ଗଳ୍ପ

ମାଧ ମହାନ୍ତିଙ୍କ କନ୍ୟାସୁନା

Byaasakabi Fakir Mohan Senapati's odia story Maadha Mahantinka Kanyaasunaa

ଗାଁର ପାଞ୍ଚ ମାଇପେ କହନ୍ତି, “ମାଳତୀର ଚାଲିଟି କେଡ଼େ ସୁନ୍ଦର !”

ମାଧ ମହାନ୍ତିଙ୍କ କନ୍ୟାସୁନା

ମାଧ ମହାନ୍ତି ଘର ମଧୁପୁର । ଜାତିରେ ବଳରାମ- ଗୋନ୍ତ୍ରୀ । ବୟସ ସତୁରିକ ଭିତରେ । ଘରେ ଖାଇବାକୁ କୁଟୁମ୍ୱ ବୋଇଲେ ଊଣା ପୁରା ପନ୍ଦର ବର୍ଷର ଝିଅଟିଏ ନାମ ମାଳତୀ । ମହାନ୍ତିଏ ଷାଠିଏ ବର୍ଷ ବୟସରୁ ରାଣ୍ଡୁରା ହୋଇ ବସିଛନ୍ତି । ବୁଢ଼ୀ ଚାଲି ଯିବାବେଳେ ଆଉ ଗୋଟିଏ ହାତଛନ୍ଦା କରିବାକୁ ତାଙ୍କର ବୟସ ଥିଲା ବୋଲି ମହାନ୍ତିଙ୍କ ମୁହଁରୁ ଥରେ ଦି’ଥର ଶୁଣା ଯାଇଥିଲା, ତାଙ୍କ ଦରଦୀ ଲୋକେ ମଧ୍ୟ କହି ବୁଲିଥିଲେ । ଦୁଇତିନି ବର୍ଷଯାଏ ତାଙ୍କ ମନ ବି ବିବାହ ହେବା ଲାଗି ସକସକ ହୋଇଥିଲା, କେବଳ କନ୍ୟାସୁନା ବାଡ଼ଟା ବଡ଼ ଟାଣ ପଡ଼ିବାରୁ ପଛଘୁଞ୍ଚା ଦେଲେ । ଦୁଇ ତିନି ବର୍ଷ ଯାଏ କହି ବୁଲିଲେ, “ନାହିଁରେ ବାପା ନାହିଁ, କାହୁଁ ଗୋଟାଏ ଆସି ମୋ ଛୁଆକୁ ହେଟାଦର କରିବ, ମା’ ଛେଉଣ୍ଡଟି କାନ୍ଦିବ, ତା’ ବିକଳ ସହିପାରିବି ନାହିଁ ।” ମା’ ମଲା ଦିନରୁ ସେଇ ସାତ ବର୍ଷର ଝିଅ ମାଳତୀ- ବାପା ଝିଅ ଦୁଇଜଣଙ୍କର ଭାତ ରାନ୍ଧେ, ସଙ୍ଖୁଡ଼ି ବାସନ ମାଜେ । ଘରର ଆଉ ଆଉ ପାଇଟି ବି ତା’ ଜିମା ।

ମହାନ୍ତିଙ୍କର ଆଉ ଗୋଟିଏ ଝିଅ ଥିଲା, ନାମ ମାଧବୀ । ବୁଢ଼ୀ ମରିବା ଚାରି ମାସ ଆଗେ ମହାନ୍ତିଏ ସାତଶହଟଙ୍କା କନ୍ୟାସୁନାରେ ଷାଠିଏ ବର୍ଷର ଗୋଟିଏ ବୁଢାବରକୁ ସାଢ଼େ ଆଠ ବରଷର କନ୍ୟା ଟେକି ଦେଇ ଦେଇ ଗୌରୀଦାନର ଫଳ ଷୋଳପଣି ଅର୍ଜିଥିଲେ । ସେ କନ୍ୟାଟି ଏଗାରବର୍ଷ ବୟସରୁ ବିଧବା । ଯେ ବିଭା ହୋଇ ଯାଇଚି, ବାପ-ଘରମୁହାଁ କେଭେ ହୋଇନାହିଁ ।

ମୁଲକର ଆଉ ଝିଅଙ୍କ ପରି ମାଳତୀଟି ବି ଦିନକୁ ଦିନ ବଢ଼ି ବଢ଼ି ପନ୍ଦର ବର୍ଷରେ ପାଦ ଦେଲାଣି । ରୂପରେ, ଗୁଣରେ ମାଳତୀର ସମକକ୍ଷ ଝିଅଟିଏ ମଧୁପୁର ତ ମଧୁପୁର, ଦଶଖଣ୍ଡ ଗାଁରେ ହେଲେ ଗୋଟିଏ ଖୋଜି ପାଇବ ନାହିଁ । ଲୋକେ କହନ୍ତି, ଗୋବରଗଡ଼ିଆରେ ପଦ୍ମଫୁଲ ଫୁଟିଛି । ମାଳତୀ ଗାଁ ଝିଅଙ୍କ ପରି ଆଉ ଆଉ ସମବୟସୀ ଝିଅଙ୍କ ସାଙ୍ଗରେ ହେଁ ହେଁ, ଫେଁ ଫେଁ ହେବାର କେହି ଦେଖି ନାହିଁ । କବାଟଟି କିଳି ଦେଇ ଘରେ ଆପଣା ପାଇଟିରେ ଲାଗିଥାଏ । ପାଣି ଆଣିବା ପାଇଁ ପୋଖରୀକୁ ଯାହା ବାହାରେ । ମୁଣ୍ଡରେ ସାନ ଓଢ଼ଣାଟି ଟାଣି ଦେଇ, ମାଠିଆଟି କାଖେଇ ଗାଁ ଗୋହରୀ ଏକପାଖିଆ ଧୀରେ ଧୀରେ ଚାଲିଯାଏ । ଗାଁର ପାଞ୍ଚ ମାଇପେ କହନ୍ତି, “ମାଳତୀର ଚାଲିଟି କେଡ଼େ ସୁନ୍ଦର !” ପନ୍ଦର ବର୍ଷର ଅଭିଆଡ଼ୀ ଝିଅଟାକୁ ଘରେ ରଖିଛି, ଗାଁରେ ଜାତିରେ ମହାନ୍ତିଙ୍କ ବଡ଼ ଧିକାରିଲେଣି । ଆଉ ଏଣିକି ମହାନ୍ତିଏ ସମ୍ଭାଳି ହୋଇ ପାରୁ ନାହାନ୍ତି । ଝିଅଟି ଯେ ଆଜିଯାଏ ବିଭା ହୋଇ ଯାଇ ନାହିଁ । ସେଥିର କାରଣ, ଝିଅ ବିଭା ହୋଇ ଗଲେ ଭାତ ଦି’ଟା ଫୁଟାଫୁଟି କରି ଦେବ କିଏ ? ଆଉ ଏପରି ଗୁଣବତୀଟିଏ ବା କାହୁଁ ପାଇବେ । ମହାନ୍ତିଏ ସକାଳୁ ଉଠି ଦୁଇ ଜଣ ମାନିଆ ଚାଉଳ ମାଣର ଠିକ୍ କଣ୍ଟରେ ମାପି ଦେଇ ଯା’ନ୍ତି । ମାଳତୀ ଆପଣା ପେଟରୁ କାଟି ସେଥିରୁ ମୁଠିଏ ଚାଉଳରେ ବାପା ସଞ୍ଜବେଳେ ବିଲବାହୁଡ଼ା ଖାଇବା ବୋଲି ଗୋଟିଏ ସାନ ପୋଡ଼ପିଠା, ନୋହିଲେ ପଖାଳ ମୁଠିଏ କରି ରଖି ଦେଇଥାଏ । ମହାନ୍ତିଏ ଚାଉଳ ମାପି ଦେବାବେଳେ ଗୋଟିଏ ଖୁବ୍ ସାନ ଶାମୁକାରେ ଲୁଣ ମାପି ଦିଅନ୍ତି । ବାଡ଼ିର କୟାଁ ଗଛଟିରେ ବର୍ଷକ ତରକାରୀ ଚଳେ । କୟାଁ ପାଚିଲେ ମହାନ୍ତିଏ ନିଜେ ଗଛରୁ ପାରି, ଖୋଷା ଛଡ଼ାଇ, ପାରୁ କାଢ଼ି, ମାଠିଆ ମାଠିଆ ପୁରାଇ କୋଲପ ଘରେ ରଖି ଦେଇଥାନ୍ତି । ସେଥିରୁ ବାପ ଝିଅଙ୍କ ପାଇଁ ଠିକ୍ ଦୁଇ ଫଡ଼ି କାଢ଼ି ଦିଅନ୍ତି । ମାଳତୀଟି ବଡ଼ ଦୟାବତୀ, ବାପାକୁ ବଡ଼ ଭଲ ପାଏ । ଏକା ବାପା କିଆଁ, ସମସ୍ତଙ୍କୁ ଭଲ ପାଏ । ଗୋଟିଏ ବିରାଡ଼ି ପିଲା ପୋଷିଛି, ସେଇଟି ତାହାର ନିର୍ଜନ ଘରେ ସଙ୍ଗିନୀ- ସବୁବେଳେ ଲାଞ୍ଜ ଟେକି ମ୍ୟାଉଁ ମ୍ୟାଉଁ କହି ଗୋଡ଼ରେ ଘଷି ହେଉଥାଏ । ମାଳତୀ ସେଟାକୁ ଆପଣା କଂସାରେ ଖୁଆଏ, ପାଖରେ ଶୁଆଏ । ବାପା କଞ୍ଚା ଲଙ୍କାମରିଚ ଭଲ ପାଏ । ଯୋଡ଼ିଏ ଲଙ୍କାମରିଚ ଗଛ ମୂଲିଆ ପଠାଇ କୁଆଡୁ ଅଣାଇ ମଝି ଅଗଣାରେ ପୋତିଛି । ଖରାଦିନେ ଗାଁ ମଝି ପୋଖରୀରୁ ପାଣି ଆଣି ଗଛ ମୂଳରେ ଢାଳେ । ମାଳତୀ ଉପର ଓଳି ପାଣି ପାଇଁ ଯାଇ ପୋଖରୀକୂଳରରୁ ମଦରଙ୍ଗା, ସୁନୁସୁନିଆ, ହିଡ଼ିମିଚା, କଳମ୍ୱ, ପିତା ଶାଗ ଯେଉଁ ଦିନ ଯାହା ହାତରେ ପଡ଼େ, ମୁଠିଏ ତୋଳି ଆଣେ, ଖାଲି ବାପା ପାଇଁ ସିଝାସିଝି କରି ରଖେ ।

ମଫସଲ ଗାଁରେ ଯାହାକୁ ଥିଲାବାଲା ଲୋକ କହନ୍ତି, ମାଧ ମହାନ୍ତିଏ ବି ସେହିଭଳିଆ ଯେ । ସରବରି ଦୁଇ ବାଟିଯାଏ ହାତଚାଷ, ଭାଗରେ ବି ବାଟିଏ ଖଣ୍ଡେ ଦେଇଛନ୍ତି । ଛଅଟା ହଳ, ମାଈ ଗୋରୁ ବି ଚାରି ବୋଡ଼ି ସରିକି । ଗାଈ ଦୁହାଁଳ ହେଲେ ଦୁଧଯାକ ଗଉଡ଼ କାଟରେ ଘେନିଯାଏ ।

ମହାନ୍ତିଙ୍କର ଖରଚ ବୋଇଲେ, ଧାନ ବିକି ଖଜଣା ଗଣ୍ଡାକ ଚଳାଇ ଦିଅନ୍ତି । ଆଉ ପଇସା କଉଡ଼ିର ଖରତ ନାହିଁ । ବାଡ଼ିରେ ଖଣ୍ଡେ କପା କରିଛନ୍ତି, ବାପ ଝିଅଙ୍କର ଲୁଗାବାଡ଼ଟା ଚଳିଯାଏ । ବେଜାୟ ଖରଚ ମଧ୍ୟରେ ପିଲାଦିନରୁ ପିକା ଟଣାଟା ଅଭ୍ୟାସ, ଛାଡ଼ିପାରୁ ନାହାନ୍ତି । ରୋଜିନା ଅଧସେର ଧାନରେ ଧୂଆଁପତ୍ର ଗୋପିଆ ଦୋକାନି ପାଖରୁ ଆସେ । ସବୁବେଳେ ପିକାଟା ମୁହଁରେ ଲାଗିଥାଏ । ଗୋଟାଏ ଲମ୍ୱା ମୋଟା ନିଆଁ ବଡ଼ିଆ ପାଖରେ ପଡ଼ିଥାଏ । କୁଆଡ଼କୁ ଗଲେ ବଡ଼ିଆଟି କାଖେଇ ବାହାରନ୍ତି । ମାଳତୀଟା ଏବେ ବଳେଇଲାଣି । ଏଣିକି ବିଭା ନ ଦେଲେ ନୁହେଁ । ପାଞ୍ଚ ଜାଗାରୁ ଜବାବ ଆସିଲାଣି, ହେଲେ ଦର ପଟୁନାହିଁ । ତିନିଶ ଟଙ୍କାରୁ ଉପରକୁ କେହି ଯିବାକୁ ନାହିଁ । ମହାନ୍ତିଏ ବଡ଼ ସତ୍ୟବନ୍ତ ଲୋକ, ଏକା ରା’ ଧରିଛନ୍ତି, ସାତ ଶହରୁ ପଇସାଏ ବି ଊଣା ହେବ ନାହିଁ । ନ ବର୍ଷର ବଡ଼ ଝିଅଟା ହେଲା ସାତ ଶହ, ପନ୍ଦର ବର୍ଷର ଝିଅ ଦେଖ ତ, କେଡ଼େ ସୁନ୍ଦରୀ, କିମିତି ପାଇଟିକୁ ଯୋଗା । ଦେଖି ଚାହିଁ ବୁଝି ସମଜି କଥା କହିଲେ ସିନା ହେବ । ଯେଉଁମାନେ ବିଭା ପ୍ରସଙ୍ଗରେ ଆସନ୍ତି ସେମାନଙ୍କୁ ଏହି ଏକା ଜବାବ୍ ।

ମହାନ୍ତିଏ ବୁଝିଲେଣି, ଦୋହୁଳି ତେହଳି କେହି, ଖୁବ୍ ବୁଢ଼ା ବର ନ ହେଲେ ଦର ପଟିବ ନାହିଁ । କନ୍ୟା ପାଇଁ ଏହିପରି ଯୋଗା ବର ସକାଶେ ବାଟ ଚାହିଁ ବସିଛନ୍ତି ।

ମଧୁପରୁ ଗାଁଟା ଗୋପାଳଜୀଉଙ୍କର ଦେବୋତ୍ତର । ମଠଟି ଗାଁ ମଝିରେ । ଆଉ ଆଡ଼େ ବି ଜମିଜମା ଅଛି । ସେସବୁ ଜମିର ଖଜଣା, ଫାଉ ଫୌରାତ, ଶିଷ୍ୟ ସେବକ ସବୁ ସବୁ ରକମରୁ ବର୍ଷକୁ ଦଶହଜାର ଟଙ୍କା ସରିକି ଆୟ । ଏଟା ନିଅଙ୍ଗ ମଠ, ଗୋଟାଏ ମହନ୍ତ ନାରାୟଣ ପାଇଲେ ତାଙ୍କ ଚେଲା ଗାଦିରେ ବସନ୍ତି ।

ମହନ୍ତ ରଘୁବର ଦାସ ନାରାୟଣ ପାଇବାରୁ ତାଙ୍କ ଚେଲା ଲଛମନ ଦାସେ ବର୍ତ୍ତମାନ ଗାଦିର ମାଲିକ । ନୂଆ ମହନ୍ତ ଖୁବ୍ ଦାତା, ଦୟାଳୁ । ଆଗ ମହନ୍ତଙ୍କର ସବୁ ଭଲ ଗୁଣ ଅଛି । ଚରିତ୍ରଟି ବି ଖୁବ୍ ଭଲ । ହେଲେ ଟୋକାଳିଆ ବୁଦ୍ଧିଟା ଛାଡ଼ି ନାହିଁ । ଆଗ ପୋଷା ପାରା ଗୋବରା ଚଢ଼େଇ-ଗୁଡ଼ାକ ରହି ଯାଇଛନ୍ତି । ମହନ୍ତ ମଠରେ ଗୋଟାଏ ଆଖଡ଼ା ଜାରି କରିଛନ୍ତି । ସଞ୍ଜ ବାଜିଲା ତ, ଗାଁର ଯେତେ ଭେଣ୍ଡିଆ ପିଲା ରୁଣ୍ଡ । କୃଷ୍ଣଲୀଳା, ରାମଲୀଳା ଯାତ୍ରା ହୁଏ । ଆଖଡ଼ା ମଧ୍ୟରେ ବଛା ବଛା ଦଶଜଣ ଭେଣ୍ଡିଆ ଅଛନ୍ତି । ରାତି ଛଅ ଘଡ଼ି ସରିକି ମହାପ୍ରଭୁଙ୍କ ଠା’ ଘଣ୍ଟା ବାଜେ, ଆଖଡ଼ା ଭାଙ୍ଗେ । ପ୍ରସାଦ ସେବା କରି ଯେ ଯାହା ଘରକୁ ଚାଲିଗଲା ବାଦ ମହନ୍ତ ସେହି ବଛା ସାଙ୍ଗୀ ଦଶ ଜଣଙ୍କୁ ଧରି ମଠ ପଛ ବଗିଚା ମଝିରେ ଥିବା ପୋଖରୀ ଘାଟରେ ବସି ଅଧରାତିଯାଏ ତ୍ୱରିତାନନ୍ଦ ମୌଜ କରନ୍ତି, କୋଡ଼ିଏ ମୁଲକର ହାଲଚାଲ କଥା ପଡ଼େ ।

ତା’ପରେ

ଲୋକପ୍ରିୟ ଲେଖା

To Top