ଗଳ୍ପ

ମାହାସୁଲ

Matrudatta Mohanty's odia story Maahaasul

ଘାଟଶାମୁଳେଈଙ୍କ ଭଳି ମନ୍ଦିରର ପାର୍ଶ୍ଵ ଦେବାଦେବୀ ମଧ୍ୟ ବଲବଲ କରି ଚାହିଁଥିଲେ ଏମାନଙ୍କ ଆଡକୁ । ନନାଙ୍କ ମାହାସୁଲ ଦାବି ଉପରେ କାହାର କିଛି କହିବାର ନଥିଲା ।

ମାହାସୁଲ

ଛୁଆଟା ମୁଣ୍ଡରେ ବେଜାୟ ଉକୁଣି । ମଳି ଯେ ପାନିଆ ଚାଲୁନି । ବାଳଯାକ ଜଟା ଧରିଲାଣି । ପେଟରେ ସଞ୍ଚିଲା ଦିନଠାରୁ ଗ୍ରହ ଦଶା ଖରାପ ଥିଲା । ଅନ୍ତୁଡିଶାଳରୁ ବୁଢୀ ଟେକି ଦେଇଥିଲା ମା’ ଘାଟ ଶାମୁଳେଈ ପାଖରେ । ଆସି ଚାରି ବରଷ ହେଲାଣି । ମାନସିକ ପୂରଣ ପାଇଁ ଯୋଗ ହଉନି । ବୁଢୀ ମରି ଘାସ ଆଣ୍ଠୁଏ ହେଲାଣି । ସରଗରେ ଥାଇ ଗାରୁଗାରୁ ହଉଥିବ ବୁଢୀଟା । ସେଥିପାଇଁ ପିଲାଟା ବି ଉଧୋଉନି । ଯାହା ଖାଇଲେ ଧିଅରେ ନାଗୁନି । କଣ୍ଟା ପରି ଚେହେରା ହୋଇଛି । ବାପ ସରାଗରେ ଯୋଉଠୁ ଯାହା ପାଉଛି ଆଣି ପୁଅ ପେଟରେ ପୂରୋଉଛି । ଖାଇ ଦଉଛି ଦଉଡୁଛି ବିଲକୁ । ଯେତେ କବିରାଜି କଲେ ବି ଯାହାକୁ ସେଇଆ । ଲେଙ୍କାବୁଢା ହେମେପାତି ଥିଲା ସାହା ଭରସା । ଛ’ ମାସ ଖାଇଲା ସେ ଗୁଳି ଧୂଳି । ସବୁ ଫୁସ୍ । ପିଲାଟାର ଏମିତି ଅବସ୍ଥା ଦେଖି ଚିନ୍ତାରେ ପଡି ଯାଇଛି ଛଇଳ । ଦିନେ ସମୟ କାଢି ଛୁଆଟାର ବାଳ ଗୋଛାକ ଶାମୁଳେଈ ପାଖରେ ପକେଇ ଦେଇ ଆସିବାକୁ କେତେ ନେହୁରା ହେଲାଣି ଗେରସ୍ତକୁ । ଗେରସ୍ତ ଶୁଣୁନି । ବାରକଥା କହିବାକୁ ତ ସାହିଭାଇ ପୁଳାଏ ଅଛନ୍ତି । କଲେ କହିବେ, ନ କଲେ କହିବେ । କୋଉ ଜ୍ୱାଳାରେ ମଣିଷ ମରିବ ଏବେ ? ପିଲାଟା ମୁଣ୍ଡରେ ମେଣ୍ଡାବାଳ ପରି ଜଟା ଦେଖି କିଏ କେତେ କ’ଣ କହୁଛି । କା’ ପାଟିକୁ ବାଡ଼ ବତା ଦବ । ଗଲା ସଂକରାନ୍ତିରେ ବାଳ ପକେଇବାକୁ ଆଗରୁ ଯୋଜନା କରିଥିଲା ସେ । ଠିକ୍ ବେଳକୁ ଗେରସ୍ତ ମନା କଲା । କହିଲା କ’ଣ ନା ପାଖରେ ପଇସା ନାହିଁ । ସେଠି କେତେ କ’ଣ ଖରଚ ହେବ କିଏ ଜାଣିଛି । ମନ୍ଦିର ହୁଣ୍ଡିରେ ପଇସା ପକେଇବାକୁ ହବ । ପୁଣି ନନା ବିଦାକି । ଭୋଗ ରାଗ । ଠାକୁର ଲୁଗା । ଦେଖୁ ଦେଖୁ ଗୋବରି ନଈ ପାଣି ପରି ଖରଚ କୁଆଡ଼େ ମାଡ଼ିଯିବ ଥଳକୂଳ ପାଇବନି । ସେଇଥି ପାଇଁ ଡରରେ ମନାକଲା । ଦିନକୁ ଦିନ ଛୁଆଟାର ମୁଣ୍ଡ ବେଶିବେଶି ରାମ୍ପି ବିଦାରି ହେଉଛି । ସାହି ପିଲା ପାଖ ପୂରୋଉ ନାହାନ୍ତି । ତେଣେ ସର୍ଦ୍ଧି ଛାଡୁନି । ନାକରୁ ସିଂଘାଣି ବୋହୁଛି । ବାର ଓଷା ତେର ବ୍ରତ କରି ପୁଅଟେ ପାଇଛି । ମା ତାକୁ କଣ ଏମିତି ଜଟିଆ କରି ରଖିବ ନା କ’ଣ? କୋଉ ଦିନ ବାପ ପାଖରେ ପଇସା ହବ ଛୁଆଟାକୁ ମୁକୁଳେଇବି । ହେ ମା’ ଘାଟଶାମୁଳେଈ ମୋ ଆୟତ୍ତରେ ଆଉ କ’ଣ ଅଛି । ସବୁ ତୋ ଇଚ୍ଛା କହି ଶୂନ୍ୟରେ ମୁଣ୍ଡିଆ ମାରିଲା ଛଇଳ ।

ଖରା ନଇଁଲାଣି । ଗାଁ ଦାଣ୍ଡରେ ପିଲାଏ ରଡି ଛାଡି ଖେଳରେ ମାତିଛନ୍ତି । କୋଳାହଳ ଭିତରେ ଅବଧାନଙ୍କ ପାଟି ଶୁଣି ଚମକି ପଡିଲା ଛଇଳ । ହଜିଲା ବଳଦ ଖୋଜିଲା ଠେଇଁ । ଯାହାକୁ ମନେ ମନେ ଖୋଜୁଥିଲି ସେହି ଲୋକ ଆସିଛି । ସବୁ କାମ ଛାଡି ଦଉଡି ଆଇଲା ଦାଣ୍ଡଦୁଆର ମୁହଁକୁ । ନଇଁ ପଡିଥିବା ଛପର ତଳୁ ମୁଣ୍ଡ କାଢି ଦାଣ୍ଡକୁ ଚାହିଁଲା । ଅବଧାନଙ୍କୁ ଜୁହାର କଲା । ଘରକୁ ଡାକି ଆଗେଆଗେ ଭିତରକୁ ଚାଲିଗଲା । ଖଣ୍ଡେ ମସିଣା ଆଣି ପିଣ୍ଡାରେ ବିଛେଇ ଦେଲା । ପାଖରେ ପାଣି ଢାଳେ ଭଙ୍ଗାପାନ ଦିଖଣ୍ଡ ଥୋଇ ବସି ପଡିଲା । ଚଷମା ଫାଙ୍କରୁ ଆଖି ତରାଟି ଛଇଳ ଆଡେ ଚାହିଁଲେ ଯୋଗୀ ଅବଧାନେ । ପାଟିରେ ପାନ ଭର୍ତ୍ତି କରୁକରୁ ପଚାରିଲେ କ’ଣ କିଲୋ ତୋର ପୁଣି କଣ ହେଲା । କାହିଁ ମୁହଁଟା ଶୁଖେଇ ଦେଇଛୁ । ଅବଧାନଙ୍କ କଥା ନ ସରୁଣୁ ଛଇଳ ଆଖି ଛଳଛଳ କରି କହିଲା ଅବଧାନେ ଦେଖିଲ ଦେଖିଲ ମୋ ସୁକୁଟାର ରାଶି ନକ୍ଷତ୍ର କ’ଣ କହୁଛି । ତା ବାଳ ଗୋଛାକ ପକେଇବି ବୋଲି ଯୋଗପାଗ ହଉନି । ଟିକେ ଖଡ଼ିକାଟି କହିଲ ରାଶି ନକ୍ଷତ୍ରରେ କ’ଣ ନେଖା ଅଛି । ଅବଧାନେ ନାଲି ଉଖୁଡ଼ା ପରି ଦାନ୍ତ ଗୋଛାକ ସନ୍ଦିରୁ ପାନ ଖୋଳି ଖାଉଖାଉ କହିଲେ ଏଇନେ ଦେଖୁଛି ରହ । କ’ଣ ତୋ ପିଲାର ରାଶିଟା । ଲୁଗାକାନିକୁ ଦାନ୍ତ ମଝିରୁ ମୁକ୍ତ କରି ଅବଧାନଙ୍କ ମୁହଁକୁ ଚାହିଁ ଛଇଳ କହିଲା ମକର । ମାଟି ପିଣ୍ଡାର ଗୋବର ଲିପା ପିଠି ଉପରେ ପଥର ଖଡ଼ିଟାକୁ ଘୋଷାରିଘୋଷାରି ଏପାଖ ସେପାଖ ଛକି ପକେଇ କେତେ କ’ଣ ଅଙ୍କ ଲେଖିଗଲେ ଅବଧାନେ । କପାଳରେ ବିନ୍ଦୁବିନ୍ଦୁ ଝାଳ ଜକେଇଆସିଲା । ମସିଆ ଗାମୁଛାରେ ଝାଳ ପୋଛୁପୋଛୁ ଛଇଳ ମୁହଁକୁ ଚାହିଁ ଫିସ୍ କିନା ହସିଦେଲେ ଅବଧାନେ । ‘ଓଃ ତୋ ପୁଅ ମୋ ଝାଳ ବାହାର କରିଦେଲା । ଭାରି ସୁକୁମାରିଆ ରାଶି ନକ୍ଷତ୍ର । ଜମା ସୁଜୁନି । ଭାରି କଷ୍ଟରେ ଶୁଜେଇଲି । ଏଇ ଗୁରବାର ଭଲବାର ଭଲଦିନ । ସେଇ ଦିନ ପକେଇ ଦେ । ନହେଲେ ବର୍ଷକ ଯାକ ଯୋଗ ନାହିଁ । ସୁକୁଟା କୋଉଠି ଥିଲା ଧାଇଁ ଆସି ମା କୋଡ଼ରେ କଙ୍ଗାରୁ ଛୁଆ ପରି ଗେଞ୍ଜି ହୋଇଗଲା । ଅବଧାନେ ଖଇରିଆ ଦାନ୍ତ ଗୋଛାକ ଦେଖେଇ କହିଲେ ତୋ ପୁଅକୁ ବାଆଜି କରିବୁ ନା କ’ଣ । ମୁଣ୍ଡରେ ଏତେଗୁଡ଼ା ବାଳ ଧରି କେମିତି ଚଳୁଛି ଏ ପିଲାଟା । ଦେଖି ଦେଖି କହି କାନ ପାଖରେ ଝୁଲୁଥିବା ଖଣ୍ଡେ ଜଟକୁ ଘୃଣାରେ ଟେକି ଧରି ଛାଡିଦେଲେ । ନିଜ ଆଙ୍ଗୁଠିକୁ ମାଟିରେ ଘଷୁ ଘଷୁ କହିଲେ ହଉ ଯା, ଉଠିଯା ମୋ ସିଦାଟା ଆଗ ନେଇ ଆ । ମୁଁ ଯାଏ । ଗାଁ ଗୋଟାକ ବୁଲିବି । ପାଇଲିରେ ପାଇଲିଏ ମୋଟା ଚାଉଳ ତା ଉପରେ ଗୁଣ୍ଡି ଆଳୁ ଦି ଚାରିଟା ରଖି ଅବଧାନଙ୍କ ଆଗରେ ଥୋଇଦେଲା ଛଇଳ । ଅବଧାନେ ଚଟକିନା ତାକୁ ଝାମ୍ପି ନେଇ ନିଜ ତେଲଚିକିଟା ଝୁଲା ଭିତରକୁ ଛାଟିଦେଲେ ।

ଶୁକୁଟା ବାପା ଘରେ ଗୋଡ ଦେଉ ଦେଉ ଛଇଳ ଆରମ୍ଭ କରିଦେଲା କଥା । ଅବଧାନେ କହିଛନ୍ତି ଏଇ ଗୁରୁବାର ଶୁଝୁଛି । ନହେଲେ ଆଉ ବରଷେ ଭଲ ନାହିଁ । ଯାହା ଯେମିତି ହଉ ଏଇ ଗୁରୁବାର ଘାଟଶାମୁଳେଈ ପୀଠକୁ ଯାଇ କାମଟା ସାରିଦେବାକୁ ହବ । ନଇଲେ ମୋ ଛୁଆର ଅମଙ୍ଗଳ ହବ । କହୁକହୁ କଣ୍ଠ ରୁଦ୍ଧ ହୋଇ ଆସିଲା ଛଇଳର । ଗେରସ୍ତ ତାର ବଡ ହୁଁଟାଏ ମାରି ଘରୁ ପଦାକୁ ବାହାରିଗଲା । ବାକିତକ କଥା ସାରିବା ପାଇଁ ଗେରସ୍ତ ପଛେ ପଛେ ବାହାରକୁ ଧାଇଁଗଲା ଛଇଳ । କ’ଣ କିଛି କହିଲନି । ଶୁଣ ମନା କରନା । ଦେଖିଲଣି ପିଲାଟାର ଧିଅ କେମିତି ଶୁଖିଲା କଣ୍ଟା ହେଲାଣି । ମା’ କୋପ କଲେ ଭାରି ଅସୁବିଧା ହବ । ଘଷି ବିକି କିଛି ଟଙ୍କା ରଖିଛି । ଆଉ କିଛି ତମେ କାଢ । କାମଟା ହେଇଯିବ । ଶୁକୁଟା ବାପା ଶେଷର ରାଜି ହେଲା । ଆଗିଲା ଗୁରୁବାର ଦିନ ଶୁକୁଟାକୁ ମୁକୁଳେଇବାକୁ ହଁ ଭରିଲା । ଛଇଳ ଖୁସି ଦେଖେ କିଏ । ଲାଗିଗଲା କାମରେ । ପଇସାପତର ଯୋଗାଡ କରିବାରେ ଲାଗି ପଡିଲା । କେମିତି କ’ଣ କାମଟା ସାରିବ । ସାଙ୍ଗରେ କ’ଣ କ’ଣ ନବ । କେତେବେଳେ ବାପା, ମା’, ଛୁଆ ଘରୁ ବାହାରିବେ । କେତେବେଳେ ସେଠୁ କାମ ସାରି ଫେରିବେ । ମନେ ମନେ ଯୋଜନା କରିବାରେ ଲାଗି ପଡିଲା ସେ ।

ଦେଖୁ ଦେଖୁ ଦିନଗୁଡ଼ା କୁଆଡ଼େ ଉଡ଼ିଗଲା । ଆଜି ଗୁରୁବାର । ରାତି କଣେ ପାଇନି ବିଛଣା ଛାଡ଼ିଲା ଛଇଳ । ବାପ ପୁଅଙ୍କୁ ଉଠେଇଲା । ବାସି ପାଇଟି ସାରି ଘରୁ ଗୋଡ଼ କାଢିଲେ ସଭିଁଏ । ଆଗ ରାତିରୁ ଗୋଟି ଗୋଟି ଖଞ୍ଜିଥିବା ଜିନିଷ ହାତରେ ଧରିଲା ଛଇଳ । ଚାଲି ଚାଲି ଯିବାକୁ ହବ । ତିନିଟା ଗାଁ ଦିଟା ପାଟ ଡେଇଁଲେ ଗୋବରୀ ନଦୀ କୂଳରେ ମା’ ଘାଟଶାମୁଳେଈଙ୍କ ପୀଠ । ଖରା ମାଡ଼ି ଆସୁଛି । ସହଳ ସହଳ ଗଲେ କାମ ସାରି ଲେଉଟିବାକୁ ହେବ । ପାଦ ଫୁର୍ତ୍ତି କରିବାକୁ ଶୁକୁଟା ବାପ ଘଡ଼ିକି ଘଡ଼ି ତାଗିଦା କରୁଛି ମା’ ପୁଅଙ୍କୁ । ବିଚରା ଛୁଆଟା ବି କେତେ ଧାଇଁବ । ବେଳେ ବେଳେ ମା’ କାଖକୁ ନଉଛି ପୁଣି ତଳେ କଚାଡ଼ି ଦଉଛି । ଖରା ଧୀରେ ଧୀରେ ଟାଣ ହେଲାଣି । ଛୁଆଟା ମା’ କାନି ତଳେ ଲୁଚି ଲୁଚି ପାଦ ପକୋଉଛି । ବେଳେ ବେଳେ ମାର ହାତ ଧରି ବାଟ ଚାଲୁଛି ପୁଣି ହାତ ଛାଡ଼ି ଦେଉଛି । ଛଇଳ ହାତରେ ଧରିଛି ଝୁଲା ଖଣ୍ଡେ । ସେଥିରେ ପୂଜା ପାଇଁ ଯାବତୀୟ ଜିନିଷ ଭରିଛି । କଳା କାଛିଆ, ମଥାଘଷା, ସିନ୍ଦୂର, ଚୁଆ ଧୂପ, ଦୀପ, ଛଡା ନଡ଼ିଆ ଏମିତି କେତେ କ’ଣ । କାନିରେ ବାନ୍ଧିଛି ଦଶଟଙ୍କିଆ ନୋଟ ମୁଠାଏ । ବିଚରା ପିଲାଟା ଓଠ ଚାଟିଲାଣି । ବାଳ ନ ପଡ଼ିଲାଯାଏ ପାଣି ଛୁଇଁବା ବି ତାକୁ ମନା । ନାକରୁ ଧାରେ ସିଂଘାଣି ବୋହି ପଡ଼ିଛି । ବେଳେ ବେଳେ ବାଁ ଡାହାଣ ହାତରେ ସିଂଘାଣି ଘୋଷାଡ଼ି ଦଉଛି ମୁହଁ ଉପରେ । ଗାଁ ପାରିହେଇ ପାଟ ଭିତରରେ ପଶିଲା ବେଳକୁ ଆଖିରେ ପଡ଼ିଲା ଶାମୁଳେଈଙ୍କ ମନ୍ଦିର ଉପରେ ଉଡୁଥିବା ଖଣ୍ଡାଧାର ପରି ନାଲି ପତକା । ପବନରେ ଫରଫର ହୋଇ ଉଡୁଛି । ଖଣ୍ଡେ ଦୂରକୁ ଦିଶୁଛି । ଛବଳ, ମା’ଙ୍କ ଉଦ୍ଧେଶ୍ୟରେ ହାତଯୋଡ଼ି ମୁଣ୍ଡରେ ମାରିଲା । ମା ଦେଖାଦେଖି ଶୁକୁଟା ବି ମୁଣ୍ଡିଆଟାଏ ମାରିଲା । ଚାଲୁଚାଲୁ ବାଟ ଜଣାପଡୁ ନଥାଏ । ଆଉ ଡାକେ ହବ ବାଟ । ଗୋବରୀ ଘାଟ ପାରି ହେଲାରୁ ଆଇଲା ମା’ଙ୍କ ପୀଠ ।

ମନ୍ଦିର ପାହାଚରେ ଜିନିଷପତ୍ର ବୋଝେଇ ଝୁଲାଟା ରଖିଦେଇ ତଳେ ଠାଏଠାଏ ମୁଣ୍ଡ ପିଟିଦେଲା ଛଇଳ । କେତେ ଦିନର ମାନସିକ ପୂରଣ ହେବାକୁ ଯାଉଛି । ଆଜି ମା’ ଡାକ ଶୁଣିଲା । ନଦୀରୁ ହାତ ମୁହଁ ଧୋଇ ଆସି ତିନିହେଁ ମନ୍ଦିର ବେଢାରେ ବସି ପଡିଲେ । କୋଉଠି ଚିଲ ପରି ଛକିଥିଲେ ନନା । ଧାଇଁ ଆସିଲେ ସେମାନଙ୍କ ପାଖକୁ । କି ପୂଜା କରିବ ବୋଲି ପଚାରି ବାପା ମା ଛୁଆଙ୍କ ଉପରେ ଥରେ ଆଖି ବୁଲେଇ ଆଣିଲେ । ସେମାନଙ୍କ ଚେହେରା ଦେଖି ଅଣ୍ଟାରେ କେତେ ଦମ୍ ଅଛି ତାହା କଳିନେବାକୁ ବେଶି ସମୟ ଲାଗିଲାନି ନନାଙ୍କୁ । ଶୁକୁଟା ମୁଣ୍ଡରେ ଓହଳିଥିବା ବର ଓହଳ ପରି ଜଟ ଦେଖି ନନା କହିଲେ ଓଃ ବାଳ ପକେଇବ । ହଁ, ପକା ପକା । ମୁଁ ଯାଉଛି ଧୋଇ ହୋଇ ପଡେ । ପୂଜା ଆରମ୍ଭ କରିବା । ତମେ ପ୍ରସ୍ତୁତ ହୁଅ । ଛଇଳ ଗେରସ୍ତ ମୁହଁକୁ ବଲବଲ କରି ଚାହିଁଥାଏ । ପିଲାଟା ମୁହଁରେ ନେସି ହୋଇ ଶୁଖି ଯାଇଥିବା ସିଂଘାଣି ଉପରେ ମାଛି ଭଣଭଣ ହେଉଥାଆନ୍ତି ।

ଖଣ୍ଡିଆ ପିଢା ଖଣ୍ଡକ ଟାଣି ନଉନଉ ନନା ପଚାରିଲେ କ’ଣ ଆଣିଚ । ଝୁଲା ଭିତରୁ ପୂଜା ସାମଗ୍ରୀ କାଢ଼ି ଶାମୁଳେଇଙ୍କ ଆଗରେ ରଖିଲା ଛଇଳ । ଆଙ୍ଗୁଠିରେ ସେ ସବୁକୁ ଗଣି ପକେଇଲେ ନନା । ଆଉ କିଛି ପୂଜା ସାମଗ୍ରୀ ଲୋଡା । ପିଲାର ନୂଆ ଜାମା କାଇଁ? ସ୍ୱାମୀ ସ୍ତ୍ରୀ ପରସ୍ପର ମୁହଁକୁ ଚାହିଁଲେ । ପୂଜା ଜିନିଷ ସଜାଡୁ ସଜାଡୁ ନନା କହିଲେ ଆଣିନ । ହଉ ହେଲା ଚଳେଇ ଦବା । ଯା ପିଲାକୁ ନଈରେ ବୁଡେଇ ଆଣ । ନନାଙ୍କ ପାଟିରୁ କଥା ନସରୁଣୁ ଛଇଳ ଶୁକୁଟାକୁ ନେଇ ଗାଧୋଇ ଆଣିଲା । ନନାଙ୍କ ପାଖକୁ ଲାଗି ବସି ପଡିଲା ସୁକୁଟା । ସ୍ୱାମୀ ସ୍ତ୍ରୀ ଦିହେଁ ହାତ ଜୋଡ଼ି ଭକ୍ତି ଛଳଛଳ ହୋଇ ମାଙ୍କ ସିନ୍ଦୂର ବୋଳା ମୂର୍ତ୍ତି ଆଡ଼େ ଏକଲୟରେ ଚାହିଁ ଥାଆନ୍ତି । ପହିଲେ ବଡ଼ ପାଟିରେ ପରେପରେ ଗୁଣୁ ଗୁଣୁ ହୋଇ କ’ଣ ଗୁଡ଼ାଏ ମନ୍ତ୍ର ପଢୁ ପଢୁ ନନା କହିଲେ ମାହାସୁଲଟା କାଢ଼ । ଛଇଳ ଗେରସ୍ତ ମୁହଁକୁ ଚାହିଁଲା । ନନାଙ୍କ ମନ୍ତ୍ରପାଠ ଉଚ୍ଚ ସ୍ୱରରେ ଶୁଭିଲା । ସମାନ ଭାବେ ପୁଣି ମନ୍ତ୍ର ପାଠ ତାଳରେ ଶୁଭିଲା ମାହାସୁଲ କାଢ଼ । ଛଇଳ ପଚାରିଲା ନନା କେତେ ଦେବି?

କେତେ କ’ଣ ମୁଁ କହିବି । ତମେ ପୂଜାପୂଜି କାମ କରୁଥିବ, ମୁଁ କ’ଣ କହିବି ।

ଟିକେ ବିରକ୍ତ ହୋଇ ମନ୍ତୁରା ପାଣିଛିଞ୍ଚି ଆରମ୍ଭ କଲେ ନନା । ପାଖରେ ବସିଥିବା ସୁକୁଟା ମୁଣ୍ଡ ଉପରେ ମନ୍ତୁରା ହଳଦୀପାଣି ଛିଞ୍ଚି କେତେ କଣ ମନ୍ତ୍ର ପଢ଼ିବାରେ ଲାଗିଥାଆନ୍ତି ନନା । ଶୁକୁଟା ବାପା ଦିଟା ଶହେ ଟଙ୍କିଆ କାଢ଼ି ପୂଜା ଚାଙ୍ଗୁଡ଼ିରେ ଥୋଇଲା । ନନା ଚଷମା ଫାଙ୍କରୁ ଚାହିଁ କହିଲେ ଆରେ ଇଏତ ପାର୍ଶ୍ୱଦେବା ଦେବୀଙ୍କ ପାଉଣା । ମାହାସୁଲ କାହିଁ । ନନାଙ୍କ କଡ଼ା ପ୍ରଶ୍ନରେ ଡରିଯାଇ ଛଇଳ ସାହାସ କରି କହିଲା ନନାଆଜ୍ଞା ମାହାସୁଲ ପୁଣି କ’ଣ? ନନା ଚିଡ଼ି ଉଠିଲେ । ମାହାସୁଲ ପୁଣି କ’ଣ ତମକୁ ବୁଝେଇବି । ତମ ପିଲାଟାକୁ ଏଠୁ ମୁକୁଳେଇବ । ମନ୍ଦିର ଫଣ୍ଡକୁ ତ ପୁଣି କିଛି ଦବ ନା ନାହିଁ । ଛଇଳ ତା ଲୁଗା କାନିରେ ବାନ୍ଧିଥିବା ଦଶଟଙ୍କିଆ ମୁଠାଏ କାଢ଼ି ନନାଙ୍କ ଆଡ଼କୁ ପେଲି ଦେଲା । ନନା ମୁହଁରୁ ମନ୍ତ୍ର ବାହାରିବା ବନ୍ଦ୍ ହୋଇଗଲା । ଆଲୋ ମା’ ତୁ ବୁଝି ପାରିଲୁନି ଇଏତ ଯେତିକି ଦେଲୁ ଗଲା ମନ୍ଦିର ହୁଣ୍ଡିକୁ । ହେଲେ ମନ୍ଦିର ମାହାସୁଲଟା ଦେଲୁନି । ଶୁକୁଟା ବାପା ତା ନିଜ ଅଣ୍ଟାରେ ହାତ ବୁଲେଇ ଆଣିଲା । ଅଣ୍ଟାରେ କିଛି ନାହିଁ । ନନା ବସିବା ଜାଗାରୁ ଟିକେ ବୁଲି ପଡ଼ିଲେ । ପଇସା ନ ଆଣି ତମେ କାହିଁକି ଏଠିକି ଆସୁଛ ଆଁ । କ’ଣ ପଚାରୁଛି ବୁଝା ପଡୁନି । ଏଇନେ ବାରିକ ତମ ପିଲାଟାର ବାଳ ରାମ୍ପିବ । ତା’ ଖର୍ଚ୍ଚ ସେ ନବନା ନାହିଁ । ଛଇଳ ଗେରସ୍ତ କହିଲା ନାଇଁ ଆଜ୍ଞା ମୁଁ ଖୁର ଆଣିଛି । ନିଜେ ରାମ୍ପି ଦେବି । ନନା ହଡ଼ବଡ଼େଇ ଗଲେ । ହଉ ହେଲା ତମେ ସିନା ନିଜେ ବାଳ ରାମ୍ପିଦେବ ଏଠି ବସି ପୂଜା ତ କରି ପାରିବନି ନା । ପୂଜା ମୁଁ କରିବି । ଛାଡ଼ ମୋ ବିଦାକି ନଦେଲ ନାହିଁ ମୁଁ ଚଳେଇ ନେବି । ହେଲେ ମାହାସୁଲଟା କେମିତି ଛାଡ଼ି ଦେବି । ଛଇଳ ସୁଖିଲା ଓଠକୁ ଚାଟୁଥାଏ । ଖରାରେ ବାଟ ଚାଲିଚାଲି ଆସି ତାକୁ ସବୁଆଡ଼ ଅନ୍ଧାର ଦିଶୁଥାଏ । ତା ଉପରେ ନନାଙ୍କ ପଇସା ହିସାବ ତା’ ମୁଣ୍ଡଟାକୁ ଗୋଳମାଳ କରି ପକାଉଥାଏ । ଛଇଳର କାନି ବି ଶୂନ୍ୟ ହୋଇ ପଡ଼ିଥାଏ । ସ୍ୱାମୀ ସ୍ତ୍ରୀ ଦିହେଁ ସାହସ କରି ନନାଙ୍କୁ ମାହାସୁଲ କେତେ ପଚାରି ପାରୁନଥାନ୍ତି । ଉଭୟଙ୍କ ଅସହାୟତାକୁ ଅନୁଭବ କରି ନନା ତାଙ୍କ ଆଡୁ କହିଲେ ବାଳପକା ମାହାସୁଲ ଶହେ ଏକ ଟଙ୍କା । ପାଖରେ ଜମା ପଇସା ନଥିବାକୁ ମାହାସୁଲ କଥା ଶୁଣି ଛଇଳର ହୋସ ଉଡ଼ିଗଲା । ଗୁଁ ପୁଁ ହୋଇ କ’ଣ କହିବ ଭାବୁ ଭାବୁ ନନା ବସିବା ଜାଗାରୁ ଉଠି ପଡ଼ିଲେ । ଉଭୟଙ୍କୁ ଚାହିଁ ଚିତ୍କାର କରିବାରେ ଲାଗିଲେ । ଘଣ୍ଟାଏ ହେଲା ତମ କାମରେ ବନ୍ଦ୍ ହୋଇ ବସିଛି । ନା ଅଣ୍ଟାରୁ ପଇସା ଛାଡୁଛ ନା ଜାଗା ଛାଡୁଛ । ଅଣ୍ଟାରେ ଯଦି ଦମ୍ ନାହିଁ ମାନସିକ କରୁଛ କାହଁକି । ଯା ପଳା ଯେଉଁଠି ମହାସୁଲ ଛାଡ୍ ସେଇଠି ମାନସିକ ପୂରଣ କରିବ । ଛଇଳ ବିକଳ ହୋଇ ଚାହିଁରହିଥାଏ ଗେରସ୍ତ ମୁହଁକୁ । ନା କିଛି କହି ପାରୁଥାଏ ନା କରିପାରୁଥାଏ । ତେଣେ ସୁକୁଟା ମୁଣ୍ଡରେ ଓହଳିଥିବା ଜଟରୁ ଥପଥପ ଝରି ପଡ଼ୁଥାଏ ହଳଦୀ ପାଣି । ପୂଜା ଜିନିଷ ତକ ଏମାନଙ୍କ ଆଡ଼କୁ ପେଲିଦେଇ ନନା ଚାଲିଗଲେ ଅନ୍ୟକାମରେ । ଛଇଳର ଆଖି ଛଳଛଳ ହୋଇ ଉଠିଲା । ମା’ଙ୍କ ପଥର ମୂର୍ତ୍ତି ଆଗରେ ପଥର ପାଲଟି ଯାଇଥିଲା ସେ । ମା’ଙ୍କର ମାହାସୁଲ ଲୋଡ଼ା ବୋଲି କାଇଁ ମା’ ତ ପାଟି ଫିଟେଇ କହୁ ନାହାନ୍ତି । ଏମାନେ କାହିଁକି ଏତେ ପାତର ଅନ୍ତର କରୁଛନ୍ତି ବୋଲି ମନେ ମନେ ନିଜକୁ ପ୍ରଶ୍ନ କରୁଥିଲା ଛଇଳ । ଘାଟଶାମୁଳେଈ ପୀଠରେ ଥିବା ଏତେ ସବୁ ବିଧି ବ୍ୟବସ୍ଥାକୁ ନେଇ ନିରୀହ ମା’ ମନରେ ଢେଉ ପିଟୁଥିଲା ଅସଂଖ୍ୟ ପ୍ରଶ୍ନ ।

ହାତବଢେଇ ପୂଜାଡାଲାରୁ ପୂଜାସାମଗ୍ରୀତକ ସାଉଁଟି ନେଲା ଛଇଳ । ପୁଅ ହାତ ଧରି ମନ୍ଦିରବେଢ଼ା ବାହାରକୁ ଚାଲିଆସିଲେ ସ୍ୱାମୀ ସ୍ତ୍ରୀ ଦିହେଁ । ଘାଟଶାମୁଳେଈଙ୍କ ଭଳି ମନ୍ଦିରର ପାର୍ଶ୍ଵ ଦେବାଦେବୀ ମଧ୍ୟ ବଲବଲ କରି ଚାହିଁଥିଲେ ଏମାନଙ୍କ ଆଡକୁ । ନନାଙ୍କ ମାହାସୁଲ ଦାବି ଉପରେ କାହାର କିଛି କହିବାର ନଥିଲା । ଗୋବରୀନଦୀ ପାର ହୋଇ ଆରପଟେ ପହଞ୍ଚିବା ପରେ ଛଇଳ ଲୁଗାକାନି ବେକରେ ଗୁଡ଼େଇ ମନ୍ଦିରଚୁଡ଼ାରେ ଫରଫର ହୋଇ ଉଡୁଥିବା ବାନାକୁ ଚାହିଁ ମୁଣ୍ଡିଆମାରିଲା । କହିଲା ମାଲୋ ତୋ ଡ଼ୋରି ଲାଗିଲେ ପୁଣି ଆସିବି । ନନାଙ୍କ କବଳରୁ ଫେରି ଆସିଥିବା ଟଙ୍କା କେଇଟାକୁ ଜୋର୍ କରି କାନିରେ ଗଣ୍ଠି ପକେଇଲା । ଖରା ମୁହଁ ଟେକି ଛିଡ଼ା ହୋଇଥିଲା ମୁଣ୍ଡ ଉପରେ । ହଳଦୀ ପାଣିରେ ବତୁରି ଯାଇଥିବା ମଳି ଭର୍ତ୍ତି ମୁଣ୍ଡଟାକୁ ସୁକୁଟା ରାମ୍ପି ଚାଲିଥିଲା । ହାତରେ ହାତ ଛନ୍ଦି ଆଗକୁ ଆଗକୁ ପାଦ ପକାଉଥିଲେ ବାପା, ମା’ ଛୁଆ ତିନିହେଁ । ପଛରେ ରହି ଯାଇଥିଲା ମା’ ଘାଟଶାମୁଳେଈଙ୍କ ମନ୍ଦିର ।

ଲୋକପ୍ରିୟ ଲେଖା

To Top