ଗଳ୍ପ

କୋବି ପକୁଡି

Anasuya Jena's odia story Kobi Pakudi

ତା’ ସ୍ୱାମୀ ତ ବାହାରେ କୁଆଡେ ରହୁଥିଲା ଯେ ମଝିରେ ମଝିରେ ତା ପାଖକୁ ଆସୁଥିଲା ହେଲେ ତା ଘରକୁ ଆଉ ଗୋଟେ ଟୋକା କିଏ ସବୁ ବେଳେ ଯିବା ଆସିବା କରୁଥିଲା ।

କୋବି ପକୁଡି

ମୁହଁ ସଞ୍ଜ ହେଇଥିଲା ମୁଁ ଝୁନୀ ମାଉସୀ ଘରେ ପହଁଚିଲା ବେଳକୁ । ଦାଣ୍ଡ ଘର ଡେଇଁ ଅଗଣା ଭିତରେ ପଶିଲା ବେଳକୁ ଝୁନୀ ମାଉସୀ ସଂଜ ବଳୁ ଥିଲା । ଅଗଣା ରେ ଗଦା ହେଇଥିଲା ସଦ୍ୟ ଛିଣ୍ଡା ହେଇ ଆସିଥିବା ଦଶ ପନ୍ଦରଟା ଫୁଲ କୋବି । ମତେ ଦେଖି ମାଉସୀ ଦଉଡି ଆସିଲା ମୋ ପାଖକୁ । ହଇରେ ସଞ୍ଜୟ , ଏତେ ଦିନ ରେ ତୋର ମାଉସୀ ମନେ ପଡିଲା କହି ସ୍ନେହ ରେ ମୋର ମୁହଁ ରେ ହାତ ବୁଲେଇ ଆଣିଲା ସେ । ହଉ, ଯା ନଳକୂଅ ପାଖରେ ଧୋଇ ହେଇକି ଆସେ । ଅଗାଧୁ ଏଇ ସାଙ୍ଗେ ସାଙ୍ଗେ ବିଲରୁ କୋବି ନେଇକି ଆସିଛି, ମୁଁ ତୋ ପାଇଁ କୋବି ପକୁଡି ତିଆରି କରୁଚି କହି ଲତା, ଲତା ବୋଲି ଡାକ ପକାଇଲା ମାଉସୀ । ବୋଧହୁଏ ଲତା ବୋଲି ନୂଆ ଝିଅ କିଏ ତା ଘରେ ସାହାଯ୍ୟ କରିବାକୁ ଅଛି । ମୁଁ ଗୋଡ଼ ହାତ ଧୋଇ ହେଇ ଅଗଣା ରେ ପଡିଥିବା କାଠ ଚୌକି ରେ ଯାଇ ବସିପଡ଼ିଲି ଧକଡ଼ କଚଡ଼ ହେଇ ଆସିଥିବା ବସ ର କ୍ଲାନ୍ତି ମେଣ୍ଟାଇବାକୁ ।

ମୋର ମନେ ପଡିଗଲା ଏମିତି ଗୋଟେ ମୁହଁ ସଞ୍ଜ ବେଳେ ଝୁନୀ ମାଉସୀ ଆସିଥିଲା ଆମ ଘରକୁ, ମୋର ରକ୍ଷା କାରିଣୀ ହେଇ । ସେ ଆମ ଘରେ ପହଁଚିଲା ବେଳକୁ ମୋ ଉପରେ ବାପାଙ୍କର ଗାଳି ବର୍ଷଣ ହଉଥିଲା, ମୁଁ ନବମ ଶ୍ରେଣୀ ହାଫ ୟରଲି ପରୀକ୍ଷା ରେ ଆଲଜେବ୍ରା ପେପର ରେ ମୋଟରୁ କୋଡିଏ ନମ୍ବର ପାଇଥିଲି । ବାପା ଗାଳି କରୁଥିଲେ ସେ ଆଦର୍ଶ ଶିକ୍ଷକ ବୋଲି କେତେ ଭଲ ଛାତ୍ର ସବୁ ତିଆରି କରିଛନ୍ତି ଆଉ ମୁଁ ତାଙ୍କ ର ପୁଅ ହେଇ ଏମିତି ନମ୍ବର ରଖିଛି । ହଠାତ ବାପାଙ୍କ ଆଗରେ ଠିଆ ହେଇ ଯାଇଥିଲା ମାଉସୀ , କହିଥିଲା କାଇଁ ତା ଉପରେ ରାଗୁଚ ଶରତ ? ତାକୁ ମୋ ସଂଗେ ଛାଡି ଦିଅ, ସେ ଆମ ଗାଁ ସ୍କୁଲ ରେ ପଢିବ । ଦେଖିବ, ତାକୁ ଫାଷ୍ଟ ଡିଭିଜନ ରେ ପାସ କରେଇବା ଦାୟିତ୍ୱ ମୋର । ଆମ ଗାଁ ସ୍କୁଲ ଶ୍ୟାମ ସାର ଙ୍କ ପାଖରେ କେତେ ଦୁଷ୍ଟ ପିଲା ଭଲ ହେଇ ଯାଇଛନ୍ତି ଆଉ ଆମ ସଞ୍ଜୟ କଣ ବାଦ ପଡ଼ିଯିବ ? ତା ପର ସପ୍ତାହ ରେ ମୁଁ ବାପାଙ୍କ ସଙ୍ଗେ ଝୁନୀ ମାଉସୀ ଗାଁ କୁ ଆସିଥିଲି, ବୋଉର ଦୁଆର ବନ୍ଧ ପାଖରେ ଠିଆ ହେଇ ଛଳ ଛଳ ଆଖିରେ ଠାକୁରଙ୍କୁ ଜୁହାର କରୁଥିବା କରୁଣ ମୁହଁ କୁ ସାମ୍ନା କରିବାର ସାହସ କରିନପାରି ।

ରାମଚନ୍ଦ୍ରପୁର ଗାଁ ବରୀ ଅଞ୍ଚଳ ରେ ଗୋଟିଏ ଭଲ ଗାଁ ଭିତରେ ଗଣା । ଏଇଟା ଝୁନୀ ମାଉସୀ ର ଗାଁ । ସିଏ ମୋ ବୋଉର ବଡ଼ ଭଉଣୀ । ମଉସା ଅଲଗା ଜାଗାରେ ଚାକିରୀ କରୁଥିଲେ ଆଉ ତାର ଗୋଟିଏ ବୋଲି ପୁଅ ଶେଖର ଭାଇ କଟକରେ ରହି ପାଠ ପଢୁଥିଲେ । ରାମଚନ୍ଦ୍ରପୁର ହାଇ ସ୍କୁଲ ସବୁବେଳେ ଭଲ ରେଜଲ୍ଟ କରୁଥିଲା ମାଟ୍ରିକ ପରୀକ୍ଷାରେ । ନବମ ଶ୍ରେଣୀ ଅଧାରୁ ମୋର ସେଇ ସ୍କୁଲ ରେ ନାମ ଲେଖା ହେଇଗଲା । ସ୍କୁଲରେ ପ୍ରଥମ ଦିନ ମତେ ଭାରି ଭୟ ଆଉ ଲାଜ ମାଡୁଥିଲା, ମୁଁ କାହା ସଙ୍ଗେ ଭଲ ରେ କଥା ବାର୍ତ୍ତା ହେଇପାରୁନଥିଲି । ଖେଳ ଛୁଟି ରେ ପଛରୁ କେହି ମତେ ଡାକିଲା, “ସଞ୍ଜୟ ..” ମୁଁ ବୁଲି ପଡି ଦେଖିଲି ନହକା ସାବନା ରଙ୍ଗର ଦୁଇ ଟିକିଆ ବେଣୀ ବାନ୍ଧିଥିବା ଝିଅ ଟିଏ । ମୁଁ ଅନିମା, ଶ୍ୟାମ ସାର ଙ୍କ ଝିଅ । ଝୁନୀ ବଡ଼ବୋଉ ତମ କଥା କହୁଥିଲେ । ସେଇ ଥିଲା ମୋର ଅନିମା ସଙ୍ଗେ ପ୍ରଥମ ସାକ୍ଷାତ । ମୁଁ ସ୍କୁଲ ପରେ ସନ୍ଧ୍ୟା ବେଳେ ଶ୍ୟାମ ସାରଙ୍କ ଘରକୁ ଟିଉସନ ଯାଉଥିଲି ଆଉ ଅନିମା ସଙ୍ଗେ ମୋର ବନ୍ଧୁତା ଖୁବ ଜମି ଯାଇଥିଲା । ଦୁଇ ଜଣ ସାରଙ୍କ ପାଖରେ ବସି ରାତି ନ ଟା ଯାଏଁ ପାଠ ପଢ଼ୁଥିଲୁ । ଅନିମା ମଝିରେ ମଝିରେ ମାଉସୀ ଘର କୁ ଆସୁଥିଲା, ସେମାନେ ଦୁଇ ଜଣ ମିଶି ଖୁବ ବଢିଆ କୋବି ପକୁଡି ତିଆରି କରୁଥିଲେ । କୋବି କୁ ଛୋଟ ଛୋଟ ଖଣ୍ଡ କାଟି ସେଥିରେ ଧନିଆ ପତ୍ର, ଅଦା, ରସୁଣ, କଞ୍ଚା ଲଙ୍କା ଛେଚା ପକେଇ ବେସନ ଗୋଳେଇ ଗରମାଗରମ କୋବି ପକୁଡି ଥାଳିଏ ଧରି ମାଉସୀ ମୋ ଆଗରେ ଥୋଇଦେଉଥିଲା । ମୁଁ ଆଗ ପଛ ନ ବିଚାରି ସେ ସବୁକୁ ଚଟାପଟ ଶେଷ କରିଦେଇ ଆହୁରି ଖାଇବାକୁ ଥାଳିଆ ବଢ଼ାଇଦେଉଥିଲି , କେବେ ଭାବୁନଥିଲି ସେମାନେ ଖାଇବାକୁ ଆଉ ଅଛି କି ନାହିଁ ବୋଲି । ଏମିତିରେ ମୋର ଅଧିକାଂଶ ବେଳେ ଜିଭ ପୋଡି ଯାଉଥିଲା ଗରମ ପକୁଡିକୁ ସିଧା ପାଟିରେ ପୁରାଇ ଦେବାରୁ ଆଉ ମୋର ବିକଳିଆ ଅବସ୍ଥା ଦେଖି ଅନିମା ହସି ହସି ଗଡି ଯାଉଥିଲା । ପୁଣି ପର ମୁହୂର୍ତ୍ତ ରେ କହୁଥିଲା ପକୁଡି କୁ ଦି ଖଣ୍ଡ କରି ଫୁଙ୍କି ଫୁଙ୍କି ଖାଅ ସଞ୍ଜୟ, ତାହେଲେ ଶୀଘ୍ର ଥଣ୍ଡା ହେଇଯିବ, ଜିଭ ପୋଡିଯିବନି ।

କେବେ କେବେ ମୋର କିଶୋର ସୁଲଭ ସ୍ୱପ୍ନ ଅନିମାକୁ ମୋ ଘର ଅଗଣାରେ ପାଉଥିଲା, କିନ୍ତୁ ମୋ ବିବେକ ମତେ ଲଗାମ ଟାଣୁଥିଲା, ଛି !! ମୁଁ କଣ ଭାବୁଛି ?? ଅନିମା ମୋ ଠାରୁ ଢେର ଭଲ ଛାତ୍ରୀ । ସେ ନିଶ୍ଚୟ ଭଲ ଚାକିରୀ ବାକିରି କରିବ, ତା ଛଡା ସିଏ ଯେ ଜାତି ରେ ବ୍ରାହ୍ମଣ, ତା’ ବିଷୟରେ ଏଣୁ ତେଣୁ ଭାବିବା ପାପ କଥା । ଏମିତି ଏମିତି ଦେଢ଼ ବର୍ଷ ପାଣି ଭଳି ଗଡି ଯାଇଥିଲା, ଆଉ ମୁଁ ମାଟ୍ରିକ ପରୀକ୍ଷା ରେଜଲ୍ଟ ବାହାରିବା ଆଗରୁ ଆମ ଗାଁ କୁ ଚାଲିଆସିଥିଲି, କିଛି ସ୍ମୃତିକୁ ସାଙ୍ଗ ରେ ନେଇ । ପରୀକ୍ଷା ଫଳ ବାହାରିଲା ଦିନ ବୋଉ ସବୁଠୁ ଅଧିକା ଖୁସି ଥିଲା କାରଣ ତା’ର ମୋର ଦୀର୍ଘ ଦେଢ଼ ବର୍ଷ ର ବିଚ୍ଛେଦର ମୂଲ୍ୟ ମୁଁ ରଖିଥିଲି, ଭଲ ନମ୍ବର ରଖି ପ୍ରଥମ ଶ୍ରେଣୀରେ ପାସ କରିଥିଲି । ମଝିରେ ମଝିରେ ଯେ ଅନିମା କଥା ମୋର ମନେ ପଡ଼େନି ତା ନୁହେଁ ହେଲେ ଆଉ କେବେ ମୁଁ ସୁଯୋଗ ପାଇନଥିଲି ତାକୁ ଦେଖିବାକୁ ଅବା କୃତଜ୍ଞତା ଜଣାଇବାକୁ ତା’ର ଆଉ ଶ୍ୟାମ ସାର ଙ୍କର ମୋ ପାଠ ପଢା ରେ ଅବଦାନ ପାଇଁ ।

ହଠାତ ଦିନେ କାମରେ ବାଲେଶ୍ୱର ଫିଲଡ ଅଫିସ ଯାଇଥିଲି, ବସ ଷ୍ଟାଣ୍ଡ ରେ ଅନିମା କୁ ଦେଖିଲି । ଯଦିଓ ତା’ ଚେହେରା ରେ ଢେର ପରିବର୍ତ୍ତନ ହେଇ ଯାଇଥିଲା ଏବଂ ଏଇ ଭିତରେ ସେ ବାହା ମଧ୍ୟ ହେଇ ସାରିଥିଲା, ତାକୁ ଚିହ୍ନିବାରେ ମତେ କିଛି ଅସୁବିଧା ହେଲା ନାହିଁ । ଅନିମା , ମୁଁ ତାକୁ ପଛରୁ ଡାକିଲି , ସେ ବୁଲି ପଡି ମତେ ଚାହିଁଲା । ଆରେ ସଞ୍ଜୟ ??? ତମେ ?? କଣ ଖବର ?? ଅନିମା ଠାରୁ ଜାଣିବାକୁ ପାଇଲି ଯେ ସେ ଓ଼ମେନ୍ସ କଲେଜ ରେ ଫିଜିକ୍ସ ଲେକ୍ଚର ଅଛି ଆଉ ସହଦେଵ ଖୁଣ୍ଟା ଅଂଚଳରେ ଭଡା ନେଇ ରହୁଛି । ତା’ ର ସ୍ୱାମୀ କଲିକତା ରେ ଚାକିରୀ କରନ୍ତି, ଛୁଟି ଦିନ ହେଲେ ତା’ ପାଖକୁ ଆସନ୍ତି । “ସଞ୍ଜୟ , ତମେ ସୁବିଧା ହେଲେ ମୋ ଘର ଆଡେ ଆସିବ, ତମକୁ ସେମିତି କୋବି ପକୁଡି ଖାଇବାକୁ ଦେବି” କହି ତା ଫୋନ ନମ୍ବର ଆଉ ଠିକଣା ଦେଲା ମତେ ଅନିମା । ମୁଁ ତାକୁ ହଉ ଟିଏ କହି ତା ଠାରୁ ବିଦାୟ ନେଲି ସେଦିନ ପାଇଁ ।

ମୁଁ ଜାଣିନି ମୋର ଦୁର୍ବଳତା ଅନିମା ପାଇଁ ଥିଲା ନା ତା’ ହାତ ତିଆରି କୋବି ପକୁଡି ପାଇଁ , କିନ୍ତୁ ଯେତେବେଳେ ମୁଁ ଅଫିସ କାମ ରେ ବାଲେଶ୍ୱର ଯାଉଥିଲି, ସନ୍ଧ୍ୟା ହେଲେ ମୋର ମଟରସାଇକଲ ଆପେ ତା’ ଘର ଆଡେ ମୁହାଉଁଥିଲା । ସତରେ ଅନିମା ଚମତ୍କାର ପକୁଡି ତିଆରି କରି ମତେ ଦଉଥିଲା ଆଉ ଆମେ ଦୁହେଁ ମିଶି ଆମ ସ୍କୁଲ ବେଳ ର ସ୍ମୃତି ସବୁ ମନେ ପକାଇ ଉଲ୍ଲସିତ ହଉଥିଲୁ । କିନ୍ତୁ ତା ଘର ମାଲିକାଣିର କଟାସ ଭଳି ଆଖି ରେ ସଂଦେହୀ ଚାହାଣୀ ମତେ ଜମା ଭଲ ଲାଗୁନଥିଲା । ସେ ମୋର ଯିବା ଆସିବା ବେଳେ ଯେମିତି ଗାରଡେଇ ଚାହୁଁଥିଲା ସେଥିରୁ ତା ମନରେ ଥିବା କଥା ମୁଁ ସ୍ପଷ୍ଟ ଭାବରେ ବୁଝି ପାରୁଥିଲି , କିନ୍ତୁ ମୋ ଦୁର୍ବଳତା ଆଗରେ ମୁଁ ନାଚାର ଥିଲି । ଅବଶ୍ୟ ଚାରି ଛ ମାସ ପରେ ମୁଁ ସେ ଚାକିରୀ ଛାଡି କଟକ ଆସି ନୂଆ ଏକ ଚାକିରୀ କଲାପରେ ଅନିମା ସହ ଆଉ ସାକ୍ଷାତ ହେଇ ନଥିଲା । ଏଇ ଭିତରେ ଦୁଇ ତିନି ବର୍ଷ ବିତି ମଧ୍ୟ ଯାଇଥିଲା । କେଜାଣି ଏବେ କୋଉଠି ଅଛି ??

ସଞ୍ଜୟ , ନେ , ପକୁଡି ଖା । ମାଉସୀ ର ସ୍ୱର ରେ ମୋ ଘୁମେଇ ପଡିଥିବା ଆଖି ଖୋଲିଗଲା । ଥାଳି ରେ ଥାଳିଏ ପକୁଡି ମାଉସୀ ମୋ ହାତ କୁ ବଢ଼ାଇ ଦେଲା । ତା ହାତ ରୁ ଥାଳି ନେଉ ନେଉ ମୁଁ ତା’କୁ ଅନିମା କଥା ପଚାରି ଦେଲି । ମାଉସୀର ମୁହଁ ଟା କାହିଁକି କେଜାଣି ନିରସିଆ ହେଇଗଲା । ତା’ କଥା କହନା ପୁଅ । ଭଲ ଝିଅ ଟିଏ ତ ଥିଲା ତୁ ଜାଣିଚୁ । ହେଲେ ପୋଡ଼ାମୁହିଁ କାଇଁକି ଏମିତି କଲା କେଜାଣି ? ମାଉସୀ କଥା ଶୁଣୁ ଶୁଣୁ ଟାକୁ କରି ଗରମ ପକୁଡି ଗୋଟାଏ ପାଟି ରେ ପୁରାଇ ଦେଲି ମୁଁ ଏବଂ ଚିରାଚରିତ ମୋର ଜିଭ ପୋଡିଗଲା ଗରମ ରେ । “ପକୁଡି କି ଦି ଖଣ୍ଡ କରି ଫୁଙ୍କି ଫୁଙ୍କି ଖା, ଆଉ ଜିଭ ପୋଡିଯିବନି” । ମତେ ଶୁଣା ଗଲା ଯେମିତି ମାଉସୀ ନୁହେଁ ଅନିମା ସେ କଥା କହୁଛି । ହଉ ଶୁଣ ତା’ କଥା । ମାଉସୀ ପୁଣି ଆରମ୍ଭ କଲା, ଦି ଚାରି ବର୍ଷ ତଳେ ସେ ବାଲେଶ୍ୱର ରେ ରହୁଥିଲା । ତା’ ସ୍ୱାମୀ ତ ବାହାରେ କୁଆଡେ ରହୁଥିଲା ଯେ ମଝିରେ ମଝିରେ ତା ପାଖକୁ ଆସୁଥିଲା ହେଲେ ତା ଘରକୁ ଆଉ ଗୋଟେ ଟୋକା କିଏ ସବୁ ବେଳେ ଯିବା ଆସିବା କରୁଥିଲା । ତା’ ଘର ମାଲିକାଣି କି ଏ କଥା ସମ୍ଭାଳିବ, ତା’ ସ୍ୱାମୀ ଆଗରେ ସବୁ କଥା କହିଦେଲା । ତୁ ନିଜେ କହିଲୁ, ଏ କଥା ଶୁଣିଲେ କୋଉ ସ୍ୱାମୀ ଆଉ ସହିବ ? ସେଇଠୁ ତା’କୁ ଛାଡ଼ପତ୍ର ଦେଇଦେଲା । ସେଇ ଦୁଃଖରେ ଶ୍ୟାମ ସାର ଚାଲିଗଲେ ଆଉ ସିଏ ଏବେ ନବରଙ୍ଗପୁର ନା ମାଲକାନଗିରି କୁଆଡେ ଦୂର ଜାଗା ରେ ରହୁଛି ।

ମାଉସୀ କଥା ଶୁଣି ମୋ ଜିଭ ଆହୁରି ଜୋରରେ ପୋଡା ହଉଥିଲା । ପ୍ରତିବାଦ ଆଉ ଆତ୍ମଗ୍ଲାନି ରେ ମୁଁ ଯାହା କିଛି କହୁଥିଲି , ଗଁ ଗଁ ସ୍ୱର ବ୍ୟତୀତ ମାଉସୀ ଆଉ କିଛି ଶୁଣି ପାରୁ ନଥିଲା ।

ଲୋକପ୍ରିୟ ଲେଖା

To Top