୁ ବୋଧେ ଭଗବାନ ଚାହୁଁଥିଲେ କିଛି ଅଲଗା ତା’ ପାପର ପ୍ରାୟଶ୍ଚିତ୍ତ ପାଇଁ ବୋଧହୁଏ ତା’ ପରିସ୍ଥିତି ତାକୁ ଆଜି ମୋ ଗୋଡ଼ ତଳକୁ ନେଇ ଆସିଥିଲା ।

ଯେବେ ମୋ ବାପାମାଆଙ୍କର ଛୁଆ ହେଉନଥିଲା । ସେମାନେ ଯାଇଥିଲେ କେଉଁ ଏକ କିନ୍ନର ପାଖକୁ ଆଶୀର୍ବାଦ ପାଇଁ । ଆଉ ତା’ପରେ ଜନ୍ମ ହୋଇଥିଲି ମୁଁ ହେଲେ ଯେବେ ମୁଁ କିନ୍ନର ହୋଇଗଲି ମୋ ବାପାମାଆଙ୍କ ପାଇଁ କିନ୍ନରର ସଂଜ୍ଞା ବଦଳି ଯାଇଥିଲା । ତାଙ୍କ ପାଇଁ ଥିବା ସମ୍ମାନ ଘୃଣାରେ ପରିବର୍ତ୍ତନ ହୋଇଥିଲା ।

ହେଲେ ଆଜି ତାଙ୍କରି ଅନୁଶାସନରେ ଅନୁଶାସିତ ମୋର ଭାଇ ଧାଇଁ ଆସିଛି ମୋ ପାଖକୁ ମୋ ପାଲଟା ଲୁଗା ନେବା ପାଇଁ । ଆଜି ମନକୁ ଏକ ପ୍ରଶ୍ନ ବିଚଳିତ କରୁଥିଲା “କିନ୍ନର ଏକ ଅଭିଶାପ ନା ଆଶୀର୍ବାଦ ?”

ଲୋକପ୍ରିୟ ଲେଖା

To Top