ଗଳ୍ପ

ଲେହେର

Prasanta Kumar Nayak's odia story Leher

ଜନ୍ମଦିନ ଭଳି ଶୁଭ ଦିବସର ସନ୍ଧ୍ୟା, ଏକ ସୁନ୍ଦର ଯୁବତୀ, ଏକ ହ୍ୟାଣ୍ଡସମ ଯୁବକ, ଲାଲ ଗୋଲାପ, ପସନ୍ଦିତା ଖାଦ୍ୟ, ସାଂପେନ ଏବଂ ପୃଷ୍ଠଭୂମିରେ ବାଜୁଥିବା ରୋମାଣ୍ଟିକ ଗୀତ; ସହଜରେ କଳ୍ପନା କରାଯାଇପାରେ ପରବର୍ତ୍ତୀ ସମୟର ଘଟଣାବଳୀକୁ

ଲେହେର

ପଣ୍ଡିଚେରୀ ସହରଟି ଭାରତ ଦେଶରେ ଖୁବ ପ୍ରସିଦ୍ଧ । ବଙ୍ଗୋପସାଗର କୂଳରେ ଅବସ୍ଥିତ ଏହି କେନ୍ଦ୍ରଶାସିତ ପ୍ରଦେଶଟି ଖୁବ ସଙ୍ଖୁଳିତ, ସଫା ସୁତୁରା, ପୂର୍ଣରୂପରେ ବିକଶିତ ଏବଂ ବିଗତ ସମୟରେ ଫ୍ରାନ୍ସ ଦେଶର ଅଧୀନରେ ଥିବାରୁ, ସେଠିକାର ଅଧିକାଂଶ ପୁରୁଣା ଇମାରତ ଗୁଡିକ ସେହି ଦେଶର ନିର୍ମାଣ ଶୈଳୀକୁ ଏବେବି ପ୍ରଦର୍ଶନ କରିଥାଏ । ସହରର ପ୍ରସିଦ୍ଧ ହସ୍ପିଟାଲ ଏବଂ ମେଡିକାଲ କଲେଜ “ଜିପମେର”ରେ ନିଯୁକ୍ତ ଥିଲେ ଜଣାଶୁଣା ଡାକ୍ତର ଜେ-ଭାଣ୍ଡୁଲା ଏବଂ ତାଙ୍କର ପତ୍ନୀ ଡାକ୍ତର ଏସ-ଭାଣ୍ଡୁଲା ।

ଭାଣ୍ଡୁଲା ପରିବାରଟି ଗୋଟିଏ ଛୋଟ ଓ ସୁନ୍ଦର ପରିବାରର ଉଦାହରଣ । ସେହି ପରିବାରର ଏକମାତ୍ର କନ୍ୟା ଥିଲେ “ଲେହେର” । ସେ ଥିଲେ ମାତାପିତାଙ୍କର ଜୀବନଜ୍ୟୋତି । ବାଲ୍ୟକାଳରୁ ଅତି ଆଦର, ସ୍ନେହ ଓ ମମତା ଦ୍ୱାରା ସିଞ୍ଚିତହୋଇ ବଢିଆସିଥିଲେ । ସହରର ପ୍ରସିଦ୍ଧ “କାରମେଲ କନଭେଣ୍ଟ ସ୍କୁଲ୍‌”ରେ ପାଠ ପଢ଼ୁଥିବା ଲେହେର ଏକ ଆଧୁନିକ ସହରର ପ୍ରତିଭାବାନ କନ୍ୟା । ବିଦ୍ୟାଳୟରେ ଲେହେର କେବଳ ନିଜର ସୌନ୍ଦର୍ୟ ହେତୁ ପ୍ରସିଦ୍ଧ ନଥିଲେ, ଶିକ୍ଷାରେ ମଧ୍ୟ ସେ ସର୍ବୋତ୍ତମ ଓ ଖେଳକୁଦରେ ସବୁସମୟରେ ଭାଗ ନେଉଥିଲେ । ଲେହେର ଏକ ସର୍ବଗୁଣ ସମ୍ପନ୍ନ ଛାତ୍ରୀ ହିସାବରେ ନିଜର ଚରିତ୍ର ଓ ଶିକ୍ଷାକୁ ଗଠନ କରିଥିଲେ । ଡାକ୍ତର ମାତାପିତା ସାର୍ବଜନିକ ସ୍ତରରେ ଲେହେର ବିଷୟରେ ଖୁବ ପ୍ରଶଂସା ଶୁଣୁଥିଲେ ଏବଂ ନିଜର କନ୍ୟାଉପରେ ବହୁତ ଗର୍ବ ଅନୁଭବ କରୁଥିଲେ । ବାଲ୍ୟକାଳରୁ ଲେହେରଙ୍କୁ କୌଣସି ସୀମାମଧ୍ୟରେ ବାନ୍ଧିରଖିନଥିବାରୁ ସେ ନିଜର ବିଚାରଧାରାକୁ ସମ୍ପୂର୍ଣ ସ୍ୱାଧୀନ ଭାବରେ ପରିଚାଳନା କରୁଥିଲେ ।

କାରମେଲ ସ୍କୁଲରୁ ବାହାରି ଲେହେର ଆସି ପହଞ୍ଚିଥିଲେ ଦେଶର ରାଜଧାନୀ ଦିଲ୍ଲୀ ସହରରେ । ପ୍ରସିଦ୍ଧ ଦିଲ୍ଲୀ ୟୂନିଭରସିଟିର ହନ୍ସରାଜ କଲେଜରେ “ରାଜନୈତିକ ବିଜ୍ଞାନ” ବିଭାଗରେ ପ୍ରବେଶ କରିଥିଲେ । ଛାତ୍ରାବାସରେ ରହିବାର ସବୁପ୍ରକାର ସୁବିଧା ଥିଲା । ଦିଲ୍ଲୀ ସହରଯେ ଖୁବ ବିସ୍ତୃତ, ଜନସଂଖ୍ୟାଯେ ପଣ୍ଡିଚେରୀ ସହର ତୁଳନାରେ କେତେ ଗୁଣରେ ଅଧିକ, ତାହା ଗୁଗୁଲ ପରି ସର୍ଚ୍ଚଇଞ୍ଜିନ ମଧ୍ୟ ସଠିକ ରୂପରେ କହିପାରିବ ନାହିଁ । ନୂଆ ଜାଗା, ନୂତନ ବନ୍ଧୁବାନ୍ଧବୀ ଏବଂ ନୂତନ ପରିବେଶ ଲେହେରର ଜୀବନକୁ ଏକ ନୂଆ ଦିଗରେ ପ୍ରେରିତ କରିଥିଲେ । ଲେହେର ଏହି ପ୍ରକାର ପରିବର୍ତ୍ତନକୁ ନେଇ ଖୁବ ଖୁସିଥିଲେ । ମାତାପିତା ମଝିରେ ମଝିରେ ଦିଲ୍ଲୀ ଆସି ଲେହେର ସହିତ ଭେଟ କରୁଥିଲେ ଏବଂ ସମସ୍ତ ପ୍ରକାର ସାହାଯ୍ୟ ଯୋଗାଇଦେଉଥିଲେ । ତାଛଡା ପଞ୍ଜାବ ରାଜ୍ୟର ଅମ୍ରିତସର ସହରର ‘ସୁପରିନଟେଣ୍ଡେଣ୍ଟ ଅଫ ପୋଲିସ’ ଶ୍ରୀଯୁକ୍ତ କେ-ଭାଣ୍ଡୁଲା ଯେ ଲେହେର’ଙ୍କର କକା, ତେଣୁ ସେ ମଧ୍ୟ ଦିଲ୍ଲୀ ଆସିଲେ ଲେହେରକୁ ଦେଖାକରିବା ସହିତ ଆବଶ୍ୟକୀୟ ସବୁ ସାମଗ୍ରୀ ଯୋଗାଇଦେବାକୁ ଭୁଲୁନଥିଲେ.

ଲେହେର ନାମଟିର ଅର୍ଥ ହେଲା ଉର୍ମି, ସମୁଦ୍ରରେ ଉଠୁଥିବା ଲହଡି । ନାମର ସାର୍ଥକତା ହିସାବରେ ଲେହେର ମଧ୍ୟ ଖୁବ ଚଞ୍ଚଳ, ଜିନ୍ଦାଦିଲ, ପ୍ରଫୁଲ୍ଲିତ ଓ ତେଜମାନ ଚରିତ୍ରଧାରୀ । ଯେଉଁ ସ୍ଥାନରେ ଯେଉଁବି ସମୟରେ ଲେହେର’ର ଆବିର୍ଭାବ ହୁଏ, ସେହି ସ୍ଥାନରେ ସେହି ସମୟରେ ଖୁସିର ଲହଡି ଖେଳିଯାଏ । ନିଜ ବିଭାଗର ସହପାଠୀ ମାନଙ୍କୁ ଛାଡି ଲେହେର କଲେଜରେ ଅନ୍ୟ ବିଭାଗଗୁଡିକରେ ମଧ୍ୟ ବହୁତ ଛାତ୍ରଛାତ୍ରୀ ମାନଙ୍କ ସହିତ ବନ୍ଧୁତ୍ୱ ଯୋଡ଼ିପାରିଥିଲେ । ଲେହେର ଭାଣ୍ଡୁଲା ହନ୍ସରାଜ କଲେଜରେ ଜଣେ ଅତି ପ୍ରସିଦ୍ଧ ଛାତ୍ରୀ । କଲେଜର କେଉଁବି କାର୍ଯ୍ୟକ୍ରମ ହେଉ, ଯେପରିକି ବାର୍ଷିକ ଉତ୍ସବ, ରକ୍ତଦାନ ଶିବିର, ବାର୍ଷିକ କ୍ରୀଡା ପ୍ରତିଯୋଗିତା ଇତ୍ୟାଦି, ପ୍ରତ୍ୟେକ ସ୍ଥାନରେ ନିଜର ବନ୍ଧୁମଣ୍ଡଳୀ ସହିତ ଲେହେର ସଦା ବିଦ୍ୟମାନ । ସବୁପ୍ରକାର କାର୍ଯ୍ୟକ୍ରମରେ ଭାଗନେଇ ମଧ୍ୟ ଲେହେର ନିଜର ବିଭାଗୀୟ ଶିକ୍ଷାରେ ଖୁବ ଦୃଢ଼ ପ୍ରଦର୍ଶନ କରୁଥିଲେ । ତେଣୁ ମାତାପିତା କନ୍ୟାର ସାର୍ବସ୍ତରିକ ବିକାଶକୁ ନେଇ ଖୁସି ପ୍ରକାଶ କରିଥିଲେ ।

ଆଧୁନିକ ଯୁଗ ଓ ଆଧୁନିକ ସହର ଦିଲ୍ଲୀ, ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ବିଭିନ୍ନ ଦିଗରେ ଆକର୍ଷଣ କରିଥାଏ । ସେଥିମଧ୍ୟରୁ କିଛି ଆକର୍ଷଣକାରୀ ସ୍ଥଳ ଥିଲା ପ୍ରସିଦ୍ଧ ରେସ୍ତୋରାଁ, ବାର ଏବଂ କ୍ଲବ । ଆର୍ଥିକ ସ୍ତରରେ ମଜବୁତ ଥିବା ଛାତ୍ରଛାତ୍ରୀମାନେ ଏପ୍ରକାର ସ୍ଥାନରେ ସମୟ ବିତାଇବାକୁ ପହଞ୍ଚିଥାନ୍ତି । ଲେହେରତ ଆର୍ଥିକଦୃଷ୍ଠିରୁ ବହୁତ ଉପର ସ୍ତରରେ ଥିଲେ । ସେ ମଧ୍ୟ ନିଜର ବନ୍ଧୁମଣ୍ଡଳୀ ସହିତ କେବେକେମିତି ପାର୍ଟିକରିବାପାଇଁ ଏହିପ୍ରକାର ସ୍ଥାନକୁ ଆସୁଥିଲେ । ଏହିପ୍ରକାର ସ୍ଥାନରେ ବହୁତ ହାଇକ୍ଲାସ ସୋସାଇଟିର ଯୋଗ୍ୟ ଓ ଅଯୋଗ୍ୟ ସନ୍ତାନମାନେ ସର୍ବଦା ବିଦ୍ୟମାନ ଥାଆନ୍ତି । ତେଣୁ ସୁନ୍ଦର କନ୍ୟାଟି ଦେଖିବାମାତ୍ରେ ଏମାନଙ୍କର ଆଚରଣରେ ଖୁବ ପରିବର୍ତ୍ତନ ହୋଇଯାଏ ଏବଂ ଏମାନେ କୌଣସି ବି ପ୍ରକାରର ମାଧ୍ୟମରେ ସେ କନ୍ୟା ନିକଟରେ ପହଞ୍ଚିବାର ବାଟ ଖୋଜିଚାଲିଥାନ୍ତି ।

କଲେଜରେ ଶିକ୍ଷାର ଚାପ, ଦିଲ୍ଲୀ ସହରର ଜନଗହଳୀ ଏବଂ ଟ୍ରାଫିକ ଲେହେର ପରି ଜିନ୍ଦାଦିଲ ପିଲାଙ୍କୁ ମଧ୍ୟ ବେଳେବେଳେ କଲେଜର ପରିସର ମଧ୍ୟରେ ସୀମିତ ରଖିଥିଲା । ଦେଖୁ ଦେଖୁ ଲେହେର’ଯେ ଶିକ୍ଷାର ଶେଷବର୍ଷରେ ପହଞ୍ଚିଲେଣି, ତେଣୁକରି ପଢାପଢିରେ ଖୁବ ବ୍ୟସ୍ତ, ଅନ୍ୟଦିଗରେ ସମୟ ବିତାଇପାରୁନଥିଲେ । ଶେଷ ପରୀକ୍ଷା ସମାପ୍ତ ହେବାପରେ ଲେହେର ସମସ୍ତ ବନ୍ଧୁବାନ୍ଧବୀ ମାନଙ୍କୁ ବାଇବାଇ କରି ପଣ୍ଡିଚେରୀ ଚାଲିଗଲେ । ଦିଲ୍ଲୀ ସହରରେ ବିଗତ ୩ବର୍ଷ ରହିବା ପରେ ଲେହେର’ଙ୍କର ବ୍ୟକ୍ତିତ୍ୱରେ ଖୁବ ପରିବର୍ତ୍ତନ ଆସିଥିଲା । ମାତାପିତାଙ୍କ ସହିତ ସେ ଆଲୋଚନା କରିଚାଲିଥିଲେକି ଆଗକୁ ରାଜନୈତକ ବିଜ୍ଞାନରେ ସ୍ନାତକୋତ୍ତର ବିଭାଗରେ ପଢିବେ ନା ସେ ଏମବିଏ କରିବେ । ଲେହେର’ର “ମାନବସମ୍ଭଳ ବିଭାଗ” ରେ ଏମବିଏ କରିବାର ଇଚ୍ଛା ଦେଖି ମାତାପିତା କିଛି ଆପତ୍ତି କରିନଥିଲେ । ଦିଲ୍ଲୀ ସହରରେ ଏକ ପ୍ରସିଦ୍ଧ ବେସରକାରୀ ଏମବିଏ ଶିକ୍ଷାନୁଷ୍ଠାନରେ ଲେହର ନାମ ଲେଖାଇଲେ । ଖୁସିଖୁସି ଲେହେର ପୁନର୍ବାର ଆସି ପହଁଚିଲେ ସେହି ଦିଲ୍ଲୀ ସହରରେ । ୨୦ ବର୍ଷର ଲେହେର ଦିଲ୍ଲୀ ଆସିବାର କିଛିଦିନ ପୂର୍ବରୁ ନିଜର ଜନ୍ମଦିନ ପାଳନ କରିଥିଲେ.

ଲେହେର ଭାଣ୍ଡୁଲା, ମାନବସମ୍ଭଳ ବିଭାଗରେ ପ୍ରଥମଦିନରୁ ପ୍ରସିଦ୍ଧ । ବଡ଼ବଡ଼ ଆଖି, ଲମ୍ବା ବାଳ, ପତଳା ଶରୀର, ୫ଫୁଟ ୮ଇଞ୍ଚ ଉଚ୍ଚତା, ସୁପର ଶୁଭ୍ର ରଙ୍ଗ, ଲେହେରର ଭବ୍ୟ ଉପସ୍ଥିତି ଦେଖି କଲେଜର କୌଣସିବି ମହାଋଷି ନିଜର ତପସ୍ୟା ଭଙ୍ଗକରିବାକୁ ପଛେଇବେନାହିଁ । ଲେହେର ବାହାର ଦୃଷ୍ଠିରୁ ଖାଲି ସୁନ୍ଦର ନଥିଲେ, ଆନ୍ତରିକ ଦୃଷ୍ଠିକୋଣରୁ ମଧ୍ୟ ଖୁବ ପରୋପକାରୀ ଏବଂ ଶୁଦ୍ଧ ଚରିତ୍ରଯୁକ୍ତ ଥିଲେ । ସେ ଖୁବ ଭଲଭାବରେ ନିଜର ସୀମାକୁ ସର୍ବଦା ନିୟନ୍ତ୍ରଣରେ ରଖିଥିଲେ । ଲେହେର ସୋସିଆଲମେଡିଆ ଦ୍ୱାରା ନୂତନ ବନ୍ଧୁ ସମ୍ପର୍କ ସୃଷ୍ଟିକରିପାରୁଥିଲେ । ଫେସ୍‌ବୁକ ଲେହେର’ର ଏକ ଜୀବନର ଧାରା ଥିଲା । ସେ ମଧ୍ୟ ଜୀବନପ୍ରତି ଉତ୍ସାହ ଭରପୁର ବ୍ୟକ୍ତିତ୍ୱ ଥିବାରୁ ବିଭିନ୍ନ ପ୍ରକାର ସ୍ଥାନ ପରିଭ୍ରମଣ କରିବାର ଖୁବ ସଉକିନ୍‌ ଥିଲା ।

ଏମବିଏ ପାଠପଢ଼ାର ଚାପ ଆଉ ଲେହେରକୁ କୌଣସି ଦିଗରେ ସମୟ ବିତାଇବାକୁ ଦେଉନଥିଲା । ଦେଖୁଦେଖୁ ୨ବର୍ଷର ଏମବିଏ’ର ଶେଷ ସେମିଷ୍ଟର ହୋଇଗଲା ଏବଂ ଲେହେର ଖୁବ ଚିନ୍ତାଯୁକ୍ତ । କଠିନ ପରିଶ୍ରମ, ଡର ଓ ଘବରାହଟର ସମୟ, ଦିନରାତି ପାଠ ହିଁ ପାଠ । ସବୁଦିନ ଯେ ଖୁବ ବ୍ୟସ୍ତ । ଦିନେ କଲେଜରେ ୫ଟି ବ୍ୟାଖାନରେ ଭାଗନେଇ ଲେହେର ପୂର୍ଣରୂପେ ଥକିଯାଇ ନିଜର ଛାତ୍ରାବାସକୁ ଫେରିଲେ । ନିଜ କକ୍ଷରେ ପହଞ୍ଚି ସ୍ନାନକରି ଫ୍ରେସ୍‌ହେବାପରେ ନିଜର ବିଛଣାରେ ଥକାହାରା ଅବସ୍ଥାରେ ପଡିଗଲେ । ଦେଖୁଦେଖୁ ସେଯେ କେତେବେଳେ ନିଦ୍ରାଶକ୍ତ । କିଛି ସମୟପରେ ଉଠିବାରୁ ଦେଖିଲେଯେ ରାତିର ୯ଟା ବାଜିଲାଣି । ଦୌଡ଼ିଯାଇ ଛାତ୍ରାବାସର କ୍ୟାଣ୍ଟିନରେ ରାତ୍ରିଭୋଜନ ପାଇଁ ବସିପଡ଼ିଲେ । ତାଙ୍କର ଶ୍ରେଷ୍ଠବନ୍ଧୁ ଶ୍ରୁତି ମଧ୍ୟ ତାଙ୍କରି ଅପେକ୍ଷାରେ ବସିଥିଲେ । ଦୁଇବନ୍ଧୁ ଯେ ଏକାସଙ୍ଗେ ଭୋଜନ କରୁଥିଲେ । ପରୀକ୍ଷାର ସମୟ ଆସୁଥିବାରୁ ରାତ୍ରୀର ଅନ୍ଧକାର ମଧ୍ୟରେ ଛାତ୍ରୀମାନେ କଠିନ ପରିଶ୍ରମ କରି ପଢିଚାଲିଥିଲେ । ଲେହେର ଏବଂ ଶ୍ରୁତି ମଧ୍ୟ ନିଜ ନିଜ କକ୍ଷକୁ ଚାଲିଗଲେ ଏବଂ ପଢିବାରେ ବ୍ୟସ୍ତ ହୋଇଗଲେ । କିଛିସମୟ ବିତିଗଲାପରେ ଲେହେର ନିଜର ଆଇ-ପ୍ୟାଡ଼ ରେ ଫେସବୁକ, ଜିମେଲ, ଟ୍ୱିଟର, ଇତ୍ୟାଦି ସବୁକିଛି ଦେଖିଚାଲିଲେ । ଫେସବୁକ ପେଜରେ ତାଙ୍କର କିଛି ନୋଟିଫିକେସନ ଥିଲା, କିଛି ମେସେଜ ତ ଆଉ କିଛି ଫ୍ରେଣ୍ଡ ରିକୁଏଷ୍ଟ । ଲେହେର ଆଗ୍ରହର ସହିତ ଫେସବୁକର ଫ୍ରେଣ୍ଡ ରିକୁଏଷ୍ଟ ଦେଖିଲେ । ସେମାନଙ୍କ ମଧ୍ୟରୁ ଜଣେ ଥିଲେ “ସୌମିତ୍ର ମେହେରା”, ଏକ ଲମ୍ବା ଶୁଦ୍ଧ ରଙ୍ଗଧାରୀ ଖୁବ ହ୍ୟାଣ୍ଡସମ ଯୁବକ । ଯୁବକଟି ନାଇକ ଟି-ସାର୍ଟ ପିନ୍ଧିଥିଲେ, ହାତରେ ଗୀଟାର ଧରି ସଂଗୀତ ସାଧନାର ରୂପରେ ନିଜର ପ୍ରୋଫାଇଲ ପିକ୍ଚର ରଖିଥିଲେ । ଫେସବୁକ ପେଜ ଦେଖିବାପରେ ଜଣାପଡିଲାକି ସୌମିତ୍ର, ଦିଲ୍ଲୀ ୟୂନିଭରସିଟିରୁ ଶିକ୍ଷା ପ୍ରାପ୍ତକରି ଦିଲ୍ଲୀ ସ୍ଥିତ ସଫ୍ଟୱେୟାର କମ୍ପାନୀ ‘ଏଡିଏମକେ’ରେ ଇଂଞ୍ଜିନିଅର ଭାବେ କାର୍ଯ୍ୟରତ ଥିଲେ । କିଛି ନଭାବି ଲେହେର ଫ୍ରେଣ୍ଡ ରିକୁଏଷ୍ଟଟିକୁ ଗ୍ରହଣ କରିନେଲେ । ୫ଟି ମିନିଟ ସମୟ ବ୍ୟବଧାନରେ ସୌମିତ୍ର ତରଫରୁ ମେସେଜ ଆସିଗଲା । କିଛି ସମୟ ପାଠପଢ଼ାର ଚାପରୁ ମୁକୁଳିଯାଇ ଲେହେର ଉତ୍ତର ମଧ୍ୟ ଦେଇଥିଲେ ଏବଂ ସାମାନ୍ୟ ଚିଟ୍‌ଚାଟ୍‌ ଆରମ୍ଭ ହୋଇଥିଲା । ଏହାମଧ୍ୟରେ ଯେ ଅଧଘଣ୍ଟା ବିତିଗଲାଣି । ଲେହେର ଘଡି ଦେଖିବାପରେ ବାଇବାଇ କରି ପାଠପଢ଼ିବାରେ ଲାଗିଗଲେ । ଛାତ୍ରାବାସରେ ଦୃଶ୍ୟଟି ଖୁବ ଦର୍ଶନୀୟ ଥିଲା । ପ୍ରତ୍ୟେକ ସ୍ଥାନରେ ଛାତ୍ରୀମାନେ ବସିଯାଇ ପଢିବାରେ ବ୍ୟସ୍ତ, କିଏ ବହି ଧରି ତ କିଏ ଲାପ୍ଟପ ଧରି ତ ଆଉକିଏ ଆଇ-ପ୍ୟାଡ଼ ଧରି ଖୁବ ମଗ୍ନ । ଲେହେର ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ । ଏହାମଧ୍ୟରେ ଚାରିଘଣ୍ଟା ସମୟ ବିତିଗଲାଣି । ଗୋଟେ ଛୋଟ ବିରତି ନେଇ ଲେହେର ପୁନର୍ବାର ଫେସବୁକରେ ଲଗଇନ କରିଥିଲେ । ବହୁତ ଜଣାଶୁଣା ଲୋକମାନେ ଅନଲାଇନ ଥିଲେ ଏବଂ ସେମାନଙ୍କ ମଧ୍ୟରୁ ଜଣେ ଥିଲେ ସେହି ସୌମିତ୍ର । ଲେହେର’ଙ୍କୁ ଅନଲାଇନ ଦେଖି ସୌମିତ୍ର ସମୟ ନଷ୍ଠନକରି ମେସେଜ କରିଥିଲେ “ହାଇ, ଏପର୍ଯ୍ୟନ୍ତ ନିଦ୍ରାଶକ୍ତ ନହେବାର କାରଣ କଣ?” ଲେହେର ମଧ୍ୟ ତୁରନ୍ତ ଜବାବ ଦେଇ ଲେଖିଥିଲେକି “ପରୀକ୍ଷାଯେ ଏହିମାସର ଶେଷରେ, ତେଣୁ ପଢିବାରେ ବ୍ୟସ୍ଥ । କିନ୍ତୁ ତୁମେଯେ ଏତେ ରାତିଯାଏ କଣପାଇଁ ଅନିଦ୍ରା?” । ସମୟର ପୂର୍ଣ ଉପଯୋଗ କରି ସୌମିତ୍ର ତୁରନ୍ତ ଉତ୍ତର ଦେଇଥିଲେ “ବିଛଣାରେ ପଡି ପଡି.. । ଅଫିସରେ ଯେ ଖୁବ ବ୍ୟସ୍ଥ ଦିନ ଥିଲା… । ମୁଁ ଯେ ମୋର ଚାକିରୀକୁ ନେଇ ସନ୍ତୁଷ୍ଟ ନୁହେଁ… । କିଛି ଭଲ ଚାକିରୀ ପାଇଁ ଚେଷ୍ଠା କରୁଛି….. । ” । ଏହିପରି ଭାବରେ ଏକ ଦୋସ୍ତାନା କଥାବାର୍ତ୍ତାର ସିଲସିଲା ଆରମ୍ଭ ହୋଇଥିଲା । ନିଜ ନିଜର ସଉକ, ପସନ୍ଦ, ନାପସନ୍ଦ, ପସନ୍ଦିତା ଚଳଚିତ୍ର, ସଂଗୀତ ଇତ୍ୟାଦି ବିଷୟରେ ବାର୍ତ୍ତାଳାପ ହୋଇଥିଲା । ଏହି ବାର୍ତ୍ତାଳାପ ଦ୍ୱାରା ସେମାନେ ପରସ୍ପରକୁ ସ୍ପଷ୍ଟତାର ସହିତ ଜାଣିପାରିଥିଲେ । ସେ ଦୁହିଁଙ୍କ ମଧ୍ୟରେ କିଛି ସମାନତା ଥିଲା ଏବଂ କିଛି ଅସମାନତା ମଧ୍ୟ; ଯେପରିକି ସେମାନେ ନାଚ ଓ ଗୀତ ପ୍ରତି ଆକର୍ଷିତ ଥିଲେ, ସଙ୍ଗୀତର ସଉକିନ ଥିଲେ, ଚଳଚିତ୍ର ଦେଖିବାକୁ ଦୁହେଁ ବହୁତ ଭଲ ପାଆନ୍ତି, ବିଭିନ୍ନ ସ୍ଥାନ ଭ୍ରମଣ କରିବାକୁ ଭଲ ପାଆନ୍ତି । ପସନ୍ଦିତା ଖାଦ୍ୟ ହିସାବରେ ଲେହେର ଯେ ଚାଇନିଜ ଖାଦ୍ୟକୁ ଭଲ ପାଉଥିଲେ ଏବଂ ସୌମିତ୍ର ଯେ ଇଟାଲିଆନ ଖାଦ୍ୟକୁ ଭଲ ପାଉଥିଲେ । ସୌମିତ୍ର ଏକ ରଚନାତ୍ମକ ବ୍ୟକ୍ତି ଥିଲେ ଏବଂ ଚିତ୍ରକଳାକୁ ଖୁବ ପସନ୍ଦ କରୁଥିଲେ କିନ୍ତୁ ପାରିବାରିକ ଖ୍ୟାତିକୁ ବଜାୟ ରଖିବା ଉଦ୍ୟେଶ ହେତୁ ସେ ଚାକିରୀ କରିବାକୁ ବାଧ୍ୟ ହୋଇଥିଲେ । କିଛିଦିନ ମଧ୍ୟରେ ସେଦୁହେଁ ପରସ୍ପର ସହିତ ଖୁବ ଖୋଲା ଏବଂ ସ୍ପଷ୍ଟତାର ସହିତ ବାର୍ତ୍ତାଳାପ କରିପାରିଥିଲେ; ଯେପରିକି ଗାର୍ଲଫ୍ରେଣ୍ଡ, ବୟଫ୍ରେଣ୍ଡ, ଡେଟିଂ, ଡ୍ରେସିଂ, ଚେହେରା ଓ ଶାରୀରିକ ସୌନ୍ଦର୍ୟ ଇତ୍ୟାଦି ଇତ୍ୟାଦି । ଫେସବୁକ ପେଜରେ ଏପ୍ରକାର ବାର୍ତ୍ତାଳାପ ସାଧାରଣତଃ ଦେଖିବାକୁ ମିଳେ କାରଣ ଦୁହେଁ ଆଭାସୀ ଦୁନିଆରେ ବାସକରିଥାନ୍ତି, ତେଣୁ ପ୍ରତେକ୍ଷ ପ୍ରଶ୍ନ କରିବାକୁ ଲଜ୍ଜା ଆସିନଥାଏ । ଧୀରେ ଧୀରେ ଏପ୍ରକାର ଭଦ୍ର ଛେଡଖାନୀ ଲେହେର’ଙ୍କୁ ଭଲ ମଧ୍ୟ ଲାଗିଥିଲା ଓ ସେ ମଧ୍ୟ ଏକ ମୁକ୍ତ ବିହଙ୍ଗ ରୂପରେ ସୌମିତ୍ର’ର ପଞ୍ଜୁରୀ ମଧ୍ୟକୁ ଉଡିଯାଇଥିଲେ । ସବୁ ରାତ୍ରୀରେ ଡେରି ପର୍ଯ୍ୟନ୍ତ ଚିଟ୍‌ଚାଟ୍‌ ଚାଲିଥିଲା । ଏହାମଧ୍ୟରେ ପରସ୍ପରକୁ ସେମାନେ ମୋବାଇଲ ନମ୍ବର ବିନିମୟ କରିଥିଲେ । ପ୍ରେମର ଆଭାସ ହେଉଥାଏ । ଏକଥା ଭାବି ଲେହେର ଏକାଏକା ମନମଧ୍ୟରେ ଲାଜକୁଳୀ ଲତା ପରି ଶର୍ମିଲ ହୋଇଯାଉଥିଲେ । ପ୍ରେମର ପ୍ରଥମ ଅଧ୍ୟାୟରେ ସମସ୍ତେ ପରିବର୍ତନର ଅନୁଭବ କରିଥାନ୍ତି । ହଠାତ ଦୁନିଆରେ ସବୁ ଜିନିଷ ଗୁଡିକ ସୁନ୍ଦର ଦେଖାଯାଏ, ମନ ସର୍ବଦା ପ୍ରଫୁଲ୍ଲିତ ରୁହେ, ଅଜଣା ଲୋକ ନିଜର ପରି ଲାଗେ, ମନ ମଧ୍ୟରୁ କ୍ରୋଧ ଦୁରେଇ ଯାଇଥାଏ, ବ୍ୟବହାରରେ ଶାଳୀନତା ଓ ସୁନ୍ଦରତା ଦୃଶ୍ୟମାନ ହୋଇଥାଏ, ଏହିପ୍ରକାର ବର୍ଣ୍ଣନା ଯେ ବହୁତ ରୋମାଣ୍ଟିକ ଉପନ୍ୟାସରେ ଦେଖିବାକୁ ମିଳିଥାଏ । ଲେହେର’ର ଅନୁଭୂତୀ ମଧ୍ୟ ଠିକ ଏହିପରି ଥିଲା । ମନେ ମନେ ଲେହେର ଗାଇ ଯାଉଥିଲେ;

“ପ୍ରଥମ ପ୍ରେମର ପ୍ରଥମ ଚିଠି, ଲେଖୁଛି ଅଳପ ଭାବୁଛି ବେଶି…”

ଅପରପକ୍ଷରେ ସୌମିତ୍ର ବାବୁଙ୍କର ଅବସ୍ଥା ମଧ୍ୟ କିଛି ଭଲ ନଥିଲା । ସେ ହୁଏତ ପ୍ରଥମଥର ପ୍ରେମାଶକ୍ତ ନହୋଇ ପାରନ୍ତି, କିନ୍ତୁ ନିଶ୍ଚିତ ଭାବରେ ଦ୍ୱିତୀୟ କି ତୃତୀୟବାର ଲେହେର ଭଳି ସୁନ୍ଦର ଯୁବତୀ ସହିତ ପ୍ରେମର ଆଭାସରେ ବାନ୍ଧିହୋଇ ଚାଲିଥିଲେ । ତାଙ୍କର ମନମଧ୍ୟରେ ଝୁମି ଉଠିଥିଲା;

“ଏହି ଝୁମା ଝୁମା ଗୋଲାପୀ ବେଳାରେ.. । ସାଥି ଆମ ସ୍ମୃତି ନେଇ ଆହୁରି ନିଜର ହୋଇ ହଜିଯିବା ଆପଣା ଭିତରେ..”

ବାସ୍ତବିକ ଜୀବନରେ ସତ୍ୟ ପ୍ରେମର ଆଭାସ ଏକ ଅମଣିଷକୁ ମଧ୍ୟ ଠିକରାସ୍ତାକୁ ଆଣିଦେଇଥାଏ । ପ୍ରେମ ହିଁ ସତ୍ୟ, ପ୍ରେମ ହିଁ ସୁନ୍ଦର ଏବଂ ସତ୍ୟମ ଶିବମ ସୁନ୍ଦରମ । ପ୍ରେମରେ ଛଳନା ଓ ପ୍ରତାରଣାର କୌଣସି ସ୍ଥାନ ନଥାଏ; ସେ କେବଳ ନିଜର ପ୍ରେମିକ କିମ୍ବା ପ୍ରେମିକାକୁ ସଦା ଖୁସିରେ ରହିବାକୁ ହିଁ ଚାହିଁଥାଏ । ଏକ ୨୨ବର୍ଷର ସୁନ୍ଦର କନ୍ୟାର ମନମଧ୍ୟରେ ପ୍ରେମର ତରଙ୍ଗ ଫୁଟିବା ଯେ ସ୍ୱାଭାବିକ । ତେଣୁ ଲେହେର’ର ମନମଧ୍ୟରେ ପ୍ରେମର ପ୍ରଥମ ଲହଡି ଆସିଥିଲା ଓ ସେ ମଧ୍ୟ ତାଙ୍କର ନାମକୁ ସାର୍ଥକ କରିଥିଲେ । ସେମାନେ ଦୁହେଁ ପରସ୍ପରକୁ ଭେଟ୍‌କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ଦିଲ୍ଲୀ ସହରର କନ୍ନଟପ୍ଲେସ ସ୍ଥିତ କାଫେ-କଫି-ଡେ ରେ ଭେଟକରିବା ପାଇଁ ୧୫ ଅପ୍ରେଲ ୨୦୧୬ର ସନ୍ଧ୍ୟା ୫ଟା ସମୟ ନିର୍ଦ୍ଧାରିତ ହେଲା । ଏହାଥିଲା ଲେହେର’ଙ୍କର ପ୍ରଥମ ଡେଟିଂ । ସେ ବହୁତ ଉତ୍ସାହିତ ଏବଂ ଖୁସି ଥିଲେ । ମନମଧ୍ୟରେ ବହୁତ ପ୍ରକାରର ପ୍ରଶ୍ନ ଉଠିଚାଲିଥିଲା, ଲେହେର ଆଇନା ସମ୍ମୁଖରେ ବସି ୨ଘଣ୍ଟା ସମୟ ବିତାଇଦେଇଥିଲେ । ଶେଷରେ କେଉଁ ବସ୍ତ୍ର ପରିଧାନ କରିବାର ପ୍ରୟୋଗ ମଧ୍ୟରୁ ବାହାରି ଲେହେର ନିଜ ମନପସନ୍ଦିତା ବସ୍ତ୍ର ଧାରଣକରି ନିଜକୁ ପୂର୍ଣରୂପରେ ଆଭୂଷଣ ସହିତ ସୌନ୍ଦର୍ଯ୍ୟର ପ୍ରତିମୂର୍ତ୍ତିରେ ପରିବର୍ତ୍ତନ କରି “ଉବେରଟାକ୍ସି”ରେ ବସି କନ୍ନଟପ୍ଲେସ ସ୍ଥିତ “କାଫେ-କଫି-ଡେ”ରେ ପହଞ୍ଚିଥିଲେ । ବିଚାରା ସୌମିତ୍ର, ସେହି ସ୍ଥାନରେ ୨ଘଣ୍ଟା ପୂର୍ବରୁ ପହଞ୍ଚି କଫି ପରେ କଫି ପିଇବାକୁ ଲାଗିଥିଲେ । ସୌମିତ୍ର’ଙ୍କ ହାତରେ ଗୋଟେ ଲାଲରଙ୍ଗର ଗୋଲାପତୋଡ଼ା; ଲାଲ ଗୋଲାପ ଯେ ଲେହେର’ର ବହୁତ ପସନ୍ଦ । ସେ ବହୁତ ଆନନ୍ଦିତ ଅବସ୍ଥାରେ ପରସ୍ପରକୁ ସ୍ୱାଗତ କରିଥିଲେ । ଲେହେର, ସୌମିତ୍ର’ଙ୍କର ରୋମାଣ୍ଟିକ ଇସାରାକୁ ଦେଖି ବହୁତ ସୁନ୍ଦର ଅନୁଭୂତୀକୁ ମନମଧ୍ୟରେ ଦବାଇ ରଖିଥିଲେ । ପରସ୍ପରର ତାରିଫ୍‌ କରିବା ସହିତ ସେମାନେ ନିଜମଧ୍ୟରେ ଥିବା ଅସୁବିଧାଜନକ ଓ ଲଜ୍ଜାଜନକ ଧାରଣାରୁ ବାହାରକୁ ଆସିବାର ଚେଷ୍ଟା କରିଥିଲେ । ଏହି ସମୟରେ ୱେଟର ଆସି ପଚାରିଲେ ” ମାଡାମ ଏବଂ ସାର, ସେ ସେମାନଙ୍କୁ ସାହାଯ୍ୟ କରିପାରିବ କି?” । ସଠିକ ସମୟରେ ସଠିକ ଉତ୍ତର ଦେବାକୁ ଯାଇ ଲେହେର ଗୋଟେ ‘କାପୁଚିନୋ ଓ ଚକୋଲେଟ ଚିପ କୁକି’ ଏବଂ ସୌମିତ୍ର ଗୋଟେ ‘କୋଲ୍ଡ କଫି ଓ ବାନାନା ମଫିନ’ର ଅର୍ଡର ଦେଇଥିଲେ । କିଛିସମୟ ମଧ୍ୟରେ ସେମାନେ ପରସ୍ପର ସହିତ ଖୁବ ଆରାମରେ ବାର୍ତ୍ତାଳାପ କରିଚାଲିଥିଲେ । ସେଠାରୁ ବାହାରି ସେଦୁହେଁ କନ୍ନଟପ୍ଲେସର ସପିଙ୍ଗମଲ ମଧ୍ୟରେ ଚାଲିବାକୁ ଲାଗିଲେ ଏବଂ ନିଜର ଅସରନ୍ତି ଭଣ୍ଡାରରୁ ସବୁପ୍ରକାର ଗଳ୍ପର ଆବାହନ କରିଚାଲିଥିଲେ । ସମୟର ସୁଯୋଗ ନେଇ ସୌମିତ୍ର ଯେ ଲେହେର’ଙ୍କର ହାତକୁ ନିଜ ହାତରେ ଧରିଥିଲେ । ଏହାଥିଲା ଲେହେର’ଙ୍କର ଜୀବନରେ ପ୍ରେମର ପ୍ରଥମ ସ୍ପର୍ଶ । ଲେହେର ନିଜର ଶରୀରରେ ଖେଳିଯାଇଥିବା ଅନୁଭୂତୀକୁ ଲୁଚାଇ ପାରିନଥିଲେ । ସେ ଦ୍ଵିଧା ମଧ୍ୟରେ ହସିଥିଲେ ଏବଂ ଲାଜେଇ ଯାଇଥିଲେ । ସମୟକୁ ହାତମୁଠାରେ ଚାପିରଖି ଧୀରେ ଧୀରେ କନ୍ନଟପ୍ଲେସରୁ ବାହାରି ଲେହେର ଛାତ୍ରାବାସ ଆଡକୁ ଚାଲିବା ଆରମ୍ଭ କରିଥିଲେ । ଦିଲ୍ଲୀ ସହରର ଧୂଳି ଓ ପ୍ରଦ୍ୟୁଷଣ ଲେହେରକୁ ଦୂଷିତକରିବା ପୂର୍ବରୁ ଲେହେର ଉବେରଟାକ୍ସି ଡାକିଥିଲେ ଏବଂ ସେ ଠିକ ଟାକ୍ସି ଭିତରକୁ ଯିବା ପୂର୍ବରୁ ସୌମିତ୍ର ଏକ ଚୁମ୍ବନ ପାଇଁ ଆଜ୍ଞା ମାଗିଥିଲେ । ଲେହେର ନିଜକୁ ସମ୍ଭାଳି ନପାରି ଏକମତ ହୋଇଯାଇଥିଲେ ଏବଂ ଏହାଥିଲା ତାଙ୍କର ଜୀବନରେ ପ୍ରେମର ଦ୍ୱିତୀୟ ସ୍ପର୍ଶ । ତାହାସହିତ ପ୍ରଥମ ଡେଟିଂର ଅଭିଜ୍ଞତା ନେଇ ଲେହେର ଫେରିଆସିଥିଲେ ଛାତ୍ରାବାସକୁ । ରାତ୍ରୀର ଅନ୍ଧକାର ମଧ୍ୟ ଲେହେର’ଙ୍କୁ ଶୋଇବାକୁ ଦେଇନଥିଲା । ସେହି ସଂଧ୍ୟାର ଅନୁଭୂତିକୁ ମନମଧ୍ୟରେ ଏବେବି ଅନୁଭବ କରିଚାଲିଥିଲେ ଏବଂ ସେପରି ଅବସ୍ଥା ମଧ୍ୟ ସୌମିତ୍ର’ଙ୍କର ହୋଇଥିଲା । ମନମଧ୍ୟରେ ଖାଲି ଭାସିଯାଉଥିଲା;

“ଉନସେ ଲାଗି ମୋହେ କୈସି ଲଗନରେ, ସମଝ ନା ପାଉଁ କରୁଁ କ୍ୟା ଯତନ ରେ.. । ”

ଦିନ ପରେ ଦିନ ବିତି ଚାଲିଥିଲା । ବାର୍ଷିକ ‘ଜବ ପ୍ଲେସମେଣ୍ଟ’ର ସମୟ ପାଖେଇଆସିଲା । ସବୁ ଛାତ୍ରଛାତ୍ରୀ ମାନଙ୍କ ମନରେ ତନାବ ଓ ଘବରାହଟ । କଲେଜରୁ ଚାକିରୀ ପାଇଗଲେ ଚିନ୍ତା ଯାଏ; ନହେଲେ ଥରେ କଲେଜରୁ ବାହାରକୁ ଗଲେ ଚାକିରୀ ପାଇବାପାଇଁ ଭାରତ ଦେଶରେ ବହୁତ ପ୍ରତିଯୋଗିତାର ସମ୍ମୁଖୀନ ହେବାକୁ ପଡିଥାଏ । ତେଣୁ ସମସ୍ତେ ଚେଷ୍ଠା କରିଥାନ୍ତିକି କଲେଜର ବାର୍ଷିକ ପ୍ଲେସମେଣ୍ଟ ପାଇଁ ଆସୁଥିବା କମ୍ପାନୀଗୁଡିକରେ ଚାକିରୀ ପାଇବାକୁ । ଏବର୍ଷ ମଧ୍ୟ ବହୁତ ସଫ୍ଟୱେୟାର କମ୍ପାନୀଗୁଡ଼ିକ ଆସିଥାନ୍ତି ।

ଲେହେର ତାଙ୍କର ପ୍ରଥମ ଚାକିରୀ ଇଣ୍ଟରଭିଉ ପାଇଁ ପୂର୍ଣରୂପରେ ତୟାର । ପିଙ୍କ୍‌ ଟମିହିଲଫୈଗର ଶାର୍ଟ ଏବଂ ବ୍ଲାକ ଟ୍ରାଉଜର ପିନ୍ଧି ଆଇନା ସମ୍ମୁଖରେ ଭଲଭାବରେ ତୟାରହେବା ସମୟରେ ଘନିଷ୍ଠବନ୍ଧୁ ଶ୍ରୁତି ଆସିପହଞ୍ଚିଲେ ଏବଂ ଦୁହେଁ କଲେଜର ପ୍ଲେସମେଣ୍ଟ ବିଭାଗକୁ ଚାଲିଗଲେ । ଲେହେର’ର ପ୍ରଥମ ଇଣ୍ଟରଭିଉ ଥିଲା ‘ଟିଡିପି ସଫ୍ଟୱେୟାର କମ୍ପାନୀ’ରେ । ଲେହେର ଇଣ୍ଟରଭିଉ କକ୍ଷମଧ୍ୟକୁ ପ୍ରବେଶକଲା ମାତ୍ରକେ ସାମ୍ନାରେ ବସିଥିବା ବ୍ୟକ୍ତିବିଶେଷଙ୍କୁ ‘ଗୁଡ଼ମର୍ନିଙ୍ଗ’ କହି ସମ୍ବୋଧିତ କରିଥିଲେ । ଲେହେର ଏକ ସ୍ମାର୍ଟ, ଶିକ୍ଷିତା ଏବଂ ଉଚ୍ଚକୋଟିର ଚିନ୍ତାଧାରାଯୁକ୍ତ ଛାତ୍ରୀ ଥିଲେ । ୨୦ମିନିଟ ଧରି ଇଣ୍ଟରଭିଉ ଚାଲିଲା । ଲେହେର ବାହାରକୁ ଆସିବାପରେ ଭଲ ପ୍ରଦର୍ଶନ କରିଥିବାରୁ ଖୁବ ଖୁସିଥିଲେ । ଏହି ସମୟରେ ‘ଆଇଏନସି ସଫ୍ଟୱେୟାର’ ସହିତ ଇଣ୍ଟରଭିଉ ଶେଷକରି ଶ୍ରୁତି ବାହାରକୁ ଆସିଲେ । ସେ ମଧ୍ୟ ନିଜର ପ୍ରଦର୍ଶନକୁ ନେଇ ଖୁବ ଖୁସିଥିଲେ । ଧର୍ଯ୍ୟ ଓ ଅଧର୍ଯ୍ୟ ମଧ୍ୟରେ ସେହି ରାତ୍ରିଟି ବିତିଗଲା । ତାର ପରଦିନ ସକାଳରେ ଇଣ୍ଟରଭିଉର ଫଳାଫଳ ଘୋଷଣା ହୋଇଥିଲା । ଯେପରି ଆଶା ଥିଲା, ସେହିପରି ଫଳାଫଳ ଆସିଥିଲା । ଲେହେର ତାଙ୍କ ଜୀବନର ପ୍ରଥମ ଚାକିରୀ କରିବାପାଇଁ ‘ଟିଡିପି ସଫ୍ଟୱେୟାର’ର ପୁନେ ଅଫିସରେ ପୋଷ୍ଟିଙ୍ଗ ପାଇଥିଲେ, ସେହିପରି ଶୃତି ମଧ୍ୟ ‘ଆଇଏନସି ସଫ୍ଟୱେୟାର’ର ପୁନେ ସ୍ଥିତ ଅଫିସରେ ନିଯୁକ୍ତି ପାଇଥିଲେ । ଅନ୍ୟ ବନ୍ଧୁବାନ୍ଧବୀମାନେ ବହୁତ ପରିମାଣରେ ସଫଳ ହୋଇଥିଲେ, ତେଣୁ ଛାତ୍ରାବାସରେ ଆନନ୍ଦର ମହଲ । ସମସ୍ତେ ନିଜର ପରିବାର ଓ ବନ୍ଧୁମାନଙ୍କ ସହିତ ମୋବାଇଲ ଫୋନରେ ଗପିବାରେ ବ୍ୟସ୍ଥ । ଲେହେର ନିଜର ମାତାପିତାଙ୍କୁ ଫୋନ୍‌କରି ଖୁସିର ଖବର ଜଣାଇଥିଲେ ଏବଂ ସେମାନେ ମଧ୍ୟ ଲେହେରର ଏହିପ୍ରକାର ପ୍ରଦର୍ଶନ ହେତୁ ବହୁତ ଖୁସି ହୋଇଥିଲେ । ଲେହେର ଓ ଶ୍ରୁତି ନିଜନିଜର ବନ୍ଧୁମାନଙ୍କ ସହିତ ସନ୍ଧ୍ୟା ସମୟରେ ନିକଟସ୍ଥ ବଡ ହୋଟେଲରେ ଏକ ସାନଦାର ପାର୍ଟି ଦେଇଥିଲେ । ଲେହେର ମଧ୍ୟ ସୌମିତ୍ର’ଙ୍କୁ ନିମନ୍ତ୍ରଣ କରିଥିଲେ । ସେହି ସଂଧ୍ୟାଟି ବହୁତ ହସ ଖୁସିର ସହିତ ବିତିଯାଇଥିଲା ଏବଂ ପାଠପଢ଼ାର ଚାପଠୁ ଦୁରେଇ ଚାକିରୀ ଜୀବନର ଚାପ ପାଇଁ ସମସ୍ତେ ନିଜକୁ ତୟାର କରିଚାଲିଥିଲେ ।

କଲେଜରେ ଶେଷ ଦିନ, ବିଦାୟର ସମୟ, ପୁରା କଲେଜଟି ଖୁସି ଓ ଦୁଃଖ ମଧ୍ୟରେ ଝୁଲୁଥିଲା । ବନ୍ଧୁବାନ୍ଧବୀମାନେ ପରସ୍ପର ସହିତ ସମ୍ପର୍କ ରଖିବେ ବୋଲି ପ୍ରତିଜ୍ଞା କରୁଥିଲେ । ସମସ୍ତଙ୍କ ମୁଖମଣ୍ଡଳରେ ଏକ ଦୁଃଖର ପ୍ରତିଛବି ଥିଲା । ଶିକ୍ଷକ, ଛାତ୍ର, ଛାତ୍ରୀ ସମସ୍ତେ ସମସ୍ତଙ୍କଠାରୁ ବିଦାୟ ନେଉଥିଲେ । ମନମଧ୍ୟରେ ଚାକିରୀ ଜୀବନ ଆରମ୍ଭ କରିବାର ସ୍ୱପ୍ନଟି ଥିଲା, ତେଣୁକରି ଅନ୍ତର ମଧ୍ୟରେ ସେମାନେ ସେଥିଲାଗି ଖୁସିଥିଲେ । ଛାତ୍ରାବାସରେ ରହୁଥିବା ସମୟରେଯେ ଖୁବ ଅଧିକ ଜିନିଷପତ୍ର ଜମାହୋଇଯାଇଥିଲା;ତେଣୁ ସେଗୁଡିକୁ ପଣ୍ଡିଚେରୀ ନେଇଯିବାକୁ ପଡିବ; ତାହା ଭାବି ଲେହେର ଯେ ଫ୍ଲାଇଟରେ ନଯାଇ ଟ୍ରେନରେ ଯିବାପାଇଁ ଚିନ୍ତାକରିଥିଲେ ଏବଂ ‘ନିୟୁଦିଲ୍ଲୀ-ପଣ୍ଡିଚେରୀ ଏକ୍ସପ୍ରେସ’ରେ ରିଜର୍ଭେସନ୍‌ କରିଥିଲେ । ଟ୍ରେନଟି ନିୟୁଦିଲ୍ଲୀ ଷ୍ଟେସନରୁ ସନ୍ଧ୍ୟା ୧୧ଟା ୫୦ମିନିଟ ସମୟରେ ପଣ୍ଡିଚେରୀ ଅଭିମୁଖେ ଯାତ୍ରା ଆରମ୍ଭ କରିବାରଥିଲା । ସୌମିତ୍ର’ଙ୍କୁ ଭେଟ କରିବା ପାଇଁ ଲେହେର ପ୍ରାୟ ୮ଟା ସୁଧା ଷ୍ଟେସନରେ ପହଞ୍ଚିଥିଲେ । ସେମାନେ ନିଜମଧ୍ୟରେ ସମ୍ପର୍କକୁ ଆଗେଇ ନେବାକୁ ପ୍ରତିଜ୍ଞା କରିଥିଲେ । ଦୁହେଁ ପୂର୍ଣମାତ୍ରାରେ ଫେସବୁକ ଉପରେ ଭରଷା କରି ଦୁରେଇଯିବା ପୂର୍ବରୁ ସୌମିତ୍ର ସମୟର ସୁଯୋଗ ନେଇ ଲେହେର’ଙ୍କୁ ପ୍ରପୋଜ କରିଥିଲେ ଓ ଲେହେର ମଧ୍ୟ କିଛି ନଭାବି ଉତ୍ତରରେ ସୌମିତ୍ର’ଙ୍କୁ ଏକ ପ୍ରେମଭରା ଚୁମ୍ବନ ଦେଇ ‘ଦିଲବାଲେ ଦୁଲହନୀୟା ଲେ ଯାଏଁଗେ’ର ଚରିତ୍ର ପରି ଟ୍ରେନ ଭିତରକୁ ଚାଲିଯାଇଥିଲେ । ଏହାଥିଲା ଲେହେର’ଙ୍କର ପ୍ରଥମ ପ୍ରେମର ତୃତୀୟ ସ୍ପର୍ଶ । ନିୟୁଦିଲ୍ଲୀ-ପଣ୍ଡିଚେରୀ ଏକ୍ସପ୍ରେସ ଖୁବ ଦ୍ରୁତ ଗତିରେ ଗର୍ଜନକରି ନିୟୁଦିଲ୍ଲୀ ଷ୍ଟେସନ ଛାଡିଥିଲା ।

ପଣ୍ଡିଚେରୀ ସହର, ଦିଲ୍ଲୀ ସହରଠୁ ୨୪୦୦ କିଲୋମିଟର ଦୂରତା, ଦ୍ରୁତଗାମୀ ଟ୍ରେନଟି ପରଦିନ ସନ୍ଧ୍ୟା ୭ଟା ସମୟରେ ପଣ୍ଡିଚେରୀ ଷ୍ଟେସନରେ ପହଞ୍ଚିଲା । ମାତାପିତା ସେମାନଙ୍କ ନୟନପିତୁଳାଙ୍କୁ ଦେଖିବାକୁ ଷ୍ଟେସନରେ ଅପେକ୍ଷାରତ ଥିଲେ । ଟ୍ରେନଟି ରହିବାକ୍ଷଣି ଲେହେର ବାହାରିଆସି ମାତାପିତାଙ୍କୁ କୁଣ୍ଢାଇ ପକାଇଥିଲେ । ପରସ୍ପରଠୁ ଦୂରରେରହି ସେମାନେଯେ ନିଜ ଝିଅର ଅନୁପସ୍ଥିତିକୁ ବହୁତ କଷ୍ଟର ସହିତ ସହ୍ୟ କରିଥିଲେ, ସେହିପରି ଲେହେର ମଧ୍ୟ । ଝିଅର ଶିକ୍ଷା ଶେଷ ହେଲା ଏବଂ ଚାକିରୀ ଜୀବନ ଯେ ଆରମ୍ଭ ହେବ । ଲେହେର ହାତରେ ମାତ୍ର ଗୋଟିଏ ମାସ ସମୟ, ତାପରେ ସେ ପୁନେ ସହରକୁ ଚାଲିଯିବେ । ମାତାପିତା ଲେହେର ପାଇଁ ସବୁପ୍ରକାର ସପିଙ୍ଗ କରିଚାଲିଥିଲେ । ଲେହେର ନିଜକୁ ପ୍ରଫେସନାଲ ରୂପରେଖ ଦେବାକୁଯାଇଁ ଡିଜାଇନର କପଡା କିଣିଚାଲିଥିଲେ; ଅନ୍ୟପଟରେ ମା ତାଙ୍କର ଲେହେର ପାଇଁ ଡିଜାଇନର ଜୋତା, ବ୍ରାଣ୍ଡେଡ ପରଫ୍ୟୁମ ଇତ୍ୟାଦି କିଣିଚାଲିଥିଲେ । ପିତା ଯେ ପୁନେ ସହରର ମାରୁତି ଡିଲରକୁ ଫୋନକରି ଲେହେର ପାଇଁ ଏକ “ସ୍ଵିଫ୍ଟ” କାର ବୁକିଙ୍ଗ କରିସାରିଥିଲେ ଏବଂ ଲେହେର ପୁନେ ସହର ପହଞ୍ଚିବା ଦିନହିଁ ତାଙ୍କୁ ତାଙ୍କର ନୂତନ କାରଟି ଉପହାର ସ୍ୱରୂପ ମିଳିବାରଥିଲା । ସମ୍ପର୍କୀୟ ଓ ସାଙ୍ଗମାନଙ୍କ ମଧ୍ୟରେ ରହି ଲେହେର’ର ଏକମାସ ସମୟ ବହୁତ ଖୁସିରେ ବିତିଗଲା । ସେଥିମଧ୍ୟରେ, ସୌମିତ୍ର ସହିତ ଫୋନ୍‌ ଓ ଫେସବୁକ ମାଧ୍ୟମରେ ବାର୍ତ୍ତାଳାପ ସର୍ବଦା ଚାଲିଥିଲା । ନାରୀହିଁ ନାରୀ ମନକୁ ଖୁବ ଭଲରେ ବୁଝିପାରେ । ମା ଯେ ଲେହେର’ର ବ୍ୟବହାରରେ ପରିବର୍ତ୍ତନକୁ ଲକ୍ଷ୍ୟକରିଥିଲେ । ମାତାପିତାଯେ ଲେହେର’ର ବନ୍ଧୁ ଭଳି । ତେଣୁ ସେମାନେ ଲେହେର’କୁ ସହରର ସବୁଠୁ ବଡ ରେସ୍ତୋରାଁକୁ ଡିନର ପାଇଁ ନେଇଥିଲେ ଏବଂ କଥାପ୍ରସଙ୍ଗରେ ସବୁ ଜାଣିପାରିଥିଲେ । ଲେହେର ଯଦି ତାର ସଠିକ ଜୀବନସାଥୀ ପାଇପାରିଛି, ସେଥିରେ ସେମାନେ ବହୁତ ଖୁସି । ଏହି ଖୁସିର ସମୟକୁ ସଦା ବାନ୍ଧିରଖିବା ପାଇଁ ମାତାପିତା ଲେହେର’ଙ୍କୁ ଏକ ଅତିସୁନ୍ଦର ‘ହୀରା ମୁଦ୍ରିକା’ ଉପହାର ଦେଇଥିଲେ । ଲେହେର’ର ଖୁସିର ସୀମା ନଥିଲା । ସେ ଏପ୍ରକାର ମାତାପିତା ପାଇ ନିଜକୁ ଧନ୍ୟ ମନେକରୁଥିଲେ । ମା କହିଚାଲିଥିଲେ “ବେଟା, ସବୁବେଳେ ନିଜର ଯତ୍ନ ନେବୁ, ଠିକଭାବରେ ଖାଇବାପିଇବା କରିବୁ” । ଝିଅଠୁ ପୁଣିଥରେ ଦୂରେଇବାର କାରଣ ଯୋଗୁ ଆଖି ଦୁଇଟିଯେ ଅଶ୍ରୁ ବୁହାଇବାକୁ ଆରମ୍ଭ କରିଦେଲେ । ଲେହେର କହିଉଠିଲେକି ଉପସ୍ଥିତ ଜନମଣ୍ଡଳୀ ଦେଖନ୍ତୁ, ଜିପମେର’ର ପ୍ରସିଦ୍ଧ ଡାକ୍ତର ଏସ-ଭାଣ୍ଡୁଲା କିପରି ଛୋଟପିଲାଙ୍କ ପରି କାନ୍ଦୁଛନ୍ତି । ଏହାଶୁଣି ମା, ବାପା ଓ ଲେହେର ସମସ୍ତେ ହସିବାକୁ ଲାଗିଲେ ।

ମାତାପିତା ଲେହେରକୁ ପୁନେ ସହରକୁ ନେଇଗଲେ । ପୁନେ ପହଞ୍ଚିବା ପୂର୍ବରୁ ମା ତାଙ୍କର ପୁନେ ସ୍ଥିତ ବନ୍ଧୁଙ୍କର ସହାୟତାରେ ଲେହେର ପାଇଁ ଅଫିସର ପାଖାପାଖି ଅଞ୍ଚଳରେ ଏକ ସୁନ୍ଦର ହାଇପ୍ରୋଫାଇଲ ହାଉସିଂ କମ୍ପ୍ଲେକ୍ସ ରେ ଏକ ଡୁପ୍ଲେକ୍ସ ଘର ଭଡା ନେଇଥିଲେ । ଏୟାରପୋର୍ଟ ରୁ ସିଧା ସେମାନେ ଲେହେରଙ୍କୁ ତାଙ୍କର ନୂଆ ଘରକୁ ନେଇଗଲେ । ଗୃହପ୍ରବେଶ କରିବା କ୍ଷଣି ଲେହେର ଦେଖିଲେ ଯେ ଘରଟି ଫୁଲି ଫର୍ଣ୍ଣିସଡ଼ ଏବଂ ଘର ଭିତରଟି ଖୁବ ସୁନ୍ଦର ଦିଶୁଥିଲା, ରଙ୍ଗର ସମ୍ମେଳନ ବହୁତ ମନଲାଖି ଥିଲା । ସେ ଖୁବ ଖୁସି ହୋଇଗଲେ; ମାତାପିତାଯେ ତାଙ୍କର ଖୁସିକୁ ଦେଖି ନିଜେ ମଧ୍ୟ ବହୁତ ଖୁସି ହୋଇଗଲେ । ବାସ, ଠିକ ୩୦ମିନିଟ ପରେ ଘରର କଲିଙ୍ଗବେଲ ବାଜିବାକୁ ଲାଗିଲା । ଲେହେର ଦୌଡ଼ିଯାଇ କବାଟ ଖୋଲିଦେଲେ ଏବଂ ସମ୍ମୁଖରେ ଛିଡାହୋଇଥିବା ମାରୁତି କମ୍ପାନୀର ଡ୍ରାଇଭର ତାଙ୍କୁ ସ୍ଵିଫ୍ଟ କାରର ଚାବିଟି ଧରେଇଦେଲେ । ଲେହେର କିଛି ବୁଝିନପାରି ମାତାପିତାଙ୍କ ଆଡକୁ ଦେଖିଲେ । ମା କହିଲେ “ଲେ ଲେ ବେଟା” । ଲେହେର ପଚାରିଲେ ଏଇଟା ତାଙ୍କପାଇଁ, ବାପା କହିଲେ ବେଟା, ତୁ ହିଁ ସର୍ବସ୍ୱ; ତାହେଲେ ଏଇଟା ଆଉ କାହାପାଇଁ । ଲେହେର ଚାବିଟି ଧରି ମାତାପିତାଙ୍କ ସହିତ ଘର ବାହାରକୁ ଆସିଲେ ଏବଂ ନାଲି ରଙ୍ଗର ସ୍ଵିଫ୍ଟ ଗାଡିଟି ସୌମିତ୍ର’ଙ୍କର ଲାଲଗୋଲାପତୋଡ଼ା ପରି ସୁନ୍ଦର ଦିଶୁଥିଲା । ଗାଡିର ସବୁ କାଗଜପତ୍ର ସଂଗ୍ରହ କଲାପରେ ଲେହେର ମାତାପିତାଙ୍କୁ ପୁନେ ସହର ଭ୍ରମଣ କରାଇବାକୁ ନେଇଚାଲିଲେ, ସମସ୍ତେ ମିଶି ଗାୟିଚାଲିଥିଲେ;

“ଜିଁଦେଗୀ ଏକ ସଫର ହେ ସୁହାନା, ୟହାଁ କାଲ କ୍ୟା ହୋଗା କିସନେ ଜାନା….. । ” ।

ଲେହେର’ର ରହିବାର ସବୁ ବ୍ୟବସ୍ଥା କରି ମାତାପିତା ଯେ ପଣ୍ଡିଚେରୀ ଫେରିଆସିଲେ । ଲେହେର ନିଜର ଚାକିରୀ ଜୀବନକୁ ନେଇ ଖୁବ ଉତ୍ସାହିତ ଥିଲେ । ଲେହେର’ର ଘନିଷ୍ଠ ବନ୍ଧୁ ଶ୍ରୁତି ମଧ୍ୟ ପୁନେ ସହରରେ ଚାକିରୀ ଆରମ୍ଭକଲେ କିନ୍ତୁ ଅଫିସଟି ସହରର ଭିନ୍ନକୋଣରେ ଥିବାରୁ ସେଯେ ଲେହେର ଠାରୁ ଦୂରରେ ରହୁଥିଲେ । ସପ୍ତାହର ଶେଷରେ ଦୁଇବନ୍ଧୁ ପ୍ରାୟ ଭେଟକରୁଥିଲେ ।

ଲେହେର ଖୁବ ସ୍ମାର୍ଟ ଏବଂ ବୁଦ୍ଧିଶାଳୀ । ପ୍ରଥମ ଗୋଟିଏ ମାସରେ ସେ କମ୍ପାନୀର ମାନବସମ୍ଭଳ ବିଭାଗର ଚାହିଦା ବନିପାରିଥିଲେ । ତାଙ୍କର ବୁଦ୍ଧିମାନ ପ୍ରସ୍ଥାବଗୁଡିକ ମାନବସମ୍ଭଳ ବିଭାଗଟିକୁ ଆହୁରି କର୍ମଚାରୀମାନଙ୍କର ନିକଟତମ କରିପାରିବ, ବିଭାଗୀୟ ମୂଖ୍ୟ ଲେହେର’ଙ୍କର ଖୁବ ପ୍ରଶଂସା କରିଥିଲେ । ୨୦୧୭ ନବବର୍ଷଟି ପାଖେଇ ଆସୁଥିଲା । ଟିଡିପି ସଫ୍ଟୱେୟାର କମ୍ପାନୀର କାମ୍ପସରେ ବହୁତ ବଡ ଉତ୍ସବର ଆୟୋଜନ ହେବାକୁ ସ୍ଥିର କରାଯାଇଥିଲା ଏବଂ ଲେହେର ସେ ସବୁ ବ୍ୟବସ୍ଥାର ଦାଇତ୍ୱ ଗ୍ରହଣ କରିଥିଲେ । ସେ ଫୋନକରି ମାତାପିତାଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇଥିଲେ ଏବଂ ସୌମିତ୍ର’ଙ୍କୁ ମଧ୍ୟ । ଲେହେର ଯେତେବି ବ୍ୟସ୍ଥଥିଲେ ମଧ୍ୟ ନିଜର ଦାୟିତ୍ୱକୁ କେବେ ଭୁଲୁନଥିଲେ ଏବଂ ନିଜର ବନ୍ଧୁ ଓ ସୌଜନ୍ୟମାନଙ୍କୁ ଯଥୋଚିତ ସମୟ ଦେଉଥିଲେ । କମ୍ପାନୀ କାମ୍ପସରେ ହେଉଥିବା ଉତ୍ସବର ସବୁ ଆୟୋଜନ କରିଥିବାରୁ, ଲେହେର ଯେ ସେହି ରାତ୍ରୀରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଯାଇଥିଲେ । ୧ଜାନୁୟାରୀ ୨୦୧୭ ଯେ ଛୁଟିଦିନ ଥିଲା, ତେଣୁ ଲେହେର’ଯେ ସୌମିତ୍ର’ଙ୍କ ସହିତ ଖୁବ ଲମ୍ବା ବାର୍ତ୍ତାଳାପ କରିଥିଲେ । ଶ୍ରୁତି ଆସିବାରୁ ଦୁଇବନ୍ଧୁ କିଛି ପ୍ରିୟ ଭୋଜନ ତିଆରିକରିବାର ଯୋଜନା କରିଥିଲେ ।

ସମୟ ବହିଚାଲିଥିଲା, ତାକୁ ବା କିଏ ଅଟକାଇ ପାରିବ । ଦେଖୁ ଦେଖୁ ୨୦୧୭ମସିହାର ମାର୍ଚ୍ଚମାସ ୧ତାରିଖ ଆସି ପହଞ୍ଚିଲା । ମାତାପିତା, ବନ୍ଧୁବାନ୍ଧବୀ ଓ ସମ୍ପର୍କୀୟମାନେ ସମସ୍ତେ ଲେହେରଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣେଇଚାଲିଥିଲେ । ଅଫିସରେ ପହଞ୍ଚିବାପରେ ହଠାତ ତାଙ୍କର ପୁରା ମାନବସମ୍ଭଳ ବିଭାଗଟି ଏକାସ୍ୱରରେ ଗାୟିଉଠିଲେ ‘ହାପି ବ୍ୟାର୍ଥଡେ ଲେହେର’ । ଲେହେର ଯେ ଖୁସିରେ ଗଦଗଦ ହୋଇଗଲେ । ଦିନଟି ବିତିଚାଲିଥିଲା । ଲେହେର ଅପେକ୍ଷା କରିଥିଲେକି ସୌମିତ୍ର କେବେ ଫୋନ କରିବେ ବୋଲି । ସନ୍ଧ୍ୟା ହେଲା । ଲେହେର ଘରେ ପହଞ୍ଚି ଫ୍ରେସହେବାପରେ ସୋଫାରେ ବସି ଟିଭି ରିମୋଟରେ ଚ୍ୟାନେଲଗୁଡିକୁ ଦବାଇଚାଲିଥିଲେ ଏବଂ ସୌମିତ୍ର ଫୋନ ନକରିଥିବାରୁ ମନରେ କ୍ରୋଧ ବଢିବାକୁ ଲାଗିଥିଲା । ହଠାତ କଲିଙ୍ଗବେଲଟି ବାଜିବାକୁ ଲାଗିଲା ଏବଂ ବାଧ୍ୟତାର ସହିତ ଲେହେର ଆସି କବାଟ ଖୋଲିଲେ । ସମ୍ମୁଖରେ ଛିଡାହୋଇଥିଲେ ସୌମିତ୍ର ମେହେରା ଏବଂ ହାତରେ ଏକ ଲାଲଗୋଲାପତୋଡ଼ା, ଗୋଟେ ବଟଲ ସାଂପେନ ଏବଂ ଗୋଟେ ଗିଫ୍ଟପ୍ୟାକ । ଲେହେର କିଛି କହିବା ପୂର୍ବରୁ ସୌମିତ୍ର କହିଉଠିଲେ ‘ହାପି ବାର୍ଥଡେ ବେବି’ । ଲେହେର ଆଜି ଖୁସିର ଚରମସୀମାକୁ ଅନୁଭବ କରିଥିଲେ । ଜନ୍ମଦିନଟି ଠିକଭାବରେ ପାଳନ ହେବାପାଇଁ ସୌମିତ୍ର ଯଥାଶୀଘ୍ର ସବୁପ୍ରକାରର ବ୍ୟବସ୍ଥାରେ ଲାଗିଗଲେ । ଖୁବ କମସମୟ ଅନ୍ତରାଳରେ ଚାଇନିଜ ଫୁଡ, ବ୍ୟାର୍ଥଡେ କେକ ସବୁ ଆସି ପହଞ୍ଚିଗଲେ । କେକଟି କାଟି ଲେହେର ଆଜି ଖୁସିର ଲହଡି ପରି ନାଚିଚାଲିଥିଲେ । ଲାଇଟ୍ସ ଡିମ; ସୌମିତ୍ର ସାଂପେନ ବଟଲରୁ ୨ଗ୍ଲାସ ଡ୍ରିଂକ୍ସ ରଖି ନିଜର ମୋବାଇଲ ଫୋନ୍‌ରେ ଥିବା ସର୍ବୋତ୍ତମ ରୋମାଣ୍ଟିକ ଇଂଲିଶଗୀତଟି ‘ଲଭ ମି ଲାଇକ ୟୁ ଡୁ’ ଯାହାକି “ଏଲି ଗୋଲଡିଙ୍ଗ” ଦ୍ୱାରା କଣ୍ଠଦାନ ହୋଇଥିଲା, ଚାଲୁ କରିଦେଇଥିଲେ । ସନ୍ଧ୍ୟାକାଳଟି ଏକ ରୋମାଣ୍ଟିକ ରାତ୍ରୀର ରୂପଧାରଣ କରିଚାଲିଥିଲା । ଲେହେର ସେହି ଗିଫ୍ଟପ୍ୟାକଟି ଖୋଲିଦେଖିଲେକି ସୌମିତ୍ର ତାଙ୍କପାଇଁ ଗୋଟେ ‘ଅଫ ସୋଲଡର ବ୍ଲାକ କଲର ୱାନ ପିସ ଡ୍ରେସ’ ଆଣିଥିଲେ । ରାତ୍ରିଟି ସବୁଦିଗରୁ ରୋମାଣ୍ଟିକ ହୋଇଚାଲିଲା । ଜନ୍ମଦିନ ଭଳି ଶୁଭ ଦିବସର ସନ୍ଧ୍ୟା, ଏକ ସୁନ୍ଦର ଯୁବତୀ, ଏକ ହ୍ୟାଣ୍ଡସମ ଯୁବକ, ଲାଲ ଗୋଲାପ, ପସନ୍ଦିତା ଖାଦ୍ୟ, ସାଂପେନ ଏବଂ ପୃଷ୍ଠଭୂମିରେ ବାଜୁଥିବା ରୋମାଣ୍ଟିକ ଗୀତ; ସହଜରେ କଳ୍ପନା କରାଯାଇପାରେ ପରବର୍ତ୍ତୀ ସମୟର ଘଟଣାବଳୀକୁ । ପୁରୁଷ କି ସ୍ତ୍ରୀ, ଶିକ୍ଷିତ କି ଅଶିକ୍ଷିତ, ଧନୀ କି ଗରୀବ, କିଏବି ହୋଇଥାଉ, ସମୟର ଗତି ତାର ପ୍ରଖର ସ୍ରୋତରେ ପରିସ୍ଥିତି ହିସାବରେ ସମସ୍ତଙ୍କୁ ବହିନେଇ ଚାଲିଯାଏ । ଏହାଥିଲା ଲେହେର ଓ ସୌମିତ୍ରର ଚତୁର୍ଥ ଏବଂ ଅନ୍ତିମରୂପର ସ୍ପର୍ଶ । ରାତ୍ରୀର ଅନ୍ଧକାର ସାକ୍ଷୀ ହୋଇ ରହିଗଲା.

୨ମାର୍ଚ୍ଚର ସକାଳ ଏକ ନୂଆ ସୂର୍ଯ୍ୟ ନେଇ ଆସିଥିଲେ । ସୌମିତ୍ରକୁ ଦେଖି ଲାଜେଇ ଲାଜେଇ ଲେହେର ଉଠିଯାଇ ଅଫିସ ଯିବାକୁ ତୟାର ହୋଇଥିଲେ । ସେହି ସମୟରେ ସୌମିତ୍ର କହିଥିଲେକି ସେ ‘ଏଡିଏମକେ ସଫ୍ଟୱେୟାର’ କମ୍ପାନୀରୁ ଚାକିରୀ ଛାଡି ପୁନେ ଆସିଯାଇଛନ୍ତି ଏବଂ ସେ ଲେହେର ସହିତ ରହି ଆଉ ଏକ ଭଲ ଚାକିରୀ ଖୋଜିବାର ପ୍ରୟୋଜନ କରୁଛନ୍ତି । ଲେହେର ଏକଥା ଶୁଣି ଯେ ବହୁତ ଆନନ୍ଦିତ ।

୨ମାସ ସମୟ ବିତିଗଲାଣି । ସୌମିତ୍ର ଏପର୍ଯ୍ୟନ୍ତ କୌଣସି ଚାକିରୀ ଯୋଗାଡ଼ କରିପାରିନଥିଲେ । ଧୀରେ ଧୀରେ ସୌମିତ୍ର ମେହେରା’ଙ୍କର ବ୍ୟାଙ୍କ ବାଲାନ୍ସ ଶେଷ ହୋଇଆସୁଥିଲା । କିନ୍ତୁ ଲେହେର ଭଳି ଝିଅ ଯେ ସବୁ ଘଟଣାକୁ ବୁଝିବାର ଶକ୍ତି ରଖିଥିଲେ । ସୌମିତ୍ର କହିବା ପୂର୍ବରୁ ସେ ତାଙ୍କର ବ୍ୟାଙ୍କ ଆକାଉଣ୍ଟକୁ ପଇସା ପଠାଇଦେଉଥିଲେ । କିଛି ସମୟ ବ୍ୟତୀତ ହେବାପରେ ଲେହେର ନିଜର ସର୍ବଶ୍ରେଷ୍ଠ ବନ୍ଧୁ ଶ୍ରୁତିର ସାହାଯ୍ୟ ନେବାକୁ ସ୍ଥିର କଲେ । ଶ୍ରୁତି ‘ଆଇଏନସି ସଫ୍ଟୱେୟାର’ରେ ଥିବାରୁ ଚେଷ୍ଠାକରି ସୌମିତ୍ରର ଇଣ୍ଟରଭିଉ ଯୋଗାଡ଼ କରିପାରିଲେ । ଯାହାଦ୍ୱାରାକି ସୌମିତ୍ର ଏକ ଖୁବ ଭଲ ଚାକିରୀ ପାଇପାରିଲେ । ନୂତନ ଚାକିରୀର ପାର୍ଟି ଦେବାକୁ ସେ ଲେହେର ଓ ଶ୍ରୁତିକୁ ସହରରେ ଥିବା ‘ତାଜ ହୋଟେଲ ସ୍ଥିତ ଲାଟିଚୁଡ଼ ବାଇ ତାଜ ଭିଭାନ୍ତା ରେସ୍ତୋରାଁ’କୁ ନିମନ୍ତ୍ରଣ କରିଥିଲେ । ପାର୍ଟିଟି ଖୁବ ସାନଦାର ଥିଲା ଏବଂ ସେ ଲେହେର ଓ ଶ୍ରୁତିର ସାହାଯ୍ୟ ପାଇଁ ଧନ୍ୟବାଦ ଜଣାଇଥିଲେ ।

ନୂଆ ଚାକିରୀ ସହିତ ଦାଇତ୍ୱ ବଢିଗଲା । କିଛିମାସ ବିତିଗଲାପରେ ସୌମିତ୍ର ଏତେ ବ୍ୟସ୍ଥ ରହିବାକୁ ଲାଗିଲେ ଯେ ସେ ଆଉ ଲେହେର ପ୍ରତି ଧ୍ୟାନ ଦେଇପାରୁନଥିଲେ ଏବଂ ସେ ଲେହେରକୁ ନଜରଅନ୍ଦାଜ କରିବାକୁ ଆରମ୍ଭ କଲେ । ଲେହେର ନିଜପକ୍ଷରୁ ସର୍ବଦା ଚେଷ୍ଠା କରୁଥିଲେକି ସୌମିତ୍ର ସହିତ ହସଖୁସିରେ ସମୟ ବିତାଇବାପାଇଁ, ତାଙ୍କର ସାହାଯ୍ୟ କରିବାପାଇଁ ଏବଂ ଯଦି କିଛି ଅସୁବିଧା କିମ୍ବା ଚାକିରୀ ସମ୍ବଦ୍ଧିତ ତନାବ ଇତ୍ୟାଦି ଥାଏ, ଲେହେର ସେହି ସବୁକୁ ଦୂରକରିବାର ରାସ୍ତା ମଧ୍ୟ ଦେଖାଇପାରିବେ । କିନ୍ତୁ ସୌମିତ୍ର ଯେ ଲେହେରକୁ ନଜରଅନ୍ଦାଜ କରିଚାଲିଥିଲେ ଏବଂ ଶେଷରେ ସେ ଲେହେର ସହିତ ଲଢ଼ିବାକୁ ମଧ୍ୟ ଆରମ୍ଭ କରିଦେଲେ । ସମୟର ବିଡମ୍ବନା । ପରିସ୍ଥିତି ଏତେ ଖରାପ ହୋଇଗଲାକି ସୌମିତ୍ର, ଲେହେର’କୁ ଶାରୀରିକ ବ୍ୟଥା ଏବଂ ମାନସିକ ବ୍ୟଥା ଦେଇଚାଲିଲେ । ଦିନେ ଅଫିସରୁ ଫେରିବାପରେ ଲେହେର ଦେଖିଲେକି ଘରମଧ୍ୟରେ କିଛି ପରିବର୍ତ୍ତନ ହୋଇଥିଲା । ସୌମିତ୍ର ବ୍ୟବହାର କରୁଥିବା ଆଲମାରୀଟି ଖାଲି ପଡିଥିଲା । ଫ୍ରିଜର ଡୋରରେ ଗୋଟିଏ ହଳଦୀ ରଙ୍ଗର କାଗଜରେ ଲେଖାହୋଇଥିଲା “ଲେହେର, ସବୁକିଛି ପାଇଁ ତୁମକୁ ଅଶେଷ ଧନ୍ୟବାଦ ଏବଂ ଏଥିସହିତ ମୁଁ ସୌମିତ୍ର ମେହେରା ଏହି ସମ୍ପର୍କରୁ ଓହରିଯାଉଛି” । ଏହି ଦୃଶ୍ୟ ଦେଖି ଲେହେର ଆଚମ୍ବିତ ହୋଇଯାଇଥିଲେ ଏବଂ ଥକାହାରା ପଥିକ ଭଳି ସୋଫା ଉପରେ ବସିପଡ଼ିଲେ । ଏହା ତାଙ୍କ ଜୀବନର ସବୁଠୁ କଷ୍ଠଦାୟକ ଆଘାତ ଥିଲା । ଯେଉଁ ଲେହେର ଦିନେ ଏହି ସମ୍ପର୍କକୁ ନେଇ ଲହଡିପରି ନାଚି ଉଠୁଥିଲେ, ଆଜି ସେହି ଲେହେର ସମୁଦ୍ରକୂଳର ଲହଡିପରି କୂଳକୁହିଁ ପିଟିଚାଲିଛନ୍ତି । କ୍ରୋଧର ଅଗ୍ନି, ମନରେ ସନ୍ତାପ ଓ ଆଖିର ଅଶ୍ରୁ ଛଡା ଲେହେର ପାଖରେ ଆଜି କିଛିବି ସମ୍ପତ୍ତି ନଥିଲା । ସେ ତାଙ୍କର ହୃଦୟ ଏବଂ ଲଜ୍ଜାକୁ ସୌମିତ୍ର ପାଇଁ ଜଳାଞ୍ଜଳି ଦେଇଥିଲେ । ଏହି ସମୟରେ ସେ ଦୁନିଆର ସବୁଠୁ ଶକ୍ତିହୀନ ଏବଂ ବେବସ ସ୍ତ୍ରୀ, ଯାହାର ସବୁପ୍ରକାରର ସାମର୍ଥ୍ୟ ଥାଇ ମଧ୍ୟ ଅସହାୟ ଅବସ୍ଥାରେ ଘରକୋଣର ଅନ୍ଧକାର ମଧ୍ୟରେ ହଜିଯାଇଥିଲେ ।

ଲେହେର’ଙ୍କର ଚରିତ୍ର ଖୁବ ପରିବର୍ତ୍ତନ ହୋଇଗଲାଣି । ତାଙ୍କର ମୁଖମଣ୍ଡଳରେ ହସ କେବେବି ଦିଶୁନଥିଲା । ଅଫିସର ସାଥିମାନେ କିଛି ବୁଝିପାରୁନଥିଲେ, ସେ ଯେ ମାନସିକ ଦୁଶ୍ଚିନ୍ତାଜନିତ ରୋଗର ଶୀକାର ହେବାକୁ ଲାଗିଲେଣି । ସପ୍ତାହରେ ଥରେ ମଧ୍ୟ ସେ ନିଜର ମାତାପିତାଙ୍କ ଫୋନକରୁନଥିଲେ । ଶ୍ରୁତି ସେହି ପୁନେ ସହରରେ ରହୁଥିବାରୁ ସେହିଁ ଲେହେର’ର ଏକମାତ୍ର ସାହାରା । ଆଶାବାଦୀ ଲେହେର ତଥାପି ସୌମିତ୍ରକୁ ବୁଝାଇ ଫେରାଇ ଆଣିବାକୁ ଚେଷ୍ଠାକରୁଥିଲେ, ଫୋନ କରୁଥିଲେ କିନ୍ତୁ ସୌମିତ୍ର’ଯେ ଲେହେର’ର ଫୋନ ନମ୍ବରକୁ ବ୍ଲକ କରିଦେଇଥିଲେ । ତାଙ୍କଠୁ ଦୂରେଇଯିବାହିଁ ଲେହେର ପାଇଁ ଉଚିତ ବୋଲି ବାରମ୍ବାର ଜଣାଇଥିଲେ । ଲେହେର ହାତରୁ ତାଙ୍କର ସ୍ୱପ୍ନର ଦୁନିଆ ଓ ସ୍ୱପ୍ନର ରାଜକୁମାର ଦୁଇଜଣ ସବୁଦିନ ପାଇଁ ଦୂରେଇଯାଇଥିଲେ । କୁହନ୍ତିନା, ପ୍ରକୃତ ବନ୍ଧୁ ଅସମୟରେହିଁ ସାଥ ଦେଇଥାଏ । ଅଫିସ ଯିବାଆସିବାରେ କଷ୍ଠ ହେଲେ ମଧ୍ୟ ନିଜର ଘର ଛାଡି ଶ୍ରୁତି କିଛିଦିନ ପାଇଁ ଲେହେର ପାଖରେ ରହିଲେ । ଶ୍ରୁତିର ପରାମର୍ଶ ହିସାବରେ ଲେହେର’ର ମାତାପିତା ୨ସପ୍ତାହ ପାଇଁ ପୁନେ ଆସିଲେ । ଲେହେର ସନ୍ଧ୍ୟା ସମୟରେ ଅଫିସରୁ ଫେରି ମାତାପିତାଙ୍କୁ ଦେଖି ଭୋଭୋ ରଡିପକାଇ କାନ୍ଦିଚାଲିଲେ, ମାତାପିତା ମଧ୍ୟ ଅସହାୟତା ଅନୁଭବ କରୁଥିଲେ । ସେମାନେ କୌଣସି ପ୍ରକାର ଲେହେର’ଙ୍କୁ ସାଧାରଣ ଜୀବନଧାରାକୁ ଫେରାଇ ଆଣିବାକୁ ଚେଷ୍ଠା କରୁଥିଲେ ।

ପରିସ୍ଥିତିର ଆମୂଳଚୂଳ ବିଶ୍ଳେଷଣ କରିଚାଲିଥିଲେ ଡାକ୍ତର ଜେ-ଭାଣ୍ଡୁଲା ଓ ଡାକ୍ତର ଏସ-ଭାଣ୍ଡୁଲା; ଅର୍ଥାତ ପିତା ଜନକ ଭାଣ୍ଡୁଲା ଏବଂ ମାତା ସୁନେଇନା ଭାଣ୍ଡୁଲା । ସମୟକୁ ହଜାର ହଜାର ବର୍ଷର ପୂର୍ବକୁ ନେଇଚାଲନ୍ତୁ । ରାମାୟଣ ସମୟରେ ରାଜା ଜନକ ଓ ପତ୍ନୀ ସୁନେଇନା’ଙ୍କର ଦ୍ୱିତୀୟ କନ୍ୟା ଥିଲେ ଉର୍ମିଲା । ଆଜିର ସମୟରେ ସେହି ଭୂମିକାରେ ଅଛନ୍ତି ଲେହେର, ଯାହାର ଅର୍ଥ ମଧ୍ୟ ଉର୍ମି ବା ଉର୍ମିଳା । ଘନିଷ୍ଠ ବାନ୍ଧବୀ ରୂପରେ ଅଛନ୍ତି ଶ୍ରୁତି, ଯେକି ରାମାୟଣ ସମୟରେ ଉର୍ମିଳା’ଙ୍କର କକାଝିଅ ଭଉଣୀ ଶ୍ରୁତିକିର୍ତ୍ତୀ । ସେହି ସମୟର ଓ ବର୍ତ୍ତମାନର ସାମାଜିକ ପରିସ୍ଥିତିର ସମାନତାକୁ ଖୁବ ସୁକ୍ଷ୍ମ ଦୃଷ୍ଠିରେ ଦେଖିବାକୁ ଚେଷ୍ଠା କରନ୍ତୁ । ଦେବୀ ସୀତା ଯେକି ଉର୍ମିଳା’ର ବଡ ଭଉଣୀ ଥିଲେ, ରାଜା ରାମଙ୍କ ସହିତ ୧୪ବର୍ଷ ବନବାସରେ ଅଯୋଧ୍ୟା ଛାଡି ଯାଇଥିଲେ । ସେହି ସମୟରେ ସୌମିତ୍ର ଯାହାର ଅର୍ଥ ସୁମିତ୍ରା ପୁତ୍ର, ଲକ୍ଷ୍ମଣ ଭାତୃ ସେବାକୁ ଜୀବନର ପରମ ଧର୍ମ ମାନି ଉର୍ମିଳା’ଙ୍କୁ ରାଜପ୍ରାସାଦରେ ଛାଡି ରାମ ଓ ସୀତା’ଙ୍କ ସହିତ ବନବାସ କାଟିଥିଲେ । ଅସହାୟ ଅବସ୍ଥାରେ ରାଜପ୍ରାସାଦରେ ସେହିସମୟରେ ଉର୍ମିଳା ଅପେକ୍ଷିତ ହୋଇ ଜୀବନର ୧୪ବର୍ଷ ବିତାଇଥିଲେ ଏବଂ ଆଜିର ସମୟରେ ଲେହେର ନିଜର ଡୁପ୍ଲେକ୍ସ ଆପାର୍ଟମେଣ୍ଟ ମଧ୍ୟରେ ସୌମିତ୍ର’ଙ୍କର ଚିରବନବାସକୁ ଗ୍ରହଣ କରିବାକୁ ବାଧ୍ୟ ହୋଇଥିଲେ । କୁହାଯାଏକି ‘ଇତିହାସ ନିଜକୁ ପୁନରୁଦ୍ଧାର କରିଥାଏ’, ପରିସ୍ଥିତି ଅଲଗା, ପରିବେଶ ଅଲଗା ଏବଂ ଅଭିନୟରେ ମଧ୍ୟ ଅଲଗା ବ୍ୟକ୍ତିତ୍ୱ, ବ୍ୟକ୍ତିତ୍ୱରେ ମଧ୍ୟ ଆକାଶ ପାତାଳ ପାର୍ଥକ୍ୟ । କିନ୍ତୁ ଅତି ସାଧାରଣ ଦୃଷ୍ଠିରୁ ସମାନତା ଦେଖିଲେ ଜଣାପଡୁଥିଲା ଯେ ସେହି ପୁରାଣ ସମୟର ରାମାୟଣ ଯେପରିକି ଭାଣ୍ଡୁଲା ପରିବାରର ରାମାୟଣ ହୋଇ ଫେରିଆସିଥିଲା । ରାମାୟଣରେ ଉର୍ମିଳା’ଙ୍କର ତ୍ୟାଗ ଓ ସହନଶୀଳତା ଜ୍ୟୋତିର୍ମୟ ଥିଲା, ସେହି ମହାନ ଚରିତ୍ରରୁ ଆଜିର ଲେହେର କିଛି ଶିକ୍ଷା ଗ୍ରହଣ କରିବା ଖୁବ ଜରୁରୀ, ତାହା ଅନୁକୂଳ ହେଉ ବା ପ୍ରତିକୂଳ ହେଉ ।

ମା, ବାପା ଓ ଶ୍ରୁତିର ଉପସ୍ଥିତି ଧୀରେଧୀରେ ଲେହେର’ଙ୍କୁ ଜୀବନଧାରାର ରାସ୍ତାକୁ ଫେରାଇ ଆଣିବାରେ ସାହାଯ୍ୟ କରିଥିଲା । ଲେହେର ବଞ୍ଚିବାକୁ ଚାହୁଁଥିଲେ, ସେ ଆଗପରି ଖୋଲା ଆକାଶରେ ଉଡିବାକୁ ଚାହୁଁଥିଲେ । ସେ ସ୍ୱପ୍ନନ ଦେଖିବାକୁ ଚାହୁଁଥିଲେ ଏବଂ ସେହି ସ୍ୱପ୍ନକୁ ପରିପୂର୍ଣ କରିବାକୁ ଚାହୁଁଥିଲେ । ଡାକ୍ତର ଜନକ, ସୁନେଇନା, ଶ୍ରୁତି ଏବଂ ଲେହେର ଯେ ଅନ୍ୟାୟକୁ ସହିବେ ନାହିଁ ବୋଲି ନିଜର ରଣନୀତି ତିଆରି କଲେ । ପ୍ରଥମ ପଦକ୍ଷେପ ଥିଲାକି ଶ୍ରୁତି କିଛିବି ଉପାୟରେ ସୌମିତ୍ର’ଙ୍କୁ ‘ଆଇଏନସି ସଫ୍ଟୱେୟାର’ କମ୍ପାନୀରୁ ବାହାର କରନ୍ତୁ । କିନ୍ତୁ ଆଜିର ଲେହେର ମଧ୍ୟ ହୃଦୟରେ ସ୍ୱଚ୍ଛ ଏବଂ ସରଳ । ତେଣୁ ସେ କାହାରି ପେଟରେ ଲାତ ମାରିବେନାହିଁ ବୋଲି ଶ୍ରୁତିଙ୍କୁ କହିଥିଲେ । କିନ୍ତୁ ସୌମିତ୍ର’କୁ ଶିକ୍ଷାତ ଦେବାକୁ ହେବ । ଆଲୋଚନାର ମଧ୍ୟାଗତରେ ହଠାତ ମା ସୁନେଇନା, ଡାକ୍ତର ଜନକ’ଙ୍କର ସାନଭାଇ ଶ୍ରୀଯୁକ୍ତ କୁଷଧ୍ଵଜ ଭାଣ୍ଡୁଲା ବିଷୟରେ ବିଚାର କରିଥିଲେ । ସେ ପଞ୍ଜାବ ପୋଲିସ ବିଭାଗର ‘ସୁପରିନଟେଣ୍ଡେଣ୍ଟ ଅଫ ପୋଲିସ’ ହିସାବରେ ଅମ୍ରିତସର’ରେ କାର୍ଯ୍ୟରତ ଥିଲେ । ସେ ୧୯୯୫ମସିହା ବ୍ୟାଚର ‘ଆଇ.ପି.ଏସ’ ଅଫିସର ଥିଲେ । ତାଙ୍କର ବୈବାହିକ ଜୀବନରୁ ଦୁଇଟି ପୁତ୍ର ଥିବାରୁ ସେ ଲେହେର’ଙ୍କୁ ନିଜର ଝିଅପରି ଭଲପାଉଥିଲେ । ଅଙ୍କଲ କୁଷଧ୍ଵଜ ଯେ ପ୍ରାୟ ପ୍ରତିଦିନ ଲେହେର ସହିତ ପଦେ ହେଉ ବରଂ, ଫୋନରେ କଥାହେଉଥିଲେ । ଲେହେର ମଧ୍ୟ ଅଙ୍କଲ’ଙ୍କୁ ଖୁବ ଭଲପାଉଥିଲେ । ଗତ କିଛିଦିନ ହେଲାଣି, ସେ ଯେ ଲେହେର ସହିତ କଥା ହୋଇନାହାନ୍ତି । ତାଛଡା ଲେହେର’ର ମାତାପିତା ପୁନେ ସହରକୁ ଯାଇଥିବାର ଶୁଣି ସେ ବ୍ୟସ୍ତ ହୋଇଥିଲେ ଏବଂ ଲେହେର’ର ଦେହ-ପା-ଭଲ-ମନ୍ଦ ବୁଝିବାପାଇଁ ବାରମ୍ବାର ଫୋନ କରୁଥିଲେ, କିନ୍ତୁ ଲେହେର ଯେ ଫୋନ୍‌ ଉଠାଉନଥିଲେ । ଶେଷକୁ ଥରେ ଲେହେର ଫୋନ ଉଠାଇଲେ, କିଛି ନକହି ଯେ ଖାଲି କାନ୍ଦିଚାଲିଲେ, ଫୋନଟି ବାପାଙ୍କ ହାତକୁ ବଢାଇଦେଇ ସେ ଉପରମହଲା କକ୍ଷକୁ ଚାଲିଗଲେ । ବଡ଼ଭାଇଙ୍କ ଠାରୁ ସବୁକିଛି ଖବର ଜାଣିବାପରେ କୁଷଧ୍ଵଜ କହିଥିଲେକି “ସୌମିତ୍ରଙ୍କୁ ଶିକ୍ଷାଦେବାର ରାସ୍ତା ଏବଂ ଉପାୟ ସେ ଖୁବ ଜଲ୍ଦି ନିର୍ଦ୍ଧାର କରିଦେବେ, ସେଥିଲାଗି ଚିନ୍ତା କରିବା ଦରକାର ନାହିଁ, ବାସ ଆପଣ ଲେହେରର ଖୟାଲ ରଖନ୍ତୁ” ।

ସୌମିତ୍ର ମେହେରା ରାଜସ୍ଥାନର ଏକ ଜଣାଶୁଣା ପରିବାରର ପୁତ୍ର । ଆର୍ଥିକ ଓ ସାମାଜିକ ଦୃଷ୍ଟିକୋଣରୁ ଦେଖିଲେ ସେ ଏକ ରାଜନୈତକ ପରିବାରକୁ ସମ୍ବଦ୍ଧିତ ଥିଲେ । ପିତା “ଦଶରଥ ମେହେରା” ଜୟପୁର ସ୍ଥିତ “ୟୂନିଭରସିଟି ଅଫ ରାଜସ୍ଥାନ”ରେ ପ୍ରଫେସର ଥିଲେ । ମାତା ଗୃହଲକ୍ଷ୍ମୀ । ଦଶରଥ ମେହେରା’ଙ୍କର ପିତା ଜୟପୁର ସଂସଦୀୟ ଅଞ୍ଚଳରୁ ଦୁଇଥର ଲୋକସଭାକୁ ଜୟଯୁକ୍ତ ହୋଇଥିଲେ । ବୟସର ଚାପ ଯେ ତାଙ୍କୁ ଅଟକାଇ ଦେଇଥିଲା । ପୁତ୍ର ଦଶରଥ ଯେ ରାଜନୀତିରେ ଇଛୁକ ନଥିଲେ । କଥାରେ ଅଛି ଯେ କର୍ପୁର ଉଡ଼ିଯାଏ ଆଉ କପଡା ପଡିରହିଥାଏ । ଜେଜେବାପା ରାଜନୀତିରୁ ଦୂରେଇଗଲେବି ନାତି ସୌମିତ୍ର ହୁକୂମ ଚଳାଇବା ବନ୍ଦକରିନଥିଲେ । ନିଜର କନଭେଣ୍ଟ ସ୍କୁଲ ଶିକ୍ଷା ଓ ହ୍ୟାଣ୍ଡସମ୍‌ ଚେହେରାକୁ ହଥିୟାର ଭାବରେ ବ୍ୟବହାର କରି ସେଯେ ସୁନ୍ଦର ଯୁବତୀମାନଙ୍କ ସହିତ ଖେଳକରିବାର ପ୍ରୟାଶ କରୁଥିଲେ । ଏବଂ ଲେହେର ଯେ ତାଙ୍କର ଦ୍ୱିତୀୟ ଶୀକାର ଥିଲେ ।

ସବୁ ଖବର ଏକାଠି କରିବାପରେ କୁଷଧ୍ଵଜ ଅଙ୍କଲ ପୁନେ ଆସି ପହଞ୍ଚିଥିଲେ । ଲେହେର’ର ସ୍ଥିତି ଦେଖି ଖୁବ ଦୁଃଖୀହୋଇଥିଲେ ଏବଂ ଝିଅକୁ ସାଧାରଣ ଜୀବନକୁ ଫେରାଇଆଣିବା ପାଇଁ ବହୁତ ପ୍ରୟାଶ କରିଥିଲେ । ସେ ପୁନେ ସହରର ପୋଲିସ ମୂଖ୍ୟ ଅଧିକାରୀଙ୍କୁ ବହୁତ ଭଲଭାବରେ ଜାଣିଥିଲେ, ତେଣୁ ସେ ତାଙ୍କର ସାହାଯ୍ୟ ଆଶା କରିଥିଲେ । ଏହିପରି ଭାବରେ ଆରମ୍ଭ ହୋଇଥିଲା “ଲକ୍ଷ୍ମଣ ଓ ଇନ୍ଦ୍ରଜିତ” ମଧ୍ୟରେ ଘମାଘୋର ସଂଘର୍ଷ । ରାମାୟଣ ସମୟରେ ଉର୍ମିଳା’ଙ୍କ ସହାୟତା ହେତୁ ଲକ୍ଷ୍ମଣ ଯେ ଇନ୍ଦ୍ରଜିତଙ୍କ ଉପରେ ବିଜୟ ପ୍ରାପ୍ତ କରିଥିଲେ । କିନ୍ତୁ ଆଜିର ଲେହେର’ତ ସୌମିତ୍ର’ଙ୍କର ସହାୟତା କରିପାରିବେ ନାହିଁ । ତେଣୁ ଇନ୍ଦ୍ରଜିତର ଶକ୍ତିବାଣ କୌଣସି ଉପାୟରେ ସୌମିତ୍ରଙ୍କ ହୃଦୟକୁ ଅଗ୍ନିର ଜ୍ୱାଳାରେ ବଶୀଭୂତ କରିବ ହିଁ କରିବ ।

ସୌମିତ୍ର ନିଜର ଭଲ ଚାକିରୀ ଓ ଜୀବନକୁ ଖୁବ ସୁନ୍ଦର ଭାବରେ ଉପଭୋଗ କରିଚାଲିଥିଲେ । ଜୀବନରେ କର୍ମର ଫଳ ପୂର୍ଣରୂପରେ ପ୍ରତ୍ୟେକ ମନୁଷ୍ୟକୁ ମିଳିଥାଏ । ମନୁଷ୍ୟ ଯଦି ଭଲ କର୍ମ କରେ, ତାକୁ ପୂଣ୍ୟରୂପୀ ଫଳ ମିଳିଥାଏ ଅଥବା ପାପରୂପୀ । ହଠାତ ଦିନେ ନିଜର “ରୟାଲ ଏଂଫିଲଡ କ୍ଲାସିକ ୩୫୦” ମଡେଲ ମୋଟରସାଇକେଲରେ ଯାଉଥିଲାବେଳେ, ପୁନେ ସହରର ଟ୍ରାଫିକ ପୋଲିସ ସୌମିତ୍ର’ଙ୍କୁ ଅତ୍ୟଧିକ ବେଗରେ ଗାଡି ଚଳାଉଥିବା ଅଭିଯୋଗରେ ଅଟକାଇଥିଲେ । ଭାଗ୍ୟର ବିଡମ୍ବନା । ପୋଲିସ ଡ୍ରାଇଭିଂ ଲାଇସେନ୍ସ ମାଗିଲାରୁ ସୌମିତ୍ର ନିଜର ୱାଲେଟ ଖୋଜିଚାଲିଥିଲେ । ସେ ଭୁଲିଯାଇଥିଲେକି ତାଙ୍କର ଡ୍ରାଇଭିଂ ଲାଇସେନ୍ସଟି କୌଣସି କାରଣହେତୁ ଲେହେର’ର ଆଲମାରୀ ମଧ୍ୟରେ ରହିଯାଇଥିଲା । ବିନା ଲାଇସେନ୍ସରେ ଗାଡି ଚଳାଇବାଯୋଗୁ ପୋଲିସ ଗାଡ଼ିଟିକୁ ନିକଟତମ ଫାଣ୍ଡିକୁ ଉଠାଇନେଇଥିଲେ ଏବଂ ଚାଲାଣ ଭରିବାକୁ ସେଠିକୁ ଯିବାକୁ ଆଦେଶ ଦେଇଥିଲେ । ଅଫିସ ଠିକ ସମୟରେ ପହଞ୍ଚି ନପାରିବାରୁ ମ୍ୟାନେଜର ଯେ ସୌମିତ୍ର’ଙ୍କୁ ବାରମ୍ବାର ଫୋନ କରୁଥିଲେ । କ୍ଲାଏଣ୍ଟମିଟିଙ୍ଗରେ ସୌମିତ୍ରଙ୍କୁ ପ୍ରେଜେଣ୍ଟେସନ୍‌ ଦେବାର ଥିଲା । କିନ୍ତୁ ସେ ଅଫିସ ନପହଞ୍ଚିବାରୁ ମିଟିଙ୍ଗକୁ ସ୍ଥଗିତ କରାଗଲା । ସୌମିତ୍ରଙ୍କୁ ପ୍ରାୟ ୩ଘଣ୍ଟା ସମୟ ଲାଗିଗଲା, ସେହି ଫାଣ୍ଡିରୁ ବାହାରିବାରେ । ଅଫିସରେ ପହଞ୍ଚି ସବୁ ଘଟଣା ବର୍ଣ୍ଣନାକରିଲା ପରେ, ମ୍ୟାନେଜର ପରବର୍ତ୍ତୀ ଗୁରୁବାର ଦିନ ୨ଟା ସମୟରେ ମିଟିଙ୍ଗର ସମୟ ସ୍ଥିର କଲେ । ଏହାଥିଲା ସୌମିତ୍ର’ଙ୍କ ପାଇଁ ସୁବର୍ଣସୁଯୋଗ । ଯଦି କ୍ଲାଏଣ୍ଟ ତାଙ୍କର ପ୍ରେଜେଣ୍ଟେସନ୍‌ ଦ୍ୱାରା ଖୁସିହୋଇଯାଏ, ତାହେଲେ ସୌମିତ୍ର ଯେ କ୍ଲାଏଣ୍ଟ’ର ଲଣ୍ଡନ ଅଫିସରେ କାମକରିବାକୁ ଯାଇପାରିବେ । ଶ୍ରୁତି କିପରି ଭାବରେ ଏହା ଜାଣିବାକୁ ପାଇଥିଲେ ଏବଂ କୁଷଧ୍ଵଜ ଅଙ୍କଲଙ୍କୁ ଜଣାଇଥିଲେ; ଖବରଟି ଫେରିଆସି ପହଞ୍ଚିଥିଲା ପୁନେ ପୋଲିସ ମୂଖ୍ୟଅଧିକାରୀଙ୍କ ନିକଟରେ । ଡ୍ରାଇଭିଂ ଲାଇସେନ୍ସ ନଥିବାରୁ, ଏଥର ସାହାସ ନକରି, ସୌମିତ୍ର ଗୁରୁବାରଦିନ ସକାଳ ୮ଟାରେ ଉବେରଟାକ୍ସି ରେ ଅଫିସ ଯିବାର ଖବର ମିଳିଗଲା । ଉବେରଟାକ୍ସିଟି ସୌମିତ୍ର’ଙ୍କୁ ନେଇ “ଆଇଏନସି ସଫ୍ଟୱେୟାର” କମ୍ପାନୀ ଅଭିମୁଖେ ଯାତ୍ରା ଆରମ୍ଭକଲା, ନିକଟତମ ଟ୍ରାଫିକ ଜଙ୍କ୍ସନରେ ପହଞ୍ଚିଦେଖେକି ହଠାତ ଟ୍ରାଫିକ ସିଗ୍ନାଲ କାମକରୁନଥିଲା; ବଡ ଆଶ୍ଚର୍ଯ୍ୟ କଥା । ପାଞ୍ଚଟି ମିନିଟ ମଧ୍ୟରେ ସିଗ୍ନାଲ କାମକରିବା ବନ୍ଦ କରିଦେଲା । ତେଣୁ ବାଧ୍ୟହୋଇ ଡ୍ରାଇଭର ସେହି ଜଙ୍କ୍ସନରେ ଗାଡିଟି ରୋକିଦେଲେ, ପଛରୁ ଆସୁଥିବା ପୋଲିସଗାଡି ଖୁବଜୋରରେ ଧକ୍କା ଦେଲା । ସୌମିତ୍ର ଟାକ୍ସିରୁ ବାହାରି ଡ୍ରାଇଭରକୁ ପଇସା ଦେଇ ଯିବାବେଳେ ପୋଲିସ ତାଙ୍କୁ ଅଟକାଇ ଦେଲେ ଏବଂ ସାକ୍ଷୀ ପଡ଼ିବାକୁ ବାଧ୍ୟକଲେ । ବହୁତ ନେହୁରା ହେବାପରେ ପ୍ରାୟ ୩ଘଣ୍ଟା ସମୟପରେ ପୋଲିସ ତାଙ୍କୁ ଯିବାକୁ ଦେଇଥିଲେ ଏବଂ ଧଇଁସଇଁ ହୋଇ ସେ ଆସି ପହଞ୍ଚିଥିଲେ ନିଜ ଅଫିସରେ । ଯାହାବି ହେଉ, ମିଟିଙ୍ଗଟି ହୋଇଥିଲା ଏବଂ ସୌମିତ୍ର ଯେ ଭଲ ପ୍ରେଜେଣ୍ଟେସନ୍‌ ଦେଇପାରିଥିଲେ । କ୍ଲାଏଣ୍ଟ ଖୁସିଥିଲେ ଏବଂ ତାଙ୍କୁ ଲଣ୍ଡନ ଅଫିସ ଆସିବାକୁ ପ୍ରସ୍ଥାବ ଦେଇଥିଲେ । ଖୁସିରେ ସୌମିତ୍ର ପାଗଳ ହୋଇଯାଉଥିଲେ ଏବଂ ମ୍ୟାନେଜର ସହିତ ସନ୍ଧ୍ୟା ସମୟରେ ଖୁବ ପାର୍ଟି କରିଥିଲେ ।

ଲଣ୍ଡନ ଯିବାପାଇଁ ସୌମିତ୍ର’ଙ୍କର ଭିଷା ହୋଇଗଲା । ଏହି ଖବର ମଧ୍ୟ ଶ୍ରୁତିକୁ ଜଣାପଡିଥିଲା ଏବଂ ତାଙ୍କଦ୍ୱାରା ଲେହେରଙ୍କୁ । ଲେହେର କିନ୍ତୁ ସେଥିରେ ମନ ନଦେଇ ନିଜ ଜୀବନକୁ ସୁଧାରିବାକୁ ଚେଷ୍ଠା କରୁଥିଲେ । ହଠାତ କରି ଲେହେର’ଙ୍କର ମୋବାଇଲ ଫୋନଟି ବାଜିବାକୁ ଲାଗିଲା । ରାତ୍ରୀର ୯ଟା ସମୟ, ଅନ୍ୟ ପକ୍ଷରେ ସୌମିତ୍ର । ସେ ଲେହେରଙ୍କୁ ଧନ୍ୟବାଦ ଜଣାଇଥିଲେ କାରଣ ତାଙ୍କୁ ଚାକିରୀଟି ଯେ ଲେହେର’ଙ୍କ ସହାୟତାରେ ହିଁ ମିଳିଥିଲା । ଦ୍ୱିତୀୟତ ତାଙ୍କର ଲଣ୍ଡନ ଯିବା ସୁନିଶ୍ଚିତ ହୋଇଗଲା ବୋଲି କହିଥିଲେ । କିନ୍ତୁ ତାଙ୍କର ସ୍ୱରରେ ଲେହେର ପ୍ରତି କରିଥିବା ଅନ୍ୟାୟର ପ୍ରାୟଶ୍ଚିତ ପାଇଁ କିଛିବି ଝଲକ୍‌ ନଥିଲା । ଫୋନ୍‌ଟି ଶାନ୍ତ ହେବାପରେ ଲେହେର ନିଜକୁ ଶାନ୍ତ କରିବାକୁ ଚେଷ୍ଠାକରିଥିଲେ । କୁଷଧ୍ଵଜ ଅଙ୍କଲ ଯେତେ ଚେଷ୍ଠାକଲେ ମଧ୍ୟ ସୌମିତ୍ରଙ୍କୁ ଶିକ୍ଷା ଦେଇପାରିନଥିଲେ ।

ଲଣ୍ଡନ ଯିବାର ଦିନ ଆସିଗଲା । ଏହାଥିଲା ୧ମାର୍ଚ୍ଚ ୨୦୧୮, ଲେହେର’ର ଜନ୍ମଦିନ । ଲେହେର ଯେ ନିଜର ଜନ୍ମଦିନବି ଭୁଲିଯାଇଥିଲେ । ୧ମାର୍ଚ୍ଚ ୨୦୧୭ ରାତ୍ରୀରେ ଭଲମନ୍ଦ ବିଚାର ନକରିପାରି ଅତିଶୀଘ୍ର ପ୍ରେମରେ ବିଶ୍ୱାସକରି ସେ ତାଙ୍କ ଜୀବନର ସମସ୍ତ ପୁଞ୍ଜି ହରାଇଥିଲେ । ଏହାମଧ୍ୟରେ ଏକବର୍ଷ ବିତିଗଲା । ସେ ଲାଲଗୋଲାପ, ସାଂପେନ ବଟଲ ସବୁଯେପରି ଲେହେରକୁ ଭୁତପରି ଗୋଡ଼ାଇ ଚାଲିଥିଲେ ଏବଂ ସେ ଏହି ପୃଥିବୀର କୌଣସି ସ୍ଥାନରେ ନିଜର ଆଘାତ ଶରୀରକୁ ଲୁଚାଇ ପାରୁନଥିଲେ । ଅପରପକ୍ଷରେ ୧ମାର୍ଚ୍ଚ ୨୦୧୮ ଯେ ସୌମିତ୍ରଙ୍କ ଜୀବନରେ ସଫଳତାର ଦିବସ, କିନ୍ତୁ ସେ ପୂର୍ଣରୂପରେ ଭୁଲିଯାଇଥିଲେକି ଠିକ ୧ବର୍ଷ ତଳେ ସେ କାହାର ସର୍ବସ୍ୱ ଲୁଟିନେଇଥିଲେ । ଲେହେର ହୃଦୟରୁ ବହୁତ ସୁନ୍ଦର ହୋଇଥିବାରୁ ସେ କେବେ ସୌମିତ୍ରଙ୍କୁ ଦୁଃଖ ଦେଇପାରିବେ ନାହିଁ, ଏହା ସୌମିତ୍ର ଭଲଭାବରେ ଜାଣିଥିଲେ ଏବଂ ତାହାର ଫାଇଦା ଉଠାଉଥିଲେ ।

ସବୁଦିନ ପରି ୧ମାର୍ଚ୍ଚ ୨୦୧୮ ଦିନ ଲେହେର ଠିକ୍‌ ସମୟରେ ଅଫିସ ପହଞ୍ଚିଥିଲେ । କିଛିତ ପରିବର୍ତ୍ତନ ହୋଇଥିଲା । ବୋଧହୁଏ ରାହୁ, କେତୁ ଏବଂ ଶନିଗ୍ରହ ସ୍ଥାନ ବଦଳାଇଥିଲେ । ୧୨ମାସର ନିଦ୍ରାକୁ ଭଙ୍ଗକଲେ ଲେହେର । ଶ୍ରୁତିକୁ ଫୋନ୍‌କଲେ । ଅସୁସ୍ଥତାର ବାହାନାକରି ଦୁଇବନ୍ଧୁ ନିଜ ନିଜର ଅଫିସରୁ ବାହାରିଗଲେ । ସେଦୁହିଁଙ୍କର ଗନ୍ତବ୍ୟସ୍ଥଳ ଥିଲା ପୁନେ ସହରର ପୋଲିସ ମୂଖ୍ୟଅଧିକାରୀ ଅଫିସ । ସେଠାରେ ପହଞ୍ଚି କୁଷଧ୍ଵଜ ଅଙ୍କଲଙ୍କର ଫୋନ୍‌ର ସହାୟତାରେ ମୂଖ୍ୟ ଅଧିକାରୀଙ୍କୁ ତୁରନ୍ତ ଭେଟ୍‌କରିବାର ସୁଯୋଗ ପାଇପାରିଥିଲେ । ଲେହେର ଆଜି ନିଜ ହୃଦୟରେ ଲୁଚାଇରଖିଥିବା ଦୁଃଖକୁ ନଦୀପରି ବହିବାକୁ ଦେଇଥିଲେ; ସମ୍ପୂର୍ଣ ଘଟଣାବଳୀ ଶୁଣାଇଥିଲେ ମୂଖ୍ୟଅଧିକାରୀଙ୍କୁ । ସବୁକିଛି ଶୁଣିବାପରେ ମୂଖ୍ୟଅଧିକାରୀ ଏକମାତ୍ର ପ୍ରଶ୍ନ କରିଥିଲେ । ତାହାଥିଲା “ଲେହେର, ତୁମେ ଏପର୍ଯ୍ୟନ୍ତ ନିଜକୁ ଘୃଣା କରୁଛ କି?” । ସ୍ତବ୍ଦହୋଇ ସମସ୍ତେ ରହିଗଲେ ଏବଂ ନିରବତାକୁ ଭଙ୍ଗକରି ଲେହେର ଉତ୍ତର ଦେଇଥିଲେ “ହଁ”.

ମୁଖ୍ୟଅଧିକାରୀ ଆଦେଶ ଦେଇଥିଲେକି ତତକ୍ଷଣାତ ଶ୍ରୀଯୁକ୍ତ ସୌମିତ୍ର ମେହେରା’ଙ୍କ ନାମରେ ନାରୀ ନିର୍ଯ୍ୟାତନାର “ଅନ୍‌ବେଲେବୁଲ ଆରେଷ୍ଟ ୱାରେଂଟ” ଜାରିକରାଯାଉ ଏବଂ ଏହି ନିର୍ଯ୍ୟାତନାର ଭୁକ୍ତଭୋଗୀ ନାରୀ ଥିଲେ ଲେହେର ଏବଂ ସାକ୍ଷୀ ଥିଲେ ଶ୍ରୁତି । ନିର୍ଦେଶନୁଯାୟୀ ୧୫ମିନିଟ ମଧ୍ୟରେ ନୋଟିସ୍‌ଟି ଜାରିକରାଯାଇଥିଲା ଏବଂ ତୁରନ୍ତ ଦେଶର ପ୍ରତ୍ୟେକ ଅନ୍ତର୍ଦେଶୀୟ ଏୟାରପୋର୍ଟକୁ ଫାକ୍ସ କରାଯାଇଥିଲା ଏବଂ ଏହି ଖବରଟି ଗୋପନୀୟ ରଖାଯାଇଥିଲା କାରଣ ଏହା ଏକ ନାରୀର ସମ୍ମାନ ଓ ଜୀବନ ସହିତ ଜଡିତ ଥିଲା ।

ମୁମ୍ବାଇ ଅନ୍ତର୍ଦେଶୀୟ ଏୟାରପୋର୍ଟରେ ପହଞ୍ଚି ସୌମିତ୍ର ଇମିଗ୍ରେସନ ପାରକରିବାପାଇଁ ଲାଇନରେ ଛିଡାହୋଇଥିଲେ । ଖୁବ ଖୁସିର ସହିତ ଗୀତ ଗାୟିଚାଲିଥିଲେ । ତାଙ୍କର ନମ୍ବର ଆସିବାରୁ ସେ ନିଜର ପାସପୋର୍ଟ, ଟିକେଟ, ଭିଷା ଇତ୍ୟାଦି ଇମିଗ୍ରେସନ ଅଫିସରଙ୍କୁ ଦେଇଥିଲେ । ପାସପୋର୍ଟଟି ସ୍କାନ କରିବାକ୍ଷଣି ହଠାତ ଅଫିସର’ଙ୍କର କମ୍ପୁଟର ସ୍କ୍ରୀନରେ ଦେଖାଦେଲା “ଅନବେଲେବୁଲ ଆରେଷ୍ଟ ୱାରେଂଟ” ଏବଂ ତୁରନ୍ତ ଗୋପନୀୟ ଭାବରେ ସେହି ଅଫିସର ଏୟାରପୋର୍ଟ ପୋଲିସକୁ ସୂଚନା ଦେଇଥିଲେ । ଦେଖୁଦେଖୁ ୨ଟି ମିନିଟ ସମୟ ମଧ୍ୟରେ ସୌମିତ୍ର’ଙ୍କୁ ପୋଲିସ ଗାୟବ କରିନେଇଥିଲା । ଘଟଣାକ୍ରମ ଏତେ ଶୀଘ୍ର ଘଟିଗଲା ଯେ ସୌମିତ୍ର କିଛି ବୁଝିପାରୁନଥିଲେ । ବାରମ୍ବାର ପ୍ରଶ୍ନକରିବାରୁ ପୋଲିସ ଉତ୍ତର ଦେଇଥିଲେ “ଗୋପନୀୟ ବିଷୟ” । ରାତ୍ରିଟି ପୋଲିସ ଷ୍ଟେସନରେ ବିତାଇବା ସମୟରେ ଆଖିଆଗରେ ନିଜର ସ୍ୱପ୍ନଗୁଡିକ ଧୂଳିସାତ ହେବାର ଦୃଶ୍ୟ ନାଚିଯାଉଥିଲା । ଏଥିରେ ଦୋଷ କାହାର, ସେ ନିଜେବି ଠିକଭାବରେ ବୁଝିବା ପରିସ୍ଥିତିରେ ନଥିଲେ ।

ପରବର୍ତ୍ତୀ ଦିନ ମୁମ୍ବାଇ ପୋଲିସ “ଆଇଏନସି ସଫ୍ଟୱେୟାର”କମ୍ପାନୀକୁ ଫୋନ୍‌କରି ଘଟଣାର ବୃତ୍ତାନ୍ତ ଶୁଣାଇଥିଲେ ଏବଂ ସୌମିତ୍ର’ଙ୍କର ଜୟପୁର ସ୍ଥିତ ପରିବାରକୁ ମଧ୍ୟ । ପରିବାରବର୍ଗ ମୁମ୍ବାଇରେ ପହଞ୍ଚି ସୌମିତ୍ର’ଙ୍କର ବେଲ ପାଇଁ ଚେଷ୍ଟାକଲେ ମଧ୍ୟ ବେଲ୍‌ ମିଳୁନଥିଲା କାରଣ ମାମଲାଟି ନାରୀ ନିର୍ଯାତନା ପରି ଦୁଷ୍କର୍ମ ଥିଲା । ତାଛଡା ରାଜସ୍ଥାନର ରାଜନୈତିକ ଚାପଯେ ମୁମ୍ବାଇ ସହରରେ କାମକରୁନଥିଲା । କେସ୍‌ଟି ମୁମ୍ବାଇ ଉଚ୍ଚନ୍ୟାୟାଳୟକୁ ପଠାଗଲା, ପ୍ରାୟ ୬ମାସ ଧରି ବିଚାରଧୀନ ରହିଥିଲା । ଶେଷରେ ଉଚ୍ଚନ୍ୟାୟାଳୟର ବିଚାରପତି ନାରୀର ସମ୍ମାନକୁ ରକ୍ଷାକରି ଫୈସଲା ଶୁଣାଇଥିଲେ । ଫୈସଲାଟି ସୌମିତ୍ର’ଙ୍କୁ ରାବଣପୁତ୍ର ଇନ୍ଦ୍ରଜିତର ଶକ୍ତିଘାତ ପରି ଲାଗିଥିଲା । ୧୪ବର୍ଷ ପର୍ଯ୍ୟନ୍ତ କାରାଗାରରେ ସୀମିତ ରହିବାକୁ ଆଦେଶ ମିଳିଥିଲା । ଆଜିର ସୌମିତ୍ର “ଆକା ଲକ୍ଷ୍ମଣ” ଆଜି ପୁନେ ସହରର ବିଖ୍ୟାତ “ୟେରୱାଡା ଜେଲ”ରେ ଅଛନ୍ତି । ମୁନାଭାଇ’ଠୁ ଶିକ୍ଷା ଗ୍ରହଣକରି ସେ ମଧ୍ୟ ରେଡ଼ିଓ ଜକ୍କୀ ବନି ଇଂଲିଶ ଗୀତ ବଜାଇଚାଲିଛନ୍ତି “ଲଭ ମି ଆଜ ୟୁ ଡୁ.. । “.

ଲୋକପ୍ରିୟ ଲେଖା

To Top